Categories
ଆଞ୍ଚଳିକ

କୁଜଙ୍ଗ ଥାନାରେ ନୂତନ ଆଇଆଇସି ଭାବେ ଯୋଗଦେଲେ ରଶ୍ମୀରଞ୍ଜନ ଦାଶ

କୁଜଙ୍ଗ: ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ଥାନାରେ ନୂତନ ଆଇଆଇସି ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଇନିସ୍‌ପେକ୍ଟର ରଶ୍ମୀରଞ୍ଜନ ଦାଶ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାର ଇନିସ୍‌ପେକ୍ଟର ଶ୍ରୀ ଦାଶ ଗତ ଶନିବାର ଦିନ ଜଗତ୍‌ସିଂହପୁର ଜିଲ୍ଲାକୁ ବଦଳି ହୋଇ ଆସିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ଆଜି କୁଜଙ୍ଗ ଭଳି ଏକ ସମ୍ବେଦନଶୀଳ ଓ ମର୍ଯ୍ୟାଦାଜନକ ଥାନାର ଦାୟିତ୍ୱ ଭାର ପ୍ରଦାନ କରିଛନ୍ତି।

ଶ୍ରୀ ଦାଶ ଦକ୍ଷ ଅଧିକାରୀ ଭାବେ ବେଶ୍ ଜଣାଶୁଣା। ବିଶେଷ କରି ଅପରାଧୀଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଶ୍ରୀ ଦାଶ ବେଶ୍ ଚର୍ଚ୍ଚିତ। ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟ କରିଥିବା ସମୟରେ ଆଇନ୍ ଶୃଙ୍ଖଳା, ବ୍ରାଉନ୍‌ସୁଗର ବେପାରୀଙ୍କ ଉପରେ ଚଢ଼ାଉ, ବେଆଇନ୍ ଖଣି ଚଢ଼ାଉ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି ସେତେବେଳେ ଚର୍ଚ୍ଚାକୁ ଆସିଥିଲେ।

ତେବେ କୁଜଙ୍ଗ ଏକ ସମ୍ବେଦନ ଶୀଳ ଥାନା ହୋଇଥିବା ବେଳେ ଉକ୍ତ ଅଂଚଳକୁ ଅପରାଧମୁକ୍ତ, ଆଇନ୍ ଶୃଙ୍ଖଳା, ବ୍ରାଉନ୍ ସୁଗର, ବନ୍ଧୁକ କାରବାର, ଚୋରା ମଦ ଓ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ରାଜ୍ୟ ସରକାରଙ୍କର ୫-ଟି ବ୍ୟବସ୍ଥାକୁ ଗୁରତ୍ୱ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି।

ସୂୁଚନା ଥାଉକି, କୁଜଙ୍ଗ ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନଙ୍କ ବାରିପଦା ଏସ୍‌ଡିପିଓ ଭାବେ ପଦୋନ୍ନତି ହୋଇ ବଦଳି ହୋଇଥିବାରୁ ତାଙ୍କ ସ୍ଥାନରେ ଆଜି ଥାନା ଅଧିକାରୀ ଯୋଗଦେଇଛନ୍ତି ଶ୍ରୀ ଦାଶ।

Categories
ଆଜିର ଖବର ଆଞ୍ଚଳିକ

ଆଇଆଇସି ସ୍ତରରେ ଅଦଳ ବଦଳ: ଖୋର୍ଦ୍ଧା ଟାଉନ୍ ଥାନାକୁ ଯିବେ ବାଣପୁର ଥାନା ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅରାକ୍ଷୀ ଅଧିକ୍ଷକଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ବହୁ ଥାନାର ଆଇଆଇସିମାନଙ୍କୁ ଅଦଳ ବଦଳ କରାଯିବା ସହ କେତେ ଗୋଟି ଥାନାରେ ନୂଆ ଆଇଆଇସି ନିଯୁକ୍ତି ଦିଆଯାଇଛି।

ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ସବୁଠାରୁ ବୃହତ ଏବଂ ବ୍ୟସ୍ତବହୁଳ ଥାନା ରୂପେ ପରିଗଣିତ ବାଣପୁର ଥାନାର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ବଦଳି ହୋଇଛି। ତାଙ୍କର ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ରୂପେ ବଦଳି ହୋଇଛି। ତାଙ୍କ ଜାଗାରେ ବାଣପୁର ଥାନା ଭାର ସମ୍ଭାଳିବେ ବେଗୁନିଆ ଥାନା ଆଇଆଇସି ରଶ୍ମିରଂଜନ ସାହୁ।

ତେବେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ହେଲା ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ନିଷ୍ଠାର ସହ ବାଣପୁର ଥାନାରେ ନିଜ କାର୍ଯ୍ୟନିର୍ବାହ କରିଥିବାବେଳେ ବାଣପୁରବାସିଙ୍କ ପ୍ରିୟଭାଜନ ମଧ୍ୟ ହୋଇପାରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଣପୁର ଥାନାର ବହୁ ଜଟିଳ ମାମଲାଗୁଡିକର ସମାଧାନ କରିପାରିଛନ୍ତି ଶ୍ରୀ ପଟ୍ଟନାୟକ। ଜଣେ ଶାନ୍ତ, ମିଷ୍ଟଭାସି ଏବଂ ନିଆରା ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ଶ୍ରୀ ପଟ୍ଟନାୟକ। ପୂର୍ବରୁ ଏକାଧିକ ଆଇଆଇସି ବାଣପୁର ଥାନାକୁ ଆସିଥିବାବେଳେ ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟକାଳ ମଧ୍ୟରେ ପୋଲିସ ଏବଂ ଜନସାଧାରଣଙ୍କ ସମ୍ପର୍କ ବେଶ ନିବିଡ଼ ହୋଇପାରିଛି।

ଅନୁରୂପଭାବେ ନିକଟରେ ବାଣପୁର ଥାନାର ପୂର୍ବତନ ଏସଆଇ ବିଜୟ ମଲ୍ଲିକଙ୍କ ପଦୋନ୍ନତି ହୋଇଥିବାବେଳେ ସେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଆଇଆଇସି ରୂପେ ଦାୟିତ୍ୱ ନିର୍ବାହ କରିବେ।

ସୂଚନା ଥାଉକି ଟାଙ୍ଗୀ ଥାନା ଆଇଆଇସି ସରୋଜ ଉପାଧ୍ୟାୟଙ୍କ ଯାଜପୁର ଏସଡ଼ିପିଓ ଭାବେ ଦୀର୍ଘଦିନ ହେଲା ପଦୋନ୍ନତି ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଆଇସିଙ୍କୁ 2 ବର୍ଷ ଥାନା ମନା :  ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନିଯୁକ୍ତି ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ଦୁଇ ବର୍ଷ ଥାନା ପୋଷ୍ଟିଂ ମନା। ଥାନାରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି। ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଏପରି ନିର୍ଦ୍ଦେଶ ଦିଆଯାଇଛି। ସଂଧ୍ୟାରାଣୀଙ୍କୁ ଦୁଇ ବର୍ଷ ଯାଏ କିଛି ଫିଲ୍‌ଡ ଡ୍ୟୁଟି ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଦୁଇ ବର୍ଷ ଯାଏ କୌଣସି ଥାନାରେ ତାଙ୍କୁ ନିଯୁକ୍ତି ନଦେବାକୁ କୁହାଯାଇଛି। ସଂଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ କମିଶନ କହିଛନ୍ତି। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ , ସେନେଇ ଟ୍ରେନିଂ ନେବେ।

ସୂଚନାଯୋଗ୍ୟ, ଗତ ମେ’ ମାସରେ ଥାନାରେ ଅଟକ ଜଣେ ଯୁବକଙ୍କୁ  ପିଟିଥିଲେ ଆଇଆଇସି । ଅଟକ ଯୁବକଙ୍କୁ ନିସ୍ତୁକ ପିଟିବା ସହ ଗୋଇଠା ବି ମାରିଥିଲେ। ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ହୋଇଥିଲା। ଘଟଣା ପରେ ପରେ ଆଇଆଇସି ସଂଧ୍ୟାରାଣୀଙ୍କୁ ନିଲମ୍ବିତ କରିଥିଲେ ଡିଜିପି।

Categories
ଆଜିର ଖବର ରାଜ୍ୟ ଖବର

ଥାନାରେ ଥାର୍ଡ ଡିଗ୍ରୀ : ଆଇଆଇସି ନିଲମ୍ବିତ

କେନ୍ଦୁଝର ପାଟଣା : ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ପୁଲିସ୍‌ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କର ବେଆଇନ୍‌ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଆଇଆଇସି ସନ୍ଧ୍ୟାରାଣୀ ଯୁବକଙ୍କୁ ବାଡ଼ିରେ ପିଟିବା ସହ ଗୋଇଠା ପରେ ଗୋଇଠା ମାରିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏସ୍‌ଡିପିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ଏହାକୁ ନେଇ ରାଜ୍ୟ ମାନବାଧିକାର କମିଶନ ବି ଜବାବ ମାଗିଥିଲେ । ଏସ୍‌ପିଙ୍କଠାରୁ ଏହାର ଜବାବ ମାଗିବା ସହ କ୍ଷତିପୂରଣ ଦେବାକୁ କହିଥିଲେ । କ୍ଷତିପୂରଣ ବାବଦକୁ 10 ହଜାର ଟଙ୍କା ଆଇଆଇସିଙ୍କ ଦରମାରୁ କାଟିବାକୁ କହିଥିଲେ ।