ଟାଙ୍ଗୀ: ତିନି ମୃତ ବିଦେଶୀ ପକ୍ଷୀ ସହ ଦୁଇ ଶିକାରୀ ଗିରଫ

Published: Mar 20, 2023, 4:58 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନସ୍ଥ ଚକଟିପୁର ରେଳବାଇ ଗେଟ ନିକଟରୁ ଦୁଇ ପକ୍ଷୀ ଶିକାରୀଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି। ଏ ନେଇ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।

ଖବର ମୁତାବକ ଆଜି ସକାଳୁ ଉକ୍ତ ରେଳବାଇ ଗେଟ ନିକଟରେ ଦୁଇ ପକ୍ଷୀ ଶିକାରୀ ଏକ ବାଇକ ଯୋଗେ ମୃତ ପକ୍ଷୀ ନେଇ ଯାଉଥିବା ବେଳେ ବନ୍ୟପ୍ରାଣୀ ବିଭାଗ ହାତରେ ଧରା ପଡ଼ିଥିଲେ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଟାଙ୍ଗୀ ହାଟବରଡ଼ି ଅଞ୍ଚଳର ସୁବାସ ଚନ୍ଦ୍ର ବେହେରା (୪୯) ଏବଂ ଝାରଖଣ୍ଡର ଜୟକୃଷ୍ଣ ସିଂ (୩୬)।

ସେମାନଙ୍କ ନିକଟରୁ ତିନି ଗୋଟି ମୃତ ବିଦେଶୀ ପକ୍ଷୀ, ଦୁଇ ଗୋଟି ମୋବାଇଲ ଏବଂ ଗୋଟିଏ ବାଇକ ଜବତ ହୋଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Related posts