Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ନୂଆବର୍ଷ ଭେଟି: ଜାନୁଆରୀ ୧୩ ରେ ହେବ ନୂଆ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୩ ଜାନୁଆରୀ ୨୦୨୪ ରେ ଗୋପୀନାଥପୁର ନୀଳଗିରି ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାକୁ ସବୁଜାପତାକା ପ୍ରଦର୍ଶନ କରି ଶୁଭାରମ୍ଭ, ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ଯାତ୍ରୀବାହୀ ଲାଇନ୍ ଲୋକାର୍ପଣ, ଉପମାର୍ଗ (ସବ୍ ୱେ) ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବେତନଟୀ ରେଳ ଷ୍ଟେସନରେ ପିଆରଏସ୍ ବୁକିଂ କାଉଣ୍ଟରର ଉଦ୍ଗାଟନ କରିବେ।

ଗୋପୀନାଥପୁର ନୀଳଗିରି ଏବଂ ବାଲେଶ୍ୱର ମଧ୍ୟରେ ନୂତନ ଯାତ୍ରୀବାହୀ ଲାଇନ୍ର ଉଦ୍ଘାଟନ ହେବା ସହିତ ଏହି ଅଞ୍ଚଳର ଲୋକମାନେ ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ୍ ସେବା ପାଇପାରିବେ। ତିନିଯୋଡ଼ି ମେମୁ ଟ୍ରେନ୍ ପ୍ରତିଦିନ ଏହି ମାର୍ଗରେ ଚଳାଚଳ କରିବ।

ସେହିପରି ବେତନଟୀରେ ନୂତନ ପିଆରଏସ୍ କାଉଣ୍ଟର ସଂରକ୍ଷିତ ଟିକେଟ ବୁକିଂ ବ୍ୟବସ୍ଥା ଯାତ୍ରୀମାନଙ୍କ ପାଇଁ ଲାଭଦାୟକ ହେବ। ବେତନଟୀ ଷ୍ଟେସନଠାରେ ଅଧତ୍କ ଯାତ୍ରୀ ସୁବିଧା ଓ ନିରାପତ୍ତା ବ୍ୟବସ୍ଥା ପାଇଁ ଏକ ଉପମାର୍ଗ (ସବ୍ ୱେ) ନିର୍ମ।ଣ କରାଯିବ। ଏହା ଷ୍ଟେସନକୁ ଯାତ୍ରୀମାନଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ସୁନିଶ୍ଚିତ କରିବା ସହ ସ୍ଥାନୀୟ ଅଧିବାସୀ ରେଳ ଟ୍ରାକ୍ ଅତିକ୍ରମ ନ କରି ଉପମାର୍ଗ (ସବ୍ ୱେ) ଦେଇ ଯାତାୟାତ କରିପାରିବେ।

Categories
ଆଞ୍ଚଳିକ

ବାଲୁଗାଁ ଅଞ୍ଚଳରେ ସମାନ ଢଙ୍ଗରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଗୋପୀନାଥପୁର ଏବଂ ପ୍ରାଣଦେଇପୁର ଗ୍ରାମରୁ ସମାନ ଢଙ୍ଗରେ ଡକାୟତି ହୋଇଥିଲା। ହେଲେ ଆଜି ଉକ୍ତ ଘଟଣାର ମାଷ୍ଟରମାଇଣ୍ଡଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ଦିଲ୍ଲୀପ ସାହୁ ବୋଲି ଜଣାପଡିଛି।  ତେବେ ଉକ୍ତ ଡକାୟତିରେ ସାମିଲ ଥିବା ଅନ୍ୟ ଅପରାଧୀ ଫେରାର ଅଛନ୍ତି। ଅଭିଯୁକ୍ତ ଦିଲ୍ଲୀପଙ୍କ ନିକଟରୁ ପୋଲିସ ବହୁ ଚୋରି ଆସବାବପତ୍ର, କିଛି ନକଦ ଟଙ୍କା, ଗୋଟିଏ ବାଇକ ଏବଂ ଚୋରି ବ୍ୟବହୃତ ସାମଗ୍ରୀ ଜବତ କରିଛି।

ତେବେ ତଦନ୍ତରୁ ଜଣାପଡିଛି ଯେ, ଦିଲ୍ଲୀପ ଓ ତାଙ୍କ ସହଯୋଗୀ ଆଇପିଏଲ ଜୁଆ ଖେଳରେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହାରିଯାଇଥିଲେ। ଯାହାଫଳରେ ଉକ୍ତ ଟଙ୍କା ପାଇବା ପାଇଁ ଏପରି ଅସତ ଉପାୟ ଅବଲମ୍ବନ କରୁଥିଲେ।

ଦିଲ୍ଲୀପ ବାଣପୁର ପାରିନୁଆଗାଁ ଅଞ୍ଚଳରେ ଦୀର୍ଘ ଦିନ ହେବ ରହିଆସୁଥିବା ବେଳେ ସେ ଦିନ ବେଳେ ବିଭିନ୍ନ ଘରକୁ ଟାର୍ଗେଟ କରୁଥିଲେ ଏବଂ ରାତିରେ ଚୋରି କରୁଥିଲେ। ତେବେ ଅଭିଯୁକ୍ତ ଦିଲ୍ଲୀପ ପୁର୍ବରୁ ଖଲ୍ଲିକୋଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ବେଳେ ବାଣପୁର ଥାନା ଅଞ୍ଚଳର ଚାରି ଗୋଟି ଚୋରି ମାମଲାରେ ସେ ସମ୍ପୃକ୍ତ ଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମହାନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗନ୍ତ ଗୋପୀନାଥପୁରର ମହାନଦୀ ଅବବାହିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥଙ୍କ ନିକଟସ୍ଥ ମହାନଦୀରୁ ଗତକାଲି ନିଖୋଜ ଥିବା ଯୁବକ ଜଗବନ୍ଧୁ ମହାରଣା ଓରଫ ପପୁ (୨୬)ଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ବଡମ୍ବା ଦମକଳ ବାହିନୀ ଦୀର୍ଘ ତିନି ଘଣ୍ଟାର ରେସ୍କ୍ୟୁ ଅପରେସନ୍‌ ପରେ ଯୁବକଙ୍କ ଶବ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ ବଡମ୍ବା ନିଜିଗଡର ୪ ଜଣ ଯୁବକ ଗତକାଲି ସନ୍ଧ୍ୟାରେ ବାବା ସିଂହନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ୪ ଜଣ ଯୁବକ ନଦୀରେ ଭାସି ଯାଇଥିଲେ। ୩ ଜଣ ଯୁବକ ପହଁରି କୂଳକୁ ଆସିଥିବା ବେଳେ ଜଗବନ୍ଧୁ ମହାରଣା ପହଁରା ଜାଣିନଥିବାରୁ ଗଭୀର ଜଳରାଶିର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେସଙ୍ଗେ ବଡମ୍ବା ଦମକଳ ବାହିନୀ ଏବଂ ବଡମ୍ବା ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଦମକଳ ବାହିନୀ ଏବଂ ପୋଲିସ ପହଂଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇନଥିଲେ। ସନ୍ଧ୍ୟା ସମୟରେ ରେସ୍କୁ ଅପରେସନରେ ଅସୁବିଧା ହେବାରୁ ଦମକଳ ବାହିନୀ ଘଟଣା ସ୍ଥଳରୁ ଫେରିଯାଇଥିଲେ। ଆଜି ୩ ଘଣ୍ଟାର ରେସ୍କୁ ଅପରେସନ ପରେ ନିଖୋଜ ଜଗବନ୍ଧୁଙ୍କ ମୃତଦେହକୁ ଉଦ୍ଧାର କରିଥିଲା ଦମକଳ ବାହିନୀ। ଉଦ୍ଧାର ପରେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇ ଦିଆଯାଇଛି।