Categories
ଆଜିର ଖବର ଜାତୀୟ ଖବର

“ଗ୍ରାମାଞ୍ଚଳର ୮୦% ରୁ ଅଧିକ ପରିବାର ଏବେ ଟ୍ୟାପ୍ ଜଳ ସଂଯୋଗ ପାଇ ପାରୁଛନ୍ତି”: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପାରମ୍ପରିକ ଜଳ କଳଶ ସମାରୋହ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ଉପସ୍ଥିତିରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲ ଜଳ ସୁରକ୍ଷା ଉପରେ ଦ୍ୱିତୀୟ ରାଜ୍ୟ ଜଳମନ୍ତ୍ରୀ ସମ୍ମିଳନୀକୁ ଉଦଘାଟନ କରିଥିଲେ।

ଜଳ ନିରାପତ୍ତା ଉପରେ ଦ୍ବିତୀୟ ରାଜ୍ୟ ଜଳମନ୍ତ୍ରୀ ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ଜଳ ଜୀବନ ମିଶନ (ଜେଜେଏମ୍)ର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ ଏବଂ ଭାରତର ପ୍ରତ୍ୟେକ ଗ୍ରାମୀଣ ପରିବାର ପାଇଁ ନିରାପଦ ଏବଂ ସ୍ଥାୟୀ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଶ୍ରୀ ପାଟିଲ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ଅଭିଯାନ ଅଭୂତପୂର୍ବ ଅଗ୍ରଗତି କରିଛି ଏବଂ ୮୦% ରୁ ଅଧିକ ଗ୍ରାମୀଣ ପରିବାର ବର୍ତ୍ତମାନ ଟ୍ୟାପ୍ ଜଳ ସଂଯୋଗ ଉପଲବ୍ଧ କରାଇଛନ୍ତି । ଫଳରେ ୧୫ କୋଟିରୁ ଅଧିକ ପରିବାର ଘର ଦ୍ୱାରରେ ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ପାଇ ଉପକୃତ ହେଉଛନ୍ତି।

ଜନସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ ଏବଂ ଗୋଷ୍ଠୀର ଅଂଶଗ୍ରହଣ ଉପରେ ଜେଜେଏମ୍ ର ପରିବର୍ତ୍ତନନକାରୀ ପ୍ରଭାବ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଡବ୍ଲ୍ୟୁଏଚଓର ଆକଳନ ଅନୁଯାୟୀ, ଡାଇରିଆ ଭଳି ଜଳବାହିତ ରୋଗରେ ୪ ଲକ୍ଷ ମୃତ୍ୟୁକୁ ରୋକିବାରେ ଏହି ମିଶନ ଯୋଗଦାନ ଦେଇଛି । ଏହାବ୍ୟତୀତ, ଏହି ପଦକ୍ଷେପ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ ଘଟିଛି ଏବଂ ଗ୍ରାମୀଣ ଜନସଂଖ୍ୟାର ସାମଗ୍ରିକ କଲ୍ୟାଣରେ ଉନ୍ନତି ଘଟିଛି ।

ଏହି ଅଭିଯାନର ଏକ ପ୍ରମୁଖ ଆକର୍ଷଣ ହେଉଛି ମହିଳା ସଶକ୍ତୀକରଣ, ୨୫ ଲକ୍ଷ ମହିଳାଙ୍କୁ ଫିଲ୍ଡ ଟେଷ୍ଟିଂ କିଟ୍ ବ୍ୟବହାର କରି ଜଳର ଗୁଣବତ୍ତା ପରୀକ୍ଷା କରିବାକୁ ତାଲିମ ଦିଆଯାଇଛି। ଏହି ପଦକ୍ଷେପ ଗୋଷ୍ଠୀ-ନେତୃତ୍ୱାଧୀନ ତଦାରଖକୁ ସୁଦୃଢ଼ କରିଛି, ଯାହା ଦ୍ୱାରା ଘରେ ପହଞ୍ଚୁଥିବା ପାଣି ଗୁଣାତ୍ମକ ମାନଦଣ୍ଡ ପୂରଣ କରୁଛି। ଏହାବ୍ୟତୀତ ଟ୍ୟାପ୍ ପାଣିର ଉପଲବ୍ଧତା ମହିଳାମାନଙ୍କ ପାଇଁ ଦୈନିକ ୫.୫ କୋଟି ଘଣ୍ଟା ସଞ୍ଚୟ କରିଛି, ଯାହା ଦ୍ୱାରା ସେମାନେ ଆର୍ଥିକ, ଶିକ୍ଷାଗତ ଏବଂ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ।

ସରକାରଙ୍କ ଦୃଷ୍ଟିକୋଣକୁ ଦୋହରାଇ ଶ୍ରୀ ପାଟିଲ କହିଥିଲେ ଯେ ଜଳ ସୁରକ୍ଷା ବିକଶିତ ଭାରତ @୨୦୪୭ ର ଏକ ମୌଳିକ ସ୍ତମ୍ଭ ଏବଂ ଜଳ ଜୀବନ ମିଶନ ଏହି ଲକ୍ଷ୍ୟ ହାସଲ କରିବାରେ ଏକ ପ୍ରମୁଖ ଚାଳକ । ନିରନ୍ତର ପ୍ରଗତି ଏବଂ ଦୃଢ଼ ଗୋଷ୍ଠୀ ଅଂଶଗ୍ରହଣ ସହିତ, ଆମେ ସମସ୍ତଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳକୁ ବାସ୍ତବ ରୂପ ଦେବାକୁ ପ୍ରତିଶ୍ରୁତିବଦ୍ଧ ।

Categories
ଆଜିର ଖବର ଜାତୀୟ ଖବର

ଓଡିଶାର ୬୦ ଲକ୍ଷ ପରିବାର ନିକଟରେ ପହଂଚିଲା ନଳ ମାଧ୍ୟମରେ ଜଳ ସଂଯୋଗ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ସକ୍ଷମ କରିବା ପାଇଁ ୨୦୨୪ ସୁଦ୍ଧା ନଳ ଜଳ ସଂଯୋଗ ମାଧ୍ୟମରେ ନିୟମିତ ଏବଂ ଦୀର୍ଘମିଆଦୀ ଭିତ୍ତିରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ସୁନିଶ୍ଚିତ କରିବା ନିମନ୍ତେ ଅଗଷ୍ଟ ୨୦୧୯  ଠାରୁ ଭାରତ ସରକାର ରାଜ୍ୟ ମାନଙ୍କ ସହ ଭାଗୀଦାରୀରେ ଜଳ ଜୀବନ ମିଶନ (ଜେଜେଏମ୍‌) – ହର୍ ଘର୍ ଜଳ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଛନ୍ତି।

ଓଡିଶାରେ ଗ୍ରାମାଂଚଳରେ ଥିବା ୮୮. ୦୪ ଲକ୍ଷ ଗୃହ ମଧ୍ୟରୁ ୩.୧୧ ଲକ୍ଷ ଲୋକ ମାନଙ୍କୁ ୧୫ ଅଗଷ୍ଟ ୨୦୧୯ ସୁଦ୍ଧା ନଳ ମାଧ୍ୟମରେ ଜଳ ଯୋଗାଣ କରାଯାଉଥିବା ବେଳେ, ଏହାର ପରିମାଣ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୫୭.୭୫ ଲକ୍ଷକୁ ବୃଦ୍ଧି ପାଇଥିଲା, ଯାହାର ପରିମାଣ ପ୍ରାୟ ସମୁଦାୟର ୬୫.୧୫% ଥିଲା। ୨୦୨୩ ନଭେମ୍ବର ୨୯ ତାରିଖ ସୁଦ୍ଧା ଏହା ୬୦.୨୮ ଲକ୍ଷ ଘରକୁ ପରିସରଭୁକ୍ତ କରିଛି, ଯାହାର ପରିମାଣ ୬୮.୦୧% ଅଟେ।

ଏହି ମିଶନର ଉଦ୍ଦ୍ୟେଶ୍ୟ ହାସଲ କରିବା ପାଇଁ ଜଳ ଜୀବନ ମିଶନ ଅଧୀନରେ ନିମ୍ନଲିଖିତ ଉପାଦାନ ଗୁଡିକର ପରିକଳ୍ପନା କରାଯାଇଛି:

୧. ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରିବା ପାଇଁ ଗ୍ରାମରେ ପାଇପ୍ ଜଳ ଯୋଗାଣ ଭିତ୍ତିଭୂମିର ବିକାଶ।

୨. ଜଳ ଯୋଗାଣ ବ୍ୟବସ୍ଥାକୁ ଦୀର୍ଘକାଳୀନ ସ୍ଥାୟୀତ୍ୱ ପ୍ରଦାନ କରିବା ପାଇଁ ନିର୍ଭରଯୋଗ୍ୟ ପାନୀୟ ଜଳ ଉତ୍ସ ଗୁଡିକର ବିକାଶ ଏବଂ /କିମ୍ବା ପୂର୍ବରୁ ରହିଥିବା ଉତ୍ସ ଗୁଡିକର ବୃଦ୍ଧି।

୩. ବହୁ ପରିମାଣର ଜଳ ସ୍ଥାନାନ୍ତର, ଉପଚାର ପ୍ଲାଂଟ ଏବଂ ବିତରଣ ନେଟୱର୍କ।

୪. ଯେଉଁଠାରେ ଜଳ ଗୁଣବତ୍ତା ଏକ ସମସ୍ୟା ଅଟେ , ସେଠାରେ ପ୍ରଦୂଷଣକୁ ହଟାଇବା ପାଇଁ ବୈଷୟିକ ହସ୍ତକ୍ଷେପ।

୫. ସର୍ବନିମ୍ନ ୫୫ ଏଲ୍‌ପିସିଡି ସେବା ସ୍ତରରେ ଏଫ୍‌ଏଚ୍‌ଟିସି ପ୍ରଦାନ କରିବା ନିମନ୍ତେ ସମ୍ପୂର୍ଣ୍ଣ ଏବଂ ଚାଲୁଥିବା ଯୋଜନା ଗୁଡିକର ପୁନରୁଦ୍ଧାର।

୬. ଅପରିଷ୍କାର ଜଳ ପରିଚାଳନା – ବିଶୋଧନ ଏବଂ ପୁନଃବ୍ୟବହାର ଏବଂ

୭. ସମୁଦାୟର କାର୍ଯ୍ୟକଳାପ ଏବଂ ଦକ୍ଷତା ବିକାଶକୁ ସମର୍ଥନ କରିବା।

୧୫ ଅଗଷ୍ଟ ୨୦୧୯ ରେ ଯେତେବେଳେ ଜଳ ଜୀବନ ମିଶନ ଘୋଷଣା କରାଯାଇଥିଲା, ସେହି ସମୟରେ ୩.୨୩ କୋଟି (୧୭%) ଗ୍ରାମୀଣ ପରିବାର ନିକଟରେ ଟ୍ୟାପ୍ ଜଳ ସଂଯୋଗ ରହିଥିଲା। ୨୯ ନଭେମ୍ବର ୨୦୨୩ ସୁଦ୍ଧା ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକର ରିପୋର୍ଟ ଅନୁଯାୟୀ , ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦.୪୬ କୋଟି ଅତିରିକ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରାଯାଇଛି। ଅର୍ଥାତ୍ ୨୯ ନଭେମ୍ବର ୨୦୨୩ ସୁଦ୍ଧା ଦେଶର ୧୯.୨୪ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ପ୍ରାୟ ୧୩.୬୯ କୋଟି (୭୧%) ପରିବାର ସେମାନଙ୍କ ଘରେ ଟ୍ୟାପ୍ ଜଳ ଯୋଗାଣର ସୁବିଧା ପାଉଥିବା ଜଣାଯାଇଛି। ୩୦/୦୯/୨୦୨୩ ଏବଂ ୨୯/୧୧/୨୦୨୩ ସୁଦ୍ଧା ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଅନୁଯାୟୀ ଟ୍ୟାପ୍ ଜଳ ସଂଯୋଗର ବିବରଣୀ ସଂଲଗ୍ନ କରାଯାଇଛି।

୯ଟି ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ , ଯଥା : ଗୋଆ, ଗୁଜରାଟ, ହରିୟାନା, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ତେଲେଙ୍ଗାନା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ନଗର ହାବେଲି ଏବଂ ଡାମନ ଡିଉ ଏବଂ ପୁଡୁଚେରୀ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ସମ୍ପୃକ୍ତ ରାଜ୍ୟ /କେନ୍ଦ୍ରଶାସିତ ଅଂଚଳର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରିଥିବା ରିପୋର୍ଟ ଦେଇଛନ୍ତି।

ଆଜି ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୧୩ କୋଟି ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଜଳ ସଂଯୋଗ ମାଇଲ୍‌ଖୁଂଟ ହାସଲ କଲା ଜଳ ଜୀବନ ମିଶନ

ନୂଆଦିଲ୍ଲୀ: ଜଳ ଜୀବନ ମିଶନ (ଜେଜେଏମ୍‌) ଆଜି ୧୩ କୋଟି ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ‘ସ୍ପିଡ୍ ଆଣ୍ଡ ସ୍କେଲ’ ମାଧ୍ୟମରେ କାର୍ଯ୍ୟ କରି ଏହି ଜୀବନ ପରିବର୍ତ୍ତନକାରୀ ଅଭିଯାନ ମାତ୍ର ୪ ବର୍ଷ ମଧ୍ୟରେ ୧୩ କୋଟି ଗ୍ରାମୀଣ ପରିବାରକୁ ସଂଯୋଗ ପରିସରଭୁକ୍ତ କରିଛି। ଅଗଷ୍ଟ, ୨୦୧୯ରେ ମିଶନ ଆରମ୍ଭ ହେବା ବେଳକୁ ଗ୍ରାମୀଣ କ୍ଷେତ୍ରରେ ନଳ ମାଧ୍ୟମରେ ଜଳ ସଂଯୋଗର ପରିସରରେ ମାତ୍ର ୩.୨୩ କୋଟି ପରିବାର ସାମିଲ୍ ହୋଇଥିଲେ। ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ, ୨୦୧୯ରେ ଲାଲକିଲ୍ଲା ପ୍ରାଚୀରରୁ ଜଳ ଜୀବନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ୬ଟି ରାଜ୍ୟ , ଯଥା ଗୋଆ, ତେଲଙ୍ଗାନା, ହରିୟାଣା, ଗୁଜରାଟ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ) ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳ – ପୁଡୁଚେରୀ, ଡାମନ ଆଣ୍ଡ ଡିୟୁ (ଡି ଆଣ୍ଡ ଡି) ଏବଂ ଦାଦରା ନଗର ହାବେଲି (ଡି ଆଣ୍ଡଏନଏଚ୍‌) ଏବଂ ଆଣ୍ଡାମାନ ଏବଂ ନିକୋବର (ଏ ଆଣ୍ଡ ଏନ୍‌) ଦ୍ୱୀପପୁଞ୍ଜରେ ୧୦୦ ପ୍ରତିଶତ ନଳ ମାଧ୍ୟମରେ ଜଳ ସଂଯୋଗ ହୋଇଛି। ଏହା ପଛକୁ ବିହାର ରହିଥିବାବେଳେ ସେଠାରେ ୯୬.୩୯% ଗ୍ରାମାଂଚଳ ଏହାର ପରିସରଭୁକ୍ତ ହୋଇଛି ଏବଂ ଏହା ମିଜୋରାମରେ ୯୨.୧୨% ରହିଛି। ଗୋଆ, ହରିୟାଣା, ପଞ୍ଜାବ, ଏ ଆଣ୍ଡ ଏନ୍ ଦ୍ୱୀପପୁଞ୍ଜ, ପୁଡୁଚେରୀ, ଡି ଆଣ୍ଡ ଏନ୍‌ଏଚ୍ ଏବଂ ଡି ଆଣ୍ଡ ଡି ହେଉଛନ୍ତି ‘ପ୍ରତି ଘରକୁ ଜଳ ପ୍ରମାଣିତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଅର୍ଥାତ୍ ଏହି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଗ୍ରାମବାସୀମାନେ ଗ୍ରାମସଭା ମାଧ୍ୟମରେ ନିଶ୍ଚିତ କରିଛନ୍ତି ଯେ ଗ୍ରାମର ‘ସମସ୍ତ ପରିବାର ଏବଂ ସରକାରୀ ଅନୁଷ୍ଠାନ ଗୁଡିକୁ ‘ ପର୍ଯ୍ୟାପ୍ତ, ସୁରକ୍ଷିତ ପରିମାଣରେ ଏବଂ ନିୟମିତ ରୂପେ ଜଳ ଯୋଗାଣ କରାଯାଉଛି। ଦେଶର ୧୪୫ଟି ଜିଲ୍ଲା ଓ ୧,୮୬,୮୧୮ଟି ଗ୍ରାମରେ ଶତପ୍ରତିଶତ ନଳ ମାଧ୍ୟମରେ ଜଳ ଯୋଗାଣ ହୋଇଛି।

ଏହି ମିଶନ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସହିତ ଭାଗିଦାରୀରେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି ଏବଂ ବିକାଶ ସହଯୋଗୀ ମାନଙ୍କ ସମେତ ସମସ୍ତଙ୍କ ମିଳିତ ପ୍ରୟାସ କାରଣରୁ ତୃଣମୂଳ ସ୍ତରରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ପ୍ରତି ସେକେଣ୍ଡରେ , ଗୋଟିଏ ଟ୍ୟାପ୍ ପାଣି ସଂଯୋଗ ଲଗାଯାଉଛି, ଯାହା ଦେଶର ଗ୍ରାମୀଣ ଚିତ୍ରକୁ ବଦଳାଇ ଦେଉଛି। ୨୦୨୩ ଜାନୁଆରୀ ମାସ ପହିଲାରୁ ଦୈନିକ ହାରାହାରି ୮୭,୫୦୦ ଜଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରାଯାଉଛି। ୨୦୨୩ ଜାନୁଆରୀ ମାସରୁ ୬୧.୦୫ ଲକ୍ଷ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ (ଏଫ୍‌ଏଚ୍‌ଟିସି) ସ୍ଥାପନ କରି ଉତ୍ତରପ୍ରଦେଶ ଚଳିତ ବିତ୍ତୀୟ ବର୍ଷରେ ଅଗ୍ରଗତି ତାଲିକାର ଶୀର୍ଷ ସ୍ଥାନରେ ରହିଛି।

କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କର ନିରନ୍ତର ପ୍ରୟାସ ଫଳରେ ଦେଶର ୯.୧୫ ଲକ୍ଷ (୮୮.୭୩%) ବିଦ୍ୟାଳୟ ଏବଂ ୯.୫୨ ଲକ୍ଷ (୮୪.୬୯%) ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ନଳ ମାଧ୍ୟମରେ ଜଳ ଯୋଗାଣ ସୁନିଶ୍ଚିତ ହୋଇଛି। ଆମ ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ ମିଶନ ଆରମ୍ଭ ହେବା ବେଳକୁ ମାତ୍ର ୨୧.୪୧ ଲକ୍ଷ (୭.୮୬%) ପରିବାରକୁ ନଳ ମାଧ୍ୟମରେ ଜଳ ଯୋଗାଣ ସୁନିଶ୍ଚିତ ହୋଇଥିଲା , ଯାହା ବର୍ତ୍ତମାନ ୧.୮୧ କୋଟି (୬୬.୪୮%) କୁ ବୃଦ୍ଧି ପାଇଛି।

‘ହର ଘର ଜଳ’ (ପ୍ରତି ଘରକୁ ଜଳ) ଯୋଜନା ଅଧୀନରେ କାମ କରିବା ଫଳରେ ଗ୍ରାମୀଣ ଜନସାଧାରଣଙ୍କୁ ଯଥେଷ୍ଟ ସାମାଜିକ – ଅର୍ଥନୈତିକ ଲାଭ ମିଳୁଛି। ନିୟମିତ ନଳ ମାଧ୍ୟମରେ ଜଳ ଯୋଗାଣ ଦ୍ୱାରା ଲୋକମାନେ, ବିଶେଷ କରି ମହିଳା ଏବଂ ଯୁବତୀମାନେ ସେମାନଙ୍କ ଦୈନନ୍ଦିନ ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ ଓଜନିଆ ବାଲଟି ବୋଝେଇ ପାଣି ବୋହିବା ଭଳି ଶହ ଶହ ବର୍ଷ ପୁରୁଣା କଷ୍ଟରୁ ମୁକ୍ତି ପାଇଛନ୍ତି। ସେମାନଙ୍କର ଏହି କାରଣରୁ ଯେଉଁ ସମୟ ସଞ୍ଚୟ ହେଉଛି, ତାହାକୁ ସେମାନେ ରୋଜଗାର କାର୍ଯ୍ୟକଳାପ, ନୂତନ କୌଶଳ ଶିଖିବା ଏବଂ ପିଲାଙ୍କ ଶିକ୍ଷାରେ ସହାୟତା କରିବାରେ ବିନିଯୋଗ କରି ପାରିବେ।

ଯୋଜନା ଗୁଡ଼ିକର ଦୀର୍ଘକାଳୀନ ସ୍ଥାୟୀତା ହାସଲ କରିବା ପାଇଁ ଗ୍ରାମୀଣ ନଳ ମାଧ୍ୟମରେ ଜଳ ଯୋଗାଣ କାର୍ଯ୍ୟକ୍ରମ ସମ୍ପର୍କରେ ଯୋଜନା, ଏହାର କାର୍ଯ୍ୟକାରିତା, ପରିଚାଳନା ଏବଂ ରକ୍ଷଣାବେକ୍ଷଣ (ଓ ଆଣ୍ଡ ଏମ୍‌)ର କେନ୍ଦ୍ରରେ ଆରମ୍ଭରୁ ଗୋଷ୍ଠୀର ଭାଗିଦାରୀ ରହି ଆସିଛି। ଦେଶରେ ୫.୨୭ ଲକ୍ଷରୁ ଅଧିକ ଗ୍ରାମ୍ୟ ଜଳ ଓ ପରିମଳ ସମିତି (ଭିଡବ୍ଲ୍ୟୁଏସ୍‌ସି) / ଜଳ ସମିତି ଗଠନ କରାଯାଇଛି ଏବଂ ପାନୀୟ ଜଳ ଉତ୍ସ ବୃଦ୍ଧି, ମଇଳା ଜଳର ଉପଚାର ଏବଂ ଏହାର ପୁନଃବ୍ୟବହାର ଯୋଜନା ଏବଂ ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥାର ନିୟମିତ ଓ ଆଣ୍ଡ ଏମ୍ କୁ ମିଶାଇ ୫.୧୨ ଲକ୍ଷ ଭିଲେଜ ଆକ୍ସନ ପ୍ଲାନ୍ / ଗ୍ରାମୀଣ କାର୍ଯ୍ୟକାରୀ ଯୋଜନା (ଭିଏପି) ପ୍ରସ୍ତୁତ କରାଯାଇଛି।

ଜଳ ଜୀବନ ମିଶନର ଶୁଭାରମ୍ଭ ସମୟରେ ୧.୭୯ କୋଟି ଜନସଂଖ୍ୟା ବିଶିଷ୍ଟ ୨୨,୦୧୬ ବସ୍ତି (ଆର୍ସେନିକ୍ – ୧୪,୦୨୦, ଫ୍ଲୋରାଇଡ୍ – ୭,୯୯୬), ପାନୀୟ ଜଳ ଉତ୍ସରେ ଆର୍ସେନିକ୍ / ଫ୍ଲୋରାଇଡ୍ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହୋଇଥିଲା। ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମସ୍ତ ଆର୍ସେନିକ୍ / ଫ୍ଲୋରାଇଡ୍ ପ୍ରଭାବିତ ବସ୍ତିରେ ନିରାପଦ ପାନୀୟ ଜଳ ଉପଲବ୍ଧ ହେଉଛି।

ଜଳ ଜୀବନ ମିଶନ କେବଳ ଜଳ ଯୋଗାଣ ନୁହେଁ , ବରଂ ପ୍ରତି ଥର ଗୁଣାତ୍ମକ ଜଳ ଯୋଗାଣ ସୁନିଶ୍ଚିତ କରିବାରେ ବିଶ୍ୱାସ କରେ। ଏହି ପରିପ୍ରେକ୍ଷୀରେ , ଉତ୍ସ ଓ ଡେଲିଭରି ପଏଣ୍ଟରୁ ନିୟମିତ ଜଳ ନମୁନା ପରୀକ୍ଷା କରାଯାଇ ଯାଞ୍ଚ କରାଯାଏ। ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକୃତି ଦେଇ ଚଳିତ ବର୍ଷ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ “ନାଗରିକ କେନ୍ଦ୍ରିକ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ଉଦୀୟମାନ ଜ୍ଞାନକୌଶଳର ପ୍ରୟୋଗ” ଶ୍ରେଣୀରେ ଡବ୍ଲୁକ୍ୟୁଏମ୍‌ଆଇଏସ୍‌କୁ ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବକା ପ୍ରୟାସ ଉଦ୍ଦେଶ୍ୟରେ କାର୍ଯ୍ୟ କରି ଜଳ ଜୀବନ ମିଶନ ଗ୍ରାମାଞ୍ଚଳର ସମସ୍ତ ପରିବାର, ବିଦ୍ୟାଳୟ, ଅଙ୍ଗନବାଡ଼ି ଏବଂ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନ ଗୁଡିକୁ ନଳ ମାଧ୍ୟମରେ ଜଳ ଯୋଗାଣ ଦ୍ୱାରା ଏସଡିଜି ୬ ଅର୍ଥାତ୍ ସମସ୍ତଙ୍କୁ ସୁରକ୍ଷିତ ଏବଂ ସୁଲଭ ଜଳ ଯୋଗାଇବା ଦିଗରେ ଅଗ୍ରସର ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଜଳ ଜୀବନ ମିଶନ ୬୦ ପ୍ରତିଶତ ସଫଳତା ହାସଲ ପୂର୍ବକ ନୂଆ କୀର୍ତ୍ତିମାନ ସ୍ଥାପନ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଭାରତର ୬୦% ଗ୍ରାମାଞ୍ଚଳ ପରିବାର ଟ୍ୟାପ ଯୋଗେ ନିଜ ଘରେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ସୁବିଧା ପାଇଛନ୍ତି। ଦେଶର ମୋଟ ଗ୍ରାମର ୨୫% ଅର୍ଥାତ୍ ୧.୫୫ ଲକ୍ଷରୁ ଅଧିକ ଗାଁକୁ “ହର୍ ଘର୍ ଜଲ୍” ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସବୁ ପରିବାରକୁ ଟ୍ୟାପ ଜଳ ଯୋଗାଣ ସୁବିଧା ପ୍ରଦାନ କରାଯାଇଛି।

ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଜଳ ଜୀବନ ମିଶନରେ ପ୍ରତି ସେକେଣ୍ଡରେ ଗୋଟିଏ ପାଣି ଟ୍ୟାପ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଛି। ଏହା ଏକ ବିରଳ ସଫଳତା। ୨୦୨୩ର ପ୍ରଥମ ତିନିମାସ ମଧ୍ୟରେ ପ୍ରତ୍ୟେକ ଦିନ ହାରାହାରି ୮୬, ୮୯୪ ନୂଆ ପାଣି ଟ୍ୟାପ ସଂଯୋଗ ଯୋଗାଇବାରେ ସରକାର ସଫଳ ହୋଇଛନ୍ତି।

ଜଳ ଜୀବନ ମିଶନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୯ ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିଲା । ଏହି ଯୋଜନାର ଲକ୍ଷ୍ୟ ହେଲା ଦେଶର ଗ୍ରାମାଞ୍ଚଳରେ ସବୁ ପରିବାରକୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଆବଶ୍ୟକ ପରିମାଣରେ ଟ୍ୟାପ ଯୋଗେ ଯୋଗାଇ ଦେବା।

ଏହି ଯୋଜନାରେ ଜଣେ ଲୋକଙ୍କୁ ଦୈନିକ ମୁଣ୍ଡ ପିଛା ୫୫ଲିଟର ହିସାବରେ ସ୍ୱଚ୍ଛ ପାନୀୟ ଜଳ ଟ୍ୟାପ ଯୋଗେ ମିଳୁଛି। ଯୋଗାଇ ଦିଆଯାଉଥିବା ଜଳର ମାନ ମଧ୍ୟ ନିର୍ଦ୍ଧାରିତ ହୋଇଛି। ଏହା ବ୍ୟତୀତ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଥିବା ପାଇପ ଜଳ ଯେପରି ଆବଶ୍ୟକ ପେସର ଓ ବେଗରେ ଆସିବ ସେଥିପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯାଉଛି।

ଜଳ ଜୀବନ ମିଶନରେ ମୋଟ ୩୬୦୦ ବିଲିୟନ ଟଙ୍କା ବା ୪୩. ୮୦ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏକ ବିଲିୟନର ଅର୍ଥ ୧୦୦କୋଟି । ଏହା ପୃଥିବୀର ସର୍ବବୃହତ ଜନକଲ୍ୟାଣକାରୀ କାର‌୍ୟ୍ୟକ୍ରମ। ଏହି ଅଭିଯାନ ୨୦୧୯ରେ ଆରମ୍ଭ ହେବା ସମୟରେ ଦେଶର ମୋଟ ୧୯. ୪୩ କୋଟି ଗ୍ରାମାଞ୍ଚଳ ପରିବାର ମଧ୍ୟରୁ ମାତ୍ର ୩.୨୩ କୋଟି ବା ୧୬.୬୫% ଙ୍କ ଘରେ ଟ୍ୟାପ ଜଳ ସୁବିଧା ଥିଲା।

୨୦୨୩ ଏପ୍ରିଲ ୪ତାରିଖରେ ଭାରତ ହର୍ ଘର୍ ଜଲ୍ ଅଭିଯାନରେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ଏହି ପ୍ରକ୍ରିୟାରେ ୧୧.୬୬ କୋଟି ଗ୍ରାମୀଣ ପରିବାର (୬୦%)କୁ ସେମାନଙ୍କ ଘରେ ଟ୍ୟାପ ଜଳ ସଂଯୋଗ ଯୋଗାଇ ଦିଆଯାଇଛି। ପାଞ୍ଚଟି ରାଜ୍ୟ ଯଥା ଗୁଜରାଟ, ତେଲଙ୍ଗାନା, ଗୋଆ, ହରିୟାଣା ଓ ପଞ୍ଜାବ ଏବଂ ତିନିଟି କେନ୍ଦ୍ରଶାସିତ ଅଞ୍ଚଳ-ଆଣ୍ଡାମାନ ନିକୋବର, ଦାଦ୍ରା ଓ ନଗର ହାବେଳି ଏବଂ ପୁଡୁଚେରୀରେ ଏହି ଟ୍ୟାପ ସଂଯୋଗ ଶତ ପ୍ରତିଶତ ହୋଇଛି। ଅବଶିଷ୍ଟ ଗ୍ରାମାଞ୍ଚଳ ପରିବାରକୁ ଯଥା ଶୀଘ୍ର ଟ୍ୟାପ ଯୋଗେ ପାନୀୟଜଳ ଯୋଗାଇ ଦେବାକୁ ଉଦ୍ୟମ ଅବ୍ୟାହତ ରହିଛି।

Categories
ଆଜିର ଖବର ଜାତୀୟ ଖବର

୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ “ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ ମିଶନ’ (ଜେଜେଏମ୍) ୧୦କୋଟି ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।

୨୦୧୯ ଅଗଷ୍ଟ ୧୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍କିଲ୍ଲା ଉପରୁ ଏହି ଜଳଜୀବନ ମିଶନର ଆରମ୍ଭ ବିଷୟ ଘୋଷଣା କରିଥିଲେ। ସେତେବେଳେ ଦେଶର ଗ୍ରାମାଞ୍ଚଳରେ ମାତ୍ର ୩. ୨୩କୋଟି (୧୬.୯୦%) ପରିବାରକୁ ଟ୍ୟାପ୍ ଜଳର ସୁବିଧା ମିଳୁଥିଲା। ଯୋଜନା ଆରମ୍ଭର ତିନିବର୍ଷ ମଧ୍ୟରେ ଏବେ ୨୦୨୨ ଅଗଷ୍ଟ ୧୯ସୁଦ୍ଧା ୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳଯୋଗାଇ ଦେବା ସମ୍ଭବ ହୋଇଛି।

ଆଜିର ତାରିଖ ସୁଦ୍ଧା ଗୋଆ, ତେଲଙ୍ଗାନା ଓ ହରିଆଣା ରାଜ୍ୟ ଏବଂ ପୁଡୁଚେରୀ, ଦାଦ୍ରା ଓ ନଗର ହାବେଳୀ, ଡାମନ ଓ ଡିଉ ଏବଂ ଅଣ୍ଡାମାନ ନିକୋବର କେନ୍ଦ୍ରଶାସିତ ଅଞ୍ଚଳରେ ଶତ ପ୍ରତିଶତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି।
ଏହା ବ୍ୟତୀତ ପଞ୍ଜାବରେ ଏହି ଜଳ ଯୋଗାଣ ୯୯.୯୩%, ଗୁଜରାଟରେ ୯୭.୦୩%, ବିହାରରେ ୯୫. ୫୧%, ହିମାଚଳ ପ୍ରଦେଶରେ ୯୪.୮୮%ରେ ପହଞ୍ôଚ ଶତ ପ୍ରତିଶତ ଲକ୍ଷ୍ୟ ହାସଲର ନିକଟତର ହୋଇଛି।

୨୦୨୨ ଅଗଷ୍ଟ ସାତ ତାରିଖରେ ଗୋଆ, ଦାଦ୍ରା ଓ ନଗର ହାବେଳି, ଡାମନ ଓ ଡିଉରେ ସବୁ ଗ୍ରାମୀଣ ପରିବାରକୁ ଟ୍ୟାପ ଜଳ ଯୋଗାଇ ଦିଆଯାଇ “ହର ଘର୍ ଜଲ୍” ଯୋଜନାର ପ୍ରଥମ ସଫଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଗ୍ରାମସଭା ଜରିଆରେ ଏସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ଗ୍ରାମାଞ୍ଚଳ ପରିବାର ଟ୍ୟାପ୍ ଯୋଗେ ନିୟମିତ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାନୀୟ ଜଳ ପାଉଛନ୍ତି।

ଜଳଜୀବନ ମିଶନର ଲକ୍ଷ୍ୟ ହେଲା ଦେଶର ସବୁ ଗ୍ରାମୀଣ ପରିବାରକୁ ପର୍ଯ୍ୟାପ୍ତ ପରିମାଣର ନିରାପଦ ପାନୀୟ ଜଳ ଦୈନିକ ପାଇପ୍ ଯୋଗେ ଯୋଗାଇ ଦେବା। ଏହା ଏକ ଦୀର୍ଘ ମିଆଦି ଯୋଜନା ଏବଂ ସବୁ ଗ୍ରାମାଞ୍ଚଳ ଲୋକେ ଯେପରି ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳ ନିୟମିତଭାବେ ପାଆନ୍ତି ତାହାକୁ ନିଶ୍ଚିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି। କରୋନା ମହାମାରୀ ସମେତ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଓ ଅସୁବିଧା ସତ୍ତ୍ୱେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି କାମ ନିରନ୍ତର ଚାଲିଛି। ବଣ, ଜଙ୍ଗଲ, ଅଗମ୍ୟ ଇଲାକା, ପାହାଡ ପର୍ବତ ଓ ପ୍ରତିକୂଳ ପାଗକୁ ଖାତିର ନ କରି ଏହି ମିଶନ ତାହାର ଲକ୍ଷ୍ୟ ପଥରେ ଆଗେଇ ଚାଲିଛି, ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ। ଯେଉଁଠି ଯୋଗାଯୋଗ ଓ ଗମନାଗମନର ସୁବିଧା ନାହିଁ ସେଠାରେ ହାତୀ, ଘୋଡା, ଓଟ, ଗଧ, ହେଲିକପ୍ଟର ଓ ଡଙ୍ଗା ସାହାଯ୍ୟରେ ପାଇପ୍ ଏବଂ ଅନ୍ୟାନ୍ୟ ଉପକରଣକୁ ପରିବହନ କରାଯାଉଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିରନ୍ତର ଉଦ୍ୟମ ଫଳରେ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଦେଶର ୮.୬୭ ଲକ୍ଷ (୮୪.୩୫%) ସ୍କୁଲ ଓ ୮.୯୬(୮୦.୩୪%) ଅଙ୍ଗନବାଡି କେନ୍ଦ୍ରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ଦେଶର ୧୧୭ ଆକାଂକ୍ଷୀ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବା ବେଳକୁ ମାତ୍ର ୨୪. ୩୨ଲକ୍ଷ (୭.୫୭%) ପରିବାର ପାଖରେ ପାଇପ୍ ଜଳ ସୁବିଧା ଥିଲା। ଏବେ ସେ ସଂଖ୍ୟା ୧. ୫୪କୋଟି (୪୮.୦୦%)ରେ ପହଞ୍ôଚଛି। ତେଲଙ୍ଗାନାର ତିନିଟି ଆକାଂକ୍ଷୀ ଜିଲ୍ଲା ଯଥା ଆସିଫାବାଦ୍, ଭୂପଲପାଲି ଓ କୋଠଗୁଡେମ୍ ଏବଂ ପଞ୍ଜାବର ମୋଗା, ହରିଆଣାର ମେ ୱାଟ, ହିମାଚଳ ପ୍ରଦେଶର ଚାମ୍ବା ଆଦି ଆକାଂକ୍ଷୀ ଜିଲ୍ଲାରେ ଶତ ପ୍ରତିଶତ ଗ୍ରାମୀଣ ପରିବାର ଏବେ ଟ୍ୟାପ୍ ଯୋଗେ ପାନୀୟ ଜଳ ପାଉଛନ୍ତି।

ଜଳଜୀବନ ମିଶନ ଦ୍ୱାରା ଗ୍ରାମାଞ୍ଚଳ ଜନତାଙ୍କ ସାମାଜିକ -ଆର୍ଥିକ ସ୍ଥିତି ଉପରେ ପ୍ରକାଣ୍ଡ ଅନୁକୂଳ ପ୍ରଭାବ ପଡିଛି। ଏହାଦ୍ୱାରା ଲୋକେ ବିଶେଷକରି ପରିବାରର ମହିଳା ଓ ଝିଅମାନେ ଦୈନିକ ପାନୀୟ ଜଳ ସଂଗ୍ରହର ଜଞ୍ଜାଳରୁ ମୁକ୍ତ ହୋଇଛନ୍ତି। ପୂର୍ବରୁ ସେମାନେ ହାଣ୍ଡି, ମାଠିଆ, ବାଲ୍ଟି ଆଦି ଧରି ବହୁ ଦୂରକୁ ଯାଇ ପାଣି ସଂଗ୍ରହ କରି ତାହାକୁ ଅତି କଷ୍ଟରେ ଘରକୁ ଆଣୁଥିଲେ। ଏବେ ସେମାନଙ୍କର ପିଇବା ପାଣି ସଂଗ୍ରହର ଜଞ୍ଜାଳ ଦୂର ହୋଇଥିବାରୁ ବଳୁଥିବା ସମୟକୁ ସେମାନେ ବିଭିନ୍ନ ପ୍ରକାର ଆୟ ପନ୍ଥାରେ ବିନିଯୋଗ କରିପାରୁଛନ୍ତି। ସମୟ ପାଇବାରୁ ସେମାନେ ବିଭିନ୍ନ ଦକ୍ଷତା ବିକାଶ କାମ ଶିଖୁଛନ୍ତି ଏବଂ ପିଲାଙ୍କୁ ପାଠ ପଢାଉରେ ସାହାଯ୍ୟ କରୁଛନ୍ତି।

ଦେଶର ସବୁ ଗ୍ରାମୀଣ ପରିବାରକୁ ନିରାପଦ ପାନୀୟ ଜଳଯୋଗାଣ ନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଏକ ଦୀର୍ଘ ମିଆଦି ଯୋଜନା। ଏଥିପାଇଁ ଉପଯୁକ୍ତ ଯୋଜନା, ରୂପାୟନ ଓ ବ୍ୟବସ୍ଥା କରାଯାଇଛି। ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଏବଂ ପାଇପ ଲାଇନର ରକ୍ଷଣାବେକ୍ଷଣ କରିବାକୁ ଉପଯୁକ୍ତ ନୀତି ପ୍ରସ୍ତୁତ କରାଯାଇ ଏଥିରେ ଗ୍ରାମ କମିଟିକୁ ନିୟୋଜିତ କରାଯାଉଛି। ଏଥି ପାଇଁ ମୋଟ ୫. ୦୮ ଲକ୍ଷ ଗ୍ରାମ ଜଳ ଓ ପରିମଳ କମିଟି/ ପାଣି ସମିତି ଗଠନ କରାଯାଇଛି। ଏହା ବ୍ୟତୀତ ୪. ୭୮ ଲକ୍ଷ ଭ୍ୟାପ୍ ପ୍ରସ୍ତତ କରାଯାଇ ତା’ ମାଧ୍ୟମରେ ଜଳ ଉତ୍ସ ଠାବ, ଏହାର ଜଳସ୍ତର ବୃଦ୍ଧି, ପରିତ୍ୟକ୍ତ ଜଳର ବିଶୋଧନ ଓ ପୁନଃ ବ୍ୟବହାର ତଥା ଗ୍ରାମ ଜଳଯୋଗାଣ ବ୍ୟବସ୍ଥାର ପରିଚାଳନା ତଥା ରକ୍ଷଣାବେକ୍ଷଣ କାମ ହାତକୁ ନିଆଯାଇଛି।

ଏହି ଯୋଜନାରେ ଜଳର ମାନ ଉପରେ ସବୁଠୁ ଅଧି୍କ ଗୁରୁତ୍ୱ ଦିଆଯାଉଛି। ସେଥି ପାଇଁ ୨୦୭୦ ଜଳ ପରୀକ୍ଷା ଲାବରେଟୋରୀ ସ୍ଥାପନ କରାଯାଇଛି। ଆଜି ସୁଦ୍ଧା ଦେଶରେ ୪. ୫୧ ଲକ୍ଷ ଗ୍ରାମରେ ୬୪ଲକ୍ଷରୁ ଅଧିକ ଜଳର ମାନ ଏହି ଲାବରେଟୋରୀ ମାଧ୍ୟମରେ ପରୀକ୍ଷା କରାଯାଇଛି।

ରାଜ୍ୟମାନଙ୍କରେ ଥିବା ଜଳ ମାନ ପରୀକ୍ଷା କେନ୍ଦ୍ରରେ ଲୋକେ ପାଣିର ନମୁନା ସ୍ୱଳ୍ପ ମୂଲ୍ୟରେ ପରୀକ୍ଷା କରିବାର ସୁଯୋଗ ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ଆଜି ସୁଦ୍ଧା ଦେଶର ୧୦. ୮ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ଫିଲ୍ଡ ଟେଷ୍ଟିଂ କିଟ୍ସ ମାଧ୍ୟମରେ ଜଳର ମାନ ପରୀକ୍ଷା ତାଲିମ ପ୍ରଦାନ କରାଯାଇଛି। ଏହି ମହିଳାମାନେ ୧.୭ଲକ୍ଷ ଗାଁରେ କିଟ୍ ମାଧ୍ୟମରେ ୫୮ଲକ୍ଷ ଜଳ ନମୁନା ପରୀକ୍ଷା କରିଛନ୍ତି। (ପିଆଇବି)

Categories
ବିଶେଷ ଖବର

ଜଳଜୀବନ ମିଶନ ଅଧୀନରେ ଓଡ଼ିଶାକୁ ମିଳିଛି କେତେ ଅନୁଦାନ?, ଜାଣନ୍ତୁ ଲୋକସଭାରେ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଜଳ ଜୀବନ ମିଶନ ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ଅଂଶଧନ ଆକାରରେ ୩,୩୨୩. ୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ରାଜ୍ୟ ସରକାର ୧,୦୬୪.୫୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। ଓଡ଼ିଶାକୁ ଜଳ ଜୀବନ ମିଶନ ଅଧୀନରେ ମିଳିଥିବା ଅନୁଦାନ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟେଲ କହିଥିଲେ ଯେ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟକୁ ଯଥାକ୍ରମେ ୩୬୪.୭୪ କୋଟି ଟଙ୍କା ଏବଂ ୮୧୨.୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ମିଶନ ଅଧୀନରେ ମିଳିଥିବା କେନ୍ଦ୍ରୀୟ ଅନୁଦାନ ମଧ୍ୟରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୫.୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ୬୮୮.୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ଅନ୍ୟପଟେ ଜଳ ଜୀବନ ମିଶନ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୧ ଆର୍ଥିକ ବର୍ଷରେ ରାଜ୍ୟ ଅଂଶଧନ ବାବଦରେ ଯଥାକ୍ରମେ ୨୫୫.୦୨ କୋଟି ଟଙ୍କା, ୬୭୩ କୋଟି ଟଙ୍କା ଏବଂ ୧୦୫୪. ୬୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଜଳ ଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ସବୁ ପରିବାରକୁ ଟ୍ୟାପ ଜଳ ଯୋଗାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମିଶନ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୬ ଲକ୍ଷ ୯୧ ହଜାର ୮୦୭ଟି ପରିବାରକୁ ଟ୍ୟାପ ଜଳ ଯୋଗାଣ କରାଯାଇଛି। ଏବେସୁଦ୍ଧା ମିଶନ ଅଧୀନରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୪୧.୭୯ ପ୍ରତିଶତ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ମିଶନର ନିର୍ଦ୍ଧାରିତ ଅବଧି ମଧ୍ୟରେ ସବୁ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୂଚୀତ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜଳ ଜୀବନ ମିଶନ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘ଜଳ ଜୀବନ ମିଶନ କେ ଦୋ ବର୍ଷ’ ର ଇ-ପୁସ୍ତିକା, ଜଳ ଜୀବନ କୋଶ ଏବଂ ଜଳ ଜୀବନ ମିଶନ ମୋବାଇଲ୍ ଆପ୍ ର ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନାମ ନ ଦେଇ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆକ୍ରମଣ କରିଥିଲେ। ଦେଶରେ ଦୀର୍ଘ ସମୟ ଧରି କ୍ଷମତାରେ ଥିବା ବ୍ୟକ୍ତିମାନେ ଜଳର ଅଭାବ ଅନୁଭବ କରିନଥିଲେ, କାରଣ ସେମାନଙ୍କ ଘରେ ସୁଇମିଂ ପୁଲରେ ପାଣି ରହିଥିଲା ବୋଲି ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବାପୁ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ହୃଦୟରେ ଭାରତର ଗାଁ ବାସ କରୁଥିଲା। ମୁଁ ଖୁସି ଯେ ଏହି ଦିନ ଦେଶର ଲକ୍ଷ ଲକ୍ଷ ଗାଁର ଲୋକମାନେ ଗ୍ରାମ ସଭା ଆକାରରେ ଜଳ ଜୀବନ ସଂଳାପ କରୁଛନ୍ତି। ଏହି ଉତ୍ସାହ, ଶକ୍ତି ସହିତ ଏହିପରି ଏକ ଅଦୃଶ୍ୟ ତଥା ଦେଶବ୍ୟାପୀ ମିଶନ୍ ସଫଳ ହୋଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଳ ଜୀବନ ମିଶନର ଲକ୍ଷ୍ୟ କେବଳ ଲୋକଙ୍କ ପାଖରେ ପାଣି ପହଞ୍ଚାଇବା ନୁହେଁ, ଏହାର ମୁଖ୍ୟ ଆଧାର ହେଉଛି ଜନ ଆନ୍ଦୋଳନ ଏବଂ ଜନସାଧାରଣଙ୍କ ଭାଗୀଦାରୀ। ଜଳ ଜୀବନ ମିଶନକୁ ଅଧିକ ଶକ୍ତିଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଆଜି ଆହୁରି ଅନେକ ପଦକ୍ଷେପ ନିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଅଭିଯାନ ସହ ଜଡିତ ସମସ୍ତ ସୂଚନା ଜଳ ଜୀବନ ମିଶନ ଆପରେ ଉପଲବ୍ଧ ହେବ। ଗାଁର ଲୋକମାନେ ମଧ୍ୟ ଏଠାରେ ଥିବା ଜଳର ଶୁଦ୍ଧତା ଉପରେ ତୀକ୍ଷ୍ଣ ନଜର ରଖିବେ। ଆମ ସମସ୍ତଙ୍କର ଏକ ସୁଖଦ ଅନୁଭବ ଅଛି ଯେ, ଦେଶବାସୀ କଠିନ ପରିଶ୍ରମ କରିଛନ୍ତି ଏବଂ ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେମାନଙ୍କର ସମର୍ଥନ ଦେଇଛନ୍ତି। ଆଜି ଦେଶର ସହର ଏବଂ ଗ୍ରାମଗୁଡିକ ଖୋଲା ନିଷ୍କାସନରୁ ମୁକ୍ତ ବୋଲି ଘୋଷଣା କରିଛନ୍ତି। ପ୍ରାୟ ୨ ଲକ୍ଷ ଗାଁ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ଆରମ୍ଭ କରିଛନ୍ତି। ୪୦ ହଜାର ଗ୍ରାମରୁ ଅଧିକ ପଞ୍ଚାୟତ ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖଦିର ବିକ୍ରି ମଧ୍ୟ ବହୁଗୁଣିତ ହେଉଛି।