Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଡ ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ, ଅଭିଯୁକ୍ତ ଫେରାର

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ବଳମ ପଞ୍ଚାୟତ ଅନ୍ତର୍ଗତ ଧଳତୈଲା ଗ୍ରାମରେ ଜନୈକ ଯୁବକକୁ ମାଡ ମାରି ହତ୍ୟା କରାଯାଇଥିବା ପୋଲିସ୍ କହିଛି। ମୃତ ଯୁବକ ଜଣକ ହେଲେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଧଳତୈଲା ଗ୍ରାମର ଅରକ୍ଷିତ ମହାକୁଡ଼ (୩୫) ବର୍ଷ ବୋଲି ଜଣା ଯାଇଛି।

ସୂଚନା ଅନୁସାରେ ଅରକ୍ଷିତ ଗତକାଲି ପ୍ରାୟ ଅପରାହ୍ନ ୪ଟା ସମୟରେ ନିଶା ସେବନ କରି ଘରେ ଆସି ପାଟିତୁଣ୍ଡ କରୁଥିଲା। ପାଟିତୁଣ୍ଡ କରୁଥିବା ସମୟରେ ପଡୋଶୀ ବିରେନ ପ୍ରଧାନ ନାମକ ଯୁବକ ଅରକ୍ଷିତ ଘରକୁ ଯାଇ ମାଡ ମାରିବାରୁ ସେ ତଳେ ପଡି ଅଚେତ ହୋଇଯାଇଥିଲା।

ତେବେ ପରିବାର ଲୋକେ ତୁରନ୍ତ ଅରକ୍ଷିତକୁ ନାକଟିଦେଉଳ ଡାକ୍ତରଖାନାକୁ ନେଇଆସିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନା ନେବାବେଳେ ଶକ୍ରବାର ସଂଧ୍ୟାରେ ବୁର୍ଲା ନେବା ବାଟରେ ଯୁବକର ମୃତ୍ୟୁ ହୋଇଯାଇଥିଲା।

ଏ ସମ୍ପର୍କରେ ଅରକ୍ଷିତର ସ୍ତ୍ରୀ ଭାରତୀ ମହାକୁଡ଼ଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବୁର୍ଲା ଯାଇ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଭିଯୁକ୍ତ ନାଁରେ କେସ ନଂ ୧୭/୨୩ରେ ୩୦୨ଦଫାରେ ହତ୍ୟା ମାମଲା ରୁଜୁ କରିଥିବା ପୋଲିସ ପ୍ରକାଶ କରିଛି।  ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଫେରାର ଥିବା କିସିଣ୍ଡା ଥାନାଧିକାରୀ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ନିଶା ବେପାରୀଙ୍କ ଗାଡ଼ିରୁ ୨୨ ଲକ୍ଷ ଟଙ୍କା ଜବତ କଲା ଟାଉନ ଥାନା ପୋଲିସ, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବ୍ରାଉନ ସୁଗାର ବେପାରିର ଗାଡ଼ି ଯାଞ୍ଚ କରି ଜବତ କରିଛି ଲକ୍ଷାଧିକ ଟଙ୍କା।

ସୂଚନା ମୁତାବକ ଆଜି ଶିଆଳିଆ ଗ୍ରାମ ରାସ୍ତାରେ ଶରତ ବେହେରା ନାମକ ଜଣେ ନିଶା ବେପାରି ବ୍ରାଉନସୁଗାର କିଣିବା ପାଇଁ ରାଜଧାନୀ ଅଭିମୁଖେ ଯାଉଥିବା ବେଳେ ପୋଲିସ ଖବର ପାଇ ଶରତଙ୍କ ଗାଡିକୁ ଅନୁସରଣ କରିଥିଲା। ଦୂରରୁ ପୋଲିସ ଗାଡ଼ି ଦେଖି ବ୍ରାଉନସୁଗାର ମାଫିଆ ଶରତ ଘଟଣାସ୍ଥଳରୁ ଗାଡ଼ି ଛାଡି ଫେରାର ହୋଇଯାଇଥିଲେ।

ତେବେ ଯାଞ୍ଚ୍ ସମୟରେ ଗାଡି ଭିତରୁ ନକଦ ୨୨ ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଆଜି ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଗତ ମାସ ୨୧ ତାରିଖରେ ଟାଉନ ଥାନା ପୋଲିସ ନିଶା କାରବାରରେ ଜଡ଼ିତ ଥିବା କନୀ ବେହେରା, ସ୍ୱର୍ଣ୍ଣଲତା ବେହେରା, ଦମୟନ୍ତି ନାୟକ, କୁଳମଣି ବେହେରା ଓ ନୀଳମଣି ବେହେରାଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୫୦ ଗ୍ରାମ ବ୍ରାଉନ ସୁଗାର ଏବଂ ୫୧୧.୬୭୦ ଗ୍ରାମର ସୁନା ଅଳଙ୍କାର ଏବଂ ୮୩୦ ଗ୍ରାମର ରୁପା ଅଳଙ୍କାର ଜବତ କରିବା ସହ କେସ ନମ୍ବର ୫୨୧/୨୨ ରେ ମାମଲା ରୁଜୁ କରି କନିଙ୍କ ପୁଅ ଶରତ ବେହେରାଙ୍କୁ ଖୋଜୁଥିଲା।

ଆଜି ସକାଳୁ ଶରତ ଓଡ଼ି ୦୨-ସିବି ୪୨୪୨ ନମ୍ବର ଗାଡ଼ିରେ ରାଜଧାନୀ ଅଭିମୁଖେ ଯାଉଥିବା ବେଳେ ଖବର ପାଇ ପୋଲିସ ଚଢାଉ କରିଥିଲା। ପୋଲିସ ଗାଡ଼ି ଓ ଟଙ୍କା ଜବତ କରି ତଦନ୍ତ ଜାରି ରଖିଛି। ଉକ୍ତ ପ୍ରେସ ମିଟରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆ: କାରରୁ ୧୦୨୦ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଅବକାରୀ ବିଭାଗ ବେଗୁନିଆ ଥାନା ରସୋଳ ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ବୋଝେଇ କାର ଜବତ କରିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ରଜନୀକାନ୍ତ ରାଉତରାୟ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରୁ ଦେଶୀ ମଦ ଏକ କାରରେ ନେଇ ଆସୁଥିବାର ଖବର ପାଇଥିଲା ଅବକାରୀ ବିଭାଗ। ବିଳମ୍ବ ନକରି ଅବକାରୀ ଅଧିକାରୀ ମାନେ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ରାସୋଳ ଗ୍ରାମରେ ଡେରା ପକାଇଥିଲେ।

ତେବେ ଗ୍ରାମରେ ପହଞ୍ଚିବା ପୁର୍ବରୁ ଦୁରରୁ ଅବକାରୀ ଅଧିକାରୀଙ୍କୁ ଦେଖି କାରରୁ ଡିଆଁ ମାରି ଫେରାର ହୋଇଯାଇଥିଲେ ରଜନୀକାନ୍ତ। ଅବକାରୀ ବିଭାଗ ଘଟଣାସ୍ଥଳରୁ ୧୦୨୦ ଲିଟର ଦେଶୀ ମଦ ସମେତ ଏକ ମାରୁତି ୮୦୦ କାର ଜବତ କରିବା ସହ ଫେରାର ଅଭିଯୁକ୍ତଙ୍କ ବିରୋଧରେ ପିଆର ନମ୍ବର ୬୯/୨୨-୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ , ଜିଲ୍ଲା ମୋବାଇଲ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା, ବେଗୁନିଆ ମୋବାଇଲ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର ଥାନା ହାଜତରୁ ଅଭିଯୁକ୍ତ ଫେରାର ଘଟଣା: ପୁରୀ ଜିଲ୍ଲାରୁ ଗିରଫ କଲା ପୋଲିସ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ପୋଲିସକୁ ଚକମା ଦେଇ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ ନାମକ ଅଭିଯୁକ୍ତଜଣଙ୍କ ନିରାକାରପୁର ଥାନା ହାଜତରୁ ଫେରାର ହୋଇଯାଇଥିଲା। ୨୦୧୩ ମସିହାରେ ଏକ ଚୋରି ଘଟଣାରେ ପ୍ରଭାତ ଓ ତାର ସହଯୋଗୀ ଦୀର୍ଘ ଦିନ ହେବ ଫେରାର ରହିଥିଲେ। ତେବେ ସେହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଥାନା ହାଜତରେ ଅଟକ ରଖିଥିଲା।

ଗତକାଲି ରାତି ୧୦ଟା ସମୟରେ ପ୍ରଭାତ ସୁଯୋଗ ଉଣ୍ଡି ପୋଲିସ ହାଜତରୁ ଫେରାର ହୋଇଥିଲା। ଫେରାର ଅଭିଯୁକ୍ତକୁ ଧରିବାପାଇଁ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ପୋଲିସ ଟିମ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଥିଲା। ଶେଷରେ ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଗଡଖାରଦ ଠାରୁ ପ୍ରଭାତକୁ ପୋଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକାଧିକ ଚୋରି ମାମଲା ଅଛି। ଆଜି ଦୁଇ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।