ଖୋର୍ଦ୍ଧା: ନିଶା ବେପାରୀଙ୍କ ଗାଡ଼ିରୁ ୨୨ ଲକ୍ଷ ଟଙ୍କା ଜବତ କଲା ଟାଉନ ଥାନା ପୋଲିସ, ଅଭିଯୁକ୍ତ ଫେରାର

Published: Nov 22, 2022, 8:33 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବ୍ରାଉନ ସୁଗାର ବେପାରିର ଗାଡ଼ି ଯାଞ୍ଚ କରି ଜବତ କରିଛି ଲକ୍ଷାଧିକ ଟଙ୍କା।

ସୂଚନା ମୁତାବକ ଆଜି ଶିଆଳିଆ ଗ୍ରାମ ରାସ୍ତାରେ ଶରତ ବେହେରା ନାମକ ଜଣେ ନିଶା ବେପାରି ବ୍ରାଉନସୁଗାର କିଣିବା ପାଇଁ ରାଜଧାନୀ ଅଭିମୁଖେ ଯାଉଥିବା ବେଳେ ପୋଲିସ ଖବର ପାଇ ଶରତଙ୍କ ଗାଡିକୁ ଅନୁସରଣ କରିଥିଲା। ଦୂରରୁ ପୋଲିସ ଗାଡ଼ି ଦେଖି ବ୍ରାଉନସୁଗାର ମାଫିଆ ଶରତ ଘଟଣାସ୍ଥଳରୁ ଗାଡ଼ି ଛାଡି ଫେରାର ହୋଇଯାଇଥିଲେ।

ତେବେ ଯାଞ୍ଚ୍ ସମୟରେ ଗାଡି ଭିତରୁ ନକଦ ୨୨ ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଆଜି ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଗତ ମାସ ୨୧ ତାରିଖରେ ଟାଉନ ଥାନା ପୋଲିସ ନିଶା କାରବାରରେ ଜଡ଼ିତ ଥିବା କନୀ ବେହେରା, ସ୍ୱର୍ଣ୍ଣଲତା ବେହେରା, ଦମୟନ୍ତି ନାୟକ, କୁଳମଣି ବେହେରା ଓ ନୀଳମଣି ବେହେରାଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୫୦ ଗ୍ରାମ ବ୍ରାଉନ ସୁଗାର ଏବଂ ୫୧୧.୬୭୦ ଗ୍ରାମର ସୁନା ଅଳଙ୍କାର ଏବଂ ୮୩୦ ଗ୍ରାମର ରୁପା ଅଳଙ୍କାର ଜବତ କରିବା ସହ କେସ ନମ୍ବର ୫୨୧/୨୨ ରେ ମାମଲା ରୁଜୁ କରି କନିଙ୍କ ପୁଅ ଶରତ ବେହେରାଙ୍କୁ ଖୋଜୁଥିଲା।

ଆଜି ସକାଳୁ ଶରତ ଓଡ଼ି ୦୨-ସିବି ୪୨୪୨ ନମ୍ବର ଗାଡ଼ିରେ ରାଜଧାନୀ ଅଭିମୁଖେ ଯାଉଥିବା ବେଳେ ଖବର ପାଇ ପୋଲିସ ଚଢାଉ କରିଥିଲା। ପୋଲିସ ଗାଡ଼ି ଓ ଟଙ୍କା ଜବତ କରି ତଦନ୍ତ ଜାରି ରଖିଛି। ଉକ୍ତ ପ୍ରେସ ମିଟରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦ ଉପସ୍ଥିତ ଥିଲେ।

Related posts