ଭୁବନେଶ୍ବର : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ରାଜନୀତିଜ୍ଞ, ସାହିତ୍ୟିକ ଓ ସ୍ତମ୍ଭକାର ଶରତ କୁମାର କରଙ୍କ ସୋମବାର ଦିନ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 81 ବର୍ଷରେ ଦେହାନ୍ତ ହୋଇଥିବାର ସୂଚନା ଦେଇଛନ୍ତି ଶରତଙ୍କ ପୁଅ ସୁମନ କର । ବିଧାନସଭା ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିଲେ ଶରତ କର ।
1939 ମସିହା ସେପ୍ଟେମ୍ବର ମାସ 5ତାରିଖରେ ଜନ୍ମଗ୍ରହଣ କରିଥିବା ଶରତ କର ଓଡ଼ିଶା ରାଜନୀତିର ବିଜୁ ଜନତା ଦଳ, ଉତ୍କଳ କଂଗ୍ରେସ ଓ ଜନତା ଦଳ ଆଦି ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିବା ବେଳେ 1971 ମସିହାରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଥିଲେ। 1977 ମସିହାରେ ଜନତା ପାର୍ଟି ଟିକେଟରେ କଟକ ଲୋକସଭା ଆସନରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାଜିତ କରି ସଂସଦକୁ ନିର୍ବାଚିତ ହୋଇଥିଲେ। ସେ 2000ରୁ 2004ଯାଏ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ।