ଝଙ୍କଡ଼ ଶାରଳା ଓ ଗୋରେଖନାଥ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି: ଜାଣନ୍ତୁ ଦର୍ଶନ ନିମନ୍ତେ କ’ଣ ରହିଛି ନିୟମ

Published: Dec 21, 2020, 9:54 pm IST

ରମେଶ ମହାନ୍ତି
ଜଗତସିଂହପୁର: କୋଭିଡ-୧୯ ମାର୍ଗଦର୍ଶିକା ପାଳନ ମାଧ୍ୟମରେ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଓ ଗୋରେଖନାଥ ମନ୍ଦିର ଖୋଲାଯିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଆସନ୍ତା ୨୦୨୧ ଜାନୁଆରୀ ୩ତାରିଖ ଠାରୁ ମା’ ଶାରଳା ଓ ଗୋରେଖନାଥଙ୍କ ମନ୍ଦିର ଖୋଲା ରହିବ। ପ୍ରତ୍ୟେକ ଦିନ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଭକ୍ତ ଦର୍ଶନ ସୁଯୋଗ ପାଇପାରିବେ। ୬୫ ବର୍ଷରୁ ଊର୍ଦ୍ଧ୍ବ ଓ ୧୦ ବର୍ଷରୁ କମ୍ ବୟସ୍କଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ। ପଣ୍ଡା ଓ ସେବାୟତଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁହେବ। ପ୍ରତ୍ୟେକ ଦର୍ଶନାର୍ଥିଙ୍କ ଥର୍ମାଲ୍ ସ୍କାନିଙ୍ଗ୍, ହାତ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହେବ। ପ୍ରତ୍ୟେକ ଭକ୍ତ ଦର୍ଶନ ପୂର୍ବରୁ ପରିଚୟପତ୍ର ଓ ବୟସ ପ୍ରମାଣପତ୍ର ଦେଖାଇବାକୁ ପଡିବ।

ଜଗତସିଂହପୁର ଜିଲ୍ଲା ବାହାର ଦର୍ଶନାର୍ଥିଙ୍କୁ ୫ଦିନ ମଧ୍ୟରେ କୋଭିଡ୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ଅଟେ। ସମସ୍ତ ପୂଜକ ଓ ସେବାୟତ ମାନଙ୍କର କୋଭିଡ୍ ଟେଷ୍ଟ କରାଯିବା ସହିତ ୨ସପ୍ତାହ ପରେ ପୁନଶ୍ଚ ଟେଷ୍ଟ କରାଯିବ। ମନ୍ଦିରକୁ ଗୋଟିଏ ପଟେ ପ୍ରବେଶ ଓ ଗୋଟିଏ ପଟେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ। ଭୋଗ ଦୋକାନ ଓ ମନ୍ଦିର ବାହାରେ ଯେପରି ଗହଳି ନହୁଏ ସେଥିପାଇଁ କଠୋର ଏନଫୋର୍ସମେଣ୍ଟ ବ୍ୟବସ୍ଥା କରାଯିବ।

ତହସିଲଦାର, ଆରକ୍ଷୀ ନିରୀକ୍ଷକ, ପୂର୍ତ୍ତବିଭାଗ ଓ ମନ୍ଦିର ନିର୍ବାହୀ ଅଧିକାରୀ ଗାଡ଼ି ପାର୍କିଙ୍ଗ୍ ସ୍ଥାନ, ଭକ୍ତ ମାନଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା, ସାମାଜିକ ଦୂରତା ନିମନ୍ତେ ଗୋଲେଇ ଚିହ୍ନ, ଫ୍ଲେକ୍ସ୍ ମାଧ୍ୟମରେ ନିୟମାବଳୀ ପ୍ରଦର୍ଶନ ନିମନ୍ତେ ୩ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ଯୋଗଦେଇ ପ୍ରାରମ୍ଭିକ ସୂଚନା କରିଥିବା ବେଳେ ଏହି ବୈଠକରେ ଉପ-ଆରକ୍ଷୀ ଅଧିକ୍ଷକ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ, ସି.ଡି.ଏମ୍.ଓ ଡଃ ବିଜୟା ପଣ୍ଡା, ଏ.ଡି.ଏମ୍.ଓ ଡଃ ବସନ୍ତ ବାରିକ, ଡଃ ଶତୃଘ୍ନ ଦାଶ, ଶାରଳା ମନ୍ଦିର ଓ ଗୋରେଖନାଥ ମନ୍ଦିର ନିର୍ବାହୀ ଅଧିକାରୀ, ସହକାରୀ ଜିଲ୍ଲାପାଳ ଜରୁରୀ ଶାଶ୍ଵତ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ତିର୍ତ୍ତୋଲ ଓ ରଘୁନାଥପୁର ତହସିଲଦାର ଏବଂ ଆଇ.ଆଇ.ସି ଙ୍କ ସମେତ ଶାରଳା ମନ୍ଦିର ଓ ଗୋରେଖନାଥ ମନ୍ଦିରର ପୂଜକ ଓ ସେବାୟତ ମାନେ ଉପସ୍ଥିତ ଥିଲେ।

Related posts