Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ସମସ୍ୟା ନେଇ ମିଳିତ ସମନ୍ୱୟ ସମିତି ତରଫରୁ ଗଣଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଶୀର୍ଷ ନେତୃତ୍ୱ ମାନଙ୍କ ସହିତ ଗଣଶିକ୍ଷା ମନ୍ତ୍ରୀଙ୍କର ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସକରାତ୍ମକ ଥିଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

ପ୍ରକାଶଥାଉକି, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସଭାପତି ସୁକାନ୍ତ କୁମାର ବେହେରା ଏବଂ ଆବାହକ ରଞ୍ଜନ କୁମାର ଦାଶଙ୍କ ନେତୃତ୍ୱରେ ସାତୋଟି ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ନଅ ଜଣିଆ ପ୍ରତିନିଧି ଦଳ ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂଙ୍କ ମଧ୍ୟସ୍ଥତାରେ ଏବଂ ଭଟ୍‌ଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଏକ ସାକ୍ଷାତ ଆଲୋଚନା ବିଧାନସଭାସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ସମନ୍ୱୟ ସମିତିର ନେତୃତ୍ୱମାନେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଏବଂ ଗଣଶିକ୍ଷା ବିଭାଗର ବ୍ୟକ୍ତିଗତ ସଚିବ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ୨୦୧୩ ଅନୁଦାନ ଆଇନ୍‌ରୁ ବଞ୍ଚିତ ହୋଇଥିବା ୧୬୭ଟି ବିଦ୍ୟାଳୟ ଯାହା ପରବର୍ତ୍ତି ପର୍ଯ୍ୟାୟରେ ୧୯୪ରେ ପରିଣତ ହୋଇଛି, ସେହି ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ପାଇଁ ୧୯୮୧ ପେନସନ୍ ରୁଲ୍ ଆଧାରରେ, ୧୨.୦୧.୨୦୨୪ରେ ପ୍ରକାଶ ପାଇଥିବା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଅବସରକାଳୀନ ସୁବିଧା ଏବଂ ଚାକିରି ସର୍ତ୍ତାବଳୀ ପ୍ରଦାନ କରିବା, ଦୁଇଟି ପିଅନ ଏବଂ ବାଦ୍ ପଡ଼ିଥିବା ବିଦ୍ୟାଳୟଗୁଡ଼ିକର ଆଣ୍ଟିଡେସନ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ ଲାଗୁ କରିବା, ସପ୍ତମ ବେତନରୁ ବଞ୍ଚିତ ଶିକ୍ଷକ ମାନଙ୍କୁ ସପ୍ତମ ବେତନ ପ୍ରଦାନ, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ, ସଂସ୍କୃତ ଶିକ୍ଷକମାନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଟିଜି ମାନ୍ୟତା ପ୍ରଦାନ, ବିଭିନ୍ନ ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରିକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ଛଅଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ କରିବା ଆଦି ସମସ୍ୟାଗୁଡ଼ିକୁ ଖୁବ୍ ଶିଘ୍ର ସମାଧାନ କରାଯିବା ନିମନ୍ତେ ଏକ କମିଟି ଗଠନ କରାଯାଇଛି। ତାହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ କମିଟି ବସି ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ଥିବା ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ।

ଆଲୋଚନାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ, ବ୍ରଜକିଶୋର ବିଶ୍ୱାଳ, ରଞ୍ଜନ କୁମାର ପଣ୍ଡା, ଅଜୟ କୁମାର ପତି, ପ୍ରଦୀପ ମଙ୍ଗରାଜ, ରମାକାନ୍ତ ମହାପାତ୍ର, ସୁରେଶ ଦାଶ, ଓ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକମାନଙ୍କ ପାରିଶ୍ରମିକ ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସମଗ୍ର ଶିକ୍ଷା ଅଧୀନରେ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ (ସ୍କିମାଟିକ) ମାନଙ୍କ ଦରମା ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଧନ୍ୟବାଦ ଜଣାଇଛନ୍ତି।

ମନ୍ତ୍ରୀ ଶ୍ରୀ ଗଣ୍ଡ ସାମାଜିକ ଗଣମାଧ୍ୟମ X ରେ ଏକ ପୋଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଏହି ନିଷ୍ପତ୍ତି ଶିକ୍ଷାଦାତାଙ୍କୁ ସଶକ୍ତ କରିବା ସହିତ ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବ ବୋଲି କହିଛନ୍ତି।

ସୂଚନା ଥାଉକି, ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଦିଆ ଯାଇଛିଯେ ସ୍କିମାଟିକ୍ କନିଷ୍ଠ ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧,୦୦୦ ଟଙ୍କା ରୁ ୧୬,୦୦୦ ଟଙ୍କା ବୃଦ୍ଧି କରା ଯାଇଛି। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ନିୟୋଜିତ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା।

ଗତ ୨୦୨୫ ଜାନୁଆରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ।

ଏହାଦ୍ୱାରା ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆସିବା। ସହିତ ରାଜ୍ୟରେ ଏହି ବର୍ଗରେ ଥିବା ୧୩, ୭୪୦ ଶିକ୍ଷକ ଉପକୃତ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ – ସମୂହର ଛାତ୍ର ସମ୍ମେଳନ ଉଦଯାପିତ

ଭୁବନେଶ୍ବର: ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଆୟୋଜିତ ପଞ୍ଚଦିବସୀୟ ସର୍ବଭାରତୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଛାତ୍ର ସମ୍ମେଳନ ଆଜି ଉଦଯାପିତ ହୋଇଯାଇଛି। ଭୁବନେଶ୍ବର ସମେତ ଆଜମେର, ଭୋପାଳ, ମୈସୁର ଓ ସିଲଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଏଥିରେ ବିଭିନ୍ନ ସାହିତ୍ଯ ଓ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ।

ଉଦଯାପନୀ ସମାରୋହରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଜନଜାତି – ପଛୁଆବର୍ଗ, ସଂଖ୍ୟାଲଘୁ ବିକାଶ, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଶ୍ରୀ ଗଣ୍ଡ କହିଥିଲେ, ବହୁ ଭାଷା ଓ ସାଂସ୍କୃତିକ ବିବିଧତାର ପରିଚୟ ବହନ କରୁଥିବା ଭାରତ ବର୍ଷ ବସୁଧୈବ କୁଟୁମ୍ବକମ ପାଇଁ ସମଗ୍ର ବିଶ୍ବରେ ପ୍ରସିଦ୍ଧ। ଆମ ପ୍ରତିଭା ଆମକୁ ପରିଚୟ ପ୍ରଦାନ କରେ ଏବଂ ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ ଏକାଗ୍ରତା ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ଓ ରାଞ୍ଚି ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହା ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଦ୍ଵିତୀୟ ଥର ପାଇଁ ପ୍ରତିଷ୍ଠାନ ପରିସରରେ ଆୟୋଜିତ ହେବା ଗୌରବର କଥା ବୋଲି ମତ ଦେଇ ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ସହ ବିବିଧତାରେ ଏକତା ସମ୍ମେଳନ ଆଯୋଜନର ପ୍ରମୁଖ ଆଭିମୁଖ୍ୟ ବୋଲି କହିଥିଲେ।

ବିଭିନ୍ନ ଭାଷା, ଅଞ୍ଚଳ ଓ ସଂସ୍କୃତି ପୃଷ୍ଠଭୂମିରୁ, ଛାତ୍ର ଛାତ୍ରୀଙ୍କୁ ଏକାଠି କରି ଭବିଷ୍ୟତର ଶିକ୍ଷକ ମାନଙ୍କ ମଧ୍ୟରେ ସାମଗ୍ରିକ ଶିକ୍ଷା, ସାଂସ୍କୃତିକ ବୁଝାମଣା ଓ ନେତୃତ୍ଵ ନେବାର ଦକ୍ଷତାକୁ ପ୍ରୋତ୍ସାହିତ କରୁଥିବା ଏହି ସମ୍ମେଳନରେ ବିତର୍କ, ଚିତ୍ରାଙ୍କନ, ସାଧାରଣଜ୍ଞାନ, ଫୁଟବଲ, ଭଳିବଲ, ବ୍ୟାଡମିଣ୍ଟନ ସମେତ ବିଭିନ୍ନ ବିଭାଗର ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରିଶେଷରେ ପ୍ରଫେସର ରୀତାଞ୍ଜଳି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ନିର୍ମିତ ନୂତନ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ଉଦ୍‌ଘାଟିତ

ଭୁବନେଶ୍ୱର: ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ନିର୍ମିତ ନୂତନ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍‌ଘାଟନ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଗଣ୍ଡ ଏପରି ଏକ ସଭାଗୃହର ଆବଶ୍ୟକତା ଥିବା କହିବା ସହ ତୋଷାଳି ଭବନରେ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ କାର୍ଯ୍ୟାଳୟମାନେ ମଧ୍ୟ ଦରକାର ହେଲେ ଏହାର ବ୍ୟବହାର କରିପାରିବେ ବୋଲି ପ୍ରକାଶ କରିଥିଲେ। ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଏହି ସଭାଗୃହର ଆବଶ୍ୟକତା ଉପରେ ଆଲୋକପାତ କରି କହିଲେ ଯେ ଏଣିକି ଭିନ୍ନକ୍ଷମ ଆୟୁକ୍ତଙ୍କ କୋର୍ଟ କାର୍ଯ୍ୟାଳୟ ତଥା ଭିନ୍ନକ୍ଷମମାନଙ୍କ ପାଇଁ ହେଉଥିବା ବିଭିନ୍ନ ସଭାସମିତି ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ।

ପରେ ମନ୍ତ୍ରୀ ଶ୍ରୀ ଗଣ୍ଡ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ବୁଲି ଦେଖିବା ଅବସରରେ ଆୟୁକ୍ତ ଶ୍ରୀମତୀ ହରିଚନ୍ଦନଙ୍କ ସହ ଭିନ୍ନକ୍ଷମମାନଙ୍କ ଉନ୍ନତି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଆୟୁକ୍ତଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ସଂକ୍ଷିପ୍ତ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଦୁଇଜଣ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ନିର୍ଯାତନା ନେଇ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ଆଗତ ଦୁଇଟି ମାମଲା ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଏହି ବୃତ୍ତଚିତ୍ରଟି ଆଧାରିତ ।

ଏହି ଅବସରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଜୟଶ୍ରୀ ତି୍ରପାଠୀ, ଅତିରିକ୍ତ ସଚିବ ଶ୍ରୀ ଦୀପକ ରାଉତରାୟ, ଉପସଚିବ ଶ୍ରୀ ସନ୍ନ୍ୟାସୀ କୁମାର ବେହେରା, ଅତିରିକ୍ତ ଅର୍ଥ ପରାମର୍ଶଦାତା ତଥା ଉପସଚିବ ଶ୍ରୀମତୀ ସୁଭଦ୍ରା ଜାନି ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ପଦାଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୈାରବ ଦିବସ ଭାବେ ପାଳନ କରିବ ବିଜେପି: ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ତାରିଖ ଦିନ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୈାରବ ଦିବସ ଭାବେ ବହୁ ଆଡମ୍ବରରେ ଦେଶବ୍ୟାପୀ ପାଳନ କରାଯିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ପ୍ରଦେଶର ଜାମୁଇଠାରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେହିଦିନ ଦେଶସାରା ଯେଉଁ ୫୦୦ ଜିଲ୍ଲାରେ ଏହା ପାଳିତ ହେବ ଏବଂ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସେମାନେ ଯୋଡି ହେବେ।

ଓଡିଶାରେ ୨୭ଟି ଜିଲ୍ଲାର ୨୮ଟି ସ୍ଥାନରେ ଏକକାଳୀନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆନନ୍ଦ ଉଲ୍ଲାସରେ ସହ ପାଳନ କରାଯିବ। ରାଜ୍ୟର ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ମାଲକାନଗିରି, ରାୟାଗଡା, ମୟୁରଭଂଜ, କେଉଁଝର ଓ ଗଜପତିରେ ଆଭାସୀ ମାଧ୍ୟମରେ ଭାଇଭଉଣୀମାନେ ୨- Way Communication ରେ ଯୋଡି ହେବେ। ଭୁବନେଶ୍ୱରର ଜନତା ମାଇଦାନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ। ଆଗାମୀ ପୀଢିକୁ ଉତ୍ସାହିତ କରିବା ନିମନ୍ତେ ଜନଜାତି ଗୈାରବ ଦିବସ ପାଳନ କରାଯିବ ବୋଲି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଣ୍ଡ ସୁଚନା ଦେଇ କହିଛନ୍ତି ଯେ, ଜନଜାତି ସମାଜ ସହ ଜଡିତ ବିଭିନ୍ନ ସମସ୍ୟା ତଥା ଅନ୍ୟାନ୍ୟ ବିଷୟରେ ରାଜ୍ୟର ୭୬୬୭ ରାଜସ୍ୱ ଗ୍ରାମରେ ଗ୍ରାମସଭା, ପ୍ରଶିକ୍ଷଣ କରାଯାଇ ଆଲୋଚନା କରାଯିବ।

ଏହି ଅବସରରେ ଭଗବାନ ବିିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ, ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପ୍ରତ୍ୟେକ ମଣ୍ଡଳ, ଜିଲ୍ଲା ଓ ପ୍ରଦେଶ ସ୍ତରରେ ଜନଜାତି ସମାଜରେ ପ୍ରଭୁଦ୍ଧଜନ, ବିଶିଷ୍ଟବ୍ୟକ୍ତି ଓ ପ୍ରଭାବୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ ମଧ୍ୟ କରାଯିବ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଂଗୋଷ୍ଠୀ ଓ ଭାଷଣ ପ୍ରତିଯୋଗିତା ମଧ୍ୟ କରାଯିବ ବୋଲି ଶ୍ରୀ ଗଣ୍ଡ ସୁଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନରସିଂହ ମାଡକାମୀ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର ଏବଂ ଧୃବ କାଲୋ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଖୁବ ଶୀଘ୍ର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟରେ ଖୁବ ଶୀଘ୍ର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ। ଯ’ଦ୍ଵାରା କି ପ୍ରାଥମିକ ସ୍ତରରେ ଛାତ୍ର ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହି ସୂଚନା ଦେବା ସହ ବିକଶିତ ଭାରତ ବିକଶିତ ଓଡିଶା ଗଠନ ବିଦ୍ୟାଳୟ ସ୍ତରରୁ ହିଁ ଆରମ୍ଭ ହେବ, ଉତ୍ତମ ବ୍ୟକ୍ତି ନିର୍ମାଣ ହେଲେ ହିଁ ଉତ୍ତମ ରାଷ୍ଟ୍ର ଗଠନ ହେବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି।

ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଜିଲ୍ଲାର ଲୋକ କଳାର ବିବିଧତାକୁ ନେଇ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏ

ହି କାର୍ଯ୍ୟକ୍ରମରେ ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ଙ୍କ ସମେତ ଜିଲ୍ଲା ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଓ କମ୍ପୁ୍ୟଟର ଶିକ୍ଷା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ସଶକ୍ତିକରଣ ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ସେଣ୍ଟର ଫର ଡେଭଲପ୍‌ମେଣ୍ଟ ଅଫ୍‌ ଆଡଭାନ୍ସଡ୍‌ କମ୍ପୁ୍ୟଟିଂ (ସି-ଡାକ୍‌), କୋଲକାତା ଓ ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ସହ ବିଭାଗ ପକ୍ଷରୁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ।

ପ୍ରଥମ ବୁଝାମଣାପତ୍ର ଅନୁଯାୟୀ ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ରାଜ୍ୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ହେବ। ଏହି ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀମାନେ ଫେସନ ଡିଜାଇନିଂ, ଅଟୋମୋଟିଭ୍‌, ହୋଟେଲ ମ୍ୟାନେଜମେଣ୍ଟ, ପର୍ଯ୍ୟଟନ ଶିଳ୍ପ, ସିକୁ୍ୟରିଟି କମ୍ପାନୀ, ହସ୍‌ପିଟାଲ୍‌ ଓ ବିଭିନ୍ନ ଘରୋଇ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରିବେ।

ଏହି ବୁଝାମଣା ପତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀସନ୍ତୋଷ କୁମାର ପ୍ରଧାନ ଓ ଦୀପକ ରାଉତରାୟ ଏବଂ ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ପକ୍ଷରୁ ମୁଖ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ର ସିଂହ ଓ ଅଧ୍ୟକ୍ଷ ଶାଳିନୀ ଖାନ୍ନା ସ୍ୱାକ୍ଷର କରିଥିଲେ।

ସେହିପରି ଦ୍ୱିତୀୟ ବୁଝାମଣାପତ୍ର ଅନୁଯାୟୀ ‘ସାଇଟ୍‌ ବିୟଣ୍ଡ ସାଇଟ୍‌’ ପ୍ରକଳ୍ପ ଅଧୀନରେ ସି-ଡାକ୍‌ ରାଜ୍ୟର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ କମ୍ପୁ୍ୟଟର ବିଷୟକ ଶିକ୍ଷାଦାନ କରିବ। ପ୍ରଥମ ପର୍ଯ୍ୟାୟରେ ୧୮ ମାସ ମଧ୍ୟରେ ୫୦୦ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ଏହି ଶିକ୍ଷା ଦିଆଯିବ। ସି-ଡାକ୍‌ ଭୁବନେଶ୍ୱର ଏହାର ଆଖପାଖ ଓ ଅନ୍ୟ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକୀୟ ସଫଫେୱୟାର ସହ ଡେସ୍କଟପ୍‌, ଲାପ୍‌ଟପ୍‌, ଡିଜିଟାଲ୍‌ ଭଏସ୍‌ ରେକର୍ଡର, ଟାବ୍‌ଲେଟ୍‌ ଆଦି ଯୋଗାଇଦେବ।

ଏମ୍‌ଏସ୍‌ ଅଫିସ୍‌, ଇଣ୍ଟରନେଟ୍‌ ନାଭିଗେସନ୍‌, ଇମେଲ୍‌ ଭଳି ମୌଳିକ କମ୍ପୁ୍ୟଟର ବ୍ୟବହାର ସହ ବିଦ୍ୟାର୍ଥୀମାନଙ୍କୁ ବ୍ରେଲିରୁ ଟେକ୍ସଟ୍‌ କନଭର୍ଟର, ଓଡ଼ିଆ ଲେଖାରୁ ବକ୍ତୃତା, ଓଡ଼ିଆ ଭାଷାରେ ଫୋନେଟିକ୍‌ ଟକିଂ ଓ ଓଡ଼ିଆ ଅନୁବାଦର ଏକୀକରଣ, ଓଡ଼ିଆରେ ଅପଫିକାଲ ଅକ୍ଷର ଚିହ୍ନିବା ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯିବ।

ଏହି ବୁଝାମଣା ପତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ ଓ ଦୀପକ ରାଉତରାୟ ଏବଂ ସି-ଡାକ୍‌ ପକ୍ଷରୁ ବୈଜ୍ଞାନିକ (ଏଫ୍‌) ଓ ସହ-ନିର୍ଦ୍ଦେଶକ ରିତେଶ ମୁଖାର୍ଜୀ, ବୈଜ୍ଞାନିକ (ଇ) ଯୁଗ୍ମ ନିର୍ଦ୍ଦେଶକ କୁନାଲ ଚନ୍ଦ୍ର ଏବଂ ସୋମା ଖାନ୍‌ ସ୍ୱାକ୍ଷର କରିଥିଲେ।