Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆରେ ବେଆଇନ ବାଣ ଗୋଦାମରେ ଚଢାଉ: ବିପୁଳ ପରିମାଣରେ ବାଣ ଜବତ

ଖୋର୍ଦ୍ଧା: ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ନାଗରିକଙ୍କ ସୁରକ୍ଷା ପାଇଁ ଓଡିଶା ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି। ଅନୁରୂପ ଭାବେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ପାର୍ବଣ ଋତୁ ସମୟରେ ଜିଲ୍ଲା ବାସୀଙ୍କ ସୁରକ୍ଷା ପାଇଁ ଏକାଧିକ ପଦକ୍ଷେପ ନେଇଛି ଜିଲ୍ଲା ପୋଲିସ।

ଦୀପାବଳି ଆହୁରି ପାଖାପାଖି ଏକ ମାସ ଥିବା ବେଳେ ବେଆଇନ ବାଣ କାରବାର ଉପରେ କଡ଼ାକଡି ନଜର ରଖିଛି ପୋଲିସ। ତେବେ ବେଗୁନିଆ ଥାନା କଣ୍ଟାବାଡ ଗ୍ରାମରେ ବିପୁଳ ପରିମାଣରେ ବେଆଇନ ବାଣ କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ।

ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଦର ଏସଡିପିଓ ଦିଲ୍ଲୀପ ଦାସଙ୍କ ତତ୍ୱାବଧାନରେ ଆଜି ବେଗୁନିଆ ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ନେତୃତ୍ୱରେ କଣ୍ଟାବାଡ ଗ୍ରାମସ୍ଥିତ ଏକ ଗୋଦାମରେ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବେଆଇନ ବାଣ ଓ ବାରୂଦ ଜବତ କରାଯାଇଛି।

ସୂଚନା ମୁତାବକ କଣ୍ଟାବାଡ଼ ଗ୍ରାମରେ ବିଶ୍ୱନାଥ ମହାପାତ୍ରଙ୍କ ଗୋଦାମ ଘରେ ଚଢ଼ାଉ ହୋଇଥିବା ବେଳେ ସେଠାରୁ ଦୁଇ ଗୋଟି ବାଣ ବୋଝେଇ ମିନି ଟ୍ରକ ଏବଂ ୨୫ କେଜି ବାରୂଦ ଜବତ ହୋଇଛି। ଜବତ ବାଣ ଓ ବାରୂଦର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସମସ୍ତ ଜବତ ବାଣକୁ ନଷ୍ଟ କରାଯାଇଥିବା ବେଳେ ବାଣ ବେପାରି ବିଶ୍ୱନାଥ ମହାପାତ୍ର ଏବଂ ତାଙ୍କ ସମ୍ପର୍କୀୟ ପ୍ରସନ୍ନ ମହାପାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ବେଗୁନିଆରୁ କିଏ ହେବ ବିଜେଡି ପ୍ରାର୍ଥୀ? ପ୍ରଶାନ୍ତ ଜଗଦ୍ଦେବ, ରାଜେନ୍ଦ୍ର ନା ପ୍ରଦୀପ ସାହୁ

ଭୁବନେଶ୍ବର: ଓଡିଶା ବିଧାନସଭା ନିର୍ବାଚନକୁ ଆହୁରି ବର୍ଷେ ବାକିଥିଲେ ମଧ୍ୟ ବର୍ତ୍ତମାନଠାରୁ ରାଜ୍ୟ ରାଜନୀତି ବେଶ୍ ଉଷୁମ ହେବାରେ ଲାଗିଛି। ତେବେ ଏହା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଟିକିଏ ଅଧିକ ଅନୁଭୂତ ହେବାରେ ଲାଗିଛି। କାରଣ ସେଠାରେ ତିନୋଟି ହେଭି ୱେଟ ନେତା ବିଜେଡି ଟିକେଟ ପାଇବେ ବୋଲି ଅନାଇ ବସିଛନ୍ତି। ଯାହାକୁ ନେଇ ସେଠାକାର ବିଜେଡି କର୍ମିମାନେ କୈଣସି ସ୍ପଷ୍ଟ ଚିତ୍ର ପାଇପାରୁ ନାହାଁନ୍ତି।

ବେଗୁନିଆରେ ବର୍ତ୍ତମାନ ବିଧାୟକ ଅଛନ୍ତି ବିଜେଡିର ରାଜେନ୍ଦ୍ର ସାହୁ। ସେ ଖୋର୍ଦ୍ଧାରେ ଦୁଇଥର ବିଧାୟକ ହେବା ପରେ ବିଜେଡି ତାଙ୍କୁ ଗତ ନିର୍ବାଚନରେ ବେଗୁନିଆ ଠେଲି ଦେଇଥିଲା। ତାଙ୍କର ଅନିଚ୍ଛା ସତ୍ବେ ସେ ସେଠାରେ ଲଢେଇ କଲେ ଆଉ ଜିତିଲେ ମଧ୍ୟ। ହେଲେ ଗତ କିଛି ମାସ ଧରି ସେ ଆଉ ବେଗୁନିଆରୁ ପ୍ରାର୍ଥୀ ନ ହୋଇ ଖୋର୍ଦ୍ଧାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି।

ଏପରି ଚର୍ଚ୍ଚା ଦେଖି ରାଜେନ୍ଦ୍ର କୁଆଡେ କର୍ମିମାନଙ୍କୁ ସ୍ପଷ୍ଟ କରି ଦେଇଛନ୍ତି ଯେ, ସେ ବେଗୁନିଆରୁ ହିଁ ଛିଡା ହେବେ। ବେଗୁନିଆବାସୀ ତାଙ୍କୁ କୁଆଡେ ଭଲ ପାଇବା ଦେଇଛନ୍ତି, ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସେ ବେଶ କିଛି କାମ କରିଛନ୍ତି। ସେଥିପାଇଁ ସେ ବେଗୁନିଆ ଛାଡିବେ ନାହିଁ ବୋଲି ଏକ କର୍ମି ସମ୍ମିଳନୀରେ ରାଜେନ୍ଦ୍ର ଘୋଷଣା କରିଛନ୍ତି। ଏପରି ଘୋଷଣା ସତ୍ବେ କର୍ମିମାନଙ୍କ ମନରୁ କିନ୍ତୁ ସନ୍ଦେହ ଦୂର ହୋଇପାରୁ ନାହିଁ।

ଅନ୍ୟପକ୍ଷରେ ବେଗୁନିଆ ଆସନ ଉପରେ ଆଖି ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେହି ଆସନଟି ହେଉଛି ତାଙ୍କର ପୁରୁଣା ଆସନ। ଚିଲିକାରେ ପ୍ରଶାନ୍ତଙ୍କ ଉପରେ ମରଣାତ୍ମକ ଆକ୍ରମଣ ଏବଂ ଗିରଫ ହେବା ସହ ଦଳରୁ ବହିସ୍କାର ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଅନ୍ୟପକ୍ଷରେ କୋର୍ଟ ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀକୁ ଯିବାକୁ ବାରଣ କରି ଥିବାରୁ ସେ ବର୍ତ୍ତମାନ ସୁଦ୍ଧା କିଛି କରିପାରୁ ନାହାଁନ୍ତି। ଫଳରେ ତାଙ୍କ ପାଇଁ ବେଗୁନିଆ ଏକ ସୁରକ୍ଷିତ ଆସନ ବୋଲି ପ୍ରଶାନ୍ତ ଚିନ୍ତା କରିଛନ୍ତି।

ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକଙ୍କ ଅନୁସାରେ ସେ କୁଆଡେ ଜୁନ ମାସରୁ ବେଗୁନିଆ ସଂଗଠନକୁ ସୁଦୃଢ କରିବେ ବୋଲି ନିଷ୍ପତି କରିଛନ୍ତି। ଅନ୍ୟପକ୍ଷରେ ଗତ ନିର୍ବାଚନରେ ବେଗୁନିଆର କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଦୀପ ସାହୁ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଛନ୍ତି। ସେ ମଧ୍ୟ ବେଗୁନିଆ ପାଇଁ ବଡ ଆଶା ବାନ୍ଧି ବସିଛନ୍ତି। ଫଳରେ ବେଗୁନିଆରୁ ରାଜେନ୍ଦ୍ର ନା ପ୍ରଶାନ୍ତ ନା ପ୍ରଦୀପ କିଏ ପ୍ରାର୍ଥୀ ହେବ ସେ ନେଇ କର୍ମିମାନେ ଦ୍ବନ୍ଦରେ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଖୋର୍ଦ୍ଧା ଏବଂ ଚିଲିକା ବିଧାନସଭା ଆସନକୁ ନେଇ ବର୍ତ୍ତମାନ ବିଜେଡି କର୍ମିମାନେ ଆଶା ଓ ଆଶଙ୍କା ଭିତରେ ଅଛନ୍ତି। ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ରନାଥ ମିତ୍ର ଆଉ ନିର୍ବାଚନ ଲଢେଇ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିବାରୁ ସେଠାରୁ କିଏ ପ୍ରାର୍ଥୀ ହେବ ତାହା ଜଣାପଡି ନାହିଁ। ସେହିପରି ଚିଲିକାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଆଲୋଚନା ଚାଲିଛି।

ଅନ୍ୟପକ୍ଷରେ ରାଜେନ୍ଦ୍ର ସାହୁଙ୍କ ବେଗୁନିଆରେ ମନ ଲାଗୁ ନ ଥିବାରୁ ସେ ଖୋର୍ଦ୍ଧା ଆସିପାରନ୍ତି ବୋଲି କୁହାଯାଉଛି। ଫଳରେ ଖୋର୍ଦ୍ଧା ଜିଲ୍ଲାର ଏହି ତିନୋଟି ଆସନ କେବଳ ଆଶାୟୀଙ୍କ ପାଇଁ ନୁହେଁ ଖୋଦ ବିଜେଡି ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ପଂଚାୟତ ସମିତି କାର୍ଯ୍ୟାଳୟ, ବେଗୁନିଆ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୮୧ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୨୮୦ ଟି ବ୍ୟକ୍ତିଗତ ସମସ୍ୟା ଥିଲା।

ରେଡ଼କ୍ରସ ଫଣ୍ଡରୁ ସାହାଯ୍ୟ ପାଇଁ ଜଣଙ୍କର ୩୦୦୦ ଟଙ୍କାର ଅଭିଯୋଗ ଥିଲା। ଅଭିଯୋଗ ପ୍ରକୋଷ୍ଠରେ ୦୩ ଟି ଅଭିଯୋଗ ତ୍ୱରିତ ସମାଧାନ କରାଯାଇଥିଲା। ୨ ଟି ହୁଇଲ ଚେୟାର ପ୍ରଦାନ କରାଯାଇଥିଲା।

ଏହି ଶୁଣାଣିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧିକ୍ଷକ,ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା, ଉପ -ଜିଲ୍ଲାପାଳ ଦିପ୍ତୀରଂଜନ ସେଠି, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଗଣ, ବି. ଡ଼ି ଓ, ବେଗୁନିଆ ବ୍ଲକ, ଡେପୁଟି -କଲେକ୍ଟର, ଗ୍ରୀଭାନ୍ସ, ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୋଲଗଡ-ବେଗୁନିଆରେ ଅବକାରୀ ଚଢ଼ାଉ, ୧୦ ହଜାର ଲିଟର ପୋଚ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଏବଂ ବୋଲଗଡ଼ ଥାନା ଅନ୍ତର୍ଗତ ଏକାଡାଳିଆ ଏବଂ ଅସରଳା ଜଙ୍ଗଲ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ମୋଟ ୯ ହଜାର ୭୦୦ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ୫୦୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ଜିଲ୍ଲା ମୋବାଇଲ ଅବକାରୀ ସବ ଇନ୍ସପେକ୍ଟର ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ, ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ ଏବଂ ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ଅବକାରୀ ଥାନାର ସମସ୍ତ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତକଲି ଅପରାହ୍ନରେ ବେଗୁନିଆ ପୋଲିସ ଡିଙ୍ଗର ଚାରିଛକ ଠୁ ଗଡ଼ମାଣିତ୍ରି ଅଞ୍ଚଳ ମଧ୍ୟରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ହଠାତ ଏକ ସ୍କୁଟିରେ ୩ ଜଣ ଯୁବକ ଦୁଇ ଗୋଟି ଅଖା ନେଇ ଦୃତ ଗତିରେ ଗଡ଼ମାଣିତ୍ରି ଗ୍ରାମ ଆଡକୁ ଯାଉଥିଲେ। ପୋଲିସର ସନ୍ଦେହ ହେବାରୁ ଉକ୍ତ ଗାଡିକୁ ପିଛା କରି ଗଡ଼ମାଣିତ୍ରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅଟକାଇ ତାଲାସି ନେଇଥିଲା।

ତେବେ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ସ୍କୁଟି ସହ କାବୁ କରିଥିଲା ପୋଲିସ। ସେମାନଙ୍କ ନିକଟରୁ ନକଦ ୬ ହଜାର ଟଙ୍କା ଏବଂ ଦୁଇ ଗୋଟି ଅଖାରୁ ସମୁଦାୟ ୨୧ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ।  ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ।

ଉଭୟ ଅଭିଯୁକ୍ତ ବେଗୁନିଆ ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆ: କାରରୁ ୧୦୨୦ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଅବକାରୀ ବିଭାଗ ବେଗୁନିଆ ଥାନା ରସୋଳ ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ବୋଝେଇ କାର ଜବତ କରିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ରଜନୀକାନ୍ତ ରାଉତରାୟ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରୁ ଦେଶୀ ମଦ ଏକ କାରରେ ନେଇ ଆସୁଥିବାର ଖବର ପାଇଥିଲା ଅବକାରୀ ବିଭାଗ। ବିଳମ୍ବ ନକରି ଅବକାରୀ ଅଧିକାରୀ ମାନେ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ରାସୋଳ ଗ୍ରାମରେ ଡେରା ପକାଇଥିଲେ।

ତେବେ ଗ୍ରାମରେ ପହଞ୍ଚିବା ପୁର୍ବରୁ ଦୁରରୁ ଅବକାରୀ ଅଧିକାରୀଙ୍କୁ ଦେଖି କାରରୁ ଡିଆଁ ମାରି ଫେରାର ହୋଇଯାଇଥିଲେ ରଜନୀକାନ୍ତ। ଅବକାରୀ ବିଭାଗ ଘଟଣାସ୍ଥଳରୁ ୧୦୨୦ ଲିଟର ଦେଶୀ ମଦ ସମେତ ଏକ ମାରୁତି ୮୦୦ କାର ଜବତ କରିବା ସହ ଫେରାର ଅଭିଯୁକ୍ତଙ୍କ ବିରୋଧରେ ପିଆର ନମ୍ବର ୬୯/୨୨-୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ , ଜିଲ୍ଲା ମୋବାଇଲ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା, ବେଗୁନିଆ ମୋବାଇଲ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆ ଓ ବୋଲଗଡ଼ରେ ଅବକାରୀ ଚଢ଼ାଉ, ସାଢେ ତିନି ଲକ୍ଷ ଟଙ୍କାର ପୋଚ ଓ ଦେଶୀ ମଦ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ମଣିବନ୍ଧ, ଦଦରାକାନ୍ଥ ଏବଂ ବୋଲଗଡ଼ ଥାନାର ଅସରାଳ ଗ୍ରାମର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୬ ହଜାର ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୩୫୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି।

ଜବତ ଜିନିଷର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୨ ହଜାର ୫୦୦ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ, ଜିଲ୍ଲା ମୋବାଇଲ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ଏବଂ ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ ଓ ଜଟଣୀ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆରେ ଅବକାରୀ ଚଢ଼ାଉ: ୨ ହଜାରରୁ ଉର୍ଦ୍ଧ୍ଵ ଲିଟର ପୋଚ ନଷ୍ଟ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ଏକାଡାଳିଆ ଗ୍ରାମର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୨ ହଜାର ୨୫୦ ଶହ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୧୫୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି। ତେବେ ବୋଲଗଡ ଥାନା ଅଞ୍ଚଳର ଦୁଇ ଅଭିଯୁକ୍ତ ସୁଧୀର କୁମାର ଦତ୍ତ ଏବଂ ପ୍ରଭାତ କୁମାର ବରଦଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୮ ଲିଟର ଦେଶୀ ମଦ ଜବତ କରିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଜୈସ ଏବଂ ଖୋର୍ଦ୍ଧା, ଜଟଣୀ ଓ ବେଗୁନିଆ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବେଗୁନିଆ : ବଡ଼ ଧରଣର ଡକାୟତିର ପର୍ଦାଫାଶ କଲା ପୋଲିସ, ଦୁଇ ମହିଳାଙ୍କ ସମେତ ୭ ଗିରଫ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଏକ ବଡ଼ ଡକାୟତିର ପର୍ଦାଫାଶ କରିଛି ପୋଲିସ। ସୂଚନା ମୁତାବକ ଜୁଲାଇ ୧୨ ତାରିଖ ମଧ୍ୟରାତ୍ରିରେ ବେଗୁନିଆ ଗ୍ରାମ ନିଶାମଣି ସେଠିଙ୍କ ଘରେ ତିନି ଜଣ ଦୁର୍ବୁତ୍ତ ଜୋର ଜବରଦସ୍ତ ପଶି ନିଶାମଣିଙ୍କ ମୁହଁରେ ଟେପ ଲଗାଇ, ହାତ ବାନ୍ଧି ଘରୁ ବହୁ ସୁନା ଓ ରୁପା ଅଳଙ୍କାର, ମୋବଇଲ ଓ ଲାପଟପ ଲୁଟି ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ନିଶାମଣି ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ କେଶ ନମ୍ବର ୧୭୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା କି କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ ଅନ୍ଧାରୁଆ ଗ୍ରାମର ସବିତା ସେଠି ନାମକ ମହିଳା ଯିଏ ପୁର୍ବରୁ ନିଶାମଣିଙ୍କ ଘରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ ସେ ହିଁ ଉକ୍ତ ଡକାୟତିର ମାଷ୍ଟରମାଇଣ୍ଡ।

ସବିତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ନିଶାମଣି ଛଅ ମାସ ପୂର୍ବେ ତାଙ୍କୁ ଚାକିରୀରୁ ବିଦା କରିଦେଇଥିଲେ। ତେବେ ଏଥିରେ ସବିତା କ୍ରୋଧିତ ହୋଇ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ନିଶାମଣିଙ୍କ ଘରେ ବହୁ ପରିମାଣରେ ସୁନା ଓ ରୁପା ଅଳଙ୍କାର ଏବଂ ନକଦ ଟଙ୍କା ଥିବା ସବିତା ତାଙ୍କ ଭୁବନେଶ୍ୱର ସ୍ଥିତ ଅଟୋ ଚାଳକ ସାଙ୍ଗ ତପନ ସେଠିଙ୍କୁ କହିଥିଲେ ଏବଂ ଘର ର ନକ୍ସା ଓ ଅବସ୍ଥିତିର ସମ୍ପୂର୍ଣ ତଥ୍ୟ ମଧ୍ୟ ଦେଇଥିଲେ।

ଏହାପରେ ନିଶାମଣିଙ୍କ ଘରୁ ଡକାୟତି କରିବା ଲାଗି ତପନ ଯୋଜନା କରିଥିଲେ ଏବଂ ଏଥିରେ ତାଙ୍କ ସାଙ୍ଗ ମନୋଜ ନାୟକ, ଜଗା ସେଠି ଓ ବସନ୍ତ ସେଠିଙ୍କୁ ସାମିଲ କରିଥିଲେ। ଏପରିକି ଡକାୟତିର ଏକ ମାସ ପୁର୍ବରୁ ଉକ୍ତ ଅଭିଯୁକ୍ତମାନେ ନିଶାମଣିଙ୍କ ଘରକୁ ଯାଇ ଲୁଟ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ। ଅଭିଯୁକ୍ତମାନଙ୍କ ଚିନ୍ହଟ ହେବା ପରେ ଏସପି ସିଦ୍ଧାର୍ଥ କାଟାରିଆ ଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଆଇଆଇସି ଲକ୍ଷ୍ମୀ ପ୍ରସାଦ ଶତପଥୀ ଓ ଅତିରିକ୍ତ ଆଇଆଇସି ଶମ୍ଭୁନାଥ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ଡକାୟତିରେ ସାମିଲ ଥିବା ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ସବିତା ସେଠି(୪୧), ତପନ ସେଠି(୩୨), ମନୋଜ ନାୟକ(୪୦),ବସନ୍ତ ପଟ୍ଟନାୟକ(୩୨), ଜଗା ସେଠି(୧୯), ଲିପ୍ସା ସେଠି(୨୬) ଏବଂ ଲୁଟ ସୁନା ଅଳଙ୍କାର କିଣିଥିବା ବଣିକ କେ. ସୂର୍ଯ୍ୟନାରାୟଣ ଆଚାରୀ(୫୧)। ସେମାନଙ୍କ ନିକଟରୁ ପୋଲିସ ଲୁଟ ହୋଇଥିବା ସୁନା ଓ ରୁପା ଅଳଙ୍କାର,ଲାପଟପ ଏବଂ ମୋବାଇଲ ଜବତ କରିଛି।

ସେହିପରି ଭାବେ ଲୁଟ ପାଇଁ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ମଟରସାଇକେଲ ଓ ସମସ୍ତଙ୍କ ମୋବାଇଲ ମଧ୍ୟ ପୋଲିସ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଏସଆଇ ଗାୟତ୍ରୀ ଗୋଛାୟତ, ଏଏସଆଇ ଗଜେନ୍ଦ୍ର ଜେନା, ଏଏସଆଇ ଭୁବନ ବେହେରା, ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆରେ ଅବକାରୀ ଚଢ଼ାଉ, ଚାରି ଲକ୍ଷ ଟଙ୍କାର ଅବକାରୀ ସାମଗ୍ରୀ ନଷ୍ଟ କଲା ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ମଣିବନ୍ଧ ଏବଂ ଦଦରାକାନ୍ଥ ଗ୍ରାମର ତିନି ଗୋଟି ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୬ ହଜାର ୮ ଶହ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୪୧୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି।

ଜବତ ଜିନିଷର ଆନୁମାନିକ ମୂଲ୍ୟ ୩ ଲକ୍ଷ ୮୧ ହଜାର ହେବ ବୋଲି ଜଣାପଡିଛି। ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ଜଟଣୀ ଅବକାରୀ ଅଧିକାରୀଣି ଗୀତାଞ୍ଜଳି ବେହେରା, ବେଗୁନିଆ ଅବକାରୀ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ବିଜୁ ବାବୁଙ୍କ ପୂଣ୍ୟ ତିଥି ଅବସରରେ ବେଗୁନିଆ ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଖୋର୍ଦ୍ଧା: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ପୂଣ୍ୟ ତିଥି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବେଗୁନିଆ ମିନି ଷ୍ଟାଡିୟମ ପରିସରେ ଯୁବ ସମାଜ ସେବୀ ତଥା ବେଗୁନିଆ ପଞ୍ଚାୟତର ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହଙ୍କ ସଂଯୋଜନାରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଯୁବ ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାଜେଶ କୁମାର ପରିଡ଼ା, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ବିଶ୍ଵଦୀପ ପ୍ରଧାନ, ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଅମିତ ମହାରଣା, ବାଣିକଲ୍ୟାଣ, ଲିପୁନା ଭଟ୍ଟ, ପ୍ରମୁଖ ଯୋଗଦେଇ ଉପସ୍ଥିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ-ଛାତ୍ର ଜନତା ଦଳର କର୍ମକର୍ତ୍ତା ବିଜୟାନନ୍ଦ ମହାପାତ୍ର, ଦେବୀ ପ୍ରସାଦ ଦାସ ସୁନୀଲ ବଳିୟାରସିଂହ ଗୌତମ ସ୍ବାଇଁ , ସୂର୍ଯ୍ୟକାନ୍ତ ସ୍ୱାଇଁ , ଶ୍ରୀଧର ମହାନ୍ତି, ସୁଶାନ୍ତ ରଣା ପ୍ରମୁଖ ପରିଚାଳନା କରିଥିଲେ।

Categories
ଧର୍ମ ବିଶେଷ ଖବର

ପବିତ୍ର ପଣା ସଂକ୍ରାନ୍ତିରେ ଡିଙ୍ଗର ଗାଁର ମା କାଳିକାଙ୍କ ଭିନ୍ନ ଏକ ପରଂପରା

ପ୍ରକାଶ ଭୂୟାଁ

ଆସନ୍ତା କାଲି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଆରମ୍ଭ ହେବ “ମା କାଳିକା”ଙ୍କର ଓଡିଶା ପ୍ରସିଦ୍ଧ ପଣାଯାତ୍ରା। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆଁ। ଜାତୀୟ ରାଜପଥରୁ ଦକ୍ଷିଣକୁ ମାତ୍ର ପାଞ୍ଚ କିଲୋମିଟର ଗଲେ ପଡେ “ଡିଙ୍ଗର” ଗ୍ରାମ। ପ୍ରତି ବର୍ଷ ଏହି ମହାବିଷୁବ ସଂକ୍ରାନ୍ତି ଦିନରେ ପାଳିତ ହୁଏ, ଏ ଅଞ୍ଚଳର ସବୁଠାରୁ ବଡପର୍ବ ତଥା ଏହି ଗଣପର୍ବ।

ଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ପ୍ରଶାସନ ତରଫରୁ ଏହି ଯାତ୍ରାକୁ ବନ୍ଦ କରା ଯାଇଥିଲା। ଯଦିଓ ମା’ଙ୍କର ବିଧି ରକ୍ଷା ପାଇଁ ସ୍ବଳ୍ପ ସଂଖ୍ୟକ ଭକ୍ତଙ୍କୁ ନେଇ ଗତ ଦୁଇ ବର୍ଷ ହେଲା ପାଳନ କରାଯାଇଥିଲା। ଏହି ଗଣପର୍ବକୁ ଏଇଥିପାଇଁ ପଣାଯାତ୍ରା କୁହାଯାଏ ଯେ, ମା “କାଳିକା”ଙ୍କ ନିକଟରେ ପଣା ଲାଗି ହୁଏ। ଯେଉଁମାନେ ମା’ଙ୍କର ସେବା କରନ୍ତି, ସେମାନେ ସଂଧ୍ୟା ସମୟରେ ଥରେ ମାତ୍ର ପଣା ପିଇଥାନ୍ତି ଓ ଅନ୍ୟ ସମୟତକ ନିର୍ଜଳ ଉପବାସରେ ରହିଥାନ୍ତି। କଦଳୀ, ମିଶ୍ରି, ନବାତ, ଗୋଲମରିଚ, ବଟା ମୁଗର ସମ୍ମିଶ୍ରଣରେ ପ୍ରସ୍ତୁତ ହୂଏ ଏହି ସୁସ୍ୱାଦୁ ପଣା।

ମହାବିଷୁବ ସଂକ୍ରାନ୍ତିର ସାତରୁ ଏକୋଇଶି ଦିନ ପୂର୍ବରୁ ସଂଧ୍ୟା ସମୟରେ ମା’ଙ୍କ ପାଟବେତକୁ ନେଇ ଭଗତାମାନେ ପୋଖରୀରେ ଗାଧୋଇ ସାରିଲା ପରେ ମା’ଙ୍କର ମନ୍ଦିର ଅଭିମୁଖେ ବାହାରନ୍ତି। ଏହି ପାଟ ବେତ ମା କାଳିକାଙ୍କର ସ୍ଵରୁପ। ଯିଏ ପାଟ ଧରନ୍ତି ତାଙ୍କୁ ପାଟ ଭଗତା କୁହାଯାଏ। ଦୁଇଜଣ ଦଣ୍ଡ (ଝୁଣା ଦ୍ୱାରା ଆଲୋକ ସୃଷ୍ଟି) ଧରନ୍ତି, ସେମାନଙ୍କୁ ପାଟ ଦଣ୍ଡୁଆ କୁହାଯାଏ। ଏଥିପାଇଁ କେହି କେହି ଏହାକୁ ଦଣ୍ଡ ଯାତ୍ରା ବୋଲି ମଧ୍ୟ କହିଥାନ୍ତି। ଖୁବ୍ ନିଷ୍ଠାର ସହିତ ଏହି ଭଗତାମାନେ ସାତ ଦିନରୁ ଏକୋଇଶ ଦିନ ପର‌୍ୟ୍ୟନ୍ତ ଏହି ଉପବାସ ବ୍ରତ କରିଥାନ୍ତି। ଗାଁ ମାନଙ୍କରେ ଆମିଷ ଖାଇବା ବନ୍ଦ ହୋଇଯାଏ। ଗାଁ ପରିବେଶ କେମିତି ବଦଳିଯାଏ, ଧୂପ ଦୀପର ପବିତ୍ର ବାସ୍ନାରେ। ଆବାଳ ବୃଦ୍ଧବନିତା ସମସ୍ତେ ମା’ ଙ୍କ ପାଇଁ ସମର୍ପିତ ହୋଇଯାଆନ୍ତି।

ମୁଖ୍ୟ ଯାତ୍ରାଟି ହୁଏ ସଂକ୍ରାନ୍ତି ଦିନ। ଦୁଇଟି ପର୍ଯ୍ୟାୟରେ ମା’ ଆସନ୍ତି ପୋଖରୀ ନିକଟକୁ। ପ୍ରଥମ ପଯ୍ୟାୟରେ (ଦିନ ବାରଟା) ମାନସିକ ରଖିଥିବା ଭଗତାମାନେ ପାଟ ଫୋଡିଥାନ୍ତି। ଅଣ୍ଟା ଓ ଛାତିର ମଝିରେ (ଦୁଇ କଡ) ସୁତା (ଅଧ ଆଙ୍ଗୁଳ) ଚମଡାତଳେ ଯାଇଥାଏ। ବେତ ଧରି ପାଟୁଆମାନେ ଆଗପଛ ହେଉଥାନ୍ତି। ଖାଲି ପାଦରେ ପୋଖରୀଠାରୁ ମନ୍ଦିର ପାଖା ପାଖି ଅଢେଇ କିମି ରାସ୍ତା ନିର୍ଘାତ ଖରାରେ ଚାଲି ଚାଲି ଯାଆନ୍ତି। ଘଣ୍ଟ ଢୋଲ ଓ ମର୍ଦ୍ଦଳର ଘୋ ଘୋ ଶବ୍ଦରେ ରାସ୍ତାଘାଟ ପ୍ରକମ୍ପିତ ହୁଏ। ଏହାକୁ କରପାଟ ବା ରଜନୀ ପାଟ କୁହାଯାଇଥାଏ।

ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ହୁଏ ସଂଧ୍ୟା ସମୟରେ। ଏଥର ଅନୁଷ୍ଠିତ ହୁଏ ଖଣ୍ଡାପାଟ। ଦୋଳ ବିମାନ ଆକୃତିର ସୁସଜ୍ଜିତ ଦଶରୁ ପନ୍ଦରଟି ଖଣ୍ଡାପାଟ ପୋଖରୀଠାରୁ ମନ୍ଦିର ଅଭିମୁଖେ ଆସିଥାନ୍ତି। ଏଥିରେ ତିନୋଟି ଖଣ୍ଡା ଉପରେ ଏକ ଗୋଡରେ ମାନସିକଧାରୀ ଭଗତା ଠିଆ ହୋଇ ଝୁଲୁ ଥାଆନ୍ତି। ପ୍ରତି ବିମାନକୁ ଚାରିଜଣ କାନ୍ଧେଇ ଆଣି ପୋଖରୀରୁ ମନ୍ଦିର ଅଭିମୁଖେ ଆସିଥାନ୍ତି। ଆଗରେ ପାଟଦେତକୁ ଧରି କାଳିସୀ ବାଟ କଢେଇ ଚାଲିଥାଆନ୍ତି, ଏହି ବିମାନ ସଦୃଶ ଖଣ୍ଡାପାଟଗୁଡିକୁ। ଅପୂର୍ବ ଏ ଦୃଶ୍ୟ।

ଯାତ୍ରା ପଡିଆରେ ଖଣ୍ଡାପାଟରେ ଝୁଲାଯାଇଥିବା, ପେନ୍ଥା ପେନ୍ଥା ଆମ୍ବକୁ ଭକ୍ତମାନଙ୍କ ଉପରକୁ ଫଙ୍ଗିଲା ବେଳେ, ଏକ ନିଆରା ପରିବେଶ ସୃଷ୍ଟି ହୁଏ। ଆତସବାଜୀ କି ମନୋମୁଗ୍ଧକର। ସ୍ୱଚକ୍ଷୁରେ ନଦେଖିଲେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଯାତ୍ରାର ଇତିହାସ କହିଲେ ପ୍ରାୟ ଦୁଇଶହ ବର୍ଷ ତଳର। ଗାଁରେ ଥିବା ଧୀବର ସମ୍ପ୍ରଦାୟର ଏହି ଯାତ୍ରାର ମୁଖ୍ୟ ପୃଷ୍ଠପୋଷକ। କୁହାଯାଏ ଯେ ଏହି ପ୍ରଥା ବା ପରମ୍ପରା ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଥବା ସାତପଡା ଅଞ୍ଚଳରୁ ଆସିଛି ଏହି ଧୀବରମାନଙ୍କ ଦ୍ୱାରା। ଯେଉଁମାନେକି ସେତେବେଳେ ଚିଲିକାରୁ ମାଛ ଆଣି ବ୍ୟବସାୟ କରୁଥିଲେ।

କାଳକ୍ରମେ ଏହି ଗ୍ରାମର ଅଧିବାସୀମାନେ ସୁସଙ୍ଗଠିତ ଭାବେ ଯାତ୍ରାଟିକୁ ପରିଚାଳନା କରିଆସୁଛନ୍ତି। ସଂକ୍ରାନ୍ତୀଦିନ ରାତିରେ ଦୋଳବିମାନରେ ସବୁ ସାହିର ଠାକୁରମାନେ ଯାତ୍ରା ପଡିଆକୁ ଆସନ୍ତି। ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ପଡୋଶୀ ଗ୍ରାମ ଗୋଲାପାଟଣା, ଚଣ୍ଡିଆପଲ୍ଲା, ଲେହେଙ୍ଗ ଆଦି ଗ୍ରାମର ଗାଁ ଠାକୁରମାନେ ପଟୁଆରରେ ଆସିଥାନ୍ତି। ରାତି ସାରା ଆତସବାଜୀ ପ୍ରତିଯୋଗୀତା ହୁଏ। ପର ଚାରି ରାତି ଗ୍ରାମବାସୀଙ୍କ ତରଫରୁ ଅପେରା ପ୍ରଦର୍ଶିତ ହୁଏ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ: ବିପୁଳ ପରିମାଣରେ ଦେଶୀ ମଦ ଜବତ

ବେଗୁନିଆ: ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଏବଂ ଅସରଳା ଜଙ୍ଗଲ ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଜିଲ୍ଲା ଅବକାରି ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା।

ଚଢାଉ ସମୟରେ ମୋଟ ୩ ହଜାର ୬୦୦ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ୨୪୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢାଉରେ ଖୋର୍ଦ୍ଧା ତହସିଲଦାର ଇପ୍ସିତ ସାହୁ, ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଅଧିକାରୀ ମନୋଜ କୁମାର ବାରିକ, ବେଗୁନିଆ ଅବକାରୀ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି, ଟାଙ୍ଗୀ ଅବକାରୀ ଅଧିକାରୀଣି ସୁନିତା ଦଳାଇ, ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଓ ଏକ ସେକ୍ସନ ପୋଲିସ ଫୋର୍ସ ସାମିଲ ଥିଲେ।