Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ବ୍ଲକର ଏହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟରେ ସଂକ୍ରମଣ ଦ୍ରୁତଗତିରେ ବଢୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ କରୋନା ଗ୍ରାଫ ଉପର ମୁହାଁ ହେଉଛି। ଆଜି ଜଗତସିଂହପୁର ଜିଲ୍ଲାରେ ୨୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଜିଲ୍ଲା ପ୍ରଶାସନ ଏବେ କଟକଣାକୁ ଆହୁରି କଡାକଡି କରୁଛି। ଏହି ପ୍ରରିପେକ୍ଷୀରେ ଆଜି ଜଗତସିଂହପୁର ବ୍ଲକରେ ଏକାଧିକ ପଜିଟିଭ ଚିହ୍ନଟ ହେବା ପରେ ପ୍ରଭାବିତ ୱାର୍ଡଗୁଡିକରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଦେଇଛି।

ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଡିହ ତରତଙ୍ଗ ଗ୍ରାମର ୩, ୪ ଏବଂ ୫ ନମ୍ବର ୱାର୍ଡକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଆସନ୍ତା ୧୯ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନରେ କଟକଣା ବଳବତ୍ତର ରହିବା ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି। ଏହି ଅଞ୍ଚଳର ସୀମା ଭିତରେ ଥିବା ସବୁ ସରକାରୀ ଏବଂ ଘରୋଇ ସଂସ୍ଥାଙ୍କୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମୟରେ ଜଗତସିଂହପୁର ବ୍ଲକର ଏବିଡିଓଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ଵ ଦିଆଯାଇଥିବା ବେଳେ ଅତିରିକ୍ତ ତହସିଲଦାର ଏବଂ ଜଗତସିଂହପୁର ଥାନା ଆଇଆଇସିଙ୍କୁ ଆଇନ ଶ୍ରୁଙ୍ଖଳା ଦାୟିତ୍ଵ ଦିଆଯାଇଛି। ଜଗତସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବା ଦାୟିତ୍ଵ ଦିଆଯାଇଥିବା ବେଳେ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ସଂକ୍ରମଣ ଅଞ୍ଚଳର ବିଶୋଧନ ଦାୟିତ୍ଵ ଦିଆଯାଇଛି।

ତେବେ ଏସବୁର କାର୍ଯ୍ୟକୁ ତଦାରଖ ପାଇଁ ଜଗତସିଂହପୁର ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।