Categories
ବିଶେଷ ଖବର ରାଜ୍ୟ ଖବର

କୁକୁଡାଖଣ୍ଡି ତହସିଲଦାରଙ୍କ ବଦଳି ନେଇ ଗଂଜାମର ଦୁଇ ପାୱାରଫୁଲ ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଚା

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ଗଂଜାମ ଜିଲ୍ଲାର କୁକୁଡ଼ାଖଣ୍ଡିରେ ବର୍ତ୍ତମାନ ଶାସକ ଦଳର ଦୁଇ ଗୋଷ୍ଠୀ କନ୍ଦଳ ବାଟରେ ପଡ଼ି ହାଟରେ ଗଡ଼ୁଛି। ଗୋଟିଏ ଗୋଷ୍ଠୀ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସପକ୍ଷରେ ଏବଂ ଅନ୍ୟଗୋଷ୍ଠୀ ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଗୋଷ୍ଠୀର। ଏହା ମଧ୍ୟରେ ପେଶି ହେଉଛନ୍ତି ତହସିଲ୍‌ଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର। ତହସିଲଦାରଙ୍କୁ ବଦଳି କରିବା ପାଇଁ ବର୍ତ୍ତମାନ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଛି ଛକାପଞ୍ଚା।

ମୁଖ୍ୟତଃ କୁକୁଡ଼ାଖଣ୍ଡି ବ୍ଲକ୍ ଦୁଇଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। କିଛି ଅଂଚଳ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଏବଂ କିଛି ଅଂଚଳ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ। ଠିକ୍ ସେହିପରି ଏଠାରେ ମଧ୍ୟ ଖୋଦ୍ ଶାସକ ଦଳର ଦୁଇଗୋଷ୍ଠୀ। ଡ. ପ୍ରଦୀପ ପାଣିଗ୍ରାହୀ ଏବଂ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗୋଷ୍ଠୀଙ୍କର ଆଧିପତ୍ୟ ରହିଛି। ଫଳରେ ଏହି ଦୁଇ ଗୋଷ୍ଠୀ ତହସିଲଦାରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଠା କରୁଛନ୍ତି। ଏପରିକି କଥା ହାତାହାତି ପର୍ଯ୍ୟନ୍ତ ଯାଉଛି।

କିଛି ଶାସକ ଦଳୀୟ ନେତା ତହସିଲ୍‌ଦାରଙ୍କ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କୁ ଉକ୍ତ ଅଂଚଳରୁ ବଦଳି କରିବା ପାଇଁ ଆପ୍ରାଣ ଚେଷ୍ଟା କରି ବିଫଳ ମଧ୍ୟ ହୋଇଛନ୍ତି। ଫଳରେ ସେମାନେ ବର୍ତ୍ତମାନ ରାଗରେ ମୁଖ୍ୟମନ୍ତ୍ରୀ  ଏବଂ ଉକ୍ତ ଅଂଚଳର ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ରାଜସ୍ୱ ସଚିବ, ଗଂଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ ବ୍ରହ୍ମପୁରଙ୍କ ନିକଟରେ ତହସିଲ୍‌ଦାରଙ୍କ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଦାବୀ ପତ୍ର ଦେଇଛନ୍ତି।

ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଯଦି ତହସିଲ୍‌ଦାରଙ୍କ ବଦଳି କରାନଯାଏ ତେବେ 25 ତାରିଖରେ କୁକୁଡ଼ାଖଣ୍ଡି ବ୍ଲକ୍‌ର ସମସ୍ତ ଜନପ୍ରତିନିଧି ଆନ୍ଦୋଳନ କରିବା ସଂଗେ ସଂଗେ ବିଜେଡ଼ି ଦଳରୁ ସାମୁହିକ ଇସ୍ତଫା ଦେବେ ବୋଲି ମଧ୍ୟ ଧମକ ଦେଖାଇଥିଲେ। ହେଲେ ତାଙ୍କର ବଦଳି ନ ହେବାରୁ କୁକୁଡାଖଣ୍ଡି ବ୍ଲକ୍ ଚେୟାରମ୍ୟାନ କାମାକ୍ଷା ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ କିଛି ସରପଞ୍ଚ, ସମିତିସଭ୍ୟ ବର୍ତ୍ତମାନ ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।

ତାଙ୍କର ଅଭିଯୋଗ ହେଲା ସୂର୍ଯ୍ୟ ନାରାୟଣ ପାତ୍ର ତହସିଲ୍‌ଦାର ଇପ୍‌ସିତା ପ୍ରିୟଦର୍ଶିନୀଙ୍କୁ ସମର୍ଥନ କରୁଛନ୍ତି। ଯାହା ଫଳରେ ଇପ୍‌ସିତା ପ୍ରିୟଦର୍ଶିନୀଙ୍କ ବିରୋଧରେ ଏମାନେ କରିଥିବା ବଦଳି ଦାବି ଭଣ୍ଡୁର ହୋଇଯାଇଛି। ଆଜି ଏହି ଗୋଷ୍ଠୀ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଯାହାକୁ ନେଇ ଆଜି କୁକୁଡ଼ାଖଣ୍ଡି ଅଞ୍ଚଳରେ ବେଶ ଚର୍ଚ୍ଚା ଚାଲିଛି।