Categories
ବିଶେଷ ଖବର ବ୍ୟବସାୟ

ଓମ୍ବାଡ୍ସି ପ୍ରକଳ୍ପ ଅଗ୍ରଗତି ନିରୀକ୍ଷଣ କର୍ତ୍ତୁପକ୍ଷଙ୍କ ସନ୍ତୋଷ ପ୍ରକାଶ, ସୁନ୍ଦରଗଡ଼ ଜିଲ୍ଲା ଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ଜିଲ୍ଲା

ଭୁବନେଶ୍ବର: ଖଣିଜ ଅଂଚଳ ଉନ୍ନୟନ ନିଗମ ବା ଓମ୍ବାଡ୍ସି ପାଣ୍ଠିରେ କରାଯାଉଥିବା ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ବିଷୟରେ ନିରୀକ୍ଷଣ କର୍ତ୍ତୁପକ୍ଷ(ଓଭରସାଇଟ୍ ଅଥରିଟି) ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଲୋକସେବା ଭବନରୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓମ୍ବାଡ୍ସି ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଉମା ନନ୍ଦୁରୀ ପ୍ରକଳ୍ପଗୁଡ଼ିକ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

ଜଷ୍ଟିସ୍ ପଟ୍ଟନାୟକ କହିଥିଲେ ଯେ ସୁପ୍ରିମ୍ କୋର୍ଟଙ୍କର ଆଦେଶ ଅନୁସାରେ ଗଠିତ ଓମ୍ବାଡ୍ସି ନିର୍ଦ୍ଧାରିତ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛି । ଏହି ପାଣ୍ଠି ବିନିଯୋଗରେ କରାଯାଉଥିବା ପ୍ରକଳ୍ପଗୁଡ଼ିକ ଖଣି ଖନନ ଦ୍ୱାରା ପ୍ରଭାବିତ ଲୋକମାନଙ୍କ ଜୀବନ ଧାରଣରେ ଗୁଣାତ୍ମକ ପରିବର୍ତ୍ତିନ ଆଣିବ । ଲୋକମାନଙ୍କ ଆବଶ୍ୟକତା ଭିତ୍ତିକ ପ୍ରକଳ୍ପଗୁଡ଼ିକ ଯେପରି ଶିଘ୍ର ଲୋକମାନଙ୍କ ପାଇଁ ଲାଭଦାୟକ ହେବ ତାହା ନିଶ୍ଚିତ କରାଇବା ନିମନ୍ତେ ଜଷ୍ଟିସ୍ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଓମ୍ବାଡ୍ସି ପାଣ୍ଠିର ପାନୀୟଜଳ, ଗୁଣାତ୍ମକ ଶିକ୍ଷା ଅପହଞ୍ଚ ଗ୍ରାମକୁ ସଡ଼କ ନିର୍ମାଣ, ଏବଂ ଜିବୀକା ନିର୍ବାହ ପ୍ରକଳ୍ପ ଆଦି ବେଶ ଜନପ୍ରିୟ ହୋଇଛି । ସଦ୍ୟତନ କ୍ଷେତ୍ରସ୍ତରୀୟ ତଥ୍ୟ ସଂକଳନ ନିମନ୍ତେ ୭ଟି ଓମ୍ବାଡ୍ସି ଜିଲ୍ଲା ଏବଂ ୧୬ ଟି ବିଭାଗଙ୍କୁ ଗୋଟିଏ ସୂଚନା-ସଂଚାର ସଫ୍ଟ୍ଓୟାର ରେ ସଂଯୁକ୍ତ କରାଯାଇଛି ।

ଓମ୍ବାଡ୍ସି ପ୍ରକଳ୍ପ ଗୁଡ଼ିକର ଲୋକପ୍ରିୟତାକୁ ଲକ୍ଷ୍ୟକରି ବିଭିନ୍ନ ବିଭାଗ ଏବଂ ଜିଲ୍ଲାମାନଙ୍କ ମଧ୍ୟରେ ଗୁଣାତ୍ମକ କାର୍ଯ୍ୟାନ୍ୱୟନ ଭାବ ବଢ଼ାଇବା ପାଇଁ ଏକ ପୁରସ୍କାର ପ୍ରଦାନ ବ୍ୟବସ୍ଥା କରାଯାଇଛି ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଥିଲେ । ଚଳିତ ବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ସୁନ୍ଦରଗଡ଼ ଜିଲ୍ଲା ଯଥାକ୍ରମେ ଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ବିଭାଗ ଓ ଜିଲ୍ଲାଭାବେ ସଫଳତା ହାସଲ କରିଛନ୍ତି ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଓମ୍ବାଡ୍ସି ପ୍ରକଳ୍ପ ଖଣିଜ ଅଂଚଳ ଲୋକଙ୍କ ମନରେ ନୂଆ ଆକାଂକ୍ଷା ଓ ବିଶ୍ୱାସ ସୃଷ୍ଟି କରିଛି । ନିରୀକ୍ଷଣ କର୍ତ୍ତୁପକ୍ଷଙ୍କ ଦିଗ୍ଦର୍ଶନରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସରଳ ଏବଂ ତ୍ୱରାନ୍ୱିତ ହୋଇଛି । ଓମ୍ବାଡ୍ସି ପ୍ରକଳ୍ପଗୁଡ଼ିକର ବାସ୍ତବ ଫଳାଫଳ ବିଷୟରେ ସ୍ୱାଧୀନ ତୃତୀୟପକ୍ଷ ସଂସ୍ଥାଙ୍କ ଦ୍ୱାରା ଶିଘ୍ର ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ଜେନା ଜଣାଇଥିଲେ ।

ପ୍ରକଳ୍ପ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ନନ୍ଦୁରୀ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଓମ୍ବାଡ୍ସି ପାଣ୍ଠି ୧୯,୫୩୭ କୋଟି ଟଙ୍କାରେ ପହଞ୍ଚିଛି । ସେଥିମଧ୍ୟରୁ ୧୪,୯୯୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଖଣିଜ ଅଂଚଳ ଜିଲ୍ଲାମାନଙ୍କ ନିମନ୍ତେ ମଂଜୁର କରାଯାଇଛି । ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରେ ମୁଖ୍ୟତଃ ପାନୀୟଜଳ ଯୋଗାଣ ପାଇଁ ପ୍ରାୟ ୭୨୨ କୋଟି ଟଙ୍କା, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ୨୮୯୬ କୋଟି ଟଙ୍କା, ଅଙ୍ଗନାବାଡ଼ି ସ୍ତରରେ ସ୍ୱାସ୍ଥ୍ୟ ସେବା ଓ ପୁଷ୍ଟିଯୋଗାଣର ଗୁଣାତ୍ମକ ବିକାଶ ନିମନ୍ତେ ୨୯୪୪ କୋଟି, ଜିବୀକା ନିର୍ବାହ ପନ୍ଥାର ବୃଦ୍ଧି ନିମନ୍ତେ ୪୬୦ କୋଟି, ଅପହଞ୍ଚ ଗ୍ରାମମାନଙ୍କୁ ରାସ୍ତା ନିର୍ମାଣ ନିମନ୍ତେ ୭୪୩ କୋଟି, ପ୍ରଦ୍ୟୁଷଣ ନିୟନ୍ତ୍ରଣ ନିମନ୍ତେ ୨୫ କୋଟି, ଏବଂ ଜଳ ସଂରକ୍ଷଣ ଓ ଭୁତଳଜଳ ପୁନଃପୁରଣ ନିମନ୍ତେ ୭୦୧ କୋଟି ଟଙ୍କାର ପ୍ରକଳ୍ପ ରହିଛି ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ବର୍ତ୍ତମାନ ସୁଦ୍ଧା ୯୫% ପାନୀୟ ଜଳ ପ୍ରକଳ୍ପ, ୭୩% ବିଦ୍ୟାଳୟ ସୌରଶକ୍ତି ପ୍ରକଳ୍ପ,୬୬% ଆବାସିକ ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପ୍ରକଳ୍ପ, ୫୦% ସ୍ୱାସ୍ଥ୍ୟସେବା ବିକାଶ ପ୍ରକଳ୍ପ ଏବଂ ୫୧% ଗ୍ରାମୀଣ ରାସ୍ତା ନିର୍ମାଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । କୌଶଳ ବିକାଶ ତାଲିମ୍ ନେଉଥିବା ଯୁବବର୍ଗଙ୍କ ନିମନ୍ତେ ୪ଟି ଛାତ୍ରାବାସ ନର୍ମାଣ କରାଯାଇ ୧୨୩୫ ଯୁବକ ଯୁବତୀଙ୍କୁ ତାଲିମ୍ ଦିଆଯାଇଛି ।

ଜିବୀକା ନିର୍ବାହ ପନ୍ଥା ବୃଦ୍ଧି କ୍ଷେତ୍ରରେ ୨୩୫.୩୨ ହେକ୍ଟର ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛଚାଷ କରାଯାଉଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏଥିରେ ନିୟୋଜିତ ଅଛନ୍ତି। ସେହିପରି ୫୬୫ ଟି ବ୍ରଏଲର କୁକୁଡ଼ା ଫାର୍ମ, ୩୯୮ ଟି ଛେଳି ଫାର୍ମ ପ୍ରତିଷ୍ଠା କରାଯାଇଛି । ୯୯୯ଟି ବନ ସଂରକ୍ଷଣ ସମିତି ଦ୍ୱାରା ଜଙ୍ଗଲିକରଣ ମାଧ୍ୟମରେ ଜିବୀକା ନିର୍ବାହ କାର୍ଯ୍ୟ ଆରମ୍ଭ କରାଯାଇଛି । ମାଛଚାଷ ପାଇଁ ୩୩.୨୦ ହେକ୍ଟରରେ ନୂଆ ପୋଖରୀ ଖନନ କରାଯାଇଛି । ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଅଭିନବ ଜିବୀକା ନିର୍ବାହ ପ୍ରକଳ୍ପ ମଧ୍ୟ ହାତକୁ ନିଆଯାଇଛି ।

ବୈଠକରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗଙ୍କୁ ଯଥାକ୍ରମେ ଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ଜିଲ୍ଲା ଓ ବିଭାଗଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଓମ୍ବାଡ୍ସି ର ଯାତ୍ରା ଶୀର୍ଷକ ପୁସ୍ତକ, ବାର୍ଷିକ ବିବରଣୀ ପୁସ୍ତକ ଏବଂ ମାସିକ ସୂଚନା ପୁସ୍ତିକା ଆଦିକୁ ଜଷ୍ଟିସ୍ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ଜେନା ପ୍ରମୁଖ ଉନ୍ମୋଚନ କରିଥିଲେ ।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ମାନେ ବୈଠକର ଆଲୋଚନାରେ ଭାଗ ନେଇଥିଲେ । ଓମ୍ବାଡ୍ସି ଅନ୍ତର୍ଭୁକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାପାଇଁ ଆବଶ୍ୟକ ପ୍ରକଳ୍ପ ବିଷୟରେ ସୂଚନା ଦେଇଥିଲେ ।