Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଡ୍ରାଇଭର ମହାସଂଘର ଚକାଜାମ ଆନ୍ଦୋଳନ, ଜାତୀୟ ରାଜପଥରେ ଅଟକି ରହିଛି ଶତାଧିକ ଗାଡି

ସୀତାରାମ ଅଗ୍ରୱାଲ

ଟାଙ୍ଗୀ/ଚିଲିକା: ଆଜି ରାଜ୍ୟ ବ୍ୟାପି ପରିବହନ ଚାଳକ ସଂଘ ଧର୍ମଘଟ ଡାକରା ଦେଇଛି। ଏହି ଧର୍ମଘଟରେ ଅଲ ଓଡିଶା ପରିବହନ ସଂଘର ଶତାଧିକ ଡ୍ରାଇଭର ଯୋଗଦେଇଛନ୍ତି। ଅଲ ଓଡିଶା ପରିବହନ ଚାଳକ ସଂଘ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଟାଙ୍ଗୀ ବ୍ଲକ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଇପାସ ଏବଂ ସୁନେଇରୂପେଇ ଛକ ନିକଟରେ ଚକାଜାମ ଆନ୍ଦୋଳନ କରିଛି। ସକାଳ ୬ଟାରୁ ଶତାଧିକ ଡ୍ରାଇଭର ମାନେ ଆନ୍ଦୋଳରେ ସାମିଲ ହୋଇଛନ୍ତି।

ଡ୍ରାଇଭର ମାନଙ୍କ ସୁରକ୍ଷା, ସମ୍ମାନ, ଓ ଅଧିକାର ସମେତ ନଅ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ପରିବହନ ଚାଳକ ସଂଘ। ଡ୍ରାଇଭରମାନେ ଧର୍ମଘଟ କରିବାରୁ ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି। ଡ୍ରାଇଭର ମାନଙ୍କ ଦାବି ପୁରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ମୁତୟନ ଅଛି।

Categories
ଆଞ୍ଚଳିକ

ଚିଲିକା: କ୍ରମାଗତ ଦ୍ଵିତୀୟ ଦିନ ଚଢାଉ କଲା ଅବକାରୀ ବିଭାଗ, ତିନି ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କ୍ରମାଗତ ଭାବେ ଦ୍ଵିତୀୟ ଦିନରେ ବାଲୁଗାଁ ଏବଂ ଟାଙ୍ଗୀ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ଦେଶୀ ବିଦେଶୀ ମଦ ଜବତ ହୋଇଥିବା ବେଳେ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଅଞ୍ଚଳରୁ ୭୫ ଲିଟର ଦେଶୀ ମଦ ଏବଂ ୮.୪୬ ଲିଟର ବିଦେଶୀ ମଦ ଜବତ ହୋଇଥିବା ବେଳେ ଟାଙ୍ଗୀ ଥାନା ସୋରଣ ଅଞ୍ଚଳରୁ ୧୬ ଲିଟର ଆସ୍କା ଫର୍ଟି ମଦ ଜବତ ହୋଇଛି।

ଅଭିଯୁକ୍ତ ସନ୍ତୋଷ ସ୍ୱାଇଁ (୩୭), ଧୋୟା ବେହେରା (୬୭) ଏବଂ କିଶୋର ସାହୁ (୫୨) ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏସଆଇ ବି.ମନୋଜ କୁମାର ଏଏସଆଇ ବିଶ୍ୱମ୍ବର ବିଶ୍ୱାଳ ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୂଷଣ୍ଡପୁରରେ ଅଘଟଣ: ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଚାରି ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୋଳ ଯାତ୍ରା ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଥିବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଆଇଆଇସି, ବିଡ଼ିଓ, ତହସିଲଦାର ଆଦି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପକ୍ଷେ ଆହତଙ୍କୁ ମେଡିକାଲ ପଠାଯାଇଛି।

ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ଅଛି। ତେବେ କୋଭିଡ ମହାମାରୀ ନିମନ୍ତେ ୨ ବର୍ଷ ହେଲା ଦୋଳ ଯାତ୍ରାରେ ରୋକ ଲାଗିଥିବା ବେଳେ ଚଳିତ ବର୍ଷ ସାରା ରାଜ୍ୟରେ ଧୁମଧାମରେ ଏହା ପାଳନ ହେଉଛି। ଏଥିପାଇଁ କାରିଗର ବାଣ ତିଆରି କାର୍ଯ୍ୟରେ ନିଯୋଜିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଜୁଆ ଆଡ୍ଡାରେ ଚଢ଼ାଉ, ୬ ଜୁଆଡି ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜୁଆ ଖେଳ ଚାଲିଥିବା ବେଳେ ଟାଙ୍ଗୀ ପୋଲିସ ଚଢାଉ କରି ୬ ଜୁଆଡିଙ୍କୁ ଗିରଫ କରିଛି। ଏହି ସମୟରେ ଜୁଆ ଆଡ୍ଡାରୁ ନଗଦ ୨୪ ହଜାର ୨୩୦ ଟଙ୍କା ଓ ୫ ଟି ବାଇକ ପୋଲିସ ଜବତ କରିଛି।

ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଫାଣ୍ଡି ଅନ୍ତର୍ଗତ ଉଜ୍ଜଳା ରସୁଲପୁର ଜଙ୍ଗଲରେ ଜୁଆ ଖେଳାଯାଉଥିବା ଖବର ପାଇ ଭୂଷଣ୍ଡପୂର ଫାଣ୍ଡି ଓ ଟାଙ୍ଗୀ ଥାନା ମିଳିତ ଭାବେ ଚଢ଼ାଉ କରିଥିଲା। କିନ୍ତୁ ଏଥିରେ ଅନେକ ଜୁଆଡି‌ ଛତ୍ରଭଙ୍ଗ ଦେଇଥିବାବେଳେ ନବକିଶୋର ଦାଶ, କମଳାକାନ୍ତ ସାହୁ, ଲକ୍ଷ୍ମଣ ବାରିକ, ବଳରାମ ପ୍ରହରାଜ, ବାପୁଜୀ ପ୍ରଧାନ ଓ ରଶ୍ମିରଞ୍ଜନ ଜେନାଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଜୁଆଡି ମାନଙ୍କ ଠାରୁ ୫ଟି ବାଇକ୍ ଓ ୨୪ ହଜାର ୨୩୦ ଟଙ୍କା ଜବତ ହୋଇଛି।

ଖୋର୍ଦ୍ଧା ଜିଲ୍ଲାର ଜଂକିଆ ଥାନା, ଟାଙ୍ଗୀ ଥାନା ଅଂଚଳରେ ବ୍ୟାପକ ପରିମାଣର ଜୁଆ ଆଡ୍ଡା ଚାଲୁଥିବାରୁ ପୋଲିସ ଏହାକୁ ଦମନ ପାଇଁ ଚେଷ୍ଟା ଜାରି ରଖିଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଚିଲିକା ଓ ଟାଙ୍ଗୀ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ: ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟ ଶାସନ ସଚ଼ିବଙ୍କ ଉଦ୍ଦେଶ୍ୟରେ ଚ଼ିଲିକା ଓ ଟାଙ୍ଗୀ ବ୍ଲକ ବି.ଡ଼ି.ଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ରହିଛି।

ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଯଥାଶୀଘ୍ର ବାହାର କରିବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାର ଙ୍କୁ ବିନମ୍ର ନିବେଦନ କରାଯିବା ସହ ଏହି ନିଯୁକ୍ତି ଦିଆଗଲେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତ ରେ ସାମିଲ୍ ହୋଇପାରିବା ସହ ଓଡ଼ିଶାରେ ୬୦୦୦ ରୁ ଉର୍ଦ୍ଧ୍ଵ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀ ଉପକୃତ ହୋଇପାରିବେ।

ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଓଏସ୍ଇଏଫଡ଼ି ରାଜ୍ୟ ଆଇଟି ସେଲ ସଂଯୋଜକ ବିଶ୍ବବିଜୟୀ ଦାଶ, ଅଭିଜିତ୍ ଦାଶ, ଅଶାନ୍ତି ମହାରଣା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ପକ୍ଷରୁ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଇଏନଏସ ଚିଲିକା ପକ୍ଷରୁ ଏକ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ଟାଙ୍ଗୀ, ବାଣପୁର, ବାଲୁଗାଁ ଏବଂ ବ୍ରହ୍ମପୁର ଅଞ୍ଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ ଷ୍ଟେସନ ପରିସରରେ ଭବ୍ୟ ସ୍ୱାଗତ କରାଯିବା ସହ ପରବର୍ତ୍ତୀ ସମୟରେ ନାଭାଲ ଅଧିକାରୀଙ୍କ ସଙ୍ଗେ ସାମ୍ବାଦିକ ମାନେ ମା’ କାଳିଜାଇ ମନ୍ଦିର ଦର୍ଶନକୁ ଯାଇଥିଲେ। ଏହା ପରେ ଆଇଏନଏସ ଚିଲିକାର ଅଫିସର୍ସ ମେସରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ।

ଏହି ଅବସରରେ ଦୀର୍ଘ ଏକ ବର୍ଷ ମଧ୍ୟରେ ଆଇଏନଏସ ଚିଲିକା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ତେବେ ଆଇଏନଏସ ଚିଲିକାର ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିବାରୁ ବନ୍ଧୁ ମିଳନରେ ଯୋଗଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଇଏନଏସ ଚିଲିକା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହା ସହିତ ସ୍ଥାନୀୟ ଗଣମାଧ୍ୟମର ଭୂୟାଁସୀ ପ୍ରଶଂସା କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ। ଆଗକୁ ମଧ୍ୟ ଗଣମାଧ୍ୟମ ଓ ଆଇଏନଏସ ଚିଲିକାର ସମ୍ପର୍କ ଏହିପରି ଅତୁଟ ରହିବ ବୋଲି କହିଥିଲେ ଶ୍ରୀ ପ୍ରଦୀପ।

ପରିଶେଷରେ ସମସ୍ତ ସାମ୍ବାଦିକମାନେ କମାଣ୍ଡିଂ ଅଫିସରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କମାଣ୍ଡର ପରିଚୟ କାଲରା ପରିଚାଳନା କରିଥିବା ବେଳେ କ୍ୟାପଟେନ ବାସୁଦେବନ, କ୍ୟାପଟେନ ସଞ୍ଜୟ ତ୍ରିପାଠୀ, ଡେପୁଟି ପି.ଆର.ଓ ବିନୋଦ ଚନ୍ଦ୍ର ମିଶ୍ର, ଲିଉଟନାଣ୍ଟ କମାଣ୍ଡର ଅକ୍ଷୟ ସାହୁ, ସବ ଲିଉଟନାଣ୍ଟ ଜୁହି ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଟାଙ୍ଗୀ ନିଳାମ୍ବୁ ମହୋତ୍ସବ ୨୦୨୩: ୬ଷ୍ଠ ସଂନ୍ଧ୍ୟାରେ ଗୋଟିପୁଅ ଡ୍ୟାନ୍ସ ରେ ମତୁଆଲା ଦର୍ଶକ

ରଣପୁର/ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବଳରାମ ଦେବ ବିଦ୍ୟାପିଠ ଖେଳପଡିଆରେ ନିଳାମ୍ବୁ ମହୋତ୍ସବର ୬ଷ୍ଠ ସଂନ୍ଧ୍ୟା। ୬ଷ୍ଠ ସଂନ୍ଧ୍ୟାରେ ଟାଗିଂ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ ଅତିଥି ଭାବରେ ମଂଚରେ ଉପସ୍ଥିତ ଥିଲେ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ବରିଷ୍ଠ କବି ତଥା ଭୂବନେଶ୍ୱର ର ପୂର୍ବତନ ସାସଂଦ ଡଃ ପ୍ରସନ୍ନ ପାଟ୍ଟଶାଣୀ, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବିଶିଷ୍ଟ ସାହିତ୍ୟିକ ଶଶାଙ୍କ ଶେଖର ଚୁଡାମଣୀ, ଟାଗିଂ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିସ୍ମା ମାନଧାତା,ଟାଗିଂ ବିଡ଼ିଓ ଐଶ୍ୱର୍ଯ୍ୟା ସାମନ୍ତରାୟ,ସମାଜସେବୀ ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ରାଘବ ସେଠୀ, ଚାଷୀ ନେତା ଅକ୍ଷୟ କୁମାର, ଆନ୍ଧ୍ର ପ୍ରଦେଶର ପୂର୍ବତନ ମନ୍ତ୍ରୀ କିଶୋର ବାବୁ, ପ୍ରମୁଖ ଯୋଗ ଦେଇଥିବା ବେଳେ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ସାମ୍ବାଦିକ ସଂଘ ଟାଗିଂ ରେ ନିଳାମ୍ବୁ ମହୋତ୍ସବ ଭଳି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇପାରିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି। ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ସାମ୍ବାଦିକ ସଂଘର ସଂମ୍ପାଦକ ମନୋଜ ପଟ୍ଟନାୟକ, ସଂଘର ପ୍ରବକ୍ତା ସରୋଜ ପାଇକରାୟ, ସଂଘର ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ସଂଘର ସହ ସଂମ୍ପାଦକ ବିକ୍ରମ କେଶରୀ ସାହୁ ମଂଚରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ମଂଚରେ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତୋରିୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଅଂଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମଂଚ ଉପରେ ଅତିଥି ମାନେ ମାନପତ୍ର ଓ ଉତ୍ତୋରିୟ ଦେଇ ସମ୍ମାନିତ କରିଥିଲେ। ୬ଷ୍ଠ ସଂନ୍ଧ୍ୟାରେ ରଗାଂରଗଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅର୍କେଷ୍ଟ୍ରା ସଗିଂତ ସା ରେ ଗା ମା ପା ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଚାନ୍ଦପୁର କଳିଙ୍ଗ ଡ୍ୟାନ୍ସ ଗ୍ରୃପ ପକ୍ଷରୁ ନୃତ୍ୟ ପରିବେଷଣ,ଚାନ୍ଦପୁର ଏଜି ମିଶନ ଶିକ୍ଷାନୁଷ୍ଠାନ ପକ୍ଷରୁ ନୃତ୍ୟ, ମାଉଣ୍ଟ ଲିଟ୍ରା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ଚାନ୍ଦପୁର ବିଣାପାଣୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ଭୂବନେଶ୍ୱର ଆରଧନା ଡ୍ୟାନ୍ସ ଏକାଡେମୀ କଳାକାର ମାନଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ ବେଶ ଚିତାକର୍ଷକ ଥିଲା।

ଶିତୁଆ ସଂନ୍ଧ୍ୟାରେ ଦର୍ଶକ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ମନୋଭରି ଉପଭୋଗ କରି ବେଶ ମତୁଆଲା ହୋଇଥିଲେ। ୬ଷ୍ଠ ସଂନ୍ଧ୍ୟାରେ ସାମ୍ବାଦିକ ସଂଘର ଆଇନ ପରାମର୍ଶ ଦାତା ସନ୍ଦିପନି ମିଶ୍ର,ଉପ ସଭାପତି ମନୋଜ କୁମାର ନାଇଡୁ,କୋଷାଧ୍ୟକ୍ଷ ଲଛମନ ନାୟକ, ସାମ୍ବାଦିକ କମଳ ଲୋଚନ ପାଇକରାୟ, ରାକେଶ କୁମାର ଜଗଦେବ, ରଜନୀକାନ୍ତ ମିଶ୍ର, ରାକେଶ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ ବେହେରା, ଦୁର୍ଗା ପ୍ରସାଦ ଦାଶ, ଅନନ୍ତ କୁମାର ପ୍ରଧାନ, ଜୟନ୍ତ ସୁବୁଦ୍ଧି, ହିମାଂଶୁ ଭୂଷଣ ଚମ୍ପତିରାୟ, ବିଭୁତି ଭୁଷଣ ଦାଶ, ରାମଚନ୍ଦ୍ର ପରିଡା, ବାଲୁଙ୍କେଶ୍ୱର ବେହେରା, ଅଜୟ ସେଠୀ, ସୂର୍ଯ୍ୟକାନ୍ତ ସାହୁ, ପ୍ରଶାନ୍ତ କୁମାର ବେହେରା, ଚନ୍ଦ୍ରଶେଖର ଦାଶ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

ଟାଙ୍ଗୀ ମଦରଟେରେସା ଯୁବକ ସଂଘର ଯୁବକ ମାନେ ସହଯୋଗ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ସତ୍ୟନାରାୟଣ ମହାପାତ୍ର। ଶେଷରେ ସଂଘର ଉପଦେଷ୍ଟା ଶ୍ୟାମସୁନ୍ଦର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବ ପଡିଆରେ ଆକର୍ଷଣୀୟ ଦୋଳି, ମହୋତ୍ସବ ପଡିଆରେ ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲ ପଡିଥିବା ବେଳେ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ପସରା ମେଲିଥିଲା। ଦର୍ଶକ ମାନେ ମହୋତ୍ସବରେ ବୁଲାବୁଲି କରି ସାସ୍କୃତିକ କାର୍ଯ୍ୟକ୍ରମ କୁ ବେଶ ଉପଭୋଗ କରି ମତୁଆଲା ଥିଲେ। ସୁରକ୍ଷା ନିମନ୍ତେ ଟାଗିଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ନିଳାମ୍ବୁ ମହୋତ୍ସବ ୨୦୨୩ ଉଦଘାଟିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଳ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ଖେଳପଡିଆରେ ନିଳାମ୍ବୁ ମହୋତ୍ସବର ଉଦଘାଟିତ ହୋଇଯାଇଛି। ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଉଦଘାଟିତ ଦିବସରେ ମୂଖ୍ୟ ଅତିଥି ଭାବରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜୋତିନ୍ଦ୍ରନାଥ ମିତ୍ର, ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ମା ମାନଧାତା, ସମାଜସେବୀ ଡଃ ପ୍ରକାଶ ଶ୍ରୀଚନ୍ଦନ, ଟାଙ୍ଗୀ ବ୍ଲକ ସରପଞ୍ଚ କିଶୋର ବେହେରା, ଯୋଗ ଦେଇଥିବା ବେଳେ ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ମହୋତ୍ସବ କମିଟିର ଉପାଦେଷ୍ଟା ସଂଜୟ ପଟ୍ଟନାୟକ, ସାମ୍ବାଦିକ ସଂଘର ସଂମ୍ପାଦକ ମନୋଜ ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।

ମହୋତ୍ସବ ୮ତାରିଖରୁ ଆରମ୍ଭ ହୋଇ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ। ମହୋତ୍ସବ ପଡିଆରେ ଆକର୍ଷଣୀୟ ଦୋଳି, ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲ ପଡିଥିବା ବେଳେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କେତେକ ଷ୍ଟଲ ପକାଇଛନ୍ତି।

ଉଦଘାଟିତ ଦିବସରେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସମ୍ବଲପୁରର ଲହରଗାଂଟ୍ରାଇଭାଲ ଆର୍ଟ ଆଣ୍ଡ କଲଚରର କଳାକାର ମାନେ ସେମାନଙ୍କ ନୃତ୍ୟ ପରିବେଷଣ ବେଶ ମନୋ ମୁଗ୍ଧକର ଥିଲା। ଦର୍ଶନ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରିଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍ ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା କୁହାଯାଉଛି। ପଟିଆ ଗ୍ରାମର ବୈରାଗୀ ପ୍ରଧାନ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ତାଙ୍କର ନଗଦ ୩୦ ହଜାର ଟଙ୍କା, କାନ ଫୁଲ, ରୁପା ପାଉଁଜି, ଧାନ ବସ୍ତା ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି। ଖବର ପାଇ ଟାଙ୍ଗୀ ଅଗ୍ମିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି। ଅଗ୍ନିଶମ ଅଧିକାରୀ ବିଶି କେଶନ ଦାସ ସଦଳ ବଳେ ନିଆଁକୁ ଆୟତ କରିଛନ୍ତି।
..

Categories
ଆଞ୍ଚଳିକ

ଟାଙ୍ଗୀ: ପ୍ରତିଶ୍ରୁତି ପୂରଣ କଲେ ପୁରାତନ ବିଦ୍ୟାର୍ଥୀ, ମେଧାବୀ ଛାତ୍ରଙ୍କୁ ମିଳିଲା ସମ୍ମାନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି। ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାର ବିକାଶ ନିମନ୍ତେ ମୋ ବିଦ୍ୟାଳୟ ଠାରୁ ଆରମ୍ଭ କରି ଫାଇଭ-ଟି ଅନ୍ତର୍ଗତ ସ୍ମାର୍ଟ ବିଦ୍ୟାଳୟ ଦ୍ଵାରା ରାଜ୍ୟ ସରକାର ଅନେକ ପଦକ୍ଷେପ ହାତ ମୁଠାକୁ ନେଇଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମିବା ଓ ବେସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ବଢିବାକୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ତେଣୁ ସେଥିପାଇଁ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି।

କିନ୍ତୁ ଏହା ଭିତରେ ସରକାରୀ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବା କିଛି ପୁରାତନ ଛାତ୍ରଛାତ୍ରୀମାନେ ଏକ ଅଭିନବ ପ୍ରୟାସ ହାତକୁ ନେଇଛନ୍ତି। ନିଜ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଏବଂ ସେହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରି ପ୍ରତିଯୋଗୀତା ମନୋଭାବ ବୃଦ୍ଧି ପାଇବ, ତାହା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠ ୧୯୯୭ ବ୍ୟାଚର ଛାତ୍ରଛାତ୍ରୀମାନେ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଖବର ମୁତାବକ ଆଜି ଉକ୍ତ ବିଦ୍ୟାଳୟର ୧୯୯୭ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ଉକ୍ତ ବିଦ୍ୟାଳୟର ଛାତ୍ର ତଥା ନୃସିଂହନାଥ ସାବତଙ୍କ ସୁପୁତ୍ର ଧର୍ମ ରଞ୍ଜନ ସାବତଙ୍କୁ ୯ ହଜାର ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଧର୍ମ ରଞ୍ଜନ ୨୦୨୧-୨୨ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ସର୍ବାଧିକ ୫୬୭ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଧର୍ମ ରଞ୍ଜନଙ୍କୁ ଏହି ରାଶି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟର ୧୯୭୮ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ର ପୁରାତନ ଛାତ୍ର ରମେଶ କୁମାର ବଳବନ୍ତରାୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।

ଏତଦ୍ ବ୍ୟତୀତ, ଉକ୍ତ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଶାର ପ୍ରଥମ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ଛାତ୍ର ବା ଛାତ୍ରୀଙ୍କୁ ଅନ୍ୟୁନ ୭ ହଜାର ଟଙ୍କା, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ଛାତ୍ର ବା ଛାତ୍ରୀଙ୍କୁ ଅନ୍ୟୁନ ୧୦ ହଜାର ଟଙ୍କା ଏବଂ ଓଡ଼ିଶାରେ ପ୍ରଥମସ୍ଥାନ ହାସଲ କରି ପାରିଲେ ସେ ଛାତ୍ର ବା ଛାତ୍ରୀଙ୍କୁ ଅନ୍ୟୁନ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବାକୁ ବ୍ୟାଚ୍ ତରଫରୁ ଘୋଷଣା କରାଯାଇଛି। ଆହୁରି ମଧ୍ୟ ବିଦ୍ୟାଳୟର ସୃଜନଶୀଳ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେମାନଙ୍କ ପାଇଁ ବିଭିନ୍ନ ପୁରସ୍କାର ସହିତ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ଯଥା ସମ୍ଭବ ସହାୟତା କରିବାର ଘୋଷଣା କରାଯାଇଛି।

ଉଲ୍ଲେଖ ଥାଉ କି ଗତ ମାସ ୪ ତାରିଖରେ ୧୯୯୭ ବ୍ୟାଚ୍ ର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ୟାଚ୍ ତରଫରୁ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାରେ ଉତ୍ସାହିତ କରିବା ପାଇଁ ଏଭଳି ପ୍ରୋତ୍ସାହନ ରାଶିର ଘୋଷଣା କରାଯାଇଥିଲା। ତେଣୁ ୧୯୯୭ ବ୍ୟାଚ୍ ଦ୍ଵାରା ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଜି ରକ୍ଷା କରାଯାଇଛି।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱଜିତ୍ ପଲେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ, ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀମାନେ, ୧୯୯୭ ବ୍ୟାଚ୍ ତରଫରୁ ଜାନକୀ ବଲ୍ଲଭ ମହାପାତ୍ର, ଭାଗବାନ ସାହୁ, ଲକ୍ଷ୍ମୀକାନ୍ତ ପାତ୍ର, ଶରତ ମହନ୍ତ, ରମେଶ ବେହେରା, ୧୯୭୮ ବ୍ୟାଚର ପୁରାତନ ଛାତ୍ର ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ମଙ୍ଗଳାଯୋଡି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ଗସ୍ତରେ ଆସି ଆଜି ସକାଳୁ ସକାଳୁ ମଙ୍ଗଳାଯୋଡି ଜେଟିରେ ପହଂଚିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।  ମଙ୍ଗଳାଯୋଡି ଜେଟିରେ ପହଂଚିବା ପରେ କାତ ମରା ଡଙ୍ଗାରେ ଯାଇ ଶ୍ରୀ ମହାପାତ୍ର ପକ୍ଷୀ ଅଭୟାରଣ୍ୟ ବୁଲି ଦେଖିଥିଲେ। ବିଭିନ୍ନ ଜାତିର ପକ୍ଷୀମାନଙ୍କୁ ଅତି ନିକଟରୁ ଦେଖିଥିଲେ ଶ୍ରୀ ମହାପାତ୍ର।

ଏହା ପରେ ମୁଖ୍ୟ ଶାସନ ସଚିବ ଭିତ୍ତିଭୁମିର ସମୀକ୍ଷା କରିଥିଲେ। ଶୀତ ଦିନେ ପକ୍ଷୀ ଦେଖିବା ପାଇଁ ମଙ୍ଗଳା ଯୋଡିକୁ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗର ସମୀକ୍ଷା କରିଥିଲେ।

ମଙ୍ଗଳାଯୋଡି ଲେବଲ୍ କ୍ରସିଂ ଠାରୁ ଜେଟି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଉନ୍ନତି କରିବା, ଜେଟି ଠାରେ ପର୍ଯ୍ୟଟକମାନଙ୍କ ଗାଡି ପାର୍କିଂ ବ୍ୟବସ୍ଥାକୁ ଉନ୍ନତ କରିବା, ପରିବେଶକୁ ସ୍ବଚ୍ଛ କରିବା ପାଇଁ ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଏହା ସହ ମଙ୍ଗଳା ଯୋଡିର କିଭଳି ଅଧିକରୁ ଅଧିକ ଉନ୍ନତି ହୋଇ ପାରିବ ସେ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ୍ଥାନୀୟ ଗାଇଡ୍, ପକ୍ଷୀ ସୁରକ୍ଷା ସଂଗଠନ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।

ମୁଖ୍ୟ ଶାସନ ସଚିବଙ୍କ ସହ ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବାଲୁଗାଁ ବନ୍ୟ ପ୍ରାଣୀ ଡ଼ିଏଫଓ ରାମସ୍ୱାମୀ, ଏ ସି ଏଫ ପ୍ରଶାନ୍ତ କୁମାର ପଣ୍ଡା, ଟାଙ୍ଗୀ ତହସିଲଦାର ଜନ୍ମେଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବଳରାମଦେବ ବିଦ୍ୟାପୀଠର ପୁରାତନ ବିଦ୍ୟାର୍ଥୀଙ୍କ ବଡ ଘୋଷଣା, ମେଧାବୀ ଛାତ୍ରଛାତ୍ରୀଙ୍କୁ ଯୋଗାଇବେ ସହାୟତା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠର ୧୯୯୭ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି। ୨୫ ବର୍ଷ ପୂର୍ତ୍ତି ଅବସରରେ ଉକ୍ତ ଉତ୍ସବ ଗତ ୪ ତାରିଖ ରବିବାର ଦିନ ଟାଙ୍ଗୀସ୍ଥିତ ବଳଭଦ୍ର କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ଗତ ଶିକ୍ଷାବର୍ଷରେ ବଳରାମଦେବ ବିଦ୍ୟାପୀଠରୁ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଷଷ୍ଠ ଶ୍ରେଣୀର ତୃଷ୍ଣା ଦାସ, ସପ୍ତମ ଶ୍ରେଣୀର ରାଜେଶ ମହାପାତ୍ର, ଅଷ୍ଟମ ଶ୍ରେଣୀର ସୌମ୍ୟ ପ୍ରକାଶ ମହାପାତ୍ର, ନବମ ଶ୍ରେଣୀର ଶୁଭମ୍ ସ୍ୱରୁପ ପାତ୍ର ଓ ଦଶମ ଶ୍ରେଣୀର ଧର୍ମ ରଞ୍ଜନ ସାବତଙ୍କୁ ୧୯୯୭ ବ୍ୟାଚ ତରଫରୁ ଶିକ୍ଷକମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ତେବେ ବନ୍ଧୁ ମିଳନ ଅବସରରେ ୧୯୯୭ ବ୍ୟାଚର ବିଦ୍ୟାର୍ଥୀ ଏକ ବଡ ଘୋଷଣା କରିଛନ୍ତି। ପ୍ରତିବର୍ଷ ୧୯୯୭ ବ୍ୟାଚ ପକ୍ଷରୁ ବାଳରାମଦେବ ବିଦ୍ୟାପୀଠର ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଯେଉଁଥିରେ ଜାନକୀ ବଲ୍ଲଭ ମହାପାତ୍ରଙ୍କ ଅନ୍ୟୁନ ୫୦୦୦ (ପାଞ୍ଚ ହଜାର) ଟଙ୍କା ସହିତ ୧୯୯୭ ବ୍ୟାଚର ଅନ୍ୟ ବିଦ୍ୟାର୍ଥୀମାନଙ୍କ ସହଯୋଗ ରହିବ। ଏହା ସହିତ ୧୯୯୭ ବ୍ୟାଚ ପକ୍ଷରୁ ଆହୁରି ଏକ ବଡ ଘୋଷଣା କରିଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆର୍ଥିକ ରୂପେ ଦୁର୍ବଳ ଥିବା ମେଧାବୀ ଛାତ୍ର ବା ଛାତ୍ରୀଙ୍କୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପାଇଁ ସମସ୍ତ ସହାୟତା ଯୋଗାଇଦେବେ ବୋଲି ଘୋଷଣା କରାଯାଇଛି। ସେହିଭଳି ବ୍ୟାଚ ତରଫରୁ ଶଶାଙ୍କ ଶେଖର ସାହୁ ବିଦ୍ୟାଳୟକୁ ଦୁଇଟି କମ୍ପ୍ୟୁଟର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ୧୯୯୭ ବ୍ୟାଚର ଏଭଳି ପ୍ରୟାସକୁ ଦେଖି ବୁଦ୍ଧିଜୀବି ମହଲରୁ ପ୍ରଶଂସାର ଶୁଅ ଛୁଟିଛି। ଏଭଳି ଉଦ୍ୟମ ଯୋଗୁଁ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେବା ସହିତ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଏହି ଉତ୍ସବରେ ବଳରାମଦେବ ବିଦ୍ୟାପୀଠର ପୂର୍ବତନ ଶିକ୍ଷକ ନିତ୍ୟାନନ୍ଦ ସୁବୁଦ୍ଧି, ଶଙ୍କର ଜେନା, କୃଷ୍ଣଚନ୍ଦ୍ର ବେହେରା, ସୀତାଂଶୁ ଭୂଷଣ ଚକ୍ରବର୍ତ୍ତୀ, ମହେଶ୍ୱର ପ୍ରଧାନ ଓ ଶିକ୍ଷୟତ୍ରୀ ପ୍ରମିଳା ଦେଇ, ବାସନ୍ତୀ ମଲ୍ଲିକ ଓ ଶର୍ମିଳା ବେହେରା, ତତ୍କାଳୀନ ପ୍ରଧାନ ଶିକ୍ଷକ ବୁଦ୍ଧିମାନ ପ୍ରଧାନ ଓ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଶ୍ୱଜିତ ପଲାଇ ପ୍ରମୁଖଙ୍କ ସମେତ ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ମନୋଜ ପଟ୍ଟନାୟକ ଯୋଗ ଦେଇ ଇହଲୀଳା ସମ୍ବରଣ କରିଥିବା ପୂର୍ବତନ ଶିକ୍ଷକ ପଦ୍ମଚରଣ ଦାସ, ସୁବାଷଚନ୍ଦ୍ର ମହାପାତ୍ର, ବିଭୁପ୍ରସାଦ ଶତ୍ରୁଶଲ୍ୟ ଓ ବ୍ୟାଚ୍ ର ଅନ୍ୟତମ ଛାତ୍ର ଅଜିତ୍ କୁମାର ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହିତ ଵ୍ୟାଚ ତରଫରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହିତ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ତେବେ ଉକ୍ତ ଉତ୍ସବ ଲକ୍ଷ୍ମୀକାନ୍ତ ପାତ୍ର, ଭଗବାନ ସାହୁ, ରାମଚନ୍ଦ୍ର ବେହେରା, କେଶବ ଚନ୍ଦ୍ର ସାହୁ, ଜାନକୀ ବଲ୍ଲଭ ମହାପାତ୍ର, ତପନ କୁମାର ରାଉତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ଅଶୋକ ମହାପାତ୍ର, ଅଜିତ କୁମାର ପୃଷ୍ଟି, ଅଜିତ କୁମାର ମହାପାତ୍ର ଓ ପ୍ରକାଶ କୁମାର ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ପରିଚାଳିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ଦୀକ୍ଷିତପଡା ଛକରେ ଭୟାବହ ବାଇକ୍ ଦୁର୍ଘଟଣା ଘଟି ଦମ୍ପତି ମୃତ। ମୃତ ଦମ୍ପତି ହେଲେ ହୁଲ୍ଲାସ ଚନ୍ଦ୍ର ସାହୁ (୫୩) ଓ ମମତା ସାହୁ (୫୦)। ଟାଙ୍ଗୀ ଥାନା ସୋରଣ ପଞ୍ଚାୟତ ବଡଡିହ ଗ୍ରାମରେ ମୃତକଙ୍କ ଘର।

ଦମ୍ପତି ବାଇକ୍ ରେ ବାଲୁଗାଁରୁ ଟାଙ୍ଗୀ ଆସୁଥିବା ବେଳେ ଦୀକ୍ଷିତ ପଡା ଛକରେ ଦୁର୍ଘଟଣା ହୋଇଛି। ବିଦ୍ୟୁତ୍ ଖୁଣ୍ଟ ବୋଝେଇ ଏକ ଟ୍ରକ୍ ଦକ୍ଷିଣରୁ ଅପର ପାର୍ଶ୍ୱକୁ ଅତିକ୍ରମ କରୁଥିବା ବେଳେ ବାଇକ୍ ଟି ଟ୍ରକ୍ ପଛ ଭାଗରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ମାଡ ହୋଇଥିଲା। ଫଳରେ ପତି ପତ୍ନୀ ଉଭୟ ଗୁରୁତର ହୋଇ ପଡିଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କୁହୁଡି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରି ନିଜ ଗାଡିରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ପରିକ୍ଷା ନୀରିକ୍ଷା ପରେ ଦମ୍ପତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଟାଙ୍ଗୀ ଥାନା ପୋଲିସ୍ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ହୁଲ୍ଲାସ ଚନ୍ଦ୍ର ପେଷାରେ ଘରୋଇ ଫାର୍ମାଶିଷ୍ଟ ବୋଲି ଜଣା ପଡିଛି।

Categories
ଆଞ୍ଚଳିକ

ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ପଥର ବୋଝେଇ ଟ୍ରକ, ଯାତାୟାତ ବାଧାପ୍ରାପ୍ତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ କୟଥ ପଲା ଛକ ନିଜଟରେ ଭାରସାମ୍ୟ ହରାଇ ଓଲଟିଲା ପଥର ବୋଝେଇ ୪୦୭ ଟ୍ରକ। ଅଳ୍ପକେ ବର୍ତ୍ତିଲେ ଚାଳକ। ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ବେଳେ ରାସ୍ତାରେ ଗାଡି ଚଳା ଚଳ ବନ୍ଦ ରହିଛି।

ରାସ୍ତାର ଉଭୟ ପଟରେ ଲମ୍ବି ରହିଛି ଶହ ଶହ ଗାଡି। ପଥର ବୋଝେଇ ୪୦୭ ଟି ଟାଙ୍ଗୀରୁ ବାଲୁଗାଁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ କ୍ଳିଅର କରୁଥିବା ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ଲୋମହର୍ଷଣକାରୀ ଘଟଣା: ୬ ବର୍ଷର ଶିଶୁ ପୁତ୍ରକୁ ଦୁଷ୍କର୍ମ କଲା ନାବାଳକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବିସ୍କୁଟ୍ ଖାଇବାର ଲୋଭ ଦେଖାଇ ୬ ବର୍ଷର ଶିଶୁ ପୁତ୍ରକୁ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ୬ ବର୍ଷର ଶିଶୁ ପୁତ୍ର ଗୁରୁତର ହୋଇପଡିଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି।

ଅଭିଯୋଗ ମୁତାବକ ଗତକାଲି ଅପରାହ୍ନରେ ଟାଙ୍ଗୀ ଥାନା ଅଞ୍ଚଳର ଜଣେ ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଲୋଭ ଦେଖାଇ ଜଣେ ୧୭ ବର୍ଷର ନାବାଳକ ତାଙ୍କ ଘରକୁ ଡାକି ନେଇଥିଲେ। ବିସ୍କୁଟ୍ ଖାଇବାକୁ ଦେବା ପରେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖାଇ ନାବାଳକ ଜଣକ ଶିଶୁ ପୁତ୍ରକୁ ଦୁଷ୍କର୍ମ କରିଥିଲେ। ଫଳରେ ଯନ୍ତ୍ରଣାରେ ଛଟ ପଟ ହେବା ସହ ଚିତ୍କାର କରିବାରୁ ନାବାଳକ ଜଣଙ୍କ ଭୟରେ ଛାଡି ଦେଇପଳାଇଯାଇଥିଲା।

ଶିଶୁ ପୁତ୍ରର ମଳ ଦ୍ୱାରରୁ ରକ୍ତସ୍ରାବ ପରେ ଘର ଲୋକେ ଘଟଣା ସଂପର୍କରେ ପଚାରିଥିଲେ।  ଶିଶୁ ପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁପୁତ୍ରର ଚିକିତ୍ସା ଗତ କାଲି ବିଳମ୍ବିତ ରାତିରେ କରାଯାଇଛି। ତେବେ ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଲୟକୁ ଆଜି ପଠାଯିବ ବୋଲି ଜଣା ପଡିଛି।

ପରିବାର ଲୋକେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପାଞ୍ଚ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ଅବକାରୀ ବିଭାଗ, ୨ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଜଙ୍କିଆ ଥାନା ଛଣଗିରି ଗ୍ରାମରେ ଚଢ଼ାଉ କରି ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି।

ସୂଚନା ମୁତାବକ ଛଣଗିରୀ ଗ୍ରାମ ପଂଚାୟତର ତାରିଣୀ ଛକରେ ଆଜି ଚଢାଉ କରି ଦୁଇ ଜଣ ଧଳା ଜହର ବେପାରୀଙ୍କୁ ଗିରଫ କରିଛି ଟାଙ୍ଗୀ ଅବକାରୀ ବିଭାଗ। ଗିରଫ ଦୁଇ ବେପାରୀଙ୍କ ନିକଟରୁ ୫୦ ଗ୍ରାମ ଧଳା ଜହର ଜବତ ହୋଇଛି ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା।

ଗିରଫ ଧଳା ଜହର ବେପାରୀ ଦ୍ୱୟ ହେଲେ ଛଣଗିରି ପାଟଣା ସାହିର ପ୍ରଶାନ୍ତ କୁମାର ସାହୁ ଓ ଅରୁଣ କୁମାର ବେହେରା। ପ୍ରଶାନ୍ତ ସାହୁଙ୍କ ନିକଟରୁ ୩୫ ଗ୍ରାମ୍ ଧଳା ଜହର ଜବତ ହୋଇଥିବା ବେଳେ ଅରୁଣ ବେହେରାଙ୍କ ଠାରୁ ୧୫ ଗ୍ରାମ ଧଳା ଜହର ଜବତ କରାଯାଇଛି।

ଟାଙ୍ଗୀ ରେଞ୍ଜ ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ ହୋଇଥିବା ବେଳେ ଏଥିରେ ଅବକାରୀ ଏସ୍ ଆଇ ସୁନିତା ଦଳେଇ,ଏ ଏସ୍ ଆଇ ବିଶ୍ୱମ୍ବର ବିଶ୍ୱାଳ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ। ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ବିରୁଦ୍ଧରେ ଏନଡ଼ିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

Categories
ଆଞ୍ଚଳିକ

ଚିଲିକାରୁ ୨ ମୃତ ପକ୍ଷୀ ଜବତ, ଶିକାରୀ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବର୍ତ୍ତମାନ ଶୀତ ଋତୁ ଉପଲକ୍ଷେ ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ଚିଲିକାକୁ ଆଗମନ ହେଉଥିବାର ଦେଖିବାକୁ ମିଳିଛି। ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ ମଧ୍ୟ ଜାରି ରଖିଛି। ତେବେ ଆଜି ପକ୍ଷୀ ଶୀକାର କରିବା ବେଳେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଜଣେ ଶୀକାରୀ ଧରାପଡ଼ି ଗିରଫ ହୋଇଛନ୍ତି।

ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ବାଲିପାଟପୁର ରିଙ୍ଗ ବନ୍ଧ ନିକଟରୁ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ। ଶୀକାରୀଙ୍କ ନିକଟରୁ ଦୁଇ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି। ଗିରଫ ଶୀକାରୀ ଜଣକ ହେଲେ ଟାଙ୍ଗୀ ଥାନା ଭୁଶୁଣ୍ଡପୁର ଗେଡେଇସ୍ୱାଇଁପାଟଣା ଅଞ୍ଚଳର ଦିବାକର ସାହୁ (୪୦)।

ଗିରଫ ଶୀକାରିଙ୍କ ବିରୋଧରେ ପିଆର ନମ୍ବର ୧୦ଟି/୨୨-୨୩ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଟାଙ୍ଗୀ ରେଂଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ନିର୍ଯ୍ୟାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା, ସ୍ୱାମୀ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସ୍ୱାମୀର ନିର୍ଯ୍ୟାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ। ନିର୍ଯ୍ୟାତନା ଦେବା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ଶବ ଜବତ କରି ପୋଲିସ୍ ତଦନ୍ତ କରୁଛି।

ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ବଡପାରୀ ପଥର ଚକଡା ସାହିର। ଅଭିଯୋଗ ମୁତାବକ ପ୍ରଶାନ୍ତ ଧଳ (୫୫) ନିଜ ପତ୍ନୀ ଜୟନ୍ତୀ ଧଳ (୫୦)ଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଗତ କାଲି ସ୍ୱାମୀ ଓ ପତ୍ନୀଙ୍କ ମଧ୍ୟ୍ୟରେ ଝଗଡା ଚରମ ସୀମାରେ ପହଂଚିଥିଲା। ସ୍ୱାମୀ ପ୍ରଶାନ୍ତ ଧଳ ନିଜର ଏକ ମାତ୍ର ଝିଅକୁ ଧରି ନୟାଗଡ କୌଣସି କାର୍ଯ୍ୟରେ ଯାଇଥିଲେ।

ସ୍ୱାମୀ ଘରେ ନଥିବା ବେଳେ ପତ୍ନୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ମହିଳାଙ୍କ ବାପ ଘର ଲୋଜେ ଥାନାରେ ଅଭିଯୋଗ କରିଵା ପରେ ପୋଲିସ୍ ତଦନ୍ତ କରି ସ୍ୱାମୀ ପ୍ରଶାନ୍ତଙ୍କୁ ଗିରଫ କରିଛି ଏବଂ ଶବ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପୋଖରୀରେ ବୁଡି ଯୁବକ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଯୁବକଙ୍କ ନାମ କୃଷ୍ଣ ଚନ୍ଦ୍ର ପ୍ରଧାନ (୨୭ ବର୍ଷ) ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମହୁଝର ଗ୍ରାମରେ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୌଚ ହେବା ଲାଗି କୃଷ୍ଣଚନ୍ଦ୍ର ଗାଁ ପୋଖରୀକୁ ଯାଇଥିଲେ। ହେଲେ ସେଠାରେ ତାଙ୍କର ଗୋଡ ଖସି ଯିବାରୁ ଗଭୀର ଜଳରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମେଡିକାଲରେ ପୋଲିସ୍ ପହଂଚି ଶବ ଜବତ କରିବା ସହ କେସ ନଂ ୩୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି। ଏନେଇ ଟାଙ୍ଗୀ ଥାନା ଅଧିକାରୀ ଦିଗବିଜୟ ବିଶ୍ଵାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଗୁଣିଆକୁ ଭରସା କରି ଚାଲିଗଲା ଜୀବନ, ସାପ କାମୁଡାରେ ଚାଷୀଙ୍କ ପ୍ରାଣହାନୀ, ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଟାଙ୍ଗୀ ଓ ଏହାର ଆଖ ପାଖ ଅଂଚଳରେ ଦିନକୁ ଦିନ ସାପ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ବିଷାକ୍ତ ସାପ କାମୁଡାରେ ଅନେକ ଜୀବନ ଅକାଳରେ ଝଡି ପଡୁଛନ୍ତି। ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରଚାର ପ୍ରସାର ସତ୍ତ୍ୱେ ଲୋକେ ଏବେ ବି ସାପ କାମୁଡିବା ପରେ ମେଡିକାଲକୁ ନଯାଇ ଗାଁ ଗୁଣିଆ ଉପରେ ନିର୍ଭର କରୁଥିବାରୁ ଲୋକଙ୍କ ଜୀବନ ଚାଲିଯାଉଛି। ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ବଉଳା ବନ୍ଧ ଗ୍ରାମ ପଂଚାୟତ ମଙ୍ଗରାଜ ପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ମଙ୍ଗରାଜ ପୁର ଗ୍ରାମର ଚଇନି ମହାରଣା (୪୫) ପ୍ରତିଦିନ ନିଜ ଚାଷ କ୍ଷେତକୁ ଚାଷ କାମ ପାଇଁ ଯାଇଥାନ୍ତି। ଗତ ସୋମବାର ଦିନ ଚଇନି ମହାରଣା ନିଜ ଚାଷ କ୍ଷେତରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ ଚଇନିଙ୍କ ଗୋଡକୁ କାମୁଡି ଦେଇଥିଲା। ତେବେ ସ୍ଥାନୀୟ ଲୋକେ ଚଇନିଙ୍କୁ ତୁରନ୍ତ ମେଡିକାଲ ନେବା ପରିବର୍ତ୍ତେ ଗାଁ ଗୁଣିଆ ନିକଟରେ ସାପ ବିଷ କାଢିବା ପାଇଁ ଝଡା ଫୁଙ୍କା କରିବା ପରେ ଘରକୁ ପଳାଇଥିଲେ। ହେଲେ ସାପ କାମୁଡିବା ଯୋଗୁଁ ବିଷ କ୍ରିୟା ବେଳକୁ ବେଳ ଅଧିକ ହେବାରୁ ତାର ପରିବାର ଚଇନିଙ୍କୁ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ହେଲେ ସାପ କାମୁଡିବାର ବହୁ ଘଣ୍ଟା ପରେ ମେଡିକାଲକୁ ଆଣିଥିବାରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିଲା। ତେଣୁ ଡାକ୍ତର ଚଇନିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ। ଟାଙ୍ଗୀ ମେଡିକାଲରୁ ମାତ୍ର କିଛି ବାଟ ଯିବା ପରେ ଘରୋଇ ଆମ୍ବୁଲାନସ ଭିତରେ ଚଇନିଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା।

ତେଣୁ ତାଙ୍କୁ ଭୁବନେଶ୍ୱର ନ ନେଇ ପୁଣି ଟାଙ୍ଗୀ ମେଡିକାଲ ନେଇ ଆସିଥିଲେ। ଖବର ପାଇ ଟାଙ୍ଗୀ ପୋଲିସ୍ ମେଡିକାଲରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସେହିଭଳି ଭାବେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ନୂଆପଡା ଗ୍ରାମର ହୁଲାସ ନାୟକ (୪୦) ନାମକ ଜଣେ ମହିଳା ଛେଳି ଚରାଇ ଯାଇଥିବା ବେଳେ ଏକ ବିଷଧର ସାପ କାମୁଡିବାରୁ ସେ ମଧ୍ୟ ମେଡିକାଲକୁ ନ ଆସି ଗୁଣିଆ ନିକଟକୁ ଯାଇ ଝଡା ଫୁଙ୍କା କରିଥିଲେ। ତେବେ ସେ ମହିଳା ଜଣକ ସୁସ୍ଥ ହେବା ପରିବର୍ତ୍ତେ ଗୁରୁତର ହେବାରୁ ପରିବାର ଲୋକେ ଟାଙ୍ଗୀ ମେଡିକାଲକୁ ଆଣିଥିଲେ। ତେବେ ମହିଳାଙ୍କର ବିଷକ୍ରିୟା ଯୋଗୁଁ ସେ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ମହାଳୟାରେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମହାଳୟାରେ ଅଘଟଣ। ପିତ୍ରୁ ପୁରୁଷଙ୍କୁ ଘରେ ଶ୍ରାଦ୍ଧ ଦେବା ପାଇଁ ଚାଲିଥିଲା ପ୍ରସ୍ତୁତି।  ଏହି ସମୟରେ ଟେବୁଲ ଫ୍ୟାନ ଲଗାଇବା ବେଳେ ବିଦ୍ୟୁତ୍ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ। ଘଟଣା ଘଟିଛି ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ବଡ଼ପୋଖରିଆ ପଂଚାୟତ ବୋଡଙ୍ଗରା ଗ୍ରାମରେ। ମୃତ ମହିଳାଙ୍କ ନାମ ରୀତା ମହାପାତ୍ର (୩୧)।

ରୀତା ଶ୍ରାଦ୍ଧ ଦେବା ପାଇଁ ଘରେ ପାଣି ଢାଳି ଧୁଆ ଧୋଈ କରୁଥିଲେ। ଏହି ସମୟରେ ଘର ଶୁଖାଇବା ପାଇଁ ଟେବୁଲ୍ ଫ୍ୟାନ୍ ଲଗାଇବା ବେଳେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ରୀତା ଗୁରୁତର ଭାବେ ଆହତ ହୋଇଥିଲେ।

ପରିଵାର ଲୋକେ ରୀତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ନେଇ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତ ରୀତାଙ୍କର ଛୋଟ ଛୋଟ ୩ ଟି କନ୍ୟା ଅଛନ୍ତି। ଏଭଳି ମୃତ୍ୟୁ ଯୋଗୁଁ ପରିବାରରେ ଶୋକର ଛାୟା ଖେଳି ଯାଇଛି।

ଖବର ପାଇ ନିରାକାରପୁର ପୋଲିସ୍ ମେଡିକାଲରେ ପହଂଚି ଶବ ଜବତ କରିବା ସହ କେସ ନମ୍ବର ୧୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ବୋଲି ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।