Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ପୋଲିଓ ପ୍ରତିଷେଧକ ଟିକାକରଣ ପାଇଁ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପଲସ ପୋଲିଓ ଟିକାକାରଣ ପାଇଁ ଜିଲ୍ଲା ଟାସ୍କଫୋର୍ସ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚ୍ଯୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି। ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଆର୍ତ୍ତବନ୍ଧୁ ନାୟକ ସ୍ୱାଗତ ଭାଷଣ ଦେବା ସହ ଜିଲ୍ଲାରେ ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ପିଲାମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ।

ଜାନୁଆରୀ ୨୩ ତାରିଖରେ ପୋଲିଓ ବୁଥରେ ପିଲାମାନଙ୍କୁ ପଲସ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଯେଉଁ ପିଲାମାନେ ପୋଲିଓ ବୁଥରେ ପ୍ରତିଷେଧକ ନେଇ ନଥିବେ ସେମାନଙ୍କୁ ଜାନୁଆରୀ ୨୪ ଓ ୨୫ ତାରିଖରେ ଘରକୁ ଘର ବୁଲି ପୋଲିଓ ପ୍ରତିଷେଧକ ଦିଆଯିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୁବନେଶ୍ୱର ପ୍ରତିନିଧି ଡ଼ା. ସୁନୀଲ କୁମାର ଦାସ ପଲସ ପୋଲିଓ ଟିକାକାରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମଗ୍ର ଦେଶରେ ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ପଲସ ପୋଲିଓ ଟିକାକରଣ କରିବାକୁ ଲକ୍ଷ୍ୟରହିବ। ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ବିଶ୍ୱରେ ପୋଲିଓ ଦୂର ହେବା ଅବସ୍ଥାକୁ ଆସିଛି। ୨୦୨୩ ସୁଦ୍ଧା ବିଶ୍ୱକୁ ପୋଲିଓ ମୁକ୍ତ କରିବାକୁ ଲକ୍ଷ ରହିଛି। ଭାରତରେ ୨୦୧୧ ପରଠାରୁ ପୋଲିଓ ମାମଲା ସାମ୍ନାକୁ ଆସିନାହିଁ। ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯାଉଛି। ଖୋର୍ଦ୍ଧା ଜିଲ୍ଲାରେ ପଲସ ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ୧ ଲକ୍ଷ ୨୮ ହଜାର ୧୫୭ ଜଣ ପିଲାଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦେବା ପାଇଁ ଲକ୍ଷ ରହିଛି।  ଏଥିପାଇଁ ଜିଲ୍ଲାରେ ୬୨୦ ଟି ପୋଲିଓ ବୁଥରେ ପିଲାମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ।

ପୋଲିଓ ପ୍ରତିଷେଧକ ଦେବା ପାଇଁ ୨ ହଜାର ୪୮୦ ଜଣ ଭାକସିନେଟର ନିୟୋଜିତ ହେବେ। ୪୦ ଟି ଟ୍ରାନଜିଟ ଟିମ ଓ ୨୨ ଟି ମୋବାଇଲ ଟିମ କାର୍ଯ୍ୟକରିବ।  ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଟ୍ରାନଜିଟ ଟିମ ରହିବ। ବାହାରୁ ଆସୁଥିବା ପିଲାମାନଙ୍କୁ ମଧ୍ୟ ପୋଲିଓ ପ୍ରତିଷେଧକ ଟିକା ଦେବାପାଇଁ ବ୍ୟବସ୍ଥା କରାଯିବ।  ପୋଲିଓ ପ୍ରତିଷେଧକ ଟିକାକରଣ ପାଇଁ ପ୍ରତି ବ୍ଲକରେ ବ୍ଲକ ଟାସ୍କଫୋର୍ସ ବୈଠକ କରାଯିବ।

କୋଭିଡ ସ୍ଥିତିକୁ ଲକ୍ଷ୍ୟ ରଖି ପୋଲିଓ ଟିକାକରଣ କରିବାକୁ ଆଲୋଚନା ହୋଇଥିଲା। ପୋଲିଓ ଟିକାକରଣ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଓ ସ୍ଵେଚ୍ଛାସେବୀ ସଙ୍ଗଠନ ସହଯୋଗ କରିବାକୁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. ରଘୁନାଥ ନାୟକ କହିଥିଲେ ଓ ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।