Categories
ଆଞ୍ଚଳିକ

ମନ୍ତ୍ରୀଙ୍କ ଜନ୍ମ ଦିନରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ, ନର୍ସିଂ ହୋମ ଲୋକାର୍ପଣ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କଳାହାଣ୍ଡି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ୫୨ତମ ଜନ୍ମ ଦିବସ ଉପଲକ୍ଷେ ସମଗ୍ର ଜିଲ୍ଲାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଶନିବାର ସକାଳେ ଭବାନୀପାଟଣାସ୍ଥିତ ନିଜ ବାସଭବନରେ ବିଭିନ୍ନ ସାମାଜିକ ସଂଗଠନ ଦ୍ୱାରା ଜନ୍ମଦିନର ଶୁଭେଚ୍ଛା ଦିଆଯାଇଥିବା ବେଳେ ଯୁବ ଛାତ୍ର ବିଜେଡି ଦ୍ୱାରା ଭବାନୀପାଟଣା ଗାନ୍ଧୀପାର୍କ ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।

ମନ୍ତ୍ରୀଙ୍କ ଦ୍ୱାରା ଭବାନୀପାଟଣା ପୌରପାଳିକାର ସଫେଇ କର୍ମଚାରୀ ମାନଙ୍କୁ ବସ୍ତ୍ର, ସାବୁନ, ସାନିଟାଇଜର ବଂଟନ କରାଯିବା ସହ କେକ କାଟି ସମସ୍ତଙ୍କୁ ଖୁଆଇଥିଲେ। ମନ୍ତ୍ରୀ ସ୍ଥାନୀୟ ଅନ୍ଧ,ମୁକ, ବଧିର ସ୍କୁଲକୁ ଯାଇ ସେଠାରେ ପିଲାମାନଙ୍କ ସମସ୍ତ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ । ଜୁନାଗଡ ନିର୍ବାଚନ ମଣ୍ଡଳୀ ଦଶପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବା ସହ କେଗାଁ ଠାରେ ଭିନ୍ନକ୍ଷମ ମାନଙ୍କୁ ରାସନ ସାମଗ୍ରୀ ବଂଟନ କରାଯାଇଥିଲା। କେଗାଁ ଆଂଚଳିକ ଉଚ୍ଚ ବିଦ୍ୟାଳୟଠାରେ ଚାରା ରୋପଣ କରାଯାଇ ସେସବୁର ଦାୟୀତ୍ୱ ନେବାକୁ ମନ୍ତ୍ରୀଙ୍କ ସମର୍ଥକ/ଶୁଭେଚ୍ଛୁ ମାନେ ସଂକଳ୍ପବଦ୍ଧ ହୋଇଥିଲେ।

ସେହିପରି ଜୁନାଗଡ ସଂସ୍କୃତିଭବନଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ମନ୍ତ୍ରୀ ଉଦଗାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏଠାରେ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଅଧିକ ସଂଖ୍ୟକ ମହିଳାମାନେ ଉତ୍ସାହିତ ହୋଇ ରକ୍ତଦାନ କରିଥିବା ଜଣାପଡିଛି । ସେହିପରି ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ବେଡମିଂଟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଜୁନାଗଡ ସହର କଲମପୁର ଛକ ଗାୟତ୍ରୀ ନଗର ପାଖରେ ଅଗ୍ରୱାଲ ନର୍ସିଂ ହୋମର ଲୋକାର୍ପଣ ହୋଇଥିଲା।

ଆଧୁନିକ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଯାଇ ସ୍ଥାନୀୟ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖିଗୁଡାସ୍ଥିତ ଡା.ଅଗ୍ରୱାଲ ଏହି ନିର୍ସିଂ ହୋମ ପ୍ରତିଷ୍ଠା କରିଥିବା ବେଳେ ମନ୍ତ୍ରୀଙ୍କ ଜନ୍ମ ଦିନରେ ଲୋକାର୍ପଣ ହେବା ରେ ସ୍ୱତନ୍ତ୍ରତା ରହିଥିବା ପ୍ରକାଶ। ବିଗତ ମାସେ ତଳେ ଜୁନାଗଡରେ ଅନ୍ୟ ଏକ ନର୍ସିଂ ହୋମ ଉଦଗାଟନ ହୋଇଥିବା ବେଳେ ସେଠାରେ ଭୁଲ ଔଷଧ ଦେବା ଯୋଗୁଁ ଜନୈକ ମହିଳା ରୋଗୀଙ୍କ କ୍ଷତି ହୋଇଥିବା ଅଭିଯୋଗ ହେବାପରେ ସେହି ଖବର ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଯାଇଥିବା ହେତୁ ଏହି ନୂତନ ନର୍ସିଂହୋମ ଲୋକାର୍ପଣ ଉତ୍ସବକୁ ଗଣମାଧ୍ୟମକୁ ଉପେକ୍ଷା କରାଯାଇଥିବା ଜଣାପଡିଛି।