Categories
ଆଜିର ଖବର ରାଜ୍ୟ ଖବର

ମିଳିତ ସମନ୍ୱୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା ଓ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଏକ ମହାସମାବେଶ ଗତକାଲି ରାଜଧାନୀର ଗାନ୍ଧିମାର୍ଗରେ ଅନୁଷ୍ଠିତ ହୋଇଥିଲା। ଗତସନ୍ଧ୍ୟାରେ ଶିକ୍ଷକ କର୍ମଚାରୀ ମାନଙ୍କର ବହୁ ସମସ୍ୟାବଳୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବାସଭବନରେ ସମନ୍ୱୟ ସମିତିର ପ୍ରତିନିଧି ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସକରାତ୍ମକ ଥିଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

ପ୍ରକାଶଥାଉ କି, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ଏକ ପ୍ରତିନିଧି ଦଳ ସଭାପତି ସୁକାନ୍ତ କୁମାର ବେହେରା ଏବଂ ଆବାହକ ରଞ୍ଜନ କୁମାର ଦାଶଙ୍କ ନେତୃତ୍ୱରେ ଗତସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦାବିପତ୍ର ଗ୍ରହଣ କରିବା ପୂର୍ବକ ସମନ୍ୱୟ ସମିତିର ନେତୃତ୍ୱଙ୍କ ସହ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନିମ୍ନୋକ୍ତ ସମସ୍ତ ଦାବୀ ସମୂହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇ ଏହା ଉପରେ ଆଲୋଚନା ହୋଇଥିଲା। ଯଥା :- ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ସହିତ ପେନ୍‌ସନ୍ ପ୍ରଦାନ କରିବା ଏବଂ ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ଲାଗୁ କରିବା, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ଗ୍ରେଡ଼ପେରେ ଥିବା ଅସଙ୍ଗତି ଦୂରକରିବା, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ କରିବା ଏବଂ ରାଜ୍ୟର ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ କରଣ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଇତ୍ୟାଦି। ଏହିସବୁ ସମସ୍ୟାକୁ ଖୁବ୍ ଶିଘ୍ର ସମାଧାନ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ। ଶିକ୍ଷକ ମାନଙ୍କର ସମସ୍ୟା ଉପରେ ସେ ବିରୋଧୀ ଦଳରେ ଥିବାସମୟରୁ ଅବଗତ ଅଛନ୍ତି ବୋଲି ପ୍ରକାଶ କରିବା ସହିତ ଶିକ୍ଷକକର୍ମଚାରୀ ମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିଥିବା କଥା ଜଣାଇଥିଲେ।

ବିରୋଧୀ ଦଳରେ ଥିବା ସମୟରେ ସେ ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ସ୍ଥଳକୁ ଆସି ସମର୍ଥନ ଓ ସମବେଦନା ଜଣାଇଛନ୍ତି। ଶିକ୍ଷକମାନଙ୍କର ଦୁଇଟି ପ୍ରମୁଖ ସମସ୍ୟା ଦୀର୍ଘଦିନ ଧରି ଅନୁଦାନରୁ ବଞ୍ଚିତ ହୋଇ ଅବହେଳିତ ଅବସ୍ଥାରେ ଥିବା ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ ଏବଂ ୩୦ ବର୍ଷ ଧରି ଶିକ୍ଷାଦାନ କରି ଚାକିରିରୁ ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପେନସନ୍ ପ୍ରଦାନ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା।

ଆଲୋଚନାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ, ନୀଳମଣି ପୁରୋହିତ, ବ୍ରଜକିଶୋର ବିଶ୍ୱାଳ, ରାଜା ଓସିମ୍‌, ମାଣିକେଶ୍ୱର ସ୍ୱାଇଁ ଏବଂ ସୁରେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଆନିମେସନ୍ ଏବଂ ଭିଜୁଆଲ ଇଫେକ୍ଟରେ ଶ୍ରେଷ୍ଠଙ୍କୁ ପ୍ରୋତ୍ସାହିତ କରିବା ପାଇଁ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ 

ଇନ୍ଦୋର: ଆସୋସିଏସନ୍ ଇଣ୍ଟରନ୍ୟାସନାଲ ଡୁ ଫିଲ୍ମ ଡି’ଆନିମେସନ, ଏକ ଅନ୍ତର୍ଜାତୀୟ ଆନିମେଟେଡ ଫିଲ୍ମ ଆସୋସିଏସନ ଯାହା 1960 ମସିହାରୁ ଏକ ଅଣଲାଭକାରୀ ଅନୁଷ୍ଠାନ ଏବଂ ଚଳଚ୍ଚିତ୍ର ଆନିମେସନକୁ ଏକ କଳା ଏବଂ ଯୋଗାଯୋଗ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରେ। ଆନିମେସନ୍ ର ପ୍ରୋତ୍ସାହନ ପାଇଁ ସମର୍ପିତ ୟୁନେସ୍କୋ ସମର୍ଥିତ ଏକ ପ୍ରମୁଖ ଅନୁଷ୍ଠାନ ଆସିଫା ଇଣ୍ଡିଆ ଆନିମେସନ୍ ର ପ୍ରୋତ୍ସାହନ ପାଇଁ ଭାରତରେ ଏହାର 25ତମ ବର୍ଷ ପୂର୍ତ୍ତି ଅବସରରେ ଆନିମେସନ୍ ଏବଂ ଭିଜୁଆଲ୍ ଇଫେକ୍ଟ୍ ଶିଳ୍ପରେ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରିବା ପାଇଁ ଆନୁଷ୍ଠାନିକ ଭାବେ ଉତ୍କର୍ଷ ପୁରସ୍କାର ଆରମ୍ଭ କରିଛି। କଳା ଓ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତା ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ସହିତ ଏହି ପଦକ୍ଷେପ ସମନ୍ୱିତ।

ଭାରତରେ ଆନିମେସନ୍ ଶିଳ୍ପ ବିକଶିତ ହେବା ସହ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ହାସଲ କରିବା ସହିତ ସୃଜନଶୀଳତା ଏବଂ ବୈଷୟିକ ଦକ୍ଷତାର ସୀମାକୁ ଆଗକୁ ବଢ଼ାଉଥିବା ପ୍ରତିଭାସମ୍ପନ୍ନ ବ୍ୟକ୍ତି ବିଶେଷ ଏବଂ ଦଳଗୁଡ଼ିକୁ ଉତ୍ସାହିତ କରିବା ପାଇଁ ୱେଭ୍ସ-ଆୱାର୍ଡସ ଅଫ୍ ଏକ୍ସଲେନ୍ସ ଲକ୍ଷ୍ୟ ରଖିଛି। ଏହି ସମ୍ମାନଜନକ ପୁରସ୍କାର କାର୍ଯ୍ୟକ୍ରମ କେବଳ ଅସାଧାରଣ କାର୍ଯ୍ୟକୁ ଆଲୋକପାତ କରିବ ନାହିଁ ବରଂ ସାରା ଦେଶରେ ପରବର୍ତ୍ତୀ ପିଢ଼ିର ଆନିମେଟର ଏବଂ ଭିଏଫଏକ୍ସ କଳାକାରମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆସିଫା ଇଣ୍ଡିଆ ସହ ମିଶି କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ: ଆୱାର୍ଡସ ଅଫ୍ ଏକ୍ସଲେନ୍ସର ଶୁଭାରମ୍ଭ କରିଛି।

ଆସିଫା ଇଣ୍ଡିଆର ସଭାପତି ସଞ୍ଜୟ ଖୀମେସରା କହିଛନ୍ତି, ଭାରତର ଆନିମେସନ୍ ଏବଂ ଭିଏଫଏକ୍ସ କ୍ଷେତ୍ର ବିଶ୍ୱ ଅଭିନବତା କ୍ଷେତ୍ରରେ ଅଗ୍ରଣୀ। ଉତ୍କର୍ଷ ପୁରସ୍କାର ଆମ ସମୁଦାୟ ମଧ୍ୟରେ ଥିବା ଉଲ୍ଲେଖନୀୟ ପ୍ରତିଭା ଉପରେ ଆଲୋକପାତ କରିବ ଏବଂ ସୃଜନଶୀଳତା ଏବଂ କାହାଣୀର ମାନକୁ ଉନ୍ନତ କରିବ। ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ବିଶ୍ୱ ଆନିମେସନ୍ କ୍ଷେତ୍ରରେ ଭାରତକୁ ଏକ ଅଗ୍ରଣୀ ଭାବରେ ଅବସ୍ଥାପିତ କରିବାକୁ ଚେଷ୍ଟା କରୁଛୁ।

ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ଶ୍ରେଷ୍ଠ ଚରିତ୍ର ଆନିମେସନ୍ ଏବଂ ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟ ସମେତ ବିଭିନ୍ନ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆସିଫା ଇଣ୍ଡିଆର କୋର କମିଟି ସଦସ୍ୟା ମିସ୍ ବିନିତା ବଚନି ସୂଚନା ଦେଇଛନ୍ତି। ସୃଜନଶୀଳତା, ବୈଷୟିକ କାର୍ଯ୍ୟକାରିତା ଏବଂ ସାମଗ୍ରିକ ପ୍ରଭାବକୁ ଆକଳନ କରୁଥିବା ଶିଳ୍ପର ଅଭିଜ୍ଞ ଏବଂ ପୁରସ୍କାର ବିଜେତା ପେସାଦାରମାନଙ୍କୁ ନେଇ ଗଠିତ ଏକ ପ୍ରତିଷ୍ଠିତ ବିଚାରକମଣ୍ଡଳୀମାନଙ୍କ ଦ୍ୱାରା ଏଣ୍ଟ୍ରିଗୁଡ଼ିକର ମୂଲ୍ୟାଙ୍କନ କରାଯିବ।

ଡିଜିଟାଲ ମନୋରଞ୍ଜନ ପାଇଁ ଏକ ବିଶ୍ୱ ହବ୍ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ଏବଂ ଏଭିଜିସି କ୍ଷେତ୍ରରେ ଅଭିନବତା, ସୃଜନଶୀଳତା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୨୫ ରେ ହେବାକୁ ଥିବା ୱାର୍ଲଡ୍ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍‌ (ୱେଭ୍ସ)ର ଏକ ପ୍ରମୁଖ ଅଂଶ ହେଉଛି ଏହି ଆକର୍ଷଣୀୟ ପଦକ୍ଷେପ ।

ପ୍ରତିଯୋଗିତାର ଢାଞ୍ଚା ଏବଂ ମାନ୍ୟତା:

ପୁରସ୍କାର ପ୍ରକ୍ରିୟାରେ ଏକାଧିକ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ହେବ:

ଦାଖଲ : ଛାତ୍ରଛାତ୍ରୀ , କଳାକାର ଓ ଷ୍ଟୁଡିଓଗୁଡ଼ିକୁ ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ବର୍ଗରେ ନିର୍ମିତ କୃତିକୁ ଫିଲ୍ମ ଫ୍ରିୱେରେ ଦାଖଲ କରିବାକୁ ଆମନ୍ତ୍ରଣ କରାଯାଇଛି।

ବର୍ଗ ସମୂହ :

ଷ୍ଟୁଡେଣ୍ଟ ସୋ’ରିଲ୍ସ – ଶ୍ରେଷ୍ଠ ମଡେଲିଂ, ଶ୍ରେଷ୍ଠ ମେସେଜିଂ, ଶ୍ରେଷ୍ଠ ଆଲୋକୀକରଣ, ଶ୍ରେଷ୍ଠ ଆନିମେସନ୍, ଶ୍ରେଷ୍ଠ ଡିଜିଟାଲ୍ ପେଣ୍ଟିଂ, ଶ୍ରେଷ୍ଠ ମାଟ୍ ପେଣ୍ଟିଂ, ମୋସନ୍ ଗ୍ରାଫିକ୍ସ, ଶ୍ରେଷ୍ଠ କମ୍ପୋଜିଂ, ଶ୍ରେଷ୍ଠ ଏଫ୍ଏକ୍ସ

ବୃତ୍ତିଗତ ବିଜ୍ଞାପନ ଚଳଚ୍ଚିତ୍ର– ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ଚିତ୍ରନାଟ୍ୟ, ଶ୍ରେଷ୍ଠ ସିନେମାଟୋଗ୍ରାଫି, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଭିଏଫଏକ୍ସ, ଶ୍ରେଷ୍ଠ ଆନିମେସନ୍, ଶ୍ରେଷ୍ଠ ମଡେଲିଂ, ଶ୍ରେଷ୍ଠ ଆଲୋକୀକରଣ, ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଲେଖା

ଚୂଡ଼ାନ୍ତ ବିଚାରକ: ଆସିଫା ଇଣ୍ଡିଆ ଶିଖର ସମ୍ମିଳନୀରେ ବିଜେତା ଚୟନ କରୁଥିବା ଚୂଡ଼ାନ୍ତ ବିଚାରକଙ୍କୁ ସମସ୍ତ ବର୍ଗ ପାଇଁ ସଂକ୍ଷିପ୍ତ କାର୍ଯ୍ୟ ପ୍ରଦାନ କରାଯିବ ଯେଉଁମାନେ ବିଜେତାମାନଙ୍କୁ ଚୟନ କରିବେ।

ଅଂଶଗ୍ରହଣ ପାଇଁ ପ୍ରମୁଖ ବିବରଣୀ:

ଏଣ୍ଟ୍ରି ପାଇଁ ଶେଷ ତାରିଖ: 15 ନଭେମ୍ବର 2024
ଦାଖଲ ପୋର୍ଟାଲ: https://filmfreeway.com/asifaiad
ଇଣ୍ଡିଆ ପାସ୍କୋଡ୍: india10281892
ୱେଭ-ପୁରସ୍କାର ଦାଖଲ କୋଡ୍: ASIFAIADINDIA25
ୱେଭ୍ସ ଆୱାର୍ଡସ ଅଫ୍ ଏକ୍ସଲେନ୍ସ ବିଷୟରେ ଅଧିକ ସୂଚନା ଏଠାରେ ମିଳିପାରିବ:- https://www.asifaindia.com/waoe/

ବିଶିଷ୍ଟ ବିଚାରକମଣ୍ଡଳୀ

ଡିଆନା ମୋର୍ସ, ମିଚିଗାନ୍, ଆମେରିକା- ପ୍ରେସିଡେଣ୍ଟ  ଆସିଫା ଇଣ୍ଟରନ୍ୟାସନାଲ ଏବଂ ଏକାଡେମୀ ଆୱାର୍ଡର ସଦସ୍ୟ

ଆନାଷ୍ଟାସିଆ ଦିମିତ୍ରା, ଏଥେନ୍ସ, ଗ୍ରୀସ୍, ପ୍ରେସିଡେଣ୍ଟ,  ଆସିଫା ୱାର୍କସପ୍ ଗ୍ରୁପ୍

ବ୍ରିୟାନା ୟାରହାଉସ୍, ମିଚିଗାନ୍, ଯୁକ୍ତରାଷ୍ଟ୍ର ଆମେରିକା, ନିର୍ଦ୍ଦେଶକ, ଆସିଫା ଇଣ୍ଟରନ୍ୟାସନାଲ ଆନିମେସନ୍ ଦିବସ

ଧୀମନ୍ତ ବ୍ୟାସ, ଆଇଆଇଟି ବମ୍ବେର ଆଇଡିସି ସ୍କୁଲ ଅଫ୍ ଡିଜାଇନ୍ ର ପ୍ରାକ୍‌ଟିସ୍ ପ୍ରଫେସର

ପ୍ରମିତା ମୁଖାର୍ଜୀ, କାଲିଫର୍ଣ୍ଣିଆ, ଯୁକ୍ତରାଷ୍ଟ୍ର ଆମେରିକା, କ୍ୟାରେକ୍ଟର ଇଫେକ୍ଟସ ଆନିମେସନ୍ ଡେଭଲପର୍ସ, ଡ୍ରିମ୍ୱାର୍କସ ଆନିମେସନ୍, ୟୁଏସଏ

ବି.ଏନ୍.ବିଚାର, କଳା ନିର୍ଦ୍ଦେଶକ, ଟେକ୍ନିକଲର ଗେମ୍ସ, ବେଙ୍ଗାଲୁରୁ, ଭାରତ

ବିଜେତାମାନେ କେବଳ ପ୍ରଶଂସା ପାଇବେ ନାହିଁ ବରଂ ଶିଳ୍ପ ଲିଡରଙ୍କ ସହ ପରାମର୍ଶ ଏବଂ ନେଟୱାର୍କିଂ ପାଇଁ ସୁଯୋଗ ମଧ୍ୟ ପାଇବେ ଏବଂ ସେମାନଙ୍କ ପ୍ରତିଭା ଏବଂ ସମର୍ପଣକୁ ସ୍ୱୀକୃତି ପ୍ରଦାନ କରୁଥିବା ପୁରସ୍କାର ମଧ୍ୟ ପାଇବେ।

ଉତ୍ସବରେ ଯୋଗ ଦିଅନ୍ତୁ: ଆଜି ନିଜ କାର୍ଯ୍ୟକୁ  ଦାଖଲ କରନ୍ତୁ!

ଆସିଫା ଇଣ୍ଡିଆ ସମସ୍ତ ଆନିମେଟର ଏବଂ ଭିଏଫଏକ୍ସ ପ୍ରଫେସନାଲମାନଙ୍କୁ ଆୱାର୍ଡ ଅଫ ଏକ୍ସଲେନ୍ସରେ ଅଂଶଗ୍ରହଣ କରିବାକୁ ଏବଂ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରିଛି । ଦାଖଲ କରିବା ପ୍ରକ୍ରିୟା ବର୍ତ୍ତମାନ ଖୋଲା ଅଛି, ଏବଂ  www.asifaindia.org/waoe ରୁ ବିସ୍ତୃତ ମାର୍ଗଦର୍ଶିକା ମିଳିପାରିବ। ଭାରତର ଜୀବନ୍ତ ଆନିମେସନ୍ ସମୁଦାୟରେ ସାଥୀ କଳାକାରମାନଙ୍କ ସହ ପରିଚୟ ହାସଲ କରିବା ଏବଂ ସେମାନଙ୍କ ସହ ଯୋଡ଼ି ହେବା ପାଇଁ ଏହା ଏକ ଅନନ୍ୟ ସୁଯୋଗ।

ଆନିମେସନ୍ ଏବଂ ଭିଜୁଆଲ୍ ଇଫେକ୍ଟରେ ଶ୍ରେଷ୍ଠ ଉତ୍ସବ ପାଳନ କରିବାରେ ଆମ ସହିତ ଯୋଗ ଦିଅନ୍ତୁ ଏବଂ ଭାରତରେ ସୃଜନଶୀଳତା ଏବଂ ଅଭିନବତାକୁ ସମ୍ମାନ ଦେଉଥିବା ଏକ ଆନ୍ଦୋଳନର ଅଂଶ ହୁଅନ୍ତୁ!

ଆସିଫା ଇଣ୍ଡିଆ ବିଷୟରେ

ଗ୍ଲୋବାଲ୍ ଆସିଫା ନେଟୱାର୍କ (ଇଣ୍ଟରନ୍ୟାସନାଲ ଆନିମେଟେଡ୍ ଫିଲ୍ମ ଆସୋସିଏସନ୍)ର ଏକ ଅବିଚ୍ଛେଦ୍ୟ ଅଙ୍ଗ ଆସିଫା ଇଣ୍ଡିଆ ଦୀର୍ଘ ଦିନ ଧରି ଭାରତରେ ଆନିମେସନ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରର ପ୍ରଚାର ପ୍ରସାରରେ ଅଗ୍ରଣୀ ରହିଛି। ରାଷ୍ଟ୍ରପତି ସଞ୍ଜୟ ଖିମସରାଙ୍କ ନେତୃତ୍ୱରେ ଆସିଫା ଇଣ୍ଡିଆ ଭାରତୀୟ ଏଭିଜିସି କ୍ଷେତ୍ରରେ ଏକ ପ୍ରେରକ ଶକ୍ତି ଭାବେ କାର୍ଯ୍ୟ କରୁଛି, କାର୍ଯ୍ୟକ୍ରମ, ଉତ୍ସବ ଏବଂ ପଦକ୍ଷେପ ଆୟୋଜନ କରୁଛି ଯାହା କଳାକାର, ଛାତ୍ର ଏବଂ ବୃତ୍ତିଜୀବୀମାନଙ୍କୁ ବିଶ୍ୱସ୍ତରରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାକୁ ସଶକ୍ତ କରିବ।

ଆୱାର୍ଡ଼ସ ଅଫ୍ଏକ୍ସିଲେନ୍ସ : ସୃଜନଶୀଳତାର ଏକ ଉତ୍ସବ

କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ୍ ଆଣ୍ଡ୍ ଆଓ୍ଵାର୍ଡସ ଅଫ୍ ଏକ୍ସଲେନ୍ସ ଆସିଫା ଇଣ୍ଡିଆର ଏକ ପରିଚୟ, ଯାହା ଆନିମେସନ୍ ଏବଂ ଭିଏଫଏକ୍ସରେ ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ଦେବା ପାଇଁ ଡିଜାଇନ୍ କରାଯାଇଛି। ସୃଜନଶୀଳତା ଏବଂ ନବସୃଜନର ସୀମାକୁ ଆଗକୁ ବଢ଼ାଇଥିବା ବ୍ୟକ୍ତି ବିଶେଷ ଏବଂ ଦଳକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଏ।

ୱେଭ ପଦକ୍ଷେପ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏକ ଦୂରଦର୍ଶୀ ପ୍ଲାଟଫର୍ମ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ୱେଭ୍ସ (ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ) ହେଉଛି ବିଶ୍ୱ ଜ୍ଞାନ ବିନିମୟ, ଶିଳ୍ପ ନେଟୱାର୍କିଂ ଏବଂ ନବସୃଜନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରି ଭାରତର ସୃଜନଶୀଳ ଶିଳ୍ପର ଉନ୍ନତି ଉପରେ ଧ୍ୟାନ କେନ୍ଦ୍ରିତ ଏକ ପଦକ୍ଷେପ। ଏହି ପ୍ରୟାସର ଏକ ଅଂଶ ଭାବରେ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସମଗ୍ର ବିଶ୍ୱର ଛାତ୍ରଛାତ୍ରୀ, ପେସାଦାର ଏବଂ ଶିଳ୍ପଜଗତର ଭେଟେରାନମାନଙ୍କୁ ଏକାଠି କରି ପ୍ରତିଯୋଗିତା ଏବଂ ସହଯୋଗ କରିବାକୁ ପ୍ରସ୍ତୁତ ହୋଇଛି ଏବଂ ଶେଷରେ ବିଶ୍ୱ ସ୍ତରରେ ଭାରତର ସୃଜନଶୀଳ ପ୍ରତିଭାକୁ ପ୍ରଦର୍ଶନ କରିବ।

ଏହି ପଦକ୍ଷେପ କେବଳ ଭାରତର ଅସାଧାରଣ ପ୍ରତିଭାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଦେଶର ସୃଜନଶୀଳ ଉଦ୍ୟୋଗକୁ ପ୍ରୋତ୍ସାହିତ ଏବଂ ବିସ୍ତାର କରିବା ପାଇଁ ସରକାରଙ୍କ ‘କ୍ରିଏଟ ଇନ୍ ଇଣ୍ଡିଆ’ ଦୃଷ୍ଟିକୋଣ ସହିତ ମଧ୍ୟ ଯୋଡ଼ି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଅଗଷ୍ଟ ୧୬ ଶିକ୍ଷକ ଦାବିଦିବସରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସକରାତ୍ମକ ଥିଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

ପ୍ରକାଶଥାଉକି, ପବିତ୍ର ଶିକ୍ଷକ ଦାବିଦିବସରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସଭାସ୍ଥଳକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ପହଞ୍ଚି ସରକାରଙ୍କ ତରଫରୁ ଶିକ୍ଷକମାନଙ୍କର ସମସ୍ୟାପ୍ରତି ସମ୍ବେଦନଶୀଳ ଭାବରେ ନିଜର ସହମତି ବ୍ୟକ୍ତ କରିବା ସହ ଦାବୀପତ୍ର ଗ୍ରହଣ କରିଥିଲେ। ଏହାପରେ ସମନ୍ୱୟ ସମିତିର ପ୍ରତିନିଧିଗଣ ସଚିବାଳୟ ପରିସରରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଆହୂତ ବୈଠକରେ ଯୋଗଦେଇ ଦାବୀପତ୍ର ପ୍ରଦାନ ସହିତ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ, ଶିକ୍ଷାକର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କର ଅନେକ ସମସ୍ୟାର ସମାଧାନ ପାଇଁ ସରକାରୀସ୍ତରରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ପୁନର୍ବାର ବୈଠକ କରି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଏହି ପରିପ୍ରେକ୍ଷୀରେ ସମନ୍ୱୟ ସମିତି ପକ୍ଷରୁ ନୂତନ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ସମନ୍ୱୟ ସମିତିର ପ୍ରମୁଖ ଦାବୀଗୁଡ଼ିକ ମଧ୍ୟରେ ୨୫ ରୁ ୩୦ ବର୍ଷ ବିନା ପାରିଶ୍ରମିକରେ କାର୍ଯ୍ୟରତ ଅନୁଦାନ ଯୋଗ୍ୟ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରି ପେନ୍‌ସନ୍ ପ୍ରଦାନ କରିବା ଏବଂ ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ନୂତନ ପେନ୍‌ସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନ୍‌ସନ୍ ଲାଗୁ କରିବା, ୨୦୦୪ ମସିହା ଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀ ମାନଙ୍କୁ ପେନ୍‌ସନ୍‌, ଚାକିରିସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଏବଂ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିବା ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି କରିବା ସହିତ ସମସ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନଭୋଜନ, ସାଇକେଲ୍‌, ପୋଷାକ ଆଦି ଯୋଗାଇ ଦେବା ପ୍ରଭୃତି ଅନ୍ତର୍ଭୁକ୍ତ ଥିଲା।

ଆଲୋଚନାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଆବାହକ ରଞ୍ଜନ କୁମାର ଦାଶ, ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ହରେକୃଷ୍ଣ ପାଣିଗ୍ରାହୀ, ମଦ୍ରାସା ଶିକ୍ଷକ ସଂଘ ପକ୍ଷରୁ ଏମ୍‌.ଏ. କାସିମ୍ ବେଗ୍‌, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ ପକ୍ଷରୁ ରଞ୍ଜନ କୁମାର ପଣ୍ଡା, ୬୬୨ ବର୍ଗ କଲେଜ କର୍ମଚାରୀ ସଂଘ ତରଫରୁ ପ୍ରମୋଦ କୁମାର ହୋତାଙ୍କ ସମେତ ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲଣ୍ଡାକୋର୍ଟ ରିଜର୍ଭ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ୮ ଗିରଫ, କୋର୍ଟ ଚାଲାଣ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦ୍ରପୁର ରେଞ୍ଜର ହିରାଲୋଇ ଗ୍ରାମ ନିକଟସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ବନ ବିଭାଗ ୮ ଜଣଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ଇସ୍ତାହାରରେ ବନବିଭାଗ ଜଣାଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ ଅଧିନସ୍ଥ ହିରାଲୋଇ ଗ୍ରାମ ନିକଟ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲକୁ ଗଛ କାଟିବା ପାଇଁ ୮ ଜଣ ବ୍ୟକ୍ତି ଯାଇଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା।

ଜଙ୍ଗଲ ମଧ୍ୟରୁ ସେମାନଙ୍କୁ ବନବିଭାଗ ମଧ୍ୟ ଧରିବାରେ ସଫଳ ହୋଇଥିଲା। ବନବିଭାଗ ଗିରଫ କରିଥିବା ବ୍ୟକ୍ତିମାନେ ହେଲେ ନାକଟିଦେଉଳ ଥାନା ମାରୱାଡ଼ିମୁଣ୍ଡା ଗ୍ରାମର ନୀଳମଣି ମୁଣ୍ଡା (୩୬), ଉପିନ୍ଦ୍ର ମୁଣ୍ଡା, ଜିତେନ୍ଦ୍ର ମୁଣ୍ଡା, କାଳନ୍ଦି ଚରଣ ମୁଣ୍ଡା ( ୨୯), କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ବିଶିକେସନ କିସାନ, ଭାସ୍କର କିସାନ, ଲିଙ୍ଗରାଜ କିସାନ୍ କିସିଣ୍ଡା ଥାନା ଚନ୍ଦ୍ରପୁର ଗ୍ରାମର ଗୁରୁଚରଣ ମୁଣ୍ଡା। ଏମାନଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

ସେମାନେ କାଟିଥିବା ୬ ଖଣ୍ଡ ଶାଳ ଗଣ୍ଡିକୁ ଜବତ କରିବା ସହ ଟାଙ୍ଗିଆ ୪ଟି, ମୋଟର ସାଇକେଲ ୨ଟି, ମୋବାଇଲ ଫୋନ୍ ୩ଟି, ସାଇକେଲ୍ ୩ଟି ଆଦି ଜବତ କରିଛି।

ବନବିଭାଗ କେସ୍ ନଂ ଓଆର୍ ୧୧ଜି ଅଫ୍ ୨୦୨୩-୨୪ ରେ ବନବିଭାଗ ଧାରା ୟୁଏସ୍ ୨୭ ( ୧)ଏ ,ବି (୨) ବି.ୟୁଏସ୍୫୬ ଅଫ୍ ଓଡ଼ିଶାବନବିଭାଗ ଆଇନ୍ ୧୯୭୨ ରେ କେସ୍ ରୁଜୁ ହୋଇଛି। ଏହି ଚଢ଼ଉରେ ଗିରିଶ୍ଚନ୍ଦ୍ରପୁର ଫରେଷ୍ଟର ପ୍ରବୀଣ କୁମାର ସାହୁ, ଫରେଷ୍ଟ ଗାର୍ଡ ଅନିଲ୍ ନାଏକ ଏବଂ ବନବିଭାଗ ଅନ୍ୟ କର୍ମଚାରିମାନେ ସାମିଲ୍ ହୋଇଥିଲେ।  ସେମାନଙ୍କୁ ଆଜି ରେଢ଼ାଖୋଲ ଏସ୍ ଡ଼ି ଜେ ଏମ୍ କୋର୍ଟରେ ହାଜର କରାଯାଇଥିବା ବନବିଭାଗ ପ୍ରକାଶ କରିଛି।