ଜଳ ଜୀବନ ମିଶନ ୬୦ ପ୍ରତିଶତ ସଫଳତା ହାସଲ ପୂର୍ବକ ନୂଆ କୀର୍ତ୍ତିମାନ ସ୍ଥାପନ

Published: Apr 5, 2023, 7:50 am IST

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଭାରତର ୬୦% ଗ୍ରାମାଞ୍ଚଳ ପରିବାର ଟ୍ୟାପ ଯୋଗେ ନିଜ ଘରେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ସୁବିଧା ପାଇଛନ୍ତି। ଦେଶର ମୋଟ ଗ୍ରାମର ୨୫% ଅର୍ଥାତ୍ ୧.୫୫ ଲକ୍ଷରୁ ଅଧିକ ଗାଁକୁ “ହର୍ ଘର୍ ଜଲ୍” ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସବୁ ପରିବାରକୁ ଟ୍ୟାପ ଜଳ ଯୋଗାଣ ସୁବିଧା ପ୍ରଦାନ କରାଯାଇଛି।

ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଜଳ ଜୀବନ ମିଶନରେ ପ୍ରତି ସେକେଣ୍ଡରେ ଗୋଟିଏ ପାଣି ଟ୍ୟାପ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଛି। ଏହା ଏକ ବିରଳ ସଫଳତା। ୨୦୨୩ର ପ୍ରଥମ ତିନିମାସ ମଧ୍ୟରେ ପ୍ରତ୍ୟେକ ଦିନ ହାରାହାରି ୮୬, ୮୯୪ ନୂଆ ପାଣି ଟ୍ୟାପ ସଂଯୋଗ ଯୋଗାଇବାରେ ସରକାର ସଫଳ ହୋଇଛନ୍ତି।

ଜଳ ଜୀବନ ମିଶନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୯ ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିଲା । ଏହି ଯୋଜନାର ଲକ୍ଷ୍ୟ ହେଲା ଦେଶର ଗ୍ରାମାଞ୍ଚଳରେ ସବୁ ପରିବାରକୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଆବଶ୍ୟକ ପରିମାଣରେ ଟ୍ୟାପ ଯୋଗେ ଯୋଗାଇ ଦେବା।

ଏହି ଯୋଜନାରେ ଜଣେ ଲୋକଙ୍କୁ ଦୈନିକ ମୁଣ୍ଡ ପିଛା ୫୫ଲିଟର ହିସାବରେ ସ୍ୱଚ୍ଛ ପାନୀୟ ଜଳ ଟ୍ୟାପ ଯୋଗେ ମିଳୁଛି। ଯୋଗାଇ ଦିଆଯାଉଥିବା ଜଳର ମାନ ମଧ୍ୟ ନିର୍ଦ୍ଧାରିତ ହୋଇଛି। ଏହା ବ୍ୟତୀତ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଥିବା ପାଇପ ଜଳ ଯେପରି ଆବଶ୍ୟକ ପେସର ଓ ବେଗରେ ଆସିବ ସେଥିପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯାଉଛି।

ଜଳ ଜୀବନ ମିଶନରେ ମୋଟ ୩୬୦୦ ବିଲିୟନ ଟଙ୍କା ବା ୪୩. ୮୦ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏକ ବିଲିୟନର ଅର୍ଥ ୧୦୦କୋଟି । ଏହା ପୃଥିବୀର ସର୍ବବୃହତ ଜନକଲ୍ୟାଣକାରୀ କାର‌୍ୟ୍ୟକ୍ରମ। ଏହି ଅଭିଯାନ ୨୦୧୯ରେ ଆରମ୍ଭ ହେବା ସମୟରେ ଦେଶର ମୋଟ ୧୯. ୪୩ କୋଟି ଗ୍ରାମାଞ୍ଚଳ ପରିବାର ମଧ୍ୟରୁ ମାତ୍ର ୩.୨୩ କୋଟି ବା ୧୬.୬୫% ଙ୍କ ଘରେ ଟ୍ୟାପ ଜଳ ସୁବିଧା ଥିଲା।

୨୦୨୩ ଏପ୍ରିଲ ୪ତାରିଖରେ ଭାରତ ହର୍ ଘର୍ ଜଲ୍ ଅଭିଯାନରେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ଏହି ପ୍ରକ୍ରିୟାରେ ୧୧.୬୬ କୋଟି ଗ୍ରାମୀଣ ପରିବାର (୬୦%)କୁ ସେମାନଙ୍କ ଘରେ ଟ୍ୟାପ ଜଳ ସଂଯୋଗ ଯୋଗାଇ ଦିଆଯାଇଛି। ପାଞ୍ଚଟି ରାଜ୍ୟ ଯଥା ଗୁଜରାଟ, ତେଲଙ୍ଗାନା, ଗୋଆ, ହରିୟାଣା ଓ ପଞ୍ଜାବ ଏବଂ ତିନିଟି କେନ୍ଦ୍ରଶାସିତ ଅଞ୍ଚଳ-ଆଣ୍ଡାମାନ ନିକୋବର, ଦାଦ୍ରା ଓ ନଗର ହାବେଳି ଏବଂ ପୁଡୁଚେରୀରେ ଏହି ଟ୍ୟାପ ସଂଯୋଗ ଶତ ପ୍ରତିଶତ ହୋଇଛି। ଅବଶିଷ୍ଟ ଗ୍ରାମାଞ୍ଚଳ ପରିବାରକୁ ଯଥା ଶୀଘ୍ର ଟ୍ୟାପ ଯୋଗେ ପାନୀୟଜଳ ଯୋଗାଇ ଦେବାକୁ ଉଦ୍ୟମ ଅବ୍ୟାହତ ରହିଛି।

Related posts