Categories
ଆଞ୍ଚଳିକ

କୋଦଳା ରେ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଲକ୍ଷ୍ମୀ ନାରାୟଣ (ସତ୍ୟବାନ ସାବିତ୍ରୀ) ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ମଧ୍ୟରେ ବହୁ ପାର୍ଶ୍ଵ ଦେବତା ଥିଲେ ସୁଦ୍ଧା ସତ୍ୟବାନ ସାବିତ୍ରୀ ପୂଜା ନିମନ୍ତେ ମନ୍ଦିର ଟିଏ ନଥିଲା। ସତ୍ୟବାନ ସାବିତ୍ରୀଙ୍କୁ ଅସ୍ଥାୟୀ ଭାବେ ପୂଜା କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଦାତାଙ୍କ ଅନୁଦାନ କ୍ରମେ ଉକ୍ତ ମନ୍ଦିର ଟି ଗଢିଉଠିଲା। କିନ୍ତୁ ବ୍ରାହ୍ମଣଙ୍କ କଥା ଅନୁଯାଇ ସତ୍ୟବାନ ସାବିତ୍ରୀଙ୍କ ପୂଜା ଲକ୍ଷ୍ମୀ ନାରାୟଣଙ୍କୁ ନେଇ ହୋଇଥିବାରୁ ଏଠାରେ ଲକ୍ଷ୍ମୀ ନାରାୟଣଙ୍କ ସହିତ ସତ୍ୟବାନ ସାବିତ୍ରୀଙ୍କୁ ଜୀବନ୍ୟାସ ଦିଆଯାଇଥିଲା।

ରବିବାର ପ୍ରାତଃ ରୁ ମନ୍ଦିର ପ୍ରଶାସନ ସଭାପତି ସୂର୍ଯ୍ୟ ନାରାୟଣ ବଡୁଙ୍କ ତତ୍ୱାବଧାନ ରେ ଦଣ୍ଡିଶ୍ଵର ମହାଦେବଙ୍କ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀଙ୍କ ସମେତ ଯୁବ ଦକ୍ଷତା ସମ୍ପନ୍ନ ଜଣାଶୁଣା ପୁରୋହିତ ସପନ କୁମାର ଶତପଥି ,ବିଦ୍ୟା ଭୂଷଣ ଆଚାର୍ଯ୍ୟ, ନିରଞ୍ଜନ ରଥ,ନାଗଭୂଷଣ ପତି,କାଳିଆ ମିଶ୍ର, ବାପ ଦାଶ, ଖଲି ମିଶ୍ର,ଶ୍ରୀକାନ୍ତ ପାଢ଼ୀ,ଦୁର୍ଗା ମାଧବ ଦାଶ,ନୃସିଂହ ପ୍ରସାଦ ଦାଶ,ଅମିତ କୁମାର ଦାଶ, ଭୋଳା ଶଙ୍କର ଦାଶ, ମଣ୍ଟୁ ଦାଶ, ପ୍ରମୁଖଙ୍କ ବେଦ ଧ୍ୱନି ରେ ସମସ୍ତ ହୋମ ପୂଜା କାର୍ଯ୍ୟ ସମାପନ ହୋଇଥିଲା। ସନ୍ଧ୍ୟା ୭ ଘଣ୍ଟ ସମୟ ରେ ମନ୍ଦିର ଶିଖରରେ ନୀଳଚକ୍ର ସ୍ଥାପନ କରାଯାଇ ମହାପ୍ରଭୁଙ୍କୁ ସିଂହାସନ ଆରୋହଣ କରାଯାଇଥିଲା ଦିନସାରା ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ, ସନ୍ଧ୍ୟାରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।

କାର୍ଯ୍ୟକ୍ରମରେ ମନ୍ଦିର ପ୍ରଶାସନର କୋଷାଧକ୍ଷ ବାବୁଲା ପାଢ଼ୀ, ସମ୍ପାଦକ ଭାଗିରଥି ନାୟକ, ପିତାମ୍ବର ନାୟକ, ବାବିନା ମହାପାତ୍ର, ଜାଗି ମହାପାତ୍ର, ଯୁଗଳ ବଡୁ ଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

“ଯୁବ ଓଡ଼ିଶା ନବୀନ ଓଡ଼ିଶା” ପକ୍ଷରୁ କୋଦଳାରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): “ଯୁବ ଓଡ଼ିଶା ନବୀନ ଓଡ଼ିଶା” ପକ୍ଷରୁ ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଅଧ୍ୟକ୍ଷ ଦତ୍ତାରାମ ବିଷୋୟୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଅଛି। ପିଇଟି ଅକ୍ଷୟ କୁମାର ବାରିକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ଯଥା କବାଡି, ଜାଭଲିନ, ସଟଫୁଟ ଖେଳରେ ଅଂଶ ଗ୍ରହଣ କରିଥିଲେ।

ପ୍ରୋଗ୍ରାମ ଅଫିସର ଆଦିତ୍ୟ ପ୍ରସନ୍ନ ମହାପାତ୍ର, ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ, ସମୀର ପରିଡା, ସୁନିତା ପାଣ୍ଡିଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ, ପ୍ରତିଯୋଗୀ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଦଳାରେ ଅଗ୍ନିକାଣ୍ଡ ଘଟି ତିନି ପରିବାରର ଘର ପୋଡି ନଷ୍ଟ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସବଜେଲ ପଛପଟ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ଘରର ବିଭିନ୍ନ ଆସବା ପତ୍ର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କୋଦଳା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ପ୍ରବଳ ଧୂଆଁ ବାହାରୁଥିବା ଯୋଗୁଁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇଥିଲା। ଅଗ୍ନିକାଣ୍ଡରେ ଯୋଗୀ ପାତ୍ର, ବୁଦ୍ଧିଆ ସେଠି, ହାଡୁ ବେହେରାଙ୍କ ଘର ସଂପୂର୍ଣ୍ଣ ପୋଡି ନଷ୍ଟ ହେବା ସହ ବହୁ ମୂଲ୍ୟବାନ ଆସବା ପତ୍ର ପୋଡି ପାଉଁଶ ହୋଇଯାଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣ ରେ ଦାବୀ ହୋଇଛି।

Categories
ଆଞ୍ଚଳିକ

କୋଦଳା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଟ୍ରାଫିକ ସଚେତନତା ଓ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଆଜି ବନମହୋତ୍ସବ ପାଳନ ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶିକ୍ଷାର୍ଥୀ ମାନଙ୍କୁ ଟ୍ରାଫିକ ନିୟମ, ଶଦ୍ଦ ପ୍ରଦ୍ୟୁଷଣ, ବୃକ୍ଷ ରୋପଣ ଓ ସୁସ୍ଥ ପରିବେଶ ବିଷୟରେ ସଚେତନତା ସୁଚନା ପ୍ରଦାନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୪ ବାଇକ୍ ଲୁଟେରାଙ୍କୁ ଗଞ୍ଜାମ ଜିଲ୍ଲା କୋଦଳାରୁ ବାନ୍ଧିଲା ନିରାକରପୁର ପୋଲିସ

ଖୋର୍ଦ୍ଧା: ଭୁବନେଶ୍ୱରରୁ ଦାମୀ ବାଇକ୍ ଚୋରୀ କରିବା ପରେ ଗାଁ ଗହଳିରେ ଉକ୍ତ ଚୋରୀ ବାଇକ୍ ଗୁଡିକୁ ଲୁଟେରାମାନେ ବିକ୍ରି କରୁଥିଲେ। ପୋଲିସ୍ କୁ ଚକମା ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ନିରାକାର ପୁର ଥାନା ଅଂଚଳର ଗାଁ ଗହଳିରେ ଏସବୁ ଚୋରୀ ବାଇକ୍ ଗୁଡିକୁ ଲୁଟେରାମାନେ ବିକ୍ରି କରୁଥିଲେ। ଏନେଇ ପୋଲିସ୍ ନିକଟରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ପରେ ପୋଲିସ୍ ତଦନ୍ତ କରି ଲୁଟେରାମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଏହା ପରେ ନିରାକାର ପୁର ଥାନା ପୋଲିସ୍ କୁ ସଫଳତା ମିଳିଥିଲା। ୪ ଜଣ ବାଇକ୍  ଲୁଟେରାଙ୍କୁ ଗଞ୍ଜାମ ଜିଲ୍ଲା କୋଦଳାରୁ ଗିରଫ କରିଥିଲା। ଏବଂ ସେମାନଙ୍କ ଠାରୁ ପୋଲିସ ୨ ଟି ବାଇକ୍ ଜବତ କରିଥିଲା। ପଲସର ବାଇକ୍ ସହ ପୋଲିସ ଗୋଟିଏ ୟାମା FZ ବାଇକ୍ ଜବତ କରିଥିଲା।

ଗିରଫ ଅଭିଯୁକ୍ତ ମାନେ ହେଲେ ଗଂଜାମ ଜିଲା କୋଦଳା ଥାନା ଅଂଚଳର ପି ରବି, ପି ମାଧବ, ଏସ୍ ସିନୁ ଓ ଏସ୍ ଆପା ରାଓ ବୋଲି ଜଣା ପଡିଛି।

ଏତଦବ୍ୟତୀତ ନିରାକାର ପୁର ବଜାରରେ ଥିବା ବ୍ୟାଙ୍କ ଅଫ୍ ବରୋଦାର ATM ରୁ ଜଣେ ବ୍ୟକ୍ତି ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖିଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ସ୍କୁଟି ଡିକି ଭାଙ୍ଗି ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ଅଭିଯୋଗ ପରେ ସେହି କୋଦଳା ଅଂଚଳରୁ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି ନିରାକାର ପୁର ପୋଲିସ୍। ସେମାନେ ହେଲେ ଏସ ରାମ ଓ ଏସ ଇଶ୍ୱର ବୋଲି ପୋଲିସ୍ ପ୍ରକାଶ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୋଦଳା: ସିରିଜ୍ ବୋମାମାଡ ଘଟଣା, ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ସହର ରେଞ୍ଜର ବଙ୍ଗଳା ସାହିରେ ଘଟିଥିବା ସିରିଜ୍ ବୋମାମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗା ରାଉଳକୁ ଗିରଫ କରି କୋଦଳା ପୋଲିସ କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ଜଗା ଖଲିକୋଟ ଥାନା ଅନ୍ତର୍ଗତ ନୁଆ ଫସୁଲା ଗ୍ରାମର ଯୁବକ। ତାଙ୍କ ନାମରେ ପୁର୍ବରୁ ଖଲିକୋଟ ଓ ଅନ୍ୟାନ୍ୟ ଥାନା ମାନଙ୍କରେ କିଛି ଅପରାଧ ଅଭିଯୋଗରେ ସେ ଅଭିଯୁକ୍ତ ଅଟନ୍ତି। ତାଙ୍କର ସନ୍ଧାନ ପାଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଅନ୍ୟ କିଛି କର୍ମଚାରୀ ସହ ତାଙ୍କୁ କାବୁ କରିଥିଲେ।

ଜେରା କରିବା ପରେ କେଶ୍ ନଂ ୩୧୬/୨୩ ଅନୁଯାୟୀ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତ ଜଗା ଠାରୁ ପୋଲିସ ଗୋଟିଏ ଖଣ୍ଡା ଓ ୫ ଟି ଜୀବନ୍ତ ବୋମା ଜବତ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଡ ଧରଣର ଜୁଆ ଆଡ୍ଡା ଉପରେ ଚଢାଉ: ୬ ଗିରଫ, ୧୩ ଟି ବାଇକ ଓ ୫୬ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶନାରେ କୋଦଳା ଓ ବେଗୁନିଆପଡ଼ା ଥାନା ପୋଲିସ୍ ବେଗୁନିଆ ପଡ଼ା ନିକଟସ୍ଥ ତିରିଡା କାଜୁ ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି।

ଏହି ଚଢାଉ ବେଳେ କିଛି ଜୁଆଡି ଘଟଣାସ୍ଥଳରୁ ଛତ୍ରଭଙ୍ଗ କରିଥିବା ବେଳେ ୬ ଜଣ ଜୁଆଡି, ୧୩ ଟି ମୋଟରସାଇକେଲ, ୬ ଟି ମୋବାଇଲ ଫୋନ ଓ ନଗଦ ୫୬ ହଜାର ଟଙ୍କାରୁ ଅଧିକ ପୋଲିସ ଜବତ୍ କରିଛି। ବେଗୁନିଆପଡ଼ା ଥାନାରେ ଏତଲା ରୁଜୁ ହୋଇଛି ଓ ଅନ୍ୟାନ୍ୟ ଜୁଆଡି ମାନଙ୍କ ଉପରେ ଅନୁସନ୍ଧାନ ଚାଲିଛି ବୋଲି ପୋଲିସ ପ୍ରକାଶ କରିଛି।

ଏହି ସବୁ ଜୁଆଡି ନିକଟସ୍ଥ ପୁରୁଷୋତ୍ତମପୁର, କୋଦଳା, ଖଲିକୋଟ ଓ ଆଖପାଖ ଅଞ୍ଚଳର ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୋହୂ ମାଡରେ ଶାଶୁ ଗୁରୁତର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କୋଦଳାରେ ରହୁଥିବା ଶୁରେଖା ବେହେରା ନାମ୍ନୀ ଜନୈକ ବୃଦ୍ଧାଙ୍କୁ ବୋହୂ ମମି ମାରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଛି। ଯାହା ଫଳରେ ଶାଶୁମା ଜଣକ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇ କୋଦଳା ଥାନାରେ ଅଭିଯୋଗ କରିବାକୁ ଯାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଆହତ ବୃଦ୍ଧାଙ୍କର ସ୍ବାମୀ ବିୟୋଗ ଘଟିଥିବା ବେଳେ ପୁଅ ବୋହୁ ଅଛନ୍ତି। କିନ୍ତୁ ସେମାନେ ଅଲଗା ଘର କରି ରହୁଥିବା ବେଳେ ବୃଦ୍ଧା ଜଣକ ଏକାକୀ ରନ୍ଧାବଢ଼ା କରି ଚଳୁଛନ୍ତି। କିନ୍ତୁ ହଠାତ୍ ବୋହୂ ମମି ଘରେ ଏକୁଟିଆ ଥିବା ଶାଶୁକୁ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରି ମୁଣ୍ଡ ଫଟାଇ ଲହୁଲୁହାଣ କରିଦେଇଛି। ଏହି ଭଳି ପରିସ୍ଥିତିରେ ଶାଶୁମା ଏକାକୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଦଳା ଚାଷୀମାନଙ୍କର ବ୍ଳକ ଅଫିସ ଘେରାଉ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ମଣ୍ଡିରୁ ଧାନ କିଣିବା ଦାବି ନେଇ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଚାଷୀମାନେ ବେଗୁନିଆ ପଡ଼ା ବ୍ଳକ ଅଫିସ ଘେରାଉ କରିଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ମଣ୍ଡିରେ ଚାଷୀମାନଙ୍କ ଧାନ ଗଦା ହୋଇ ରହିଛି, ଆଉ ୪ ଦିନ ପରେ ଚାଷୀମାନେ ପାଇଥିବା ଟୋକନ୍ ର ଅବଧି ଶେଷ ହେବାକୁ ଯାଉଛି, ଯାହା ଫଳରେ ମିଲର ମାନେ ଚାଷୀ ମାନଙ୍କ ଠାରୁ ଧାନ ନକିଣିବା ଦ୍ଵାରା ଏହି ଆନ୍ଦୋଳନ ଉଗ୍ର ରୁପ ଧାରଣ କରିଛି।

ରୁଷିକୁଲ୍ୟା ରୟତି ମହାସଙ୍ଘ କୋଦଳା ଶାଖା ପକ୍ଷରୁ ଏହି ଘେରାଉ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୋଦଳାରେ ଅବକାରୀ ବିଭାଗର ଚଢାଉ: ପ୍ରାୟ ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର/କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମରେ ଆଜି ଅବକାରୀ ବିଭାଗର ଚଢାଉ ହୋଇଛି। ଚଢାଉବେଳେ ଉକ୍ତ ଗ୍ରାମରୁ ପ୍ରାୟ ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହେବା ସହ ୨ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଲାଣ କରାଯାଇ କୋଦଳା ଥାନା ଅଞ୍ଚଳର ଧନୁର୍ଜୟପୁର ଗ୍ରାମରେ ଅନଲୋଡ କରାଯାଉଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଯାହାଫଳରେ ଅବକାରୀ କମିଶନର ଆଶିଷ କୁମାର ସିଂହ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ସଂସ୍ଥା ଏବଂ ଅବକାରୀ ଥାନା ଖଲ୍ଲିକୋଟ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଆଜି ସକାଳ ୫ ଟା ସମୟରେ କୋଦଳା ଥାନା ଅଞ୍ଚଳର ଧନୁର୍ଜୟପୁର ଅଞ୍ଚଳରେ ଚଢାଉ କରାଯାଇଥିଲା। ତେବେ ଏହି ଚଢାଉରେ ୩୧୫ କେଜି ଗଞ୍ଜେଇ ଜବତ ହୋଇଥିଲା। ଯାହାର ମୂଲ୍ୟ ୧୫ ଲକ୍ଷ ୭୫ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏବଂ ଏହାସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଲେ ରବୀନ୍ଦ୍ର ନାହାକ ଏବଂ ପ୍ରଶାନ୍ତ ପ୍ରଧାନ ବୋଲି ଜଣାପଡିଛି। ଏନେଇ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ଏବଂ ଆଗକୁ ଚଢାଉକୁ ଜୋରଦାର କାରାଯିବ। ବର୍ତ୍ତମାନ ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି। ଏହି ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଶ୍ରୀ ଭୋତ୍ରା କହିଛନ୍ତି।

Categories
ଆଞ୍ଚଳିକ

କୋଦଳାରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

ପିଣ୍ଟୁ ବିଷୋୟୀ

କୋଦଳା: ଆଜି ସାରା ରାଜ୍ୟରେ ବିଜେଡି ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଠାରେ ୨୪ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳନ କରାଯାଇଛି। ଦଳର ଶହ ଶହ କର୍ମୀ ଓ ନେତା ମାନେ ଏହି ପ୍ରତିଷ୍ଠା ଦିବସରେ ଉପସ୍ଥିତ ଥିଲେ।

କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସଭାକୁ ଉଦବୋଧନ ଦେଇଥିଲେ। ସେ ପ୍ରଥମେ ଦଳର ନେତା ଓ କର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହ ଶ୍ରେଷ୍ଠ ଓଡିଶା ଗଠନ ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ କି ଆପଣ ମାନଙ୍କ ଭଲ ପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଓଡିଶାରେ ବିଜେଡି ଲୋକଙ୍କ ଦଳ ଭାବେ ବେସ ପରିଚିତ ହୋଇପାରିଛି। ବିଜୁ ବାବୁଙ୍କ ଆଦର୍ଶରେ ଗଠିତ ସାଢେ ଚାରି କୋଟି ଓଡ଼ିଆଙ୍କ ଦଳ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ କର୍ମୀଙ୍କ ପରିଶ୍ରମ ଯୋଗୁଁ ଆଜି ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି।

ସମ୍ମାନିତ ଅତିଥି ଭାବେ ଓଡିଶା ପର୍ଯ୍ୟଟନ ନିଗମ ଅଧକ୍ଷା ଶ୍ରିମୟୀ ମିଶ୍ର ଯୋଗଦେଇ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡିଶା ଗଠନ କରିପାରିବ ବୋଲି ଉପସ୍ଥିତ କର୍ମୀମାନଙ୍କୁ କହିଥିଲେ। ଏହା ସହିତ ମା’ ମାନେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକ ଅଧକ୍ଷା କେ.ରାଜ ଲକ୍ଷ୍ମୀ ଦୋରା, ଜିଲ୍ଲା ପରିଷଦ ଅଧକ୍ଷା ସୋନମ ପଲାଇ, ଜିଲ୍ଲା ପରିଷଦ ସଦସ୍ୟ, ବେଗୁନିଆପଡା ବିଜେଡି ମହିଳା ସଭାପତି ମଧୁମିତା ସାହୁ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ଏବଂ ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକର ଅଧକ୍ଷ, ବିଜେଡି ସଭାପତି ମାନେ ଓ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Categories
ଆଞ୍ଚଳିକ

କୋଦଳାରେ ନୂତନ ତହସିଲଦାରଙ୍କ କାର୍ଯ୍ୟଭାର ଗ୍ରହଣ

ପିଣ୍ଟୁ ବିଷୋୟୀ

କୋଦଳା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ତହସିଲରେ ନୂତନ ତହସିଲଦାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତହସିଲଦାର ଅବନୀ କୁମାର ସାହୁ ନୂତନ ତହସିଲଦାର ଭାବେ ବୁଧବାର ଦିନ ଯୋଗ ଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଅବନୀ କୁମାର ସାହୁ ଗଞ୍ଜାମ ତହସିଲଦାର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଥିବା ଗଞ୍ଜାମ ଜିଲ୍ଲାର ଅଭିଜ୍ଞତାକୁ କୋଦଳା ଅଂଚଳରେ ଉପଯୋଗ କରିବା ପାଇଁ ଶ୍ରୀଯୁକ୍ତ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।  ଫାଇଭ-ଟି, ମୋ ସରକାର ଏବଂ ବିଭିନ୍ନ ରାଜସ୍ଵ ସମ୍ବନ୍ଧୀୟ ସେବାକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା, ଜମି ଜମା ସମ୍ବନ୍ଧୀୟ ସେବା ତୁରନ୍ତ ଯୋଗାଇଦେବା ସହ କୋଦଳା ତହସିଲର ସମସ୍ତ ଜନସାଧାରଣଙ୍କୁ ଶ୍ରୀଯୁକ୍ତ ସାହୁ ଶୁଭକାମନା ଜଣାଇଛନ୍ତି। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ହିଞ୍ଜିଳିକାଟୁ ବଦଳି ହେବାପରେ ଶ୍ରୀ ଅବନୀ କୁମାର ସାହୁ କୋଦଳା ତହସିଲଦାର ଭାବେ ଯୋଗଦେଇଛନ୍ତି।

Categories
ଆଞ୍ଚଳିକ

କରୋନା କାଳରେ ଲୋକଙ୍କ କଥା ବୁଝିଲେ କବିସୂର୍ଯ୍ୟନଗର ବିଧାୟିକା, ପ୍ଲାଜମା ଦାନ ପାଇଁ କଲେ ନିବେଦନ

ପିଣ୍ଟୁ ବିଷୋୟୀ
କୋଦଳା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସମୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ବେଗୁନିଆପଡା ଓ କବିସୂର୍ଯ୍ୟନଗର ବ୍ଲକ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି। ସୁମଣ୍ଡଳ ପଞ୍ଚାୟତର ଭାଲ୍ୟାଝର ଗ୍ରାମର ଗୋଟିଏ ପରିବାରର ଦୁଇ ଜଣଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଖବର ପାଇ ବିଧାୟିକା ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

ଏହାପରେ ଅଙ୍ଗାରଗାଁ ଯାଇ କରୋନାରେ ତିନି ଜଣ ପ୍ରାଣ ହରାଇଥିବା ପରିବାରକୁ ଭେଟି ବିଧାୟିକା ସମବେଦନା ଜଣାଇଥିଲେ। ସେଠାରୁ ସେ ଶାଳବଣ, ଶାଙ୍କୁଡ଼ା, ବୁରୁଝରୀ, ବେଗୁନିଆପଡା, ଖଣ୍ଡିଆନଇ, ବରିଡା, ଛଚିନା ଆଦି ପଞ୍ଚାୟତ ଗସ୍ତ କରି ସରପଞ୍ଚ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

କରୋନାରୁ ସୁସ୍ଥ ହୋଇ ଫେରିଥିବା ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିବା ସହ ଯେ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ବିଧାୟିକାଙ୍କୁ ଜଣାଇବା ପାଇଁ ସମସ୍ତ ସରପଞ୍ଚଙ୍କୁ କହିଥିଲେ। ବିଡ଼ିଓ ଏବଂ ବିଭିନ୍ନ ଅଧିକାରୀଙ୍କ ସହ ଅଞ୍ଚଳର ସ୍ଥିତି ନେଇ ସେ ସମୀକ୍ଷା କରିଥିଲେ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବା ପାଇଁ ବିଧାୟିକା ସମସ୍ତଙ୍କୁ ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ହଜିଗଲା ମାନବିକତା, ମୃତ ପୋଲିସ ଏସଆଇଙ୍କୁ କାନ୍ଧ ଦେଲେ ସାମ୍ବାଦିକ

ପିଣ୍ଟୁ ବିଷୋୟୀ

କୋଦଳା(ଗଂଜାମ), ହଜିଗଲା ମାନବିକତା, ଭୁଲିଗଲେ ମଣିଷ ପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳାରେ। କୋଦଳା ମେଡିକାଲ ବାହାରେ ପଡି ରହିଥିଲା କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ପୋଲିସ ଏସଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମୃତଦେହ। ତେବେ କୋଦଳା ମେଡିକାଲ ବାହାରେ ଦୀର୍ଘ ସମୟ ଧରି ମୃତଦେହ ପଡି ରହିବା ପରେ ଉଠିଲା ପୋଲିସ ଏଏସଆଇଙ୍କ ମରଶରୀର। ସ୍ଥାନୀୟ ଅଞ୍ଚଳର ଦୁଇ ସାମ୍ବାଦିକ ପିପିଇ କିଟ ପିନ୍ଧି ଏସଆଇଙ୍କ ମର ଶରୀର ଉଠାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଏ ଏସ ଆଇ ରବିନ୍ଦ୍ର ବେହେରା (୫୦) ଙ୍କ ଦେହାନ୍ତ ହୋଇଯାଇଛି। ଶ୍ରୀ ବେହେରା ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ନିଜ ଘର ନରେନ୍ଦ୍ରପୁର ହୋଇଥିବା ବେଳେ ସେ ବେଗୁନିଆପଡ଼ା ଠାରେ ଏକ ଭଡ଼ା ଘରେ ରହୁଥିଲେ। ପୂର୍ବରୁ ସେ କୋଦଳା ଥାନାରେ ଏ ଏସ୍ ଆଇ ଥିଲେ।

ଘଟଣାରୁ ପ୍ରକାଶ ଯେ ଶ୍ରୀ ବେହେରାଙ୍କୁ କିଛି ଦିନ ହେଲା ଜ୍ୱର ହେଉଥିଲା। କାଲି ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଦଳା ମେଡିକାଲ୍ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଛି। ଏଭଳି ସ୍ଥିତିରେ ଏଏସଆଇଙ୍କ ମୃତଦେହ ଉଠାଇବାକୁ କେହି ଆସିନଥିଲେ, ଏପରିକି ତାଙ୍କ ପରିବାର ମଧ୍ୟ ଏହାକୁ ଗ୍ରହଣ କରିନଥିଲେ। ଯେଉଁ ବ୍ୟକ୍ତି କରୋନା ସମୟରେ ଆଗଧାଡିର ଯୋଦ୍ଧା ସାଜି ସାଧାରଣ ଲୋକଙ୍କ ପାଇଁ କାମ କରୁଥିଲେ ତାଙ୍କୁ କେହି ପଚାରିଲେନି।

ମେଡିକାଲରେ ଘଣ୍ଟା ଘଣ୍ଟା ଧରି ପଡିରହିଥିଲା ଭଞ୍ଜନଗର ଏଏସଆଇଙ୍କ ମୃତଦେହ। କରୋନା ସନ୍ଦେହରେ ମିଳିନଥିଲା କାନ୍ଧ। ସାମ୍ବାଦିକ ଓ ପୋଲିସ କର୍ମଚାରୀଙ୍କ ସହାୟତାରେ ପୁଅ ଉଠାଇଲେ ବାପାର ମୃତଦେହ। କୋଦଳା ତହସିଲଦାର, ବିଡ଼ିଓ ଓ ପୁରୁଷୋତ୍ତମପୁର ଏସଡ଼ିପିଓ ଉପସ୍ଥିତିରେ ମୃତଦେହ ଉଠିଥିଲା। ମୃତ ରବୀନ୍ଦ୍ରଙ୍କ ଅନ୍ତିମସଂସ୍କାର ପୂର୍ଣ୍ଣ ସମ୍ମାନରେ ସହ କରାଯିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୋଦଳାରେ ଥର୍ମାଲ ସ୍କ୍ରିନିଙ୍ଗ ଆରମ୍ଭ, ସ୍ଥିତି ସମୀକ୍ଷା କଲେ ଉପ ଜିଲ୍ଲାପାଳ

ପିଣ୍ଟୁ ବିଶୋୟୀ

କୋଦଳା: ଗଞ୍ଜାମ ଜିଲ୍ଳା ପ୍ରଶାସନ, କୋଦଳା ଏନ୍ଏସି ଏବଂ ତହସିଲର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ। ନିୟୋଜିତ ହୋଇଥିବା ପାଞ୍ଚ ଜଣିଆ ଆୟୁଷ ଡାକ୍ତର ଟିମ୍ ସହିତ ପନ୍ଦର ଜଣିଆ ଅଙ୍ଗନୱାଡି କର୍ମୀ ସେମାନଙ୍କ ସହାୟିକା ସହିତ ପ୍ରତ୍ୟେକ ସାହିରେ ଘର ଘର ବୁଲି ଲୋକଙ୍କ ସ୍କ୍ରିନିଙ୍ଗ ସହିତ ବ୍ଲଡ ପ୍ରେସର, ଡାଇବେଟିସ, ପଲସ, କରୋନା ସଂକ୍ରମିତ ପାଇଁ ଉଦ୍ଧିଷ୍ଟ ଲକ୍ଷଣ ତଦାରଖ କରିବା ସହିତ ସେମାନଙ୍କ ରେକର୍ଡ ପଞ୍ଜିକରଣ କରାଯାଉଛି। କୋଦଳା ଗୋହିରିନାଳ ସାହିଠାରେ ଆୟୁଷ ଡାକ୍ତର ସଞ୍ଜୟ କୁମାର ସାହୁ ଓ ଅଙ୍ଗନୱାଡି କର୍ମୀ ସବିତା ପାଢ଼ୀ ନିଜ ଟିମ୍ ସହିତ ସ୍କ୍ରିନିଙ୍ଗ ଟେଷ୍ଟ କରୁଥିବା ସମୟରେ ଅଚାନକ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସହିତ ସେଠାରେ ପହଂଚି ସ୍କ୍ରିନିଙ୍ଗ ଟେଷ୍ଟ କାର୍ଯ୍ୟର ତଦାରଖ କରିଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ବିଷୟରେ ଲୋକଙ୍କୁ ବୁଝାଇ ସଚେତନ କରିଛନ୍ତି ଉପଜିଲ୍ଲାପାଳ।