Categories
ଆଜିର ଖବର ରାଜ୍ୟ ଖବର

ବହୁଚର୍ଚ୍ଚିତ ପିହୁ ନିଖୋଜ ମାମଲା: ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଲେ ମା’

ଯାଜପୁର: ଅଗଷ୍ଟ ୯ ତାରିଖ ୨୦୨୦ ମସିହାରେ ଯାଜପୁର ଜିଲ୍ଲାର କୁନି ଝିଅ ପିହୁ ନିଖୋଜ ହୋଇଯାଇଥିଲା। ବିଂଝାରପୁର ଥାନା ମାମୁଁ ଘର ଗାଁ ମଧୁସୂଦନପୁରରେ ଖେଳୁଥିବା ବେଳେ ପିହୁ ହଠାତ ନିଖୋଜ ହୋଇଯାଇଥିଲା। ବିଂଝାରପୁର ଥାନାରେ ନିଜ ଝିଅର ଅପହରଣ ହୋଇଥିବା ନେଇ ପିହୁର ମା’ ମୋନାଲିସା ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଥାନା ଅଧିକାରୀ ମୋନାଲିସାଙ୍କ ଅଭିଯୋଗକୁ ଗୁରୁତ୍ଵ ଦେଇନଥିବା ଅଭିଯୋଗ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଗୁହାରି ହୋଇଥିଲେ। କିନ୍ତୁ ଆଜିକୁ ୨୦ ମାସ ବିତିଯାଇଥିଲେ ମଧ୍ୟ ପିହୁର ସନ୍ଧାନ ମିଳିପାରିନାହିଁ।

ତେଣୁ ଏଥିରେ ନିରାଶ ହୋଇ ପିହୁର ମା’ ମୋନାଲିସା ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଛନ୍ତି। ଆଜି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ନିକଟକୁ ଆସି ଇଚ୍ଛାମୃତ୍ୟୁ ପାଇଁ ଦାବି ଜଣାଇଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ସେ ରାଷ୍ଟ୍ରପତିଙ୍କୁ ପତ୍ର ମାଧ୍ୟମରେ ଇଚ୍ଛାମୃତ୍ୟୁ ନିବେଦନ କରିଛନ୍ତି। ଯଦି ମୋ ପିଲାର ସନ୍ଧାନ ମିଳୁନି, ତେବେ ମୋର ବଞ୍ଚିବାର କୌଣସି କାରଣ ନାହିଁ ବୋଲି ମୋନାଲିସା କୋହଭରା କଣ୍ଠରେ କହିଛନ୍ତି।