Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଭଞ୍ଜ ବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ କେବଳ ଓଡ଼ିଶାର ଇତିହାସରେ ନୁହେଁ ବରଂ ଭାରତର ଇତିହାସରେ ମଧ୍ୟ ଓଡ଼ିଶାର ଦକ୍ଷିଣାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ଭୂମି ଶିକ୍ଷା, ସାହିତ୍ୟ, କଳା ଓ ହସ୍ତଶିଳ୍ପରେ ସମୃଦ୍ଧ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଏହି ଅଞ୍ଚଳର ପୁତ୍ର କବିସୂର୍ଯ୍ୟ ବଳଦେବ ରଥ ନିଜ ଲେଖା ମାଧ୍ୟମରେ ଓଡ଼ିଆ ତଥା ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ଭୂମି ଅନେକ ସ୍ୱାଧୀନତା ସଂଗ୍ରାମୀ, ସହିଦ ଏବଂ ସରକାରୀ କର୍ମଚାରୀଙ୍କ ଜନ୍ମସ୍ଥାନ ଏବଂ କର୍ମକ୍ଷେତ୍ର ମଧ୍ୟ ଅଟେ।

୧୯୬୭ ମସିହାରେ ସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ଦକ୍ଷିଣ ଭାଗର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶିକ୍ଷା ଓ ବିକାଶରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକାକୁ ସେ ପ୍ରଶଂସା କରିଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଓ ଏହାର ଅନୁବନ୍ଧିତ କଲେଜଗୁଡ଼ିକରେ ପାଖାପାଖି ୪୫ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ୫୫ ପ୍ରତିଶତରୁ ଅଧିକ ଛାତ୍ରୀ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। କେବଳ ଏତିକି ନୁହେଁ, ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ଝିଅ ଏବଂ ଆଜି ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ଗବେଷକଙ୍କ ମଧ୍ୟରୁ ଅଧା ହେଉଛନ୍ତି ଝିଅ। ଲିଙ୍ଗଗତ ସମାନତାର ଏହା ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଝିଅମାନଙ୍କୁ ସମାନ ସୁଯୋଗ ଦିଆଗଲେ ସେମାନେ ପୁଅମାନଙ୍କୁ ପଛରେ ପକାଇବାର ସମ୍ଭାବନା ରହିଛି। ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ। କିନ୍ତୁ ଏବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ପୁଲିସ ଓ ସେନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ଝିଅମାନଙ୍କର ସାମର୍ଥ୍ୟ ଦୃଶ୍ୟମାନ ହେଉଛି। ଏବେ ଆମେ ମହିଳାଙ୍କ ବିକାଶର ପର୍ଯ୍ୟାୟରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଡକୁ ଗତି କରୁଛୁ।

ସମାବର୍ତ୍ତନ କେବଳ ଡିଗ୍ରୀ ପ୍ରାପ୍ତିର ଉତ୍ସବ ନୁହେଁ ବୋଲି ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଏହା ସେମାନଙ୍କ କଠିନ ପରିଶ୍ରମ ଏବଂ ସଫଳତାକୁ ସ୍ୱୀକୃତି ଦେବା ପାଇଁ ଏକ ଉତ୍ସବ ମଧ୍ୟ ଅଟେ। ଏହା ଦ୍ୱାରା ନୂଆ ସ୍ୱପ୍ନ ଓ ସମ୍ଭାବନାର ଦ୍ୱାର ଖୋଲିଥାଏ। ଡିଗ୍ରୀ ହାସଲ କରିବା ଶିକ୍ଷାର ଅନ୍ତ ନୁହେଁ ବୋଲି ସେ କହିଛନ୍ତି। ସାରା ଜୀବନ ଶିଖିବା ପାଇଁ ସେମାନଙ୍କର ଉତ୍ସାହ ରହିବା ଉଚିତ୍। ନିଜର ଜ୍ଞାନ ଓ ବୁଦ୍ଧିକୁ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିବାକୁ ସେ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ସେମାନେ ରାଷ୍ଟ୍ର ନିର୍ମାଣ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ତିନି ବିଜ୍ଞାନ ଶେଷ ସେମିଷ୍ଟାର ପରୀକ୍ଷାରେ ନୀଳକଣ୍ଠନଗର ସରସ୍ୱତୀ ଡ଼ିଗ୍ରୀ ମହାବିଦ୍ୟାଳୟର ସଫଳତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଶେଷବର୍ଷ ପରୀକ୍ଷାଫଳ ପ୍ରକାଶିତ ହୋଇଛି। ନୀଳକଣ୍ଠନଗର ଡ଼ିଗ୍ରୀ ବିଦ୍ୟାମନ୍ଦିରର ଛାତଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ସମଗ୍ର ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରୁ ସମ୍ମାନର ସହିତ ୧୩୫୧ ମାର୍କ ରଖି ସୁଶ୍ରୀ ମିମାଂସା ସାହୁ ଶ୍ରେଷ୍ଠ ସ୍ନାନକ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି। ସାତଟି ସମ୍ମାନ ବିଷୟ ମଧ୍ୟରୁ ୧୦ ନମ୍ବର ର‌୍ୟାଙ୍କ ମଧ୍ୟରେ ଏହି ଅନୁଷ୍ଠାନର ୪୨ ଜଣ ବିଦ୍ୟାର୍ଥୀ ନିଜର ଶ୍ରେଷ୍ଠ ଯୋଗ୍ୟତା ପ୍ରତିପାଦନ କରିଛନ୍ତି।

ପ୍ରାଣୀ ବିଜ୍ଞଶନରେ ସୁଶ୍ରୀ ମିମାଂସା ସାହୁ ପ୍ରଥମ, କମ୍ପ୍ୟୁଟର ବିଜ୍ଞାନ ବିଭାଗରୁ ସୌମ୍ୟରଂଜନ ପଟ୍ଟନାୟକ ପ୍ରଥମ, ଭୂତତ୍ୱ ବିଜ୍ଞାନ ବିଭାଗରୁ ଶୁଲକ୍ଷ୍ମୀ ଭୂୟାଁ ପ୍ରଥମ, ଗଣିତ ବିଭାଗରୁ ଅଭିପ୍ସା ପ୍ରଜ୍ଞା ଦାଶ ପ୍ରଥମ, ରସାୟନ ବିଜ୍ଞାନ ବିଭାଗରୁ ଅନମୋଲ ବେହେରା ପ୍ରଥମ, ଉଦ୍ଭିଦ ବିଜ୍ଞାନ ବଭାଗରୁ ଇ. ପୂଜା ପ୍ରଥମ, ପଦାର୍ଥ ବିଜ୍ଞାନ ବିଭାଗରୁ ହରିହର ବିଶ୍ୱନାଥ ପ୍ରଥମ ର‌୍ୟାଙ୍କ ରଖିଛନ୍ତି। ଏହି ଅଦ୍ଭୁତ ଏବଂ ବିରଳ କୃତିତ୍ୱ କଠୋର ପରିଶ୍ରମ, ଅଧ୍ୟାପକଙ୍କ ଅତୁଳନୀୟ ସେବା, ପରିଚାଳନା ସମିତିର ପ୍ରୋତ୍ସାହନ ଦ୍ୱାରା ସମ୍ଭବ ହୋଇପାରିଛି।

ଏହି ସଫଳତା ପାଇଁ ବହୁ ଅଭିଭାବକ ସମେତ ପରିଚାଳନା କମିଟିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରେକୃଷ୍ଣ ନାୟକ, ସଂପାଦକ ନାରାୟଣ ପଣ୍ଡା, ଯୁଗ୍ମ ସଂପାଦିକା ଇଂ. ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବିନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ, ସଦସ୍ୟା ବାସନ୍ତି ବେହେରା, ଉପଦେଷ୍ଟା ଧର୍ମରାଜୁ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଦର୍ଶନ ପାଢ଼ୀ, ଯୁକ୍ତ ତିନି ବିଭାଗର ଡ଼ିନ୍ ଡ. ବିବେକାନନ୍ଦ ପଣ୍ଡା, ବିଦ୍ୟାଳୟର ଅଧ୍ୟକ୍ଷ ଏସ୍‌. ମୋହନ ରାଓ, ଶିଶୁମନ୍ଦିରର ପ୍ରାଧାନାଚାର୍ଯ୍ୟ ଉମାଧବ ମହାନ୍ତି, ଯୁକ୍ତ ତିନି ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଡ. ସୁବ୍ରତ କୁମାର ପାଣିଗ୍ରାହୀ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି।