Categories
ବିଶେଷ ଖବର

ଅମିତ ଶାହାଙ୍କ ଆଗରେ ୨ ଟି ଦାବି ରଖିଲେ ଜାଟ ନେତା: ବିଜେପିର ଅଫରକୁ ନେଇ ପ୍ରତିକ୍ରିୟା ରଖିଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜଧାନୀ ଦିଲ୍ଲୀର ବିଜେପି ସାଂସଦ ପ୍ରବେଶ ବର୍ମାଙ୍କ ବାସଭବନରେ ଦୁଇଶହ ପଚାଶରୁ ଅଧିକ ଜାଟ ନେତାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନାନୁସାରେ, ଏହି ବୈଠକରେ ଗୋଟିଏ ପଟେ ଜାଟ ନେତାମାନେ ଅମିତ ଶାହାଙ୍କ ଆଗରେ ଦୁଇଟି ପ୍ରମୁଖ ଦାବି କରିଥିଲେ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ସହ ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜୟନ୍ତ ଚୌଧୁରୀଙ୍କ ଆରଏଲଡିକୁ ବିଜେପି ମେଣ୍ଟରେ ଯୋଗଦେବାକୁ ଅମିତ ଶାହା ଅଫର ଦେଇଛନ୍ତି।

ବୈଠକରେ ଜାଟ ନେତାମାନେ ଅମିତ ଶାହାଙ୍କ ଆଗରେ ଦୁଇଟି ପ୍ରମୁଖ ଦାବି କରିଥିଲେ ଯେଉଁଥିରେ ପ୍ରଥମ ଦାବି ହେଲା ୧୪ ଦିନ ମଧ୍ୟରେ ଆଖୁ ଦେୟ ଦିଆଯିବା ଉଚିତ ଏବଂ ଦ୍ୱିତୀୟଟି ହେଲା ଜାଟମାନଙ୍କୁ ସଂରକ୍ଷଣ ଦିଆଯିବା ଉଚିତ। ଏହା ଉପରେ ଅମିତ ଶାହା କହିଛନ୍ତି ଯେ ଜାଟମାନଙ୍କ ସହ ତାଙ୍କର ଏକ ବିଶେଷ ସଂଯୋଗ ଅଛି ଏବଂ ସେମାନଙ୍କର ଦାବି ତାଙ୍କ ହୃଦୟରେ ଅଛି। ନିର୍ବାଚନ ପରେ ସେ ଏସବୁ ଉପରେ କାମ କରିବେ।

ଏହି ବୈଠକରେ ଅମିତ ଶାହା ଆରଏଲଡିର ଜୟନ୍ତ ଚୌଧୁରୀଙ୍କୁ ମେଣ୍ଟ ପାଇଁ ଅଫର ପ୍ରଦାନ କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହା ଏହି ବୈଠକରେ କହିଛନ୍ତି ଯେ, ଆମେ ଚୌଧୁରୀ ଚରଣ ସିଂଙ୍କୁ ସମ୍ମାନ ଦେଉଛୁ। ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ଆମେ ପୂର୍ବରୁ ଦ୍ୱାର ଖୋଲା ରଖିଥିଲୁ ଏବଂ ଭବିଷ୍ୟତରେ ଯଦି ସେ ଇଚ୍ଛା କରନ୍ତି, ତେବେ ତାଙ୍କ ସହ କଥାବାର୍ତ୍ତା ପାଇଁ ଦ୍ୱାର ଖୋଲା ଅଛି।

ବିଜେପିର ଅଫର ଉପରେ ଜୟନ୍ତ ଚୌଧୁରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅଫର ମୋତେ ନୁହେଁ, ସେହି ୭୦୦ କୃଷକ ପରିବାରକୁ ଦିଅ, ଯାହାର ଘର ତୁମେ ନଷ୍ଟ କରି ଦେଇଛ।

ବୈଠକ ପରେ ପ୍ରବେଶ ବର୍ମା କହିଛନ୍ତି ଯେ, “ଖୋଲା ମନ ସହ କଥା ହୋଇଛି। ସମାଜର ଲୋକମାନେ ବିଶ୍ବାସ କରନ୍ତି ଯେ, ଜୟନ୍ତ ଚୌଧୁରୀ ଭୁଲ ପଥରେ ଯାଇଛନ୍ତି। ଆମେ ତାଙ୍କ ସହ କଥା ହେବୁ। ନିର୍ବାଚନ ପରେ ସେ ଫେରିବେ କି ନାହିଁ ତାହା ସେ ସ୍ଥିର କରିବେ। “

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସମୀର ୱାଙ୍ଖେଡେଙ୍କ ବିରୋଧରେ ନବାବ ମଲିକଙ୍କ ଆଉ ଏକ ଅଭିଯୋଗ: ପ୍ରତିକ୍ରିୟା ରଖିଲେ ଏନସିବି ଅଧିକାରୀ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି। ସମୀର ୱାଙ୍ଖେଡେଙ୍କ ଶାଳି ହର୍ଷଦା ଦୀନାନାଥ ରେଡକର ଡ୍ରଗ୍ କାରବାରରେ ଲିପ୍ତ ଥିବା ମଲିକ ଅଭିଯୋଗ କରିଛନ୍ତି। ଏହା ସହିତ ପୁଣେ କୋର୍ଟରେ ବିଚାରାଧୀନ ମାମଲା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ମଲିକଙ୍କ ଅଭିଯୋଗର ଉତ୍ତରରେ ଏନସିବି ଅଧିକାରୀ କହିଛନ୍ତି ଯେ, ଏହି ମାମଲା ସମୟରେ ମୁଁ ଚାକିରିରେ ନଥିଲି।

ୱାଙ୍ଖେଡେ କହିଛନ୍ତି ଯେ, ୨୦୦୮ ମସିହାରେ ଏହି ମାମଲା ଘଟିବାବେଳେ ମୁଁ ସେବାରେ ନଥିଲି। ମୁଁ ୨୦୧୭ ରେ କ୍ରାନ୍ତି ରେଡକରଙ୍କୁ ବିବାହ କରିଥିଲି ତେଣୁ ଏହି ମାମଲା ସହିତ ମୁଁ କିପରି ସଂଯୋଗ ହୋଇପାରିବ?

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ବିଜେଡ଼ିର ଦରଦାମ ବୃଦ୍ଧି ଆନ୍ଦୋଳନ: ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ବିଜେଡ଼ି ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ସମଗ୍ର ରାଜ୍ୟରେ ଆନ୍ଦୋଳନ କରିବ। ନଭେମ୍ବର ୧ ତାରିଖ ଠାରୁ ମହିଳା ବିଜେଡ଼ି ମଧ୍ୟ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବ। ସେହିଭଳି ଛାତ୍ର ବିଜେଡ଼ି ମଧ୍ୟ ନଭେମ୍ବର ୫ ତାରିଖରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ।

ତେବେ ଏହାକୁ ନେଇ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। କ୍ରିୟା ହେଲେ ପ୍ରତିକ୍ରିୟା ହେବ ବୋଲି ସାଂସଦ ଅପରାଜିତା କହିଛନ୍ତି। ନାରୀ ନିର୍ଯ୍ୟାତନାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଜାରି ରହିଥିବା ବେଳେ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବିଜେଡ଼ି ଏଭଳି କାର୍ଯ୍ୟ କରୁଛି ବୋଲି ସାଂସଦ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି। ତେଣୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିବା ଉଚିତ ବୋଲି ସାଂସଦ ପ୍ରକାଶ କରିଛନ୍ତି।

ସେହିଭଳି ବିଜେପି ନେତା ଗୋଲଖ ମହାପାତ୍ର ମଧ୍ୟ ବିଜେଡ଼ିକୁ ସମାଲୋଚନା କରିଛନ୍ତି। ଗୋଲଖ କହିଛନ୍ତି ଯେ, ଯଦି ପେଟ୍ରୋଲ-ଡିଜେଲ ଦର ହ୍ରାସ କରିବାକୁ ବିଜେଡ଼ି ଚାହୁଁଛି, ତେବେ ରାଜ୍ୟସରକାର ଟିକସ ଛାଡ କାହିଁକି କରୁନାହାନ୍ତି। ପେଟ୍ରୋଲ-ଡିଜେଲ ବାବଦକୁ ରାଜ୍ୟ ସରକାର ୩୯ ଟଙ୍କା ଭ୍ୟାଟ ନେଉଥିବା ବେଳେ ଏହାକୁ ଛାଡ କଲେ ମୂଲ୍ୟ ୭୦ ଟଙ୍କାକୁ ହ୍ରାସ ପାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। କେବଳ ମମିତା ହତ୍ୟାକାଣ୍ଡ ଘଟଣାରୁ ଲୋକଙ୍କ ନଜର ହଟାଇବାକୁ ବିଜେଡ଼ି ଏକ ନାଟକ କରୁଛି ବୋଲି ବିଜେପି ନେତା ଗୋଲଖ ମହାପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ: ଚିଲିକାର ସମସ୍ୟାକୁ ନେଇ ରଖିଲେ ପ୍ରତିକ୍ରିୟା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ ବରିଷ୍ଠ ପ୍ରଶାସକ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟରେ ଯୋଗଦେଇଛନ୍ତି। ଗତକାଲି ନୂତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟରେ ଯୋଗଦେଇଛନ୍ତି। କାର୍ଯ୍ୟର ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ ଏକାଧିକ ବୈଠକ କରି ଜିଲ୍ଲାର ଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମହାପାତ୍ର।

ତେବେ ଚିଲିକା ନିର୍ବାଚନମଣ୍ଡଳି ପାଇଁ ପ୍ରାଥମିକତା କଣ ରହିବ ବୋଲି ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ଚିଲିକା ଗସ୍ତରେ ଆସିବେ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ସମସ୍ତ ସମସ୍ୟାଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ବୋଲି କହିଥିଲେ। ବାଣପୁର ଓ ବାଲୁଗାଁ ଏନଏସି ରେ ଡ୍ରେନେଜ ସମସ୍ୟା, ଷ୍ଟ୍ରିଟ ଲାଇଟ ସମସ୍ୟା, ବାଣପୁର ସବ ରେଜିଷ୍ଟ୍ରର ପଦବୀ ପୂରଣ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ପୋଲିସ ଥାନାରେ ସାଧାରଣ ଜନତା ସାମ୍ନା କରୁଥିବା ବିଭିନ୍ନ ସମସ୍ୟାଗୁଡିକ ବିଷୟରେ ଆମ ପ୍ରତିନିଧିଙ୍କ ଦ୍ୱାରା ଦୃଷ୍ଟି ଆକର୍ଷଣ କରାଯିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ପୋଲିସ ଥାନାରେ ଟ୍ୱିଟର ହ୍ୟାଣ୍ଡଲ ଖୋଲିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି। ଏବଂ ଖୋର୍ଦ୍ଧା ଏସପିଙ୍କ ସହ ମଧ୍ୟ ଏ ବିଷୟରେ ଆଲୋଚନା କରିଥିବାର ସୂଚନା ଦେଇଛନ୍ତି।

ଆଜିକାଲି ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବଢ଼ିବାରେ ଲାଗିଛି ଏବଂ ଗଣମାଧ୍ୟମ ଏହାର ଏକ ପ୍ରମୁଖ ଅଂଶ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ସମଗ୍ର ଜିଲ୍ଲାରେ ଇ-ୱାର୍କ କୁ ଗୁରୁତ୍ୱ ଦିଆଯିବ। ସମସ୍ତ ଜନସାଧାରଣ ଘରେ ବସି ସେମାନଙ୍କ ଅଭିଯୋଗ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦାଖଲ କରିବା ସହ ଫାଇଭ-ଟି ଅନ୍ତର୍ଗତ ସରକାରଙ୍କ ବିଭିନ୍ନ ଯୋଜନାର କିପରି ସିଧାସଳଖ ସେମାନେ ସୁଫଳ ପାଇପାରିବେ ତାହା ଉପରେ ଧ୍ୟାନ ଦିଆଯିବ।

ସେହିପରି ଭାବେ ଜିଲ୍ଲାପାଳ ସ୍ଵତଃପ୍ରବୃତ୍ତ ଭାବେ ନିଜ ସମ୍ପତ୍ତି ତାଲିକା ଏନଆଇସି ୱେବସାଇଟରେ ପ୍ରକାଶ କରିସାରିଛନ୍ତି ଏବଂ ଜିଲ୍ଲାର ଅନ୍ୟ ସରକାରୀ ଅଧିକାରୀମାନେ ମଧ୍ୟ ନିଜ ସମ୍ପତ୍ତି ତାଲିକା ଖୁବଶୀଘ୍ର ସାର୍ବଜନୀନ କରନ୍ତୁ ବୋଲି ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି।  ଏହାଦ୍ୱାରା ସମସ୍ତ ଅଧିକାରୀ ମାନେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିବେ।

ସେହିପରି ଭାବେ ଜିଲ୍ଲାର ଯେକୌଣସି ନାଗରିକ ସିଧାସଳଖ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ନିଜ ସମସ୍ୟା ଉପସ୍ଥାପନ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ପ୍ରଥମ ଦିନରୁ ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟପନ୍ଥା ଦେଖି ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ଉନ୍ନତି ହେବାସହ ଦୀର୍ଘଦିନ ଧରି ଜିଲ୍ଲାରେ ଲାଗିରହିଥିବା ଏକାଧିକ ସମସ୍ୟାଗୁଡିକର ସମାଧାନ ହୋଇପାରିବ ବୋଲି ଜିଲ୍ଲାବାସି ଆଶା କରିଛନ୍ତି।

ସୂଚନା ଥାଉକି ନିକଟରେ ଖୋର୍ଦ୍ଧାର ବିଦାୟୀ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ଟିଇ ଏବଂ ଏସସିଇଆରଟିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଲେ ବିଜେପି ନେତା ‘ଭବିଷ୍ୟତର ସହଯୋଗୀ’: ପ୍ରତିକ୍ରିୟା ରଖିଲେ ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଜେପି ନେତା ‘ଭବିଷ୍ୟତର ସହଯୋଗୀ’ ମନ୍ତବ୍ୟକୁ ନେଇ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଏହାର ଅର୍ଥ ହେଉଛି ଯେ, ବିଜେପିର କିଛି ଲୋକ ମହା ବିକାଶ ଆଗାଡିକୁ ଆସିପାରନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଉପରେ ସ୍ପଷ୍ଟୀକରଣ ଦେଇ ସଞ୍ଜୟ ରାଉତ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ କ’ଣ କହିଛନ୍ତି ତାହା ଆମକୁ ବୁଝିବା ଦରକାର। ସେ ଯାହା କହୁଥିଲେ ତାହା ହେଉଛି ବିଜେପିର କିଛି ଲୋକ ମହା ବିକାଶ ଅଗାଡିରେ ସାମିଲ ହୋଇପାରନ୍ତି। ଆମେ କୌଣସି ସ୍ଥାନକୁ ଯାଉନାହୁଁ।”

ଉଲ୍ଲେଖ ଯୋଗ୍ୟ ଯେ, ଉଦ୍ଧବ ଠାକରେ ବିଜେପି ନେତା ରାଓସାହେବ ଦାନଭେଙ୍କୁ ଭବିଷ୍ୟତର ସହଯୋଗୀ ଭାବରେ ସମ୍ବୋଧନ କରିବା ପରେ ରାଜ୍ୟ ରାଜନୀତିରେ ଉତ୍ତେଜନା ଦେଖାଦେଇଥିଲା। ପ୍ରାୟ ୩ ଦଶନ୍ଧି ଧରି ଦୁଇ ଦଳ ମଧ୍ୟରେ ଏକ ମେଣ୍ଟ ହୋଇଥିଲା ଯାହା ୨୦୧୯ ରେ ଭାଙ୍ଗି ଯାଇଥିଲା।

ମରାଠୱାଡା ସହରର ଔରାଙ୍ଗାବାଦ ସହରରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ରେଳ ରାଜ୍ୟମନ୍ତ୍ରୀ ରାଓସାହେବ ଦାନଭେ ସମାନ ମଞ୍ଚରେ ଥିଲେ। ଦାନଭେଙ୍କୁ ଦେଖି ଠାକୁର କହିଥିଲେ ଯେ, ଏମାନେ ଆମର ପୂର୍ବ ସହଯୋଗୀ ଥିଲେ ଏବଂ ଯଦି ଆମେ ଭବିଷ୍ୟତରେ ଏକାଠି ହେବୁ, ତେବେ ସେମାନେ ଭବିଷ୍ୟତର ସହଯୋଗୀ ହେବେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗଣଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ମନ୍ତବ୍ୟକୁ ନେଇ ବିବାଦ: ପ୍ରତିକ୍ରିୟା ରଖିଲେ ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜୀ: ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି କହିଛନ୍ତି ଯେ, ତାଙ୍କ ବିବୃତ୍ତିର ପ୍ରକୃତ ପ୍ରସଙ୍ଗ ବୁଝିବାକୁ ଚେଷ୍ଟା କରାଯାଉ ନାହିଁ। ନାବାଳିକାଙ୍କ ସୁରକ୍ଷା ଏକ ସାଧାରଣ ଦାୟିତ୍ଵ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ ଏବଂ ଏହି ମାମଲାରେ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବ।

ଉଲ୍ଲେଖ ଯୋଗ୍ୟ ଯେ, ଗୋଆ ରାଜଧାନୀଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବେନାଲିମ୍ ବେଳାଭୂମିରେ ରବିବାର ଦିନ ଦୁଇଜଣ ଯୁବତୀଙ୍କୁ ପୋଲିସ୍ ବୋଲି ଦର୍ଶାଇ ବଳାତ୍କାର କରାଯାଇଥିଲା। ସେମାନଙ୍କ ସହିତ ଆସିଥିବା ପୁଅମାନଙ୍କୁ ମଧ୍ୟ ଅଭିଯୁକ୍ତମାନେ ମାଡ଼ ମାରିଥିଲେ। ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସରକାରୀ କର୍ମଚାରୀ ଥିଲେ। ସମସ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବୁଧବାର ଦିନ ବିଧାନସଭାରେ ଗଣଦୁଷ୍କର୍ମକୁ ନେଇ ଏକ ବିବୃତ୍ତି ଦେଇଥିଲେ। ସେ ବିଧାନସଭାରେ କହିଥିଲେ ଯେ, ସେମାନଙ୍କ ପିଲାମାନେ କାହିଁକି ଏତେ ରାତି ପର୍ଯ୍ୟନ୍ତ ସମୁଦ୍ର କୂଳରେ ଥିଲେ ତାହା ଅଭିଭାବକମାନେ ଅନୁସନ୍ଧାନ କରିବା ଆବଶ୍ୟକ। ସେ କହିଥିଲେ ଯେ, ସେମାନଙ୍କ ପିଲାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପିତାମାତାଙ୍କ ଦାୟିତ୍ଵ ଅଟେ ଏବଂ ସେମାନେ ସେମାନଙ୍କର ପିଲାମାନଙ୍କୁ, ବିଶେଷକରି ନାବାଳିକାମାନଙ୍କୁ ରାତିରେ ବାହାରେ ରହିବାକୁ ଦିଅନ୍ତୁ ନାହିଁ। ତାଙ୍କ ମନ୍ତବ୍ୟକୁ ନେଇ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଆଜି ଏକ ବିବୃତ୍ତିରେ ସାୱନ୍ତ କହିଛନ୍ତି, ଦୁର୍ଭାଗ୍ୟଜନକ ଘଟଣା ସମ୍ପର୍କରେ ମୋ ବିବୃତ୍ତିର ଅଲଗା ଅର୍ଥ ବାହାର କରାଯାଇଛି। ଜଣେ ଦାୟିତ୍ଵବାନ ସରକାରର ମୁଖ୍ୟ ତଥା ୧୪ ବର୍ଷୀୟ ଜଣେ ଝିଅର ପିତା ଭାବରେ ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖଦ ଘଟଣାର ବର୍ଣ୍ଣନା କରାଯାଇପାରିବ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଆଇନ ଦ୍ୱାରା ଦିଆଯାଇଥିବା ସୁରକ୍ଷା ଅଧିକାରକୁ କେବେ ବି ଅସ୍ୱୀକାର କରିନାହାଁନ୍ତି। ବିଶେଷ କରି ମହିଳା ଏବଂ ଶିଶୁଙ୍କ ସୁରକ୍ଷାକୁ ନେଇ ଗୋଆ ପୋଲିସ ପ୍ରକୃତ ଅର୍ଥରେ ଏକ ବୃତ୍ତିଗତ ଶକ୍ତି ହୋଇପାରିଛି। ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତକୁ ଗିରଫ କରିଥିଲେ ଏବଂ ମୁଁ ଆପଣଙ୍କୁ ନିଶ୍ଚିତ କରିବି ଯେ, ଅପରାଧୀମାନେ ଆଇନ ଅନୁଯାୟୀ କଠୋର ଦଣ୍ଡ ପାଇବେ। ଆମ ନାଗରିକଙ୍କ ସୁରକ୍ଷା ସର୍ବଦା ମୋ ସରକାରର ସର୍ବୋଚ୍ଚ ପ୍ରାଥମିକତା ଅଟେ।

ପିଲାମାନଙ୍କର ସୁରକ୍ଷା ବିଶେଷକରି ନାବାଳିକାମାନଙ୍କର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ଅଟେ। ପିଲାମାନେ ସେମାନଙ୍କର ବଡମାନଙ୍କ ମାର୍ଗଦର୍ଶନ ଆବଶ୍ୟକ କରନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ମୁଁ ଗୋଆର ସମସ୍ତ ପିଲାଙ୍କୁ ନେଇ ଚିନ୍ତିତ ଅଛି। ”ଶିଶୁଙ୍କ ସୁରକ୍ଷା ସହ ଜଡିତ କୌଣସି ଆପୋଷ ବୁଝାମଣା ହେବ ନାହିଁ ବୋଲି ସାୱନ୍ତ କହିଛନ୍ତି। ସେ କହିଛନ୍ତି, ଭୁଲ ବୁଝାମଣା ପାଇଁ କୌଣସି ସ୍ଥାନ ଛାଡନ୍ତୁ ନାହିଁ। ଆସନ୍ତୁ, ଏକାଠି ହୋଇ ପରସ୍ପର ଉପରେ ବିଶ୍ୱାସ କରିବା। ଆସନ୍ତୁ ଗୋଆକୁ ଏକତା ସୂତରେ ବାନ୍ଧି ଆମର ଶକ୍ତି ସହିତ ଆମେ ଏହିପରି ମନ୍ଦ କାର୍ଯ୍ୟକୁ ଦୂର କରିବା।