Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ନୂତନ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗଦେଲେ ଓପିଏସ ସଞ୍ଜୟ କୁମାର ପଟ୍ଟନାୟକ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନୂତନ ଏସଡିପିଓ ଭାବେ ଓପିଏସ ସଞ୍ଜୟ କୁମାର ପଟ୍ଟନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଏହା ପୁର୍ବରୁ ଯାଜପୁର ରୋଡ ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ। ତେବେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଫଳତାର ସହ ସେ ପୁର୍ବରୁ ଆଇଆଇସି ଭାବେ କାର୍ଯ୍ୟ କରିସାରିଛନ୍ତି।

ଜିଲ୍ଲାର ଟାଙ୍ଗୀ, ବାଲୁଗାଁ ଓ ବାଣପୁର ଥାନାରେ ତାଙ୍କର ଆଇଆଇସି ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିବା ବେଳେ ବର୍ତ୍ତମାନ ଏସଡିପିଓ ଭାବେ ଅଞ୍ଚଳରେ କାର୍ଯ୍ୟ କରିବାରେ ତାହା ସହାୟକ ହେବ।

ଶ୍ରୀ ପଟ୍ଟନାୟକ ଆଜି ନୂତନ ବାଲୁଗାଁ ଏସଡିପିଓ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ଏହି ଅବସରରେ ଏକାଧିକ ଅଞ୍ଚଳବାସି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ବାଲୁଗାଁ ପୋଲିସ ସବ ଡିଭିଜନ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଅଞ୍ଚଳକୁ ଅପରାଧ ମୁକ୍ତ ରଖିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଚାନ୍ଦପୁର ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ଖୋର୍ଦ୍ଧା: ଆଜି ଟାଙ୍ଗୀ ଚାନ୍ଦପୁର ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢୀ, ପୁରୀ ସାଂସଦ ସଂବିତ ପାତ୍ର, ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗ ଦେଇଥିଲେ।

ଏହି ପ୍ରକଳ୍ପ ଦ୍ବାରା ଖୋରଧା ନିର୍ବାଚନ ମଣ୍ଡଳୀ ଓ ରଣପୁର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ମାନେ ବହୁ ମାତ୍ରାରେ ଉପକୃତ ହେବେ।

Categories
ଆଞ୍ଚଳିକ

ମା’ ଉଗ୍ରତାରାଙ୍କ ଦର୍ଶନ କରି ରାଜ୍ୟର ମଙ୍ଗଳ କାମନା କଲେ ରଣପୁର ବିଧାୟିକା ସୁରମା ପାଢ଼ୀ

ଟାଙ୍ଗୀ: ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ରଣପୁର ନିର୍ବାଚନ ମଣ୍ଡଳୀରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ। ବିଜେପି ଟିକେଟରେ ତିନିଥର ନିର୍ବାଚନ ଲଢ଼ି ପରାଜୟ ହାସଲ କରିଥିଲେ ମଧ୍ୟ ସେ ନିର୍ବାଚନ ମଣ୍ଡଳୀ ଛାଡି ନଥିଲେ। ତେବେ ଚଳିତ ଥର ବିପୁଳ ବିଜୟ ପରେ ରଣପୁର ବିଧାୟିକା ସୁରମା ପାଢ଼ୀ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ମୂଳିଝର ଗଡ଼ସ୍ଥିତ ମା’ ଉଗ୍ରତାରା ମନ୍ଦିରରେ ପହଁଚି ମା ଙ୍କୁ ପୂଜାର୍ଚ୍ଚନା କରିଛନ୍ତି।

ରାଜ୍ୟର ମଙ୍ଗଳ କାମନା କରି ମା’ଙ୍କ ନିକଟରେ ପ୍ରଣିପାତ କରିଛନ୍ତି। ଏହି ଅବସରରେ ବିଧାୟିକା ସୁରମା ପାଢ଼ୀଙ୍କ ସହ ପୂର୍ବତନ ରଣପୁର ବ୍ଳକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୁବନେତା ପ୍ରମୋଦ କୁମାର ସାହୁ, ମଣ୍ଡଳ ସଭାପତି ସୁବର୍ଣ୍ଣ କୁମାର ସିଂ, ନିର୍ମଳ କୁମାର ମତଗଜ ସିଂ, ଯୁବନେତା ଦୁର୍ଗା ଶଙ୍କର ସିଂ ଦେଓ, ବିକ୍ରମ ସାହୁ, ସଞ୍ଜୟ ସିଂ, କୈଳାସ ସାହୁ, ସନ୍ତୋଷ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ବାଚନ ପ୍ରଚାରକୁ ଜୋରଦାର କଲା ବିଜେଡ଼ି: ଟାଙ୍ଗୀରେ ଭୋଟ ଭିକ୍ଷା କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

ଖୋର୍ଦ୍ଧା: ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ପ୍ରଚାରକୁ ଜୋରଦାର କରିଛି ବିଜେଡି। ଟାଙ୍ଗୀ ବ୍ଲକର ଭୂଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ, ଉଜ୍ଜଳା ଗୋପୀନାଥ ପୁର, ସୁନ୍ଦର ପୁର, ମଙ୍ଗଳା ଯୋଡି ଓ ଟାଙ୍ଗୀ ଠାରେ ମାରାଥନ ପ୍ରଚାର କରିଛି ବିଜେଡି।

ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଜୋରଦାର କରିଛନ୍ତି ପ୍ରଚାର। ଉଭୟ ପ୍ରାର୍ଥୀ ଭୂଷଣ୍ଡ ପୁରରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପ୍ରଚାର କାର୍ଯ୍ୟ। ମନ୍ମଥ ରାଉତରାୟଙ୍କ ସହ ରାଜେନ୍ଦ୍ର ସାହୁ ଏକ ଖୋଲା ଜିପ ରେ ବୁଲି ବୁଲି ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମସ୍ତ କାର୍ଯ୍ୟକାରୀ ଯୋଜନାର ସଫଳ ରୂପାୟନ ବର୍ଣ୍ଣନା କରିଥିଲେ। ଭୂଷଣ୍ଡପୁର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ଦୀର୍ଘ ୨୦ କିଲୋମିଟର ପର୍ଯ୍ୟନ୍ତ ସାମିଲ ହୋଇଥଲେ ହଜାର ହଜାର କର୍ମୀ।

ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡର ଅଟକଳକୁ ବୃଦ୍ଧି କରିବାକୁ ଦେଇ ଥିବା ଇସ୍ତାହାର ଓ ଇଲେକ୍ଟ୍ରି ବିଲ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଛାଡ, ମହିଳା SHG ମାନଙ୍କୁ ସୁଧ ଛାଡ ଏପରି ବହୁ ନିର୍ବାଚନୀ ଇସ୍ତାହାର ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।

ଟାଙ୍ଗୀ ଏନଏସି ରେ ଶୋଭାଯାତ୍ରା ପହଞ୍ଚିବା ପରେ ଟାଙ୍ଗୀ ଦୁଲଣା ସାହିର ବାସିନ୍ଦା ମାନେ ଉଭୟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ପୁଷ୍ପ ହାର ଦେବା ସହ ଉତ୍ତରୀୟ ପ୍ରଦାନ କରି ନବୀନ ସରକାରଙ୍କ ଶୁଭ ମନାସି ଥିଲେ। ଯୋଡି ଶଙ୍ଖରେ ଭୋଟ ଦେଇ ଜିତାଇବାକୁ ଜନତାଙ୍କୁ ଉଭୟ ପ୍ରାର୍ଥୀ ନିବେଦନ କରିଥିଲେ।

ଏଥିରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇ ତାଙ୍କର ବିଜୟ କାମନା କରିବା ସହିତ କିପରି ବିପୁଳ ଭୋଟରେ ଉଭୟଙ୍କୁ ଜିତାଇବେ, ସେଥିପାଇଁ ଶପଥ ନେଇଥିଲେ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବେଗୁନିଆ ଓ ଟାଙ୍ଗୀରେ ପାଣ୍ଡିଆନଙ୍କ ଦମଦାର ପ୍ରଚାର, ଅପରାଜିତା ଷଡଙ୍ଗୀଙ୍କୁ କଲେ ଟାର୍ଗେଟ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବେଗୁନିଆ ଓ ଟାଙ୍ଗୀ ଠାରେ ନିର୍ବାଚନ ପ୍ରଚାର କରି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି।

ବେଗୁନିଆ ଏବଂ ଟାଙ୍ଗୀ ଠାରେ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ, ରାଜେନ୍ଦ୍ର ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରି ସେ କହିଥିଲେ ଯେ ସମ୍ବିଧାନରେ ସମସ୍ତଙ୍କ କ୍ଷମତା ଅଛି। ଆପଣମାନେ ୫ ବର୍ଷ ଆଗରୁ ଯାହାଙ୍କୁ ସାଂସଦ ଭାବରେ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି? ସେ ଲୋକଙ୍କ ପାଇଁ କାମ ନ କରି ସରପଞ୍ଚ, ୱାର୍ଡମେମ୍ବର ଓ ବିଧାୟକଙ୍କ କାମରେ ମୁଣ୍ଡ ଖେଳାଇଥିଲେ। ନିଜ କାମ ଭୁଲି ଗଲେ।

ଏବେ ନିର୍ବାଚନ ଆସିଲା, ଆପଣଙ୍କ କଥା ମନେ ପଡିଲା। ଭୁବନେଶ୍ୱର ଭଳି ଗୋଟେ ସମ୍ମାନଜନକ କ୍ଷେତ୍ରର ସାଂସଦ ଭାବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା, ଭାରତ ସରକାରଙ୍କ ଯେଉଁ ବି ଭଲ ଭଲ ଯୋଜନା ରହିଛି, ତାକୁ ଏଠାରେ କାର୍ଯ୍ୟକାରୀ କରାଇଥାନ୍ତେ। ସେ ଚାହିଁଥିଲେ ଏଠାରେ ଶିଳ୍ପ ପାର୍କ, ସେମିକଣ୍ଡକ୍ଟର ପାର୍କ, ଏସଏମଇ ପାର୍କ ଇତ୍ୟାଦି ଆଣିବା ପାଇଁ ଚେଷ୍ଟା କରି ପାରିଥାନ୍ତେ। ଏସବୁ ଆସିଥିଲେ, ଯୁବପୀଢି ରୋଜଗାର ପାଇଥାନ୍ତେ। କିନ୍ତୁ ସେ କିଛି ବି କଲେ ନାହିଁ।

ଖୋର୍ଦ୍ଧାର ଐତିହାସିକ ପାଇକ ବିଦ୍ରୋହ ଏବଂ ପାଇକମାନଙ୍କ ତ୍ୟାଗକୁ ମନେ ପକାଇ ସେ କହିଥିଲେ ଯେ, ଏ ମାଟି ହେଉଛି, ବୀର ପାଇକ ମାଟି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବହୁବାର କେନ୍ଦ୍ରକୁ ଲେଖିଛନ୍ତି। କିନ୍ତୁ ସାଂସଦଙ୍କ ଏ ଦିଗରେ କୌଣସି ଅବଦାନ ନାହିଁ । ଆପଣମାନେ ତାଙ୍କୁ କ୍ଷମତା ଦେଲେ । ସେ କ୍ଷମତାର ଦୂରୁପଯୋଗ କଲେ। ଲୋକଙ୍କୁ ଠକିଲେ। ଏ ମାଟିକୁ ଠକିଲେ। ଆପଣ ତାଙ୍କୁ କେବେ କ୍ଷମା କରିବେ ନାହିଁ।

ବେଗୁନିଆ, ବୋଲଗଡ ଓ ଟାଙ୍ଗୀକୁ ଏନ୍‌ଏସି ମାନ୍ୟତା, ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭଳି ଅଞ୍ଚଳରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି, ଲୋକଙ୍କ କାମର ହିସାବ ଦେବା ପାଇଁ। ମୁଁ ପୁଣି ଆସିବି, ଆପଣମାନଙ୍କୁ କାମର ହିସାବ ଦେବି। କିନ୍ତୁ ଏବେର ସାଂସଦ ରାଜନୀତିରେ ବ୍ୟସ୍ତ। ଲୋକଙ୍କୁ କେବେ ବି ହିସାବ ଦେବେ ନାହିଁ।

ସେ ପୁଣି କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ । ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଯୋଡି ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ମନ୍ନଥ ରାଉତରାୟ, ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ଓ ରାଜେନ୍ଦ୍ର ସାହୁ ନିଜର ଅଭିଭାଷଣ ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ: ବିଜେପି ରୁ ଟିକେଟ ଆଶାୟୀ କାଳୁ ଖଣ୍ଡାୟତରାୟଙ୍କ ଜନ ଆଶୀର୍ବାଦ ଶୋଭାଯାତ୍ରା

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ରାଜ୍ୟର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ରହିଛି ଢେର ବିଶେଷତ୍ୱ। ଏହି ନିର୍ବାଚନ ମଣ୍ଡଳୀ ପାଇଁ ଏଯାବତ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ତଥାପି ବିଜେପି ଦଳର ଟିକେଟ ଆଶାୟୀଙ୍କ ଆଶା ଢେର ଆଗରେ ରହିଛି।

ଗତ ନିର୍ବାଚନରେ ୭୦ ହଜାରରୁ ଅଧିକ ଭୋଟ ପାଇ ବିଜେଡି ଠାରୁ ପରାସ୍ତ ହୋଇଥିବା ବିଜେପି ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ଆଜି ଟାଙ୍ଗୀରେ ଜନ ଆଶୀର୍ବାଦ ଶୋଭାଯାତ୍ରା ରେ ଲୋକଙ୍କ ନିକଟକୁ ଯାଇ ସମର୍ଥନ ମାଗିଛନ୍ତି।

ଏହି ଅବସରରେ ଟାଙ୍ଗୀ ମଧୁ ମଙ୍ଗଳ ପଡିଆ ଠାରୁ ଶୋଭାଯାତ୍ରା ବାହାରି ଟାଙ୍ଗୀ ସହର ପରୀକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଶହ ଶହ ବିଜେପି ସମର୍ଥକ ସାମିଲ ହୋଇଥିଲେ।

ଏହି ଅବସରରେ ବିଜେପି ନେତା କାଳୁ ଚରଣ ଖଣ୍ଡାୟତରାୟ ଜନ ଆଶୀର୍ବାଦ ନାମରେ ଜନ ସାଧାରଣଙ୍କୁ ବିଜେପିକୁ ସମର୍ଥନ କରିବା ପାଇଁ ଗୁହାରୀ କରିଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ ଓ ବାଲୁଗାଁ ଅବକାରୀର ଚଢ଼ାଉ: ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଓ ବାଲୁଗାଁ ଅବକାରୀ ଅଧିକାରୀଙ୍କ ଦ୍ୱାରା ପୃଥକ ପୃଥକ ଭାବରେ ଚଢ଼ାଉ କରାଯାଇ ଚଣ୍ଡେଶ୍ୱର ଛକରୁ କନ୍ଧନୟାଗଡ଼ ଅଞ୍ଚଳର ଜିତେନ୍ଦ୍ର ଖମାରିଙ୍କ ଠାରୁ ୩୦ ଗ୍ରାମ ବ୍ରାଉନସୁଗାର ଏବଂ ଟାଙ୍ଗି ବଡ଼ପାରି ଓଭରବ୍ରିଜ ତଳୁ କନ୍ଧନୟାଗଡ଼ ଅଞ୍ଚଳର ଦିପୁ କଳସିଙ୍କ ଠାରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କା ହେବ।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦୁଇ ଗୋଟି ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗି ରେଞ୍ଜ ଅବକାରୀ ନିରୀକ୍ଷକ ନାରାୟଣ ଜେନା, ବାଲୁଗାଁ ଅବକାରୀ ଅଧିକାରୀ ସ୍ମିତା ପଣ୍ଡାଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ: ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ନାବାଳିକା ମୃତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସାରା ରାଜ୍ୟରେ ଏବେ ପାରଦ ଉପର ମୁହାଁ। ଯୁଆଡେ ଚାହିଁବ ସିଆଡେ ଖାଲି ବର୍ଷୁଛି ନିଆଁ। ଲୋକେ ତ୍ରାହି ତ୍ରାହି ଡାକ ଦେଲେଣି। ଏପରି ସ୍ଥଳେ ସହରୀ ଲୋକେ ଏସି ବ୍ୟବହାର କରୁଥିବା ବେଳେ ଗାଁ ଗହଳିର ଲୋକେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ଵସ୍ତି ପାଇବା ପାଇଁ ପୋଖରୀ ପାଣି ଉପରେ ନିର୍ଭର କରୁଛନ୍ତି।

ଖୋର୍ଦ୍ଧା ଜିଲ୍ଲା ହାଟ ବରଡ଼ି ଗ୍ରାମ ପଞ୍ଚାୟତର ବରଡ଼ି ଗ୍ରାମର ଜୟ ବେହେରାଙ୍କ ୮ ବର୍ଷିୟା ଝିଅ ସୁଚିତ୍ରା ବେହେରା ନିଜର ସାଥି ପିଲାଙ୍କ ସହ ଗାଁ ପୋଖରୀରେ ଗାଧୋଇବାକୁ ଯାଇଥିଲା। ତେବେ ଗାଧୋଇବା ବେଳେ ଅକସ୍ମାତ ସୁଚିତ୍ରା ଗଭୀର ଜଳକୁ ପଳାଇ ଯାଇଥିଲା। ଫଳରେ ସେ ପାଣିରେ ବୁଡି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ସୁଚିତ୍ରା ଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଙ୍ଗୀ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ଅଘଟଣ: ପୋଖରୀରେ ବୁଡି ନାବାଳକ ଛାତ୍ରର ମୃତ୍ୟୁ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ରାହ୍ମଣ ଡିହ ଗ୍ରାମରେ ଏକ ବଡ ଅଘଟଣ ଘଟିଛି। ପୋଖରୀରେ ଗାଧୋଇବା ବେଳେ ଜଣେ ନାବାଳକ ଛାତ୍ରର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ବ୍ରାହ୍ମଣ ଡିହ ଗ୍ରାମର ଲୋକନାଥ ମୁଦୁଲି ନାମକ ଜଣେ ନାବାଳକ ଛାତ୍ର ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ବଡ଼ ଭାଇ ସୋମନାଥ ମୁଦୁଲି (୧୪ ବର୍ଷ) ଙ୍କ ସହ ଲୋକନାଥ ପୋଖରୀରେ ଗାଧୋଉଥିଲେ। ହେଲେ ସେ ପୋଖରୀରେ ବୁଡିଯିବାରୁ ବଡ ଭାଇ ସୋମନାଥ ଘରକୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକନାଥଙ୍କୁ ପାଣିରୁ ଉଦ୍ଧାର କରି ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କକରିଥିଲେ। ହେଲେ ସେତେବେଳେକୁ ବିଳମ୍ବ ହୋଇଯାଇଥିଲା, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଙ୍ଗୀ ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି।

ଉଲ୍ଲେଖ ଯୋଗ୍ୟ ଯେ, ଲୋକନାଥଙ୍କ ବୟସ ୧୧ ବର୍ଷ ହୋଇଥିବା ବେଳେ ସେ ବ୍ରାହ୍ମଣ ଡିହ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ। ଲୋକନାଥର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଞ୍ଚଳିକ

ଟାଙ୍ଗୀ: ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ, ଦଣ୍ଡ ଭଗତା ଗୁରୁତର

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଦଣ୍ଡ ଭଗତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ଯୁବକଙ୍କ ଆକ୍ରମଣରେ ଦଣ୍ଡ ଭଗତା ଗୁରୁତର ହୋଇଥିବା ସୂଚନା ରହିଛି। ଗୁରୁତର ଅବସ୍ଥାରେ ଦଣ୍ଡ ଭଗତାଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ, ବ୍ରାହ୍ମଣ ଡିହ ଗ୍ରାମର ସୂର୍ଯ୍ୟକାନ୍ତ ରାଉତ (୨୮) ସ୍ଥାନୀୟ ଓରଡ଼ କୋଠୀରେ ଦଣ୍ଡ ଭଗତା ଭାବେ ସାମିଲ ହୋଇଥିଲେ। ଏହି ଦଣ୍ଡରେ ସାମିଲ ଥିବା ଭଗତା ମାନେ ସ୍ଥାନୀୟ ବ୍ରାହ୍ମଣ ଡିହ ଗ୍ରାମରେ ଥିବା ରଘୁନାଥ ଦେବଙ୍କ ମନ୍ଦିରରେ ବିଶ୍ରାମ ନେଉଥିଲେ। ସୂର୍ଯ୍ୟକାନ୍ତ ବିଶ୍ରାମ ନେଉଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ପୂର୍ବ ରାଗ ସୁଝାଇବାକୁ ଯାଇ ଠେଙ୍ଗାରେ ସୂର୍ଯ୍ୟକାନ୍ତକୁ ମରଣାନ୍ତକ ଆକ୍ରମଣ କରିଥିଲେ। ସୂର୍ଯ୍ୟକାନ୍ତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଁଚି ଭଗତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଗୁରୁତର ଭଗତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନନ୍ତ୍ର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏନଏସି ମାନ୍ୟତା ପାଇବା ପରେ ଖୁସିର ଲହରୀ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଟାଙ୍ଗୀ ବିଜେଡ଼ି

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ବହୁ ଦିନର ସ୍ୱପ୍ନ ଆଜି ପୂରଣ ହୋଇଛି। ଏଥିପାଇଁ ସାରା ଅଞ୍ଚଳରେ ଖୁସିର ପରିବେଶ। କିଏ ବାଣ ଫୁଟାଇ ଉତ୍ସବ ପାଳନ କରୁଛନ୍ତି ତ କିଏ ପରସ୍ପରକୁ ମିଠା ଖୁଆଇ ଆଲିଙ୍ଗନ କରୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ।

ଟାଙ୍ଗୀ ଗ୍ରାମ ପଂଚାୟତକୁ ଏନଏସି ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା। ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ନୂତନ ଭାବେ ଆଜି ୩୪ ଟି ଏନଏସି ଘୋଷଣା କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀକୁ ମଧ୍ୟ ଏନଏସି ମାନ୍ୟତା ପ୍ରଦାନ କରିଛନ୍ତି। ଫଳରେ ସ୍ଥାନୀୟ ଆଞ୍ଚଳରେ ଲୋକେ ଖୁସି ଜାହିର କରିଛନ୍ତି।

ଏହି ଅବସରରେ ଟାଙ୍ଗୀ ଗ୍ରାମ ପଂଚାୟତ ବିଜେଡି ପକ୍ଷରୁ ସରପଞ୍ଚ କିଶୋର କୁମାର ବେହେରାଙ୍କ ନେତୃତ୍ୱରେ ଟାଙ୍ଗୀରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମହାପାତ୍ର, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ମହାପାତ୍ର, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ବେହେରା,  ବ୍ଳକ ବିଜେଡି ଯୁବ ସଭାପତି ଚିନ୍ମୟ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ
ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ: ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବ ଉଦଯାପିତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୂକୁଲ୍ୟରେ ସ୍ଥାନିୟ ଚିଲିକା ଷ୍ଟାଡିୟମ ରେ ସାତ ଦିନ ଧରି ଚାଲିଥିବା ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବ ଏକ ରଙ୍ଗାରଙ୍ଗ ପରିବେଶରେ ଉଦଯାପିତ ହୋଇଯାଇଛି।

ଆଜିି କେନ୍ଦ୍ର ସରକାରଙ୍କ ସହାୟତାରେ ପଶ୍ଚିମବଙ୍ଗ ପୁରୁଲିଆର ଗଣେଶ ଝୋ ଡ୍ୟାନ୍ସ ଗୃପ, ବରଗଡ ର ଦୁଲଫୁଲ କଳାପରିଷଦ ବୁଢିବାହକ,ନର୍ତକି ଡ୍ୟାନ୍ସ ଏକାଡେମୀ ଭୂବନେଶ୍ବର ରିଦିମ ଡ୍ୟାନ୍ସ ଏକାଡେମୀ ଟାଙ୍ଗୀ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାଉଣ୍ଟ ଲିଟେରା ଜି ସ୍କୁଲ ସେମାନଙ୍କର ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରି ଭରପୁର ଦର୍ଶକଙ୍କୁ ଆକର୍ଷିତ କରିଥିଲେ।

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବେଗୁନିଆଁ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ଖୋର୍ଧା ଜିଲ୍ଲାପରିଷଦ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଂଗୀ ପଞ୍ଚାୟତସମିତି ଅଧ୍ୟକ୍ଷା ରିସ୍ନା ମାନଧାତା,ସଂସଦ ସଂପାଦକ ମନୋଜ କୁମାର ପଟନାୟକ ,ପ୍ରବକ୍ତା ସରୋଜ କୁମାର ପାଇକରାୟ, ଅତିଥି ଭାବେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସଂଘର ସନ୍ଦିପନି ମିଶ୍ର, ଉପସଭାପତି ମନୋଜ ନାଇଡୁ, ରାମଚନ୍ଦ୍ର ପରିଡା, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ଦାସ, ଦୂର୍ଗାପ୍ରସାଦ ଦାଶ, ରାକେଶ ମହାନ୍ତି, ରାକେଶ ଜଗଦ୍ଦେବ, ପ୍ରଶାନ୍ତ ବେହେରା, କମଳଲୋଚନ ପାଇକରାୟ, ରଜନିକାନ୍ତ ମିଶ୍ର, ଅନନ୍ତ ପ୍ରଧାନ, ପ୍ରଦିପ୍ କୁମାର ସାହୁ, ଅଭିଜିତ ଦାସ, ଶଙ୍କର୍ଷଣ ବେହେରା, ବାଲୁଙ୍କେଶ୍ୱର ବେହେରା, ଶ୍ୟାମସୁନ୍ଦର ପଟନାୟକ, ଯଦୁମଣି ବେହେରା, ସମାଜସେବୀ ଗିରିଶ ବେହେରା, ସୂର୍ଯ୍ୟକାନ୍ତ ସାହୁ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

ଉଦଘୋସକ ଭାବେ କାର୍ଯ୍ୟକ୍ରମ ସଂପାଦନ କରିଥିଲେ ସତ୍ୟନାରାୟଣ ମହାପାତ୍ର। ହାସ୍ୟ ଅଭିନେତା ଜ୍ଞାନ ବାରିକଙ୍କ ହାସ୍ୟ କଥାରେ କରତାଳିରେ ଚିଲିକା ଷ୍ଟାଡିୟମରେ ପ୍ରକମ୍ପିତ ହୋଇଥିଲା।

Categories
ଆଞ୍ଚଳିକ

ନିଳାମ୍ବୁ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା, ଡାଲ ଖାଇ ନୃତ୍ୟରେ ମଞ୍ଚ ଦୁଲୁକିଲା

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୂକୁଲ୍ୟରେ ଚିଲିକା ଷ୍ଟାଡିୟମରେ ଚାଲିଥିବା ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା ସମ୍ବଲପୁରର ଡାଲଖାଇ ନୃତ୍ୟରେ ହଜାର ହଜାର ଦର୍ଶକ ବିମୋହିତ ହୋଇଥିବା ବେଳେ ଆଞ୍ଚଳିକ ତଥା ଓଡିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ନୃତ୍ୟ ଅନୁଷ୍ଟାନ ମଧ୍ୟ ବେସ ଆକର୍ଷଣ ସୃଷ୍ଟି କରିଥିଲା। ପଶ୍ଚିମ ଓଡିଶାର ଢୋଲିଆ ଖୋସା କଳାପରିଷଦ ବରଗଡ, ରିଦିମ ଡ୍ୟାନସ ଏକାଡେମ ର ଆଦିବାସୀ ନୃତ୍ୟ ମନ୍ତ୍ରମୁଗଧ କରିଥିଲା।

ସଂଘ ସଭାପତି ପଦ୍ମନାଭ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପଦେଷ୍ଟା ରାମଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ପ୍ରଦୋଷ ଦାସ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ଜଗନ୍ନାଥ ସଂସ୍କୃତି ଗବେଷକ ଚନ୍ଦ୍ରଶେଖର ଦାସ, ପ୍ରବକ୍ତା ସରୋଜ ପାଇକରାୟ ପ୍ରମୂଖ ଯୋଗଦେଇଥିଲେ। ଉଦଘୋଷକ ଭାବେ ସତ୍ୟନାରାୟଣ ମହାପାତ୍ର କାର୍ଯ୍ୟ ତୁଲାଇ ଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ: କୟଥପଲ୍ଲା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କୟଥପଲ୍ଲା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ଜଣଙ୍କର ମୃତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ରାମଚନ୍ଦ୍ର ସାହୁ (୩୬) ବୋଲି ଚିହ୍ନଟ ହୋଇଥିବା ବେଳେ ତାଙ୍କ ଘର ବାଲୁଗାଁ ଥାନା ସରଳା ପଦର ଗ୍ରାମରେ ବୋଲି ଜଣାପଡିଛି। ମୃତ ଦେହ ଜବତ କରି ଟାଙ୍ଗୀ ପୋଲିସ ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

କଟକ ଟାଙ୍ଗୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି କଟକ ଜିଲ୍ଲାର ଟାଙ୍ଗି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆୟୋଜିତ ଏକ ଅଭିନବ ପ୍ରୟାସ ସ୍ୱରୂପ ମହାରାଷ୍ଟ୍ରର ବରିଷ୍ଠ ସାମ୍ବାଦିକମାନଙ୍କର ଏକ ୭ ଜଣିଆ ପ୍ରତିନିଧି ଦଳ ଆଜି ଟାଙ୍ଗୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।

ଏହାବ୍ୟତୀତ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଆଜି ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଛନ୍ତି। ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାକୁ ଦେଖି ମହାରାଷ୍ଟ୍ର ସାମ୍ବାଦିକମାନେ ପ୍ରଭାବିତ ହୋଇଥିଲେ। ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା।

କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) କ୍ୟାମ୍ପସ୍ ଠାରେ ସାମ୍ବାଦିକଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସାମ୍ବାଦିକମାନେ ଏନଡିଆରଏଫର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ।
ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅମରେଶ କୁମାର ନାୟକ, ଅନୁଷ୍ଠାନର ଲକ୍ଷ୍ୟ, ସଫଳତା, କାର୍ଯ୍ୟକଳାପ ଏବଂ ଆକାଂକ୍ଷା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସେ କହିଥିଲେ, ଅନୁଷ୍ଠାନ ସବୁଜ ବିପ୍ଳବରେ ଏକ ମହତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା ଏବଂ ଭାରତକୁ ଖାଦ୍ୟ ଶସ୍ୟର ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିଥିଲା। ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାର ବ୍ୟାପକ ଲକ୍ଷ୍ୟ ସହିତ ଜଳବାୟୁ ସହନଶୀଳ କିସମର ଫସଲ ବିକଶିତ କରାଯାଉଛି ବୋଲି ସେ କହିଥିଲେ। ସାମ୍ବାଦିକମାନେ ଅନୁଷ୍ଠାନର ସମସ୍ତ ବିଭାଗର ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ, ସେମାନେ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗଶାଳା, ସୁବିଧା ଏବଂ ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନର ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଞ୍ଚଳିକ

ଟାଙ୍ଗୀ: ମା ମଙ୍ଗଳା ମନ୍ଦିରରୁ ଚୋରୀ, ଦାନ ବାକ୍ସ ସହ ଅଳଂକାର ଲୁଟିନେଲେ ଦୁର୍ବୃତ୍ତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ହରିଜନ ସାହିର ମା’ ମଙ୍ଗଳା ମନ୍ଦିରରୁ ଗତ କାଲି ରାତିରେ ଚୋରୀ ହୋଇଥିବା ଜଣାପଡିଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ଚୋରୀ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ତାଲା ଭାଙ୍ଗି ମନ୍ଦିରର ଦାନ ବାକ୍ସ ସହ ଅଳଂକାର, ପୂଜା ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡି।

ମନ୍ଦିରର ପୂଜକ ଆଜି ସକାକୁ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ବେଳେ ମନ୍ଦିରର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଏ ନେଇ ପୂଜକ ଗାଁ ଲୋକଙ୍କୁ ଚୋରୀ ସମ୍ପର୍କରେ
ଜଣାଇଥିଲେ।

ଗାଁ ଲୋକଙ୍କ ପକ୍ଷରୁ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟାଙ୍ଗୀ ଥାନା ପୋଲିସ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ବୋହୁକୁ ହତ୍ୟା ଅଭିଯୋଗରେ ଫେରାର ଥିବା ତିନି ସଂପର୍କୀୟଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ଖୋର୍ଦ୍ଧା: ଟାଙ୍ଗୀ ଥାନା ତେନ୍ତୁଳିଆ ପଡାରେ ଗତ ସେପ୍ଟେମ୍ବର ମାସ 26 ତାରିଖରେ ବୋହୂକୁ ହତ୍ୟା କରି ଫେରାର ହୋଇଥିବା ଅଭିଯୋଗରେ ଶଶୂର ଗୁରୁବାରୀ ନାୟକ, ଶାଶୁ ସବିତା ନାୟକ ଓ ଯା କଳ୍ପନା ନାୟକଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ।

ଟାଙ୍ଗୀ ଥାନା ହାଟବରଡ଼ି ଗ୍ରାମର ସଂଯୁକ୍ତା ଦଳାଇ ଟାଙ୍ଗୀ ଥାନା ତେନ୍ତୁଳିଆ ପଡା ଗ୍ରାମର ଗୌତମ ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ କିଛିମାସ ପରେ ସଂଯୁକ୍ତା  ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟଚାର। ଶେଷରେ ସଂଯୁକ୍ତାଙ୍କୁ ତଣ୍ଟି ଚିପି ମାରି ଦେଇଥିବାର ଅଭିଯୋଗ ହୋଇଛି। ସେତେବେଳଙ୍କୁ ସଂଯୁକ୍ତାଙ୍କର କୋଳରେ 15 ଦିନର ଏକ ଶିଶୁପୁତ୍ର ରହିଛି।

ଖବର ପାଇ ଟାଙ୍ଗୀ ଥାନା ପୋଲିସ ଶବ ଜବତ କରିବା ସହିତ ତଦନ୍ତ କରି ସ୍ୱାମୀ ଗୌତମ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ଦିନଠାରୁ ଶାଶୁ ଶଶୁର ଓ ଯା ଫେରାର ହୋଇ ଯାଇଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ: ପୋଖରୀରେ ବୁଡି ନାବାଳକ ମୃତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରି ପଡ଼ାପଞ୍ଚାୟତ ବାଉଁଶ ମୂଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘତିଯାଇଛି। ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ବାଉଁଶ ମୂଳ ଗ୍ରାମର ଗୋପାଳ ଚନ୍ଦ୍ର ପ୍ରଧାନଙ୍କ ପୁତ୍ର ସତ୍ୟବ୍ରତ ପ୍ରଧାନ (୧୧ ବର୍ଷ) ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଗଭୀର ଜଳରେ ବୁଡି ଯାଇଥିଲା। ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସତ୍ୟବ୍ରତକୁ ମୃତ ଘୋଷଣା କରିଥିଲେ। ଟାଙ୍ଗୀ ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ମୃତ ଛାତ୍ର ଜଣକ ସ୍ଥାନୀୟ ଦାଶରଥୀ ଉଚ୍ଚ ବିଦ୍ୟାଳୟରେ ସଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡିଛି।

Categories
ଆଜିର ଖବର ଭାରତ

ଟାଙ୍ଗୀ: ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଚାଷୀଙ୍କ ଜୀବନ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବରିକୋ ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ଜୀବନ ଚାଲିଯାଇଛି।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ବାତ୍ୟା ଆସୁଥିବାରୁ ଧାନକୁ ସୁରକ୍ଷିତ ରଖିବା ପାଇଁ ଦୁଇ ଚାଷୀ ବିଲକୁ ଯାଇଥିଲେ। ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା (୭୦) ଓ ପାରିଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ (୬୫) ସାଙ୍ଗ ହୋଇ ଚାଷ ଜମିକୁ ଯାଇଥିଲେ। ଚାଷ ଜମି ନିକଟରେ ଦୁହେଁ ବସିଥବା ବେଳେ ହାତୀ ପଲ ଆକ୍ରମଣ କରିଥିଲେ। ଫଳରେ ଚାଷ ଜମିରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା।

କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ। ଆଜି ସକାଳୁ ସେମାନଙ୍କ ମୃତଦେହ ଚାଷ ଜମିରେ ଲୋକେ ଠାବ କରିଛନ୍ତି।

ସ୍ଥାନୀୟ ଲୋକେ ବନ ବିଭାଗକୁ ଦାୟୀ କରିବା ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି। ପୋଲିସ ସହ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଓଭର ବ୍ରିଜ ଉପରେ ବାଇକ ଦୁର୍ଘଟଣା: ଚାଳକ ମୃତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଓଭର ବ୍ରିଜ ଉପରେ ବାଇକ ଦୁର୍ଘଟଣା ଘଟିଛି। ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ଯୁବକଙ୍କ ନାମ ଆକାଶ ବଢ଼େଇ (୨୫)। ମୃତକଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ନରସିଂହ ପୁର ଗ୍ରାମରେ ବୋଲି ଜଣା ପଡିଛି।

ଆକାଶ ବଢ଼େଇ କୟଥପଲା ନିକଟରେ ଥିବା ଏକ ଘରୋଇ ଚିଙ୍ଗୁଡ଼ି ଦାନା କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେ ଆଜି ସନ୍ଧ୍ୟାରେ ଚଣ୍ଡେଶ୍ୱର ଯାତ୍ରା ଦେଖି ନିଜର ଜଣେ ବନ୍ଧୁଙ୍କୁ ଦେଖା କରିବା ପାଇଁ ଟାଙ୍ଗୀ ଆସୁଥିଲେ। ଟାଙ୍ଗୀ ଆସୁଥିବା ବେଳେ ଟାଙ୍ଗୀ ଓଭର ବ୍ରିଜ ଉପରେ ତାଙ୍କ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଡିଭାଇଡ଼ରକୁ ଧକ୍କା ଦେଇଥିଲା। ଫଳରେ ସେଠାରେ ସେ ରକ୍ତ ଜୁଡୁବୁଡୁ ହୋଇ ପଡି ରହିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଟାଙ୍ଗୀ ଥାନା ପୋଲିସ ଶବକୁ ଜବତ କରି ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ପାରି ଓରଡ଼- ଚଣ୍ଡେଶ୍ୱର ରାସ୍ତା ପୁନଃରୁଦ୍ଧାର ଦାବି: ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ପାରି ଓରଡ଼- ଚଣ୍ଡେଶ୍ୱର ରାସ୍ତା ପୁନଃରୁଦ୍ଧାର ଦାବିରେ ଆଜି ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ଫଳରେ ୫ ଟି ପଞ୍ଚାୟତକୁ ଯିବା ଆସିବା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ସ୍କୁଲ କଲେଜ ଯିବା ଆସିବା ମଧ୍ୟ ବନ୍ଦ ହୋଇ ଯାଇଥିଲା।

ରାସ୍ତା ତୁରନ୍ତ ପୁନଃରୁଦ୍ଧାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଘଟଣା ସ୍ଥଳକୁ ନ ଯିବାରୁ ଉତ୍ତେଜନା ଦେଖାଦେଇଛି।

ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ଉନ୍ନତି ପାଇଁ ୨ କୋଟି ରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି। ହେଲେ ଠିକାଦାରଙ୍କ ମନମାନୀ ଯୋଗୁଁ ରାସ୍ତା କାମ ଶେଷ ହୋଇ ପାରୁନାହିଁ। ତେଣୁ ଲୋକେ ଭଙ୍ଗା ଗଢା ରାସ୍ତାରେ ଯା’ ଆସ କରି ଦୁର୍ଘଟଣାର ଶିକାର ହେଉଛନ୍ତି।

ତେଣୁ ଆଜି ଗାଁର ଶତାଧିକ ଲୋକେ ରାସ୍ତାକୁ ଅବରୋଧ କରିଥିଲେ। ତେବେ ସ୍ଥାନୀୟ ପ୍ରଶାସନ ବୁଝାସୁଜା କରିବା ପରେ ରାସ୍ତାରେ ଚଳାଚଳ ସ୍ୱାଭାବିକ ହୋଇଥିଲା।