ବେଗୁନିଆ: କାରରୁ ୧୦୨୦ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର

Published: Sep 22, 2022, 10:47 pm IST

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଅବକାରୀ ବିଭାଗ ବେଗୁନିଆ ଥାନା ରସୋଳ ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ବୋଝେଇ କାର ଜବତ କରିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ରଜନୀକାନ୍ତ ରାଉତରାୟ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରୁ ଦେଶୀ ମଦ ଏକ କାରରେ ନେଇ ଆସୁଥିବାର ଖବର ପାଇଥିଲା ଅବକାରୀ ବିଭାଗ। ବିଳମ୍ବ ନକରି ଅବକାରୀ ଅଧିକାରୀ ମାନେ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ରାସୋଳ ଗ୍ରାମରେ ଡେରା ପକାଇଥିଲେ।

ତେବେ ଗ୍ରାମରେ ପହଞ୍ଚିବା ପୁର୍ବରୁ ଦୁରରୁ ଅବକାରୀ ଅଧିକାରୀଙ୍କୁ ଦେଖି କାରରୁ ଡିଆଁ ମାରି ଫେରାର ହୋଇଯାଇଥିଲେ ରଜନୀକାନ୍ତ। ଅବକାରୀ ବିଭାଗ ଘଟଣାସ୍ଥଳରୁ ୧୦୨୦ ଲିଟର ଦେଶୀ ମଦ ସମେତ ଏକ ମାରୁତି ୮୦୦ କାର ଜବତ କରିବା ସହ ଫେରାର ଅଭିଯୁକ୍ତଙ୍କ ବିରୋଧରେ ପିଆର ନମ୍ବର ୬୯/୨୨-୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ , ଜିଲ୍ଲା ମୋବାଇଲ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା, ବେଗୁନିଆ ମୋବାଇଲ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Related posts