ଉପେନ୍ଦ୍ର ବଳିୟାରସିଂହ
ଜଣେ ଭକ୍ତ ପ୍ରଭୁଙ୍କୁ ଏପରି ଏକ ବରଦାନ ମାଗୁଛି, ଯାହାକୁ ଏପର୍ଯ୍ୟନ୍ତ କେହି ମାଗିନାହାନ୍ତି କି ଭବିଷ୍ୟତରେ ମାଗିବା ସମ୍ଭବ ନୁହେଁ। ପଢନ୍ତୁ ଏମିତି ଭକ୍ତଙ୍କ କଥା, ଯାହାକୁ ପଢିଲେ ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହେବେ।
ମହାଭାରତ ସଂଗ୍ରାମ ପରେ ଯୁଧିଷ୍ଠିର ହସ୍ତିନାପୁରର ରାଜା ହେଲେ। ତାପରେ ଦ୍ଵାରିକାନାଥ ଦ୍ଵାରକା ଯିବା ପାଇଁ ପ୍ରସ୍ତୁତ ହେଲେ। କୁନ୍ତୀ ଏସବୁ ଶୁଣିବା ପରେ ତାଙ୍କର ମାତୃ ହୃଦୟ ତରଳିଗଲା।
ସେ ଚାହୁଁଥିଲେ ଯେ, ସେ ଚବିଶ ଘଣ୍ଟା ପ୍ରଭୁଙ୍କ ମୁଖ ଦର୍ଶନ କରୁଥିବେ। ଯେଉଁ ମାର୍ଗରେ ପ୍ରଭୁ ପ୍ରତ୍ୟାବର୍ତ୍ତନ କରୁଥିଲେ, କୁନ୍ତୀ ସେଠାରେ ପହଞ୍ଚିଲେ ଏବଂ ହାତ ଯୋଡି ରାସ୍ତାରେ ଛିଡା ହୋଇଗଲେ। ଦାରୁକ ସାରଥିକୁ ପ୍ରଭୁ ରଥର ଗତି ବନ୍ଦ କରିବାକୁ ଆଦେଶ ଦେଇ ରଥରୁ ଓହ୍ଲାଇପଡିଲେ। ପ୍ରଭୁଙ୍କୁ କୁନ୍ତୀ ବନ୍ଦନ କଲେ। ବନ୍ଦନା ଦ୍ଵାରା ହିଁ ପ୍ରଭୁ ବନ୍ଧନରେ ପଡନ୍ତି।
ଭଗବାନ କହିଲେ ମା’! ଆପଣ ଏକ’ଣ କରୁଛନ୍ତି? ମୁଁ ଆପଣଙ୍କର ପୁତୁରା! ଆପଣ ପ୍ରଣାମ କରିବା ଆଦୌ ଶୋଭାସ୍ପଦ ନୁହେଁ। କୁନ୍ତୀ କହିଲେ, “ମୁଁ ଆଜି ପର୍ଯ୍ୟନ୍ତ ଆପଣଙ୍କୁ ପୁତୁରା ଭାବେ ମାନ୍ୟତା ଦେଇଥିଲି। କିନ୍ତୁ ଆଜି ମୋର ହୃଦବୋଧ ହୋଇଛି, ଆପଣ ହେଉଛନ୍ତି ଭଗବାନ। ଆପଣ ସମସ୍ତଙ୍କର ପିତା।”
କୁନ୍ତୀ କହିଲେ, “ ପ୍ରଭୁ! ଆମକୁ ସବୁ ପ୍ରକାର ସୁଖ ପ୍ରଦାନ କରିଛନ୍ତି, ଆମକୁ କେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ଯେତେବେଳେ ବିଧବା ହେଲି, ମୋର ପିଲାମାନେ ବହୁତ ଛୋଟ ଛୋଟ ଥିଲେ। ସେ ସମୟରେ ଆପଣ ହିଁ ଆମକୁ ରକ୍ଷା କରିଛନ୍ତି। ଜୀବ ଉପରେ ଭଗବାନ ଅନେକ ଉପକାର କରନ୍ତି। କିନ୍ତୁ ଜୀବ ସେସବୁ ଭୁଲିଯାଏ।”
ହେଲେ କୁନ୍ତୀ ଭୁଲି ନାହାନ୍ତି, କୁନ୍ତୀ ଭୀମସେନର ବିଷ ଲଡୁ ଆହାର କରିବା ଠାରୁ ଆରମ୍ଭ କରି ଲାକ୍ଷା ଗୃହ ଦାହ ପର୍ଯ୍ୟନ୍ତ ସବୁ କିଛି ମନେ ରଖିଛନ୍ତି। ପ୍ରଭୁଙ୍କ ଉପକାର ଅନନ୍ତ। ଆମେ କେବେ ବି ସୁଝିପାରିବୁ ନାହିଁ। କୁନ୍ତୀ କହୁଛନ୍ତି, “ମୋ ଦ୍ରୌପଦୀର ବସ୍ତ୍ର ହରଣ ବେଳେ ଆପଣ ତାଙ୍କୁ ଉଦ୍ଧାର କଲେ।”
ତେଣୁ ହେ ନାଥ! ଆପଣ ଆମକୁ ଛାଡି ଚାଲିଯାଅନ୍ତୁ ନାହିଁ। ଆପଣ ଦ୍ଵାରକା ଚାଲିଯାଉଛନ୍ତି, କିନ୍ତୁ ଗଲାବେଳେ ମୋତେ ଗୋଟିଏ ବରଦାନ ଦିଅନ୍ତୁ। ଏହି ମୋର ଇଚ୍ଛା। ବରଦାନ ଦେଇ ପଛେ ଚାଲିଯାଅନ୍ତୁ, ଏଥିରେ ମୋର କୌଣସି ଆପତ୍ତି ରହିବ ନହିଁ।
କୁନ୍ତୀ ଏମିତି ବରଦାନ ମାଗିଲେ, କେହି କେବେ ଦୁନିଆରେ ଆଜି ପର୍ଯ୍ୟନ୍ତ ମାଗିପାରିନାହାନ୍ତି କି ମାଗିପାରିବେ ନାହିଁ।
“ବିପଦ ସନ୍ତୁନଃ ଶଶ୍ଵତତ୍ତ୍ର ତତ୍ର ଜଗଦ୍ ଗୁରୋ।
ଭାବତୋ ଦର୍ଶନଂ ଯତସ୍ୟାଦ ନ ପୁନର୍ଭବ ଦର୍ଶନମ୍।।
ହେ ଜଗଦଗୁରୁ! ଆମ ଜୀବନରେ ପ୍ରତିକ୍ଷଣ ବିପଦ ଆସୁଥାଉ, କାରଣ ବିପଦାବସ୍ଥାରେ ହିଁ ନିଶ୍ଚିତ ରୂପରେ ଆପଣଙ୍କର ଦର୍ଶନ ହୁଏ। ଆପଣଙ୍କର ଦର୍ଶନ ହେଲେ ଆଉ ଏ ସଂସାରର ଦର୍ଶନ କରିବାକୁ ପଡିବ ନାହିଁ। ଅର୍ଥାତ ମୁକ୍ତି ମିଳିଯିବ। କୁନ୍ତୀ ମାଗୁଛନ୍ତି ବହୁତ ବଡ ବିପତ୍ତି ଆସୁଥାଉ, ଏହି ବରଦାନ ଦିଅନ୍ତୁ।
ଶ୍ରୀକୃଷ୍ଣ କହିଲେ, “ଆପଣ କ’ଣ ପାଗଳୀ ହୋଇଗଲେ, ଏ କି ବର ଆପଣ ମାଗୁଛନ୍ତି? ଆପଣଙ୍କର ସୁଖର ସମୟ ଆସିଯାଇଛି। ଆପଣଙ୍କର ଦୁଃଖୀ ହେବାର ଇଚ୍ଛା ଅଛି?”
କୁନ୍ତୀ କହିଲେ, “ଦୁଃଖରେ ହିଁ ନାରାୟଣଙ୍କ ସ୍ମରଣ ହୁଏ, ଏ ତ ସବୁଠାରୁ ବଡ ସୁଖ, ଏହା ଦୁଃଖ କେମିତି?”