Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଝଙ୍କଡ଼ ଶାରଳା ଓ ଗୋରେଖନାଥ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି: ଜାଣନ୍ତୁ ଦର୍ଶନ ନିମନ୍ତେ କ’ଣ ରହିଛି ନିୟମ

ରମେଶ ମହାନ୍ତି
ଜଗତସିଂହପୁର: କୋଭିଡ-୧୯ ମାର୍ଗଦର୍ଶିକା ପାଳନ ମାଧ୍ୟମରେ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଓ ଗୋରେଖନାଥ ମନ୍ଦିର ଖୋଲାଯିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଆସନ୍ତା ୨୦୨୧ ଜାନୁଆରୀ ୩ତାରିଖ ଠାରୁ ମା’ ଶାରଳା ଓ ଗୋରେଖନାଥଙ୍କ ମନ୍ଦିର ଖୋଲା ରହିବ। ପ୍ରତ୍ୟେକ ଦିନ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଭକ୍ତ ଦର୍ଶନ ସୁଯୋଗ ପାଇପାରିବେ। ୬୫ ବର୍ଷରୁ ଊର୍ଦ୍ଧ୍ବ ଓ ୧୦ ବର୍ଷରୁ କମ୍ ବୟସ୍କଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ। ପଣ୍ଡା ଓ ସେବାୟତଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁହେବ। ପ୍ରତ୍ୟେକ ଦର୍ଶନାର୍ଥିଙ୍କ ଥର୍ମାଲ୍ ସ୍କାନିଙ୍ଗ୍, ହାତ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହେବ। ପ୍ରତ୍ୟେକ ଭକ୍ତ ଦର୍ଶନ ପୂର୍ବରୁ ପରିଚୟପତ୍ର ଓ ବୟସ ପ୍ରମାଣପତ୍ର ଦେଖାଇବାକୁ ପଡିବ।

ଜଗତସିଂହପୁର ଜିଲ୍ଲା ବାହାର ଦର୍ଶନାର୍ଥିଙ୍କୁ ୫ଦିନ ମଧ୍ୟରେ କୋଭିଡ୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ଅଟେ। ସମସ୍ତ ପୂଜକ ଓ ସେବାୟତ ମାନଙ୍କର କୋଭିଡ୍ ଟେଷ୍ଟ କରାଯିବା ସହିତ ୨ସପ୍ତାହ ପରେ ପୁନଶ୍ଚ ଟେଷ୍ଟ କରାଯିବ। ମନ୍ଦିରକୁ ଗୋଟିଏ ପଟେ ପ୍ରବେଶ ଓ ଗୋଟିଏ ପଟେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ। ଭୋଗ ଦୋକାନ ଓ ମନ୍ଦିର ବାହାରେ ଯେପରି ଗହଳି ନହୁଏ ସେଥିପାଇଁ କଠୋର ଏନଫୋର୍ସମେଣ୍ଟ ବ୍ୟବସ୍ଥା କରାଯିବ।

ତହସିଲଦାର, ଆରକ୍ଷୀ ନିରୀକ୍ଷକ, ପୂର୍ତ୍ତବିଭାଗ ଓ ମନ୍ଦିର ନିର୍ବାହୀ ଅଧିକାରୀ ଗାଡ଼ି ପାର୍କିଙ୍ଗ୍ ସ୍ଥାନ, ଭକ୍ତ ମାନଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା, ସାମାଜିକ ଦୂରତା ନିମନ୍ତେ ଗୋଲେଇ ଚିହ୍ନ, ଫ୍ଲେକ୍ସ୍ ମାଧ୍ୟମରେ ନିୟମାବଳୀ ପ୍ରଦର୍ଶନ ନିମନ୍ତେ ୩ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ଯୋଗଦେଇ ପ୍ରାରମ୍ଭିକ ସୂଚନା କରିଥିବା ବେଳେ ଏହି ବୈଠକରେ ଉପ-ଆରକ୍ଷୀ ଅଧିକ୍ଷକ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ, ସି.ଡି.ଏମ୍.ଓ ଡଃ ବିଜୟା ପଣ୍ଡା, ଏ.ଡି.ଏମ୍.ଓ ଡଃ ବସନ୍ତ ବାରିକ, ଡଃ ଶତୃଘ୍ନ ଦାଶ, ଶାରଳା ମନ୍ଦିର ଓ ଗୋରେଖନାଥ ମନ୍ଦିର ନିର୍ବାହୀ ଅଧିକାରୀ, ସହକାରୀ ଜିଲ୍ଲାପାଳ ଜରୁରୀ ଶାଶ୍ଵତ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ତିର୍ତ୍ତୋଲ ଓ ରଘୁନାଥପୁର ତହସିଲଦାର ଏବଂ ଆଇ.ଆଇ.ସି ଙ୍କ ସମେତ ଶାରଳା ମନ୍ଦିର ଓ ଗୋରେଖନାଥ ମନ୍ଦିରର ପୂଜକ ଓ ସେବାୟତ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଗୋରେଖନାଥ ମନ୍ଦିରରେ ୧୪୪ ଧାରା ଜାରୀ କଲେ ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଭାବେ ପରିଚିତ କେରେକେରା ସ୍ଥିତ ପ୍ରଭୁ ଗୋରେଖନାଥଙ୍କ ପୀଠରେ ଆସନ୍ତା ତା.୨୬.୪.୨୦ ଠାରୁ ୦୩.୦୫.୨୦ରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ଯଜ୍ଞ ଓ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସେଠାରେ୧୪୪ ଧାରା ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ମନ୍ଦିର ପରିସରରେ ପୂଜକଙ୍କୁ ମିଶାଇ ଚାରି ଜଣରୁ ଅଧିକ ଏକାଠି ହୋଇ ପାରିବେ ନାହିଁ। ଏହି ସମୟ ମଧ୍ୟରେ ମନ୍ଦିର ପରିସରରେ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି। ୧୪୪ ଧାରା ତା.୨୬. ୪.୨୦ ରିଖରୁ ତା.୦୩.୦୫.୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାର ଅବମାନନା କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା ଭୁତାଣୁର ଦ୍ରୁତ ସଂକ୍ରମଣ କୁ ପ୍ରତିରୋଧ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।