Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ବାଲୁଗାଁ: ଓଡିଆ ଚଳଚିତ୍ର ତଥା ମଞ୍ଚ ଅଭିନେତା ଗୌରାଙ୍ଗ ନାୟକଙ୍କ ପରଲୋକ

ଭୁବନେଶ୍ବର: ବାଲୁଗାଁ ଅଂଚଳର ବିଶିଷ୍ଟ ମଞ୍ଚ ଓ ସିନେ ଅଭିନେତା ଗୌରାଙ୍ଗ ନାୟକଙ୍କ ୮୫ବର୍ଷ ବୟସରେ ଆଜି ପୂର୍ବାଂହ ରେ ବାଲୁଗାଁ ନିମିକ୍ଷେତା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଯଥା ଦଣ୍ଡା ବାଳୁଙ୍ଗା, ଏଇ ସଂଘର୍ଷ, ଜାଗା ହାତରେ ପଘା, କିରାତ ଅର୍ଜୁନ, ଦୁର୍ଗା ଆଦି ସାତଟି ଓଡ଼ିଆ ଚଳଚ୍ଚିତ୍ର ରେ ପାର୍ଶ୍ୱ ଅଭିନେତା ଓ ଭଲ ଅଭିନୟ କରି ବେଶ ପରିଚିତ ଥିଲେ।

ବିଭିନ୍ନ ସମୟରେ ବହୁ ଅନୁଷ୍ଠାନ ସହିତ ବିଭିନ୍ନ ବର୍ଗରୁ ସମ୍ମାନିତ ହୋଇଥିଲେ ।ବିଭିନ୍ନ ମଞ୍ଚ ରେ ନାଟ୍ୟ ନିର୍ଦେଶନା, ସଙ୍ଗୀତ ପରିଚାଳନା, ନୃତ୍ୟ ନିର୍ଦେଶନା, ଅଭିନୟ କରି ରାଜ୍ୟ ଓ ରାଜ୍ୟ ବାହାରେ ସମ୍ମାନ ଲାଭ କରିଥିଲେ। ଅର୍ଣ୍ଣପୂର୍ଣା ରଙ୍ଗମଞ୍ଚ ର ସେ ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର ଭାବେ ପରିଚିତ ଥିଲେ।ଜଣେ ଆଦର୍ଶ ଶିକ୍ଷକ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଭାବେ ସେ ଚିଲିକା ଓ ବାଲୁଗାଁ ଅଞ୍ଚଳରେ ପରିଚିତ ଥିଲେ।

ମୃତ୍ୟୁ ବେଳକୁ ଏକମାତ୍ର ପୁଅ ସପନ , ଦୁଇ ଝିଅ ସନ୍ଧ୍ୟା ଓ ସ୍ୱାଗତିକା ଉପସ୍ଥିତ ଥିଲେ। ତାଙ୍କର ଶେଷ କୃତ୍ୟ ପୁରୀ ସ୍ୱର୍ଗ ଦ୍ୱାର ରେ ସମ୍ପୂର୍ଣ୍ଣ ହୋଇଛି। ତାଙ୍କ ବିୟୋଗ ରେ ଏ ଅଂଚଳର ବୁଦ୍ଧିଜୀବୀ ଓ କଳା କାର ମହଲରେ ଶୋକପ୍ରକାଶ ପାଇଛି।

Categories
ଆଞ୍ଚଳିକ

ଚିଲିକା: ପଦ୍ମ ଛାଡି ଶଙ୍ଖ ଧରିଲେ ନିମିକ୍ଷେତା ପଞ୍ଚାୟତର ପୂର୍ବତନ ସରପଞ୍ଚ, କହିଲେ ଦଳ ଛାଡିବାର କାରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକର ଟାଣୁଆ ବିଜେପି ନେତ୍ରୀ ତଥା ତିନି ତିନି ଥର ବିଜେପି ସମର୍ଥିତ ନିମିକ୍ଷେତା ସରପଞ୍ଚ ଅଞ୍ଜଳି ସ୍ୱାଇଁ ପଦ୍ମ ଛାଡି ଶଙ୍ଖ ଧରିଛନ୍ତି। ସେ ଗତକାଲି ବିଧିବଦ୍ଧ ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ତେବେ ଏ ନେଇ ଶ୍ରୀମତୀ ସ୍ୱାଇଁଙ୍କୁ ପଚାରିବାରୁ ସେ ଦଳୀୟ ନେତୃତ୍ଵ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ। ଶ୍ରୀମତୀ ସ୍ୱାଇଁଙ୍କ ଅଭିଯୋଗ ମୁତାବକ, ସେ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ଥିଲେ ଏବଂ ଦଳର ସମର୍ଥନରେ ସେ ନିମିକ୍ଷେତା ଗ୍ରାମ ପଞ୍ଚାୟତର ଲଗାତର ୩ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଜନସେବା ଜାରି ରଖିଥିଲେ। କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ନିମିକ୍ଷେତା ପଞ୍ଚାୟତ ନିମନ୍ତେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହେବାର ଆଶା ରଖି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ଏବଂ ସେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରୁଥିଲେ। ହେଲେ ଦଳୀୟ ନେତୃବୃନ୍ଦ ତାଙ୍କୁ ଟିକେଟ ଦେବେ ବୋଲି ପ୍ରତିଶୃତି ଦେଇ ଶେଷ ମୁହୂର୍ତ୍ତରେ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଲେ ଏବଂ ଅଞ୍ଜଳି ଅଳ୍ପ ଭୋଟ ବ୍ୟବଧାନରେ ପରାଜୟ ବରଣ କଲେ।

ସେବେଠାରୁ ଅଞ୍ଜଳି ନିରବ ରହିଥିବା ବେଳେ ଅଦ୍ୟାବଧି ତାଙ୍କୁ ବିଜେପି ନେତୃବୃନ୍ଦଙ୍କ ପକ୍ଷରୁ କୌଣସି ସାନ୍ତ୍ୱନା ମିଳୁନାହିଁ କି କୌଣସି ନେତୃବୃନ୍ଦ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଡାକୁନାହାନ୍ତି। ତେଣୁ ଜନସେବା ଜାରି ରଖିବା ପାଇଁ ଏକ ରାଜନୈତିକ ଦଳର ସହଯୋଗ ନିହାତି ଦରକାର ବୋଲି ହୃଦୟଙ୍ଗମ କରିବା ସହ ବିଜେଡି ରେ ଯୋଗଦାନ କରିଥିବାର ଶ୍ରୀମତୀ ସ୍ଵାଇଁ କହିଛନ୍ତି।

ତେବେ ଅଞ୍ଜଳିଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଚିଲିକା ବିଜେପି ପାଇଁ ଏକ ବଡ କ୍ଷତି ହେବ ବୋଲି କୁହାଯାଉଛି। ଯଦି ଦଳୀୟ ନେତୃତ୍ଵ ଏହା ପ୍ରତି ଧ୍ୟାନ ନ ଦିଅନ୍ତି, ତେବେ ଆଗାମୀ ଦିନରେ ବିଜେପିର ଅନେକ ପୁରୁଖା କର୍ମୀମାନେ ଦଳ ଛାଡିବେ ବୋଲି ଅଞ୍ଜଳିଙ୍କ ସମର୍ଥକମାନେ ସତର୍କ କରାଇଦେଇଛନ୍ତି।