Categories
ଆଜିର ଖବର ରାଜ୍ୟ ଖବର

ଇନ୍ଦ୍ରାବତୀ ଜଳଭଣ୍ଡାରରେ ସର୍ବନିମ୍ନ ଜଳସ୍ତର, ଜଟିଳ ସ୍ଥିତି ଆଶଙ୍କା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କୃଷି କ୍ଷେତ୍ରରେ ବୈପ୍ଲିବିକ ପରିବର୍ତନ ଆଣିଥିବା ବୃହତ ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନାର ଜଳଭଣ୍ଡାରରେ ଦୀର୍ଘ ୨୨ ବର୍ଷ ମଧ୍ୟରେ ସର୍ବନିମ୍ନ ଜଳସ୍ତର ରହିଥିବା ଜଣାପଡିଛି। ଚଳିତ ଅଗଷ୍ଟ ମାସ ଶେଷ ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାରରେ ୬୩୧.୪୯ ମିଟର ଜଳସ୍ତର ରହିଥିବା ହେତୁ ସମସ୍ତଙ୍କ ଚିନ୍ତା ବଢିବାରେ ଲାଗିଛି।

ଗତ ୧୯୯୯ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଇନ୍ଦ୍ରାବତୀ ଜଳଭଣ୍ଡାରରେ ସର୍ବୋଚ୍ଚ ୬୪୨ ମିଟର ଜଳଧାରଣ କ୍ଷମତା ରହିଥିବା ବେଳେ ଅଗଷ୍ଟ ମାସ ଶେଷସୁଦ୍ଧା ୬୩୦ ମିଟର ଜଳସ୍ତର ରହିଥିବା ଜଣାପଡିଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ୧,୪୫,୫୭୭ ହେକ୍ଟର ମିଟର ଜଳଧାରଣର କ୍ଷମତା ଥିବା ବେଳେ ଅଗଷ୍ଟ ୨୬ ତାରିଖ ସୁଦ୍ଧା ୪୫,୭୧୪ ମିଟର ଅର୍ଥାତ ଶତକଡା ୩୧ ଭାଗ ଜଳ ରହିଥିବା ଜଣାପଡିଛି। ଅଗଷ୍ଟ ମାସରେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏଭଲି ଜଳସ୍ଥିତି ପାଇଁ ଆଗାମୀ ଦିନରେ କୃଷି କ୍ଷେତ୍ରରେ ଜଳସେଚନ ପାଇଁ ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ଅସୁବିଧା ହୋଇପାରେ ବୋଲି ଆଲୋଚନା ହେଲାଣି।

କପୁର,ମୁରାନ,ପୋଡାଗଡ ଓ ଇନ୍ଦ୍ରାବତୀ ଭଲି ନଦୀ ଗୁଡିକର ସମାହାରରେ ୧୧୦ ବର୍ଗ କି.ମି. ଜଳପରିଧି ସୃଷ୍ଟି ହୋଇଥିବା ଇନ୍ଦ୍ରାବତୀ ଜଳଭଣ୍ଡାର କଳାହାଣ୍ଡି ପାଇଁ ବରଦାନ ସାଜିଥିବା ବେଳେ ଆଗକୁ ଭଲବର୍ଷା ନହେଲେ ଆଗାମୀ ଦିନରେ ଜଳସେଚନ
କ୍ଷେତ୍ରରେ ଜଟିଳ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।