ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ବାଣପୁର ତଥା ଓଡ଼ିଶାର ପ୍ରମୁଖ ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ଏକ ବଡ଼ ଧରଣର ଚୋରି ହୋଇଯାଇଛି। ମନ୍ଦିରରୁ ୨୨ଟି ମୂର୍ତ୍ତି ଦୁର୍ବୃତ୍ତ ଚୋରି କରିନେଇଛନ୍ତି।
ସୂଚନା ମୁତାବକ ଆଜି ସକାଳ ୫:୪୫ ମିନିଟ ରେ ପୂଜକ ମନ୍ଦିର ମଧ୍ୟରେ ପ୍ରବେଶ କଲା ବେଳକୁ ମନ୍ଦିରର ମୁଖ୍ୟ କବାଟ ସହ ଗର୍ଭଗୃହର ଅନ୍ୟ ଦୁଇ କବାଟ ତାଲା ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ। ୩୧ ଗୋଟି ମୂର୍ତ୍ତି ମଧ୍ୟରୁ ୨୨ ଗୋଟି ମୂର୍ତ୍ତି ଚୋରି ହୋଇଯାଇଥିବାର ପୂଜକ ଦେଖିଥିଲେ ଯାହା ମଧ୍ୟରୁ ମା କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ବର ଦେବ ଏବଂ ଚନ୍ଦ୍ରଶେଖର ଦେବ ଆଦି ପ୍ରମୁଖଙ୍କ ମୂର୍ତ୍ତି ରହିଛି। ପୂଜକ ସଙ୍ଗେ ସଙ୍ଗେ ଏ ଖବର ଦେବୋଦତ୍ତର କମିଟିକୁ ଜଣାଇବା ପରେ ଦେବୋଦତ୍ତର କମିଟି ବାଣପୁର ପୋଲିସକୁ ତୁରନ୍ତ ସୂଚନା ଦେଇଥିଲେ।
ଘଟଣାସ୍ଥଳରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ ସଦଳବଳେ ପହଁଚି ତନାଘନା ଆରମ୍ଭ କରିଦେବା ସହ ବିଭିନ୍ନ ଟିମ ତିଆରି କରି ତଦନ୍ତ ଜାରି ରଖିଛନ୍ତି। କିଛି ସମୟ ମଧ୍ୟରେ ସାଇଣ୍ଟିଫିକ ଟିମ ସହ ବିଭାଗୀୟ ଉଚ୍ଚ ଅଧିକାରୀ ପହଁଚିବେ ବୋଲି ସୂଚନା ଦେଇଛନ୍ତି ଆଇଆଇସି। ବର୍ତ୍ତମାନ ମନ୍ଦିର ପରିସରରେ ଏସ.ଆଇ ବିଜୟ ମଲ୍ଲିକ, ରାଜକିଶୋର ବେହେରା, ଏ.ଏସ.ଆଇ ବସନ୍ତ ପଟ୍ଟନାୟକ, ନମିତା ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାର ଖୋଲତାଡ଼ ଆରମ୍ଭ କରୁଛନ୍ତି।
ସୂଚନା ଥାଉ କି ପୂର୍ବରୁ ମଧ୍ୟ ଦୁଇ ଥର ଉକ୍ତ ମନ୍ଦିରରୁ ଚୋରି ହୋଇଥିଲା। ତେବେ ଦେବୋଦତ୍ତର କମିଟି ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଅବହେଳା ଲାଗି ଏହିପରି ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟବାସି ଅଭିଯୋଗ କରିଛନ୍ତି।