Categories
ଆଞ୍ଚଳିକ

ଚିଲିକା: ଅଭିଯୋଗ ଶୁଣିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମସ୍ୟା ଦୂର କରିବା ନେଇ ଦେଲେ ପ୍ରତିଶ୍ରୁତି

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼କୁଳ ପଞ୍ଚୟତ ଗ୍ରସ୍ତ କରି ପଞ୍ଚୟତବାସୀଙ୍କ ଅଭିଯୋଗ ଶୁଣିଛନ୍ତି। ନିର୍ବାଚନ ସମୟରେ ଲୋକଙ୍କ ନିକଟକୁ ଯାଇ ବିଭିନ୍ନ ସମସ୍ୟା ଦୂର କରିବାନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ତାହାକୁ ପାଳନ କରିଥିବା କହିଛନ୍ତି।

ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯାହାକି ଉକ୍ତ କାର୍ଯ୍ୟକ୍ରମରେ ବଡ଼କୁଳ ପଞ୍ଚୟତ ସମେତ ଅଠରବାଟିଆ ଓ ଡୁଙ୍ଗମାଳ ପଞ୍ଚୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୧୨୫ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୬ ଟି ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟଜଳ ଓ ଗମନାଗମନ ସମ୍ପର୍କିତ ସାମୁହିକ ଅଭିଯୋଗ ରହିଥିବା ବେଳେ ଅନ୍ୟ ୧୧୯ ମଧ୍ୟରୁ ଭତ୍ତା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ଅଭିଯୋଗ ରହିଥିଲା।

ସମସ୍ୟାର ସମାଧନ ଖୁବ କମ ସମୟ ମଧ୍ୟରେ କରିବାନେଇ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ବ୍ଲକ ଅଧ୍ୟକ୍ଷା ଜୋଷ୍ଣା ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ବିଡ଼ିଓ ହଳଧର ଶବର, ଯୋଗାଣ ଅଧିକାରୀ ଅରୁଣ କୁମାର ଲେଙ୍କା, ସିଡ଼ିପିଓ ଅନୁସ୍ଵୟା ମିଶ୍ର, ଜଳ ଯୋଗାଣ ଅଧିକାରୀ ବାସୁଦେବ ଶତପଥୀ, ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟ ନାରାୟଣ ପାଢ଼ୀ, ଏଇଇ ମଧୁସ୍ମିତା ତ୍ରିପାଠୀ, ସରପଞ୍ଚ ପ୍ରହଲ୍ଲାଦ ବେହେରା, ସମିତି ସଭ୍ୟା ରୀନା ରଥ, ସମସ୍ତ ୱାର୍ଡ ମେମ୍ବରଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଡ ଠାକୁରଙ୍କ ଆଡପ ମଣ୍ଡପ ବିଜେ ବେଳେ ଅଘଟଣ ମାମଲା, ରିପୋର୍ଟ ଦାଖଲ କଲେ ଆଇନ ମନ୍ତ୍ରୀ

ପୁରୀ: ପୁରୀରେ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଲାଗି ସାରା ବିଶ୍ଵର କୋଣ ଅନୁକୋଣରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକଙ୍କ ସୂଅ ଛୁଟିଛି। ଏହି ସମୟରେ ପୁରୀ ବଡ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କିନ୍ତୁ ଭକ୍ତିମୟ ପରିବେଶ ମଧ୍ୟରେ ଗତକାଲି ବଡ ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଅଘଟଣ ଘଟିଥିଲା। ଏଥିରେ ପ୍ରଭୃ ବଳଭଦ୍ର ଆଡପ ମଣ୍ଡପକୁ ବିଜେ କରୁଥିବା ବେଳେ ଚାରମାଳ ଉପରେ ଖସିପଡିଥିଲେ। ସେବାୟତଙ୍କ ଉପରେ ପ୍ରଭୃ ମାଡିବସିବାରୁ କେତେକ ଆହତ ହୋଇଥିବାର ସୂଚନା ମିଳିଥିଲା। ସେମାନଙ୍କୁ ଆମ୍ବୁଲାନସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା।

ତେବେ ଉକ୍ତ ଅଘଟଣ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ଆଇନ୍ ମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଲୀଳାମୟଙ୍କ ଲୀଳା। ଆଗକୁ ରଥଯାତ୍ରା ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେବେ। ଆହତ ସେବାୟତଙ୍କ ଚିକିତ୍ସା ଯୋଗାଇ ଦିଆଯାଇଛି। ଏହି ଅଘଟଣରେ ୭ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ମେଧାବୀ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧିକ ମଣ୍ଡପରେ ମେଧାବୀ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁର୍ଯ୍ୟୋଧନ ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନି, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଅନନ୍ତ ପ୍ରସାଦ ସେଠି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପ୍ରହଲ୍ଲାଦ ଦାଶ ସ୍ୱାଗତ ଅଭିଭାଷଣ ରଖିଥିଲେ।

ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ପଦ୍ମାଳୟା ପ୍ରଧାନ ଚଳିତ ବର୍ଷ ସାରା ରାଜ୍ୟରେ ମେଧାବୃତ୍ତି ପରୀକ୍ଷାରେ ଷଷ୍ଠ ସ୍ଥାନ ଏବଂ ଶ୍ରୀଭାରତୀକୃଷ୍ନ ଗଣିତ ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରିଥିଲେ।

ଏହିପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟ ପକ୍ଷରୁ ପଦ୍ମାଳୟାଙ୍କୁ ମେଧାବୀ ଭାବେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଭିନନ୍ଦନ ଜଣାଇବା ସହ ସଂମାନିତ କରିଥିଲେ। ଏଥିସହିତ ବିଦ୍ୟାଳୟର ସାମଗ୍ରିକ ଉର୍ଣ୍ଣତି କ୍ଷେତ୍ରରେ ମହତ ଅବଦାନ ଥିବା ସମାଜସେବୀ ସୁକାନ୍ତ କୁମାର ବିଶ୍ବାଳ ଓ ରବୀନ୍ଦ୍ର କୁମାର ବଳିଜେନାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ପ୍ରହଲ୍ଲାଦ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପୁରୀ: ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ ଗସ୍ତରେ ଆସି ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସର୍କିଟ ହାଉସ ଠାରେ ପହଞ୍ଚି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲାପାଳ ଓ ଏସପି ଙ୍କ ସହ ଆଲୋଚନା କରିବା ପରେ ସମଙ୍ଗ ପାର୍କିଂ ସ୍ଥାନ ପରିଦର୍ଶନ କରିଥିଲେ। ଶ୍ରଦ୍ଧାଳୁ ମାନଙ୍କ ଗାଡି ସେଠାରେ ପାର୍କିଂ ବ୍ୟବସ୍ଥା କରାଯାଇଥିବାରୁ ବିଭିନ୍ନ ଆବଶ୍ୟକୀୟ ସୁବିଧା ପ୍ରସ୍ତୁତ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହା ପରେ ଗଦାଧର ହାଇସ୍କୁଲ ଓ ପରେ ଶ୍ରୀମନ୍ଦିର ନିକଟରେ ଅତିଥି ମାନଙ୍କ ପ୍ରସ୍ତାବିତ ବସିବା ସ୍ଥାନକୁ ଅନୁଧ୍ୟାନ କରିଥିଲେ। ସିଂହଦ୍ବାର ଠାରୁ ବଡ଼ଦାଣ୍ଡରେ ଯେପରି ଶ୍ରଦ୍ଧାଳୁ ମାନେ ସୁବିଧାରେ ରହି ମହାପ୍ରଭୁ ଙ୍କୁ ଦର୍ଶନ କରିବେ ଓ ରଥ ଟାଣିବେ ସେଥିନେଇ ମନ୍ତ୍ରୀ ତାହାର ଅନୁଧ୍ୟାନ କରିଥିଲେ।

ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ “ସରକାର ଓ ପ୍ରଶାସନର ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ସେହିପରି ପୂର୍ବ ବର୍ଷ ତୁଳନାରେ ଚଳିତ ରଥଯାତ୍ରାରେ ଅଧିକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ ଭାବେ କରାଯାଉଛି। ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ଶୃଙ୍ଖଳିତ ଭାବେ କରିବା ପାଇଁ ରଥଯାତ୍ରା ପରେ ସମସ୍ତଙ୍କ ପରାମର୍ଶ ନିଆଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ।”

ଏହି ପରିଦର୍ଶନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର, ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁ, ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌରନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବ୍ଲକ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ଏ ସରକାର ଲୋକଙ୍କ ସରକାର। ସାଧାରଣ ଲୋକଙ୍କୁ ଉପଯୁକ୍ତ ସେବା ପ୍ରଦାନ ଆମ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ତେବେ ରାଜ୍ୟର ସାମଗି୍ରକ ବିକାଶ ପାଇଁ ପ୍ରସ୍ତୁତ ସବୁଯୋଜନା ବ୍ଲକ୍‌ ସ୍ତରରୁ ଆରମ୍ଭ ହେବା ଉଚିତ ବୋଲି ଆଇନ, ପୂର୍ତ୍ତ, ଅବକାରୀ ବିଭାଗ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଚିଲିକା ବ୍ଲକ୍‌ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଥମ ସମୀକ୍ଷା ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

ଚିଲିକା ବ୍ଲକ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଜି ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବ୍ଲକ୍‌ ହେଉଛି ଏପରି ସ୍ଥାନ ଯେଉଁଠି ପ୍ରତ୍ୟେକ ଲୋକ ସରକାରୀ ସୁବିଧା ଓ ନ୍ୟାୟ ପାଇପାରିବେ। ତେଣୁ ଏଠାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ବେଶ୍‌ ଗୁରୁଦାୟିତ୍ୱ ରହିଛି। ତେଣୁ ଅଧିକାରୀ ଓ କର୍ମଚାରୀମାନେ ସେବାମନୋଭାବ ନେଇ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସମସ୍ତ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣକାରୀ ଯୋଜନା, ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେବା ସହ ସାଧାରଣ ଲୋକଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ ନେଇ ପ୍ରସ୍ତାବ ଦେବା ପାଇଁ ମଧ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏଥି ସହିତ ପ୍ରତି ତିନିମାସରେ ହେବାକୁ ଥିବା ସମୀକ୍ଷା ବୈଠକରେ କାର୍ଯ୍ୟକ୍ରମ ଏବଂ ଜାରି ରହିଥିବା ଯୋଜନାର ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ୍‌ରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମନ୍ତ୍ରୀ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଜିର ବୈଠକରେ ବ୍ଲକ୍‌ ଅଧ୍ୟକ୍ଷା ଜ୍ୟୋତ୍ସ୍ନାମୟୀ ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଦଲ କୁମାର ମହାନ୍ତି, ବ୍ଲକ୍‌ ଉନ୍ନୟନ ଅଧିକାରୀ, ସ୍ଥାନୀୟ ତହସିଲଦାରଙ୍କ ସମେତ ସଂପୃକ୍ତ ସମସ୍ତ କ୍ଷେତ୍ର ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମେଧାବୀ ଅଭିନନ୍ଦନ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବାଣପୁର (ସୀତାରାମ ଅଗ୍ରୱାଲ): ରବିବାର ସନ୍ଧ୍ୟାରେ ବାଣପୁର ଭଗବତୀ ବିହାର ଠାରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ମିଳନୀ କକ୍ଷରେ ଶିକ୍ଷା ବିକାଶ ସମିତି, ଓଡିଶା ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ମେଧାବୀ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ବିଦ୍ୟାମନ୍ଦିର ପରିଚାଳନା ସଭାପତି ରାଜକିଶୋର ଭୋପା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମ୍ପାଦକ ଆଇନଜୀବୀ ଶ୍ୟାମପ୍ରସାଦ ମିଶ୍ର, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବୈରାଗୀ ଚନ୍ଦ୍ର ବଳ ଯୋଗ ଦେଇଥିଲେ।

ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ମିଶ୍ର ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ସଫଳତା ପାଇଁ ଅନୁଷ୍ଠାନର ଗୁରୁଜୀ ଗୁରୁମା ଏବଂ ଅଭିଭାବକ ମାନଙ୍କୁ ଶ୍ରେୟ ଦେଇଥିଲେ। ସମୁଦାୟ ୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୦ପ୍ରତିଶତରୁ ଅଧିକ ୬ଜଣ, ୮୦ପ୍ରତିଶତରୁ ଅଧିକ ୧୬ ଜଣ ଏଆବ୍ମ ସମସ୍ତ ଛାତ୍ରଛାତ୍ରୀ କୃତ୍ତକାର୍ଯ୍ୟ ହୋଇଥିବାରୁ ଆଗାମୀ ଦିନରେ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହରିଚନ୍ଦନ ବିଦ୍ୟାଳୟର ଭଲ ଫଳାଫଳ କରିଥିବା ଛାତ୍ରଛାତ୍ରୀ ଏବଂ ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କୁ ଅଭିନନ୍ଦନ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଓ ପୁରସ୍କାର ବିତରଣ କରିଥିଲେ। ଏ ଅନୁଷ୍ଠାନକୁ ଆଗକୁ ନେବାକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶୃତି ଦେବା ସହ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।

Categories
ଆଞ୍ଚଳିକ

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ନିଜ ଜନ୍ମମାଟିରେ ଉଚ୍ଚ୍ବସିତ ସମ୍ବର୍ଦ୍ଧନା ସମାବେଶ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଗମ୍ଭାରୀମୁଣ୍ଡା ଠାରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ନିଜ ଜନ୍ମମାଟିରେ ପାଟପଟୁଆର ମାଧ୍ୟମରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ଗମ୍ଭାରୀମୁଣ୍ଡା ବଜାରରେ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ଏହାପରେ ମାନ୍ୟବର ମନ୍ତ୍ରୀ ଆରାଧ୍ୟ ଦେବତା ବାବା ବାଙ୍କନିଧି ଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ଅଞ୍ଚଳବାସୀଙ୍କ ଶୁଭ ମନାସି ଥିଲେ। ଏହାପରେ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିବା ସମୟରେ ବିଦ୍ୟାଳୟ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ଓ ମା’ ସରସ୍ଵତୀଙ୍କୁ ପ୍ରଣାମ କରି ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଜାତୀୟବାଦୀ ନାଟ୍ୟକାର ତଥା ବିପ୍ଲବୀ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପର୍ଶୁରାମ ହରିଚ଼ନ୍ଦନ, ପୃଷ୍ଠପୋଷକ ତଥା ସମାଜସେବୀ ସ୍ବର୍ଗତ ଭାଗିରଥି ମାଲୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଓ ଶିକ୍ଷକ ଓ କର୍ମଚାରୀମାନଙ୍କ କିଛି ସମୟ ବିତାଇଥିଲେ।

ଏହାପରେ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସଙ୍କ ଅଧ୍ୟକ୍ଷତାରେ ଉଚ୍ଚ୍ବସିତ ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ବାଣପୁର ପ୍ରାଥମିକ ଶିକ୍ଷକ ସଂଗଠନ, ମହିଳା ସଗଠନ ଓ ବିଭିନ୍ନ ସାମାଜିକ ସଂଗଠନ, ଦଳୀୟ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ମାନେ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ।

ଏହି ସଭାରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ସମସ୍ତ‌ ପ୍ରତିଶ୍ରୁତି ପୂରଣ କରିବା ପାଇଁ ମୁଁ ସଂକଳ୍ପବଦ୍ଧ ଏବଂ ବିକଶିତ ଚ଼ିଲିକା ଓ ବିକଶିତ ଓଡ଼ିଶା ଗଠନ ନିମନ୍ତେ ମୁଁ ପ୍ରତିଶ୍ରୁତିବଦ୍ଧ ଏବଂ ଆପଣମାନଙ୍କ ଅକୁଣ୍ଠ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦ ପାଇଁ ମୁଁ ଆପଣ‌ ମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।

ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ ନେତା ଗୋଲକ ବିହାରୀ ପଟ୍ଟନାୟକ, ନରସିଂହ ସାହୁ, ରମେଶ ଚ଼ନ୍ଦ୍ର ସାମନ୍ତସିଂହାର, ବିଶିଷ୍ଟ ଶିକ୍ଷାବିତ ଦୁର୍ଗାପ୍ରସାଦ ମହାରଣା, ସମାଜସେବୀ ବିବୁଧଭୂଷଣ ହରିଚ଼ନ୍ଦନ, ମଣ୍ଡଳ ସଭାପତି ସୌମ୍ୟରଞ୍ଜନ ସାମନ୍ତରାୟ, ବାଣପୁର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ମାଧବ ପ୍ରଧାନ, ୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନ, ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ସମିତିସଭ୍ୟ କନ୍ଦର୍ପ ଜେନା, ଗମ୍ଭାରୀମୁଣ୍ଡା ପଞ୍ଚାୟତ‌ର ସମିତିସଭ୍ୟା ଅନିତା ପ୍ରଧାନ, ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, କାର୍ଯ୍ୟକର୍ତ୍ତା ମନୋଜ କୁମାର ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର

ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବାଇକ୍ ଶୋଭାଯାତ୍ରା

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ଅନ୍ତର୍ଗତ ସିଙ୍ଗେଶ୍ବର, ଆଙ୍କୁଲା ଓ କୁମାଣ୍ଡୋଳ ପଞ୍ଚାୟତରେ ନିଜର ସମର୍ଥକଙ୍କ ସହ ବାଇକ୍ ଶୋଭାଯାତ୍ରା କରି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ। ଏହି ସମୟରେ ସେ ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି କ୍ଷେତକୁ ପାଣି ଓ ପ୍ରତି ହାତକୁ କାମର ସଂକଳ୍ପ ନେଇ ବିକଶିତ ଚ଼ିଲିକା ଗଠନ କରିବା ପାଇଁ ଓଡ଼ିଶାରେ ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ।

ଚ଼ିଲିକାରେ ମେକାନାଇଜିଡ଼୍ ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର ଓ ଆନୁଷଙ୍ଗିକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ମୋଦି ସରକାରଙ୍କ ଜନହିତକାରୀ ଯୋଜନା ଓ ମୋଦି ଗ୍ୟାରେଣ୍ଟି ଉପରେ ଆଲୋଚ଼ନା କରିଥିଲେ।

ଏହି ଶୋଭାଯାତ୍ରାରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସିଙ୍ଗେଶ୍ବର ପଞ୍ଚାୟତର ସରପଞ୍ଚ ସ୍ନେହଲତା ସେଠୀ, ଜିଲ୍ଲା ଭାଜପା ଉପସଭାପତି ସୁମନ୍ତ ପଟ୍ଟନାୟକ, ବାଲୁଗାଁ ନଗର ମଣ୍ଡଳ ପ୍ରଭାରୀ ଦୁଃଶାସନ ଜେନା, ଆଙ୍କୁଲା ପଞ୍ଚାୟତର‌ ଭାଜପା ସଭାପତି ମନୋଜ ସାମନ୍ତରାୟଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା: ସରପଞ୍ଚଙ୍କ ସମେତ ବହୁ ବିଜେଡ଼ି କର୍ମକର୍ତ୍ତା ବିଜେପିରେ ସାମିଲ

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ସିଙ୍ଗେଶ୍ବର ପଞ୍ଚାୟତର ସରପଞ୍ଚ ସ୍ନେହଲତା ସେଠୀ, କବିରାଜ ସାହୁଙ୍କ ସମେତ ସିଙ୍ଗେଶ୍ବର ପଞ୍ଚାୟତ ଓ ହାଟବରଡିହ ପଞ୍ଚାୟତର ୮୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି। ସେମାନେ ବିଜେପିର ନୀତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ‌ ହୋଇ‌ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ୍ ହୋଇଛନ୍ତି।

ଦଳରେ ନୂତନ ଭାବେ ସାମିଲ୍ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଚ଼ିଲିକା ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଛନ୍ତି।

ଏହି ମିଶ୍ରଣ ପର୍ବରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବଡ଼କୂଳ ମଣ୍ଡଳ ଭାଜପା ସଭାପତି ଦିଲ୍ଲିପ ମହାନ୍ତି, ଜିଲ୍ଲା ଭାଜପା ଉପସଭାପତି ସୁମନ୍ତ ପଟ୍ଟନାୟକ, ବାଲୁଗାଁ ନଗର ମଣ୍ଡଳ ଭାଜପା ପ୍ରଭାରୀ ଦୁଃଶାସନ ଜେନା, ସିଙ୍ଗେଶ୍ବର ପଞ୍ଚାୟତର ଭାଜପା ସଭାପତି ରମେଶ ସାମନ୍ତରାୟ‌ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର ବ୍ଲକ ବିଜେପିର ମହିଳା ସମାବେଶ, ଯୋଗ ଦେଲେ ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟିର ବାଣପୁର ବ୍ଲକ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା।ବିଶ୍ବ ମାତୃତ୍ଵ ଦିବସ ଅବସରରେ ସମସ୍ତ ମହିଳା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା। ଏହି ସମାବେଶରେ ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବିଧାନସଭା ଭାଜପା ପ୍ରଭାରୀ ବିକାଶ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ ଯୋଗଦେଇ ମୋଦୀ ଗ୍ୟାରେଣ୍ଟି ଓ ମୋଦି ସରକାରଙ୍କ ମହିଳାଙ୍କ ପାଇଁ ଥିବା ସମସ୍ତ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ।

ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ମହିଳା ମା’ ଭଉଣୀ‌ ମାନଙ୍କୁ ଶୁଭଦ୍ରା ଯୋଜନା ବିଷୟରେ ଆଲୋଚ଼ନା କରିବା ସହ ଓଡ଼ିଶାରେ ଡ଼ବଲ ଇଞ୍ଜିନର ସରକାର ହେବ‌‌ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥଲେ।

ଏହି ସମାବେଶରେ ମହିଳା ମାନେ ବିକଶିତ ଚ଼ିଲିକା ଓ ପୁରୀ ଗଠନ ନିମନ୍ତେ ଭାଜପା ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାଇବା‌ ସଂକଳ୍ପ ନେଇଥିଲେ। ଏହି ସମାବେଶରେ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ସରପଞ୍ଚ ସବିତା ଦାସ, ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ସାବିତ୍ରୀ ଭୋଳ, ବାଣପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷା ସବିତା ସାହୁ, ଗମ୍ଭାରୀମୁଣ୍ଡା ପଞ୍ଚାୟତ‌ର ସମିତିସଭ୍ୟା ଅନିତା ପ୍ରଧାନ, ମହିଳା ନେତ୍ରୀ ସରୋଜିନୀ ପାଳ, ଦେଓଗାଁ ସରପଞ୍ଚ ଶ୍ରୀରେଣୁବାଳା ଛାଟୋଇ, ଆୟତପୁର ସରପଞ୍ଚ ନର୍ମଦା ପ୍ରଧାନ, ବିଷ୍ଣୁଡ଼ିହ ସରପଞ୍ଚ ପୁଷ୍ପିତା ପ୍ରଧାନ, ନାଚ଼ୁଣୀ ସରପଞ୍ଚ ସ୍ବପ୍ନାଞ୍ଜଳୀ ପଲାଇ, ବିରଜାଈ ମଣ୍ଡଳ ଭାଜପା ସଭାପତି ଜିତେନ୍ଦ୍ର କୁମାର ଭୋଳ, ନୀଳାଦ୍ରିପ୍ରସାଦ ପଞ୍ଚାୟତର ସରପଞ୍ଚ ଉମାକାନ୍ତ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସବିତା ସାମନ୍ତସିଂହାର, ବାଣପୁର ନଗର ମଣ୍ଡଳ ଭାଜପା ସଭାପତି ଭଗବାନ ପ୍ରଧାନ, ସିଦ୍ଧେଶ୍ୱରୀ‌ ମଣ୍ଡଳ ଭାଜପା ସଭାପତି ସୌମ୍ୟରଞ୍ଜନ ସାମନ୍ତରାୟ, ବରିଷ୍ଠ ବିଜେପି ନେତା ରମେଶ ଚ଼ନ୍ଦ୍ର ସାମନ୍ତସିଂହାର, କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ହରିଚ଼ନ୍ଦନ ଓ‌ ଜୟକୃଷ୍ଣ ପ୍ରତିହାରୀଙ୍କ ସମେତ ୫୦୦୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଚ଼ିଲିକା ବିଜେପିର‌ ମିଶ୍ରଣ ପର୍ବ, ପଦ୍ମ ଧରିଲେ ୨୦୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଚ଼ିଲିକା ବିଧାନସଭା କ୍ଷେତ୍ରର ନାଚ଼ୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ‌ ଠାରେ ଗାଲୁଆ ପଞ୍ଚାୟତର ବିଜେଡ଼ି‌ କର୍ମକର୍ତ୍ତା ମହେଶ୍ବର ସ୍ବାଇଁ, ବାଣପୁର ଏନ୍ଏସିର ଯୁବ ସଂଗଠକ ସୁବ୍ରତ ରାୟ, ଦେଓଗାଁ ପଞ୍ଚାୟତର ଓ୍ବାର୍ଡ଼ମେମ୍ବର ବାଦଲ ଦାସ, ମୋରାମୋରି ପଞ୍ଚାୟତର ଓ୍ବାର୍ଡ଼ମେମ୍ବର ସେକ ଇମତିଆଜ ଅଲ୍ଲୀ, ହାଟବରଡିହ, ମାନସିଂହପୁର, ନୀଳାଦ୍ରିପ୍ରସାଦ, ବଉଳାବନ୍ଧ ପଞ୍ଚାୟତର‌ ୨୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ଯୋଗଦେଇଛନ୍ତି। ବିଜେପି ର ନୀତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ନେତୃତ୍ବକୁ ଭରଷା କରି ଭାରତୀୟ ଜନତା ପାର୍ଟିରେ ସେମାନେ ଆନୁଷ୍ଠାନିକ ଭାବେ ସାମିଲ୍ ହୋଇଥିବା କହିଛନ୍ତି।

ଦଳରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତ୍ତା ମାନେ ଚ଼ିଲିକା ବିଧାନସଭା ଓ ପୁରୀ ଲୋକସଭା କ୍ଷେତ୍ରରେ ପଦ୍ମ ଫୁଟାଇବାକୁ ସଂକଳ୍ପ ନେଇଛନ୍ତି। ଏହି ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ନନ୍ଦପୁର ପଞ୍ଚାୟତର‌ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ବିରଜାଈ ମଣ୍ଡଳ ଭାଜପା ସଭାପତି ଜିତେନ୍ଦ୍ର କୁମାର ଭୋଳ, ମାନସିହପୁର ସରପଞ୍ଚଙ୍କ ପ୍ରତିନିଧି ରତ୍ନାକର ବେହେରା, ଦେଓଗାଁ ସରପଞ୍ଚ ଙ୍କ ପ୍ରତିନିଧି ଶରତ ଚ଼ନ୍ଦ୍ର ଛାଟୋଇ, ଜିଲ୍ଲା ଭାଜପା ଉପସଭାପତି ସୁମନ୍ତ ପଟ୍ଟନାୟକ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଲକ୍ଷ୍ମୀଧର ବରାଳ, ବ‌ଉଳାବନ୍ଧ‌ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବାଶିଷ ରଥ, ବିଜେପି ନେତା ଭରତ ଜେନା, ଦେବରାଜ ବସ୍ତି, ରାଜକିଶୋର ପଣ୍ଡା ଓ ଯୁବନେତା କାହ୍ନୁଚ଼ରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ଚ଼ିଲିକାରେ ଭାଜପା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଜନସମ୍ପର୍କ ପଦଯାତ୍ରା

ଚିଲିକା(ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଷରପାଟଣା ଛକ ଠାରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା କରିଥିଲେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ।ଉଭୟ ପ୍ରାର୍ଥୀ ବାଣପୁର ର ଆରାଧ୍ୟ ଦେବୀ ମା’ ଭଗବତୀ ଓ ମା’ ଟିକିରାଇ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ଏବଂ ମା’ଙ୍କ ନିକଟରେ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ।

ଏହି ପଦଯାତ୍ରାରେ ସାଂସଦ ପ୍ରାର୍ଥୀ ପାତ୍ର କହିଥିଲେ ଯେ,ବିକଶିତ ପୁରୀ ଲୋକସଭା କ୍ଷେତ୍ରର ସାମଗ୍ରିକ ବିକାଶ ମୋ ସଂକଳ୍ପ ତତସହିତ ବାଣପୁର ତଥା ଚ଼ିଲିକା ମାଟିକୁ ଏକ ସମୃଦ୍ଧଶାଳୀ ରେ ପରିଣତ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ମୋଦି ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ ଆଲୋକପାତ କରିବା ସହ ଚ଼ିଲିକା କୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ।ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ କହିଥିଲେ ଯେ, ସ୍ବାଭିମାନୀ ବାଣପୁର ତଥା ଚ଼ିଲିକା ମାଟିର ସାମଗ୍ରିକ ଓ ଅର୍ଥନୈତିକ ବିକାଶ‌ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ଏବଂ ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି କ୍ଷେତ କୁ ପାଣି ଓ ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ସୁନ୍ଦର ସମୃଦ୍ଧଶାଳୀ ବିକଶିତ ଚ଼ିଲିକା ଗଠନ କରିବେ ବୋଲି ଅଞ୍ଚଳବାସୀଙ୍କୁ‌ ପ୍ରତିଶ୍ରୁତି ଦେଇଥିଲେ।

ଏହି ପଦଯାତ୍ରାରେ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ପ୍ରଭାରୀ ଶ୍ରୀ ବିକାଶ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ,ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ,ବାଣପୁର ନଗର ମଣ୍ଡଳ ଭାଜପା ସଭାପତି ଶ୍ରୀ ଭଗବାନ ପ୍ରଧାନ,ବିଜେପି ନେତା ଶ୍ରୀ ନନ୍ଦକିଶୋର ମିଶ୍ର,ବାଣପୁର NAC ର ୧ ନଂ ୱାର୍ଡ଼ ର କାଉନସିଲର ତଥା ବାଣପୁର ନଗର ମଣ୍ଡଳ ଭାଜପା କାର୍ଯ୍ୟକାରୀ ସଭାପତି ଶ୍ରୀ ରବିନାରାୟଣ ମିଶ୍ର,ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ,ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ଦାସ,ସମିତିସଭ୍ୟା ଶ୍ରୀ କନ୍ଦର୍ପ ଜେନା,ବିଷ୍ଣୁଡ଼ିହ ସରପଞ୍ଚ ଶ୍ରୀମତୀ ପୁଷ୍ପିତା ପ୍ରଧାନ, ଦେଓଗାଁ ସରପଞ୍ଚ ଶ୍ରୀମତୀ ରେଣୁବାଳା ଛାଟୋଇ, ଆୟତପୁର ସମିତିସଭ୍ୟ ଶ୍ରୀ ତ୍ରିନାଥ ପ୍ରଧାନ, ନନ୍ଦପୁର ସରପଞ୍ଚ ଶ୍ରୀ ପୁଷ୍ପମିତ୍ର ଖୁଣ୍ଟିଆ,ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ,ବାଣପୁର ନଗର ମଣ୍ଡଳ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ବନଜା ମିଶ୍ର,ଯୁବ ସଂଗଠକ ଶ୍ରୀ ତପନ ପ୍ରଧାନ ଓ ପ୍ରଭାଶିଷ ପ୍ରଧାନ ଙ୍କ ସମେତ ସମସ୍ତ କାଉନସିଲର ଏବଂ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକାରେ ବିଜେପିର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ବିଶାଳ ରୋଡ଼ ସୋ

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚ଼ଣ୍ଡେଶ୍ବରର‌‌ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡିହରଦେବଙ୍କ ପୀଠରେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ ଏବଂ ତା’ପରେ ଚ଼ଣ୍ଡେଶ୍ବର ପଞ୍ଚାୟତ, କଳକଳେଶ୍ବର ପଞ୍ଚାୟତ, ଜରିପଡ଼ା ପଞ୍ଚାୟତ‌ରେ ଜନସମ୍ପର୍କ ପଦଯାତ୍ରା କରିଥିଲେ।

ଏହି ପଦଯାତ୍ରାରେ ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପାନୀୟ ଜଳ ସମସ୍ୟାର ସମାଧାନ, ଚ଼ିଲିକାର‌ ପୁନରୁଦ୍ଧାର, ମତ୍ସ୍ୟଜୀବୀମାନଙ୍କ ବିକାଶ ପାଇଁ କୃଷି, ମତ୍ସ୍ୟ ପ୍ରକିୟାକରଣ ଶିଳ୍ପ ପ୍ରତିଷ୍ଠା ଓ ପର୍ଯ୍ୟଟନର ବିକାଶ କରି ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି ଜମିକୁ ପାଣି, ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ବିକଶିତ ଚ଼ିଲିକା ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଭାଜପା ଲୋକସଭା ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର ଚ଼ିଲିକାର ସାମୁଦ୍ରିକ ମୁହାଣ ଖନନ, ନଳଘାସ ଦମନ ଇତ୍ୟାଦି କାର୍ଯ୍ୟ କରି ଚ଼ିଲିକାରେ ମତ୍ସ୍ୟ ଉତ୍ପାଦନ ବହୁ ଗୁଣିତ କରିବା ସଙ୍ଗେ ସଙ୍ଗେ ଚ଼ିଲିକା ଚ଼ାରିକଡ଼େ ରିଙ୍ଗ ବନ୍ଧ‌‌ ଓ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତତସହିତ ଚ଼ିଲିକାକୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ‌ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ।

ଏହି ପଦଯାତ୍ରାରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷ‌ ଜ୍ୟୋସ୍ନା ବେହେରା, ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଲକ୍ଷ୍ମୀଧର ବରାଳ, ଚ଼ଣ୍ଡେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ‌,କଳକଳେଶ୍ବର ପଞ୍ଚାୟତର ସରପଞ୍ଚ ଜ୍ୟୋସ୍ନାରାଣୀ ଜେନା, ସମିତିସଭ୍ୟ ସବିତା ବିଶ୍ବାଳ, ଜରିପଡ଼ା ପଞ୍ଚାୟତ‌ର ସରପଞ୍ଚ ଦିପୁନା କୁମାରୀ ସାହୁ, ସମିତିସଭ୍ୟ ମନୋରମା ବେହେରା, ମାନସିଂହପୁର ପଞ୍ଚାୟତର ସରପଞ୍ଚ କାମିନୀ ବେହେରା, ସୋରଣ ପଞ୍ଚାୟତର‌ ସରପଞ୍ଚ ଶେଷଦେବ ବେହେରାଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ୧ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ୧୨୦୩୪ ତମ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉକ୍ତ କେନ୍ଦ୍ରକୁ ଭାରତୀୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡ଼ାଃ ସମ୍ବିତ ପାତ୍ର ଏବଂ କୋଚ଼ିନ ସିପ ୟାର୍ଡ଼ର ନିର୍ଦ୍ଦେଶକ ପୃଥ୍ୱୀରାଜ ହରିଚ଼ନ୍ଦନ ମିଳିତ ଭାବେ ଉଦଘାଟନ କରିଥିଲେ।

ଏହି ଅବସରରେ ଉକ୍ତ କେନ୍ଦ୍ରର ପରିଚାଳକ କାହ୍ନୁଚ଼ରଣ ପଲାଇଙ୍କ ତତ୍ୱାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ଡ଼ାଃ ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସମାଜସେବୀ ନିରଞ୍ଜନ ସେଠୀ, ସନାତନ ବଳବନ୍ତରାୟ, ସ୍ବପ୍ନା ବଡ଼ଜେନା ଏବଂ ମମତା ପରିଡ଼ା ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ଦ୍ବାରା ସମସ୍ତ ଜନସାଧାରଣ ଏବଂ ବିଶେଷ କରି ଗରିବ ମା’ ଓ ଭଉଣୀ ମାନେ କିପରି ଏହାର ଲାଭ ଉଠାଇପାରିବେ, ମୁଖ୍ୟ ଅତିଥି ଡ଼ାଃ ପାତ୍ର ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା କରିଥିଲେ। ଏହି କେନ୍ଦ୍ରରେ ୧୭୫୯ ଗୋଟି ଉଚ୍ଚ ଗୁଣବତ୍ତା ଔଷଧ ସହ ୨୮୦ ଗୋଟି ସର୍ଜିକାଲ ଉପକରଣ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ମୂଲ୍ୟରେ ମିଳିବ ବୋଲି ଏହାର ପରିଚାଳକ ଶ୍ରୀ ପଲାଇ ପ୍ରକାଶ କରିଛନ୍ତି।

ଏହି ଅବସରରେ ଆଖିପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉକ୍ତ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ଭାରତୀୟ ଜନତା ପାର୍ଟିର ସିଦ୍ଧେଶ୍ଵରୀ ମଣ୍ଡଳର‌ ଚ଼ିନ୍ତନ ବୈଠକ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଗମ୍ଭାରୀମୁଣ୍ଡା ଠାରେ ଭାରତୀୟ ଜନତା ପାର୍ଟି ସିଦ୍ଧେଶ୍ଵରୀ ମଣ୍ଡଳର‌ ଚ଼ିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଲୋକପ୍ରିୟ ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଖୋର୍ଦ୍ଧା ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଶିକ୍ଷାବିତ୍ ତଥା ଦଳର ପୁରୁଖା ନେତା ଗୋଲକ ବିହାରୀ ପଟ୍ଟନାୟକ, ବରିଷ୍ଠ ନେତା ରମେଶ ଚନ୍ଦ୍ର ସାମନ୍ତସିଂହାର, ମାଧବ ପ୍ରଧାନ, ଗମ୍ଭାରୀମୁଣ୍ଡା ପଞ୍ଚାୟତର‌ ସମିତିସଭ୍ୟା ଅନିତା ପ୍ରଧାନ‌, ମଣ୍ଡଳ ସାଧାରଣ ସମ୍ପାଦକ ତପନ ପ୍ରଧାନ, ବିସ୍ତାରକ ଦେବେନ୍ଦ୍ର ପାଇଟିଆଲ୍, ଶରତ ଛାଟୋଇ, ପ୍ରକାଶ ବେହେରା, ପ୍ରଭାଶିଷ ପ୍ରଧାନ, ଦେବେନ୍ଦ୍ର ହରିଚ଼ନ୍ଦନ ଯୋଗ ଦେଇଥିଲେ।

ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବିସ୍ମୃତ ଆଲୋଚ଼ନା ହେବା ସହ ସଂଗଠନ କୁ ବୁଥ୍ ସ୍ତରରେ ଆହୁରି ଦୃଢ଼ କରିବା ପାଇଁ ଆଲୋଚ଼ନା ହୋଇଥିଲା। ଏହି ବୈଠକରେ ମଣ୍ଡଳ ର ସମସ୍ତ ଛାମୁଆ ନେତା ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ବାଣପୁର ବ୍ଲକ ଘେରାଉ କଲା ବିଜେପି

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଦୀର୍ଘଦିନର ଶାସନରେ ପିସି କାରବାର, ବିନା ଗ୍ରାମସଭାରେ ପ୍ରକଳ୍ପ ସମ୍ପାଦନ, ୫-ଟି ନାମରେ ଜାଲିଆତି, ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ବାଣପୁର ବ୍ଲକରେ ମନମୁଖୀ କାର୍ଯ୍ୟ ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଆଜି ବାଣପୁର ବ୍ଲକ ଘେରାଉ କରାଯାଇଛି।

ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ଶ୍ରୀ ଚକାଦେବଙ୍କ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ଲକର ସମ୍ମୁଖ ଗେଟ ବନ୍ଦ କରି ସେଠାରେ ପ୍ରତିବାଦ ସଭା କରାଯାଇଥିଲା।

ଜନସାଧାରଣଙ୍କୁ ରାଜ୍ୟ ସରକାର ଦୀର୍ଘ ଚବିଶ ବର୍ଷ ଧରି ଶୋଷଣ କରିଚାଲିଛନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ। ତତସହିତ ଗରିବ ଲୋକଙ୍କ ପଇସା ଚିଟଫଣ୍ଡ କମ୍ପାନୀ ମାନେ ଠକିଥିବା ବେଳେ ସରକାର କର୍ପସ ଫଣ୍ଡ ଦ୍ୱାରା ଟଙ୍କା ଫେରସ୍ତର ମିଛ ପ୍ରତିଶୃତିରେ ବିମୋହିତ କରି ଭୋଟ ହାତେଇ ଥିବାବେଳେ ଟଙ୍କା ଫେରସ୍ତର ତ ଦୁରକଥା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆଶ୍ୱାସନା ମଧ୍ୟ ଦେଇନାହାନ୍ତି। ତେଣୁ ଆସନ୍ତା ନିର୍ବାଚନରେ ଏପରି ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାର ସରକାରକୁ ହଟେଇବା ଦରକାର ବୋଲି ମତ ରଖିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ନାଥ ଭୋଳ, ଜିଲ୍ଲା ଉପ ସଭାପତି ବିଜୟ ବିଶ୍ୱାଳ, ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିବା ସହ ବାଣପୁର ବ୍ଲକରେ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ରଣ ହୁଙ୍କାର ଦେଇଥିଲେ।

ଆଗାମୀ ଦିନରେ ଏହିଭଳି ମନମୁଖୀ କାର୍ଯ୍ୟ ଜାରି ରହିଲେ ବାଣପୁରବାସି ସବୁଦିନ ପାଇଁ ବ୍ଲକରେ ତାଲା ପକାଇଦେବେ ବୋଲି ନେତାମାନେ ତାଗିଦ କରିଥିଲେ। ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ ଆଗାମୀ ନିର୍ବାଚନରେ ବିଜେଡି ନେତା ଓ କର୍ମୀ ମାନଙ୍କୁ ଗାଁ ଗଣ୍ଡାରେ ପୁରାଇ ଦିଆଯିବନି ବୋଲି ମତ ରଖିଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତ୍ୟେକ ଗ୍ରାମକୁ ସ୍ୱଚ୍ଛପାଣିର ବ୍ୟବସ୍ଥା ସହ କୃଷକ ମାନଙ୍କର ଉନ୍ନତି ପାଇଁ ସରକାର ସୁବିଧା କରିବାକୁ ନେତାମାନେ ଦାବୀ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ପ୍ରାଥମିକ ଶିକ୍ଷକମାନଙ୍କ ଧାରଣା ସ୍ଥଳରେ ପହଞ୍ଚିଲେ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଛୁଟିରେ ଅଛନ୍ତି। ସ୍କୁଲ ଗୁଡିକରେ ତାଲା ଝୁଲୁଛି। ସମସ୍ତ ୧୨୭ ଟି ସ୍କୁଲର ଶିକ୍ଷକ ଗତ ୮ ତାରିଖରୁ ବ୍ଲକ ଶିକ୍ଷଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି।

ପ୍ରାଥମିକ ଶିକ୍ଷା ବର୍ଗରେ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ ନେଇ ଆନ୍ଦୋଳନ ରାଜ୍ୟ ବ୍ୟାପି ଚାଲିଥିବା ବେଳେ ବାଣପୁର ବ୍ଲକର ସଭାପତି ବିଭୁତି ଭୂଷଣ ସ୍ୱାଇଁ ଓ ସମ୍ପାଦକ ବିଭୁତି ଭୂଷଣ ଦାସଙ୍କ ନେତୃତ୍ୱରେ ୧୦୮ ଟି ସ୍କୁଲର ୪୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ଜିତେନ୍ଦ୍ର ନାଥ ଭୋଳ, ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳଙ୍କ ସମେତ ବହୁ ବିଜେପି ନେତୃତ୍ୱ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଥିଲେ। ପୃଥ୍ୱୀରାଜ ହରିଚନ୍ଦନ ଶିକ୍ଷକମାନଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିକୁ ନା ପସନ୍ଦ କରିବା ସହ ସରକାର ଯଥାଶୀଘ୍ର ଶିକ୍ଷକମାନଙ୍କର ଦାବିଗୁଡ଼ିକୁ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

ବିଜେପି ଆପଣମାନଙ୍କ ଆନ୍ଦୋଳନରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ପଥର ଭଳି ଛିଡା ହୋଇଥିବାର ମତ ରଖିଥିଲେ ଶ୍ରୀ ହରିଚନ୍ଦନ। ତେଣୁ ଶିକ୍ଷକ ମାନଙ୍କର ଆନ୍ଦୋଳନ ଦ୍ୱାରା ପିଲା ମାନଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ରାଜ୍ୟ ସରକାରଙ୍କୁ ଦୃଢ ନିନ୍ଦା କରିଥିଲେ ଶ୍ରୀ ହରିଚନ୍ଦନ।

ଉକ୍ତ ଆନ୍ଦୋଳନକୁ ଚିଲକା ବିଜେପି ସମର୍ଥନ କରିଥିବାରୁ ସଭାପତି ଶ୍ରୀ ସ୍ୱାଇଁ ଓ ସମ୍ପାଦକ ଶ୍ରୀ ଦାସ ଶିକ୍ଷକମାନଙ୍କ ତରଫରୁ ଶ୍ରୀ ହରିଚନ୍ଦନଙ୍କୁ ଧନ୍ୟବାଦ ଦେଇଥିଲେ।

ପରିଶେଷରେ ଶ୍ରୀ ହରିଚନ୍ଦନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ।

Categories
ବିଶେଷ ଖବର

ସତ୍ୟପାଠକୁ ମିଥ୍ୟା ବୋଲି କହିବା ପୃଥ୍ୱୀରାଜଙ୍କ ହୀନ ମାନସିକତାକୁ ଦର୍ଶାଉଛି: ବିଜେଡି

ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଛି ବିଜେଡି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡ଼ି ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ଜୀବନରେ ୱାର୍ଡ଼ମେମ୍ୱରଟିଏ ମଧ୍ୟ ହୋଇ ପାରିନଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରନ୍ତି ନାହିଁ। କୌଣସି ବିଷୟରେ କିଛି ନ ଜାଣିଥିଲେ ବି ଯାହା ମନକୁ ଆସିଲା, ତାହା ଗପି ଚାଲନ୍ତି। ଓଡ଼ିଶାବାସୀ ତାଙ୍କର ଏଭଳି ଜୋକର ସ୍ୱଭାବ ବିଷୟରେ ଭଲ ଭାବେ ଅବଗତ ଥିବାରୁ କେହି ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ।

ପୃଥ୍ୱୀରାଜ ବାବୁଙ୍କ ଭଳି ଓଡ଼ିଶା ବିଜେପିର ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନ ମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି। ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଖଲ କରାଯାଇଥିବା ଏ ସମ୍ପର୍କିତ ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ ମାନସିକତାକୁ ଦର୍ଶାଉଛି। ମହାପ୍ରଭୁଙ୍କ ନାଁରେ ମିଛ କହିବା କେବଳ ତାଙ୍କ ଭଳି ମିଥ୍ୟାବାଦୀମାନେ ହିଁ ଚିନ୍ତା କରିପାରନ୍ତି।

ପୃଥ୍ୱୀରାଜ ବାବୁଙ୍କୁ ଯଦି ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ମିଥ୍ୟାପାଠ ଭଳି ଲାଗୁଛି, ସେ ଏହା ବିରୋଧରେ ହାଇକୋର୍ଟକୁ ଯାଉନାହାନ୍ତି କାହିଁକି? ସବୁ ଆଡ଼ୁ ହତାଶ ହୋଇ ଏମିତି ବାଉଳିଚାଉଳି ହେଉଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଫସଲ ବୀମା ନେଇ ଆସନ୍ତାକାଲି ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପି

ଭୁବନେଶ୍ୱର : ଫସଲ ବୀମା ନେଇ ଆସନ୍ତାକାଲିଠାରୁ ବିଧାନସଭା ସମ୍ମୁଖରେ ବିଜେପି ଅନିର୍ଦ୍ଦିଷ୍ଟ କାଳପାଇଁ ସତ୍ୟାଗ୍ରହ କରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଓଡିଶା ସରକାର ରାଜ୍ୟର ଚାଷୀଙ୍କୁ ପ୍ରୋତ୍ସହନ ଦିଅନ୍ତି ନାହିଁ। ଏହା ବିରୋଧରେ ବିଜେପି ସତ୍ୟାଗ୍ରହ କରିବ।

ଏହି ଅବସରରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକି୍ସପାତ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ଚାରି ଦିନ ପରେ ବି ବନ୍ୟା ପରିଚାଳନା, ବନ୍ୟା ନିୟନ୍ତ୍ରଣ, ବନ୍ୟା ପ୍ରପିଡୀତଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ରାଜ୍ୟ ସରକାର। ଜଳବନ୍ଦୀ ହୋଇ ରହିଥିବା ଅଧିକାଂଶ ଜାଗାରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସାତ ସପନ ହୋଇଛି। ବନ୍ୟା ପୀଡିତ ଲୋକେ ଭଗବାନଙ୍କୁ ଭରସା କରି ଜୀବନ କାଟୁଛନ୍ତି। ଏହି ବନ୍ୟା ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବନ୍ୟାଂଚଳବାସୀଙ୍କ ପାଇଁ ରାଜ୍ୟ ସରକାର ପଲିଥିନି କି ମହମବତୀ ଯୋଗାଇ ନଥିବାବେଳେ ଖାଦ୍ୟ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ୨୨ବର୍ଷ ଶାସନରେ ଥାଇ ମଧ୍ୟ ରାଜ୍ୟ ସରକାର ବନ୍ୟା ଏବଂ ବନ୍ୟା ପରବର୍ତୀ ପରିସ୍ଥିତି ପରିଚାଳନାରେ ଅପାରଗ ସାବ୍ୟସ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା କାରଣରୁ ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ଦାୟୀତ୍ୱହୀନତା କାରଣରୁ ଲକ୍ଷ ଲକ୍ଷ ଲୋକମାନେ ଆଜି ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି।

ସେହିପରି ବିଜେପିର ୩ଟି ଟିମ୍ ଗତ ୪ ଦିନ ହେଲାଣି ବିଭିନ୍ନ ବନ୍ୟା ଅଂଚଳକୁ ଯାଇ ବାସ୍ତବସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରୁଛନ୍ତି। ବନ୍ୟାଂଚଳବାସୀଙ୍କ ଅସହାୟତା ଅତ୍ୟନ୍ତ ଅବର୍ଣ୍ଣନୀୟ ଏବଂ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା ବନ୍ୟାରେ ୬ଜଣ ଲୋକଙ୍କ ପ୍ରାଣ ହରାଇଛନ୍ତି, ବେସରକାରୀ ତଥ୍ୟ ଅଧିକ। ବନ୍ୟାରେ ଜନସାଧାରଣଙ୍କ ବ୍ୟାପକ ଧନ ସମ୍ପତି ଓ ଫସଲ ହାନୀ ହେବା ସହିତ ବହୁ ଗୃହପାଳିତ ପଶୁ ନିଖୋଜ ଅଛନ୍ତି।

ବର୍ତମାନ ସୁଦ୍ଧା ଶୁଖିଲା ଓ ରନ୍ଧା ଖାଦ୍ୟ, ମହମବତୀ, ତାରପୋଲିନ ଜରି ଆଦି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦେବାରେ ମଧ୍ୟ ବିଫଳ ହୋଇଛନ୍ତି। ପାନୀୟ ଜଳ ଅଭାବ କାରଣରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ବନ୍ୟା ପାଣି କାରଣରୁ ବିଷାକ୍ତ ସାପ ମଧ୍ୟ ଘର ଭିତରକୁ ପଶି ଯାଉଥିବାରୁ ବୟସ୍କ ଓ ଛୋଟ ଛୋଟ ପିଲାମାନଙ୍କ ଜୀବନ ବିପଦରେ ପଡିଛି । ବେସରକାରୀ ସଂସ୍ଥା ଓ ଅନୁଷ୍ଠାନଗୁଡିକ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଅଗ୍ରଣୀ ଭୁମିକା ନେଉଥିବାବେଳେ ସରକାର ଓ ପ୍ରଶାସନ ବନ୍ୟାଂଚଳବାସୀଙ୍କ ନିକଟରେ ଅପହଂଚ ହୋଇ ରହିବା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ସରକାର ଅନେଇ ବସିଛନ୍ତି। ଏହି ଆଳରେ ସୁବିଧାରେ ଅର୍ଥ ହଡପ୍ କରିବାର ସୁଯୋଗ ପାଇଯାଉଛନ୍ତି। ରାଜ୍ୟର ନଦୀବନ୍ଧ, ବାଡ ମରାମତି ପାଇଁ କେନ୍ଦ୍ର ସରକାର ପଠାଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ଚଳୁ କରିଦେଉଛନ୍ତି। ଦଳୀୟ ଠିକାଦାରଙ୍କ ସହାୟତାରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବ୍ୟାପକ ହରି ଲୁଟ୍ କରୁଛନ୍ତି। ସେହିପରି ଅସମ୍ବେଦନଶୀଳ ରାଜ୍ୟ ସରକାରଙ୍କ ପାଖରେ ‘ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ର କୈାଣସି ମୂଲ୍ୟ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ବର୍ଷଦିନ ଆରମ୍ଭରୁ ନଦୀବନ୍ଧ ମରାମତି ଦାୟିତ୍ୱ ଜଳସମ୍ପଦ ବିଭାଗ ନେବା କଥା କିନ୍ତୁ କୌଣସି କାର୍ଯ୍ୟ ହୋଇନାହିଁ। ବନ୍ୟା ପାଇଁ ଜଳସମ୍ପଦ ବିଭାଗ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ ଏବଂ ଏଥି ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ। ବନ୍ୟା ପରିଚାଳନା ପାଇଁ ଦୀର୍ଘସୁତ୍ରୀ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଏହାକୁ ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରପଡା ଜିଲ୍ଲାର ଖରସ୍ରୋତା ନଦୀ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ବିଜେପି ଟିମ୍

ଭୁବନେଶ୍ୱର, ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଖରସ୍ରୋତା ନଦୀ ଅଂଚଳ ବୁଲି  ସ୍ଥିତି ନିରୀକ୍ଷଣ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶୀନି, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦଳଗୋବିନ୍ଦ ନାୟକ, ଭୂବନ ମୋହନ ଜେନା, ବିଷ୍ନୁ ଦାଶ, ଅଲେଖ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ଥିଲେ ।

ଯେଉଁ ପ୍ରକଳ୍ପ ଆଳରେ ଖରସ୍ରୋତା ନଦୀରୁ ପାଣି ଅନ୍ୟ ଜିଲ୍ଲାକୁ ନେବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି, ତାହା ସଂପୂର୍ଣ୍ଣ ଅବାଂଚିତ ବୋଲି ପୃଥୀରାଜ କହିଛନ୍ତି । ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାରୁ ପାଣି ଚୋରୀ କରି ଯେଉଁ ଭଳି ଭାବେ ବିଭିନ୍ନ ଓ ବିବିଧ ସୁତ୍ର ଥିବା ସତ୍ୱେ ଭଦ୍ରକ ଜିଲ୍ଲାକୁ ପାଣି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଚିନ୍ତାଜନକ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ଯଦି ବାସ୍ତବରେ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି, ତାହେଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଜନଶୁଣାଣୀ ଜରିଆରେ ପ୍ରକଳ୍ପ କାର୍ଯ୍ୟ କରିବା ଉଚିତ୍ । ମାତ୍ର ରାଜ୍ୟ ସରକାର ତାକୁ ନକରି ବର୍ବରୋଚିତ ଭାବେ ଶକ୍ତି ପ୍ରଦର୍ଶନ କରି ସାଧାରଣ ଲୋକଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟ ସରକାର ସର୍ବପ୍ରଥମେ ସାଧାରଣ ଜନତାଙ୍କ ଦାବୀକୁ ସମ୍ମାନ ଜଣାଇବା ଉଚିତ୍ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି।