ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ଆଜି ପୂର୍ବାହ୍ନ ରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ର ହେଡ୍ କ୍ୱାଟରରେ ଏକ ଆଭାସୀ କୋର୍ଟ କୁ ଦକ୍ଷିଣାଞ୍ଚଳ ଡ଼ିଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍ତି। ତାଙ୍କ ସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକମ ଉପସ୍ଥିତ ରହିଥିଲେ। ଏହା ଦ୍ଵାରା ପୋଲିସ୍ ଅଧିକାରୀ ମାନେ ଓଡ଼ିଶାର ବିଭିନ୍ନ କୋର୍ଟ ରେ ସାକ୍ଷ୍ୟ ପ୍ରଦାନ କରିବାରେ ଉପକୃତ ହୋଇପାରିବେ ଏବଂ ବହୁ ମୂଲ୍ୟବାନ ସମୟକୁ ବଞ୍ଚାଇପରିବେ।
Tag: ଗଞ୍ଜାମ ଜିଲ୍ଲା
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୧୬ନଂ ଜାତୀୟ ରାଜପଥ ସୂର୍ଯ୍ୟନାରାୟଣପୁର ଛକ ଠାରେ ଏକ ଟ୍ରକରେ ବୋଝେଇ ଥିବା ଭାରତ ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡରରେ କୌଣସି କାରଣରୁ ନିଆ ଲାଗି ଯାଇଥିଲା। ଖବର ପାଇ ଦୁଇଟି ଦମକଳ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।
ଜାତୀୟ ରାଜପଥରେ ଅଟକ ରହିଛି ଗାଡି। ଗାଡିଟି ଖୋର୍ଦ୍ଧାରୁ ୪ଶହରୁ ଉର୍ଦ୍ଧ୍ଵ ଗ୍ୟାସ ସିଲିଣ୍ଡର ଧରି ବ୍ରହ୍ମପୁର ଆସୁଥିଵା ବେଳେ ଏହି ଘଟଣା ଘଟିଥିଲା। ଘଟଣାର ଖବର ପାଇ ଜିଲ୍ଲା ପ୍ରଶାସନ ଅଧିକାରୀ, ପୋଲିସ, ଦୁଇଟି ଦମକଳ ବାହିନୀ ଗାଡି ପହଂଚି ନିଆଁକୁ ଆୟତ କରିଥିଲେ। ବର୍ତ୍ତମାନ ସ୍ଥିତି ଠିକ ରହିଛି। ଏକ ବଡ଼ ଦୃଘଟଣାକୁ ଏଡେଇ ଦିଆଯାଇଛି।
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ଏବଂ ଗାଲେରୀ ବନାଞ୍ଚଳରେ ଗତ କିଛିଦିନ ହେଲା ୨୬ ଟିକିଆ ହାତୀ ପଲଙ୍କ ଦୌରତ୍ମ୍ୟ ବଢ଼ି ଚାଲିଛି। ରାତିରେ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ରାଣୀକିଆରୀ ଗାଁ ନିକଟ ବିଜୟସାହିରେ ୬ଟି ଚାଳଛପର ଘରକୁ ୨୬ ଟିକିଆ ହାତୀପଲ ଭାଙ୍ଗି ଛାରଖାର କରି ଦେଇଛନ୍ତି। ଜୀବନ ବଞ୍ଚାଇବାକୁ ସମସ୍ତ ପରିବାର ପିଲାଛୁଆଙ୍କୁ ଧରି ଘରୁ ଦୌଡ଼ି ପଳାଇ ଗାଁ କୋଠଘରେ ଆଶ୍ରୟ ନେଇଥିଲେ। ଏହି ଗାଁର ଦିଲ୍ଲୀପ ମଳିକ, ପଞ୍ଚାନନ ମଳିକ, ଭାସି ମଳିକ, ସତ୍ୟ ମଳିକ, ଚଣ୍ଡାଳ ମଳିକ, ଟୁନା ମଳିକ ଏବଂ ପ୍ରଦିପ ମଳିକଙ୍କ ଘର ଭାଙ୍ଗିଥିବା ଜଣାପଡ଼ିଛି।
ଖବର ପାଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଡିଏଫଓଙ୍କ ସୂଚନା ପ୍ରକାରେ ଏହି ଆଦିବାସୀ ପରିବାରର ଘରଦ୍ବାର ଭାଙ୍ଗି ହାତୀ ଭାଙ୍ଗି ହାତୀ ପଲ ଘରେ ଥିବା ଧାନ ଚାଉଳ ବସ୍ତା ସବୁ ଟାଣି ନେଇ ତୁରନ୍ତ ନେଇ ସେସବୁକୁ ଫଟାଇ ଖାଇଛନ୍ତି। ଘରର ବାସ ବାସନକୁସନ ସହ ଅନ୍ୟାନ୍ୟ ଘର କରଣା ଜିନିଷ ମଧ୍ୟ ନଷ୍ଟ ହୋଇଛି। ବନ କର୍ମଚାରୀ ମାନେ ଏହି ପରିବାର ଲୋକଙ୍କୁ କିଛି ଖାଦ୍ୟ ସାମଗ୍ର ସହାୟତା କରିଛନ୍ତି। କ୍ଷୟକ୍ଷତି ରିପୋଟ ଆସିବା ପରେ ତୁରନ୍ତ କ୍ଷତିପୂରଣ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ଅପରପକ୍ଷରେ ରବିବାର ସନ୍ଧ୍ୟା ସୁଦ୍ଧା ଏହି ହାତୀପଲ ବିଜୟ ସାହିରେ ପହଞ୍ଚିଥିବା ଜଣାପଡ଼ିଛି। ବନ କର୍ମଚାରୀ ମାନେ ସେଠାରେ ଉପସ୍ଥିତ ରହି ହାତୀପଲଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି।
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୫୩ଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ଘୋଷଣା ହୋଇଛି। ରାଜ୍ୟ ଏନଏଚଏମ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଜରିଆରେ ଜିଲାର ଏହି ୫୩ଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି।
ରାଜ୍ୟର ମୋଟ ୫୨୧ଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ଘୋଷଣା କରାଯାଇଥିବା ବେଳେ ଗଞ୍ଜାମ ଜିଲା ୩ୟ ସ୍ଥାନରେ ରହିଛି। ଜାତୀୟ ଯକ୍ଷ୍ମା ନିରାକାଣ କାର୍ଯ୍ୟକ୍ରମ ଜରିଆରେ ଦେଶ ଜିତିବ ଯକ୍ଷ୍ମା ହାରିବ ସ୍ଲୋଗାନ ଦେଇ ପଞ୍ଚାୟତସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରି ଯକ୍ଷ୍ମା ରୋଗ ଏବଂ ଏହାର କାରଣ ନିରାକରଣ ସମ୍ପର୍କରେ ସଚେତନ କରାଇବା ସହ ସେହି ଅଞ୍ଚଳକୁ ଯକ୍ଷ୍ମା ରୋଗୀ ମୁକ୍ତ କରିବାକୁ ଜିଲା ଯକ୍ଷ୍ମା ନିୟନ୍ତ୍ରଣ କକ୍ଷ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।
ଯକ୍ଷ୍ମା ମୁକ୍ତ ଘୋଷଣା ହୋଇଥିବା ଏହି ପଞ୍ଚାୟତଗୁଡ଼ିକୁ ଆଗାମୀ ଦିନରେ ଜିଲାପାଳ ପୁରସ୍କୃତ କରିବେ। ଯକ୍ଷ୍ମା ମୁକ୍ତ ହୋଇଥିବା ୫୩ଟି ପଞ୍ଚାୟତ ମଧ୍ୟରେ ରାଳବ, ଲଙ୍ଗଳେଶ୍ବର, ଗୋକର୍ଣ୍ଣପୁର, ତୁରୁମୁ, ଲାଲସିଂ, ବରଗାଁ, ଚଢିଆପଲ୍ଲୀ, ଭାବିନିପୁର, ଆମ୍ବଗାଁ ପଞ୍ଚାୟତ ରହିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ଵର: ଆଜି ଭୁବନେଶ୍ବରରେ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଓଡିଶା ଆସିଛନ୍ତି।
ତେବେ ଆଜି ଅନୁଷ୍ଠିତ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀରେ ଦେଶର ଶ୍ରେଷ୍ଠ ୧୦ ଥାନାର ନାମ ଘୋଷଣା କରାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ‘ପାଟପୁର ଥାନା’ କୁ ବଡ ସଫଳତା ମିଳିଛି। ଦେଶର ଶ୍ରେଷ୍ଠ ୧୦ ଥାନା ମଧ୍ୟରେ ‘ପାଟପୁର ଥାନା’ ୨ୟ ସ୍ଥାନ ଅଧିକାର କରିଛି।
ଯାହାକୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସିବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଏକ୍ସ’ ରେ ଲେଖିଛନ୍ତି ଯେ, ”ଓଡ଼ିଶା ପାଇଁ ଗୌରବର ବିଷୟ। ଗଞ୍ଜାମର ‘ପାଟପୁର ଥାନା’ ସାରା ଦେଶର ଶ୍ରେଷ୍ଠ ୧୦ ଥାନାମାନଙ୍କ ମଧ୍ୟରେ ୨ୟ ସ୍ଥାନ ଅଧିକାର କରିଛି। ଉତ୍ତମ ପୋଲିସ ସେବା ପ୍ରଦାନ କ୍ଷେତ୍ରରେ ଏହି ଉଲ୍ଲେଖନୀୟ ସଫଳତା ପାଇଁ ସର୍ବଭାରତୀୟ ପୋଲିସ୍ ଡିଜି ସମ୍ମିଳନୀରେ ପାଟପୁର ଥାନାକୁ ପୁରସ୍କୃତ କରାଯାଇଛି।”
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ ଗୋରାପଲ୍ଲୀ ଟୋଲ୍ ଗେଟ୍ ଠାରେ ଖଲ୍ଲିକୋଟ ପୋଲିସ ବିଭିନ୍ନ ଗାଡ଼ି ଯାଞ୍ଚ୍ ବେଳେ ଏକ “ଡିଜାଇର୍” କାର୍ କୁ ସନ୍ଦେହରେ ଯାଞ୍ଚ କରିଥିଲେ। ତା ଭିତରୁ ବହୁ ପରିମାଣର ରୁପା ଇଟା ରହିଛି ଓ ଦୁଇ ଜଣ ବ୍ୟକ୍ତିଙ୍କୁ ବାହାରକୁ ଆଣି ଯେରା କରିବା ବେଳେ ସେମାନେ ବ୍ରହ୍ମପୁରରୁ ରୂପା ନେଇ କଲିକତା ରେ ବ୍ୟବସାୟ କରୁଥିବା କହିଥିଲେ। ଯାହାକି ବିନା ଜି ଏସ୍ ଟି ରେ ଏହି ବ୍ୟବସାୟ କରୁଥିବା କହିଥିଲେ।
ପୋଲିସ ଗାଡି ଭିତରୁ ନଗଦ ୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ସହ ୮୮ କେଜି ରୁପା ଜବତ କରି ଜି ଏସ୍ ଟି ବିଭାଗକୁ ଖବର ଦେଇଥିଲେ ଓ ଖବର ପାଇ ଜି ଏସ୍ ଟି ଅଧିକାରୀ ଖଲ୍ଲିକୋଟ ଥାନା ରେ ପହଞ୍ଚି ଏହି ଠକେଇ ସଂକ୍ରାନ୍ତରେ ଯାଞ୍ଚ୍ ଚଳାଇଛନ୍ତି।
ଛତ୍ରପୁର: ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ନୀତି ବିରୁଦ୍ଧରେ ଦେଶବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା କମିଟି ଏବଂ ବିଭିନ୍ନ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ଶହ ଶହ ଶ୍ରମିକ ଓ କୃଷକମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦ ରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଭାରତ ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ୪ଟି ଶ୍ରମ କୋଡ଼ର ପ୍ରତ୍ୟାହାର ଏବଂ ଅସଂଗଠିତ କ୍ଷେତ୍ରର ସବୁ ଶ୍ରମିକଙ୍କୁ ପେନସନ ସମେତ ସାମଗ୍ରୀକ ସାମାଜିକ ସୁରକ୍ଷା ପ୍ରଦାନ କରିବା, ଶିଳ୍ପାୟନ ଓ ଖଣି ଖନନ ଫଳ ରେ ଚାଷ ଜମି ଓ ଜଙ୍ଗଲ ର ହେଉଥିବା ଅବକ୍ଷୟ ତଥା ପରିବେଶ ପ୍ରଦୂଷଣକୁ ରୋକିବାକୁ ଦୃଢ ପଦକ୍ଷେପ ନିଆଯାଉ। ସବୁ ଚାଷ ଜମିକୁ ଜଳ ସେଚନ ର ସୁବିଧା ନିମନ୍ତେ ଜଳ ସେଚନ ମିଶନ ଗଠନ କରିବା ସମେତ ୨୦ଦଫା ଦାବୀ ସମ୍ପର୍କ ରେ ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି।
ପ୍ରାରମ୍ଭରେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ କୃଷକ ଓ ଶ୍ରମିକ ମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଆଇଏଫଟିୟୁର ସଭାପତି ପ୍ରତାପ ପ୍ରଧାନ, ଏଆଇକେଏମଏସର ସମ୍ପାଦକ ପ୍ରତାପ କୁମାର ନାୟକ, ସନ୍ତୋଷ ନାୟକ, ନାରାୟଣ ବିଷୋୟୀ, ରାଜେନ୍ଦ୍ର ନାଇକ, ରାମ ଚନ୍ଦ୍ର ନାୟକ, ଅର୍ଜୁନ ନାୟକଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ।
ଭୁବନେଶ୍ଵର: ବହୁ ବର୍ଷ ଧରି କାର୍ଯ୍ୟରତ କୃତ୍ତିମ ପ୍ରଜନନକାରୀମାନଙ୍କୁ ଗୋମିତ୍ର ଭଳି ସ୍ଥାୟୀ ନିଯୁକ୍ତି ନିମନ୍ତେ ଅଲ୍ ଓଡିଶା ଏଆଇ ୱାର୍କର ଆସୋସିଏସନ୍ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦାବି ହୋଇଛି। ଆସୋସିଏସନ୍ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ନିରଞ୍ଜନ ପ୍ରଧାନ ଓ ସଦସ୍ୟ ଗଗନ କୁମାର ବେହେରାଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ସାକ୍ଷତ କରି ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରିଛନ୍ତି। ସେମାନେ କହିବାନୁସାରେ, ଦୀର୍ଘ ୧୪ ବର୍ଷ ଧରି ପଶୁ ସମ୍ପଦ ବିଭାଗ ସହିତ ସଂପୃକ୍ତ ରହି ଗୋ ସମ୍ପଦ ବୃଦ୍ଧି ତଥା ଗୋପାଳଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ କୃତୀମ ପ୍ରଜନନକାରୀ ହିସାବରେ ବିନା ଦରମାରେ କାର୍ଯ୍ୟ କରି ଆସୁଛୁ।
ଏହାସହିତ ସରକାର ବିଭିନ୍ନ ଯୋଜନା ତଥା ଘାସଚାଷ, କୁକୁଡା ପାଳନ, ଛେଳି ପାଳନ, ଘୁଷୁରି ପାଳନ ଏବଂ ଗାଇ ମଇଁଷି ପାଳନ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ମଧ୍ୟ ଅହୋରହ ଚେଷ୍ଟା କରି ଆସିଛୁ। ଏଣୁ ଏସବୁ କାର୍ଯ୍ୟକ୍ରମକୁ ଧ୍ୟାନ ରଖି ଗୋ ମିତ୍ରଙ୍କ ଭଳି ଆମ୍ଭମାନଙ୍କୁ ସରକାରୀ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ନିବେଦନ କରିଛନ୍ତି।
ଛତ୍ରପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡ଼ି ପଞ୍ଚାୟତର ବୟାଳୀ ଗ୍ରାମ ପୋଖରୀରେ ମାଛ ଚାଷ କରିବା ନିମନ୍ତେ ହୋଇଥିବା ନିଲାମ ବାତିଲ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ମାନେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ପୋଖରୀ ଉପରେ ବୟାଳି ଗ୍ରାମ ସମେତ ଆଖ ପାଖ ଅଞ୍ଚଳର ଲୋକ ମାନେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି। ଏଥିରେ ମାଛ ଚାଷ କରାଗଲେ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ।
ଏହା ବ୍ୟତୀତ ବହୁ ତୀର୍ଥଯାତ୍ରୀ ମଧ୍ୟ ଏହି ପୋଖରୀ ଉପରେ ନିର୍ଭର କରୁଛନ୍ତି l ଏଣୁ ଏହି ପୋଖରୀରେ ମାଛ ଚାଷ ନିମନ୍ତେ ହୋଇଥିବା ନିଲାମ ବାତିଲ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ଏନେଇ ପୂର୍ବରୁ ସରପଞ୍ଚଙ୍କ ସମେତ ବହୁ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବାରୁ ସେମାନେ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ନରସିଂହ ମହାପାତ୍ର, ପବିତ୍ର କୁମାର ନାୟକ, ଦିଲ୍ଲୀକିଶୋର ନାୟକ, ସୁଷମା ନାୟକ, ଭୀମ ନାୟକ, ସନ୍ତୋଷ ନାୟକ, ମାନିନୀ ଦାସ, ନିରଞ୍ଜନ ବେହେରା, ଅନାଦି ନାୟକ, ଦିନେଶ ନାହାକ, ବଳରାମ ମହାନ୍ତି, ପ୍ରଫୁଲ୍ଲ ମହାପାତ୍ର, ଲକ୍ଷ୍ମଣ ନାୟକ, ସଂଜୟ ମହାରଣା, ଉମେଶ ଚନ୍ଦ୍ର ନାୟକ, ଦଣ୍ଡପାଣି ନାୟକଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅର୍ନ୍ତଗତ ଡିଆଁଡେଇଁ ଗ୍ରାମର ସୁନେଲୀ ନାୟକ ନାମ୍ନୀ ଜଣେ ମହିଳା ପ୍ରସବ ବେଦନା ଯୋଗୁଁ ଛତ୍ରପୁର ଉପକଣ୍ଠ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିସ୍ଥିତି ଗୁରୁତର ହେବାରୁ ଦାୟିତ୍ଵରେ ଥିବା ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।
ପୀଡିତା ମହିଳା ପ୍ରସବ ବେଦନାରେ ଛଟପଟ ହୋଇ ପ୍ରବଳ ରକ୍ତସ୍ରାବ ସହିତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ସୁନେଲୀଙ୍କ ରକ୍ତସ୍ରାବ ବନ୍ଦ ନହେବାରୁ ପରିବାର ଲୋକଙ୍କୁ ରକ୍ତ ଆଣିବା କହିଥିଲେ। ସୁନେଲୀଙ୍କ ସ୍ବାମୀ ପ୍ରଶାନ୍ତ ନାୟକ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାରରୁ ରକ୍ତ ଆଣି ଦେଇଥିଲେ ଓ ରକ୍ତ ଦେବାର କିଛି ସମୟପରେ ସୁନେଲୀଙ୍କ ମୃତ୍ୟୁ ଘଟିଥିଲା।
ଏହି ଭଳି ପରିସ୍ଥିତିରେ ଚିକିତ୍ସାରେ ଅବହେଳା ଓ ରକ୍ତ ବଦଳ ଯୋଗୁଁ ସୁନେଲୀଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଓ ସ୍ବାମୀ ପ୍ରଶାନ୍ତ ଅଭିଯୋଗ କରିଥିଲେ। ଯାହା ଫଳରେ ଡ଼ାକ୍ତରଖାନା ପରିସରରେ କିଛି ସମୟ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଅନ୍ୟପକ୍ଷରେ ରକ୍ତ ଠିକ ଦିଆଯାଇଛି ଓ ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା ଅଧ୍ୟକ୍ଷ ଡ଼ଃ ସୁଚିତ୍ରା ଦାସ ବିବୃତ୍ତି ରଖିଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗାଁ ଥାନ ଅନ୍ତର୍ଗତ ଦିଗାପଡା ଗ୍ରାମର ସନ୍ତୋଷ ମହାରଣା ନାମକ ଜଣେ କାଠ ମିସ୍ତ୍ରୀ ନିଜ ଘରେ କାମ କରୁଥିଲା ବେଳେ ଅସାବଧାନତା ବଶତଃ ବିଦ୍ୟୁତ୍ ଆଘାତରେ ଗୁରୁତର ଆହତ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ କର୍ତ୍ତବ୍ୟରତ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ବେଲଗାଁ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମୃତ ସନ୍ତୋଷଙ୍କ ଭାଉଜ କୁନି ମହାରଣା ଠାରୁ ଅଭିଯୋଗ ଗ୍ରହଣ କରି ୭/୨୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ସୋମବାର ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମରେ ଘଟିଥିବା ଲୋମ ଟାଙ୍କୁରା ଘଟଣାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶରୀରରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପିତା ଓ ମାତାଙ୍କୁ ଗିରଫ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।
ମେଧାବୀ ଛାତ୍ରୀ “ରାଣୀ ପ୍ରଧାନ” ଆତ୍ମହତ୍ୟା ଘଟଣାକୁ ନେଇ ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ସ୍ବରୂପ ସାହି ପୋଡଶୀଙ୍କ ବୟାନ ଓ ଛାତ୍ରୀଙ୍କ ଓଡିଓ କ୍ଲିପ୍ କୁ ଭିତ୍ତି କରି ଦୁଇ ଅଭିଯୁକ୍ତ ଯଥା ପିତା ଅଶୋକ କୁମାର ପ୍ରଧାନ ଓ ସାବତ ମାଁ ଜ୍ୟୋତ୍ସ୍ନା ରାଣୀ ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ବିଶେଷକରି ମଦ୍ୟପ ପିତାର ଅସହ୍ୟ ନିର୍ଯ୍ୟାତନା ସହିନପାରି ରାଣୀ ଏହି ଭଳି ପଦକ୍ଷେପ ନେଇଥିବା ସେ ଆତ୍ମହତ୍ୟା ସମୟରେ ଦେଇଥିବା ବୟାନରୁ ଜଣାପଡିଛି। ଯାହା ସେ ଆତ୍ମହତ୍ୟା ସମୟରେ ଉତ୍ତୋଳନ ହୋଇଥିବା ଭିଡିଓ ବହୁ ପରିମାଣରେ ଭାଇରଲ୍ ହୋଇଛି ଓ ଏହି ଭିଡିଓରୁ ବଳିଷ୍ଠ ପ୍ରମାଣ ମିଳିଛି।
ଏହି ସବୁ ପ୍ରମାଣକୁ ଆଧାର କରି ସଦର ଥାନା ପୋଲିସ୍ ଉକ୍ତ ଦମ୍ପତିଙ୍କୁ ମାମଲା ନଂ ୩୨୦/୨୪ ଓ ଦଫା ୧୦୮/୩ (୫) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରେ ନଡ଼ିଆ କଦଳୀ ବିକ୍ରି କରୁଥିବା ମହିଳା ଉପରେ ମାରୁତି ସ୍ବିଫ୍ଟ କାର୍ ଚଢି ଯାଇଛି। ଯାହାଫଳରେ ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁ ଘଟିଛି। ଡ଼୍ରାଇଭର କାର୍ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ କାର୍ କୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ଅଙ୍ଗାର ଗାଁରେ ଝୁଲୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଗ୍ରାମ୍ୟ ବ୍ୟାଙ୍କ୍ ନିକଟସ୍ଥ ଏକ ଦୋକାନ ପଛପଟ ପାଇଖାନା ଘର ଭିତରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଦେଖି ଦୋକାନ ମାଲିକ ଯୁବକର ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଓ କିଛି ଗ୍ରାମବାସୀ ଆସି ଯୁବକଙ୍କୁ ଚିହ୍ନଟ କରିଥିଲେ। ଏବଂ ସେ ଟୁନା ଦାସ ବୋଲି ନିଶ୍ଚିତ ହୋଇଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାସହିତ କେଶ୍ ନଂ ୭/୨୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ, ମୃତ ଟୁନା ଜଣେ ମିସ୍ତ୍ରୀ। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ।
ଭୁବନେଶ୍ଵର: ଜିଏସଟି ଫେରସ୍ତ କରିବା ବଦଳରେ ଜନୈକ ଅଭିଯୋଗକାରୀଙ୍କଠାରୁ ୧୫,୦୦୦/- ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର କେନ୍ଦ୍ରୀୟ ଜିଏସଟି ଏବଂ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସୁବୁଦ୍ଧିଙ୍କୁ ସିବିଆଇ ଗିରଫ କରିଛି।
ବ୍ରହ୍ମପୁରର କେନ୍ଦ୍ରୀୟ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଅଭିଯୋଗ ଆଧାରରେ ସିବିଆଇ ୦୯.୦୭.୨୦୨୪ରେ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ପୂର୍ବରୁ ଅଭିଯୋଗକାରୀଙ୍କୁ ୧.୭୭ ଲକ୍ଷ ଟଙ୍କାର ଜିଏସଟି ଫେରସ୍ତ ପ୍ରକ୍ରିୟା କରିଥିବା ଦର୍ଶାଇ ଏବଂ ଅଭିଯୋଗକାରୀଙ୍କୁ ପ୍ରାୟ ୩ ଲକ୍ଷ ଟଙ୍କାର ଆଉ ଏକ ଜିଏସଟି ରିଫଣ୍ଡ ସୁରୁଖୁରୁରେ ପ୍ରକ୍ରିୟାକରଣ କରିଥିବା ଦର୍ଶାଇ ଅଭିଯୁକ୍ତ ଅଭିଯୋଗକାରୀଙ୍କଠାରୁ ୨୦,୦୦୦/- ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।
ଅଭିଯୁକ୍ତ ଅଧିକାରୀ ଜଣଙ୍କ ଅଭିଯୋଗକାରୀଙ୍କ ଠାରୁ ମାଗିଥିବା ମୋଟ ୨୦,୦୦୦/- ଟଙ୍କା ଲାଞ୍ଚ ରାଶି ମଧ୍ୟରୁ ୧୫,୦୦୦/- ଟଙ୍କାର ପ୍ରଥମ କିସ୍ତି ଲାଞ୍ଚ ଗ୍ରହଣ କରୁଥିବା ବେଳେ ଧରାପଡ଼ିଥିଲେ।
ବ୍ରହ୍ମପୁର ଓ ଭୁବନେଶ୍ୱରରେ ଥିବା ଅଭିଯୁକ୍ତଙ୍କ ବାସଭବନ ଓ ସରକାରୀ ପରିସରରେ ଚଢ଼ାଉ କରାଯାଇ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି।
ସିବିଆଇ ମାମଲାର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟରେ ଆଜି ଅଭିଯୁକ୍ତଙ୍କୁ ହାଜର କରାଯାଉଛି।
ମାମଲାର ତଦନ୍ତ ଜାରି ରହିଛି।
ଯୁବକଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରରେ ଅବସ୍ଥିତ ଜଟେଶ୍ଵର ପୋଖରୀ ମଣ୍ଡପରେ ବସିଥିବା ସମୟରେ ତ୍ରିନାଥ ମଳିକ ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବନ୍ଧୁକଧାରୀ ଜଣଙ୍କ ଅତି ନିକଟରୁ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ତ୍ରିନାଥଙ୍କ ମୃତ୍ୟୁ ଘଟିଛି।
କବିସୂର୍ଯ୍ୟନଗର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ ଏକ ଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ କବିସୂର୍ଯ୍ୟନଗର ଥାନା ପୋଲିସ୍ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଠାଇଛି।
ଖବରରୁ ଜଣାପଡିଛି ଯେ, ବୁଗୁଡ଼ା ଅଞ୍ଚଳର ଜନୈକ ମହିଳାଙ୍କୁ ୪ ଜଣ ନିଶାସକ୍ତ ଯୁବକ ଜୋର୍ ଜବରଦସ୍ତ ଉଠାଇ ଆଣିଥିଲେ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରପଲୀ ଗ୍ରାମ ହଜ ନିକଟରେ ଯୁବତୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହିତ ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ଶେଷରେ ତାର ଯୌନାଙ୍ଗ ମଧ୍ୟରେ ମଦ ବୋତଲ ପୁରାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲା। ଏବଂ ପୀଡ଼ିତାଙ୍କୁ ପଚରାଉଚରା ବେଳେ ସବିଶେଷ ତଥ୍ୟ ହାସଲ କରିଥିଲା। ଗଞ୍ଜେଇ ବ୍ୟବସାୟ ଘଟଣାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଯୁବତୀଙ୍କ ଠାରୁ ପ୍ରକାଶ। ବର୍ତ୍ତମାନ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।
ବ୍ରହ୍ମପୁର (କୈଳାଶ ଚଁର ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ ଆଇଆଇସି ସ୍ତରରେ ଅଦଳବଦଳ ହୋଇଛି। ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ଗୋପାଳପୁର ଥାନାକୁ ବଦଳି ହୋଇଛି। ସେହିପରି ଗୋପାଳପୁର ଥାନା ଅଧିକାରୀ ଶରତ କୁମାର ମହାଲିକଙ୍କୁ ଟ୍ରାଫିକ ଥାନାକୁ ବଦଳି ହୋଇଛି।
ଅନୁରୂପ ଭାବେ ଦିଗପହଣ୍ଡି ଥାନା ଅଧିକାରୀ ବାବା ଶଙ୍କର ସରଫଙ୍କୁ ବଡ଼ ବଜାର ଥାନାକୁ ବଦଳି ହୋଇଛି। ଏବଂ ଟ୍ରାଫିକ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁଙ୍କୁ ଟାଉନ ଥାନାକୁ ବଦଳି ହୋଇଛି। ଟାଉନ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କୁ ଦିଗପହଣ୍ଡି ଥାନାକୁ ବଦଳି ହୋଇଥିବା ସୂଚନା।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହଳଦିଆ ପଦର ଜାତୀୟ ରାଜପଥ ନିକଟରେ ଥିବା ଏକ ନିର୍ମାଣଧିନ ଘର ନିକଟସ୍ଥ ଲତାବୁଦାରେ ଏକ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ଘଟଣା ସ୍ଥଳେ ଗୋଷାଣୀନୂଆ ଗାଁ ଥାନା ପୁଲିସ ପହଁଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି।
ଘଟଣାସ୍ଥଳରୁ ଜଣାପଡିଛି ଯେ, ଶବଟି ଦୁଇ ତିନିଦିନ ପୂର୍ବର ଓ ପଚି ଯାଇଥିବାରୁ ତାକୁ ଚିହ୍ନି ହେଉନାହିଁ। ତଥାପି ତାର ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ ହରିଡ଼ାମୂଳ ବଡ଼ଘାଟି ନିକଟରେ ଗ୍ୟାସ୍ ଟ୍ୟାଙ୍କର ଓଲଟିପଡିଥିବା ସୂଚନା ମିଳିଛି। ଯେଉଁଥିରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଥିବା ବେଳେ ୨ କିମି ଯାଏଁ ରାସ୍ତାକୁ ପୋଲିସ ସିଲ୍ କରିଛି।
ସୂଚନା ଅନୁଯାୟୀ, ବିଶାଖାପାଟଣାରୁ ଖୋର୍ଦ୍ଧା ଅଭିମୁଖେ ଗ୍ୟାସ ଟ୍ୟାଙ୍କର ଆସୁଥିଲା। କିନ୍ତୁ ହରିଡ଼ାମୂଳ ବଡ଼ଘାଟି ନିକଟରେ ଭାରସମ୍ୟ ହରାଇ ଓଲଟିପଡିଥିଲା। ଖବର ପାଇ ଖଲିକୋଟ ଥାନା ପୋଲିସ, ଛତ୍ରପୁର ଏସ୍ ଡି ପି ଓ ଗୌରହରି ସାହୁ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିଛନ୍ତି ଓ ଟ୍ୟାଙ୍କର ରୁ ଗ୍ୟାସ ଲିକ୍ ଯୋଗୁଁ ପ୍ରତି ୧୫ ମିନିଟ ଥରେ ଗ୍ୟାସ ଟ୍ୟାଙ୍କରକୁ ପାଣି ପକାଯାଉଛି।
ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଗୁରୁତର ଆହତ ଡ଼୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲିକୋଟ ଡାକ୍ତରଖାନାକୁ ପଠାଇଯାଇଛି ଓ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି ଓ ଆଜି ବୈଷୟିକ ଟିମ୍ ଆସିବା ପରେ ଟ୍ୟାଙ୍କର ଉଦ୍ଧାର କାର୍ଯକ୍ରମ ଚାଲିଛି।
ନୂଆଦିଲ୍ଲୀ: ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଭଞ୍ଜ ବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି।
ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ କେବଳ ଓଡ଼ିଶାର ଇତିହାସରେ ନୁହେଁ ବରଂ ଭାରତର ଇତିହାସରେ ମଧ୍ୟ ଓଡ଼ିଶାର ଦକ୍ଷିଣାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ଭୂମି ଶିକ୍ଷା, ସାହିତ୍ୟ, କଳା ଓ ହସ୍ତଶିଳ୍ପରେ ସମୃଦ୍ଧ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଏହି ଅଞ୍ଚଳର ପୁତ୍ର କବିସୂର୍ଯ୍ୟ ବଳଦେବ ରଥ ନିଜ ଲେଖା ମାଧ୍ୟମରେ ଓଡ଼ିଆ ତଥା ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ଭୂମି ଅନେକ ସ୍ୱାଧୀନତା ସଂଗ୍ରାମୀ, ସହିଦ ଏବଂ ସରକାରୀ କର୍ମଚାରୀଙ୍କ ଜନ୍ମସ୍ଥାନ ଏବଂ କର୍ମକ୍ଷେତ୍ର ମଧ୍ୟ ଅଟେ।
୧୯୬୭ ମସିହାରେ ସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ଦକ୍ଷିଣ ଭାଗର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶିକ୍ଷା ଓ ବିକାଶରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକାକୁ ସେ ପ୍ରଶଂସା କରିଥିଲେ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଓ ଏହାର ଅନୁବନ୍ଧିତ କଲେଜଗୁଡ଼ିକରେ ପାଖାପାଖି ୪୫ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ୫୫ ପ୍ରତିଶତରୁ ଅଧିକ ଛାତ୍ରୀ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। କେବଳ ଏତିକି ନୁହେଁ, ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ଝିଅ ଏବଂ ଆଜି ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ଗବେଷକଙ୍କ ମଧ୍ୟରୁ ଅଧା ହେଉଛନ୍ତି ଝିଅ। ଲିଙ୍ଗଗତ ସମାନତାର ଏହା ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି।
ରାଷ୍ଟ୍ରପତି କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଝିଅମାନଙ୍କୁ ସମାନ ସୁଯୋଗ ଦିଆଗଲେ ସେମାନେ ପୁଅମାନଙ୍କୁ ପଛରେ ପକାଇବାର ସମ୍ଭାବନା ରହିଛି। ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ। କିନ୍ତୁ ଏବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ପୁଲିସ ଓ ସେନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ଝିଅମାନଙ୍କର ସାମର୍ଥ୍ୟ ଦୃଶ୍ୟମାନ ହେଉଛି। ଏବେ ଆମେ ମହିଳାଙ୍କ ବିକାଶର ପର୍ଯ୍ୟାୟରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଡକୁ ଗତି କରୁଛୁ।
ସମାବର୍ତ୍ତନ କେବଳ ଡିଗ୍ରୀ ପ୍ରାପ୍ତିର ଉତ୍ସବ ନୁହେଁ ବୋଲି ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଏହା ସେମାନଙ୍କ କଠିନ ପରିଶ୍ରମ ଏବଂ ସଫଳତାକୁ ସ୍ୱୀକୃତି ଦେବା ପାଇଁ ଏକ ଉତ୍ସବ ମଧ୍ୟ ଅଟେ। ଏହା ଦ୍ୱାରା ନୂଆ ସ୍ୱପ୍ନ ଓ ସମ୍ଭାବନାର ଦ୍ୱାର ଖୋଲିଥାଏ। ଡିଗ୍ରୀ ହାସଲ କରିବା ଶିକ୍ଷାର ଅନ୍ତ ନୁହେଁ ବୋଲି ସେ କହିଛନ୍ତି। ସାରା ଜୀବନ ଶିଖିବା ପାଇଁ ସେମାନଙ୍କର ଉତ୍ସାହ ରହିବା ଉଚିତ୍। ନିଜର ଜ୍ଞାନ ଓ ବୁଦ୍ଧିକୁ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିବାକୁ ସେ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ସେମାନେ ରାଷ୍ଟ୍ର ନିର୍ମାଣ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍।