Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଲେଜ ପରିସରରେ ଛୁରାମାଡ, ୩ ସଙ୍କଟାପନ୍ନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହା କି ମେଘନା ପାହାଣ ନାମକ ଜଣେ ଛାତ୍ରର ଛୁରା ମାଡ଼ରେ ୩ ଜଣ ଅଣଛାତ୍ର ଆହତ ହୋଇ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜଣେ ଆହତ ଯୁବକର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୁଚନା ଅନୁଯାୟୀପୁର୍ବ ଶତୃତାକୁ ନେଇ ଆହତ ୩ ଜଣ ମେଘନାକୁ ଆକ୍ରମଣ କରିବା ପାଇଁ ଖେଳପଡିଆରେ ଛକି ଥିବା ବେଳେ ପରୀକ୍ଷା ଦେବା ପାଇଁ ଆସୁଥିବା ମେଘନା ପୁର୍ବ ପ୍ରସ୍ତୁତି ଅନୁଯାୟୀ ପକେଟରେ ରଖିଥିବା ଛୁରୀ ବାହାର କରି ଅଣଛାତ୍ର ୩ ଜଣକୁ ଆକ୍ରମଣ କରିଥିଲା ଓ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରି ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ବିଷୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଶହେ ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ଵର: ଗଞ୍ଜାମ ଜଳ୍ଲାର ଖଲ୍ଲିକୋଟ ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଶହେ ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଵାସ୍ଥ୍ୟ କେନ୍ଦ୍ରର ସଭା ଗୃହରେ ଅନୁଷ୍ଠିତ ହୋଇଛି। ଖଲ୍ଲିକୋଟ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ ଗନ୍ତାୟତଙ୍କ ପୌରହିତ୍ୟରେ ଏକ ବୈଠକ ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ପ୍ରଥମ ଦିବସରୁ ହିଁ ଖଲ୍ଲିକୋଟ ବ୍ଲକକୁ କିପରି ଯକ୍ଷ୍ମା ମୁକ୍ତ କରିବା ପାଇଁ ସଂକଳ୍ପ ନେବାସହ ଯକ୍ଷ୍ମା ରୋଗର ପ୍ରକାର, ରୋଗୀର ଲକ୍ଷଣ, ରୋଗୀକୁ ଚିହ୍ନଟ ଓ ଚିକିତ୍ସା ସହିତ ରୋଗୀକୁ ମାଗଣା ଔଷଧ ସେବନରେ ସହଯୋଗ ସହିତ ମାସିକ ଏକ ହଜାର ଟଙ୍କା ଲେଖାଏଁ ଚିକିତ୍ସା ସହାୟତା ରାଶି ସରକାରଙ୍କ ଦ୍ଵାର ପ୍ରଦାନ କରାଯାଇ ଥିବା ସ୍ଵାସ୍ଥ୍ୟ କର୍ମୀଙ୍କୁ ପ୍ରକାଶ କରିଥିଲେ।

ଖଲ୍ଲିକୋଟ ବ୍ଲକ୍ ରେ ଲଙ୍ଗଳେଶ୍ବର ଓ ବଧି ନୂଆପଲ୍ଲି ପଞ୍ଚାୟତ ସମ୍ପୂର୍ଣ ଯକ୍ଷ୍ମା ମୁକ୍ତ ରହିଥିବା ବେଳେ ସମୁଦାୟ ୩୩୮ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୮୩ ଜଣ ରୋଗୀ ଔଷଧ ସେବନ କରୁଥିବା ସୂଚନା ଦେଇଛନ୍ତି।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ରାଣୀ ଭି ସୁଜ୍ଞାନ ଦେଓଙ୍କର ଆଜି ହେବ ସତ୍କାର, ଶେଷ ଦର୍ଶନ କରୁଛନ୍ତି ବହୁ ନେତା ଓ ପ୍ରଶଂସକ

ବ୍ରହ୍ମପୁର: ଆଜି ରାଣୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ହେବ ଶେଷ କୃତ୍ୟ। ବର୍ତ୍ତମାନ ଖଲ୍ଲିକୋଟ ନିର୍ମଳଝରସ୍ଥିତ ରାଣୀ ମାଙ୍କ ବାସଭବନରେ ଶେଷ ଦର୍ଶନ ଚାଲିଛି। ଏଥିରେ ଗଂଜାମ ଜିଲ୍ଲାର ନେତା, ବିଧାୟକ ଓ ସାଂସଦ ଶେଷ ଦର୍ଶନ କରୁଛନ୍ତି। ଗତକାଲି ରାତିରେ ତାଙ୍କର ମର ଶରୀର ଚେନ୍ନାଇରୁ ଆସିବା ପରେ ଭୁବନେଶ୍ବରରେ ଶେଷ ଦର୍ଶନ କରାଯାଇଥିଲା।

ଆଜି ଅପରାହ୍ନରେ ତାଙ୍କର ଶେଷ ଶୋଭାଯାତ୍ରା କରାଯାଇ ଖଲ୍ଲିକୋଟ ଡାକ୍ତରଖାନା ପଛପଟେ ଥିବା ରାଜପରିବାର ସ୍ବତନ୍ତ୍ର ଶ୍ମଶାନ ସମାଧୀ ମଠରେ ସତ୍କାର କରାଯିବ। ତାଙ୍କର ପୋଶ୍ୟ ପୁତ୍ର ଡାକ୍ତର ସାକେତ ରାମା ରାଓ ମୁଖାଗ୍ନି ଦେବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଖଲ୍ଲିକୋଟ: କମେଣ୍ଟ୍ ମରାକୁ କେନ୍ଦ୍ରକରି ଛାତ୍ର ଓ ଅଣଛାତ୍ର ମୁହାଁମୁହିଁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସାମ୍ନାରେ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ ହେଉଥିବା ସୂଚନା ମିଳିଛି। ଖବର ପାଇ ଟାଉନ ଥାନା ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ କରୁଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ ସିଆରପିସି ଧାରା ୪୧ ଅନୁଯାୟୀ ପୋଲିସ ଜାମିନରେ ଛାଡିଛି।

ଖବରରୁ ପ୍ରକାଶ ଯେ କମେଣ୍ଟ୍ ମରାକୁ କେନ୍ଦ୍ରକରି ୩ ଜଣ ଯୁବକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଗଣ୍ଡଗୋଳ ଘଟି ରାସ୍ତା ଅବରୋଧ ହୋଇଥିଲା। ଏହିଭଳି ପରିସ୍ଥିତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଧାକୃଷ୍ଣ ହୋଷ୍ଟେଲ୍ ରେ ରହୁଥିବା ଜଣେ ଯୁବକ ଲାଞ୍ଜିପଲି ଅଞ୍ଚଳର ଜଣେ ଯୁବକ ଓ ଗଜପତି ଜିଲ୍ଲାର ଜଣେ ଯୁବକକୁ ଉଠେଇ ଆଣି ଘଟଣାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ବାଣପୁର ଓ ଖଲ୍ଲିକୋଟ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଚାଲିଚାଲି ଶ୍ରୀକ୍ଷେତ୍ର ଯାତ୍ରା, ସଂସାରର ମଙ୍ଗଳକାମନା ଲକ୍ଷ୍ୟ

ସୀତାରାମ ଅଗ୍ରୱାଲ

ବାଣପୁର: ମହାପ୍ରଭୁ ଜଗନ୍ନାଥ ଖାଲି ଓଡ଼ିଶାର ଠାକୁର ନୁହନ୍ତି। ସେ ସାରା ପୃଥିବୀର ଠାକୁର। ତାଙ୍କର ଅପାର କରୁଣା ଲାଭ କରି ଭକ୍ତ ସମୁଦ୍ର ବି ଲଙ୍ଘିପାରେ। ଜଗନ୍ନାଥଙ୍କ ଭକ୍ତ ସଂସାରର ମଙ୍ଗଳ ପାଇଁ ସବୁକିଛି କରିପାରେ ତାହା ପ୍ରମାଣ କରି ଦେଖାଇଛନ୍ତି ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ବୟସ୍କ ମହିଳା ଓ ପୁରୁଷ।

ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ଓ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ଏକ ୫୦ ଜଣିଆ ଭକ୍ତ ରବିବାର ଅପରାହ୍ନରୁ ଶ୍ରୀକ୍ଷେତ୍ର ଧାମ ପୁରୀ ଅଭିମୁଖେ ଚାଲି ଚାଲି ବାହାରିଛନ୍ତି। ଭକ୍ତ ମାନଙ୍କ ମଧ୍ୟରେ ବହୁ ବୟସ୍କ ମହିଳା ଓ ପୁରୁଷ ସାମିଲ ହୋଇଥିବାର ଦେଖାଯାଇଥିଲା। ଏବଂ ସମସ୍ତ ଭକ୍ତ ଖାଲିପାଦରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବାହାରିଛନ୍ତି।

ଦୀର୍ଘ ୧୪୦କିଲୋମିଟର ରାସ୍ତା ଚାଲିଚାଲି ଯାଇ ଠାକୁରଙ୍କୁ ଦର୍ଶନ କରିବାର ଅଭିପ୍ରାୟ ପଚାରିବାରେ ଭକ୍ତମାନେ ନିଜର ଦୁଃଖ ଦୂର ହେବା ସହ ସଂସାରର ଦୁଃଖ ଦୂର କରିବା ପାଇଁ ଠାକୁରଙ୍କୁ ଗୁହାରୀ କରିବା ଉଦ୍ଧେଶ୍ୟରେ ଆମର ଏ ଯାତ୍ରା ବୋଲି କହିଥିଲେ। ତେଣୁ ରାଜ୍ୟ ଓ ଦେଶର ହିତ ପାଇଁ ଗତ ୫ବର୍ଷ ଧରି ଆମ ପ୍ରଭୁଙ୍କ ପାଖକୁ ମାନସିକ କରି ଖାଲିପାଦରେ ଚାଲି ଚାଲି ଯାଉ ବୋଲି ସମସ୍ତ ଭକ୍ତମାନେ ମତ ପ୍ରକାଶ କରିଥିଲେ।

ଆଜିଠାରୁ ପ୍ରାୟ ତିନିଦିନ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ପ୍ରଭୁଙ୍କ ନିକଟରେ ପହଂଚିବାର ଲକ୍ଷ୍ୟ ରଖି ବାହାରିବା ପରେ ରାତ୍ରିଯାପନ ନିମନ୍ତେ କୌଣସି ମନ୍ଦିର ପ୍ରାଙ୍ଗଣରେ ବିଶ୍ରାମ ନେବାର ଲକ୍ଷ୍ୟ ରଖିଛନ୍ତି ଭକ୍ତମାନେ। ରୋଷେଇ ନିମନ୍ତେ ସାଥିରେ ଆଣିଥିବା ସମଗ୍ରୀରୁ କେବଳ ରାତ୍ରି କାଳରେ ଗୋଟିଏ ବ୍ୟକ୍ତ ଭୋଜନ କରି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ବହାରିବୁ ବୋଲି ଭକ୍ତ ମାନେ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ। କିଛି ଭକ୍ତ ସରକାରୀ ସାହାଯ୍ୟ ପାଇଁ ମଧ୍ୟ ନିବେଦନ କରୁଥିବା ଦେଖାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମିକ୍ସଚର ମେସିନ ଚୋରି କରି ବନ୍ଧାହେଲେ ଫିଲ୍ମ ପ୍ରଯୋଜକ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଚୋରି ହୋଇଥିବା ମିକ୍ସଚର ମେସିନ କୁ ତିନି ଦିନ ପରେ ଉଦ୍ଧାର କରିବା ସହ ଚୋରି କରିଥିବା ଜଣେ ଚଳଚିତ୍ର ପ୍ରଯୋଜକ ଓ ଚୋରି ମିକ୍ସଚର ମେସିନ କୁ କମ ମୂଲ୍ୟ ରେ କିଣିଥିବା ଜଣେ କବାଡି ବାଲା ଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଆଇଆଇସି ଜଗନ୍ନାଥ ମଲ୍ଲିକ ସମସ୍ତ ସୂଚନା ଦେଇଛନ୍ତି। ଖଲ୍ଲିକୋଟ କରଣ ସାହିରେ ଚାଲିଥିବା ରାସ୍ତା କାମ ରେ ବ୍ୟବହୃତ ହେଉଥିବା ଏକ ମିକ୍ସଚର ମେସିନ ବନ କାର୍ଯ୍ୟାଳୟ ସମ୍ମୁଖରେ ରହିଥିଲା। ଗତ ୬ ତାରିଖ ରାତିରେ କୌଣସି ଦୁର୍ବୁତ୍ତ ଏହାକୁ ଚୋରି କରି ନେଇଥିଲେ। ସିସିଟିଭି ଫୁଟେଜ ରେ ଏକ ମହେନ୍ଦ୍ରା ପିକଅପ ମିକ୍ସଚର ମେସିନ କୁ ଟାଣି ନେଉଥିବା ଦେଖାଯାଇଥିଲା। ତା ପର ଦିନ ଅର୍ଥାତ ୭ ତାରିଖରେ ମାଲିକ ପ୍ରମୋଦ ସାହୁ ତାଙ୍କର ମିକ୍ସଚର ମେସିନ ଚୋରି ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ଖଲିକୋଟ ଥାନାରେ କେସ ନମ୍ବର ୭୫୯/୨୦୨୨ ଅନୁଯାୟୀ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା ପୋଲିସ। ପ୍ରଥମେ ସିସିଟିଭି ଫୁଟେଜ ରେ ଥିବା ପୋଲସରା ଅଞ୍ଚଳର ପିକପ ଗାଡ଼ି ନମ୍ବର ଓଡ଼ି ୦୭ ଏଚ ୯୫୪୨ କୁ ଧରି ତା ଠାରୁ ସମସ୍ତ ସୂଚନା ପାଇଥିଲା ପୋଲିସ।

ଆଇଆଇସିଙ୍କ କହିବା ଅନୁଯାୟୀ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ମେହେନ୍ଦି ନଗର ଗ୍ରାମର ସୂତାଂଶୁ ମହାନ୍ତି (୨୬) ଜଣେ ଚଳଚିତ୍ର ପ୍ରଯୋଜକ। ତାଙ୍କର ଗୋଟିଏ ଫିଲ୍ମ ରିଲିଜ ହୋଇଥିବା ବେଳେ ଆଉ ଗୋଟିଏ ଫିଲ୍ମ ଜେଜେ ନମ୍ବର ୧ ରିଲିଜ ଅପେକ୍ଷା ରେ ରହିଛି। ଫିଲ୍ମରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ସେ ଚୋରି ପନ୍ଥାକୁ ବାଛିଥିଲେ।ସେ ଭୁବନେଶ୍ୱରରୁ ଆସିକା ଟିକେଟ କାଟି ବସ ରେ ବସିଥିଲେ। ଖଲ୍ଲିକୋଟରେ ରାସ୍ତା କଡରେ ଥିବା ମିକ୍ସଚର ମେସିନକୁ ଦେଖିବା ପରେ ଏହାକୁ ଚୋରେଇ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସେ ବୁଢାମ୍ବର ଜଣେ ବ୍ୟକ୍ତିଙ୍କ ଜରିଆରେ ନିଜର ମିକ୍ସଚର ମେସିନକୁ ଭୁବନେଶ୍ୱର ନେବା ପାଇଁ ପୋଲସରାର ପିକଅପ ଗାଡ଼ିକୁ ଯୋଗାଯୋଗ କରିଥିଲେ। ସୂତାଂଶୁଙ୍କ କଥାରେ ବିଶ୍ୱାସ କରି ପିକଅପ ଗାଡ଼ି ଖଲ୍ଲିକୋଟରୁ ମିକ୍ସଚର ମେସିନକୁ ଟାଣି ଭୁବନେଶ୍ୱର ମଞ୍ଚେଶ୍ୱର ନିକଟରେ ଥିବା ରାଜଧାନୀ କଣ୍ଟା ପାଖରେ ଛାଡି ଥିଲେ। ଏଥିପାଇଁ ଆବଶ୍ୟକ ଭଡା ଦେୟ ଫୋନ ପେ ରେ ଦେଇଥିଲେ ସୂତାଂଶୁ।

ଏହାପରେ ଏକ ଅଶୋକ ଲେଲ୍ୟାଣ୍ଡ ଗାଡ଼ି ନମ୍ବର ଓଡ଼ି ୦୨ ସିଏ ୨୫୫୨ ଯୋଗେ ମଞ୍ଚେଶ୍ୱର ସ୍ଥିତ କେନାଲ ବନ୍ଧ ନିକଟରେ ଥିବା ଏକ କବାଡି ଖାନାରେ ମିକ୍ସଚର ମେସିନକୁ ବିକ୍ରି କରି ଦେଲେ। କବାଡି ଖାନାର ମାଲିକ ଉତ୍ତର ପ୍ରଦେଶ ମିର୍ଜାପୁର ଜିଲ୍ଲାର କୋଟୱାଲି ଥାନା ଅନ୍ତର୍ଗତ ସବରୀ ଗ୍ରାମର କିସାନ ଗୁପ୍ତା ଏହାକୁ କିଣି ଥିବାରୁ ତାଙ୍କୁ ଗିରଫ କରିଛି ପୋଲିସ। ଉଭୟ ସୂତାଂଶୁ ଓ କିସାନଙ୍କୁ ପୋଲିସ ଗିରଫ କରିବା ସହ ଚୋରି ମିକ୍ସଚର ମେସିନକୁ ଉଦ୍ଧାର କରି ମାଲିକ ପ୍ରମୋଦ ସାହୁଙ୍କୁ ହସ୍ତାନ୍ତର କରାଯାଇଛି। ଏହାସହ ମହେନ୍ଦ୍ରା ପିକଅପ ଗାଡ଼ି କୁ ମଧ୍ୟ ତାର ମାଲିକ ଙ୍କୁ ହସ୍ତାନ୍ତର କରିଛି ପୋଲିସ।

Categories
ଆଜିର ଖବର ରାଜ୍ୟ ଖବର

ମୂର୍ତ୍ତି ବିସର୍ଜ୍ଜନ ବେଳେ ଅଘଟଣ: ଚିଲିକାରେ ବୁଡି ଜଣେ ମୃତ, ତିନି ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ରାମ ମୂର୍ତ୍ତି ବିସର୍ଜ୍ଜନ କରିବା ପାଇଁ ଚିଲିକା ମଧ୍ୟକୁ ଯାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଚିଲିକା ନିକଟବର୍ତ୍ତୀ ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ଚାଲିଥିଲା। ଆଜି ଏହାର ପୂର୍ଣ୍ଣାହୁତି ଥିବା ବେଳେ ମୂର୍ତ୍ତି ବିସର୍ଜ୍ଜନ ଲାଗି ୪ ଜଣ ଯୁବକ ଡଙ୍ଗା ମାଧ୍ୟମରେ ଚିଲିକା ମଧ୍ୟକୁ ଯାଇଥିଲେ। ସେଠାରେ ବିସର୍ଜ୍ଜନ ବେଳେ ସେମାନେ ପାଣି ଭିତରକୁ ଗଳି ପଡିଥିଲେ। ହେଲେ ନିକଟରେ ଥିବା ଡଙ୍ଗା ବାଲା ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆଉ ଜଣେ ଯୁବକ ନିଖୋଜ ଥିଲେ।

ପରେ ଅଗ୍ନିଶମ ବାହିନୀ ଏବଂ ପଥରା ଗ୍ରାମର କିଛି ଯୁବକ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ନାମ ସନ୍ତୋଷ ତରେଇ ବୋଲି ଜଣାପଡିଛି। ସନ୍ତୋଷଙ୍କ ମୃତ୍ୟୁ ପରେ ଓଡିଆ ଆଲପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଏକା ବିଶ୍ଵବିଦ୍ୟାଳୟ ଭାବେ ମାନ୍ୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ରାଜ୍ୟର ଏକ ପୁରାତନ ଏବଂ ପ୍ରସିଦ୍ଧ ମହାବିଦ୍ୟାଳୟ ଭାବେ ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚିତ।

Categories
ଆଜିର ଖବର ଆଞ୍ଚଳିକ

ଖଲ୍ଲିକୋଟ ଅଞ୍ଚଳର ହୃଦରୋଗୀ ଅଭାଗିନୀଙ୍କୁ ସହାୟ ହେଲେ ବାଣପୁରର ଦୁଇ ଯୁବକ

ସୀତାରାମ ଅଗ୍ରୱାଲ

ବାଣପୁର: ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃର୍ଷ୍ଣଶରଣପୁର ଗ୍ରାମର ହୃଦ ରୋଗରେ ଆକ୍ରାନ୍ତ ଅଭାଗିନୀ ପରିଡ଼ାଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦୁଇଜଣ ଯୁବକ ସହାୟତାର ହାତ ବଢାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗୁରୁତର ହୃଦରୋଗି ଅଭାଗିନୀଙ୍କ ଦୁର୍ଦ୍ଦଶା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏଥିରେ ବିଚଳିତ ହୋଇ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶିବ ଶଙ୍କର ସେନାପତି ଓ ସନ୍ତୋଷ ପ୍ରଧାନ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଶିବଶଙ୍କର ଓ ସନ୍ତୋଷ ଗତ ଗୁରବାର ଦିନ ଅଭାଗିନୀଙ୍କ ଘରେ ପହଂଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏଥିସହ ସେମାନଙ୍କ ଦ୍ବାରା ଯାହା ସମ୍ଭବ ହୋଇପାରିବ ଅଭାଗିନୀଙ୍କ ଚିକିତ୍ସା ପାଇଁ ସାହାର୍ଯ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତାଙ୍କର ଏହି କାର୍ଯ୍ୟ ଦ୍ବାରା ପ୍ରେରିତ ହୋଇ ବାଣପୁର ଓ ବାଲୁଗାଁ ଅଞ୍ଚଳର ବହୁ ଉତ୍ସାହି ଯୁବକ ଓ ବ୍ୟବସାୟୀ ସହାୟତାର ହାତ ବଢ଼ାଇବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ଶିବଶଙ୍କର ବାଣପୁର ବଜାରରେ ଗୋଟିଏ ଆପେକ୍ସ ୱାଲ ନାମକ ଏକ ମୋବାଇଲ୍ ଦୋକାନ ଦେଇଥିବାବେଳେ ସନ୍ତୋଷ ଜଣେ ମେଧାବୀ ଛାତ୍ର ଏବଂ ଏବିଭିପିର ଜଣେ କାର୍ଯ୍ୟକର୍ତ୍ତା।

ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀକୃର୍ଷ୍ଣଶରଣପୁର ଗ୍ରାମର ଅଭାଗିନୀ ପରିଡ଼ା ଗତ ୬ବର୍ଷ ପୂର୍ବରୁ ହୃଦ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ ମଧ୍ୟ ଅର୍ଥାଭାବରୁ ନିଜର ଚିକିତ୍ସା କରାଇ ନପାରି ଘରେ ପଡ଼ିରହିଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଅଭାଗିନୀ ଘରର କିଛି କାମ କରିଦେଲେ ଧଇଁସଇଁ ହୋଇପଡିବା ସହ ବେଳେ ବେଳେ ରକ୍ତ ବାନ୍ତି କରୁଥିବା କୁହାଯାଉଛି।

ବାପା ରମେଶ ପରିଡ଼ା ଜଣେ ଭିନ୍ନକ୍ଷମ ହୋଇଥିବାରୁ ପରିବାର ଚଳାଇବରେ ସେ ଅସମର୍ଥ। ପିଲାଟି ଦିନରୁ ମାଆଙ୍କୁ ହରାଇଥିବା ବେଳେ ଆଉ ତିନି ଭଉଣୀଙ୍କ ବୋଝ ଅଭାଗିନୀଙ୍କ କାନ୍ଧ ଉପରେ। ମୁଣ୍ତ ଗୁଞ୍ଜିବାକୁ ନିଜର ବୋଲି ଘର ଖଣ୍ତିଏ ମଧ୍ୟ ନାହିଁ। ଗ୍ରାମର ଜଣେ ବ୍ୟକ୍ତି ରାମ ପାହାନ ଦୟାକରି ସେମାନଙ୍କୁ ରହିବା ପାଇଁ ଏକ ଘର ଦେଇଛନ୍ତି। ଏ ପରିସ୍ଥିତିରେ ସଂପୁର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି ଅଭାଗିନୀ।

ତାଙ୍କର ଚିକିତ୍ସା ପାଇଁ ସରକାର କିମ୍ବା କୌଣସି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର ସାହାଯ୍ୟ ଯୋଗାଇ ଦେବାପାଇଁ ସେ ଆକୁଳ ନିବେଦନ କରିଛନ୍ତି। ସେପଟେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ବାଣପୁରର ଦୁଇ ଯୁବକ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କପାଖରେ କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀ ନପହଁଞ୍ଚିବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ପାଲଟିଛି।

ଯଦି କୌଣସି ସହୃଦୟ ବ୍ୟକ୍ତି ଅଭାଗିନୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ସେ ୯୯୩୭୯୪୭୪୯୮ ନମ୍ବରକୁ ଯୋଗାଯୋଗ କରି ସହଯୋଗ କରିପାରିବେ।