Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ସମସ୍ତ ଅଦାଲତରେ ହେବ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ଜାଣନ୍ତୁ କେବେ?

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ଅଦାଲତ ଗୁଡିକରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ମକଦ୍ଦମା ଯେପରିକି, ଦୀର୍ଘ ଦିନ ହେବ କୌଣସି ମକଦ୍ଦମା ଯଦି ଅଦାଲତରେ ବିଚାରଧୀନ ଅଛି ଅଥବା କୌଣସି ବିବାଦର ସହଜ ତଥା ଆପୋଷ ସମାଧାନ ପାଇଁ ଚାହୁଁଛନ୍ତି, ତା’ହେଲେ ଲୋକ ଅଦାଲତର ସାହାର୍ଯ୍ୟ ନେଇପାରିବେ।

ଏହା ସହିତ ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ଏହି ଲୋକ ଅଦାଲତରେ କରାଯିବ ଏବଂ ଏଥିସହ ପ୍ରାକ୍ ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମବିବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ କରାଯିବ। ସରଳ ଓ ସହଜ ସମାଧାନ ତଥା ଆର୍ଥିକ ଏବଂ ସମୟ ଅପଚୟରୁ ମୁକ୍ତି ପାଇବା ପାଇଁ ଏହି ସୁଯୋଗ ନିଅନ୍ତୁ। ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରଠାରେ ମୁଖ୍ୟମନ୍ତ୍ରୀ ଦକ୍ଷିଣାଞ୍ଚଳ ୮ ଗୋଟି ଜିଲ୍ଲାର ଶୁଣିବେ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଚଳିତ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷିଣାଞ୍ଚଳ ସମସ୍ତ ଆଠଗୋଟି ଜିଲ୍ଲାର ଅଭିଯୋଗ ଶୁଣାଣି କରିବେ। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ନିର୍ଦ୍ଦେଶକ, ସାଧାରଣ ଅଭିଯୋଗ – ତଥା- ସ୍ବତନ୍ତ୍ର ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡିଶା ନିହାର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏମ୍ ଶ୍ରବଣା ବିବେକ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ରୂପରେଖ କିଭଳି ହେବ ସେହି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା।

ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ସ୍ବାଗତ ଜଣାଇ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ କିଭଳି ସମସ୍ତଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ହେବ ସେଥି ନିମନ୍ତେ ନିଜର ମତ ଉପସ୍ଥାପନ କରିଥିଲେ। ନିର୍ଦ୍ଦେଶକ, ସାଧାରଣ ଅଭିଯୋଗ – ତଥା- ସ୍ବତନ୍ତ୍ର ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡିଶା ଶ୍ରୀ ଦାଶ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଅବଗତ କରାଇଥିଲେ ଯେ, ରାଜ୍ୟ ସ୍ତରରେ ନଅ ଥର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଏବଂ ଦଶମ ଅଭିଯୋଗ ଶୁଣାଣି ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଆନ୍ତରିକତାର ସହ ସମସ୍ତ ଜନ ସାଧାରଣଙ୍କର ଅଭିଯୋଗ ଶୁଣାଣି କରୁଛନ୍ତି।

ଅଭିଯୋଗ ଶୁଣାଣି ପ୍ରକୋଷ୍ଠଟିରେ ମାନବୀୟ ସମ୍ବେଦନା ସହିତ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣି ହେବ। ଗ୍ରୀଷ୍ମ ପ୍ରବାହ ହେତୁ ସକାଳ ୮ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅଭିଯୋଗ ଗୁଡିକର ଶୁଣାଣି ହେବ। ଗଜପତି, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅଭିଯୋଗ ଗୁଡିକ ଶୁଣାଣି କରିବେ। ଏଥି ନିମନ୍ତେ ବ୍ଯାପକ ପ୍ରଚାର ପ୍ରସାର ହେବ। ଅଭିଯୋଗ ଆବେଦନ ନିମନ୍ତେ ୭୨ ଘଣ୍ଟା ପୂର୍ବରୁ ଅନ୍ ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରାଇ ନେବାକୁ କୁହାଯାଇଛି। ଏତତ୍ ବ୍ୟତୀତ ଅଣ ପଞ୍ଜିକୃତ ଆବେଦନକାରୀ ମାନଙ୍କର ଅଭିଯୋଗ ପତ୍ର ଗୁଡିକ ଶିବାରରେ ସିଧା ସଳଖ ଗ୍ରହଣ କରାଯିବ।

ଦକ୍ଷିଣାଞ୍ଚଳ ସ୍ତରୀୟ ଏହି ଅଭିଯୋଗ ଶୁଣାଣି ପ୍ରଥମ ଥର ହେଉଥିବା ହେତୁ ଲୋକଙ୍କ ମନରେ ଉତ୍ସାହ ରହିବ ଏବଂ ଅଧିକ ସଂଖ୍ୟକ ଲୋକେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଯୋଗ ଦେବେ। ଏଣୁକରି ଅଭିଯୋଗ ପ୍ରକୋଷ୍ଠରେ ଆଇନ୍ ଶୃଙ୍ଖଳା ପରିସ୍ଥିତି, ପାନୀୟ ଜଳ ବ୍ୟବସ୍ଥା, ଅଂଶୁଘାତ ଜନିତ ଚିକିତ୍ସା ନିମନ୍ତେ ଅସ୍ଥାୟୀ ଶିବିର, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଶିଶୁ ମାତୃକକ୍ଷ, ପ୍ରେସ ଗ୍ୟାଲେରୀ, ନିରନ୍ତର ବିଦ୍ୟୁତ ସେବା ବ୍ୟବସ୍ଥା, ସ୍ବଚ୍ଛତା ପରିମଳ ବ୍ୟବସ୍ଥା, ଅଭିଯୋଗକାରୀଙ୍କ ନିମନ୍ତେ ଖାଦ୍ୟପେୟ ବ୍ୟବସ୍ଥା ଇତ୍ୟାଦି ବିଷୟ ନେଇ ସୁବିସ୍ତୃତ ଆଲୋଚନା ହୋଇଯାଇଛି। ନିର୍ଦ୍ଧାରିତ ତାରିଖ ଏବଂ ସ୍ଥାନ ସ୍ଥିର ହେବା ପରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ଯଥେଷ୍ଟ ପୂର୍ବରୁ ଜଣାଇ ଦିଆଯିବ।

ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅତିରିକ୍ତ ଶାସନ ସଚିବ ପ୍ରଫୁଲ୍ଲ କୁମାର ସ୍ବାଇଁ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଛତ୍ରପୁର ଉପ ଆରକ୍ଷୀ ଅଧୀକ୍ଷକ, ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ହତ୍ୟା ଘଟଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଜଣେ ଯୁବତୀଙ୍କୁ ଛୁରାମାଡ଼

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର ହୋଇଯାଇଛି। ଗତକାଲି କରାପଲ୍ଲୀରେ ନାବାଳିକାକୁ ହତ୍ୟା ଘଟଣାର ୨୪ ଘଣ୍ଟା ମଧ୍ୟରେ ଆଜି ଜଣେ ଯୁବତୀଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୁରୁତର ଆହତ ଯୁବତୀ ଗଣିଆ ନାଳ ଅଞ୍ଚଳର ଅଳକା ନନ୍ଦ ମାହାଙ୍କୁଡ ବ୍ୟାଙ୍କ କଲୋନୀ ଷଷ୍ଠ ଗଳିରେ ରହୁଥିବା ବେଳେ ଅଭିଯୁକ୍ତ ଯୁବକ କିରଣ ଦାସ ବିଜିପୁର ଅଞ୍ଚଳର ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ବିଶ୍ୱ ଶ୍ରମିକ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଜି ମଧ୍ୟ ଏହି ଶ୍ରମିକ ଦିବସ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ଓ ଦୌରା ଜର୍ଜ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନା ରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ସ୍ଥିତ ମା କାଳୁଆ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଛି। ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ କାର୍ଯକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଉଦ୍ଦେଶ୍ୟ ରଖି ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଯେଉଁଥିରେ ବରିଷ୍ଠ ଓକିଲ ତଥା ଗଞ୍ଜାମ ଓକିଲ ସଂଘ ଉପ-ସଭାପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଟି.କେ ରେଡ୍ଡୀ, ସଦସ୍ୟା ତଥା ଓକିଲ ଡ଼ଃ ମିନାକ୍ଷୀ ଦେଵୀ ଓ ସବିତା ସାହୁକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଲ୍ଲୀପ କୁମାର ଶତପଥୀ, ଅତିରିକ୍ତ ଶ୍ରମ ଅଧିକାରୀ କାର୍ତ୍ତିକ ସେନାପତି ଓ ପ୍ରକାଶ କୁମାର ପରିଡାଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ୨୪ ଜଣ ଶ୍ରମ ଉପଭୋକ୍ତାଙ୍କୁ ବିଭିନ୍ନ ସେବା ପାଇଁ ୩ ଜଣ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୁରଣ, ଦୁଇ ଶ୍ରମିକ ବିବାହ କାର୍ଯ୍ୟକ୍ରମ ନିମନ୍ତେ ୫୦ ହଜାର ଟଙ୍କା ଓ ୧୯ ଜଣଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିଲା

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଚିକିଟି ଧାନଘର ଫାଣ୍ଡି ଅନ୍ତର୍ଗତ ବାଳକୁମାରୀ ମନ୍ଦିର ରାସ୍ତା କଡ଼ରେ ଜଣେ ଯୁବକଙ୍କ ଶବ ପଡି ରହିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତ ଯୁବକ ଜଣକ ନିକଟସ୍ଥ ରାମଚନ୍ଦ୍ର ପୁର ଗ୍ରାମର ବୋଲି ଜଣାପଡିଛି ଓ ତାଙ୍କର ବେକରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ଜଣାପଡୁନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଛତ୍ରପୁର ବିଜେପି ପକ୍ଷରୁ ସକ୍ରିୟ ସଦସ୍ୟ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ଶିବ ପଟ୍ଟନାୟକ ରିଡିଙ୍ଗ ରୁମ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ସକ୍ରିୟ ସଦସ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଚରଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବରିଷ୍ଠ ବିଜେପି ନେତା ପଦ୍ମଚରଣ ସାହୁ, ପ୍ରଦୀପ ପାଢ଼ୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ପୂର୍ବତନ ଉପନଗରପାଳ ବସନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ସକ୍ରିୟ ସଦସ୍ୟ ମାନେ କିପରି ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ଦୃଢୀଭୂତ କରିବେ ସେନେଇ ମାର୍ଗ ଦର୍ଶନ କରିଥିଲେ। ବିଶେଷ କରି ଦଳର ସାଙ୍ଗଠନିକ ନିର୍ବାଚନ ସମାପ୍ତ ପରେ ଏହି ସମ୍ମିଳନୀ ହୋଇଥିବାରୁ ସଦସ୍ୟ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବୋଡ ନଦୀ ସେତୁ ନିର୍ମାଣ କାର୍ଯ୍ୟ ବେଳେ ଭୟାବହ ବିସ୍ପୋରଣ: କାର୍ଯ୍ୟରତ ଶ୍ରମିକର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅର୍ନ୍ତଗତ ଜାଲଖାଇ ଠାରେ ଅବସ୍ଥିତ ବୋଡ ନଦୀ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ନିର୍ମାଣ କାର୍ଯ୍ୟରେ ଆନ୍ଧ୍ରପ୍ରଦେଶର ଶ୍ରମିକ ମାନେ କାମ କରୁଥିଲା ବେଳେ ହଠାତ୍ ଏକ ବିସ୍ପୋରଣ ଘଟି ଚେନ୍ନା ନାରାୟଣ ନାମକ ଜଣେ ଶ୍ରମିକର ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। କ୍ରିଷ୍ଣା ରାଓ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ କିଛି ଦୁରରେ ପଡ଼ିଥିଲା।

ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭ ଲକ୍ଷ୍ମୀ ପୁଜାରୀଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଶ୍ରମିକମାନଙ୍କ ସହଯୋଗରେ ମୃତ ଶ୍ରମିକର ଖଣ୍ଡବିଖଣ୍ଡିତ ଶବକୁ ଉଦ୍ଧାର କରିଛି। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିସ୍ପୋରଣ ଘଟଣାରେ ସମ୍ପୃକ୍ତ କୋଦଳା ଥାନା ଅଞ୍ଚଳର ଜଗନ୍ନାଥ ଦାସ ନାମକ ଜଣେ ବ୍ୟକ୍ତିକୁ ଥାନାରେ ରଖି ପଚରାଉଚରା କରିବା ସହ ଗିରଫ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ ଆରମ୍ଭ

ବ୍ରହ୍ମପୁର: ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ନୂତନ ଶିକ୍ଷାନୀତି ମଙ୍ଗଳବାରଠୁ ଆରମ୍ଭ ହୋଇଛି। ଶିଶୁ ଵାଟିକାରେ କୁନି କୁନି ପିଲାମାନେ ସରକାରୀ ବିଦ୍ୟାଳୟ ନାମ ଲେଖେଇବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପୂର୍ଵରୁ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଶିଶୁ ବାଟିକା ରେ ନାମ ଲେଖାଇବାକୁ ଆଜି ସ୍କୁଲ ଆସିଛନ୍ତି କୁନି କୁନି ପିଲା। ଆଜିଠୁ ରାଜ୍ୟରେ ଶୁଭାରମ୍ଭ ହେଉଛି ଶିଶୁ ବାଟିକା। ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟସ୍ତରରେ ଶିଶୁ ବାଟିକା ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ଯାହାକି ସେମାନଙ୍କ ନାମଲେଖା ଓ ସ୍କୁଲରେ ପ୍ରଥମ ଦିନକୁ ସ୍ମରଣୀୟ କରିବ। ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଗଞ୍ଜାମ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ।

ଶିଶୁ ବାଟିକାର ଭିତ୍ତି ଉପରେ ନୂଆପିଢିର ଭବିଷ୍ୟତ ଗଠନ କରି ପିଲାମାନଙ୍କୁ ସଶକ୍ତ, ଆଧୁନିକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ଗଞ୍ଜାମ ଜିଲାରେ ୨୬୧୩ ସ୍କୁଲ ରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ହୋଇଛି। ୧୬୭୧ ପ୍ରାଥମିକ ବିଦ୍ୟାଳୟ ଓ ୯୪୨ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ହୋଇଛି। ନିଜେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆଜି ଛତ୍ରପୁର ପୁତି ଗୋପାଳପୁର ସ୍ଥିତ ସ୍କୁଲ ବୁଲି ତଦାରଖ କରିବା ସହ ଶିଶୁ ବାଟିକା ରେ ନାମ ଲେଖେଇଥିବା ପିଲାମାନଙ୍କୁ ଖଡ଼ି ଛୁଆଁଇ ଵା ସହ ପିଲାମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ।

ଶିଶୁ ବାଟିକାରେ ପିଲାଙ୍କୁ କିଭଳି ଭାବରେ ଗୁଣାତ୍ମକ ପାଠ ପଢାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।  ଯେଉଁ ମାନଙ୍କ ବୟସ ସେପ୍ଟେମ୍ବର ୧ ସୁଦ୍ଧା ୫ ବର୍ଷରୁ ଉର୍ଦ୍ଧ ସେମାନେ ଶିଶୁ ଵାଟିକା ଓ ୬ ବର୍ଷରୁ ଉର୍ଦ୍ଧ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇଛନ୍ତି। ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ବିଦ୍ୟାଳୟ ରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ ସଭିଏଁ ସ୍କୁଲ ଯିବା ଏକ ସଚେତନତା ରଥକୁ ଜିଲ୍ଲାପାଳ ଉଦ୍ଧଘାଟନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟର ୯୮% ଧାନ ସଂଗ୍ରହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଶେଷ ହୋଇଛି। ଚଳିତ ଥର ଜିଲ୍ଲାରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ଠାରୁ ରେକଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିଲେ ମଧ୍ୟ ୪୭୯୮ ଜଣ ଚାଷୀ ଧାନ ବିକ୍ରି କରିପାରିଲେ ନାହିଁ। ଗଞ୍ଜାମ ଜିଲ୍ଲାରେ ଦୁଇ ଥର ଅଦିନିଆ ବର୍ଷା ପାଇଁ ଧାନ ଅମଳରେ ବିଳମ୍ବ ହେତୁ ଡିସେମ୍ବର ୨୩ ପରିବର୍ଭେ ଜାନୁଆରୀ ୩ ତାରିଖରୁ ଧାନ ମଣ୍ଡି ଖୋଲା ଯାଇଥିଲା।

ଜିଲ୍ଲାରେ ୪୭୮ ସୋସାଇଟି ଚଳିତ ବର୍ଷ ଧାନ କିଣାରେ ସାମିଲ ହୋଇଥିଲେ। ସେଥିମଧ୍ୟରୁ ୩୬୬ ସେବା ସମବାୟ ସମିତି, ୧୧୧ଟି ସ୍ବୟଂସହାୟକ ଗୋଷ୍ଠୀ ଓ ଗୋଟିଏ ପାଣି ପଚଂୟତ ସହ ୩୭୧ ମିଲର ଧାନ କିଣାରେ ସାମିଲ ହୋଇଥିଲେ। ଚଳିତ ବର୍ଷ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ସାଟେଲାଇଟ ସର୍ଭେ ପରେ ୧ ଲକ୍ଷ ୪୪ ହଜାର ୬୮୪ ଜଣ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ଜିଲ୍ଲାକୁ ଦୁଇଟି ପର୍ଯ୍ୟାୟରେ ଲକ୍ଷ୍ୟ ଧାର୍ଯ୍ୟ ବୃଦ୍ଧି ହୋଇ ମୋଟ ୬୦ ଲକ୍ଷ ୨୩ ହଜାର ୫୯୮ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଦିଆଯାଇଥିଲା। ମାର୍ଚ୍ଚ ୩୧ରେ ଧାନ କିଣା ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୧ ଲକ୍ଷ ୩୯ ହଜାର ୮୮୬ ଜଣ ଚାଷୀଙ୍କ ଠାରୁ ୫୮ ଲକ୍ଷ ୮୦ ହଜାର ୮୯୭ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟର ଏହା ୯୮ ପ୍ରତିଶତ।

ତେବେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବା ବେଳେ ଜିଲ୍ଲାର ମାତ୍ର ୪୭୯୮ ଜଣ ଚାଷୀ ନିଜର ଧାନ ବିକ୍ରି କରିପାରିନ‌ଥିବା ଜଣାପଡିଛି। ଧାନ ବିକ୍ରି କରିଥିବା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୩୪୯ କୋଟି ୬୬ ଲକ୍ଷ ୩୯ ହଜାର ୫୪୫ ଟଙ୍କା ପଠାଯାଇଛି। ଚଳିତ ବର୍ଷ ଧାନ କୁଇଣ୍ଟାଲ ପିଛା ୨୩ଶହ ଓ ବୋନସ ୮୦୦ ଟଙ୍କା ମିଶି ମୋଟ ୩୧ ୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଫଳରେ ବହୁ ଚାଷୀ ରାଜ୍ୟ ବାହାରେ ଧାନ ନଦେଇ ସରକାରୀ ମଣ୍ଡିରେ ଧାନ ବିକ୍ରି କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଛତ୍ରପୁର ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୋଲିସ ପଡିଆ ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଛି। ଗଞ୍ଜାମ ପୋଲିସ ଜିଲ୍ଲା ଏସପି ସୁଭେନ୍ଦୁ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆଜିର ଦିବସ ଓଡିଶା ପୋଲିସ ପାଇଁ ଗର୍ବ ଓ ଗୌରବର ଦିବସ।

ଜନସାଧାରଣଙ୍କ ସେବା ମନୋଭାବ ନେଇ ନିଜକୁ ଉତ୍ସର୍ଗ କରିବା। ଏହି ସଙ୍କଳ୍ପ ହିଁ ହେବ ଆମମାନଙ୍କ ପାଇଁ ସହିଦ୍‌ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଉପସ୍ଥିତ ପୋଲିସ ବାହିନୀକୁ ଉଦ୍‌ବୋଧନ ଦେଇଥିଲେ। ଧନଜୀବନ ଓ ଆଇନଶୃଙ୍ଖଳା ରକ୍ଷା କାର୍ଯ୍ୟ ପୋଲିସ କାର୍ଯ୍ୟକାରୀ କରି ଆସୁଛି। ପୋଲିସ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟକରି ଲୋକଙ୍କୁ ସୁରକ୍ଷା ଯୋଗାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ମଧ୍ୟ ପୋଲିସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପନ୍ଥା।

ଆଇନଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ କରୁଛି ପୋଲିସ। ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ହେଉଛି ଆମ୍ଭର ପ୍ରଥମ ଧର୍ମ। ୧୯୩୬ ମସିହାରୁ ଏହି ଦିବସ ପାଳନ କରାଯାଉଅଛି। ଏହି ଅବସରରେ ଏସପି ଶ୍ରୀ ପାତ୍ର ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ସମାରୋହରେ ରିଜର୍ଭ ଇନିସପେକ୍ଟର ଅମୁଲ୍ୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ପ୍ୟାରେଡ୍ ପରିଚାଳନା କରାଯାଇଥିଲା।

ଏହି ସମାରୋହରେ ଗଞ୍ଜାମ ପୋଲିସ ଜିଲ୍ଲାରେ କର୍ତ୍ତବ୍ୟନିଷ୍ଠା ଓ ସାହସିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଥିବା ୫ଜଣ କୁ ପୁରସ୍କୃତ କରାଯାଇଥିଲା। ସବ୍‌ଇନ୍ସପେକ୍ଟର ଶୁଭ୍ରଜିତ ସାମନ୍ତରାୟ, ଏଏସଆଇ ସୁମନ୍ତ କୁମାର ବେହେରା, ହାବିଲଦାର ବି. କାମରାଜୁ ଦୋରା, ଏପିଆର କନଷ୍ଟେବଳ ଟୁନା ମଲ୍ଲିକ ଓ କନଷ୍ଟେବଳ ଦିଲ୍ଲୀପ କୁମାର ବେହେରା ଙ୍କୁ ଏସ୍‌ପି ସମ୍ମାନିତ କରିବା ସହ ପୁରସ୍କୃତ କରିଥିଲେ। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଚିନ୍ମୟ କୁମାର ନାୟକ, ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ , ସଂପାଦକ ସୁବାସ ସେଠୀଙ୍କ ସମେତ ବହୁ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା

ଛତ୍ରପୁର: ଚଳିତ ବର୍ଷ ଓଡ଼ିଶା ଦିବସ ପାଳନ ନିମନ୍ତେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।

ଉଚ୍ଚ ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ଚନ୍ଦ୍ର ଶେଖର ଶତପଥୀ ପ୍ରଥମ (ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ), ଅଙ୍କିତା ସାହୁ (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ) ଦ୍ୱିତୀୟ ଓ ଆଦ୍ୟାଶା ପ୍ରିୟଦର୍ଶିନୀ (ଡି ଏ ଭି ପବ୍ଲିକ ସ୍କୁଲ) ତୃତୀୟ ଏବଂ ସଙ୍ଗୀତ ପ୍ରତିଯୋଗିତାରେ ଅନୁଷ୍କା ରାଉତ (ସେଣ୍ଟ ଜାଭିୟର ହାଇ ସ୍କୁଲ) ପ୍ରଥମ, ଅମ୍ରିତା ପଟ୍ଟନାୟକ (ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର)ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ମହାବିଦ୍ୟାଳୟ ବର୍ଗରେ ବକ୍ତୃତା ପ୍ରତିଯୋଗିତା ରେ ଆଲିସା ପାଢ଼ୀ (ସରସ୍ଵତୀ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର)ପ୍ରଥମ, ପାୟଲ ପ୍ରିୟା ପାତ୍ର (ମହାମାୟୀ ମହିଳା ମହାବିଦ୍ୟାଳୟ) ଦ୍ୱିତୀୟ, ଏବଂ ସଙ୍ଗୀତ ପ୍ରତିଯୋଗିତା ରେ ଏସ ମନିଷା ରାଣୀ ପାତ୍ର (ମହାମୟୀ ମହିଳା ମହାବିଦ୍ୟାଳୟ)ପ୍ରଥମ, ପ୍ରଗତି କିରଣ ବେହେରା (ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର)ଦ୍ୱିତୀୟ ହୋଇଛନ୍ତି। ଏହି କୃତି ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ରେ ଏପ୍ରିଲ ୧ ତାରିଖରେ ହେବାକୁ ଥିବା ପୂର୍ବାହ୍ନ ୧୦ ଘଣ୍ଟା ରେ ଓଡିଶା ଦିବସ ସମାରୋହରେ ପୁରସ୍କୃତ କରାଯିବ। ତିନୋଟି ଉପଖଣ୍ଡ ରେ ହୋଇଥିବା ଉଚ୍ଚ ବିଦ୍ୟାଳୟ ସ୍ତରର ବକ୍ତୃତା ପ୍ରତିଯୋଗିତା ରେ ଯେଉଁ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେହି ପ୍ରତିଯୋଗୀ ଙ୍କ ମଧ୍ୟରେ ପୁନର୍ବାର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତା ରେ ଚନ୍ଦ୍ର ଶେଖର ଶତପଥୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଚନ୍ଦ୍ର ଶେଖର ଶତପଥୀଙ୍କୁ ରାଜ୍ୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ପ୍ରେରଣ କରାଯିବ। ସମସ୍ତ ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ତତ୍ତ୍ଵାବଧାନରେ ହୋଇଥିଲା। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ,ଲୋକନାଥ ଶତପଥୀ,ରବୀନ୍ଦ୍ର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

ଭୁବନେଶ୍ଵର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁରୁବାର ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆରବିଆଇ ମହାପ୍ରବନ୍ଧକ ଅନିତା ପଟ୍ଟନାୟକ; ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ;, ଏସଏଲବିସି ଓଡ଼ିଶାର ଆବାହକ ତଥା ମହାପ୍ରବନ୍ଧକ ଗୌତମ ପାତ୍ର; ଏସବିଆଇ ଡିଜିଏମ ସନ୍ଦୀପ କୁମାର ଚୌବେ; ୟୁବିଆଇ ଏଜିଏମ ବଂଶୀଧର ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହାପରେ ଜିଏମ୍ ଆରବିଆଇ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବା ସହ ମୁଖ୍ୟ ଭାଷଣ ଦେଇଥିଲେ। ନିଜ ଅଭିଭାଷଣରେ ସେ RBI@90 ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ।

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଆର୍ଥିକ ସାକ୍ଷରତା ପାଇଁ ଆରବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇଥିଲେ। ବିଭିନ୍ନ ପ୍ରକାର ସାଇବର ଠକେଇ ରୋକିବା ପାଇଁ ଆର୍ଥିକ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ସଚେତନତାର ଆବଶ୍ୟକତା ଉପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ସମେତ ଅନ୍ୟ ଅତିଥିମାନେ ମଧ୍ୟ ଜୋର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକ ଙ୍କ ଭଳି ବିଭିନ୍ନ ବର୍ଗର ପ୍ରାୟ ୪୫୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କର ତିନୋଟି ବିଭାଗ ଯଥା ଏଫ୍ଆଇଡିଡି, ଡିଓଏସ୍ ଓ ଆଇବିଡିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷା ଋଣ ପାଇଁ ବିଦ୍ୟା ଲକ୍ଷ୍ମୀ ପୋର୍ଟାଲ ଆଦି ଉପରେ ଆୟୋଜିତ ଅଧିବେଶନରେ ସେମାନଙ୍କର ମତ ରଖିଥିଲେ । ଅଂଶଗ୍ରହଣକାରୀଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ୱାରା ନୋଟ୍ ବିନିମୟ ସୁବିଧା ଏବଂ ମୁଦ୍ରା ଗୁଡିକର ଲିଗାଲ ଟେଂଡର ସମ୍ପର୍କରେ ଅବଗତ କରାଯାଇଥିଲା।

ଏହାବ୍ୟତୀତ ବିଭିନ୍ନ ପ୍ରକାର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଫୋନ୍ ମାଧ୍ୟମରେ କୌଣସି ବି ବ୍ୟକ୍ତି ସହିତ ସମ୍ବେଦନଶୀଳ ଆର୍ଥିକ ତଥ୍ୟ ସେୟାର ନ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା। ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରାସଙ୍ଗିକ ଲିଫଲେଟ ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅଡିଓ ଏବଂ ଭିଜୁଆଲ ବିଷୟବସ୍ତୁ ମଧ୍ୟ ବ୍ୟବହାର କରାଯାଇଥିଲା। କାର୍ଯ୍ୟକ୍ରମଟି ଇଣ୍ଟରଆକ୍ଟିଭ୍ ଥିଲା ଏବଂ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଏଲଡିଏମ, ଏଫଏଲସି, ସିଏଫଏଲ ଏବଂ ଅନ୍ୟାନ୍ୟ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଋଷିକୁଲ୍ୟା ମୁହାଣରେ ବିରଳ ବହୁରୂପୀ ହସବିଲ୍ କଇଁଛ ଠାବ: ଏକକାଳୀନ ଦେଲା ୧୪୦ ଟି ଅଣ୍ଡା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍ ରିଡ୍‌ଲେଙ୍କ ଆଗମନ ଏବର୍ଷ ପୂର୍ବର ସବୁ ରେକର୍ଡ଼ ଭାଙ୍ଗିଛି। ଦୁଇଟି ପର୍ଯ୍ୟାୟରେ ମୋଟ ୮ଲକ୍ଷ ୧୮ହଜାର ୭୪୯ କଇଁଛ ଗଣ ଅଣ୍ଡା ଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ସୂଚନା ମିଳିଛି।

ଅନ୍ୟପଟେ ଋଷିକୁଲ୍ୟା ମୁହାଣରେ ପ୍ରଥମଥର ପାଇଁ ବିରଳ ବହୁରୂପୀ ସାମୁଦ୍ରିକ କଇଁଛ ହସବିଲ୍‌କୁ ଠାବ କରାଯାଇଛି। ଯାହାକି ବନ କର୍ମଚାରୀ ଓ ପରିବେଶବିତ୍‌ଙ୍କୁ ଚକିତ କରିଛି। କଇଁଛଟି ଏକକାଳୀନ ୧୪୦ ଟି ଅଣ୍ଡା ଦେଇ ବେଳାଭୂମିରୁ ଫେରିଥିବା ବେଳେ ତାକୁ ଚିହ୍ନଟ କରିବା ଲାଗି ତା’ର ପିଠି ଉପରେ ଏକ ମାର୍କ କରାଯାଇଛି। ଏହି ପ୍ରଜାତିର କଇଁଛ ମୁଖ୍ୟତଃ ଶ୍ରୀଲଙ୍କାରେ ଦେଖା ଯାଇଥା’ନ୍ତି। ପାଣିର ତୀବ୍ରତା ଅନୁସାରେ ମେକ୍ସିକୋ, ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆରେ ନିଜର ରଙ୍ଗ ବଦଳାଇଥା’ନ୍ତି।

ଏବର୍ଷ ଫେବ୍ରୁଆରି ୧୬ ତାରିଖ ଠାରୁ ପ୍ରାୟ ୮ଦିନ ବ୍ୟାପୀ ଅଲିଭ୍ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ହୋଇଥିଲା। ଋଷିକୁଲ୍ୟା ମୁହାଣର ଗୋଖରକୁଦା ଠାରୁ ବଟେଶ୍ଵର ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବେଳାଭୂମିରେ ପ୍ରଥମ ପର୍ଯ୍ୟାୟରେ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଅଣ୍ଡାଦାନ କରିଥିଲେ। ସେହିପରି ଗତ ଶୁକ୍ରବାର ଠାରୁ ଦ୍ବିତୀୟ ପର୍ଯ୍ୟାୟ କଇଁଛଙ୍କ ଆଗମନ ଆରମ୍ଭ ନୂଆପୋଡ଼ମପେଟାରୁ ବଟେଶ୍ଵର ଦେଇ ସିଦ୍ଧାନ୍ତନଗର ପର୍ଯ୍ୟନ୍ତ ବେଳାଭୂମିରେ ମୋଟ ୧ଲକ୍ଷ ୨୦ହଜାର ୩୧ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ଦୁଇଟି ପର୍ଯ୍ୟାୟରେ ୮ଲକ୍ଷରୁ ଉର୍ଦ୍ଧ୍ଵ କଇଁଛ ଗଣଅଣ୍ଡାଦାନ କରିବା ଏକ ସର୍ବକାଳୀନ ରେକଡ଼। ପ୍ରକାଶ ଥାଉ କି, ଗତ ୨୦୦୬, ୨୦୧୧ ଓ ୨୦୧୮ରେ ମଧ୍ୟ ଏଭଳି ଦ୍ବିତୀୟ ଥର ଗଣଅଣ୍ଡାଦାନ ହୋଇଥିବା ଦେଖିବାକୁ ମିଳିଥିଲା ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଆସନ୍ତା ଏପ୍ରିଲ୍ ଦ୍ବିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟର ଅଣ୍ଡା ଫୁଟି ଛୁଆ ବାହାରିବା ନେଇ ଆଶା ପ୍ରକାଶ କରିଛନ୍ତି ପରିବେଶ ବିତ୍।

Categories
ଆଜିର ଖବର ରାଜ୍ୟ ଖବର

ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପରିଚାଳନା କିପରି ଚାଲିଛି ଏବଂ ସରକାରଙ୍କ ସଂଯୋଜନାରୁ ଜନ ସାଧାରଣ କିଭଳି ଉପକୃତ ହେଉଛନ୍ତି ସେହି ସମ୍ପର୍କରେ ଗଞ୍ଜାମ ଜିଲ୍ଲା ସଚିବ ଭାବେ ନିଯୁକ୍ତ ହୋଇଥିବା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ରବିବାର ଦିନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ଦେଖିଥିଲେ। ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ସ୍ଥିତ ଲଙ୍ଗେଳେଶ୍ବର ଗ୍ରାମ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଣିନାଗେଶ୍ବର ସିଲେଇ କେନ୍ଦ୍ର ପରିଦର୍ଶନ କରି ସେମାନଙ୍କର ସଭାପତି, ସଂପାଦକ ଓ ସଭ୍ୟ ମାନଙ୍କ ସହିତ ଆଲୋଚନା କରି ଚଳିତ ବର୍ଷ ୨୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ହେତୁ ଖୁସି ପ୍ରକାଶ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ସେମାନେ କିଭଳି ଆହୁରି ଅଧିକ ବ୍ୟବସାୟ କରିପାରିବେ ସେଥି ନିମନ୍ତେ ଆଲୋଚନା କରି ସମସ୍ତ ଦିଗରେ ସହଯୋଗ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

ସେ ଖଲ୍ଲିକୋଟ ସ୍ଥିତ ସରକାରୀ ଚାରୁକଳା ମହାବିଦ୍ୟାଳୟ ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟ କିପରି କରାଯିବ ଏବଂ ପ୍ରାଥମିକତା ଭିତ୍ତିରେ ଯାହା ସବୁ ଆବଶ୍ୟକତା ରହିଛି ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଗୁରୁତ୍ବ ଦେଇଥିଲେ।

ଏହି ଅବସରରେ ସେ ଗଞ୍ଜାମ ବ୍ଲକ୍ ଅଧିନସ୍ଥ ରାମଗଡ ଅର୍କିଡ୍ ଫୁଲଚାଷ ସ୍ଥଳ ପରିଦର୍ଶନ କରି ମହିଳା ମାନଙ୍କୁ ନେଇ ଉନ୍ନତମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଖୁସି ପ୍ରକଟ କରିଥିଲେ। କିଆ ଫୁଲରୁ କିଭଳି ଅତର ପ୍ରସ୍ତୁତ ହେଉଛି ତାହାର ପଦ୍ଧତି ପଚାରି ବୁଝିଥିଲେ।

ଛତ୍ରପୁର ବ୍ଲକ୍ ଅଧିନସ୍ଥ ଚମାଖଣ୍ଡି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ଗ୍ରାମ୍ୟ ଶିଳ୍ପ ପାର୍କ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ସ୍ଥିତ ଆହାର କେନ୍ଦ୍ର ଓ ମିଶନ ଶକ୍ତି କେଫ୍, ରଙ୍ଗେଇଲୁଣ୍ଡା ବ୍ଲକ୍ ସ୍ଥିତ ପୁକୁଡି ବନ୍ଧ, ଭାବି ନାରାୟଣପୁର ଅନ୍ବେଷା ଛାତ୍ର ଓ ଛାତ୍ରୀ ଆବାସ, କନିଷି ସ୍ଥିତ ଅନୁସୂଚୀତ ଜାତି ଓ ଜନଜାତି ଆବାସିକ ଛାତ୍ରାବାସ ଏବଂ ମନ୍ତ୍ରି ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଯୋଜନା ଗୁଡିକର କାର୍ଯ୍ୟକାରିତା କିଭଳି ଚାଲିଛି ଏବଂ ଜନସାଧାରଣ ଉକ୍ତ ଯୋଜନା ଦ୍ବାରା କିଭଳି ଉପକୃତ ହେଉଛନ୍ତି ତାହା ସଂପୃକ୍ତ ଅଧିକାରୀ, କର୍ମଚାରୀ ତଥା ସଭ୍ୟ ସଭ୍ୟାମାନଙ୍କୁ ପଚାରି ବୁଝିଥିଲେ। ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିନା ଦସ୍ତଗୀର, ସମସ୍ତ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶ ଥାଉକି ସରକାରଙ୍କ ଦ୍ବାରା ଗଞ୍ଜାମ ଜିଲ୍ଲାର ଜିଲ୍ଲା ସଚିବ ଦାୟୀତ୍ବ ନେବାପରେ ଏହା ତାଙ୍କର ପ୍ରଥମ ଗସ୍ତ।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ର ଯୁବ ସଂଗଠନ ପକ୍ଷରୁ ଶହୀଦ୍ ଭଗତ ସିଂଙ୍କ ବଳିଦାନ ଦିବସ ପାଳିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଛାତ୍ର ଯୁବ ସଙ୍ଗଠନ ପକ୍ଷରୁ ଶହୀଦ୍ ଶିରୋମଣି ଭଗତ ସିଂଙ୍କ ୯୪ ତମ ସହିଦ୍ ଦିବସ ସମେତ ଶୁକଦେବ ଓ ରାଜଗୁରୁଙ୍କ ସହିଦ୍ ଦିବସ ପାଳିତ ହୋଇଯାଇଛି। ଶହୀଦ୍ ଭଗତ ସିଂ ଓ ତାଙ୍କର ସାଥି ମାନେ ଦେଶରେ ସାମ୍ପ୍ରଦାୟିକ, ଧାର୍ମିକ,ଜାତିପ୍ରଥା ବିରୁଦ୍ଧରେ ସଂଘର୍ଷ କରିବା ସହ ଯେଉଁ ଶୋଷଣ – ଲୁଣ୍ଠନ – ଦମନ ବିହୀନ ମାନବ ସମାଜ ବ୍ୟବସ୍ଥାର ସ୍ୱପ୍ନ ଦେଖିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ଖଲ୍ଲିକୋଟ କଲେଜ ଛକ ଠାରୁ ଶୋଭାଯାତ୍ରା ବାହାରି ଗିରି ମାର୍କେଟ ସ୍ଥିତ ପ୍ରକାଶମ ହଲ ଠାରେ ଶହୀଦ ଦିବସ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନବାଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲିକ, ଆଇନଜୀବୀ ଅବନୀ କୁମାର ଗୟା, ଅଲ କ୍ଷେତ ମଜଦୁର କିଷାନ ସଭାର ରାଜ୍ୟ ନେତା ନିରକାର ନାୟକ, ଜିଲ୍ଲା କମିଟି ରଞ୍ଜନ ଶବରଙ୍କ ସମେତ ଶହ ଶହ ସଂଖ୍ୟାରେ ଯୁବଛାତ୍ର ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବସ୍ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବସଷ୍ଟାଣ୍ଡ ପରିସରରେ ଉମରକୋଟ ଠାରୁ ଭୁବନେଶ୍ଵର ଯାଉଥିବା ସରକାରୀ ବସ୍ ଧକ୍କାରେ ତ୍ରିନାଥ ଗୌଡ ନାମକ ଜଣେ ପାଣି ବୁହାଳି ଶ୍ରମିକର ବିୟୋଗ ଘଟିଛି। ମୃତ ତ୍ରିନାଥଙ୍କ ଘର ତାରା ସିଂ ଥାନା ଅର୍ନ୍ତଗତ ବ୍ରାହ୍ମଣପଦର ଓ ସେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ହୋଟେଲରେ ପାଣି ଯୋଗାଇ ପରିବାର ଚଳାଉଥିବା ବେଳେ ସେ ଭଞ୍ଜନଗର ବସଷ୍ଟାଣ୍ଡ ର ବିଭିନ୍ନ ଦୋକାନ ବାରଣ୍ଡାରେ ରାତ୍ରୀ ଯାପନ କରୁଥିଲେ।

କିନ୍ତୁ ଗତ ବୁଧବାର ରାତିରେ ବସଷ୍ଟାଣ୍ଡ ରାସ୍ତା କଡ଼ରେ ଶୋଇଥିଲା ବେଳେ ଉକ୍ତ ବସ୍ ରାସ୍ତା କଡ଼ରେ ଛିଡ଼ା କରିବା ପାଇଁ ପାଖେଇ ଆସୁଥିବାବେଳେ ଅସାବଧାନତାବଶତଃ ତ୍ରିନାଥ ଉପରେ ଚଢ଼ି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତ୍ରିନାଥଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ୩ ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ଆରମ୍ଭ

ବ୍ରହ୍ମପୁର: ଚଳିତ ବର୍ଷର ଶେଷ ହୋଇଥିବା ମାଟ୍ରିକ ପରୀକ୍ଷାର ଖାତା ଦେଖା ବୁଧବାରଠାରୁ ଆରମ୍ଭ ହୋଇଛି। ଜିଲ୍ଲାର ୩ ଟି କେନ୍ଦ୍ର ବ୍ରହ୍ମପୁର ସ୍ଥିତ ଭିଭି ଗିରି ସରକାରୀ ମହିଳା ମାଧ୍ଯମିକ ପ୍ରଶିକ୍ଷଣ ବିଦ୍ୟାଳୟ, ଆସିକା ସ୍ଥିତ ହରିହର ହାଇସ୍କୁଲ ଓ ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲରେ ମୂଲ୍ୟାୟନ କେନ୍ଦ୍ର କରାଯାଇ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଛି।

ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୬୦୦ଜଣ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି। ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖା ଚାଲୁ ରହିଛି। ପ୍ରତି ସେଣ୍ଟରରେ ଜଣେ ଲେଖାଏଁ କ୍ୟାମ୍ପ ଅଫିସର, ଦୁଇଜଣ କ୍ୟାମ୍ପ ଆସିଷ୍ଟାଣ୍ଟ ଓ ଜଣେ କ୍ୟାମ୍ପ ଆଟେଡ଼ାଣ୍ଟ ରହିଛନ୍ତି।

ସେହିପରି ଚିଫ ଏକ୍ସାମିନର, ଡ଼େପୁଟି ଚିଫ ଏକ୍ସାମିନର, ଆସିଷ୍ଟାଣ୍ଟ ଏକ୍ସାମିନର ଓ ସ୍ଫୁଟିନାଇଜର ଭାବେ ପ୍ରତି କେନ୍ଦ୍ରରେ ପ୍ରାୟ ୧୪୦ ଜଣ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି। ଚଳିତବର୍ଷ ୧୨ ଦିନ ଧରି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ଚାଲିବାର ସୁଚନା ରହିଛି।

ତେବେ ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମଧ୍ଯ ଦେଖାଯିବ। ସେହିପରି ଖାତା ଦେଖା ମୂଲ୍ୟାୟନକୁ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଚଳିତବର୍ଷ ଫେବ୍ରୁଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ଶେଷ ହୋଇଥିଲା।  ଜିଲ୍ଲାରୁ ମୋଟ ଏଥ୍‌ରେ ୪୩ ହଜାର ୪୩୫ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ନାମ ଲେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରା ବାଣ ଆଘାତରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୋଦଳା ସହରରେ ଦୋଳପୂର୍ଣ୍ଣିମା ଉପଲକ୍ଷେ ଗ୍ରାମର ଠାକୁରଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇତ୍ୟବସରରେ ଘଣ୍ଟ ଘଣ୍ଟା ଓ କୀର୍ତ୍ତନ କାର୍ଯ୍ୟକ୍ରମ ସହ ଆତସବାଜି ଫୁଟାଇ ଠାକୁରଙ୍କୁ ନଗର ପରିକ୍ରମା ସମୟରେ ବାଣ ବିସ୍ଫୋରଣରେ ୫ ଜଣ ଯୁବକ ଆହତ ହୋଇଥିଲେ। ଏହା ମଧ୍ୟରେ ଜୀତେନ୍ଦ୍ର ପରିଡ଼ା ନାମକ ଜଣେ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

ସେଠାରେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଗତ ମଙ୍ଗଳବାର ରାତିରେ ଜୀତେନ୍ଦ୍ର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଜୀତେନ୍ଦ୍ରଙ୍କ ଶବକୁ ଗାଁ କୁ ଆଣି ପରିକ୍ରମା କରିବା ସହିତ ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ଗ୍ରାମବାସି ଅନ୍ତିମ ବିଦାୟ ଦେଇଛନ୍ତି।

ସୁଚନା ଥାଉକି ଗ୍ରାମର କୌଣସି କାର୍ଯ୍ୟକ୍ରମରେ ବାଣ ଫୁଟାଇବା ପାଇଁ ପୁରୁଷୋତ୍ତମ ପୁର ଏସ୍ ଡି ପି ଓ ଓ କୋଦଳା ତହସିଲଦାରଙ୍କ ଉପସ୍ଥିତରେ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଦୁଇ ଜଣ ଗିରଫ ମଧ୍ୟ ହୋଇଥିଲେ। କିନ୍ତୁ ନିଷ୍ପତ୍ତି ଅବମାନନା କରି ବର୍ତ୍ତମାନ ଏହି ଭଳି ଅଘଟଣ ଯୋଗୁଁ ସୋନୁ ଆଚାରୀ ଓ କାଳିଆ ମହାନ୍ତି ନାମକ ଦୁଇ ଜଣ ଗିରଫ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଣି ଗାରେଡିକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୩ ମୃତ୍ୟୁ, ୩ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବଡଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକର ବାହାରପୁର ପଂଚାୟତ ଅଧିନସ୍ଥ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡି କୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ , ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମୃତ ୩ ଜଣ ହେଲେ ଗୋଟିଏ ଗୋଷ୍ଠୀର ବାପା ଖଦାଳ ବେହେରା (୬୪) ପୁଅ ରତ୍ନାକର ବେହେରା (୩୯) ଓ ଅନ୍ୟ ଗୋଷ୍ଠୀର ଉମେଶ ବେହେରା (୪୪)। ଗୁରୁତରମାନେ ହେଲେ ଅରୁଣ ବେହେରା (୩୦), ଭିକାରୀ ବେହେରା (୧୯) ଓ ଜଗା ବେହେରା (୧୮)। ସମସ୍ତ ଗୁରୁତରଙ୍କୁ ପ୍ରଥମେ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବର୍ତ୍ତମାନ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଖାରିପଲିଗାଁ ରେ ଉତ୍ତେଜନା ଲାଗି ରହିଛି। ପୁଲିସ ମୁତୟନ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚୈତ୍ର ପର୍ବର ପ୍ରଥମ ମଙ୍ଗଳବାର ଯାତ୍ରା: ମା’ ତାରା ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ବ୍ରହ୍ମପୁର: ଚୈତ୍ର ପର୍ବର ପ୍ରଥମ ମଙ୍ଗଳବାର ଯାତ୍ରାରେ ଆଜି ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଛି। ସକାଳୁ ମନ୍ଦିର ଦ୍ଵାର ଫିଟା ନୀତି ପରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଷକ ଆଦି ନୀତିକାନ୍ତି ସଂପନ୍ନ କରାଯାଇଥିଲା। ଏହାପରେ ମା’ ତାରା ତାରିଣୀ ଦୁଇ ଭଉଣୀଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା।

ଭୋର ୪.୩୦ରେ ସାହାଣ ମେଲା ପରେ ମା’ ତାରା ତାରିଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ରାତି ୩ ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଭକ୍ତଙ୍କ ପାଇଁ ଦେୟମୁକ୍ତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ୯୭ ପ୍ରତିଶତ ଧାନ କ୍ରୟ ଶେଷ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଦିନିଆ ବର୍ଷା ମାଡ଼ ପରେ ବଞ୍ଚିଥିବା ଫସଲ ସାଉଁଟି ଚାଷୀ ମଣ୍ଡିରେ ବିକ୍ରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାକୁ ମିଳିଥିବା ଟାର୍ଗେଟ ମଧ୍ୟରୁ ପ୍ରାୟ ୯୭ ପ୍ରତିଶତ ଧାନ ସଂଗ୍ରହ ହୋଇସାରିଲାଣି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୯ ହଜାର ୧୬୧ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତି ସହିଥିଲେ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବିଭିନ୍ନ ସମୟରେ ଗ୍ରାମାଞ୍ଚଳରେ ଥିବା ମଣ୍ଡି ଗୁଡ଼ିକୁ ଅଚାନକ ପରିଦର୍ଶନରେ ଯାଇ ଧାନକ୍ରୟ ପ୍ରକ୍ରିୟାରୁ ଯେପରି ଚାଷୀ ବାଦ୍ ନ ପଡ଼ିବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବହୁ ବାଧାବିଘ୍ନ ସତ୍ତ୍ବେ ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ସରିଛି। ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ସୁବିଧା ପାଇଁ ଗତ ଡିସେମ୍ବର ୨୩ ବଦଳରେ ଜାନୁଆରି ୩ ତାରିଖରୁ ଧାନମଣ୍ଡି ଖୋଲିଥିଲା। କିନ୍ତୁ ବର୍ଷା ଜନିତ କ୍ଷୟକ୍ଷତି ଯୋଗୁଁ ଧାନକ୍ରୟ ପ୍ରକ୍ରିୟା ଆଗେଇ ପାରି ନଥିଲା ଜାନୁଆରି ତୃତୀୟ ସପ୍ତାହରୁ ଧାନକ୍ରୟ ଜୋର୍ ଧରିଥିଲ।

ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଧାନକ୍ରୟ ହେବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ସୂଚନା ଦେଇଛନ୍ତି। ଧାନକ୍ରୟ ସମୟରେ ଜିଲ୍ଲା ପ୍ରସଶସନ ପକ୍ଷରୁ ଧାନ ର ମାନକୁ କିଛିଟା କୋହଳ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ୨୦୨୪-୨୫ ଖରିପ୍ ପାଇଁ ଧାନ ବିକ୍ରି ନିମନ୍ତେ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ଧାନବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏହି ଚାଷୀଙ୍କ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪୪ ଲକ୍ଷ ୮୧ ହଜାର ୭୬୧ କ୍ରିଣ୍ଟ୍ରାଲ୍ ଧାନକ୍ରୟ କୋଟା ଆସିଥିଲା। ପରେ ଟାର୍ଗେଟ ବୃଦ୍ଧି ପାଇ ୬୦ ଲକ୍ଷ ୧୮ ହଜାର କ୍ରିଣ୍ଟ୍ରାଲ୍ କରାଯାଇଥିଲା।

ସେହିପରି ମୋଟ ୧ ଲକ୍ଷ ୬୪ ହଜାର ୮୬୯ ଟୋକନ୍ ଜାରି ହୋଇଥିବା ବେଳେ ୧ ଲକ୍ଷ ୬୩ ହଜାର ୧୯୫ ଟୋକନ୍‌ରେ ଧାନକ୍ରୟ ସରିଛି ଜିଲ୍ଲାର ପ୍ରାୟ ୯୬ ପ୍ରତିଶତ ଚାଷୀଙ୍କ ଠାରୁ ୫୮ଲକ୍ଷ ୪୬ ହଜାର କ୍ରିଣ୍ଟ୍ରାଲ୍ ଧାନ ସଂଗ୍ରହ କରାଯାଇଛି। କୌଣସି ଚାଷୀ ଯେପରି ସରକାରୀ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ନହେବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାରେ ବହୁ ଚାଷୀଙ୍କ ଟୋକନ୍ ଅବଧି ମଧ୍ୟ ବୃଦ୍ଧି କରାଯାଇଥିଲା। ଫଳରେ ଚାଷୀ ବେଶ ଉପକୃତ ହୋଇଛନ୍ତି। ଜିଲ୍ଲାର ବେଲଗୁଣ୍ଠା, ବୁଗୁଡ଼ା, ଭଞ୍ଜନଗର, ଚିକିଟି, ଧରାକୋଟ, ଦିଗପହଣ୍ଡି, ଜଗନ୍ନାଥପ୍ରସାଦ, ଖଲ୍ଲିକୋଟ, ପାତ୍ରପୁର ଭଳି ବ୍ଲକ୍‌ରେ ୯୯ ପ୍ରତିଶତ ଧାନକ୍ରୟ ସରିଲାଣି।