ବାଣପୁରରେ ଅବକାରୀ ବିଭାଗର ଚଢାଉ: ୪ ଅଭିଯୁକ୍ତ ଗିରଫ

Published: Jul 13, 2023, 7:40 pm IST

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ ଜାରି ରଖିଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଟାଙ୍ଗୀ ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଓ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏସଆଇ ରଜନୀ ମିଞ୍ଜ, ନୀଳାଦ୍ରି ବିହାରୀ ମିଶ୍ର ଓ ଟିମ ଉକ୍ତ ଚଢ଼ାଉ ରେ ସାମିଲ ଥିଲେ। ଚଢ଼ାଉରେ ସମୁଦାୟ ୧୦୦୦ ଲିଟର ପୋଚ ଏବଂ ୪୧୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଟାଙ୍ଗୀକୁ ମିଶାଇ ସମୁଦାୟ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ୫ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Related posts