କୋଦଳାରେ ଅବକାରୀ ବିଭାଗର ଚଢାଉ: ପ୍ରାୟ ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

Published: Jan 9, 2022, 2:19 pm IST

ବ୍ରହ୍ମପୁର/କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମରେ ଆଜି ଅବକାରୀ ବିଭାଗର ଚଢାଉ ହୋଇଛି। ଚଢାଉବେଳେ ଉକ୍ତ ଗ୍ରାମରୁ ପ୍ରାୟ ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହେବା ସହ ୨ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଲାଣ କରାଯାଇ କୋଦଳା ଥାନା ଅଞ୍ଚଳର ଧନୁର୍ଜୟପୁର ଗ୍ରାମରେ ଅନଲୋଡ କରାଯାଉଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଯାହାଫଳରେ ଅବକାରୀ କମିଶନର ଆଶିଷ କୁମାର ସିଂହ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ସଂସ୍ଥା ଏବଂ ଅବକାରୀ ଥାନା ଖଲ୍ଲିକୋଟ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଆଜି ସକାଳ ୫ ଟା ସମୟରେ କୋଦଳା ଥାନା ଅଞ୍ଚଳର ଧନୁର୍ଜୟପୁର ଅଞ୍ଚଳରେ ଚଢାଉ କରାଯାଇଥିଲା। ତେବେ ଏହି ଚଢାଉରେ ୩୧୫ କେଜି ଗଞ୍ଜେଇ ଜବତ ହୋଇଥିଲା। ଯାହାର ମୂଲ୍ୟ ୧୫ ଲକ୍ଷ ୭୫ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏବଂ ଏହାସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଲେ ରବୀନ୍ଦ୍ର ନାହାକ ଏବଂ ପ୍ରଶାନ୍ତ ପ୍ରଧାନ ବୋଲି ଜଣାପଡିଛି। ଏନେଇ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ଏବଂ ଆଗକୁ ଚଢାଉକୁ ଜୋରଦାର କାରାଯିବ। ବର୍ତ୍ତମାନ ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି। ଏହି ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଶ୍ରୀ ଭୋତ୍ରା କହିଛନ୍ତି।

Related posts