Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବାସୀ ଓଡ଼ିଆମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ସ୍ବତନ୍ତ୍ର ନୀତି ପ୍ରଣୟନ ପାଇଁ ପ୍ରତିଶୃତି

ଭୁବନେଶ୍ବର: ଜନତା ମଇଦାନଠାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସ୍ୱତନ୍ତ୍ର ଭାବେ ଏକ ଆଲୋଚନା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଆଲୋଚନାରେ ପ୍ରବାସୀ ଓଡ଼ିଆମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଦେଶ ମାଟିରେ ଆପଣମାନେ ଦୁଇ ଦେଶ ମଧ୍ୟରେ ସଂପର୍କର ସେତୁ ହୋଇପାରିଛନ୍ତି। ଆମ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଛନ୍ତି । ଆପଣମାନେ ପ୍ରବାସରେ ରହି ମଧ୍ୟ ଓଡ଼ିଶାର ବିକାଶ ଓ ଅସ୍ମିତାର ସୁରକ୍ଷା ବିଷୟରେ ଚିନ୍ତା କରୁଛନ୍ତି ଓ ସେ ଦିଗରେ କାମ ମଧ୍ୟ କରୁଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଆଜି ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଆମକୁ ଏକ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପର ଅବସର ଆଣିଦେଇଛି । ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ୍ ସହ ତୃତୀୟ ଇଞ୍ଜିନ୍ ଭାବେ ପ୍ରବାସୀ ଇଞ୍ଜିନ୍ ଯୋଡ଼ି ହୋଇଛି ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ, ଓଡ଼ିଶା ଏବେ ସମୃଦ୍ଧି ପଥରେ ଅଗ୍ରସର ହେବା ପାଇଁ ଯାତ୍ରା ଆରମ୍ଭ କରିସାରିଛି । ଆପଣମାନେ ବିଭିନ୍ନ ଦେଶରେ ରହୁଛନ୍ତି । ଆପଣମାନଙ୍କ ମଧ୍ୟରେ ସଫଳ ଶିଳ୍ପପତି, ପ୍ରଫେସନାଲ ଓ ଟେକ୍ନୋକ୍ରାଟମାନେ ମଧ୍ୟ ଅଛନ୍ତି । ଏ ଯାତ୍ରାରେ ଆପଣମାନେ ସାମିଲ ହେବା ଅତ୍ୟନ୍ତ ଜରୁରୀ ।

ଏହି ଅବସରରେ ପ୍ରବାସୀ ଓଡ଼ିଆମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଓ ସେମାନେ ଓଡ଼ିଶାର ବିକାଶ ପାଇଁ ଚାହୁଁଥିବା ବିଷୟଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଓଡ଼ିଶାର ଜଣେ ମନ୍ତ୍ରୀ ସ୍ୱତନ୍ତ୍ର ଭାବେ ଦାୟିତ୍ୱରେ ରହିବେ । ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ମଧ୍ୟ ପ୍ରଣୟନ କରାଯିବ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହାର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ସହଯୋଗରେ ବର୍ତ୍ତମାନେ ଓଡ଼ିଶାରେ ବିମାନ ଚଳାଚଳ ସେବାରେ ବୃଦ୍ଧି ଘଟିଛି । ଆଗାମୀ ଦିନରେ କୁଏତ ଏବଂ କାତାର ଭଳି ଦେଶକୁ ମଧ୍ୟ ବିମାନ ଚଳାଚଳ ପାଇଁ ମଧ୍ୟ ଆମେ ବିଚାର କରୁଛୁ ।

କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ ଯେ, ଆମ ଦେଶର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଆମ ବୌଦ୍ଧିକ ମାନବ ସମ୍ବଳ । ଆପଣମାନେ ହେଉଛନ୍ତି ତାହାର ଉଦାହରଣ । ଓଡ଼ିଆ ସମ୍ଭ୍ରମତା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଜାତିର ଆପଣମାନେ ହେଉଛନ୍ତି ଜଣେ ଜଣେ ପ୍ରତୀକ । ଘରେ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖାଇବା ପାଇଁ ସେ ପ୍ରବାସୀ ଓଡ଼ିଆମାନଙ୍କୁ ଅନୁରୋଧ କରିଥିଲେ । ଓଡ଼ିଶାରେ ଜଙ୍ଗଲ, ବେଳାଭୂମି, ମନ୍ଦିର ପରି ପର୍ଯ୍ୟଟନର ସମସ୍ତ ସମ୍ଭାର ରହିଛି । ଓଡ଼ିଶାର ଏହି ପର୍ଯ୍ୟଟନ ସମ୍ଭାର ବିଷୟରେ ଆପଣମାନେ ବିଦେଶରେ ଜଣାନ୍ତୁ । ଚାକିରି କରିବା ବଦଳରେ ଚାକିରି ଦେବା ପଦ୍ଧତିକୁ ଆପଣେଇବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ପ୍ରବାସରୁ ଆସିଥିବା ପ୍ରତିନିଧିମାନଙ୍କ ପକ୍ଷରୁ ଆମେରିକାର ଲୀନା ମିଶ୍ର, ଅଜୟ କେ.ମହାନ୍ତି, ଜାପାନରୁ କାଳୀପଦ ତ୍ରିପାଠୀ, ଯୁକ୍ତରାଜ୍ୟରୁ ସୁସ୍ମିତା ରାଜହଂସ, ବିଶ୍ୱଜିତ୍ ପ୍ରଧାନ, ସୁକାନ୍ତ ସାହୁ, ଦୁବାଇରୁ ଅନୀଲ ଦାସ ଓ ଶୀତଲ ଯୋଶୀ, ଅଷ୍ଟ୍ରେଲିଆରୁ ପ୍ରଭାତୀ ପାଣିଗ୍ରାହୀ ଓ ଅମିତାଭ ମହାପାତ୍ର, ଥାଇଲାଣ୍ଡରୁ ଡ. ବ୍ରହ୍ମଦତ୍ତ , ମାଲେସିଆରୁ ସ୍ନିଗ୍ଧା ମିଶ୍ର ପ୍ରଭୃତି ଓଡ଼ିଶାର ଏହି ସୁନ୍ଦର ଆୟୋଜନ ପାଇଁ ଧନ୍ୟବାଦ ଦେବା ସହିତ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ ମନ୍ତ୍ରୀ ଶ୍ରୀ ସଂପଦ ଚରଣ ସ୍ୱାଇଁ, ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ପ୍ରବାସୀଭାରତୀୟମାନେ ବିକଶିତ ଭାରତ ସଂକଳ୍ପର ଅବିଚ୍ଛେଦ୍ୟ ଅଙ୍ଗ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜାନୁଆରୀ ୧୦, ୨୦୨୫) ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଯୋଗ ଦେଇ ଏହାକୁ ସମ୍ବୋଧିତ କରିଛନ୍ତି ଏବଂ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ପ୍ରବାସୀ ଭାରତୀୟମାନେ ଆମ ଦେଶର ସର୍ବୋତ୍ତମ ପ୍ରତିନିଧି। ସେମାନେ କେବଳ ଏହି ପବିତ୍ର ଭୂମିରେ ଅର୍ଜିତ ଜ୍ଞାନ ଏବଂ କୌଶଳକୁ ନିଜ ସହିତ ନେଇ ନାହାଁନ୍ତି, ବରଂ ହଜାର ହଜାର ବର୍ଷ ଧରି ଆମ ସଭ୍ୟତାର ମୂଳଦୁଆ ସାଜିଥିବା ମୂଲ୍ୟବୋଧ ଏବଂ ନୈତିକତାକୁ ମଧ୍ୟ ସାଙ୍ଗରେ ବହନ କରିଛନ୍ତି। ପ୍ରଯୁକ୍ତିବିଦ୍ୟା, ଭେଷଜ, କଳା କିମ୍ବା ଉଦ୍ୟମିତା କ୍ଷେତ୍ରରେ, ପ୍ରବାସୀ ଭାରତୀୟମାନେ ଏପରି ଏକ ପ୍ରଭାବ ସୃଷ୍ଟି କରିଛନ୍ତି ଯାହାକୁ ବିଶ୍ୱ ସ୍ୱୀକାର ଏବଂ ସମ୍ମାନ କରିଥାଏ।

ରାଷ୍ଟ୍ରପତି ସମସ୍ତ ପ୍ରବାସୀ ଭାରତୀୟ ସମ୍ମାନ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ସେମାନଙ୍କ ସଫଳତାର କାହାଣୀ କେବଳ ଭାରତ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍କର୍ଷତା ଲାଗି ପ୍ରୟାସ କରିବା ନିମନ୍ତେ ପ୍ରେରଣା ମଧ୍ୟ ଦେଇଥାଏ। ସେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ କ୍ରିଷ୍ଟିନ କାଙ୍ଗାଲୁଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ମହିଳା ଓ ପ୍ରବାସୀ ଭାରତୀୟଙ୍କ ଉପରେ ବିଶେଷ ଧ୍ୟାନ ଦେଇ ତାଙ୍କ ରାଷ୍ଟ୍ରର ନେତୃତ୍ୱ ନେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ବିଶ୍ୱ ମଞ୍ଚରେ ଏକ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛି।

ରାଷ୍ଟ୍ରପତି ଖୁସିର ସହିତ ଉଲ୍ଲେଖ କରିଥିଲେ ଯେ ପ୍ରବାସୀ ଭାରତୀୟ ଦିବସ କେବଳ ଏକ କାର୍ଯ୍ୟକ୍ରମ ଠାରୁ ଅଧିକ ବ୍ୟାପକ ହୋଇଯାଇଛି। ସେ କହିଥିଲେ ଯେ ଏହା ଏପରି ଏକ ମଞ୍ଚ ଯେଉଁଠାରେ ଭିନ୍ନଭିନ୍ନ ବିଚାର ସମ୍ମିଳିତ ହୋଇଥାଏ, ସହଯୋଗ ସୃଷ୍ଟି ହୋଇଥାଏ ଏବଂ ଭାରତ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବନ୍ଧନ ସୁଦୃଢ଼ ହୋଇଥାଏ।

ରାଷ୍ଟ୍ରପତି କହିଲେ ଯେ ୨୦୪୭ ମସିହା ସୁଦ୍ଧା ଆମ ଦେଶ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଜାତୀୟ ଅଭିଯାନ ଯେଉଁଥିରେ ବିଦେଶରେ ରହୁଥିବା ବ୍ୟକ୍ତିଙ୍କ ସମେତ ପ୍ରତ୍ୟେକ ଭାରତୀୟଙ୍କ ସକ୍ରିୟ ଏବଂ ଉତ୍ସାହୀ ଅଂଶଗ୍ରହଣ ଆବଶ୍ୟକ। ସେ କହିଥିଲେ ଯେ ପ୍ରବାସୀ ଭାରତୀୟମାନେ ଏହି ସଂକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କର ବିଶ୍ବବ୍ୟାପୀ ଉପସ୍ଥିତି ସେମାନଙ୍କୁ ଏକ ଅନନ୍ୟ ଦୃଷ୍ଟିକୋଣ ପ୍ରଦାନ କରିଥାଏ ଏବଂ ସେମାନଙ୍କର ସଫଳତା ଏକ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ସାକାର କରିବାରେ ସହାୟକ ହୋଇଥାଏ।

ଭାରତର କାଳଜୟୀ ଦର୍ଶନ “ବସୁଧୈବ କୁଟୁମ୍ବକମ୍” ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଲେ ଯେ ଏହି ପରିକଳ୍ପନା ଏପରି ଏକ ପରିବେଶ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ, ଯାହା କେବଳ ଆମର ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ବିଶ୍ୱର କଲ୍ୟାଣ ଦିଗରେ ମଧ୍ୟ ସହାୟକ ହେବ। ଆମେ ଏପରି ଏକ ରାଷ୍ଟ୍ର ହେବାକୁ ଚାହୁଁଛୁ ଯାହା ସାମାଜିକ ନ୍ୟାୟ ଓ ପରିବେଶ ପରିଚାଳନା ସହିତ ଆର୍ଥିକ ପ୍ରଗତିକୁ ସନ୍ତୁଳିତ କରିବ ତଥା ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବ। ସେ କହିଥିଲେ ଯେ ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ରାଷ୍ଟ୍ରପତି କହିଥିଲେ, ଯେତେବେଳେ ଆମେ ଆମ ପ୍ରବାସୀ ଭାରତୀୟ ପରିବାରର ସଫଳତାକୁ ପାଳନ କରୁଛୁ, ସେତେବେଳେ ଆମେ ମଧ୍ୟ ଆଶା ଓ ସଂକଳ୍ପର ସହିତ ଭବିଷ୍ୟତକୁ ଅପେକ୍ଷା କରିବା ଉଚିତ। ମିଳିତ ଭାବେ, ଆମେ ଏକ ବିକଶିତ ଭାରତ ନିର୍ମାଣ କରିପାରିବା, ଏପରି ଏକ ରାଷ୍ଟ୍ର ଯାହା ବିଶ୍ୱ ମଞ୍ଚରେ ଶୀର୍ଷରେ ରହିବ ଏବଂ ବିଶ୍ୱ ପାଇଁ ଅଶାର ଆଲୋକବର୍ତ୍ତିକା ହେବ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ

ବାଲୁଗାଁ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରବାସୀ ଭାରତୀୟମାନଙ୍କ ସମ୍ମାନାର୍ଥେ ବାଲୁଗାଁ ମହାବିଦ୍ୟାଳୟର ପ୍ରଜ୍ଞା ଭବନ ସଭାଗୃହରେ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଯାପନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ବାଲୁଗାଁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ପୋଷ୍ଟର, ପ୍ରାଚୀର ପତ୍ର ପ୍ରତିଯୋଗିତା କରାଯିବା ସହ ଜନସାଧାରଣଙ୍କ ସଚେତନତା ପାଇଁ ଏକ ସାଇକେଲ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥି ସହ ତିନିଦିନ ଧରି ମହାବିଦ୍ୟାଳୟର କୋଠାଗୁଡିକୁ ଆଲୋକମାଳlରେ ସୁସଜ୍ଜିତ କରାଯାଇଥିଲା।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ଦିଗଦର୍ଶନ ଓ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଯାପନୀ ଦିବସ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ, ନାଚୁଣୀ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ସମ୍ପୃକ୍ତି ଓ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳ। ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ସୁନିତା ନନ୍ଦ, ଝରଣା ନାଥ, ବାଳକୃଷ୍ଣ ପାଢ଼ୀ, କ୍ରିଷ୍ଣା ସେଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଆଜି ସଂଧ୍ୟାରୁ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପ୍ରବାସୀ ଭାରତୀୟ ଦିବସର ପ୍ରଦର୍ଶନୀ

ଭୁବନେଶ୍ବର: ଆଜି ସଂଧ୍ୟାରୁ ପ୍ରବାସୀ ଭାରତୀୟ ଦିବସର ପ୍ରଦର୍ଶନୀ ସର୍ବସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ। ଏଥିପାଇଁ କୌଣସି ଟିକେଟ ବା ପାଶ୍ ର ଆବଶ୍ୟକତା ନାହିଁ। ଏହି ବହୁ ମୂଲ୍ୟର ପ୍ରଦର୍ଶନୀକୁ କେବଳ ପ୍ରବାସୀଙ୍କ ପାଇଁ କରାଯାଇଥିଲା। ହେଲେ ସର୍ବସଧାରଣଙ୍କ ପାଇଁ ପ୍ରବେଶ ନ ଥିଲା। ଆଜି ରାଜ୍ୟ ସରକାର ଏ ନେଇ ନିଷ୍ପତି କରିଛନ୍ତି।

ଏଥିସହିତ ପ୍ରତିଦିନ ସଂଧ୍ୟାରେ ଯେପରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ ତାହା ମଧ୍ୟ ଜାରୀ ରହିବ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ବିଷୟ ରହିଛି। ଯାହା ସମସ୍ତେ ଦେଖିବାର ଆବଶ୍ୟକ। ସେଥିପାଇଁ ରାଜ୍ୟ ସରକାର ଏହାକୁ ଆଉ ଦୁଇଦିନ ପାଇଁ ବୃଦ୍ଧି କଲେ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଗତକାଲି (୯ ଜାନୁୟାରୀ,୨୦୨୫) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଜନତା ମଇଦାନ ଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେଇ ଉପସ୍ଥିତ ସମସ୍ତ ପ୍ରବାସୀ ଭାରତୀୟ ଅତିଥି ଏବଂ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ।

ପ୍ରଦର୍ଶନୀ କକ୍ଷରେ ପ୍ରାଚୀନ ଓଡ଼ିଶା ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ଇତିହାସ, ପାଇକ ବିଦ୍ରୋହ ଠାରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବାର ଗୌରବମୟ ଯାତ୍ରାକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଓଡ଼ିଶାର କଳା,ଭାସ୍କର୍ଯ୍ୟ,ସାହିତ୍ୟ ଓ ସଂସ୍କୃତିର ଝଲକ ପ୍ରଦର୍ଶନୀ କକ୍ଷରେ ଦେଖିବାକୁ ମିଳୁଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ମାନଚିତ୍ରରେ ଓଡ଼ିଶାର ପରିଚୟ ଆହୁରି ବଢିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଜାନୁଆରୀ: ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ସମାରୋହ କେବଳ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ମୂଳ ପରିଚୟକୁ ପରିଚିତ କରାଇବାର ଅବସର ନୁହେଁ, ବରଂ ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବାର ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯୋଗଦେବା ସହ ୟୁଏସ, ଓମାନ ଓ କାତାରରୁ ଆସିଥିବା ପ୍ରତିନିଧି ଦଳ, ଭାରତୀୟ ପ୍ରବାସୀଙ୍କ ସହ କଥା ହୋଇଛନ୍ତି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମି ତଥା ମନ୍ଦିର ମାଳିନୀ ଭୁବନେଶ୍ୱରରେ ସମବେତ ହୋଇଥିବା ପ୍ରବାସୀ ଭାରତୀୟଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରବାସୀ ଭାରତୀୟ ଆୟୋଜନ ଦ୍ୱାରା ଓଡ଼ିଶା ଆଜି ବିଶ୍ୱବିଦିତ ହୋଇଛି। ଓଡ଼ିଶାର ପରିବେଶ, ଓ ଆତିଥେୟତାକୁ ବୈଶ୍ୱିକ ସ୍ତରର ଲୋକମାନେ ସମସ୍ତେ ପସନ୍ଦ କରୁଛନ୍ତି। ଆଜି ଐତିହ୍ୟ ପ୍ରେରିତ ଯୁବଶକ୍ତି ସମ୍ପନ୍ନ ପ୍ରବାସୀ ଭାରତୀୟଙ୍କ ଗୌରବମୟ ସାଫଲ୍ୟର ସମାରୋହରେ ପ୍ରଧାନମନ୍ତ୍ରୀ ଉଦୟଗିରି, କୋଣାର୍କ, ଆମର ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟ, ଐତିହାସିକ ବାଲିଯାତ୍ରା, ବୌଦ୍ଧ ସର୍କିଟ୍ ତଥା ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଗୌରବମୟ ଇତିହାସ ଓ ଅନନ୍ୟ ଐତିହ୍ୟକୁ ଉପସ୍ଥାପନ କରିଛନ୍ତି। ଓଡ଼ିଶା ହେଉଛି ଶାନ୍ତିର ମାଟି । କଳିଙ୍ଗ ଯୁଦ୍ଧର ପରିଚୟ ଶାନ୍ତି ପାଇଁ ଖ୍ୟାତି ଅର୍ଜନ କରିଛି। ପ୍ରଧାନମନ୍ତ୍ରୀ ଯୁଦ୍ଧ ନୁହେଁ ବରଂ ବୁଦ୍ଧର ଆହ୍ୱାନ ଦେଇ ଆମର ବହୁତ ପୁରୁଣା ଐତିହାସିକ ତଥ୍ୟ ଓ ସମାଜରେ ତା’ର ମୂଳ ଚରିତ୍ର କଣ ଥିଲା ତାକୁ ଦର୍ଶାଇଛନ୍ତି। ଶାନ୍ତିର ଚରିତ୍ର ହିଁ ଆମ ସମାଜରେ ଥିଲା । ତେଣୁ ଆମ ସମାଜର ଚରିତ୍ରକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ତଥା ରାଜନୈତିକ ଓ କୁଟନୈତିକ ସ୍ତରରେ ରଖି ଆମ ଓଡ଼ିଶାର ମର୍ଯ୍ୟାଦା ବଢ଼ାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଭାରତ ହେଉଛି ଐତିହ୍ୟ ଓ ପରମ୍ପରାର ଏକ ଅପାର ଗନ୍ତାଘର। ଭାରତର ପରମ୍ପରା, ଐତିହ୍ୟ ଓ ଐତିହାସିକ ପୃଷ୍ଠଭୂମିକୁ ପ୍ରଦର୍ଶିତ କରିବା ତଥା ବିଶ୍ୱ ସ୍ତରର ପର୍ଯ୍ୟଟକମାନଙ୍କୁ ଏହା ଉପରେ ଅବଗତ କରାଇବା ଏହାର ଉଦ୍ଦେଶ୍ୟ। ପ୍ରବାସୀ ଭାରତୀୟମାନେ କିପରି ଭାରତର ଆମ୍ବାସେଡର ଭାବେ କାର୍ଯ୍ୟ କରିବେ, ସେ ଦିଗରେ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହେଉଥିବା ପ୍ରବାସୀ ଭାରତୀୟ ଦିବସ କେବଳ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ ନୁହେଁ ବରଂ ହଜାର ହଜାର ବର୍ଷ ଧରି ବିଦେଶରେ ଭାରତର ମାନ ସମ୍ମାନ ବୃଦ୍ଧି କରିଥିବା ଆମର ପ୍ରବାସୀ ଭାରତୀୟଙ୍କ ପ୍ରତିଭା, କଠିନ ପରିଶ୍ରମ ଏବଂ ଅତୁଳନୀୟ ଅବଦାନକୁ ସମ୍ମାନିତ କରିବାର ଏକ ଅନନ୍ୟ ଅବସର।

ଏହି ସମାରୋହ ଅବସରରେ ଶ୍ରୀ ପ୍ରଧାନ ୟୁଏସ, ଓମାନ ଓ କାତାରରୁ ଆସିଥିବା ପ୍ରତିନିଧି ଦଳ, ଭାରତୀୟ ପ୍ରବାସୀଙ୍କ ସହ କଥା ହୋଇଛନ୍ତି। ଶିକ୍ଷା, ସାଂସ୍କୃତିକ ସଂଗଠନ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ମତ ବିନିମୟ କରିବା ବେଳେ ଶିକ୍ଷା ମନ୍ତ୍ରୀ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଖାଦ୍ୟପେୟ ଓ ପର୍ଯ୍ୟଟନ ଉପରେ ଅବଗତ କରାଇଥିଲେ। ଦେଶରେ ଗୁଣାତ୍ମକ ଶିକ୍ଷାର ପରିଚାଳନା, ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଭାରତ ସରକାର ନେଉଥିବା ପଦକ୍ଷେପ, ଶିଶୁଙ୍କ କ୍ରିଟିକାଲ ଥିଙ୍କିଂର ବିକାଶ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆମେ କିପରି ପ୍ରବାସୀ ଭାରତୀୟଙ୍କ ମାଧ୍ୟମରେ ଥିବା ଭାରତ ଓ ଅନ୍ୟ ଦେଶ ମାନଙ୍କ ମଧ୍ୟରେ ଥିବା ଶିକ୍ଷା ଓ ଅନ୍ୟ ସମ୍ପର୍କକୁ ଗଭୀର କରିପାରିବା ସେ ବିଷୟରେ ଫଳପ୍ରଦ ଆଲୋଚନା ହୋଇଛି । ଉପସାଗରୀୟ ଦେଶ ବିଶେଷତଃ ସ୍କୁଲ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରବାସୀଙ୍କ ଆବଶ୍ୟକତା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ। ଅପରପକ୍ଷରେ ପ୍ରବାସୀ ଭାରତୀୟ ସଦସ୍ୟମାନେ କିପରି ଭାରତରେ ଶିକ୍ଷା ବ୍ୟବସ୍ଥାକୁ ମଜଭୂତ୍ କରିବେ ସେ ଦିଗରେ ଉପାଦେୟ ପରାମର୍ଶ ଉପରେ ମତ ରଖିଥିଲେ।

ବିକଶିତ ଭାରତରେ ଯୋଗଦାନ ଦେବା ଦିଗରେ ଓଡ଼ିଶାର ବିପୁଳ ସମ୍ଭାବନା ଉପରେ ସେ କହିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଥିଲେ ବିକଶିତ ଭାରତରେ ଯୋଗଦାନ ରଖିବା ପାଇଁ ଓଡ଼ିଶାରେ ବହୁତ ଅପାର ସମ୍ଭାବନା ଅଛି। ଓଡ଼ିଶା ସରକାର ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ କାମ କରୁଛନ୍ତି। ପ୍ରବାସୀ ଭାରତୀୟ ଦିବସ ପରେ ମଧ୍ୟ ଭାରତକୁ ଆସୁଥିବା ପ୍ରବାସୀ ଓ ପ୍ରତିନିଧିମାନେ ଓଡ଼ିଶାର ପର୍ଯ୍ୟଟନକୁ ଉପଭୋଗ କରିବା ସହ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରିତ କରିଥିଲେ।

ପ୍ରବାସୀ ଭାରତୀୟ ଉତ୍ସବ ସଫଳ ହୋଇଛି। ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ଓଡ଼ିଶାକୁ ଦେଶ ବିଦେଶରୁ ଆସିଥିବା ପ୍ରତିନିଧି ଓଡ଼ିଶାର ଭୂୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶାର କଳା, ସଂସ୍କୃତି, ହସ୍ତତନ୍ତ ପ୍ରତି ପ୍ରବାସୀଙ୍କ ରୁଚି ବଢିଛି। ପ୍ରବାସୀ ଭାରତୀୟ ଦିବସର ଉଦ୍ଦେଶ୍ୟ ସାଧିତ ହେଉଛି। ଭାରତ ସରକାର ପ୍ରବାସୀଙ୍କ ଏକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ।

ଶ୍ରୀ ପ୍ରଧାନ ନ୍ୟୁଜ ୱିକ ସିଇଓ  ଡକ୍ଟର ଦେବ ପ୍ରଗାଡଙ୍କୁ ସାକ୍ଷାତ କରି ଗଣମାଧ୍ୟମ ଜଗତରେ ଡିଜିଟାଲ ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଭାରତୀୟ ବଂଶୋଦ୍ଭବ ଯୁବ ବ୍ୟବସାୟୀ ନେତାମାନେ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ସବୁବେଳେ ଆନନ୍ଦଦାୟକ। ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିବା ସହ ବାଲବାଟିକାଠାରୁ ଆରମ୍ଭ କରି ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡିକରେ ନୂଆ ଶିକ୍ଷା ନୀତିର ପ୍ରଭାବ ଉପରେ ମଧ୍ୟ ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସରେ ଦେବେ ଯୋଗ

ଭୁବନେଶ୍ବର: ଆଜି ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ବିମାନ ବନ୍ଦରରୁ ସିଧା ରାଜଭବନ ଆସିଛନ୍ତି। ସେଠାରେ ସେ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ସେ ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସର ଉଦଜାପନୀ ଉତ୍ସବରେ ଯୋଗଦେବେ।

ଆଜି ରାଷ୍ଟ୍ରପତି ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ହରିବାବୁ କୁମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବାଗତ କରିଥିଲେ। ଏଥିସହିତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଏବଂ ବିଜେପି ନେତାମାନେ ମଧ୍ୟ ବିମାନ ବନ୍ଦରରେ ସ୍ବାଗତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରି କଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦ୍‌ଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନଙ୍କୁ ଓ ଭାରତୀୟ ପ୍ରବାସୀମାନଙ୍କୁ ସେ ସ୍ଵାଗତ କରିଥିଲେ। ଏହି ଉତ୍ସବରେ ସ୍ବାଗତ ସଂଗୀତ ଗାନ କରିଥିବା ଗ୍ରାମି ପୁରସ୍କାର ବିଜେତା ରିକି କେଜ ଓ ତାଙ୍କ ଦଳକୁ ପ୍ରଶଂସା କରିଥିଲେ। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହା ଭବିଷ୍ୟତରେ ପ୍ରବାସୀ ଭାରତୀୟ ସମ୍ମଳନୀଗୁଡ଼ିକରେ ବୋଲାଯିବ।

ପ୍ରଧାନମନ୍ତ୍ରୀ ଟ୍ରିନିଡାଡ୍ ଓ ଟୋବାଗୋର ରାଷ୍ଟ୍ରପତି ଶ୍ରୀମତୀ କ୍ରିଷ୍ଟିନ କାର୍ଲା କାଙ୍ଗାଲୁଙ୍କୁ ତାଙ୍କ ଭାବପୂର୍ଣ୍ଣ ଭିଡିଓ ସନ୍ଦେଶ ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ  ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ମେଳା ଓ ମହୋତ୍ସବ ବିଷୟରେ କହିଥିଲେ। ଯେଉଁଥିରେ ମହାକୁମ୍ଭ, ମକର ସଂକ୍ରାନ୍ତି, ଲୋହଡ଼ି, ପୋଙ୍ଗଲ ଓ ମାଘ ବିହୁ ପ୍ରଭୃତି ସଂପର୍କରେ ସେ ଅବଗତ କରାଇଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ୧୯୧୫ରେ ଭାରତକୁ ଫେରିବା ସ୍ମୃତି ଉଲ୍ଲେଖ କରିଥିଲେ ଏବଂ ପ୍ରବାସୀମାନେ ଆଜି ଭାରତ ଫେରିବା ସହିତ ତୁଳନା କରିଥିଲେ।ପ୍ରବାସୀ ଭାରତୀୟ ଦିବସ ଆରମ୍ଭ କରିଥିବା ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣକୁ ମୋଦି ମନେ ପକାଇଥିଲେ।

ଓଡିଶାର ଐତିହ୍ୟର ସ୍ମୃତି

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପ୍ରଥମେ ଓଡିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ପ୍ରଶଂସା କରିଛନ୍ତି। ସେ କୋଣାର୍କର ସୂର୍ଯ୍ୟ ମନ୍ଦିର, ଉଦୟଗିରି ଓ ଖଣ୍ଡଗିରିର ଗୁମ୍ଫାଗୁଡ଼ିକ ଏବଂ ତାମ୍ରଲିପି ସହିତ ପ୍ରାଚୀନ ବନ୍ଦର ସଂପର୍କରେ ଉଲ୍ଲେଖ କରିଥିଲେ। ସେ ଓଡିଆ ସାଧବ ପୁଅଙ୍କର ବାଲି ଯାତ୍ରାର ସମ୍ବନ୍ଧରେ କହିଥିଲେ। ଓଡ଼ିଶାର ବ୍ୟବସାୟୀମାନେ ବାଲି, ସୁମାତ୍ରା ଓ ଜାଭା ଭଳି ସ୍ଥାନକୁ ଦୀର୍ଘ ସମୁଦ୍ର ଯାତ୍ରାର ଦୁଃସାହସିକତାକୁ ବର୍ଣ୍ଣନା କରିଥିଲେ।

ସେ ଧଉଳି ଉପରେ ବିସ୍ତୁତ ଭାବେ କହିଥିଲେ। ସେ କହିଥିଲେ ଯେ, ଧଉଳି ହେଉଛି ଏପରି ସ୍ଥାନ ଯେଉଁଠି ସମ୍ରାଟ ଅଶୋକ ତରବାରୀ ଛାଡି ଶାନ୍ତିର ମାର୍ଗ ଆପଣେଇଥିଲେ। ସେ କହିଥିଲେ ଯେ, ସେତେବେଳେ ସମ୍ରାଟ ଅଶୋକ ଦେଶ ପାଇଁ ଯୁଦ୍ଧ ନୁହେଁ ବୁଦ୍ଧ ଦରକାର ବୋଲି ସମସ୍ତଙ୍କୁ ଜଣାଇଦେଇଥିଲେ।

ପ୍ରବାସୀମାନଙ୍କ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତୀୟ ପ୍ରବାସୀମାନେ ଭାରତର ରାଷ୍ଟ୍ରଦୂତ ଭାବରେ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଦୁଇଟି ମୁଖ୍ୟ ବିଷୟ ଉପରେ ଅଧିକ ଜୋର ଦେଇଥିଲେ। ତାହା ହେଲା ଭାରତର ଏକ ତୀବ୍ର ଉନ୍ନତି ଓ ପ୍ରବାସୀମାନଙ୍କ ସମ୍ବଳର ଗୁରୁତ୍ୱ। ସେ କହିଥିଲେ ଯେ ଭାରତ ୧୦ ବର୍ଷରେ ୨୫ କୋଟି ଲୋକଙ୍କୁ ଦରିଦ୍ରତାରୁ ଉପରେ ଉଠାଇଛି ଓ ଏହା ୧୦ମ ଶ୍ରେଷ୍ଠ ଆର୍ଥିକ ରାଷ୍ଟ୍ରରେ ୫ମ ସବୁଠାରୁ ବଡ଼ ଅର୍ଥନୀତିର ତାଲିକାରେ ଭାରତ ସ୍ଥାନ ହାସଲ କରିଛି। ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଭାରତ ଖୁବ ଶୀଘ୍ର ୩ର୍ଥ ସବୁଠାରୁ ବଡ଼ ଅର୍ଥନୀତି ରାଷ୍ଟ୍ର ହେବ।

୨୧ଶତାବ୍ଦୀର ଭାରତର ସଫଳତାର ଗାଥା

ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଥିଲେ ଯେ ଭାରତର ଚନ୍ଦ୍ରଯାନ ମିଶନ ଶିବ-ଶକ୍ତି ପୃଷ୍ଠକୁ ପହଞ୍ଚିଥିଲା ଓ ଡିଜିଟାଲ୍ ଭାରତର ଶକ୍ତି ସାରା ବିଶ୍ୱରେ ପ୍ରଶଂସିତ ହେଉଛି। ସେ କହିଥିଲେ ଯେ ପ୍ରତ୍ୟେକ କ୍ଷେତ୍ରରେ ଭାରତ ନୂଆ ସୋପାନରେ ପ୍ରବେଶ କରୁଛି। ଅକ୍ଷୟ ଶକ୍ତି, ଚନ୍ଦ୍ର ଅଭିଯାନ  ଓ ବୁଲେଟ୍ ଟ୍ରେନ ପ୍ରକଳ୍ପ ଏହାର ଗୋଟିଏ ଗୋଟିଏ ଉଦାହରଣ। ସେ କହିଲେ ଯେ ଆଗାମୀ ଦିନରେ ପ୍ରବାସୀମାନେ ମେଡ୍ ଇନ୍ ଇଣ୍ଡିଆ” ବିମାନରେ ଭାରତକୁ ଆସିବେ।

ଭାରତୀୟ ପ୍ରବାସୀମାନଙ୍କ ସଫଳତା ଓ ଐତିହ୍ୟ ଉପରେ ଜୋର

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦୁନିଆରେ ଭାରତୀୟ ପ୍ରବାସୀମାନଙ୍କ ଐତିହ୍ୟ ଏବଂ ସଫଳତା ଭାରତର ଏକ ଗୌରବମୟ ଅଂଶ। ସେ ବିଶେଷକରି ଗୀରମିତିୟା ଭାଇ ଓ ଭଉଣୀମାନଙ୍କ ଐତିହ୍ୟ ତଥ୍ୟ ସଂଗ୍ରହ କରିବାର ଆହ୍ୱାନ କରିଥିଲେ। ସେ ଏହାକୁ ଡକ୍ୟୁମେଣ୍ଟେସନ୍ ଓ ଫିଲ୍ମ ମାଧ୍ୟମରେ ଦୁନିଆକୁ ଦେଖାଇବାର ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗୀରମିତିୟା ଐତିହ୍ୟ ଅଧ୍ୟୟନ କରିବା ପାଇଁ ଏକ ବିଶ୍ବବିଦ୍ୟାଳୟ ଚେୟାର ସ୍ଥାପନ କରିବା ଏବଂ ପ୍ରତିବର୍ଷ ଏକ ବିଶ୍ବ ଗୀରମିତିୟା ସମ୍ମେଳନ ଆୟୋଜନର ପ୍ରସ୍ତାବ ରଖିଥିଲେ।

ଉନ୍ନତି ଓ ଐତିହ୍ୟର ସମ୍ମିଳନୀ

ସାରା ଭାରତରେ ଜି-୨୦ ସମ୍ମେଳନ ଏବଂ କାଶୀ-ତାମିଳ ସଂଗମ ଭଳି ଆୟୋଜନର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅନ୍ୟାନ୍ୟ ଐତିହ୍ୟ ସ୍ଥଳକୁ ସଂଯୋଗ କରିବା ପାଇଁ ବିଶେଷ ଟ୍ରେନ୍ ବ୍ୟବସ୍ଥା କରା ଯାଇଛି। ସେ ଭାରତୀୟ ପ୍ରବାସୀ ଏକ୍ସପ୍ରେସ୍ ଟ୍ରେନ୍ ର ଉଦଘାଟନ କରିଥିଲେ। ଏହି ଟ୍ରେନଟି ପ୍ରାୟ ୧୭ଟି ତୀର୍ଥସ୍ଥଳକୁ ଯୋଡ଼ିବ। ସେ ମହାକୁମ୍ଭର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଅଧିକ ମାତ୍ରାରେ ସାମିଲ ହେବାକୁ ଆହ୍ୱାନ କରିଥିଲେ।

ଭବିଷ୍ୟତ ଉଦ୍ୟମ ଓ ଯୁବ ସମ୍ବଳ

ପ୍ରଧାନମନ୍ତ୍ରୀ ଏହା ଉପରେ ଜୋର ଦେଇଥିଲେ ଯେ ଭାରତ ବିଶ୍ୱରେ ସବୁଠାରୁ ଯୁବକ ଜନସଂଖ୍ୟା ସମ୍ପନ୍ନ ରାଷ୍ଟ୍ର ରହିବ। ସେ “ଭାରତ କୁ ଜାଣ” କ୍ୱିଜ୍ ଏବଂ “ଷ୍ଟଡି ଇନ୍ ଇଣ୍ଡିଆ” ପ୍ରୋଗ୍ରାମରେ ଯୁବ ପ୍ରବାସୀମାନଙ୍କ ସହଭାଗୀତାକୁ ଉତ୍ସାହିତ କରିଥିଲେ। ଏହା ସହିତ ସେ ଭାରତୀୟ ପ୍ରବାସୀମାନଙ୍କୁ ଦେଶର ଐତିହ୍ୟ ଓ ଐତିହାସିକ ସଂସ୍କୃତି ବିଦେଶରେ ଦେଖାଇବାର ଆହ୍ୱାନ କରିଥିଲେ।

ଲୋକାଲ ରୁ ଗ୍ଲୋବାଲ ପାଇଁ ଆହ୍ବାନ

ମୋଦି ତାଙ୍କ ଭାଷଣରେ ଭାରତୀୟ ଜିନିଷର ପ୍ରଚାର ତଥା କିଣିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ବିଦେଶରେ ଯାହା ଭାରତୀୟ ଜିନିଷ ମିଳୁଛି ତାହା କିଣି ବ୍ୟବହାର କରନ୍ତୁ। ବିଦେଶ ଘରେ ଆପଣମାନେ ଭାରତୀୟ ଜିନିଷ ରଖନ୍ତୁ। ରୋଷେଇ ଘରେ ଭାରତୀୟ ଜିନିଷ ରଖନ୍ତୁ। ଯଦି କୌଣସି ଜିନିଷ ମିଳୁ ନାହିଁ ତେବେ ତାହାକୁ ଅନ ଲାଇନରେ ମଗାନ୍ତୁ ବୋଲି ମୋଦି କହିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉଦଘାଟନ ଉତ୍ସବରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ବନୀ ବୈଷ୍ଣବ ପ୍ରମୁଖ ଯୋଗଦେଇଥିଲେ।

ଏହି ଉତ୍ସବରେ ପ୍ରଖ୍ୟାତ ସଂଗୀତଜ୍ଞ ତଥା ଗ୍ରାମୀ ପୁରସ୍କୃତ ଋକି କେଜ ଆବାହନୀ ସଂଗୀତ ଗାନ କରିଥିଲେ। ଏଥିରେ ସେ ପ୍ରବାସୀ ଭାରତୀୟଙ୍କୁ ତାଙ୍କ ସଂଗୀତ ମାଧ୍ୟମରେ ସ୍ବାଗତ କରିଥିଲେ। ଏହାପରେ ଏହି ମଞ୍ଚରେ ଉପସ୍ଥିତ ବୈଦଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କ ଅଭିଭାଷଣରେ ପ୍ରବାସୀ ଭାରତୀୟଙ୍କୁ ଭାରତର ରାଷ୍ଟ୍ରଦୂତ ବୋଲି କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓଡିଶା ମାଟିରୁ ସ୍ବାଗତ କରିବା ସହିତ ପୁଂଜି ବିନିଯୋଗ ପାଇଁ ଆହ୍ବାନ କରିଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀଙ୍କୁ ଲୋକାଲ ଟୁ ଗ୍ଲୋବାଲ ରେ ସହଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ, ବିଦେଶରେ ମିଳୁଥିବା ଭାରତୀୟ ପ୍ରଦାର୍ଥ ପ୍ରତି ଭାରତୀୟ କିଣିବା ଆବଶ୍ୟକ। ଆପଣଙ୍କ ରୋଷେଇ ଘରେ ଭାରତୀୟ ଜିନିଷ ରହିବା ଉଚିତ ବୋଲି ସେ କହିଥିଲେ। ଯଦି କୌଣସି ଭାରତୀୟ ଜିନିଷ ଆପଣଙ୍କ ପାଖରେ ଯଦି ନ ମିଳେ ତେବେ ତାହାକୁ ଅନଲାଇନରେ ଅଡର କରନ୍ତୁ ବୋଲି କହିଥିଲେ।

ଆସନ୍ତାକାଲି ଏହି ସମ୍ମିଳନୀର ଉଦଯାପନୀ ଉତ୍ସବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ସେ ପ୍ରବାସୀ ଭାରତୀୟ ଶିଳ୍ପପତିଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସଭାପତି ମନମୋହନ ସାମଲ ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧା ରାଜଭବନ ଆସିଥିଲେ। ରାସ୍ତାରେ ତାଙ୍କୁ ଦେଖିବା ପାଇଁ ବହୁ ଲୋକଙ୍କର ଭିଡ ରହିଥିଲା। ମୋଦି ଗାଡି ଭିତରେ ବସି ଲୋକମାନଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ଆଜି ରାଜଭବନରେ ପ୍ରଧାନମନ୍ତ୍ରୀ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ସକାଳେ ସେ 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ସେଠାରେ ସେ ପ୍ରବାସୀ ଭାରତୀୟମାନଙ୍କ ସହିତ କିଛି ସମୟ ବିତାଇବେ। ଏହାପରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଉ କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି, ଗୁରୁବାର ଦିନ ଉଦଘାଟନ କରିବେ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ପ୍ରବାସୀ ଯୁବ ଭାରତୀୟ ଦିବସ। ଆସନ୍ତାକାଲି ଗୁରବାର ଦିନ ଉଦଘାଟିତ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟିତ କରିବେ। ସେଥିପାଇଁ ସେ ଆଜି ଓଡିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଆଜି ରାତି ଆଠଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ।

ସେଠାରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ବିଜେପି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାସ୍ତାରେ ସ୍ବାଗତ ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧା ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ଏହାପରେ ସେ ଗୁରୁବାର ଦିନ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କରିବେ।

ପ୍ରବାସୀ ଭାରତୀୟ ଦିବସ( ପିବିଡି) ସମାରୋହ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ସମାରୋହ ଯାହାକି ପ୍ରବାସୀ ଭାରତୀୟମାନଙ୍କ ସହ ଯୋଗାଯୋଗ ଓ ସଂପର୍କ ସ୍ଥାପନ ଓ ସେମାନଙ୍କ ଲାଗି ନିଜ ନିଜ ମଧ୍ୟରେ ମତବିନିମୟର ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ।

୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆଜିଠାରୁ ଆରମ୍ଭ ହୋଇଛି ଯାହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ଏହି ଦିବସ ଅନୁଷ୍ଠିତ ହେଉଛି। ଏଥର ଏହି ସମାରୋହର ବିଷୟବସ୍ତୁ ରହିଛି “ଏକ ବିକଶିତ ଭାରତ ଲାଗି ପ୍ରବାସୀଙ୍କ ଅବଦାନ”। ପିବିଡି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୫୦ରୁ ଅଧିକ ଦେଶରୁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ଭୁବନେଶ୍ବରରେ ପହଞ୍ଚିଛନ୍ତି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପତାକା ଦେଖାଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦଘାଟନୀ ଯାତ୍ରାର ଶୁଭାରମ୍ଭ କରିବେ। ପ୍ରବାସୀ ଭାରତୀୟମାନଙ୍କ ଉଦ୍ଦିଷ୍ଟ ଏହି ସ୍ବତନ୍ତ୍ର ଟ୍ରେନଟି ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଯାତ୍ରାରମ୍ଭ କରି ତିନି ସପ୍ତାହ ଧରି ଦେଶର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରା କରିବ। ପ୍ରବାସୀ ତୀର୍ଥ ଦର୍ଶନ ଯୋଜନାରେ ଏହି ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଯାତ୍ରା ଆୟୋଜନ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ 2025, ଆଜି ଉଦଘାଟିତ ହେଲା ଯୁବ ପ୍ରବାସୀ ଦିବସ 

ଭୁବନେଶ୍ୱର: ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆଜି ଆରମ୍ଭ ହୋଇଛି। ଏହି ତ୍ରି-ଦିବସୀୟ ସମ୍ମିଳନୀର ପ୍ରଥମ ଦିନ “ଯୁବ ପ୍ରବାସୀ ଭାରତୀୟ ଦିବସ” ମହା ସମାରୋହରେ ଉଦଘାଟିତ ହୋଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ସାଙ୍ଗକୁ ମନ୍ତ୍ରଧ୍ୱନି ମୁଖରିତ ପରିବେଶରେ ଆୟୋଜିତ ଏହି ଉଦଘାଟନ ପର୍ବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର  ମନ୍ତ୍ରୀ ଡଃ.ଏସ୍ .ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ମନସୁଖ ଏଲ୍. ମାଣ୍ଡବ୍ୟ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର  ମାର୍ଘେରିଟା, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖାଡସେ, ନ୍ୟୁଜ୍ ଓ୍ୱିକ୍ (ଆମେରିକା)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ଦେବ ପ୍ରଗଡ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ କରି କହିଲେ ଯେ, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ସମାରୋହ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ଓ ଆଗାମୀ ଦିନରେ ସମ୍ପର୍କର ସେତୁ ଆହୁରି ସୁଦୃଢ ହେବ। ଏହି ଦିବସ ଆୟୋଜନ ମାଧ୍ୟମରେ ଆମେ ବିଶ୍ୱର ୨୦୦ ଟି ଦେଶରେ ରହୁଥିବା ୩୦ ନିୟୁତରୁ ଅଧିକ ଭାରତୀୟଙ୍କ ଅସାଧାରଣ ଅବଦାନ ପାଇଁ ଖୁସି ବ୍ୟକ୍ତ କରୁଛୁ। ପ୍ରବାସୀ ଭାରତୀୟମାନେ ଆମର ସାଂସ୍କୃତିକ ରାଜଦୂତ ଓ ସେମାନେ ସବୁଠାରେ ଭାରତର ଗୌରବକୁ ପ୍ରତିଫଳିତ କରୁଛନ୍ତି। ବିଦେଶରେ ସେମାନଙ୍କ ଉତ୍କର୍ଷରେ ଆମ୍ଭେମାନେ ଗର୍ବିତ।

ପ୍ରବାସୀ ଭାରତୀୟମାନେ ବିଜ୍ଞାନ ଓ କାରିଗରୀ , ବୈଶ୍ୱିକ ସହଯୋଗ ଓ ସରକାରୀ ନୀତି ନିର୍ଦ୍ଧାରଣରେ ସେମାନଙ୍କ ସଫଳତା ପ୍ରଦର୍ଶନ କରିଆସିଛନ୍ତି ବୋଲି ଉଲ୍କେଖ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ମଧ୍ୟ କହିଲେ ଯେ, ଉଦ୍ୟୋଗ ପତି ଗୋପୀଚାନ୍ଦ ହିନ୍ଦୁଜା ଓ ଏଲ୍. ଏନ୍, ମିତ୍ତଲ, କର୍ପୋରେଟ ଲିଡର ଇନ୍ଦିରା ନୁୟୀ, ସୁନ୍ଦର ପିଚାଇ ଓ ସତ୍ୟ ନାଡେଲା , ବୈଜ୍ଞାନିକ ଭେଙ୍କଟ ରାମକ୍ରୀଷ୍ଣନ୍ ଏବଂ ଫେସନ ଡିଜାଇନର ବିଭୁ ମହାପାତ୍ରଙ୍କ ପରି ବ୍ୟକ୍ତିତ୍ୱବୃନ୍ଦ ବିଶ୍ୱ ସ୍ତରରେ ଭାରତର ଗୌରବ ବୃଦ୍ଧି କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ଆମନ୍ତ୍ରଣ ଜଣାଇ କହିଲେ ଯେ ଓଡ଼ିଶାରେ ଟେକ୍ନୋଲୋଜି, ଅକ୍ଷୟ ଶକ୍ତି, ଭିତ୍ତିଭୂମି ବିକାଶ, ଶିକ୍ଷା ଓ ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଏ ସବୁରେ ପୁଞ୍ଜି ନିବେଶ, ସହଭାଗିତା ସାଙ୍ଗକୁ ଓଡ଼ିଶା ସହିତ ସାସ୍କୃତିକ ବିନିମୟରେ ଯୋଡ଼ି ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ୍. ଜୟଶଙ୍କର କହିଲେ ଯେ, ପ୍ରବାସୀ ଭାରତୀୟମାନେ ସେମାନଙ୍କର ଜନ୍ମମାଟି ଭାରତ ସହିତ ସବୁବେଳେ ଆତ୍ମୀୟତା ରଖି ଆସିଛନ୍ତି । ବିଶ୍ୱର ଯେଉଁ ଦେଶରେ ରହିଥାନ୍ତୁ ନା କାହିଁକି ଭାରତର ବିକାଶ ପାଇଁ ସେମାନେ ସର୍ବଦା ଇଚ୍ଛୁକ ରହିଥାନ୍ତି । ପ୍ରବାସୀ ଭାରତୀୟ ମାନେ କୃତ୍ରିମ ବୁଦ୍ଧିମତା, ଇଲେକ୍ଟ୍ରୋନିକ ଯାନ,  ଡ୍ରୋନ୍, ବୈକ୍ଷୟିକ ଜ୍ଞାନ କୈଶଳ, କାରିଗରୀ, ମହାକାଶ ଗବେଷଣା  ଆଦି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଛନ୍ତି । ଭାରତ ସହ ସେମାନଙ୍କର ସହଭାଗିତା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଉଲ୍ଲେଖନୀୟ ଯୋଗଦାନ ହେବ ବୋଲି ସେ ପ୍ରକାଶ କରିଥିଲେ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଏଲ୍. ମାଣ୍ଡବ୍ୟ କହିଲେ ଯେ, ୧୧୦ ପୂର୍ବେ ଜାତିର ଜନକ ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ। ବର୍ଣ୍ଣ ବୈଷମ୍ୟ, ମାନବାଧିକାର, ବିକାଶ ବାଧକତା ଇତ୍ୟାଦି ସମସ୍ୟାର ସମାଧାନରେ ବିପୁଳ ଅଭିଜ୍ଞତା ଆହରଣ କରି ଆସିଥିବା ଗାନ୍ଧିଙ୍କ ନେତୃତ୍ୱରେ ଦେଶର ସ୍ୱାଧୀନତା ସମ୍ଭବ ହୋଇଥିଲା। ସେହିପରି ପ୍ରବାସୀ ଭାରତୀୟମାନେ ସେମାନଙ୍କର ଅନୁଭବ ଓ ଅଭିଜ୍ଞତା ଆଧାରରେ ଏକ ବିକଶିତ ଭାରତର ନିର୍ମାଣରେ ଅଂଶୀଦାର ହୋଇପାରିବେ।

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା କହିଲେ ଯେ, ଏହି ସମ୍ମିଳନୀ ଦେଶର ଯୁବଗୋଷ୍ଟୀଙ୍କ ମଧ୍ୟରେ ବୈଷୟିକ ଜ୍ଞାନ କୌଶଳ ସାଙ୍ଗକୁ ପୋଷଣୀୟ ବିକାଶ ଲକ୍ଷ୍ୟର ଉପାଦାନଗୁଡ଼ିକର ବିସ୍ତାରପୂର୍ବକ ବିକଶିତ ଭାରତର ରୋଡମ୍ୟାପକୁ ସମ୍ପୂର୍ଣ୍ଣ ରୂପାୟିତ କରିବ।

ନ୍ୟୁଜ୍ ଓ୍ୱିକ୍ (ଆମେରିକା)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାରତୀୟ ବଂଶୋଦ୍ଭବ ଡଃ.  ପ୍ରଗଡ ନିଜ ସଫଳ ଯାତ୍ରା ସଂପର୍କରେ ଉଲ୍ଲେଖ କରି ତାଙ୍କ ସଂଗଠନ ଅନେକ ସୋପାନ, ନେତୃତ୍ୱ ଓ ଡିଜିଡାଲ ଅଭିନବତ୍ୱ ଗ୍ରହଣ କରି ଆଜି ବିଶ୍ୱର ଅନ୍ୟତମ ବହୁଳ  ପ୍ରସାରିତ ପ୍ରକାଶନ ସଂସ୍ଥା ଭାବରେ ଆଦୃତି ଅର୍ଜନ କରିଛି ବୋଲି କହିଥିଲେ। ପ୍ରବାସୀ ଭାରତୀୟ ଦିବସ ଆୟୋଜନ, ଭାରତ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସଂପର୍କର  ସେତୁକୁ ଦୃଢ କରିଛି  ବୋଲି ସେ ପ୍ରକାଶ କରିଥିଲେ। ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖାଡସେ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ପ୍ରବାସୀ ଭାରତୀୟ, ବିଭିନ୍ନ ରଜ୍ୟରୁ ଆଗତ ବୁଦ୍ଧିଜୀବୀ, ଗବେଷକ,ସାମାଜିକ କର୍ମୀ ଓ ଉଦ୍ୟୋଗୀବୃନ୍ଦ ସମବେତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କଲେ ମାନସ ସାହୁ

ପୁରୀ: ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାଟି ପୁରୀ ର ଲାଇଟ ହାଉସ ନିକଟସ୍ଥ ସ୍ୱର୍ଣ୍ଣାଭ ବେଳାଭୂମିରେ ନିର୍ମାଣ କରାଯାଇଛି। ଏହି ବାଲୁକା କଳା ଟି ୬ ଫୁଟ ଉଚ୍ଚତା ୨୦ଫୁଟ ଓସାର ବିଶିଷ୍ଟ ଅଟେ, ଏବଂ ଏଥିରେ ୧୦ଟନ ବାଲି ଉପଯୋଗ କରାଯାଇଛି।

ଏହି ବାଲୁକା କଳାରେ ଓଡିଶା ର କଳା ସଂସ୍କୃତି ଦ୍ୱାରା ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଆମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ପ୍ରଭାସି ଭାରତୀୟ ମାନଙ୍କୁ ସ୍ୱାଗତ ଜଣାଇବାର ଦୃଶ୍ୟ ଅତିନିଖୁଣ ଭାବରେ ଚିତ୍ରଣ କରିଛନ୍ତି। ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ଏବଂ ଏଥିରେ ସେ “welcome to wondrous Odisha” ର ବାର୍ତ୍ତା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୮ ଓ ୯ରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ରୁ ୯ ଜାନୁଆରି ୨୦୨୫ ପର୍ଯ୍ୟନ୍ତ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ। ନିରନ୍ତର ବିକାଶ, ଶିଳ୍ପ ଅଭିବୃଦ୍ଧି ଓ ଭିତ୍ତିଭୂମି ସଂପ୍ରସାରଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଆସନ୍ତା ୮ ଜାନୁଆରି ଅପରାହ୍ଣ ୫ଟା ୩୦ ମିନିଟ ସମୟରେ ବିଶାଖାପାଟଣାଠାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେ ମଧ୍ୟ ୯ ଜାନୁଆରି ପୂର୍ବାହ୍ଣ ୧୦ଟା ସମୟରେ ଭୁବନେଶ୍ବରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ( ପିବିଡି) ସମାରୋହର ଉଦଘାଟନ କରିବେ।

ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ଏକ ସ୍ଥାୟୀ ଭବିଷ୍ୟତ ଓ ସବୁଜ ଶକ୍ତି ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଉଥିବା ଆଉ ଏକ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟସ୍ଥ ପୁଡିମାଡାକାଠାରେ ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବେ, ଯାହାକି ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିସନ ଅଧିନରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ହବ୍।

ଏହି ପ୍ରକଳ୍ପରେ ୧,୮୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହା ମଧ୍ୟରେ ରହିଛି ୨୦ ଗିଗାଓ୍ବାଟ୍ ଅକ୍ଷୟ ଶକ୍ତି କ୍ଷମତା ଲାଗି ପୁଞ୍ଜିନିବେଶ, ଯାହାକି ହେବ ଭାରତର ବୃହତ୍ତମ ସମନ୍ବିତ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ କାରଖାନା। ଏଥିରେ ଅନ୍ତର୍ଭୁକ୍ତ ରହିଛି ଦୈନିକ ୧୫୦୦ ଟନ ଗ୍ରୀନ ହାଇଡ୍ରୋଜେନ୍ କାରଖାନା ଓ ମୁଖ୍ୟତଃ ରପ୍ତାନି ବଜାର ପାଇଁ ଉଦ୍ଦିଷ୍ଟ ଗ୍ରୀନ ମିଥାନଲ, ଗ୍ରୀନ ୟୁରିଆ ଓ ସ୍ଥାୟୀ ବିମାନ ଇନ୍ଧନ ଉତ୍ପାଦନ କରୁଥିବା ଦୈନିକ ୭୫୦୦ ଟନ ହାଇଡ୍ରୋଜେନ ଡେରିଭେଟିଭ୍ କାରଖାନା। ଏହି ପ୍ରକଳ୍ପ ୨୦୩୦ ସୁଦ୍ଧା ଭାରତର ୫୦୦ ଗିଗାୱାଟ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ କରିବା ଦିଗରେ ଯଥେଷ୍ଟ ଯୋଗଦାନ କରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ଧ୍ରପ୍ରଦେଶରେ ୧୯,୫୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ, ଶିଳାନ୍ୟାସ ଓ ଉଦଘାଟନ କରିବେ ଯାହା ମଧ୍ୟରେ ରହିଛି ବିଶାଖାପାଟଣାଠାରେ ଦକ୍ଷିଣ-ତଟ ରେଳପଥ ମୁଖ୍ୟାଳୟର ଶିଳାନ୍ୟାସ। ଏହି ପ୍ରକଳ୍ପଗୁଡ଼ିକ ଭିଡ଼ ହ୍ରାସ କରିବ, ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ନିଶ୍ଚିତ କରିବ।

ସ୍ବାସ୍ଥ୍ୟସେବାକୁ ସୁଗମ୍ୟ ଓ ସୁଲଭ କରିବା ଲାଗି ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ବପ୍ନ ସାକାର କରିବା ଦିଗରେ ଆଉ ଏକ ପଦକ୍ଷେପସ୍ବରୂପ ପ୍ରଧାନମନ୍ତ୍ରୀ ଅନାକାପଲ୍ଲି ଜିଲ୍ଲାରେ ନାକାପଲ୍ଲିଠାରେ ଏକ ବଲକ୍ ଡ୍ରଗ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବିଶାଖାପାଟଣା-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡର (ଭିସିଆଇସି) ଏବଂ ବିଶାଖାପାଟଣା-କାକିନାଡା ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋକେମିକାଲ ଇନଭେଷ୍ଟମେଣ୍ଟ ରିଜିୟନର ନିକଟତର ହେତୁ ଏହି ବଲକ୍ ଡ୍ରଗ୍ ପାର୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବା ସହିତ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଚେନ୍ନାଇ-ବେଙ୍ଗାଲୁରୁ ଇଣ୍ଡଷ୍ଟ୍ରିଆଲ କରିଡର ଅଧିନସ୍ଥ କ୍ରିଷ୍ଣାପଟ୍ଟନମ ଶିଳ୍ପାଞ୍ଚଳ ( କେଆରଆଇଏସ୍ ସିଟି)ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏକ ଗ୍ରୀନଫିଲଡ ଔଦ୍ୟୋଗିକ ସ୍ମାର୍ଟ ସିଟି ଭାବରେ ପରିକଳ୍ପନା କରାଯାଇଥିବା କ୍ରିଷ୍ଣାପଟ୍ଟନମ ଶିଳ୍ପାଞ୍ଚଳ ( କେଆରଆଇଏସ୍ ସିଟି) ଜାତୀୟ ଶିଳ୍ପ କରିଡର ଉନ୍ନୟନ କାର୍ଯ୍ୟକ୍ରମ ଅଧିନରେ ଏକ ଫ୍ଲାଗସିପ୍ ପ୍ରକଳ୍ପ ହେବ। ଏହି ପ୍ରକଳ୍ପପ୍ରାୟ ୧୦,୫୦୦ କୋଟି ଟଙ୍କାର ଉଲ୍ଲେଖନୀୟ ଉତ୍ପାଦନ ପୁଞ୍ଜିନିବେଶ ଆକୃଷ୍ଟ କରିବ ଏବଂ ପ୍ରାୟ ୧ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ଯାହାକି ଜୀବିକା ସୃଷ୍ଟି ସହ ଆଞ୍ଚଳିକ ବିକାଶକୁ ତ୍ବରାନ୍ବିତ କରିବ।

ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଘାଟନ କରିବେ। ପ୍ରବାସୀ ଭାରତୀୟ ଦିବସ( ପିବିଡି) ସମାରୋହ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ସମାରୋହ ଯାହାକି ପ୍ରବାସୀ ଭାରତୀୟମାନଙ୍କ ସହ ଯୋଗାଯୋଗ ଓ ସଂପର୍କ ସ୍ଥାପନ ଓ ସେମାନଙ୍କ ଲାଗି ନିଜ ନିଜ ମଧ୍ୟରେ ମତବିନିମୟର ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ।

୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ଏଥର ଏହି ସମାରୋହର ବିଷୟବସ୍ତୁ ହେଉଛି “ଏକ ବିକଶିତ ଭାରତ ଲାଗି ପ୍ରବାସୀଙ୍କ ଅବଦାନ”। ପିବିଡି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୫୦ରୁ ଅଧିକ ଦେଶରୁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ପଞ୍ଜୀକରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ ପତାକା ଦେଖାଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦଘାଟନୀ ଯାତ୍ରାର ଶୁଭାରମ୍ଭ କରିବେ। ପ୍ରବାସୀ ଭାରତୀୟମାନଙ୍କ ଉଦ୍ଦିଷ୍ଟ ଏହି ସ୍ବତନ୍ତ୍ର ଟ୍ରେନଟି ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଯାତ୍ରାରମ୍ଭ କରି ତିନି ସପ୍ତାହ ଧରି ଦେଶର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରା କରିବ।ପ୍ରବାସୀ ତୀର୍ଥ ଦର୍ଶନ ଯୋଜନାରେ ଏହି ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଯାତ୍ରା ଆୟୋଜନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

ଭୁବନେଶ୍ଵର: ଆଉ ଦୁଇ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ବହୁ ପ୍ରତିକ୍ଷିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ-୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ସୁରକ୍ଷା ବ୍ୟବସ୍ଥାରେ କୌଣସି ପରିସ୍ଥିତିରେ ମଧ୍ୟ ତ୍ରୁଟି ବିଚ୍ୟୁତି ନ ହେବ ସେଥି ପ୍ରତି ସ୍ୱତନ୍ତ୍ର ନଜର ରଖିବାକୁ ଡିଜିପି ନିର୍ଦେଶ ଦେଇଛନ୍ତି।

ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ଏବଂ ପରିଚାଳନା ନିମନ୍ତେ ଆଜି ଡିଜିପି ନିଜେ ବିଭିନ୍ନ ସ୍ଥାନକୁ ଯାଇ ସୁରକ୍ଷା ବ୍ୟବସ୍ଥା ର ସମୀକ୍ଷା କରିଛନ୍ତି। ଜନତା ମଇଦାନର ଉତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା, ପ୍ରବାସୀ ଭାରତୀୟଙ୍କ ରହଣି ସ୍ଥାନ, ଟ୍ରାଫିକ ପରିଚାଳନା, ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଉପଯୁକ୍ତ ଯୋଜନା ଓ କୌଶଳ ଆଦି ସଂକ୍ରାନ୍ତରେ ତନ୍ନ ତନ୍ନ କରି ସମୀକ୍ଷା କରିଛନ୍ତି। ଅତି ବିଶିଷ୍ଟ ନାଗରିକଙ୍କ ସୁରକ୍ଷା ବ୍ୟବସ୍ଥା, ପୋଲିସ ବିଭାଗର ପ୍ରସ୍ତୁତି, ପରିଚାଳନା, ପୋଲିସ ଫୋର୍ସ ମୁତୟନ, ଟ୍ରାଫିକ ସୁପରିଚାଳନା, ଯାନ ବାହନ ପାର୍କିଂ ସ୍ଥଳ ସମ୍ପର୍କରେ ବିସ୍ତୃତ ଭାବେ ଡିଜିପି ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଶଦ ଭାବେ ଆଲୋଚନା କରିଥିଲେ।

ପୋଲିସ କମିଶନର ଦେବଦତ୍ତ ସିଂ, ଆଇଜି ଅନୁପ ସାହୁ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଦିବାସୀ ମେଳା ଉଦଘାଟିତ: ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ 5 ରୁ ଜାନୁଆରୀ 15 ପର୍ଯ୍ୟନ୍ତ ଆୟୋଜନ କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ଆସୁଥିବା ତଥା ଭୁବନେଶ୍ୱର ବାସୀଙ୍କ ପାଇଁ ଏହି ମେଳା ଏକ ଅବିଛେଦ୍ୟ ଅଙ୍ଗ ହୋଇଯାଇଛି । ଏ ବର୍ଷ ପ୍ରବାସୀ ଭାରତୀୟ ମାନେ ଭୁବନେଶ୍ୱର ଆସିବେ ଏବଂ ଆଦିବାସୀ ସଂସ୍କୃତିର ସୁନ୍ଦରତା ଦେଖିବେ, ଜାଣିବେ ଓ ଅନୁଭବ କରିବେ । ଓଡିଶାର ସବୁ ଆଦିବାସୀ ମାନଙ୍କର ଏହି ମହାପର୍ବ ଏଥର ନିଶ୍ଚିତ ଭାବରେ ବିଶ୍ୱ ମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ, ଏହା ଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢିବା ସହିତ ଡ୍ରପ ଆଉଟ୍ ହାର ମଧ୍ୟ କମିବାରେ ଏହା ସହାୟକ ହେବ । ଯେଉଁ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନେ ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ, ଏବଂ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ  ଏକାଦଶ ଶ୍ରେଣୀରେ ନାମ ଲେଖାଇବେ, ସେମାନଙ୍କ ପାଇଁ ଏକ ପ୍ରୋତ୍ସାହନ ରାଶି ଭାବରେ ଏକାକାଳୀନ ବାର୍ଷିକ 5000 ଟଙ୍କା ପ୍ରଦାନ କରାଯିବ।

ସମ୍ପୃକ୍ତ ଶ୍ରେଣୀରେ ନାମ ପଞ୍ଜୀକରଣ ହେବା ପରେ ନିୟମିତ କକ୍ଷରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ଆଜି 1.6 ଲକ୍ଷ ଛାତ୍ରଛାତ୍ରୀ ଏହି ପ୍ରୋତ୍ସାହନ ରାଶି ପାଇଲେ, ସମୁଦାୟ 2 ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ମାନଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ। ଭଗବାନ ବିର୍ସା ମୁଣ୍ଡା ଓ ଶହୀଦ ମଧୋ ସିଂହଙ୍କ ସଂଘର୍ଷ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।

ଶହୀଦ ମାଧୋ ସିଂହଙ୍କ ସଂଘର୍ଷର କାହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଶହୀଦ ମାଧୋ ସିଂହ ଥିଲେ ବରଗଡ ଜିଲ୍ଲା ଘେଂସ ଅଞ୍ଚଳର ଜନଜାତି ବର୍ଗର ଜମିଦାର। ସେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ । ବ୍ରିଟିଶ ସରକାରଙ୍କ ଅତ୍ୟାଚାରକୁ ବିରୋଧ କରି ସେ ବିଦ୍ରୋହ ଘୋଷଣା କରିଥିଲେ । ୧୮୫୭ ମସିହାରେ ସେ ସମ୍ବଲପୁର ନିକଟସ୍ଥ ସଂଗଡା ଘାଟିରେ ଅନେକ ବ୍ରିଟିଶ ସୈନ୍ୟକୁ ହତ୍ୟା କରିଥିଲେ। ମାଧୋ ସିଂହ ବ୍ରିଟିଶ କ୍ୟାପ୍ଟେନ ସେକ୍‌ସ୍ପିଅରଙ୍କୁ ମଧ୍ୟ ହତ୍ୟା କରିଥିଲେ ଏବଂ କ୍ୟାପ୍ଟେନ ଉଡ୍‌ବ୍ରିଜ୍ ମଧ୍ୟ ସେହି ଯୁଦ୍ଧରେ ପ୍ରାଣତ୍ୟାଗ କରିଥିଲେ । ତେବେ ବହୁ ଦିନ ଯୁଦ୍ଧ କରିବା ପରେ ସେ ଶେଷରେ ବ୍ରିଟିଶ ସୈନ୍ୟଙ୍କ ଦ୍ୱାରା ଧରା ପଡିଥିଲେ । ୧୮୫୮ ଡିସେମ୍ବର ୩୧ରେ ତାଙ୍କୁ ଫାସୀ ଦିଆଯାଇଥିଲେ। ଏହା ପରେ ମଧ୍ୟ ତାଙ୍କର ଚାରି ପୁଅ- ହଟେ ସିଂହ, କୁଞ୍ଜଲ୍ ସିଂହ, ବୈରୀ ସିଂହ ଓ ଐରୀ ସିଂହ ଇଂରେଜ ମାନଙ୍କ ସହ ସଂଗ୍ରାମ କରି ଶହୀଦ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଓଡିଶାକୁ ଧନ୍ୟ କରିଯାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ହେଉଛନ୍ତି ଜନଜାତି । ଏତେ ସଂଖ୍ୟକ ଲୋକଙ୍କର ବିକାଶ ନ ହେଲେ, ରାଜ୍ୟର ଉନ୍ନତି ଅସମ୍ଭବ ବୋଲି ପ୍ରକାଶ କରି ସେ କହିଥିଲେ ଯେ, କ୍ଷୋଭର ବିଷୟ ହେଉଛି, ସ୍ଵାଧୀନତାର ୭୫ ବର୍ଷ ବିତିଗଲେ ସୁଦ୍ଧା ଆଜି ପ୍ରତିଟି ସାମାଜିକ ତଥା ଅର୍ଥନୈତିକ ସୂଚକାଙ୍କରେ ଜନଜାତି ଅନେକ ପଛରେ ପଡିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଆୟ, ଜୀବନ ଜୀବିକା ଇତ୍ୟାଦି କ୍ଷେତ୍ରରେ ଓଡିଶାର ଆଦିବାସୀମାନେ ବହୁତ ପଛୁଆ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିଜ ଅନୁଭବରୁ ମୁଁ ଆଦିବାସୀ ମାନଙ୍କ ଦାରିଦ୍ର୍ୟ ବିଷୟରେ ଜାଣିଛି। ଏଥିପାଇଁ ‘ଗରିବ ପର୍ଯ୍ୟଟନ’ର ଆବଶ୍ୟକତା ନାହିଁ। ଏଥିପାଇଁ ମୁଁ ପ୍ରଥମ ଦିନରୁ ହିଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛି। ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଏହାର ପ୍ରଥମ ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଦିବାସୀ ମାନଙ୍କ ସ୍ୱାର୍ଥକୁ ସରକାର  କେବେ ଜଳାଞ୍ଜଳି ଦେବେ ନାହିଁ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହାର ପ୍ରମାଣ ହେଉଛି, ଯେପରି ଚଞ୍ଚକତା କରି ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ଟେକିଦେବା ପାଇଁ କୁତ୍ସିତ ଯୋଜନା ଗତ ସରକାର କରିଥିଲେ, ତାକୁ ମୁଁ ନାକଚ କରିଦେଇଛି।

ଆପଣ ବସବାସ କରୁଥିବା ଜମି, ଜଙ୍ଗଲ ଏବଂ ଜଳକୁ ସୁରକ୍ଷା ଦେବା ଦାୟିତ୍ଵ ମୋହନ ସରକାରର। ଆପଣମାନେ, ଏଥିପ୍ରତି ନିଶ୍ଚିତ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

ସେ କହିଥିଲେ ଯେ, ରାଜ୍ୟରେ ଜନଜାତି ମାନେ ବିଶେଷତଃ ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ପ୍ରାୟ ବସବାସ କରନ୍ତି। ତେଣୁ ଆଞ୍ଚଳିକ ବୈଷମ୍ୟବାଦକୁ ଦୂର କରି ଏକ ସନ୍ତୁଳିତ ବିକାଶ ପାଇଁ ଦକ୍ଷିଣ ଓଡିଶା ବିକାଶ ପରିଷଦ ଏବଂ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବାକୁ ସରକାର ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏହା ଅତିଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଆଗାମୀ ଦିନରେ ନିଜ ନିଜ ଅଞ୍ଚଳର ବିକାଶ ପାଇଁ ଆପଣମାନେ ନିଜ ନିଜ ସ୍ତରରେ ନିର୍ଣ୍ଣୟ ନେଇ ପାରିବେ।

ଶିକ୍ଷା ଓ ସଂସ୍କୃତି ହେଉଛି ଗୋଟିଏ ଜାତିର ମୂଳଦୁଆ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଶିକ୍ଷା ଆମକୁ ପ୍ରଗତି ଆଡକୁ ଟାଣିନିଏ ଏବଂ ସଂସ୍କୃତି ଆମକୁ ଆମ ପରମ୍ପରା ସହ ଯୋଡି ରଖେ। ଏହି ଉଭୟର ସମ୍ମିଶ୍ରଣରେ ଦେଶର ସ୍ଵର୍ଣ୍ଣିମ ଇତିହାସ ଲେଖାଯାଏ। ଆଜି ଏହି ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ସେହି ସଂସ୍କୃତି ଓ ଶିକ୍ଷାର ଏକ ଅପୂର୍ବ ମିଳନ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ  ବୋଲି ସେ କହିଥିଲେ।

ଆଦିବାସୀ କଳା ଓ ସଂସ୍କୃତିର ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଆଧୁନିକତା ମଧ୍ୟରେ ଆପଣମାନେ ଏହି ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇ ରଖି ବିଶ୍ଵ ଦରବାରରେ ଏହାକୁ ଆଦୃତ କରାଇଛନ୍ତି। ଏଥିପାଇଁ ଆଦିବାସୀ ମାନେ ଧନ୍ୟବାଦର ପାତ୍ର ବୋଲି ସେ କହିଥିଲେ।

ଆଦିବାସୀ ମାନଙ୍କ ଐତିହାସିକ ବୀର, ବୀରାଙ୍ଗନା  ମାନଙ୍କୁ ପ୍ରଧାନମନ୍ତ୍ରୀ ଇତିହାସର ହଜିଲା ପୃଷ୍ଠାରୁ ଆଣି ସେମାନଙ୍କ ଉଜ୍ଜ୍ୱଳ ଛବିକୁ ପୁଣି ଲୋକଙ୍କ ସାମ୍ନାକୁ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବା ଏହାର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଚଳିତ ବର୍ଷ ଏହି ମେଳାରେ ୨୦ ଗୋଟି ଆଦିବାସୀ କୁଡ଼ିଆ, ବିକ୍ରିବଟା ପାଇଁ ୧୪୭ ଟି ଷ୍ଟଲ୍, ୧୫ଟି ଲାଇଭ୍ ଡେମନଷ୍ଟ୍ରେସନ୍ ପାଇଁ ସ୍ଥାନ ଥିବା ବେଳେ ଫୁଡ୍ କୋର୍ଟ, କଳା ଓ ହସ୍ତଶିଳ୍ପ ଷ୍ଟଲ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ କୁ ସ୍ଥାନ ଦିଆଯାଇଛି। ଏଥିସହିତ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ ର ୫ଟି ଗ୍ୟାଲେରୀରେ ବିର୍ସାମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି।

ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ୍ ଶୋ ଏବଂ ‘ଫାୟର୍ ୱାର୍କ ଶୋ’ ର ମଧ୍ୟ ଆୟୋଜନ କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହଙ୍କ ଅଣନାତି ଲୋକଶ୍ୱର ସିଂହ ବରିହାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ,  ଚଳିତ ବର୍ଷର ଆଦିବାସୀ ମେଳା ନିଆରା । ଏହି ମେଳାରେ ଓଡିଶାର କୋଣ ଅନୁକୋଣରୁ ଜନଜାତି ସମୁଦାୟ ନିଜ ନିଜ ସାମଗ୍ରିର ବିକ୍ରି ପାଇଁ ସୁଯୋଗ ପାଇଛନ୍ତି । ଜନଜାତି ସମ୍ପ୍ରଦାୟଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି ଏହି ଆଦିବାସୀ ମେଳା। ଏହି ମେଳାର ଆୟୋଜନ ଜନଜାତି ସାମଗ୍ରିକୁ ଅନ୍ତର୍ଜାତିୟ ବଜାର ପ୍ରଦାନ କରିବ। ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଶିକ୍ଷାର ବିକାଶ ଘଟିଲେ ସେମାନଙ୍କର ଉନ୍ନତି ହେବ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ରାଜ୍ୟରେ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ଡ୍ରପ ଆଉଟ୍ ହାରକୁ କମାଇବ ଏବଂ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବାରେ ସହାୟକ ହେବ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ 9 ଜଣଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ଓ 10 ଜଣ ଜନଜାତି କୃଷକଙ୍କୁ ସମ୍ମାନିତ କରିଥିଲେ। ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଦ୍ୱାରା ପ୍ରକାଶିତ ଜର୍ଣ୍ଣାଲ୍ ‘ବନଜା-2025’ ର ସଂସ୍କରଣ ଉନ୍ମୋଚନ କରିଥିଲେ। ମେଳା ମଧ୍ୟରେ ବିଭିନ୍ନ ଜନଜାତି ସମ୍ପ୍ରଦାୟଙ୍କ ରିତିନୀତି ଓ ଚଳଣି ସମ୍ପର୍କିତ ପ୍ରଦର୍ଶନୀରେ ନିର୍ମିତ କୁଡିଆ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହ ମେଳା ପରିସରରେ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ ଓ ଫୁଡକୋର୍ଟ ଉଦଘାଟନ କରିଥିଲେ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଡକ୍ଟର ପୋମା ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନଠାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ  ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜାନୁଆରୀ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗଦେବାକୁ ଥିବା ବେଳେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜାନୁଆରୀ ୧୦ ତାରିଖରେ ଏହାର ଉଦଯାପନୀ ଅଧିବେଶନରେ ଯୋଗଦାନ କରିବେ।

ଏହି  ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ଭଲ ଭାବେ ଆୟୋଜନ କରାଯିବା ନେଇ ମୁଖ୍ୟ ଶାସନ ସଚିବ  ସମସ୍ତ ପ୍ରସ୍ତୁତି କରିବାକୁ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏଥିପାଇଁ ଜାନୁଆରୀ ୮ ତାରିଖ ସଂଧ୍ୟା ୭ ଟାରେ ବିଶାଖାପାଟଣା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରର ବିମାନ ବନ୍ଦରରେ ଅବତରଣ କରି ରାତ୍ର  ୮.୧୫ ଟା ରେ ରାଜଭବନରେ ପହଁଚି ସେଠାରେ ରାତ୍ରିଯାପନ କରିବେ ଏବଂ ତହିଁ ପରଦିନ ୯ ତାରିଖ ୧୦  ଟା ସମୟରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ-୨୦୨୫  ର ଶୁଭ ଉଦଘାଟନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ  ଯୋଗଦାନ ପରେ ପୂର୍ବାହ୍ନ ୧୧ .୫୫  ରେ ନୂଆ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ସେହିପରି ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ପାଇଁ ଜାନୁଆରୀ ୯  ତାରିଖ ଅପରାହ୍ଣ ୩.୦୦  ଟା ସମୟରେ ଗୌହାଟୀ ବିମାନ ବନ୍ଦରରୁ  ବାୟୁସେନା ବିମାନ ଯୋଗେ ଅପରାହ୍ଣ ୪  ଟା ୩୫ ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସେଦିନ ରାଜ ଭବନରେ ରହଣି କରିବେ। ରାଷ୍ଟ୍ରପତି ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ଅବସରରେ ପୂର୍ବାହ୍ଣ ୧୧ .୪୦ ରେ ଜନତା ମଇଦାନରେ ପହଁଚିବେ।

ସେଦିନ ସେଠାରେ ଏହି ଦିବସ ଉପଲକ୍ଷେ  ଆୟୋଜିତ ଅନ୍ୟ କାର୍ଯ୍ୟକ୍ରମ ସହିତ ତ୍ରିନିଦାନ ଓ ଟୋବାଗୋର ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ରାଷ୍ଟ୍ରପତି ମହୋଦୟା ସେଦିନ ଅପରାହ୍ଣ ୩.୦୦ ଟାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେଇ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ ସମ୍ମିଳନୀରେ ଯୋଗଦାନ କରିବେ ଏବଂ କାର୍ଯ୍ୟକ୍ରମ ପରେ ଅପରାହ୍ଣ ୫.୨୫  ମିନିଟ୍ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରତ୍ୟାବର୍ତ୍ତନ କରିବେ।

ରାଷ୍ଟ୍ରପତିଙ୍କ  ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପ୍ରବାସୀ ଭାରତୀୟ ଦିବସ ଆୟୋଜନ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ଭଲ ଭାବେ ଆୟୋଜନ ପାଇଁ ସବୁ ସ୍ତରରେ ସମସ୍ତେ ସହଯୋଗ ଜାରି ରଖିଥିବା ବେଳେ ପ୍ରଶାସନିକ ସ୍ତରରେ ଯେପରି ସହଯୋଗ ରହିଛି, ତାହା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। ପ୍ରବାସୀ ଭାରତୀୟ ଦିବସରେ ଅନ୍ୟ ଦେଶରୁ ଆସୁଥିବା ପ୍ରବାସୀ ଭାରତୀୟମାନେ ଯେପରି ଓଡ଼ିଶାର ସୁଖଦ ଅନୁଭୂତି ନେଇ ଯିବେ, ଓଡ଼ିଶାର ସମ୍ମାନ ରହିବ,ଏଥିପାଇଁ  ସଂପୃକ୍ତ ସମସ୍ତ ବିଭାଗୀୟ  ସଚିବ ଓ ପଦାଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ବୈଠକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ରାଜ ଭବନରେ  ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା, କାରକେଡ୍ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳକୁ ଯିବା ଆସିବା ବ୍ୟବସ୍ଥା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ରାସ୍ତାର ପରିସ୍କାର ପରିଚ୍ଛନ୍ନତା, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସହିତ ଯଥେଷ୍ଟ ସଂଖ୍ୟକ ଅତିରିକ୍ତ ଜେନେରେଟର ସୁବିଧା, ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଇଣ୍ଟରନେଟ୍ ସୁବିଧା, ବେରିକେଡିଂ ବ୍ୟବସ୍ଥା, ଗଣମାଧ୍ୟମରେ ପ୍ରଚାର ପ୍ରସାର, ଆବଶ୍ୟକ ପାସ୍ ବ୍ୟବସ୍ଥା,  ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ସାମିଆନା ସହ ବସିବା ବ୍ୟବସ୍ଥା ଆଦି ସଂପର୍କରେ  ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଓ ସମନ୍ୱୟ ପାଇଁ ପ୍ରତି ଥର ଭଳି ଏଥର ମଧ୍ୟ ଗୃହ ବିଭାଗ ତରଫରୁ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆ, ଅଗ୍ନିଶମ ବିଭାଗ ଡିଜି ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ  ଅନ୍ୟ ବରିଷ୍ଠ ପଦାଧିକାରୀ  ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସ ପାଇଁ ବିଏମସି ର କୁକୁର ସ୍ଥାନାନ୍ତରକୁ ବିରୋଧ କଲେ ପ୍ରାଣୀସୁରକ୍ଷା କର୍ମୀ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମିଳନୀ ଓ ଉତ୍କର୍ଷ ଓଡିଶା କଂକ୍ଲେଭ ନାଁ ରେ ବିଏମସି କର୍ତ୍ତୃପକ୍ଷ ଜୀବେ ନିଷ୍ଠୁରତା ନିରୋଧ ଆଇନ କୁ ଭ୍ରୁକ୍ଷେପ ନ କରି ନୀରିହ ପ୍ରାଣୀ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ସେମାନଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି। ଏହାକୁ ନେଇ ଆଜି ରାଜ୍ୟର ବିଭିନ୍ନ ପ୍ରାଣୀ କଲ୍ୟାଣ ସଂଗଠନ, ସ୍ବେଛାସେବୀ, କର୍ମୀ, ସଂଗଠକ ମାନେ ମିଳିତ ଭାବେ ଭୁବନେଶ୍ୱର ମାଷ୍ଟ୍ରର କ୍ୟାଣ୍ଟିନ ରେ ନିରବ ପ୍ରତିବାଦ କରିଥିଲେ।

ଏଥିରେ ରାଜ୍ୟ ପିପୁଲ ଫର ଆନିମଲ, ଆଳାପ ପ୍ରାଣୀ କଲ୍ୟାଣ ସଙ୍ଗଠନ, ଜନକଲ୍ୟାଣ ମଞ୍ଚ, ଆନିମଲ ଓଲଫେଆର ଟ୍ରଷ୍ଟ, ରିହାବିଟାଟା ଫାଉଣ୍ଡେସନ, ସ୍ପିକ ଫର ଆନିମଲ, ପିପୁଲ ଫର ଆନିମଲ ଷ୍ଟୁଡେଣ୍ଟ ଉଇଙ୍ଗ, ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା, ଜୀବନ ବଲ୍ଲବ ଦାସ, ଡା ଦିଲୀପ ମିଶ୍ର, ବିକେ ପଟ୍ଟନାୟକ, ଅନ୍ୟାନ୍ୟ ଶତପଥୀ, ସନ୍ତୋଷ ଦାସ, ଇପିସିତା ମିଶ୍ର, ବିଜୟଲଷ୍ମୀ ଦାସ, ଦୀପ୍ତିମୟୀ ମିଶ୍ର, ଜୋତ୍ସା ମହାରଣା, ପୂଜା ଘୋଷ, ଜିତେନ୍ଦ୍ର ସିଂହ, ଦୁର୍ଗାପ୍ରସାଦ ପାଢ଼ୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବ ପ୍ରସାଦ ପରିଜା, ସନ୍ତୋସିନୀ ଭୋଇ, ବନିତା ନାୟକ, ବର୍ଷା ରାଣୀ ସାହୁ, ଶାରଦା ମହାପାତ୍ର, ବିଶାଳ ଧନରାଜ, ସୋନାଲ କବି ପ୍ରମୁଖ ଯୋଗ ଦେଇଥିଲେ।

ଏହାପରେ ଏକ ପ୍ରତିନିଧି ଦଳ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ଆଲୋଚନା କରିଥିଲେ। ସେ ତୁରନ୍ତ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିଏମସି ପକ୍ଷ ରୁ ଉଠାଯାଇଥିବା ନୀରିହ କୁକୁରଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ବ୍ୟବସ୍ଥା କରିବାକୁ ବିଏମସିକୁ କହିଥିଲେ।

ସୂଚନାଯୋଗ୍ୟ ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଅଭାବରୁ ମଞ୍ଚେଶ୍ୱର ପ୍ରାଣୀଙ୍କ ବନ୍ଧ୍ୟାକରଣ କେନ୍ଦ୍ରରେ ଦୀର୍ଘ ୧୫ ଦିନଧରି ଆବଦ୍ଧ ବହୁ କୁକୁର ଭୋକରେ ରହି କାନ୍ଦୁ ଥିବାର ରିହାଵଟେଡ଼ ଫାଉଣ୍ଡେସନ ର ସଭାପତି ମିଲନ ରଥ, ପିପୁଲ ଫର ଆନିମାଲ ର ରାଜ୍ୟ ସଭାପତି ଜୀବନ ବଲ୍ବବ ଦାସ, ଓଡ଼ିଶା ଜୀବେ ନିଷ୍ଠୁରତା ନିରୋଧ ବା ଷ୍ଟେଟ ଏସ ପି ସି ଏ ର ସ୍ଥାୟୀ ସଦସ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା, ପ୍ରାଣୀ ସ୍ବେଛାସେବୀ ସୋନାଲ କବି, ଖୋରଧା ଏସ ପି ସି ଏ କାର୍ଯ୍ୟକାରୀ କମିଟି ସଦସ୍ୟ ସନ୍ତୋଷ ଦାସ ଆଦି ବହୁ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି।

ସେମାନେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ପ୍ରାଣୀ କଲ୍ୟାଣ ବିଭାଗ, ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ପ୍ରାଣୀ କଲ୍ୟାଣ ମନ୍ତ୍ରୀ, ଜିଲ୍ଲାପାଳ ଖୋର୍ଦ୍ଧା, ଏସପି ସି ଏ ଅଧିକାରୀ ଙ୍କୁ ପତ୍ର ଲେଖିଥିଲେ।ଏଥିସହ ଖାଦ୍ୟ ଓ ପାଣି ଅଭାଵ ରୁ ଚିତ୍କାର କରୁଥିବା ଏହି ନୀରିହ ପ୍ରାଣୀ ମାନଙ୍କୁ ଦେଖିବା ପାଇଁ କୌଣସି ସ୍ବେଛାସେବୀ ଙ୍କୁ ଛଡ଼ା ଯାଉନଥିବା ଯୋଗୁଁ ବିଏମସି ଅଧିକାରୀ ଜୀବେ ନିଷ୍ଠୁରତା ନିରୋଧ ଆଇନର ଉଲଂଘନ କରିଛନ୍ତି ବୋଲି ବହୁ ସ୍ବେଛାସେବୀମାନେ ଉଦବେଗ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ଵର: ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ଏବଂ ପରିଚାଳନା ନିମନ୍ତେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୋଲିସ ବିଭାଗର ପ୍ରସ୍ତୁତି, ପରିଚାଳନା, ପୋଲିସ କର୍ମଚାରୀ ମୁତୟନ, ଟ୍ରାଫିକ ସୁପରିଚାଳନା ଆଦି ସଂପର୍କରେ ବିଶଦ ଭାବେ ବୈଠକରେ ସମୀକ୍ଷା ହୋଇଥିଲା।

ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେବେ।

ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ଡିଜିପି ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ବିମାନବନ୍ଦରରେ ସୁରକ୍ଷା ଏବଂ ଅତିଥିଙ୍କ ଆଗମନ ସମୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା, ଭିଭିଆଇପିଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା, ଜନତା ମଇଦାନ କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା, ଭିଭିଆଇପିଙ୍କ ରୁଟ ଲାଇନ ଏବଂ ସେହି ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ
ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଭାବେ ଡିଜିପି ଶ୍ରୀ ଖୁରାନିଆ ସମୀକ୍ଷା କରିଥିଲେ।

ଏହା ସହ ବିଭିନ୍ନ ହୋଟେଲରେ ଅତିଥିଙ୍କ ସୁରକ୍ଷିତ ରହଣି ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପି ନିର୍ଦେଶ ଦେଇଛନ୍ତି। ଏହା ସହ ପ୍ରବାସୀ ଭାରତୀୟ ମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ ପାଇଁ ଗସ୍ତ କରିବେ। ଭୁବନେଶ୍ୱର, କଟକ ଓ ପୁରୀ ଆଦି ସ୍ଥାନରେ ଥିବା ପର୍ଯ୍ୟଟନ ସ୍ଥଳ ଗୁଡିକର ସୁରକ୍ଷା ବ୍ୟବସ୍ଥା ବଢାଇବା ସଂକ୍ରାନ୍ତରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ଏହା ସହ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ ଆଦି ଜିଲ୍ଲାରେ ଥିବା ହୋଟେଲ ଗୁଡିକର କଡାକଡ଼ି ଯାଞ୍ଚ କରିବାକୁ ମଧ୍ୟ ଡିଜିପି ନିର୍ଦେଶ ଦେଇଛନ୍ତି। ନିୟମିତ ବ୍ୟବଧାନରେ ହୋଟେଲ ଗୁଡିକର ଯାଞ୍ଚ, ଅତିଥିଙ୍କ ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ସମସ୍ତ ତଥ୍ୟ ପୋଲିସ ନିକଟରେ ରହିବା ଆବଶ୍ୟକ ଏବଂ ଏହାର ସଠିକ ତଦାରଖ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଏହା ସହ ସହରଗୁଡିକରେ ସିସିଟିଭି ବ୍ୟବସ୍ଥାର ସୁପରିଚାଳନା, ଟ୍ରାଫିକ ବନ୍ଦୋବସ୍ତକୁ ଶୃଙ୍ଖଳିତ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ସବୁବେଳେ ପ୍ରସ୍ତୁତ ଓ ସଜାଗ ରହିବାକୁ ଡିଜିପି ପରାମର୍ଶ ଦେଇଛନ୍ତି।

ଉକ୍ତ ବୈଠକରେ (ଗୁଇନ୍ଦା) ନିର୍ଦ୍ଦେଶକ, ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର (କଟକ-ଭୁବନେଶ୍ବର), ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଅତିରିକ୍ତ ପୋଲିସ କମିଶନର (କଟକ-ଭୁବନେଶ୍ବର), ଡ଼. ଉମାଶଙ୍କର ଦାଶ, ଡି. ଆଇ. ଜି (କେନ୍ଦ୍ରାଞ୍ଚଳ) ଚରଣ ସିଂ ମିନା, ଡିସିପି (ଭୁବନେଶ୍ବର), ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର

ପ୍ରବାସୀ ଭାରତୀୟ ଦିବସ ପାଇଁ ବିଏମସିର କୁକୁର ସ୍ଥାନାନ୍ତରକୁ ବିରୋଧ, ଶନିବାରରେ ନିରବ ପ୍ରତିବାଦ

ଭୁବନେଶ୍ୱର: ଆସନ୍ତା ୮ ଓ ୯ ତାରିଖରେ ଭୁବନେଶ୍ୱର ରେ ହେବାକୁ ଥିବା ଦୁଇ ଦିନିଆ ପ୍ରବାସୀ ଭାରତୀୟ ମହୋତ୍ସବ ଏବଂ ୨୮ ତାରିଖରେ ହେବାକୁ ଥିବା ଉତ୍କର୍ଷ ଓଡିଶା କଂକ୍ଲେଭ ପାଇଁ ଭୁବନେଶ୍ବର ବିଏମସି ଦୀର୍ଘ ୧୫ଦିନ ଧରି ବିଭିନ୍ନ ସ୍ଥାନରୁ ୪୫୦ ରୁ ଉର୍ଦ୍ଧ୍ବ କୁକୁର ମାନଙ୍କୁ ସ୍ଥାନାନ୍ତର କରାଯାଇ ମଞ୍ଚେଶ୍ୱର ସ୍ଥିତ ମଞ୍ଚେଶ୍ୱର ସ୍ଥିତ ସ୍ୱାନ ବନ୍ଧ୍ୟାକରଣ କେନ୍ଦ୍ର ରେ ରଖାଯାଇଛି।

କୁକୁର ମାନଙ୍କୁ ନିଜ ଅଞ୍ଚଳ ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ ରହିଛି। ତେବେ ଏନେଇ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଖବର ନାହିଁ।ଆଜି ଏନେଇ ରାଜ୍ୟର କେତେକ ପ୍ରାଣୀ କଲ୍ୟାଣ ସ୍ବେଛାସେବୀ ସ୍ପଷ୍ଟ କରିଛନ୍ତି।

ସେଠାରେ ଦୀର୍ଘ ଚାରି ଦିନ ହେବ କୁକୁର ମାନଙ୍କୁ ଠିକ ଭାବେ ଦେଖାଚାହା କିମ୍ବା ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଅଭାବରୁ ବହୁ କୁକୁର ଭୋକ ରେ ରହି କାନ୍ଦୁ ଥିବାର ରିହାଵଟେଡ଼ ଫାଉଣ୍ଡେସନ ର ସଭାପତି ମିଲନ ରଥ, ପିପୁଲ ଫର ଆନିମାଲ ର ରାଜ୍ୟ ସଭାପତି ଜୀବନ ବଲ୍ବବ ଦାସ, ଓଡ଼ିଶା ଜୀବେ ନିଷ୍ଠୁରତା ନିରୋଧ ବା ଷ୍ଟେଟ ଏସ ପି ସି ଏ ର ସ୍ଥାୟୀ ସଦସ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା, ପ୍ରାଣୀ ସ୍ବେଛାସେବୀ ସୋନାଲ କବି, ଖୋରଧା ଏସ ପି ସି ଏ କାର୍ଯ୍ୟକାରୀ କମିଟି ସଦସ୍ୟ ସନ୍ତୋଷ ଦାସ ଆଦି ବହୁ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି।ଏଥିସହ ଖାଦ୍ୟ ଓ ପାଣି ଅଭାଵ ରୁ ଚିତ୍କାର କରୁଥିବା ଏହି ନୀରିହ ପ୍ରାଣୀ ମାନଙ୍କୁ ଦେଖିବା ପାଇଁ କୌଣସି ଲୋକ ଙ୍କୁ ଛଡ଼ା ନଯିବା ଯୋଗୁଁ ବି ଏମ ସି ଅଧିକାରୀ ଜୀବେ ନିଷ୍ଠୁରତା ନିରୋଧ ଆଇନ ର ଉଲଂଘନ କରିଛନ୍ତି ବୋଲି ବହୁ ସ୍ବେଛାସେବୀ ମାନେ କହିଛନ୍ତି।

ଏନେଇ ଗତ ଦୁଇଦିନ ହେବ ରାଜ୍ୟରେ ବହୁ ପ୍ରାଣୀ ସ୍ବେଛାସେବୀ ସଙ୍ଗଠନ ପକ୍ଷରୁ ଗଭୀର ଭାବରେ ଦୁଃଖ ପ୍ରକାଶ ସହିତ ଉଦବେଗ ପ୍ରକାଶ ପାଇଛି।ଏନେଇ ମୁଖ୍ୟମନ୍ତ୍ରୀ, ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ,ସଚିବ, ଅଧିକାରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ,ଖୋର୍ଦ୍ଧା ଜିଲ୍ଲା ପାଳ, ରାଜ୍ୟ ସରକାରଙ୍କ ଜୀବେ ନିଷ୍ଠୁରତା ନିରୋଧ କର୍ତ୍ତୃପକ୍ଷ, ଏପରିକି ପ୍ରଧାନମନ୍ତ୍ରୀ ଏବଂ ଦେଶର ପ୍ରାଣୀ କଲ୍ୟାଣ ବିଭାଗ କୁ ମଧ୍ଯ ପତ୍ର ପ୍ରଦାନ କରାଯାଇ ସେମାନଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।

ଆସନ୍ତା ଦୁଇ ଦିନ ମଧ୍ୟରେ ଖାଦ୍ୟ, ପାଣି, ଚିକିତ୍ସା ଅଭାଵ ରୁ ପୀଡିତ କୁକୁର ବଂଚିବା ସମ୍ଭବ ହେବନାହିଁ ବୋଲି ବହୁ ପ୍ରାଣୀ ବିଶେଷଜ୍ଞ ଓ ସ୍ବେଛାସେବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଖାଦ୍ୟ ଓ ପାଣି ଅଭାବରୁ ବହୁ ସଂଖ୍ୟକ କୁକୁର ସେଠାରେ ମୁମୂର୍ଷୁ ଅବସ୍ଥାରେ ଅଛନ୍ତି ବୋଲି ଗତ ଦୁଇଦିନ ତଳେ ରିହାଵଟେଡ଼ ଫାଉଣ୍ଡେସନ ଅଧ୍ୟକ୍ଷ ମିଲନ ରଥ ଓ ରାଜ୍ୟ ପିପୁଲ ଫର ଆନିମାଲ ଅଧ୍ୟକ୍ଷ ଜୀବନ ବଲବ ଦାସ ଯାଇଥିବା ବେଳେ ଆଜି ପ୍ରକାଶ କରିଛନ୍ତି।ବହୁ ସଂଖ୍ୟକ ମା କୁକୁର ନିଜ ଛୁଆ ମାନଙ୍କ ଅଭାବରୁ ନଖାଇ କାନ୍ଦୁଥିବା ଦୃଶ୍ୟ ସମସ୍ତଙ୍କୁ ମ୍ରିୟମାଣ କରିଛି।

ପ୍ରବାସୀ ଭାରତୀୟ ସମିଳନୀ ଓ ଉତ୍କର୍ଷ ଓଡିଶା କଂକ୍ଲେଭ ନାଁ ରେ ବିଏମସି କର୍ତ୍ତୃପକ୍ଷ ଜୀବେ ନିଷ୍ଠୁରତା ନିରୋଧ ଆଇନ କୁ ଭ୍ରୁକ୍ଷେପ ନ କରି ନୀରିହ ପ୍ରାଣୀ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଏହାକୁ ନେଇ ଆସନ୍ତା କାଲି ପୂର୍ବାଂହ୧୧ ଘଂଟିକା ରୁ ରାଜ୍ୟର ବିଭିନ୍ନ ପ୍ରାଣୀ କଲ୍ୟାଣ ସଂଗଠନ,ସ୍ବେଛାସେବୀ,କର୍ମୀ, ସଂଗଠକ ମାନେ ମିଳିତ ଭାବେ ଭୁବନେଶ୍ୱର ମାଷ୍ଟ୍ରର କ୍ୟାଣ୍ଟିନ ରେ ନିରବ ପ୍ରତିବାଦ କରିବେ ବୋଲି ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏଥର ଆଗୁଆ ହେବ ଆଦିବାସୀ ମେଳା, ଜାଣନ୍ତୁ କେବେ ଏବଂ କାହିଁକି

ଭୁବନେଶ୍ବର: ଚଳିତ ବର୍ଷ ଆଗୁଆ ହେବ ଆଦିବାସୀ ମେଳା। ଏ ନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ଘୋଷଣା କରାଯାଇଛି। ସେହି ଅନୁସାରେ ଭୁବନେଶ୍ବର ଆଦିବାସୀ ପଡିଆରେେ ଏହି ଉତ୍ସବ ଜାନୁଆରୀ ୫ ତାରିଖରୁ ଆୟୋଜନ ହେବ। ପ୍ରତିବର୍ଷ ଏହି ମେଳା ଜାନୁୟାରୀ 26 ତାରିଖ ସଂଧ୍ୟାରେ ଉଦଘାଟିତ ହେଉଥିଲା।

ତେବେ ଏ ନେଇ ବିଭାଗ ତରଫରୁ ଏକ ସୂଚନା ଦିଆଯାଇଛି। ତାହା ହେଲା ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଜାନୁଆରୀ ୫ ତାରିଖରୁ ଚଳିତ ବର୍ଷର ଆଦିବାସୀ ମେଳାକୁ ସ୍ବତନ୍ତ୍ର ଭାବରେ ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଆୟୋଜିତ କରାଯିବ ।

ସହରରେ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, ଜନଜାତି ଖାଦ୍ୟପେୟ, ଲାଇଭ୍ ଡେମନଷ୍ଟ୍ରେସନ୍, ସ୍ବତନ୍ତ୍ର ବିର୍ସା ମୁଣ୍ଡା ପାଭିଲିୟନ୍ ଆଦି ଅନେକକୁ ଚଳିତ ବର୍ଷ ଆଦିବାସୀ ମେଳାର ସ୍ଥାନ ଦିଆଯାଉଛି । ବର୍ତ୍ତମାନ ଏସବୁର ନିର୍ମାଣ କାର୍ଯ୍ୟ ଜୋରସୋର୍ ରେ ଚାଲିଛି । ଏହି ମେଳା ଚଳିତ ପ୍ରବାସୀ ଦିବସର ମୁଖ୍ୟ ଆକର୍ଷଣ ହେବ ବୋଲି ବିଭାଗ ଆଶା ରଖିଛି।