Categories
ଜାତୀୟ ଖବର ବିଶେଷ ଖବର

ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ବାୟୋ -ଇଥ୍ରୀ ନୀତିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନ ବା ବାୟୋ-ମ୍ୟାନୁଫାକ୍ଚରିଂକୁ ପ୍ରୋତ୍ସାହନ ଦେବା ଲାଗି ବାୟୋ-ଇଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ ଓ ନିଯୁକ୍ତି ପାଇଁ ବାୟୋଟେକ୍ନୋଲୋଜି) ନୀତି ପାଇଁ ବାୟୋଟେକ୍ନୋଲୋଜି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ବାୟୋ-ଇଥ୍ରୀ ନୀତିର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ଗବେଷଣା ଓ ବିକାଶ ଏବଂ ବିଷୟଗତ କ୍ଷେତ୍ରରେ ଉଦ୍ୟୋଗ ପାଇଁ ଉଦ୍ଭାବନ-ପରିଚାଳିତ ସମର୍ଥନ ଅନ୍ତର୍ଭୁକ୍ତ। ଏହା ଜୈବ ଉତ୍ପାଦନ ଓ ବାୟୋ-ଏଆଇ ହବ୍ ଏବଂ ବାୟୋ-ଫାଉଣ୍ଡ୍ରି ପ୍ରତିଷ୍ଠା କରି ପ୍ରଯୁକ୍ତି ବିଦ୍ୟା ବିକାଶ ଓ ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରିବ। ସବୁଜ ଅଭିବୃଦ୍ଧିର ବାୟୋଇକୋନୋମି ବା ଜୈବ ଅର୍ଥବ୍ୟବସ୍ଥା ମଡେଲକୁ ପ୍ରାଥମିକତା ଦେବା ସହିତ ଏହି ନୀତି ଭାରତର କୁଶଳୀ ଶ୍ରମଶକ୍ତିର ସମ୍ପ୍ରସାରଣ ଏବଂ ନିଯୁକ୍ତି ସୃଷ୍ଟିକୁ ସହଜ କରିବ।

ମୋଟାମୋଟି ଭାବେ ଏହି ନୀତି ‘ନେଟ୍ ଜିରୋ କାର୍ବନ ଇକୋନୋମି’ ବା ଅଙ୍ଗାରକାମ୍ଳମୁକ୍ତ ଅର୍ଥବ୍ୟବସ୍ଥା ଏବଂ ‘ଲାଇଫ୍ ଷ୍ଟାଇଲ୍ ଫର୍ ଏନଭାଇରନମେଣ୍ଟ୍’ ବା ପରିବେଶ ପାଇଁ ଜୀବନଶୈଳୀ ଭଳି ସରକାରଙ୍କ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବ। ଏଥିସହିତ ‘ସର୍କୁଲାର ବାୟୋଇକୋନୋମି’ ବା ଚକ୍ରାକାର ଜୈବଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରି ଭାରତକୁ ‘ସବୁଜ ଅଭିବୃଦ୍ଧି’ ପଥରେ ଅଗ୍ରସର ହେବାକୁ ତ୍ୱରାନ୍ୱିତ କରିବ। ବାୟୋ-ଇଥ୍ରୀ ନୀତି ଭବିଷ୍ୟତକୁ ପ୍ରୋତ୍ସାହିତ କରିବ ଏବଂ ଆଗକୁ ବଢ଼ାଇବ, ଯାହା ବିଶ୍ୱସ୍ତରୀୟ ଆହ୍ୱାନର ଅଧିକ ସ୍ଥାୟୀ, ଅଭିନବ ଏବଂ ଉତ୍ତରଦାୟୀ ପ୍ରତିକ୍ରିୟା ସହ ଜଡିତ। ଏହି ନୀତି ଭାରତ ପାଇଁ ବିକଶିତ ଜୈବ ଦୃଷ୍ଟିକୋଣ ନିର୍ଦ୍ଧାରଣ କରେ।

ଜଳବାୟୁ ପରିବର୍ତ୍ତନ ପ୍ରଶମନ, ଖାଦ୍ୟ ନିରାପତ୍ତା ଏବଂ ମାନବ ସ୍ୱାସ୍ଥ୍ୟ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟାର ସମାଧାନ ପାଇଁ ସ୍ଥାୟୀ ଓ ଚକ୍ରୀୟ ପଦ୍ଧତିକୁ ପ୍ରୋତ୍ସାହିତ କରିବା ତଥା ଜୈବ ବିଜ୍ଞାନର ଶିଳ୍ପାୟନରେ ନିବେଶ କରିବା ନିମନ୍ତେ ଆମର ବର୍ତ୍ତମାନର ଯୁଗ ଏକ ଉପଯୁକ୍ତ ସମୟ। ଜୈବ ଭିତ୍ତିକ ଉତ୍ପାଦର ବିକାଶ ପରିପ୍ରେକ୍ଷୀରେ ଅତ୍ୟାଧୁନିକ ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ପାଇଁ ଆମ ଦେଶରେ ଏକ ଶକ୍ତିଶାଳୀ ଜୈବ ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ କରିବା ଜରୁରୀ।

ଔଷଧ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ଉତ୍ପାଦନ କରିବା, କୃଷି ଓ ଖାଦ୍ୟ ସୁରକ୍ଷା ଆହ୍ୱାନର ସମାଧାନ କରିବା ଏବଂ ଉନ୍ନତ ଜୈବ ପ୍ରଯୁକ୍ତି ପ୍ରକ୍ରିୟାର ଏକୀକରଣ ମାଧ୍ୟମରେ ଜୈବ ଆଧାରିତ ଉତ୍ପାଦର ଉତ୍ପାଦନକୁ ପ୍ରୋତ୍ସାହନ ଦେବାର କ୍ଷମତା ଉଚ୍ଚ ପ୍ରଦର୍ଶନକାରୀ ଜୈବ ଉତ୍ପାଦନରେ ରହିଛି। ଜାତୀୟ ପ୍ରାଥମିକତା ଅନୁଯାୟୀ, ବାୟୋ-ଇଥ୍ରୀ ନୀତି ନିମ୍ନଲିଖିତ ରଣନୀତିକ/ବିଷୟଗତ କ୍ଷେତ୍ର ଉପରେ ବ୍ୟାପକ ଭାବରେ ଧ୍ୟାନ ଦେବ, ଯଥା : ଉଚ୍ଚ ମୂଲ୍ୟର ଜୈବ-ଭିତ୍ତିକ ରାସାୟନିକ ପଦାର୍ଥ, ବାୟୋପଲିମର୍ସ ଏବଂ ଏନଜାଇମ; ସ୍ମାର୍ଟ ପ୍ରୋଟିନ୍ ଏବଂ ଫଙ୍କସନାଲ ଫୁଡ୍‌; ନିର୍ଦ୍ଦିଷ୍ଟ ବାୟୋମେଡିସିନ୍; ଜଳବାୟୁ ସହନଶୀଳ କୃଷି; କାର୍ବନ ସ୍ତର ହ୍ରାସ ଏବଂ ଏହାର ଉପଯୋଗ; ସାମୁଦ୍ରିକ ଓ ମହାକାଶ ଗବେଷଣା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନେପାଳ ବସ୍ ଦୁର୍ଘଟଣାର ପୀଡିତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନେପାଳର ତନହୁନ ଜିଲ୍ଲାରେ ହୋଇଥିବା ବସ୍ ଦୁର୍ଘଟଣାର ପୀଡିତମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ରାଶି ଘୋଷଣା କରିଛନ୍ତି। ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ପ୍ରତ୍ୟେତ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି ଯେ;

“ନେପାଳର ତନହୁନ ଜିଲ୍ଲାରେ ହୋଇଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ପିଏମ୍‌ଏନ୍‌ଆର୍‌ରୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ହିନ୍ଦୀ ଶିଖୁଥିବା ୟୁକ୍ରେନ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍ ସ୍ଥିତ ସ୍କୁଲ ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍ ରେ ହିନ୍ଦୀ ଭାଷା ଶିଖୁଥିବା ୟୁକ୍ରେନର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି।

ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଛାତ୍ରଛାତ୍ରୀଙ୍କ ବୃତ୍ତି ଏବଂ ସେମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଭାରତୀୟ ସଂସ୍କୃତି ଓ ଇତିହାସକୁ ୟୁକ୍ରେନର ଲୋକଙ୍କ ନିକଟତର କରିବା ପାଇଁ ସେମାନଙ୍କ ପ୍ରୟାସକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଶହୀଦ ପିଲାମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର କିବ୍‌ରେ ଥିବା ଜାତୀୟ ଇତିହାସ ସଂଗ୍ରହାଳୟରେ ଶହୀଦ ପିଲାମାନଙ୍କ ସ୍ମୃତିରେ ଆୟୋଜିତ ମଲ୍‌ଟିମିଡିଆ ଶହୀଦ ବିଶେଷଜ୍ଞ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ତାଙ୍କ ସହ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି ମଧ୍ୟ ରହିଥିଲେ।

ଯୁଦ୍ଧରେ ପ୍ରାଣ ହରାଇଥିବା ପିଲାମାନଙ୍କ ସ୍ମୃତିରେ ଆୟୋଜିତ ଏହି ହୃଦୟସ୍ପର୍ଶୀ ପ୍ରଦର୍ଶନୀ ଦ୍ୱାରା ପ୍ରଧାନମନ୍ତ୍ରୀ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ପିଲାମାନଙ୍କର ଦୁଃଖଦ ମୃତ୍ୟୁରେ ସେ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏକ ଖେଳଣା ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆରବିଆଇ ଗଭର୍ଣ୍ଣର୍‌ ଙ୍କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘‘ଏ+’’ ରେଟିଂ: ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘ଏ ପ୍ଲସ୍‌’ ରେଟିଂ ମିଳିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ମୋଦୀ ଲେଖିଛନ୍ତି :

‘‘ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍‌ ଶ୍ରୀ ଶକ୍ତିକାନ୍ତ ଦାସ (@DasShaktikanta)ଙ୍କୁ ଦ୍ୱିତୀୟ ଥର ଲାଗି ଏହି ସଫଳତା ପାଇଁ ଅଭିନନ୍ଦନ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କରେ ତାଙ୍କର ନେତୃତ୍ୱ ଓ ଆର୍ଥିକ ବିକାଶ ତଥା ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ମାନ୍ୟତା ଦେଉଛି।’’

Categories
ଆଜିର ଖବର ଜାତୀୟ ଖବର

ଜନସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣାକୁ ଦୃଷ୍ଟିରେ ରଖି ଏମପକ୍ସ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ ନଜର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ଏମ୍‌ ପକ୍ସ ସ୍ଥିତି ଉପରେ ନଜର ରଖିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ତାଙ୍କର ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଦେଶରେ ଏମ-ପକ୍ସ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ଏବଂ ଆନୁସଙ୍ଗିକ ଜନସ୍ୱାସ୍ଥ୍ୟ ପଦକ୍ଷେପର ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ସୂଚନାଯୋଗ୍ୟ, ଆଫ୍ରିକାର ବିଭିନ୍ନ ସ୍ଥାନରେ ଏହି ରୋଗର ବ୍ୟାପକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ୧୪ ଅଗଷ୍ଟ ୨୦୨୪ରେ ପୁଣି ଥରେ ଏମ-ପକ୍ସକୁ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ଉଦ୍ରେକକାରୀ ଜରୁରି ପରିସ୍ଥିତି ବା ପବ୍ଲିକ୍ ହେଲ୍‌ଥ୍‌ ଇମର୍ଜେନ୍ସି ଅଫ୍ ଇଣ୍ଟରନ୍ୟାସନାଲ କନସର୍ନ (ପିଏଚ୍ଇଆଇସି) ରୂପେ ଘୋଷଣା କରିଛି। ଡବ୍ଲ୍ୟୁଏଚଓର ପୂର୍ବ ବୟାନ ଅନୁଯାୟୀ, ୨୦୨୨ ପର ଠାରୁ ସମଗ୍ର ବିଶ୍ୱରେ ୧୧୬ଟି ଦେଶରେ ୯୯,୧୭୬ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୦୮ ଜଣଙ୍କ ମୃତ୍ୟୁ ଘଟିଛି। ପରବର୍ତ୍ତୀ ସମୟରେ ଡେମୋକ୍ରାଟିକ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏମ୍‌-ପକ୍ସ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସେମାନେ ସୂଚନା ଦେଇଛନ୍ତି।

ଗତବର୍ଷ ଏହି ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଗତବର୍ଷର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟାକୁ ଟପିଯାଇଛି, ଯେଉଁଥିରେ ୧୫,୬୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ ୫୩୭ ମୃତ୍ୟୁ ଘଟିଛି। ଡବ୍ଲ୍ୟୁଏଚ୍ଓ ଦ୍ୱାରା ୨୦୨୨ରେ ଅନ୍ତର୍ଜାତୀୟ ଚିନ୍ତାର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରଠାରୁ ଭାରତରେ ୩୦ଟି ମାମଲା ସାମ୍ନାକୁ ଆସିଛି। ୨୦୨୪ ମାର୍ଚ୍ଚରେ ଶେଷ ଥର ପାଇଁ ଏମ ପକ୍ସ ମାମଲା ଚିହ୍ନଟ ହୋଇଥିଲା।

ଏହି ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦିଆଯାଇଥିଲା ଯେ ବର୍ତ୍ତମାନ ସୁଦ୍ଧା ଦେଶରେ ଏମପକ୍ସର କୌଣସି ମାମଲା ସାମ୍ନାକୁ ଆସିନାହିଁ। ବର୍ତ୍ତମାନର ଆକଳନ ଅନୁଯାୟୀ, ନିରନ୍ତର ସଂକ୍ରମଣ ସହିତ ବଡ଼ ଧରଣର ସଂକ୍ରମଣ ହେବାର ଆଶଙ୍କା କମ୍ ରହିଛି।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଅବଗତ କରାଯାଇଥିଲା ଯେ ଏମ-ପକ୍ସ ସଂକ୍ରମଣ ସାଧାରଣତଃ ୨-୪ ସପ୍ତାହ ପର୍ଯ୍ୟନ୍ତ ବ୍ୟାପୁଥିବା ଏକ ସଂକ୍ରାମକ ବ୍ୟାଧି। ଏମ-ପକ୍ସ ରୋଗୀମାନେ ସାଧାରଣତଃ ସହାୟକ ଚିକିତ୍ସା ସେବା ଏବଂ ପରିଚାଳନା ଦ୍ୱାରା ସୁସ୍ଥ ହୁଅନ୍ତି। ସଂକ୍ରମିତ ରୋଗୀଙ୍କ ସହ ଦୀର୍ଘ ସମୟ ରହିବା ଏବଂ ଘନିଷ୍ଠ ସଂସ୍ପର୍ଶରେ ଆସିବା ଦ୍ୱାରା ଏମ-ପକ୍ସ ସଂକ୍ରମଣ ହୁଏ। ଏହା ମୁଖ୍ୟତଃ ଯୌନ ମାର୍ଗ, ରୋଗୀର ଶରୀର/କ୍ଷତ ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା କିମ୍ବା ସଂକ୍ରମିତ ବ୍ୟକ୍ତିର ଦୂଷିତ ପୋଷାକ/ଲିନେନ୍ ମାଧ୍ୟମରେ ହୋଇଥାଏ।

ଗତ ଏକ ସପ୍ତାହ ମଧ୍ୟରେ ନିମ୍ନଲିଖିତ ପଦକ୍ଷେପ ନିଆଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ :

ଭାରତ ପାଇଁ ବିପଦ ଆକଳନ କରିବା ନିମନ୍ତେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଦ୍ୱାରା ୧୨ ଅଗଷ୍ଟ, ୨୦୨୪ରେ ବିଶେଷଜ୍ଞମାନଙ୍କର ଏକ ବୈଠକ ଡକାଯାଇଥିଲା।

ଏନସିଡିସି ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଏମପକ୍ସ ଉପରେ ଏକ ସଂକ୍ରାମକ ରୋଗ (ସିଡି) ଆଲର୍ଟକୁ ଅପଡେଟ୍ କରାଯାଉଛି।

ଅନ୍ତର୍ଜାତୀୟ ବିମାନବନ୍ଦର (ପୋର୍ଟ ଅଫ୍ ଏଣ୍ଟ୍ରି)ରେ ସ୍ୱାସ୍ଥ୍ୟ ଟିମ୍ ର ସଚେତନତା ଆରମ୍ଭ ହୋଇଛି।

ଆଜି ସକାଳେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍ଏସ୍) ପକ୍ଷରୁ ୨୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଏକ ଭିଡିଓ କନଫରେନ୍ସିଂ ବୈଠକ ଡକାଯାଇଥିଲା। ରାଜ୍ୟରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ୟୁନିଟ୍ ଏବଂ ଅନ୍ତର୍ଜାତୀୟ ସୀମାରେ ପ୍ରବେଶ ବନ୍ଦର ଇତ୍ୟାଦି ସମେତ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ସଚେତନ କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି.କେ.ମିଶ୍ର ନିରୀକ୍ଷଣ ବଢ଼ାଇବା ସହ ମାମଲାଗୁଡ଼ିକର ତୁରନ୍ତ ଚିହ୍ନଟ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ ଶୀଘ୍ର ରୋଗ ଚିହ୍ନଟ ପାଇଁ ପରୀକ୍ଷାଗାର ନେଟୱାର୍କ ପ୍ରସ୍ତୁତ କରାଯାଉ। ବର୍ତ୍ତମାନ ୩୨ଟି ପରୀକ୍ଷାଗାର ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତ ରହିଛି।

ଏହି ରୋଗର ନିରାକରଣ ଓ ଚିକିତ୍ସା ପାଇଁ ନିର୍ଦ୍ଧାରିତ ନିୟମକୁ ବ୍ୟାପକ ଭାବେ ପ୍ରସାରିତ କରିବାକୁ ଡାକ୍ତର ପି.କେ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହି ରୋଗର ଲକ୍ଷଣ ଓ ସଂକେତ ସମ୍ପର୍କରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତା ଅଭିଯାନ ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଠିକ୍ ସମୟରେ ପ୍ରସାରିତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ନୀତି ସଦସ୍ୟ ଡାକ୍ତର ଭିକେ ପଲ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଅପୂର୍ବ ଚନ୍ଦ୍ର, ସ୍ୱାସ୍ଥ୍ୟ ଗବେଷଣା ସଚିବ ଡାକ୍ତର ରାଜୀବ ବହଲ, ସଦସ୍ୟ ସଚିବ (ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) କ୍ରିଷ୍ଣା ଏସ୍ ବତ୍ସ, ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଏବଂ ଗୃହ ସଚିବ ଗୋବିନ୍ଦ ମୋହନଙ୍କ ସମେତ ଅନ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିହାରର ଭିଟାଠାରେ ନ୍ୟୁ ସିଭିଲ ଏନକ୍ଲେଭ ର ବିକାଶ କୁ କ୍ୟାବିନେଟ ମଞ୍ଜୁରୀ: ୧୪୧୩ କୋଟି ବ୍ୟୟ ଅଟକଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୧୪୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ବିହାରର ପାଟନାସ୍ଥିତ ଭିଟା ଠାରେ ଏକ ନୂତନ ସିଭିଲ ଏନକ୍ଲେଭ ର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ପ୍ରସ୍ତାବକୁ ମଞ୍ଜୁର କରିଛି।

ଏହି ଭିତ୍ତିଭୂମି ପ୍ରକଳ୍ପ ପାଟନା ବିମାନ ବନ୍ଦରରେ କ୍ଷମତାର ଆଶାନୁରୂପ ସନ୍ତୁଳନକୁ ଦୂର କରିବା ପାଇଁ ଏକ ରଣନୈତିକ ପଦକ୍ଷେପକୁ ପ୍ରତିନିଧିତ୍ୱ କରେ। ଏଏଆଇ ପାଟନା ବିମାନବନ୍ଦରରେ ଏକ ନୂତନ ଟର୍ମିନାଲ ବିଲ୍ଡିଂ ନିର୍ମାଣ ପ୍ରକ୍ରିୟାରେ ଥିବା ବେଳେ ସୀମିତ ଜମି ଉପଲବ୍ଧତା ଯୋଗୁଁ ଅଧିକ ସମ୍ପ୍ରସାରଣ ବାଧାପ୍ରାପ୍ତ ହୋଇଛି।

ଭିଟା ବିମାନବନ୍ଦରରେ ପ୍ରସ୍ତାବିତ ନୂତନ ସମନ୍ୱିତ ଟର୍ମିନାଲ ବିଲ୍ଡିଂ ୬୬,୦୦୦ ବର୍ଗ ମିଟର ପରିବ୍ୟାପ୍ତ ଏବଂ ଏହା ୩୦ ପିକ୍ ଆୱାର ଯାତ୍ରୀ (ପିଏଚପି) ପରିଚାଳନା ପାଇଁ ଡିଜାଇନ୍ କରାଯାଇଛି ଏବଂ ବାର୍ଷିକ ୫୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ। ଆବଶ୍ୟକ ସ୍ଥଳେ ଏହାକୁ ଆହୁରି ୫୦ ଲକ୍ଷ ବୃଦ୍ଧି କରାଯିବ ଏବଂ ବାର୍ଷିକ ଏକ କୋଟି ଯାତ୍ରୀଙ୍କ ସର୍ବାଧିକ କ୍ଷମତା ରହିବ। ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ ଗୁଡ଼ିକ ହେଲା ଏ-୩୨୧/ବି-୭୩୭-୮୦୦/ଏ-୩୨୦ ପ୍ରକାର ବିମାନ ପାଇଁ ଉପଯୁକ୍ତ ୧୦ଟି ପାର୍କିଂ ବେ’ ଏବଂ ଦୁଇଟି ଲିଙ୍କ୍ ଟ୍ୟାକ୍ସିୱେ ନିର୍ମାଣ କରିବାରେ ସକ୍ଷମ ଏକ ଆପ୍ରନ୍ ନିର୍ମାଣ।

Categories
ଆଜିର ଖବର ଜାତୀୟ ଖବର

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଠାରୁ ଟେଲିଫୋନ୍‍ କଲ୍‍ ପାଇଥିଲେ।

ଭାରତର ୭୮ ତମ ସ୍ୱାଧୀନତା ଦିବସ  ପାଇଁ  ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।

ଦୁଇ ନେତା ପଶ୍ଚିମ ଏସିଆର ସ୍ଥିତି ଉପରେ ଆଲୋଚନା କରିଥିଲେ।

ଉତ୍ତେଜନା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ବନ୍ଧକଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ପ୍ରଭାବିତଙ୍କ ପାଇଁ ମାନବିକ ସହାୟତା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ଆହ୍ବାନ ଦେଇଛନ୍ତି।

ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ଦିଗ ଏବଂ ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ଉପାୟ ଉପରେ ମଧ୍ୟ ଆଲୋଚନା କରିଥିଲେ।

ଦୁଇ ନେତା ପରସ୍ପରର ସମ୍ପର୍କରେ ରହିବାକୁ ରାଜି ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବାଙ୍ଗାଲୋର ମେଟ୍ରୋ ରେଳ ପ୍ରକଳ୍ପର ଫେଜ୍-୩: ୪୪.୬୫ କିଲୋମିଟର ପାଇଁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାଙ୍ଗାଲୋର ମେଟ୍ରୋ ରେଳ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ ମିଳିଛି, ଯେଉଁଥିରେ ୩୧ଟି ଷ୍ଟେସନ ସହିତ ୪୪.୬୫ କିଲୋମିଟର ଦୀର୍ଘ ଦୁଇଟି ଏଲିଭେଟେଡ୍ କରିଡର ରହିଛି। କରିଡର -୨ ଜେପି ନଗର ଚତୁର୍ଥ ପର୍ଯ୍ୟାୟରୁ କେମ୍ପାପୁରା (ଆଉଟର ରିଙ୍ଗ ରୋଡ୍ ପଶ୍ଚିମରେ) ପର୍ଯ୍ୟନ୍ତ ୩୨.୧୫ କିଲୋମିଟର ଲମ୍ବରେ ୨୨ଟି ଷ୍ଟେସନ ଏବଂ ହୋସାହଲ୍ଲୀରୁ କଡାବାଗେରେ (ମଗାଡି ରୋଡ୍ ପାର୍ଶ୍ୱରେ) ପର୍ଯ୍ୟନ୍ତ ୯ଟି ଷ୍ଟେସନ ସହିତ ୧୨.୫୦ କିଲୋମିଟର ଲମ୍ବ ପାଇଁ ଉଦ୍ଦିଷ୍ଟ।

ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ଷମ ହେବା ପରେ ବେଙ୍ଗାଲୁରୁ ସହରରେ ୨୨୦.୨୦ କିଲୋମିଟର ସକ୍ରିୟ ମେଟ୍ରୋ ରେଳ ନେଟୱାର୍କ ରହିବ।

ପ୍ରକଳ୍ପର ସମୁଦାୟ ମୂଲ୍ୟ ୧୫,୬୧୧ କୋଟି ଟଙ୍କା ରହିଛି।

ପ୍ରକଳ୍ପର ଲାଭ:

ବାଙ୍ଗାଲୋର ମେଟ୍ରୋ ରେଳ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ପ୍ରତିନିଧିତ୍ୱ କରୁଛି । ସହରରେ ମେଟ୍ରୋ ରେଳ ନେଟୱାର୍କର ଏକ ପ୍ରମୁଖ ବିସ୍ତାର ଭାବରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ କରେ ।

ଉନ୍ନତ ସଂଯୋଗ :

ତୃତୀୟ ପର୍ଯ୍ୟାୟରେ ପ୍ରାୟ ୪୪.୬୫ କିଲୋମିଟର ନୂଆ ମେଟ୍ରୋ ଲାଇନ୍ ଯୋଡ଼ାଯିବ, ଯାହା ବେଙ୍ଗାଲୁରୁ ସହରର ପଶ୍ଚିମ ଭାଗକୁ ସଂଯୋଗ କରିବ, ଯେଉା ପୂର୍ବରୁ କମ୍ ସେବା ପ୍ରଦାନ କରାଯାଉଥିଲା । ତୃତୀୟ ପର୍ଯ୍ୟାୟରେ ସହରର ପ୍ରମୁଖ ଅଞ୍ଚଳକୁ ସମନ୍ୱିତ କରାଯିବ, ଯେଉଁଥିରେ ପିନ୍ୟା ଶିଳ୍ପାଞ୍ଚଳ, ବାନରଘାଟା ରୋଡ୍ ଓ ଆଉଟର ରିଙ୍ଗରୋଡରେ ଆଇଟି ଶିଳ୍ପ, ତୁମକୁରୁ ରୋଡ୍ ଏବଂ ଓଆରଆରରେ ବୟନ ଓ ଇଞ୍ଜିନିୟରିଂ ସାମଗ୍ରୀ ଉତ୍ପାଦନ ୟୁନିଟ୍‌, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ୍‌), ପିଇଏସ୍ ବିଶ୍ୱବିଦ୍ୟାଳୟ, ଆମ୍ବେଦକର କଲେଜ, ପଲିଟେକନିକ୍ କଲେଜ, କେଏଲ୍‌ଇ କଲେଜ, ଦୟାନନ୍ଦସାଗର ବିଶ୍ୱବିଦ୍ୟାଳୟ, ଆଇଟିଆଇ ଆଦି ପ୍ରମୁଖ ଶିକ୍ଷାନୁଷ୍ଠାନ ସାମିଲ କରାଯିବ । ତୃତୀୟ ପର୍ଯ୍ୟାୟ କରିଡର ସହରର ଦକ୍ଷିଣ ଭାଗ, ଆଉଟର ରିଙ୍ଗ ରୋଡ୍ ପଶ୍ଚିମ, ମଗାଡି ରୋଡ୍ ଏବଂ ବିଭିନ୍ନ ଅଞ୍ଚଳକୁ ସଂଯୋଗ ପ୍ରଦାନ କରିଥାଏ, ଯାହା ସହରର ସାମଗ୍ରିକ ଯୋଗାଯୋଗକୁ ବୃଦ୍ଧି କରିଥାଏ । ବାଣିଜ୍ୟିକ କେନ୍ଦ୍ର, ଶିଳ୍ପ କେନ୍ଦ୍ର, ଶିକ୍ଷାନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ ସେବା ସୁବିଧାରେ ଉନ୍ନତ ଯୋଗାଯୋଗ ବାସିନ୍ଦାଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବ ।

ଟ୍ରାଫିକ ଭିଡ଼ ହ୍ରାସ :

ଏକ ଦକ୍ଷ ବିକଳ୍ପ ସଡ଼କ ପରିବହନ ଭାବରେ ମେଟ୍ରୋ ରେଳ ଏବଂ ବେଙ୍ଗାଲୁରୁ ସହରରେ ମେଟ୍ରୋ ରେଳ ନେଟୱାର୍କର ସମ୍ପ୍ରସାରଣ ଭାବରେ ଫେଜ୍ – ୩ ସହିତ ଟ୍ରାଫିକ ଭିଡ଼ ହ୍ରାସ କରିବ ବୋଲି ଆଶା କରାଯାଉଛି ଏବଂ ଆଉଟର ରିଙ୍ଗ ରୋଡ୍ ପଶ୍ଚିମ, ମଗାଡି ରାସ୍ତା ଏବଂ ସହରର ଅନ୍ୟ ପ୍ରମୁଖ ମୁଖ୍ୟ ରାସ୍ତାଗୁଡ଼ିକର ପ୍ରବଳ ଜନଗହଳିପୂର୍ଣ୍ଣ ମାର୍ଗ ଉପରେ ବିଶେଷ ଭାବରେ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି । ସଡ଼କ ଯାତାୟାତ ହ୍ରାସ ଫଳରେ ଯାନବାହନ ଚଳାଚଳ ସହଜ ହୋଇପାରିବ, ଯାତ୍ରା ସମୟ ହ୍ରାସ ପାଇବ, ସାମଗ୍ରିକ ସଡ଼କ ନିରାପତ୍ତା ବୃଦ୍ଧି ପାଇବ ଇତ୍ୟାଦି ।

ପରିବେଶ ଲାଭ :

ତୃତୀୟ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଳ୍ପ ସଂଯୋଗ ଏବଂ ବେଙ୍ଗାଲୁରୁ ସହରରେ ସାମଗ୍ରିକ ମେଟ୍ରୋ ରେଳ ନେଟୱାର୍କ ବୃଦ୍ଧି, ପାରମ୍ପରିକ ଜୀବାଶ୍ମ ଇନ୍ଧନ ଆଧାରିତ ପରିବହନ ତୁଳନାତ୍ମକ ଭାବେ କାର୍ବନ ନିର୍ଗମନକୁ ଯଥେଷ୍ଟ ହ୍ରାସ କରିପାରିବ ।

ଅର୍ଥନୈତିକ ଅଭିବୃଦ୍ଧି :

ଯାତ୍ରା ସମୟ ହ୍ରାସ ଏବଂ ସହରର ବିଭିନ୍ନ ସ୍ଥାନରେ ଉନ୍ନତ ପ୍ରବେଶ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ଅଧିକ ଦକ୍ଷତାର ସହ ପହଞ୍ଚିବାକୁ ଅନୁମତି ଦେଇ ଉତ୍ପାଦକତା ବୃଦ୍ଧି କରିପାରିବ । ତୃତୀୟ ପର୍ଯ୍ୟାୟ ନିର୍ମାଣ ଓ ପରିଚାଳନା ଦ୍ୱାରା ନିର୍ମାଣ ଶ୍ରମିକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ କର୍ମଚାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାବ୍ୟତୀତ, ବର୍ଦ୍ଧିତ ଯୋଗାଯୋଗ ସ୍ଥାନୀୟ ବ୍ୟବସାୟକୁ ଉତ୍ସାହିତ କରିପାରେ, ବିଶେଷ କରି ନୂତନ ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ଯାହା ପୂର୍ବରୁ କମ୍ ଉପଲବ୍ଧ ଅଞ୍ଚଳରେ ପୁଞ୍ଜିନିବେଶ ଏବଂ ବିକାଶକୁ ଆକୃଷ୍ଟ କରିପାରିବ ।

ସାମାଜିକ ପ୍ରଭାବ :

ବେଙ୍ଗାଲୁରୁରେ ତୃତୀୟ ପର୍ଯ୍ୟାୟ ମେଟ୍ରୋ ରେଳ ନେଟୱାର୍କର ସମ୍ପ୍ରସାରଣ ସାର୍ବଜନୀନ ପରିବହନକୁ ଅଧିକ ନ୍ୟାୟସଙ୍ଗତ ପହଂଚ ପ୍ରଦାନ କରିବ, ବିଭିନ୍ନ ସାମାଜିକ – ଅର୍ଥନୈତିକ ଗୋଷ୍ଠୀକୁ ଉପକୃତ କରିବ ଏବଂ ପରିବହନ ଅସମାନତା ହ୍ରାସ କରିବ , ଯାହା ପରିବହନ ସମୟ ହ୍ରାସ କରି ଏବଂ ଅତ୍ୟାବଶ୍ୟକ ସେବା ଗୁଡ଼ିକର ଉପଲବ୍ଧତାରେ ଉନ୍ନତି ଆଣି ଉନ୍ନତମାନର ଜୀବନ ଧାରଣରେ ଯୋଗଦାନ କରିବ ।

ମଲ୍ଟି-ମୋଡାଲ୍ ସମନ୍ୱିତକରଣ ଏବଂ ଅନ୍ତିମ ମାଇଲ୍ ସଂଯୋଗ :

ଜେପି ନଗର ଚତୁର୍ଥ ପର୍ଯ୍ୟାୟ, ଜେପି ନଗର, କାମାକ୍ୟା, ମହୀଶୂର ରୋଡ୍‌, ସୁମନାହଲ୍ଲୀ, ପିନ୍ୟା, ବିଇଏଲ୍ ସର୍କଲ୍‌, ହେବଲ୍‌, କେମ୍ପାପୁରା, ହୋସାହଲ୍ଲୀରେ ୧୦ଟି ସ୍ଥାନରେ ମଲ୍ଟି-ମୋଡାଲ ଇଣ୍ଟିଗ୍ରେସନ୍ ଯୋଜନା କରାଯାଇଛି ଏବଂ ବର୍ତ୍ତମାନର ଏବଂ ନିର୍ମାଣାଧୀନ ମେଟ୍ରୋ ଷ୍ଟେସନ୍‌, ବିଏମଟିସି ବସଷ୍ଟାଣ୍ଡ୍‌, ଭାରତୀୟ ରେଳ ଷ୍ଟେସନ୍‌, ପ୍ରସ୍ତାବିତ ଉପନଗରୀୟ (କେ-ରାଇଡ୍‌) ଷ୍ଟେସନ୍ ସହିତ ଇଣ୍ଟରଚେଞ୍ଜ ପ୍ରଦାନ କରାଯିବ ।

ସମସ୍ତ ତୃତୀୟ ପର୍ଯ୍ୟାୟ ଷ୍ଟେସନରେ ଉତ୍ସର୍ଗୀକୃତ ବସ୍ ବେ, ପିକ୍ ଅପ୍ ଆଣ୍ଡ ଡ୍ରପ୍ ଅଫ୍ ବେ, ପଦଚାରୀ ପଥ, ଆଇପିଟି / ଅଟୋ ରିକ୍ସା ଷ୍ଟାଣ୍ଡ ରହିଛି । ବିଏମଟିସି ପୂର୍ବରୁ କାର୍ଯ୍ୟକ୍ଷମ ମେଟ୍ରୋ ଷ୍ଟେସନଗୁଡ଼ିକୁ ଫିଡର ବସ୍ ଚଳାଉଛି ଏବଂ ଏହାକୁ ଫେଜ୍ -୩ ଷ୍ଟେସନ ପର୍ଯ୍ୟନ୍ତ ବିସ୍ତାର କରାଯିବ । ୧୧ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ପାର୍କିଂ ସୁବିଧା ପ୍ରଦାନ କରାଯାଇଛି । ଫେଜ୍ -୧ ଏବଂ ଫେଜ୍ -୨ର ବର୍ତ୍ତମାନର ଷ୍ଟେସନଗୁଡ଼ିକୁ ଫେଜ୍ – ୩ର ପ୍ରସ୍ତାବିତ ଷ୍ଟେସନ ସହିତ ସଂଯୁକ୍ତ କରାଯାଇଛି । ଏଫ୍‌ଓବି / ସ୍କାଏୱାକ୍ ମାଧ୍ୟମରେ ଦୁଇଟି ରେଳ ଷ୍ଟେସନ (ଲୋଟେଗୋଲାହାଲି ଏବଂ ହେବଲ) କୁ ସିଧାସଳଖ ସଂଯୋଗ କରାଯାଇଛି । ଫେଜ୍ – ୩ ମେଟ୍ରୋ ଷ୍ଟେସନରେ ବାଇକ୍ ଏବଂ ସାଇକେଲ୍ ସେୟାରିଂ ସୁବିଧାର ବ୍ୟବସ୍ଥା କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଜୟନ୍ତୀ ଅବସରରେ ଶ୍ରୀ ଅରବିନ୍ଦୋଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ମହାନ ଦାର୍ଶନିକ, ଚିନ୍ତକ ତଥା ଆଧ୍ୟାତ୍ମିକ ନେତା ଶ୍ରୀ ଅରବିନ୍ଦୋଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରେ ଶ୍ରୀ ଅରବିନ୍ଦୋଙ୍କ ଚିରନ୍ତନ ପରମ୍ପରା ଏବଂ ଭାରତର ଜାତୀୟ ଜାଗୃତି ଉପରେ ତାଙ୍କର ଗଭୀର ପ୍ରଭାବ ଉପରେ ଆଲୋକପାତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ତାଙ୍କ ଶ୍ରଦ୍ଧାଞ୍ଜଳିରେ କହିଛନ୍ତି, “ଶ୍ରୀ ଅରବିନ୍ଦୋଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ତାଙ୍କୁ ଜଣେ ଉଲ୍ଲେଖନୀୟ ଦାର୍ଶନିକ, ଚିନ୍ତକ ତଥା ଆଧ୍ୟାତ୍ମିକ ନେତା ଭାବରେ ସ୍ମରଣ କରାଯାଇଥାଏ। ଜାତୀୟ ଜାଗୃତି ଉପରେ ତାଙ୍କର ଗୁରୁତ୍ୱ ସମସ୍ତ ପିଢ଼ୀଙ୍କୁ ପ୍ରେରଣା ଯୋଗାଇଆସୁଛି। ସେ ଯେଉଁ ଭାରତର ପରିକଳ୍ପନା କରିଥିଲେ, ଆମେ ତାହାକୁ ସାକାର କରିବାକୁ ପ୍ରତିବଦ୍ଧ।”

Categories
ଆଜିର ଖବର ଜାତୀୟ ଖବର

ଫକ୍ସକନ୍‌ର ଅଧ୍ୟକ୍ଷ ୟଙ୍ଗ୍ ଲିୟୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହନ୍ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍‌)ର ଅଧ୍ୟକ୍ଷ ୟଙ୍ଗ ଲିୟୁଙ୍କୁ ଭେଟିଛନ୍ତି। ବିଭିନ୍ନ ଭବିଷ୍ୟ କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ଚମତ୍କାର ସୁଯୋଗକୁ ଆଲୋକିତ କରିବା ସହ ଶ୍ରୀ ମୋଦୀ ଭାରତରେ ଫକ୍ସକନ୍‌ର ବିନିଯୋଗ ଯୋଜନା ଉପେରେ ମଧ୍ୟ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି;

“ହନ୍ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍‌)ର ଅଧ୍ୟକ୍ଷ ୟଙ୍ଗ୍ ଲିୟୁଙ୍କୁ ଭେଟି ଖୁବ୍ ଆନନ୍ଦିତ। ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ଭାରତର ପ୍ରଦାନ କରିବାକୁ ଥିବା ଚମତ୍କାର ସୁଯୋଗା ଉପରେ ମୁଁ ଆଲୋକପାତ କଲି। କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ସେମାନଙ୍କର ନିବେଶ ଯୋଜନା ଉପରେ ମଧ୍ୟ ଆମର ଭଲ ଆଲୋଚନା ହୋଇଥିଲା।”

Categories
ଆଜିର ଖବର ଜାତୀୟ ଖବର

ଲାଲକିଲ୍ଲାରୁ ୭୮ତମ ସ୍ୱାଧୀନତା ଦିବସ ଉତ୍ସବ: ଭବ୍ୟ ସମାରୋହ ପାଇଁ ପ୍ରାୟ ୬୦୦୦ ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫, ୨୦୨୪ରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାରେ ଦେଶବାସୀଙ୍କ ନେତୃତ୍ୱ ନେବେ। ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଏହି ସ୍ମାରକୀର ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଅଭିଭାଷଣ ଦେବେ। ଚଳିତ ବର୍ଷର ସ୍ୱାଧୀନତା ଦିବସର ବିଷୟବସ୍ତୁ ହେଉଛି ବିକଶିତ ଭାରତ @ ୨୦୪୭ । ଏହି ଉତ୍ସବ ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ସରକାରଙ୍କ ପ୍ରୟାସକୁ ଏକ ନୂତନ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ।

 ସ୍ବତନ୍ତ୍ର ଅତିଥି

ଜାତୀୟ ଉତ୍ସାହର ଏହି ପର୍ବରେ ଜନଭାଗିଦାରୀକୁ ବଢ଼ାଇବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଲାଲକିଲ୍ଲାରେ ଉତ୍ସବ ଦେଖିବା ପାଇଁ ପ୍ରାୟ ୬ ହଜାର ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଯୁବକ, ଆଦିବାସୀ ସମ୍ପ୍ରଦାୟ, କୃଷକ, ମହିଳା ଓ ଅନ୍ୟାନ୍ୟ ସ୍ବତନ୍ତ୍ର ଅତିଥି ଭାବେ ପରିଚିତ ଏହି ବ୍ୟକ୍ତିମାନେ ବିଭିନ୍ନ ସରକାରୀ ଯୋଜନା/ପ୍ରୋତ୍ସାହନ ସହାୟତାରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅଟଳ ଇନୋଭେସନ ମିଶନ ଏବଂ ପିଏମ୍‍ ଶ୍ରୀ (ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ) ଯୋଜନାର ଉପକୃତ ଛାତ୍ରଛାତ୍ରୀ ଏବଂ ‘ମେରି ମାଟି ମେରା ଦେଶ’ ଅଧୀନରେ ମେରା ଯୁବ ଭାରତ (ମାଇଁ ଭାରତ) ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଯୋଗ ଦେବେ । ଅତିଥିମାନଙ୍କ ମଧ୍ୟରେ ଆଦିବାସୀ କାରିଗର/ବନ ଧନ ବିକାଶ ସଦସ୍ୟ ଏବଂ ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଓ ଉନ୍ନୟନ ନିଗମ ଦ୍ୱାରା ଅନୁଦାନପ୍ରାପ୍ତ ଆଦିବାସୀ ଉଦ୍ୟୋଗୀମାନେ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ହିତାଧିକାରୀ ଏବଂ କୃଷକ ଉତ୍ପାଦନକାରୀ ସଂଗଠନର ପ୍ରତିନିଧିମାନେ ଯୋଗଦେବେ।

ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା), ସହାୟକ ନର୍ସ ମିଡୱାଇଫ (ଏଏନଏମ) ଏବଂ ଅଙ୍ଗନୱାଡି କର୍ମୀ; ନିର୍ବାଚିତ ମହିଳା ପ୍ରତିନିଧି; ସଂକଳ୍ପର ହିତାଧିକାରୀ: ମହିଳା ସଶକ୍ତିକରଣ କେନ୍ଦ୍ର, ଲକ୍ଷପତି ଦିଦି ଓ ଡ୍ରୋନ୍ ଦିଦି ଯୋଜନା ଏବଂ ସଖୀ କେନ୍ଦ୍ର ଯୋଜନା; ଏବଂ ଶିଶୁ କଲ୍ୟାଣ ସମିତି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତ୍ତାମାନେ ମଧ୍ୟ ଏହି ଉତ୍ସବ ଦେଖିବେ।

ନିକଟରେ ଶେଷ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳକୁ ମଧ୍ୟ ଏହି ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ପ୍ରତ୍ୟେକ ବ୍ଲକରୁ ଜଣେ ଅତିଥି; ସୀମା ସଡ଼କ ସଂଗଠନର କର୍ମକର୍ତ୍ତା; ପ୍ରେରଣା ସ୍କୁଲ କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ; ଏବଂ ପ୍ରାଥମିକତା କ୍ଷେତ୍ର ଯୋଜନାରେ ସଫଳତା ହାସଲ କରିଥିବା ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ପାରମ୍ପରିକ ପୋଷାକ ପିନ୍ଧି ପ୍ରାୟ ୨୦୦୦ ଲୋକଙ୍କୁ ଏହି ଭବ୍ୟ ସମାରୋହ ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଛି। ମାଇଁଗଭ ଏବଂ ଆକାଶବାଣୀର ମିଳିତ ସହଯୋଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବିଭିନ୍ନ ଅନଲାଇନ୍ ପ୍ରତିଯୋଗିତାର ୩ ହଜାର (୩୦୦୦) ବିଜେତା ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରିବେ।

 ସମାରୋହ

ଲାଲକିଲ୍ଲାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ରକ୍ଷା ରାଜ୍ୟମନ୍ତ୍ରୀ ଶ୍ରୀ ସଞ୍ଜୟ ସେଠ ଏବଂ ପ୍ରତିରକ୍ଷା ସଚିବ ଶ୍ରୀ ଗିରିଧର ଅରମାନେ ସ୍ୱାଗତ କରିବେ । ପ୍ରତିରକ୍ଷା ସଚିବ ଦିଲ୍ଲୀ ଏରିଆର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ଲେଫ୍ଟନାଣ୍ଟ ଜେନେରାଲ ଭବନୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ପରିଚିତ କରାଇବେ। ଏହାପରେ ଦିଲ୍ଲୀ ଅଞ୍ଚଳର ଜିଓସି ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଲାମ ସ୍ଥଳକୁ ନେଇଯିବେ, ଯେଉଁଠାରେ ଏକ ମିଳିତ ଆନ୍ତଃସେବା ଏବଂ ଦିଲ୍ଲୀ ପୋଲିସ ଗାର୍ଡ ପ୍ରଧାନମନ୍ତ୍ରୀଙ୍କୁ ସଲାମ ପ୍ରଦାନ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନର ପରିକ୍ରମଣ କରିବେ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ଗାର୍ଡ ଅଫ୍ ଅନର ଦଳରେ ସେନା, ନୌସେନା,  ବାୟୁସେନା ଏବଂ ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଏବଂ ୨୪ ଜଣ ଲେଖାଏଁ ଯବାନ ରହିବେ । ଚଳିତ ବର୍ଷ ଭାରତୀୟ ନୌସେନା ହେଉଛି ସମନ୍ୱୟ ସେବା । ଗାର୍ଡ ଅଫ୍ ଅନରକୁ କମାଣ୍ଡର ଅରୁଣ କୁମାର ମେହେଟ୍ଟା ପରିଚାଳନା କରିବେ । ପ୍ରଧାନମନ୍ତ୍ରୀଙ୍କ ଗାର୍ଡରେ ଥିବା ସେନା ଦଳର ନେତୃତ୍ୱ ମେଜର ଅର୍ଜୁନ ସିଂହ, ଲେଫ୍ଟନାଣ୍ଟ କମାଣ୍ଡର ଗୁଲିଆ ଭବେଶ ଏନକେ ନୌସେନା ଦଳ ଏବଂ ସ୍କ୍ୱାଡ୍ରନ୍ ଲିଡର ଅକ୍ଷରା ଉନିଆଲ ବାୟୁସେନା ର ନେତୃତ୍ୱ ନେବେ। ଅତିରିକ୍ତ ଡିସିପି ଅନୁରାଗ ଦ୍ୱିବେଦୀଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସ ଟିମ୍ ଗଠନ କରାଯାଇଛି।

ଗାର୍ଡ ଅଫ୍ ଅନର ପରିକ୍ରମଣ କରିବା ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରକୁ ଯିବେ ଯେଉଁଠାରେ ତାଙ୍କୁ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ରକ୍ଷା ରାଜ୍ୟମନ୍ତ୍ରୀ ଶ୍ରୀ ସଞ୍ଜୟ ସେଠ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧୁରୀ ସ୍ୱାଗତ କରିବେ । ଜାତୀୟ ପତାକା ଉତ୍ତୋଳନ ପାଇଁ ଦିଲ୍ଲୀ ସ୍ଥିତ ଜିଓସି ପ୍ରଧାନମନ୍ତ୍ରୀଙ୍କୁ ମଞ୍ଚକୁ ପାଛୋଟିନେବେ ।

ଲେଫ୍ଟନାଣ୍ଟ ସଞ୍ଜିତ ସାଇନି ଜାତୀୟ ପତାକା ଉତ୍ତୋଳନରେ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ କରିବେ। ଏହା ୧୭୨୧ ଫିଲ୍ଡ ବ୍ୟାଟେରୀ (ସମାରୋହ)ର ବୀର ବନ୍ଧୁକଧାରୀମାନଙ୍କ ଦ୍ୱାରା ୨୧ ତୋପ ସଲାମ ସହିତ ସମନ୍ୱିତ ହେବ । ସ୍ୱଦେଶୀ ୧୦୫ ମିଲିମିଟର ଲାଇଟ୍ ଫିଲ୍ଡ ବନ୍ଧୁକ ବ୍ୟବହାର କରି ଆନୁଷ୍ଠାନିକ ସମାରୋହର ନେତୃତ୍ୱ ମେଜର ସବନିସ୍‍ କୌଶିକ ନେବେ ଏବଂ ବନ୍ଧୁକ ସ୍ଥିତି ଅଧିକାରୀ ହେବେ ନାଏବ ସୁବେଦାର (ଏଆଇଜି) ଅନୁତୋଷ ସରକାର ।

ଜାତୀୟ ପତାକା ଉତ୍ତୋଳନ ସମୟରେ ସେନା, ନୌସେନା ଓ ବାୟୁସେନାର ଜଣେ ଅଧିକାରୀ ଏବଂ ୩୨ ଜଣ ଲେଖାଏଁ ଏବଂ ଦିଲ୍ଲୀ ପୋଲିସର ୧୨୮ ଜଣ ଯବାନଙ୍କୁ  ନେଇ ଗଠିତ ନ୍ୟାସନାଲ ଫ୍ଲାଗ ଗାର୍ଡ ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ କରିବେ । କମାଣ୍ଡର ବିନୟ ଦୁବେ ଏହି ଇଣ୍ଟର ସର୍ଭିସ ଗାର୍ଡ ଏବଂ ପୋଲିସ ଗାର୍ଡର କମାଣ୍ଡରେ ରହିବେ ।

ନ୍ୟାସନାଲ ଫ୍ଲାଗ ଗାର୍ଡରେ ଥିବା ଆର୍ମି କଣ୍ଟିଜେଣ୍ଟର ନେତୃତ୍ୱ ମେଜର ଦୀନେଶ ନାଗନଗୋମ, ଲେଫ୍ଟନାଣ୍ଟ କମାଣ୍ଡର ସଚିନ ଧନଖଡ ନୌସେନା ଦଳ ଏବଂ ସ୍କ୍ୱାର୍ଡନ ଲିଡର ସିଏସ୍ ଶ୍ରବଣ ଦେବୈୟାଙ୍କ ଦ୍ୱାରା ବାୟୁସେନା କଣ୍ଟିଜେଣ୍ଟ ଦାୟିତ୍ୱ ତୁଲାଇବେ। ଅତିରିକ୍ତ ଡିସିପି ଅଚିନ ଗର୍ଗ ଦିଲ୍ଲୀ ପୁଲିସ ଟିମର ନେତୃତ୍ୱ ନେବେ।

ତ୍ରିରଙ୍ଗା ଉତ୍ତୋଳନ ପରେ ତ୍ରିରଙ୍ଗାକୁ ‘ରାଷ୍ଟ୍ରୀୟ ଅଭିବାଦନ’ ମିଳିବ । ଗୋଟିଏ ଜେସିଓ ଓ ଅନ୍ୟାନ୍ୟ ପଦବୀକୁ ନେଇ ଗଠିତ ପଞ୍ଜାବ ରେଜିମେଣ୍ଟ ମିଲିଟାରୀ ବ୍ୟାଣ୍ଡ ଜାତୀୟ ପତାକା ଉତ୍ତୋଳନ ସମୟରେ ଜାତୀୟ ସଙ୍ଗୀତ ବଜାଇ ‘ରାଷ୍ଟ୍ରୀୟ ଅଭିବାଦନ’ ପ୍ରଦାନ କରିବ ଏବଂ ସୁବେଦାର ମେଜର ରାଜେନ୍ଦ୍ର ସିଂ ଏହି ବ୍ୟାଣ୍ଡ ପରିଚାଳନା କରିବେ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହେବା ମାତ୍ରେ ଲାଇନ୍ ଆଷ୍ଟର୍ନ ଫର୍ମେସନରେ ଭାରତୀୟ ବାୟୁସେନାର ଦୁଇଟି ଆଡଭାନ୍ସ ଲାଇଟ୍ ହେଲିକପ୍ଟର ଧ୍ରୁବ ଦ୍ୱାରା କାର୍ଯ୍ୟକ୍ରମ ସ୍ଥଳରେ ପୁଷ୍ପବର୍ଷା କରାଯିବ । ହେଲିକପ୍ଟରର କ୍ୟାପଟେନ୍‍ ରହିବେ ୱିଙ୍ଗକମାଣ୍ଡର ଅମ୍ବର ଅଗ୍ରୱାଲ ଏବଂ ୱିଙ୍ଗକମାଣ୍ଡର ରାହୁଲ ନୈନୱାଲ ।

ପୁଷ୍ପବର୍ଷା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ତାଙ୍କ ଭାଷଣ ଶେଷରେ ନ୍ୟାସନାଲ କ୍ୟାଡେଟ କର୍ପସ (ଏନସିସି)ର କ୍ୟାଡେଟମାନେ ଜାତୀୟ ସଙ୍ଗୀତ ଗାନ କରିବେ । ଦେଶର ବିଭିନ୍ନ ବିଦ୍ୟାଳୟର ମୋଟ ୨୦୦୦ ବାଳକ ଓ ବାଳିକା କ୍ୟାଡେଟ୍ (ସେନା, ନୌସେନା ଓ ବାୟୁସେନା) ଏହି ଉତ୍ସବରେ ଅଂଶଗ୍ରହଣ କରିବେ ଏହି କ୍ୟାଡେଟମାନେ ରାମପାର୍ଟ ସମ୍ମୁଖ ଜ୍ଞାନପଥରେ ବସିବେ। ସେମାନେ ତ୍ରିରଙ୍ଗା କିଟ୍ ସହିତ ‘ମାଇଁ ଭାରତ ‘ ଲୋଗୋ ତିଆରି କରିବେ । ମୋଟ ୫୦୦ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ସ୍ୱେଚ୍ଛାସେବୀ ମଧ୍ୟ ଅଂଶଗ୍ରହଣ କରିବେ ।

Categories
ଆଜିର ଖବର ଜାତୀୟ ଖବର

ହାତୀମାନେ ଆମ ସଂସ୍କୃତି ଓ ଇତିହାସ ସହ ଜଡ଼ିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଭିନ୍ନ ସମ୍ପ୍ରଦାୟରେ ହାତୀମାନଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ବିଶ୍ୱ ହସ୍ତୀ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ହାତୀମାନେ ଚଳପ୍ରଚଳ କରିବା ପାଇଁ ଏକ ଅନୁକୂଳ ଆବାସସ୍ଥଳୀ ଯୋଗାଇ ଦେବା ଦିଗରେ ଯଥାସମ୍ଭବ ପ୍ରଚେଷ୍ଟା ପାଇଁ ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ପୁଣି ଦୋହରାଇଛନ୍ତି।

ଆମ ସଂସ୍କୃତି ଓ ଇତିହାସରେ ହାତୀମାନେ କେତେ ମୂଲ୍ୟବାନ ଏବଂ ସେମାନଙ୍କର ଗୁରୁତ୍ୱ କେତେ ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ବିଗତ ବର୍ଷ ମାନଙ୍କରେ ହାତୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ହାତୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସମ୍ପ୍ରଦାୟରେ କରାଯାଉଥିବା ପ୍ରଚେଷ୍ଟାକୁ ପ୍ରଶଂସା କରିବା ପାଇଁ ବିଶ୍ୱ ହସ୍ତୀ ଦିବସ ଏକ ଅବସର। ଏଥିସହ ହାତମାନେ ଯେପରି ସୁରୁଖୁରୁରେ ଚଳପ୍ରଚଳ କରିପାରିବେ ସେଥିପାଇଁ ଏକ ଅନୁକୂଳ ଆବାସ ବାତାବରଣ ସୃଷ୍ଟି କରିବା ଦିଗରେ ଆମେ ପୁଣି ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ। ଆମ ଭାରତରେ ମଧ୍ୟ ହାତୀ ଆମ ସଂସ୍କୃତି ଓ ଇତିହାସ ସହ ଜଡ଼ିତ। ଏବଂ ଏହା ମଧ୍ୟ ଖୁସିର ବିଷୟ ଯେ ବିଗତ କେଇ ବର୍ଷ ମାନଙ୍କରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି।”

Categories
ଆଜିର ଖବର ଜାତୀୟ ଖବର

ଦେଶର କୃଷକମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସରକାର ଦେଶର କୃଷକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ୧୦୯ କିସମର ନୂଆ ଫସଲ ଜାରି କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରିବେଶ ଅନୁକୂଳ ଏବଂ ଉଚ୍ଚ ଅମଳକ୍ଷମ କିସମର ଫସଲ ଚାଷୀମାନଙ୍କର ଆୟ ବୃଦ୍ଧି କରିବ।

ପ୍ରାକୃତିକ ଚାଷ ପ୍ରତି କୃଷକମାନଙ୍କର ଆଗ୍ରହ ବୃଦ୍ଧି ପାଉଥିବାରୁ ଶ୍ରୀ ମୋଦୀ ଖୁସି ପ୍ରକାଶ କରିଛନ୍ତି। ଏହି ଅବସରରେ ଚାଷୀମାନଙ୍କର ଅନୁଭୂତି ଶୁଣିବା ସହ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆମେ କୃଷକ ଭାଇ ଓ ଭଉଣୀମାନଙ୍କୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏ ଦିଗରେ ଆଜି ଆମେ ଦିଲ୍ଲୀରେ ୧୦୯ଟି ନୂତନ କିସମର ଫସଲ ଜାରି କରିବାର ସୁଯୋଗ ପାଇଲୁ। ଏହି ଜଳବାୟୁ ଅନୁକୂଳ ଏବଂ ଅଧିକ ଅମଳକ୍ଷମ କିସମରୁ ଉତ୍ପାଦନରେ ବୃଦ୍ଧି ସହିତ ଆମର କୃଷକମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ।”

“ମୁଁ ସନ୍ତୁଷ୍ଟ ଯେ ଆମର କୃଷକ ଭାଇ ଓ ଭଉଣୀମାନେ ମଧ୍ୟ ଶୀଘ୍ର ପ୍ରାକୃତି ଚାଷ ଆଡକୁ ଅଗ୍ରସର ହେଉଛନ୍ତି। ଆଜି ମୁଁ ତାଙ୍କ ଅନୁଭୂତି ବିଷୟରେ ଅତି ନିକଟରୁ ଜାଣିବାର ସୁଯୋଗ ପାଇଲି। ଏହି ସମୟ ମଧ୍ୟରେ ଆମେ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ।”

Categories
ଆଜିର ଖବର ଜାତୀୟ ଖବର

୧୦୯ ଟି ଉଚ୍ଚ ଉତ୍ପାଦନକ୍ଷମ ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ଫସଲ ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ଠାରେ ୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ ଜଳବାୟୁ ସହନଶୀଳ ଏବଂ ଜୈବ ଉର୍ବରୀକରଣ ପ୍ରଜାତିର ଫସଲ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ନୂତନ ଫସଲ ପ୍ରଜାତିର ମହତ୍ତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ କିସମଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ କାରଣ ଏହା ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବା ସହିତ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ।

ପ୍ରଧାନମନ୍ତ୍ରୀ ବାଜରାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ଏବଂ ଲୋକମାନେ କିପରି ପୁଷ୍ଟିକର ଖାଦ୍ୟ ଆଡକୁ ଅଗ୍ରସର ହେଉଛନ୍ତି ସେ ବିଷୟରେ ଉଲ୍ଲେଖ କରିଥିଲେ। ପ୍ରାକୃତିକ ଚାଷର ଉପକାରିତା ଏବଂ ଜୈବିକ ଚାଷ ପ୍ରତି ସାଧାରଣ ଲୋକଙ୍କ ବୃଦ୍ଧି ପାଉଥିବା ଆସ୍ଥା ବିଷୟରେ ସେ କହିଥିଲେ ଯେ ଲୋକମାନେ ଜୈବିକ ଖାଦ୍ୟ ଖାଇବା ଏବଂ ଦାବି କରିବା ଆରମ୍ଭ କରିଛନ୍ତି। ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସକୁ କୃଷକମାନେ ପ୍ରଶଂସା କରିଛନ୍ତି।

ସଚେତନତା ସୃଷ୍ଟି କରିବାରେ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ର ଭୂମିକାକୁ ମଧ୍ୟ କୃଷକମାନେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ କେଭିକେଗୁଡିକ ପ୍ରତି ମାସରେ ବିକଶିତ ହେଉଥିବା ନୂତନ ପ୍ରଜାତିର ଲାଭ ବିଷୟରେ ସକ୍ରିୟ ଭାବରେ କୃଷକମାନଙ୍କୁ ଅବଗତ କରାଇବା ଉଚିତ ଯାହା ଦ୍ୱାରା ଏହାର ଫାଇଦାକୁ ନେଇ ସଚେତନତା ବୃଦ୍ଧି ପାଇବ।

ଏହି ନୂତନ ଫସଲ ପ୍ରଜାତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଅବ୍ୟବହୃତ ଫସଲକୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ଅନୁଯାୟୀ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ୬୧ ଟି ଫସଲର ୧୦୯ ଟି ପ୍ରଜାତି ମଧ୍ୟରେ ୩୪ଟି କ୍ଷେତ ଫସଲ ଏବଂ ୨୭ଟି ଉଦ୍ୟାନ କୃଷି ଫସଲ ଅନ୍ତର୍ଭୁକ୍ତ । କ୍ଷେତ ଫସଲ ମଧ୍ୟରେ ବାଜରା, ଚାରାଜାତୀୟ ଫସଲ, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା, ତନ୍ତୁଜାତୀୟ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଫସଲ ସମେତ ବିଭିନ୍ନ ଶସ୍ୟର ବିହନ ଜାରି କରାଯାଇଥିଲା। ଉଦ୍ୟାନ କୃଷି ଫସଲ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବାଡିବଗିଚାରେ ଚାଷ ହେଉଥିବା ଫସଲ, କନ୍ଦଜାତୀୟ ଫସଲ, ମସଲା, ଫୁଲ ଓ ଔଷଧୀୟ ଫସଲ ଜାରି କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଆଜି ୧୦୯ ହାଇ ୟଲ୍ଡିଂ, ପରିବେଶ ଅନୁକୂଳ ଏବଂ ପୋଷକତତ୍ତ୍ୱ ଥିବା ଶସ୍ୟର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୧୦୯ ହାଇ ୟଲ୍ଡିଂ, ପରିବେଶ ଅନୁକୂଳ ଏବଂ ପୋଷକତତ୍ତ୍ୱ ଥିବା ଶସ୍ୟର ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଓ ଗବେଷକମାନଙ୍କ ସହ ମଧ୍ୟ ଭାବ ବିନିମୟ କରିବେ।

ପ୍ରଧାନମନ୍ତ୍ରୀ ୧୦୯ ଭେରାଇଟିର ୬୧ଟି ଶସ୍ୟ ଉନ୍ମୋଚନ କରିବେ ଯାହା ମଧ୍ୟରେ ୩୪ କ୍ଷେତ୍ର ଫସଲ ଏବଂ ୨୭ଟି ଉଦ୍ୟାନ ଫସଲ ରହିଛି। କ୍ଷେତ୍ର ଫସଲ ମଧ୍ୟରେ ବାଜରା, ଗୋଖାଦ୍ୟ ଫସଲ, ତୈଳବୀଜ, ଡାଲି ଜାତୀୟ ଶସ୍ୟ, ଆଖୁ, କପା, ତନ୍ତୁ ଏବଂ ଅନ୍ୟାନ୍ୟ ସମ୍ଭାବିତ ଫସଲ ଭଳି ଡାଲି ଜାତୀୟ ଫସଲ ଉନ୍ମୋଚନ ହେବ । ଉଦ୍ୟାନ ଶସ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବୃକ୍ଷରୋପଣ, ଆଳୁ ଜାତୀୟ, ମସଲା, ଫୁଲ ଏବଂ ଔଷଧୀୟ ଫସଲ ଉନ୍ମୋଚନ ହେବ।

ପ୍ରଧାନମନ୍ତ୍ରୀ ସର୍ବଦା ପୁଷ୍ଟିକର ଚାଷ ଏବଂ ପରିବେଶ ଅନୁକୂଳ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରି ଆସିଛନ୍ତି। ସେ ମଧ୍ୟ ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡ଼ି ଭଳି ସରକାରୀ ଯୋଜନା ସହ ସମ୍ପର୍କ ଥିବା ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ବିଶିଷ୍ଟ ଶସ୍ୟକୁ ଗୁରୁତ୍ୱ ଦେଇଛନ୍ତି ଯାହାକି ଭାରତକୁ କୁପୋଷଣରୁ ମୁକ୍ତ କରିବ। ଏହି ପଦକ୍ଷେପ କୃଷକମାନଙ୍କର ଆୟ ବଢ଼ାଇବା ସହ ସେମାନଙ୍କ ପାଇଁ ଔଦ୍ୟୋଗିକତାର ନୂତନ କ୍ଷେତ୍ର ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ୧୦ ହାଇୟଲ୍ଡିଂ ଶସ୍ୟର ଉନ୍ମୋଚନ ଏ ଦିଗରେ ଆଉ ଏକ ପଦକ୍ଷେପ।

Categories
ଆଜିର ଖବର ଜାତୀୟ ଖବର

‘ସବୁ ପ୍ରକାର ସହାୟତା ଓ ରିଲିଫ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ସହ ଠିଆ ହୋଇଛି କେନ୍ଦ୍ର’’: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୱାୟନାଡରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଆମର ପ୍ରାର୍ଥନା ରହିଛି ଏବଂ ରିଲିଫ ପ୍ରୟାସରେ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରତିଶ୍ରୁତି ଦେଇଛି। କେନ୍ଦ୍ର ସରକାର ପ୍ରତ୍ୟେକ ସହାୟତା ଓ ରିଲିଫ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ସହ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କେରଳର ୱାୟନାଡରେ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆହତ ହୋଇଥିବା ରୋଗୀମାନଙ୍କୁ ଭେଟିବା ସହ ରିଲିଫ ଶିବିରରେ ରହୁଥିବା ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏକ ସମୀକ୍ଷା ବୈଠକରେ ଶ୍ରୀ ମୋଦୀ ଆଶ୍ୱାସନା ଦେଇଛନ୍ତି ଯେ ଏହି ଦୁଃଖ ସମୟରେ କେନ୍ଦ୍ର ସରକାର ଏବଂ ସାରା ଦେଶ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କ ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିସ୍ତୃତ ସ୍ମାରକପତ୍ର ପଠାଯିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୱାୟନାଡରେ ଉଦ୍ଧାର କାର୍ଯ୍ୟ ଉପରେ ସେ ନଜର ରଖିଛନ୍ତି ଏବଂ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସେ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପ୍ରଦାନ କରାଯାଇ ସାରିଛି ଏବଂ ଅବଶିଷ୍ଟ ଭାଗ ମଧ୍ୟ ତୁରନ୍ତ ପ୍ରଦାନ କରାଯିବ।

ଶ୍ରୀ ମୋଦୀ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା କରିପାରୁଥିବା ସମସ୍ତ କେନ୍ଦ୍ରୀୟ ଏଜେନ୍ସିକୁ ଏକତ୍ରିତ କରାଯାଇଛି ଏବଂ ସେମାନେ ପ୍ରଭାବିତଙ୍କୁ ସାହାଯ୍ୟ କରୁଛନ୍ତି। ଏନଡିଆରଏଫ, ଏସଡିଆରଏଫ, ସେନା, ରାଜ୍ୟ ପୋଲିସ, ସ୍ଥାନୀୟ ଚିକିତ୍ସା ବଳ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ସେବା ଭିତ୍ତିକ ଅନୁଷ୍ଠାନର ଯବାନମାନେ ତୁରନ୍ତ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ।

ବିଶେଷ କରି ପରିବାରବର୍ଗଙ୍କୁ ହରାଇଥିବା ପିଲାମାନଙ୍କ ସମେତ ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ନୂତନ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରରୁ ଆବଶ୍ୟକ ସମସ୍ତ ସହଯୋଗରେ ରାଜ୍ୟ ସରକାର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ୱାୟନାଡବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ଘର, ସ୍କୁଲ, ସଡ଼କ ଭିତ୍ତିଭୂମି ଏବଂ ପିଲାଙ୍କ ଭବିଷ୍ୟତ ହେଉ ଏହି ଅଞ୍ଚଳରେ ଜୀବିକା ପୁନରୁଦ୍ଧାର କରିବା ପାଇଁ ଦେଶ ଏବଂ କେନ୍ଦ୍ର ସରକାର ଯଥାସମ୍ଭବ ଉଦ୍ୟମ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

06 ଟି ରେଳ ପ୍ରକଳ୍ପକୁ ଅନୁମୋଦନ: ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କ୍ୟାବିନେଟ କମିଟି ଦ୍ୱାରା ଗତକାଲି ଓଡିଶା ପାଇଁ ପ୍ରାୟ 15004 କୋଟି ଟଙ୍କାର ଛଅ ଗୋଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କମିଟି ରେଳ ମନ୍ତ୍ରଣାଳୟର ଆଠ ଗୋଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ଯାହାର ମୋଟ ଆନୁମାନିକ ମୂଲ୍ୟ ₹24,657 କୋଟି ଟଙ୍କା।

ନୂତନ ରେଳ ପ୍ରକଳ୍ପ ଗୁଡ଼ିକ ସିଧାସଳଖ ସଂଯୋଗ ଯୋଗାଇବ ଓ ଗତିଶୀଳତାକୁ ଉନ୍ନତ କରିବା ସହିତ ଭାରତୀୟ ରେଳ ପାଇଁ ଉନ୍ନତ ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ପ୍ରଦାନ କରିବ। ଏହି ପ୍ରକଳ୍ପଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ନୂତନ ଭାରତର ଦର୍ଶନର ଅନୁରୂପ ଅଟେ ଯାହା ଏହି ଅଞ୍ଚଳର ଲୋକଙ୍କୁ “ଆତ୍ମନିର୍ଭର” କରାଇବ ଯାହାଦ୍ୱାରା ସେମାନଙ୍କର ନିଯୁକ୍ତି / ଆତ୍ମ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ।

ମଲ୍ଟି-ମୋଡାଲ୍ କନେକ୍ଟିଭିଟି ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଫଳସ୍ୱରୂପ ଏହି ପ୍ରକଳ୍ପ ଗୁଡିକ ହାତକୁ ନିଆଯାଇଅଛି ଯାହା ଏକୀକୃତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଯାତ୍ରୀ, ଦ୍ରବ୍ୟ ପରିବହନ ପାଇଁ ସେବାଗୁଡିକର ନିରନ୍ତର ସଂଯୋଗ ଯୋଗାଇବ।

ସାତଟି ରାଜ୍ୟର 14 ଟି ଜିଲ୍ଲା ଅର୍ଥାତ୍ ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର 8 ଟି (ଆଠ) ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ନେଟୱାର୍କକୁ 900 କିମି ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡିକରେ 64 ଟି ନୂତନ ଷ୍ଟେସନ୍ ନିର୍ମାଣ ହେବ, ଯାହା ଛଅ (6) ଆକାଂକ୍ଷା ଜିଲ୍ଲା (ପୂର୍ବ ସିଂହଭୂମ, ଭାଦାଦ୍ରି କୋଥାଗୁଡେମ୍, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା) କୁ ସଂଯୋଗ ବୃଦ୍ଧି କରିବା ସହିତ 510 ଗାଁ ଏବଂ ପ୍ରାୟ 40 ଲକ୍ଷ ଜନସଂଖ୍ୟାକୁ ଯୋଡି ହେବ।

କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ବକ୍ସାଇଟ୍, ଚୂନ ପଥର, ଆଲୁମିନିୟମ୍ ପାଉଡର, ଗ୍ରାନାଇଟ୍, ବାଲାଷ୍ଟ, କଣ୍ଟେନର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏହି ପ୍ରକଳ୍ପ ଗୁଡିକ ଅତ୍ୟାବଶ୍ୟକ ମାର୍ଗ ଭାବେ ବିବେଚିତ ହେବ। ଏହା ଦ୍ୱାରା ଅତିରିକ୍ତ ପଣ୍ୟ ପରିବହନ ଟ୍ରାଫିକ୍ ସୃଷ୍ଟି କରିବା ସହିତ 143 MTPA (ବାର୍ଷିକ ମିଲିୟନ୍ ଟନ୍ସ୍) କ୍ଷମତା ବୃଦ୍ଧି କରିପାରିବ। ରେଳବାଇ ପରିବେଶ ଅନୁକୂଳ ଏବଂ ପରିବହନର ଦକ୍ଷତା ଶକ୍ତି ଗୁଡିକର ମାଧ୍ୟମ ହୋଇ ଉଭୟ ଜଳବାୟୁ ଏବଂ ଦେଶର ଲଜିଷ୍ଟିକ୍ ମୂଲ୍ୟ ହ୍ରାସ କରିବାରେ ଲକ୍ଷ୍ୟ ହାସଲ କରିବ ଯାହାଦ୍ୱାରା ତୈଳ ଆମଦାନୀ (32.20 କୋଟି ଲିଟର) ଏବଂ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନକୁ (0.87 ମିଲିୟନ୍ ଟନ୍) ହ୍ରାସ କରିବାରେ ସାହାଯ୍ୟ କରିବ ଯାହାକି 3.5 କୋଟି ବୃକ୍ଷ ରୋପଣ ସହିତ ସମାନ।

ଓଡିଶାରେ ମଞ୍ଜୁର ହୋଇଥିବା ନୂତନ ରେଳ ପ୍ରକଳ୍ପ ଗୁଡ଼ିକ ହେଉଛି ₹1326 କୋଟି ଟଙ୍କା ମୂଲ୍ୟର 73.62 କିମି ଦୈର୍ଘ୍ୟ ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ (ରାୟଗଡା) ଜିଲ୍ଲା; ₹3274 କୋଟି ଟଙ୍କା ମୂଲ୍ୟର 116.21 କିମି ଦୈର୍ଘ୍ୟ ଜୁନାଗଡ଼ ରୋଡ଼-ନବରଙ୍ଗପୁର ନୂତନ ରେଳ ଲାଇନ (ନବରଙ୍ଗପୁର ଓ କଳାହାଣ୍ଡି) ଜିଲ୍ଲା; ₹4109 କୋଟି ଟଙ୍କା ମୂଲ୍ୟର 173.61 କିମି ଦୈର୍ଘ୍ୟ ମାଲକାନଗିରି-ପାଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ (ଓଡ଼ିଶାର ମାଲକାନଗିରି, ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଓ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ) ଜିଲ୍ଲା; ₹2107 କୋଟି ଟଙ୍କା ମୂଲ୍ୟର 82.06 କିମି ଦୈର୍ଘ୍ୟ ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ (କେନ୍ଦୁଝର ଓ ମୟୁରଭଞ୍ଜ) ଜିଲ୍ଲା; ₹2549 କୋଟି ଟଙ୍କା ମୂଲ୍ୟର 85.60 କିମି ଦୈର୍ଘ୍ୟ ବାଙ୍ଗିରିପୋଷି-ଗୋରୁମହିଷାଣି ନୂତନ ରେଳ ଲାଇନ (ମୟୁରଭଞ୍ଜ) ଜିଲ୍ଲା; ₹1639 କୋଟି ଟଙ୍କା ମୂଲ୍ୟର 59.96 କିମି ଦୈର୍ଘ୍ୟ ବୁଡ଼ାମରା-ଚକୁଳିଆ ନୂତନ ରେଳ ଲାଇନ (ଓଡ଼ିଶାର ମୟୁରଭଞ୍ଜ, ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଓ ପଶ୍ଚିମ ବଙ୍ଗର ଝାରଗ୍ରାମ) ଜିଲ୍ଲା ମାନଙ୍କରେ ସେବା ଉପଲବ୍ଧ କରାଇବ।

ଗଣମାଧ୍ୟମକୁ ସୂଚନା ଦେଇ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରରେ ଡବଲ୍ ଇଞ୍ଜିନ ସରକାରକୁ ଦୃଷ୍ଟିରେ ରଖି ରାଜ୍ୟରେ ଚାଲୁରହିଥିବା ସମସ୍ତ ନୂତନ ପ୍ରକଳ୍ପ ଗୁଡିକ ସହିତ ଏହି ନୂତନ ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରେଳ ଲାଇନ ନିର୍ମାଣରେ ଉପୁଜୁଥିବା ବାଧା ଗୁଡିକର ଶୀଘ୍ର ସମାଧାନ ହେବ। ଏହି ପ୍ରକଳ୍ପଗୁଡିକ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଭାରତର ବିକାଶର ଦୃଷ୍ଟିକୋଣରେ ସ୍ଥାନାପାଇଁଅଛି। ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ ପାଇଁ ଏକ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଯୋଜନା କରାଯାଇଛି।  ଅଦ୍ୟାବଧି, ₹ 70 ହଜାର କୋଟି ମୂଲ୍ୟର ପ୍ରକଳ୍ପ ଓଡିଶା ପାଇଁ ମଞ୍ଜୁର ହୋଇସାରିଛି।

ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ସାଂସଦ ମାନେ ନବ ଚରଣ ମାଝୀ (ମୟୂରଭଞ୍ଜ), ବଳଭଦ୍ର ମାଝୀ (ନବରଙ୍ଗପୁର), ଅନନ୍ତ ନାୟକ (କେନ୍ଦୁଝର) ଏବଂ କଳାହାଣ୍ଡି ସାଂସଦ ମାଳବୀକା ଦେଓ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀ ବୈଷ୍ଣବଙ୍କ ସହ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅଧିକ ଉତ୍ପାଦନକ୍ଷମ, ପରିବେଶ ଅନୁକୂଳ ଏବଂ ପୋଷକ ଭିତ୍ତିକ ଶସ୍ୟର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୧୦୯ ହାଇ ୟଲ୍ଡିଂ, ପରିବେଶ ଅନୁକୂଳ ଏବଂ ପୋଷକତତ୍ତ୍ୱ ଥିବା ଶସ୍ୟର ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଓ ଗବେଷକମାନଙ୍କ ସହ ମଧ୍ୟ ଭାବ ବିନିମୟ କରିବେ।

ପ୍ରଧାନମନ୍ତ୍ରୀ ୧୦୯ ଭେରାଇଟିର ୬୧ଟି ଶସ୍ୟ ଉନ୍ମୋଚନ କରିବେ ଯାହା ମଧ୍ୟରେ ୩୪ କ୍ଷେତ୍ର ଫସଲ ଏବଂ ୨୭ଟି ଉଦ୍ୟାନ ଫସଲ ରହିଛି। କ୍ଷେତ୍ର ଫସଲ ମଧ୍ୟରେ ବାଜରା, ଗୋଖାଦ୍ୟ ଫସଲ, ତୈଳବୀଜ, ଡାଲି ଜାତୀୟ ଶସ୍ୟ, ଆଖୁ, କପା, ତନ୍ତୁ ଏବଂ ଅନ୍ୟାନ୍ୟ ସମ୍ଭାବିତ ଫସଲ ଭଳି ଡାଲି ଜାତୀୟ ଫସଲ ଉନ୍ମୋଚନ ହେବ । ଉଦ୍ୟାନ ଶସ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବୃକ୍ଷରୋପଣ, ଆଳୁ ଜାତୀୟ, ମସଲା, ଫୁଲ ଏବଂ ଔଷଧୀୟ ଫସଲ ଉନ୍ମୋଚନ ହେବ।

ପ୍ରଧାନମନ୍ତ୍ରୀ ସର୍ବଦା ପୁଷ୍ଟିକର ଚାଷ ଏବଂ ପରିବେଶ ଅନୁକୂଳ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରି ଆସିଛନ୍ତି । ସେ ମଧ୍ୟ ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡ଼ି ଭଳି ସରକାରୀ ଯୋଜନା ସହ ସମ୍ପର୍କ ଥିବା ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ବିଶିଷ୍ଟ ଶସ୍ୟକୁ ଗୁରୁତ୍ୱ ଦେଇଛନ୍ତି ଯାହାକି ଭାରତକୁ କୁପୋଷଣରୁ ମୁକ୍ତ କରିବ । ଏହି ପଦକ୍ଷେପ କୃଷକମାନଙ୍କର ଆୟ ବଢ଼ାଇବା ସହ ସେମାନଙ୍କ ପାଇଁ ଔଦ୍ୟୋଗିକତାର ନୂତନ କ୍ଷେତ୍ର ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ୧୦ ହାଇୟଲ୍ଡିଂ ଶସ୍ୟର ଉନ୍ମୋଚନ ଏ ଦିଗରେ ଆଉ ଏକ ପଦକ୍ଷେପ ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ସିଂହ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ବିଶ୍ୱ ସିଂହ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଂହ ସଂରକ୍ଷଣ ଏବଂ ସୁରକ୍ଷା କାର୍ଯ୍ୟରେ ଜଡିତ ସମସ୍ତଙ୍କୁ ସାବାସୀ ଦେଇଛନ୍ତି। ଶ୍ରୀ ମୋଦୀ ଫେବୃଆରୀ ୨୦୨୪ରେ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ଉପରେ ଆଲୋକପାତ କରିଛନ୍ତି, ଯାହା ବଡ ବିଲେଇମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛି। ଏହି ଅବସରରେ ସମଗ୍ର ବିଶ୍ୱରୁ ମିଳିଥିବା ଉତ୍ସାହଜନକ ପ୍ରତିକ୍ରିୟାରେ ସେ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ବନ୍ୟଜନ୍ତୁ ପ୍ରେମୀଙ୍କୁ ଗିର ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ଏବଂ ଗୁଜରାଟର ଲୋକମାନଙ୍କର ଅତିଥ୍ୟ ଗ୍ରହଣ କରିବା ସହ ସିଂହର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଜାଣିବାକୁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି।

ଏକ୍ସରେ ଏକ ଟ୍ୱିଟ୍ ଥ୍ରେଡ୍ ପୋଷ୍ଟ କରି ଶ୍ରୀ ମୋଦୀ କହିଛନ୍ତି;

“ବିଶ୍ୱ ସିଂହ ଦିବସରେ ମୁଁ ସିଂହ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ପ୍ରଶଂସା କରୁଛି ଏବଂ ଏହି ବଡ ବିଲେଇମାନଙ୍କୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି। ଆମେ ସମସ୍ତେ ଜାଣିଛୁ ଯେ, ଭାରତର ଗୁଜାରଟର ଗିରଠାରେ ସିଂହମାନଙ୍କର ଏକ ବୃହତ୍ ଜନସଂଖ୍ୟା ବାସ କରନ୍ତି। ବର୍ଷ ବର୍ଷ ଧରି ସେମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି, ଯାହା ଏକ ଭଲ ଖବର।”

“ଚଳିତ ବର୍ଷ ଫେବୃଆରୀରେ, ବଡ ବିଲେଇମାନେ ରହୁଥିବା ବିଶ୍ୱର ସମସ୍ତ ଦେଶକୁ ଏକତ୍ର କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠାକୁ ଅନୁମୋଦନ ପ୍ରଦାନ କରିଛି। ସ୍ଥାୟୀ ବିକାଶକୁ ବୃଦ୍ଧି କରିବା ପାଇଁ ଏହା ଏକ ସାମଗ୍ରିକ ଆଭିମୁଖ୍ୟ ଗଠନ କରିବାକୁ ଚେଷ୍ଟା କରେ ଏବଂ ଏହି ପରିପ୍ରେକ୍ଷୀରେ ସମ୍ପ୍ରଦାୟର ଉଦ୍ୟମକୁ ମଧ୍ୟ ସମର୍ଥନ କରେ। ଏହି ପ୍ରୟାସକୁ ବିଶ୍ୱବ୍ୟାପୀ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି।”

“ମୁଁ ମଧ୍ୟ ସମସ୍ତ ବନ୍ୟଜନ୍ତୁ ପ୍ରେମୀଙ୍କୁ ଗିର୍‌ରେ ଏସିଆର ରାଜକୀୟ ସିଂହ ଆବିଷ୍କାର କରିବାକୁ ନିମନ୍ତ୍ରଣ କରୁଛି। ଏହି ଅବସରରେ ସମସ୍ତେୁ ସିଂହର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ ଏବଂ ଏଥିସହ ଗୁଜରାଟର ଲୋକମାନଙ୍କର ଆତିଥ୍ୟକୁ ମଧ୍ୟ ଅନୁଭବ କରିପାରିବେ।”

Categories
ଜାତୀୟ ଖବର ବିଶେଷ ଖବର

‘‘ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନା’’ରେ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ଜୈବ ଇନ୍ଧନ କ୍ଷେତ୍ରରେ ସଦ୍ୟତମ ବିକାଶ ସହିତ ତାଳମେଳ ରକ୍ଷା କରିବା ଏବଂ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ସଂଶୋଧିତ ପ୍ରଧାନମନ୍ତ୍ରୀ ଜୀ-ବନ ଯୋଜନାକୁ ଅନୁମୋଦନ କରାଯାଇଛି।

ସଂଶୋଧିତ ପ୍ରସ୍ତାବରେ ଏହି ଯୋଜନାକୁ ୫ ବର୍ଷ ଅର୍ଥାତ୍ ୨୦୨୮-୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାର ସମୟସୀମା ବୃଦ୍ଧି କରାଯାଇଛି ଏବଂ ଏହାର ପରିସରରେ ଲିଗ୍ନୋସେଲୁଲୋସିକ୍ ଫିଡଷ୍ଟକ୍ ରୁ ଉତ୍ପାଦିତ ଉନ୍ନତ ଜୈବ ଇନ୍ଧନ ଯଥା କୃଷି ଓ ଜଙ୍ଗଲ ବର୍ଜ୍ୟ, ଶିଳ୍ପ ବର୍ଜ୍ୟବସ୍ତୁ, ସିନ୍ଥେସିସ୍ (ସିନ୍) ଗ୍ୟାସ୍, ଶୈବାଳ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଛି। ‘‘ବୋଲ୍ଟ ଅନ୍’’ ପ୍ଲାଣ୍ଟ ଏବଂ ‘‘ବ୍ରାଉନଫିଲ୍ଡ ପ୍ରୋଜେକ୍ଟ’’ ମଧ୍ୟ ବର୍ତ୍ତମାନ ସେମାନଙ୍କ ଅଭିଜ୍ଞତାକୁ ଉପଯୋଗ କରିବା ଓ ନିଜ ସାମର୍ଥ୍ୟରେ ଉନ୍ନତି ଆଣିବା ପାଇଁ ଯୋଗ୍ୟ ହେବେ ।

ଏକାଧିକ ଜ୍ଞାନକୌଶଳ ଏବଂ ଏକାଧିକ ଫିଡଷ୍ଟକକୁ ପ୍ରୋତ୍ସାହିତ କରିବା ପାଇଁ, ବର୍ତ୍ତମାନ ଏହି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ଅଭିନବତା ରହିଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ପ୍ରାଥମିକତା ଦିଆଯିବ ।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସେମାନଙ୍କ କୃଷି ବର୍ଜ୍ୟ ସାମଗ୍ରୀ ପାଇଁ ଲାଭଦାୟକ ଆୟ ପ୍ରଦାନ କରିବା, ପରିବେଶ ପ୍ରଦୂଷଣର ମୁକାବିଲା କରିବା, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଭାରତର ଇନ୍ଧନ ସୁରକ୍ଷା ଓ ଆତ୍ମନିର୍ଭରଶୀଳତାରେ ଯୋଗଦାନ କରିବା । ଏହା ଉନ୍ନତ ଜୈବ ଇନ୍ଧନ ପ୍ରଯୁକ୍ତିଗତ ବିକାଶକୁ ସମର୍ଥନ କରିବା ସହିତ ମେକ୍ ଇନ୍ ଇଣ୍ଡିଆ ମିଶନକୁ ପ୍ରୋତ୍ସାହିତ କରେ । ଏହା ୨୦୭୦ ସୁଦ୍ଧା ଶୁଦ୍ଧ-ଶୂନ୍ୟ ଜିଏଚଜି ନିର୍ଗମନ ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନା ମାଧ୍ୟମରେ ଉନ୍ନତ ଜୈବ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଏକ ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳ ଶକ୍ତି କ୍ଷେତ୍ର ପ୍ରତି ରହିଥିବା ସମର୍ପଣକୁ ପ୍ରତିଫଳିତ କରେ ।

ପୃଷ୍ଠଭୂମି :

ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ପ୍ରୋତ୍ସାହିତ କରୁଛନ୍ତି ଯେଉଁଥିରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମସି) ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିଥାନ୍ତି । ଇବିପି କାର୍ଯ୍ୟକ୍ରମ ଅଧୀନରେ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ୨୦୧୩-୧୪ରେ ପେଟ୍ରୋଲ ସହିତ ଇଥାନଲ୍ ର ମିଶ୍ରଣ ୩୮ କୋଟି ଲିଟର ଥିବା ବେଳେ ୨୦୨୨-୨୩ରେ ଏହା ୫୦୦ କୋଟି ଲିଟରରୁ ଅଧିକକୁ ବୃଦ୍ଧି ପାଇଛି। ୨୦୨୪ ଜୁଲାଇ ମାସରେ ମିଶ୍ରଣ ପ୍ରତିଶତ ୧୫.୮୩% ଛୁଇଁଛି ଏବଂ ଚଳିତ ଇଏସୱାଇ ୨୦୨୩-୨୪ରେ ସମୁଦାୟ ମିଶ୍ରଣ ପ୍ରତିଶତ ୧୩% ଅତିକ୍ରମ କରିଛି।

୨୦୨୫-୨୬ ଶେଷ ସୁଦ୍ଧା ୨୦% ମିଶ୍ରଣ ଲକ୍ଷ୍ୟ ହାସଲ କରିବାକୁ ଓଏମସି ଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି। ଆକଳନ ମୁତାବକ, ୨୦% ମିଶ୍ରଣ ହାସଲ କରିବା ପାଇଁ ଇଏସୱାଇ ୨୦୨୫-୨୬ ରେ ୧୧୦୦ କୋଟି ଲିଟରରୁ ଅଧିକ ଇଥାନଲ୍ ଆବଶ୍ୟକ ହେବ । ଏଥିପାଇଁ ମିଶ୍ରଣ ଆବଶ୍ୟକତା ପୂରଣ କରିବା ଏବଂ ଅନ୍ୟାନ୍ୟ ବ୍ୟବହାର (ପୋଟେବଲ, ରାସାୟନିକ, ଔଷଧ ଇତ୍ୟାଦି) ପାଇଁ ୧୭୫୦ କୋଟି ଲିଟର ଇଥାନଲ୍ ଡିଷ୍ଟିଲେସନ୍ କ୍ଷମତା ସ୍ଥାପନ କରିବା ଆବଶ୍ୟକ ।

ଇଥାନଲ ମିଶ୍ରଣ ଲକ୍ଷ୍ୟ ପୂରଣ କରିବା ପାଇଁ ସରକାର ଦ୍ୱିତୀୟ ପିଢ଼ିର (୨ଜି) ଇଥାନଲ (ଉନ୍ନତ ଜୈବ ଇନ୍ଧନ) ଭଳି ବିକଳ୍ପ ଉତ୍ସ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଅତ୍ୟାଧୁନିକ ଜୈବ ଇନ୍ଧନ ଜ୍ଞାନକୌଶଳ ବ୍ୟବହାର କରି ଅତିରିକ୍ତ ବାୟୋମାସ୍ /କୃଷି ବର୍ଜ୍ୟବସ୍ତୁ ଯେଉଁଥିରେ ସେଲୁଲୋଜିକ୍ ଏବଂ ଲିଗ୍ନୋସେଲୁଲୋସିକ୍ ଅଂଶ, ଶିଳ୍ପ ବର୍ଜ୍ୟବସ୍ତୁ ଇତ୍ୟାଦି ରହିଛି ତାହାକୁ ଇଥାନଲରେ ରୂପାନ୍ତରିତ କରାଯାଇପାରିବ ।

ଦେଶରେ ଟୁ-ଜି ଇଥାନଲ୍ କ୍ଷମତାକୁ ପ୍ରୋତ୍ସାହିତ କରିବା ଏବଂ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଟୁ-ଜି ବାୟୋ-ଇଥାନଲ ପ୍ରକଳ୍ପକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ୦୭.୦୩.୨୦୧୯ରେ ‘‘ପ୍ରଧାନମନ୍ତ୍ରୀ ଜୀ-ବନ୍ (ଜୟବ ଇନ୍ଧନ- ଭାତବରଣ ଅନୁକୂଳ ନିବାସ) ଯୋଜନା’’ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଏହି ଯୋଜନା ଅଧୀନରେ ହରିୟାଣାର ପାନିପତ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଦ୍ୱାରା ସ୍ଥାପିତ ପ୍ରଥମ ଟୁ-ଜି ଇଥାନଲ ପ୍ରକଳ୍ପକୁ ମାନ୍ୟବର ପ୍ରଧାନମନ୍ତ୍ରୀ ୧୦ ଅଗଷ୍ଟ ୨୦୨୨ ରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ବିପିସିଏଲ୍, ଏଚପିସିଏଲ୍ ଓ ଏନ୍ ଆର୍ ଏଲ୍ ପକ୍ଷରୁ ବରଗଡ଼ (ଓଡ଼ିଶା), ଭଟିଣ୍ଡା (ପଞ୍ଜାବ) ଏବଂ ନୁମାଲିଗଡ଼ (ଆସାମ)ରେ ପ୍ରତିଷ୍ଠା କରାଯାଉଥିବା ଅନ୍ୟ ଟୁ-ଜି ବାଣିଜ୍ୟିକ ପ୍ରକଳ୍ପ ଗୁଡ଼ିକ ମଧ୍ୟ ଶେଷ ହେବାକୁ ଯାଉଛି।