Categories
ଆଜିର ଖବର ଆଞ୍ଚଳିକ

ନଅ ଦଫା ଦାବି ନେଇ ବାଣପୁର-ବାଲୁଗାଁ-ଟାଙ୍ଗୀ ଇଲେକ୍ଟ୍ରିକାଲ କର୍ମଚାରୀଙ୍କ ଧାରଣା

ସୀତାରାମ ଅଗ୍ରୱାଲ 

ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଇଲେକ୍ଟ୍ରିକାଲ ଡିଭିଜନ (ଟି.ପି.ସି.ଓ.ଡ଼ି.ଏଲ) କାର୍ଯ୍ୟାଳୟ ସମ୍ମୁଖରେ ନଅ ଦଫା ଦାବି ନେଇ ଇଲେକ୍ଟ୍ରିକାଲ କର୍ମଚାରୀ ସଂଘ (ମିଟର ରିଡିଙ୍ଗ ଓ କଲେକ୍ସନ ) କରୋନା କଟକଣାର ସମସ୍ତ ସତର୍କତା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଦୀର୍ଘଦିନ ଧରି ବାଲୁଗାଁ, ବାଣପୁର ସମେତ ଟାଙ୍ଗୀ ଅଞ୍ଚଳର କାର୍ଯ୍ୟରତ କର୍ମଚାରୀମାନେ ସ୍ୱଳ୍ପ ଆଧାରରେ ବେତନ ପାଉଥିବାରୁ ବର୍ତ୍ତମାନ ସୁଦ୍ଧା ସେଥିରେ କୌଣସି ପରିବର୍ତ୍ତନ ନଆଣିବା ତଥା କାର୍ଯ୍ୟ ସମ୍ବନ୍ଧୀୟ ସରକାରୀ ସ୍ତରରେ କୌଣସି ସୁବିଧା ନମିଳିବା ଯାହାକି ପ୍ରତ୍ୟେକ ମାସରେ ଦରମା ନମିଳିବା, ପ୍ରୋଭିଡେଣ୍ଟ ଫଣ୍ଡରେ ଅନ୍ତର୍ଭୁକ୍ତ ନକରିବା, ମାସିକ ବେତନ ପ୍ରଣାମପତ୍ର ନମିଳିବା, କୁଶଳୀ କର୍ମଚାରୀ ହିସାବରେ ପରିଗଣିତ ନହେବା, ଠିକା କର୍ମଚାରୀ ପୂର୍ବରୁ ପ୍ରତ୍ୟେକ୍ଷ ଭାବେ ଟି.ପି.ସି.ଓ.ଡ଼ି.ଏଲର ସ୍ଥାୟୀ କର୍ମଚାରୀ ନିଯୁକ୍ତି, ବିନା କାରଣରେ କାର୍ଯ୍ୟରୁ ନିଲମ୍ବନ କରିବାର ଧମକ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ବଦଳରେ ଯୁବ ପିଢ଼ିର କୁଶଳୀ କର୍ମଚାରୀ ଙ୍କୁ କାର୍ଯ୍ୟରେ ନିଯୁକ୍ତି ଦେବା ଇତ୍ୟାଦି ଦାବି ନେଇ ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଡିଭିଜନ ର ନିର୍ବାହୀ ଅଧିକାରୀ ଶ୍ରୀ ଜିତେନ୍ଦ୍ର ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଏଥିସହିତ ଉକ୍ତ ଦାବିପତ୍ରର ନକଲ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ ଓଡିଶା, ଶ୍ରମ କମିଶନର ଓଡିଶା, ଚିଲିକା, ଖୋର୍ଦ୍ଧା ଏବଂ ରଣପୁର ବିଧାୟକ ଏବଂ ୫-ଟି ସଚିବଙ୍କ ନିକଟକୁ ପଠାଇଛନ୍ତି। ଯଥାଶୀଘ୍ର ଏହାର ସମାଧାନ ନକରାଗଲେ ଆଗାମୀଦିନରେ ଆମରଣ ଅନଶନ କରିବା ପାଇଁ ସମ୍ପୃକ୍ତ ଇଲେକ୍ଟ୍ରିକାଲ କର୍ମଚାରୀ ସଂଘ ଚେତାବନୀ ଦେଇଛି।