Categories
ଆଜିର ଖବର ରାଜ୍ୟ ଖବର

ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ADG ଙ୍କ ସହ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ବୈଠକ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ADG ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯୟ ସମୟରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା। ଏହା ସହ ଆଗାମୀ ଦିନରେ ଉପକୂଳ ସୁରକ୍ଷା ନିମନ୍ତେ ଉଭୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା।

ଏହା ସହ ଉପକୂଳ ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ, ଆକାଶ ମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳକୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଭଳି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହ ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡିଶା ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ମଧ୍ୟ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଛି।

ଆଗାମୀ ଦିନରେ ତଟ ସୁରକ୍ଷା ଏବଂ ଓଡିଶା ପୋଲିସର ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ବୋର୍ଡ଼ ଗଠନ କରାଯିବ। ଏହି ଦୁଇ ବିଭାଗର ଅଧିକାରୀମାନେ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ତନ୍ନ ତନ୍ନ କରି ଯାଞ୍ଚ କରିବେ ଏବଂ ସେମାନଙ୍କ ରିପୋର୍ଟ ଅନୁଯାୟୀ ମେରାଇନ ଥାନା ଗୁଡିକୁ ବୋଟ ଯୋଗାଇଦିଆଯିବ ବୋଲି ଡିଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହା ସହ ତଟ ସୁରକ୍ଷା ବାହିନୀ ଏବଂ ଭାରତୀୟ ନୌ ବାହିନୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଯବାନମାନଙ୍କୁ ଆଗାମୀ ଦିନରେ ମେରାଇନ ଥାନା ଗୁଡିକରେ ନିଯୁକ୍ତି ଦିଆଯିବ।

ଓଡିଶା ପୋଲିସ ଏବଂ ତଟ ସୁରକ୍ଷା ସହ ଯେଉଁ ସମ୍ପର୍କ ସ୍ଥାପନ ହୋଇଛି, ତାହା ଦୀର୍ଘସ୍ଥାୟୀ ରଖିବାକୁ ସବୁବେଳେ ଉଦ୍ୟମ ଜାରି ରହିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ଵର: ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ପ୍ରସ୍ତୁତି ସଂପର୍କରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୋଲିସ ବିଭାଗର ପ୍ରସ୍ତୁତି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ  ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେବେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ଡିଜିପି ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଭିଭିଆଇପିଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା, ଜନତା ମଇଦାନ ଠାରେ କାର୍ଯ୍ୟକ୍ରମ ସ୍ଥଳରେ ଭି.ଭି.ଆଇ.ପି, ଅତିଥି,ପ୍ରବାସୀ ଭାରତୀୟ, ସ୍ଥାନୀୟ ଦର୍ଶକମାନଙ୍କ ବସିବା ବ୍ୟବସ୍ଥା, ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ  ବିସ୍ତୃତ ଭାବେ ସମୀକ୍ଷା କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ହୋଟେଲରେ ଅତିଥିଙ୍କ ସୁରକ୍ଷିତ ରହଣି ପାଇଁ ସମସ୍ତ ପଦକ୍ଷେପ ନେବାକୁ ଡିଜିପି ନିର୍ଦେଶ ଦେଇଛନ୍ତି। ଏହା ସହ ପ୍ରବାସୀ ଭାରତୀୟ ମାନେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ ପାଇଁ ଯିବାକୁ ଥିବାରୁ ଭୁବନେଶ୍ୱର, କଟକ ଓ ପୁରୀ ଆଦିରେ ସୁରକ୍ଷା ବ୍ୟବସ୍ଥା ବଢାଇବା ସଂକ୍ରାନ୍ତରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ଏହା ସହ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଥିବା ହୋଟେଲ ଗୁଡିକର କଡାକଡ଼ି ଯାଞ୍ଚ କରିବାକୁ ମଧ୍ୟ ଡିଜିପି ନିର୍ଦେଶ ଦେଇଛନ୍ତି। ନିୟମିତ ବ୍ୟବଧାନରେ ହୋଟେଲ ଗୁଡିକର ଯାଞ୍ଚ, ଅତିଥିଙ୍କ ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ସମସ୍ତ ତଥ୍ୟ ପୋଲିସ ନିକଟରେ ରହିବା ଆବଶ୍ୟକ ଏବଂ ଏହାର ସଠିକ ତଦାରଖ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଏହା ସହ ସହରଗୁଡିକରେ ସିସିଟିଭି ବ୍ୟବସ୍ଥାର ସୁପରିଚାଳନା, ଟ୍ରାଫିକ ବନ୍ଦୋବସ୍ତକୁ ଶୃଙ୍ଖଳିତ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଉକ୍ତ ବୈଠକରେ (ଗୁଇନ୍ଦା) ନିର୍ଦ୍ଦେଶକ, ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ), ଏସ. କେ. ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର (କଟକ-ଭୁବନେଶ୍ବର), ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଅତିରିକ୍ତ ପୋଲିସ କମିଶନର (କଟକ-ଭୁବନେଶ୍ବର), ଡ଼. ଉମାଶଙ୍କର ଦାଶ, ଡି. ଆଇ. ଜି (କେନ୍ଦ୍ରାଞ୍ଚଳ) ଚରଣ ସିଂ ମିନା,   ଡିସିପି (ଭୁବନେଶ୍ବର), ପିନାକ ମିଶ୍ର, ଏସ.ପି, (ରାଜ୍ୟ ମୁଖ୍ୟାଳୟ), ବାତୁଳା  ଗଙ୍ଗାଧର, ଡିସିପି (କଟକ), ଜଗମୋହନ ମିନା ପ୍ରମୁଖ ଉପସ୍ଥିତ ଥିଲେ।