Categories
ଆଜିର ଖବର

ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି କେ ମିଶ୍ର ଶନିବାର ସମ୍ବଲପୁର ଠାରେ ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି।

ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ଅଦ୍ଭୁତ ଅସ୍ଥିରତା ଏବଂ ଅନିଶ୍ଚିତତା ସମ୍ପର୍କରେ ଦର୍ଶାଇ ସମ୍ମିଳନୀର ବିଷୟବସ୍ତୁ ‘ଏକ ଅନିଶ୍ଚିତ ବିଶ୍ୱରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ମାର୍ଗ’ର ଗୁରୁତ୍ୱ ଉପରେ ପ୍ରମୁଖ ସଚିବ ଆଲୋକପାତ କରିଥିଲେ ।

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଯାତ୍ରା ଉପରେ ଗୁରୁତ୍ୱାରୋପ କରି ଡ. ମିଶ୍ର ଉଚ୍ଚ ଅଭିବୃଦ୍ଧି ପଥ ହାସଲ କରିବା ସହିତ ସ୍ଥାୟୀ ବିକାଶ ପ୍ରାପ୍ତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ, ” ଉଚ୍ଚ ଅଭିବୃଦ୍ଧି ଯାହା ସ୍ଥାୟୀ ନୁହେଁ , ତାହା ଅର୍ଥପୂର୍ଣ୍ଣ ହେବ ନାହିଁ’ ।

ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ , ସାମ୍ପ୍ରତିକ ସମୟରେ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ପରିବର୍ତ୍ତନ, ସେବା, ବାଣିଜ୍ୟ ଏବଂ ନିଯୁକ୍ତିରେ କୃତ୍ରିମ ବୁଦ୍ଧିମତ୍ତାର ଆହ୍ୱାନ ଏବଂ କାର୍ବନ ନିର୍ଗମନ ହ୍ରାସ ପରିପ୍ରେକ୍ଷୀରେ ଶକ୍ତି ପରିବର୍ତ୍ତନର ଆହ୍ୱାନ ହେଉଛି ବିଶ୍ୱସ୍ତରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଧାରା । ଏହା ପରେ ସେ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ ପାଇଁ ଅର୍ଥନୈତିକ ଗବେଷଣା ପାଇଁ କେତେକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

ଡ ମିଶ୍ର ଅର୍ଥନୈତିକ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ ପାର୍ଥକ୍ୟ ବିଷୟରେ ବର୍ଣ୍ଣନା କରିବା ସହ ‘ନିରନ୍ତର’ ଅର୍ଥନୈତିକ ବିକାଶରେ ପରିବେଶ ସମସ୍ୟା, ସାମାଜିକ ସମାନତା ଏବଂ ଦୀର୍ଘମିଆଦୀ ସ୍ଥିରତାକୁ ସନ୍ତୁଳିତ କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏକ ସନ୍ତୁଳିତ ଏବଂ ସ୍ଥିର ବିକାଶ ମଡେଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ଥାୟୀ ଅଭିବୃଦ୍ଧି ଅର୍ଥନୈତିକ, ସାମାଜିକ ଏବଂ ପରିବେଶ ପରସ୍ପର ନିର୍ଭରଶୀଳତାକୁ ବିଚାର କରେ ବୋଲି ସେ କହିଛନ୍ତି ।

୧୯୭୨ ମସିହାରେ ମିଳିତ ଜାତିସଂଘ ମାନବ ପରିବେଶ ସମ୍ମିଳନୀରେ ନିରନ୍ତର ବିଚାରର ସୃଷ୍ଟି  ଏବଂ ବିଶ୍ୱସ୍ତରୀୟ ଆହ୍ୱାନ ଗୁଡିକର ସମାଧାନ କରିବା ପାଇଁ ୧୬୯ଟି ଲକ୍ଷ୍ୟ ସହିତ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଆକାରରେ ନିରନ୍ତର ବିକାଶ ପାଇଁ ୨୦୩୦ ଏଜେଣ୍ଡା ଉପରେ ପ୍ରମୁଖ ସଚିବ ଆଲୋଚନା କରିଥିଲେ । ସେ କହିଥିଲେ ଯେ ୨୦୩୦ ପାଇଁ ଗ୍ଲୋବାଲ ଏଜେଣ୍ଡାରେ ‘କାହାକୁ ପଛରେ ଛାଡିବା ନାହିଁ’ର ସାର୍ବଜନୀନ ନୀତି ପ୍ରମୁଖ ଅଟେ ।

ପ୍ରଧାନମନ୍ତ୍ରୀଙ୍କ ଭିଜନ ଅଫ୍ ଇଣ୍ଡିଆ ୨୦୪୭କୁ ଦୋହରାଇ , ଶ୍ରୀ ମିଶ୍ର କହିଥିଲେ ଯେ ଭାରତ ମୁଣ୍ଡପିଛା ଆୟର ଆଶାନୁରୂପ ସ୍ତର ହାସଲ କରିବା ଠାରୁ ଆଗକୁ ଯାଇ ସମସ୍ତ ଦିଗରେ ଆତ୍ମନିର୍ଭରଶୀଳ ହେବା ଉଚିତ । ସେ ଆହୁରି ମଧ୍ୟ କହିଥିଲେ ଯେ ମହିଳାମାନେ ଭାରତର ବିକାଶ କାହାଣୀର ନେତୃତ୍ୱ ନେବେ, ଅର୍ଥ ବ୍ୟବସ୍ଥା ଅଧିକ ସମାବେଶୀ ହେବ ଏବଂ ଅଭିନବ ହେବ ଏବଂ ଆମ ଜାତୀୟ ଜୀବନରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ରହିବ ନାହିଁ ।

ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତର ପ୍ରୟାସକୁ ଦୃଷ୍ଟିରେ ରଖି ଶ୍ରୀ ମିଶ୍ର ଏସଡିଜି ହାସଲ ପାଇଁ ଭାରତର ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ପରେ ସେ ବିପଦ ଏବଂ ଅନିଶ୍ଚିତତାର କିଛି ବିଚାରଯୋଗ୍ୟ ଦିଗକୁ ବିଶ୍ଳେଷଣ କରିଥିଲେ , ଯାହା ଏସଡିଜି ପ୍ରକାଶ ପାଇବା ସମୟରେ ବିଦ୍ୟମାନ ନଥିଲା ଏବଂ ଏହା ପରେ ଅର୍ଥନୈତିକ ଗବେଷଣା ପାଇଁ କିଛି ପ୍ରସଙ୍ଗ ଗୁଡିକୁ ଉପସ୍ଥାପନ କରିଥିଲେ ।

ସ୍ଥାୟୀ ବିକାଶ ପାଇଁ ଗତ ୧୦ ବର୍ଷ ମଧ୍ୟରେ ଭାରତ ସରକାରଙ୍କ ପ୍ରୟାସ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଏକ ସ୍ଥାୟୀ ଏବଂ ଉନ୍ନତ ଭବିଷ୍ୟତ ପାଇଁ ନୂତନ ଧାରଣା ଆପଣେଇବା ଉପରେ ଗୁରୁତ୍ୱାରୋପ କରି ଭାରତ ନେତୃତ୍ୱାଧୀନ ଜି-୨୦ ଅଧ୍ୟକ୍ଷତା ଏହାର ଅଭୂତପୂର୍ବ ବ୍ୟାପକତା ଏବଂ ସଫଳତା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି ବୋଲି ସେ କହିଥିଲେ । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତର ପ୍ରୟାସରେ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ) ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ (ସିଡିଆରଆଇ) ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଭଳି ବିଶ୍ୱସ୍ତରୀୟ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ବୋଲି ସେ କହିଛନ୍ତି ।

ଶ୍ରୀ ମିଶ୍ର ଅମୃତ କାଳ ପାଇଁ ଭାରତର ଦୃଷ୍ଟିକୋଣକୁ ଦୋହରାଇଥିଲେ ଯେଉଁଥିରେ ୨୦୪୭ ସୁଦ୍ଧା ନିରନ୍ତର ବିକାଶ ଏବଂ ଅସମାନତା ହ୍ରାସ କରିବା ଅନ୍ତର୍ଭୁକ୍ତ । କୋଭିଡ୍‌-୧୯ ମହାମାରୀ ସମୟରେ ସଂସ୍କାରର ମାର୍ଗ ବାଛିଥିବା ଭାରତର ପ୍ରୟାସ ଉପରେ ସେ ଆଲୋକପାତ କରିଥିଲେ । ୨୦୧୭ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଏବଂ ଇନସଲଭେନ୍ସି  ଆଣ୍ଡ ୍ ବ୍ୟାଙ୍କରପ୍‌ସି କୋଡ୍ / ଦେବାଳିଆ ଏବଂ ଋଣଶୋଧନ ଅକ୍ଷମତା କୋର୍ଡ (ଆଇବିସି) କାର୍ଯ୍ୟକାରୀ କରିବା, ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ପ୍ରଚଳନ ଯେଉଁଥିରେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ଅଣାଯାଇପାରିବ, ଯେଉଁଥିରେ ଅର୍ଥ ବ୍ୟବସ୍ଥାକୁ ଉନ୍ମୁକ୍ତ କରିବା ବଦଳରେ ରାଜନୈତିକ ପୁଞ୍ଜିର ଗୁରୁତ୍ୱପୂର୍ଣ୍ଣ ନିବେଶର ଆବଶ୍ୟକତା ଥିଲା ।

ସ୍ଥାୟୀ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବରେ ଭିତ୍ତିଭୂମି ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ସଚିବ ପିଏମ୍ ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ୍ ନୀତି ଭଳି ପଦକ୍ଷେପ ଉପରେ ଆଲୋକପାତ କରିଥିଲେ , ଯାହା ନିରବଚ୍ଛିନ୍ନ ମଲ୍ଟି-ମୋଡାଲ୍ ଯୋଗାଯୋଗକୁ ସକ୍ଷମ କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଆମର କମ୍ପାନୀ ଗୁଡ଼ିକୁ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଏକୀକୃତ କରିବା, ପ୍ରତ୍ୟକ୍ଷ ଟିକସ ହାର ହ୍ରାସ କରିବା, ଏଫଡିଆଇ ନିୟମକୁ ଉଦାର କରିବା, ଭାରତକୁ ଏକ ବିଶ୍ୱ ସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ପାଇଁ ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଆରମ୍ଭ କରିବାରେ ସାହାଯ୍ୟ କରିଛୁ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଦ୍ୟତନ ହୋଇଥିବା ଜାତୀୟ ସ୍ତରରେ ନିର୍ଦ୍ଧାରିତ ଅବଦାନ (ଏନ୍‌ଡିସି)ରେ ଦର୍ଶାଯାଇଥିବା ଭାରତର ଜଳବାୟୁ କାର୍ଯ୍ୟ ନୀତିର ପ୍ରମୁଖ ଉପାଦାନ ଗୁଡ଼ିକ ଉପରେ ଆଲୋଚନା କରିଥିଲେ ଏବଂ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ, ଉଜାଲା – ଏଲ୍‌ଇଡି ଅଭିଯାନ ଏବଂ ଫେମ୍ ଇଣ୍ଡିଆ, ୱେଷ୍ଟ ଟୁ ୱେଲ୍‌ଥ ଯୋଜନା, ନାନୋ – ୟୁରିଆ ଏବଂ ନାନୋ – ଡିଏପି ସମେତ ପରିବେଶ ସ୍ଥିରତା ପାଇଁ ଅନ୍ୟାନ୍ୟ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ଜାତୀୟ ଶିକ୍ଷା ନୀତି ୨୦୨୦, ଦୀକ୍ଷା ଏବଂ ପିଏମ ଇ – ବିଦ୍ୟା ପ୍ଲାଟଫର୍ମ, ପିଏମ୍ ଆବାସ ଯୋଜନା, ଜଳ ଜୀବନ ମିଶନ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ, ଉଜ୍ଜ୍ୱଳା ଯୋଜନା, ପିଏମ ସ୍ୱନିଧି ଯୋଜନା, ପିଏମ ବିଶ୍ୱକର୍ମା ଯୋଜନା ସମେତ ଅଧିକ ନ୍ୟାୟସଙ୍ଗତ ବିକାଶ ନିମନ୍ତେ ମାନବ ପୁଞ୍ଜି ବିକଶିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପକୁ ଶ୍ରୀ ମିଶ୍ର ପ୍ରଶଂସା କରିଥିଲେ, ଯେଉଁଥିରେ ନିରନ୍ତର ବିକାଶରେ ସାମାଜିକ ସମାବେଶର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ମୁଖ୍ୟ ଶାସନ ସଚିବ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିବାରେ ଏମଏସଏମଇର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଏହା ଦ୍ୱାରା ଭାରତର ଜନସଂଖ୍ୟାଗତ ଲାଭକୁ ସର୍ବାଧିକ କରାଯାଇପାରିବ ବୋଲି ସେ କହିଥିଲେ । ସେ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ, ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ ଏବଂ ଦକ୍ଷତା ଉନ୍ନୟନ ପାଇଁ ଦକ୍ଷତା ବିକାଶ ଆୟୋଗ ଭଳି ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଦକ୍ଷତା ଉନ୍ନତି ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଭଳି ସରକାରଙ୍କ ଦ୍ୱାରା ନିଆଯାଇଥିବା ଉପାୟ ଗୁଡିକ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଶାସନରେ ଉନ୍ନତି ଆଣିବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବାରେ ଟେକ୍ନୋଲୋଜିର ବ୍ୟବହାର ଉପରେ ସରକାରଙ୍କ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରି ଶ୍ରୀ ମିଶ୍ର କହିଥିଲେ ଯେ , ଜେଏଏମ ଟ୍ରିନିଟି ଏବଂ ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ଭଳି ପଦକ୍ଷେପ କେବଳ ନାଗରିକମାନଙ୍କୁ ସିଧାସଳଖ ଲାଭ  ପ୍ରଦାନ କରି ନାହିଁ ବରଂ ସେମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଶକ୍ତିକରଣରେ ମଧ୍ୟ ମୌଳିକ ପରିବର୍ତ୍ତନ ଆଣିଛି ।

ପ୍ରମୁଖ ସଚିବ ବିପଦ ଓ ଅନିଶ୍ଚିତତାର ବିଚାରଯୋଗ୍ୟ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସେ ତାଙ୍କ ପୁସ୍ତକ ଏଗ୍ରିକଲଚରାଲ ରିସ୍କ, ଇନ୍ସ୍ୟୁରାନ୍ସ ଆଣ୍ଡ ଇନକମ୍ ଏବଂ ମାଇକେଲ ଲିପ୍ଟନ୍‌ଙ୍କ ସେମିନାର ପେପର  ‘ଦ ଥିଓରି ଅଫ୍ ଦ ଅପ୍ଟିମାଇଜିଂ ପିଜାଂଟ’ରୁ ଉଲ୍ଲେଖ କରିଛନ୍ତି । କୋଭିଡ-୧୯ ମହାମାରୀର ଉଦାହରଣ ଦେଇ ସୂକ୍ଷ୍ମ ଅର୍ଥନୀତି ଧାରଣା କିପରି ପ୍ରାସଙ୍ଗିକ ତାହା ସେ ବର୍ଣ୍ଣନା କରିଥିଲେ ଏବଂ ଆହୁରି ମଧ୍ୟ କହିଥିଲେ ଯେ “ଆମକୁ ଏକ ଅନିଶ୍ଚିତ ପରିବେଶରେ ପାରମ୍ପରିକ ବିପର୍ଯ୍ୟୟ ବିପଦ ପରିଚାଳନା ଏବଂ ବିପଦ ପରିଚାଳନା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବା ଆବଶ୍ୟକ ଯାହା ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆମର ରଣନୀତି ଉପରେ ମଧ୍ୟ ଲାଗୁ ହୁଏ ।

ନସିମ ନିକୋଲାସ୍ ତାଲେବଙ୍କ ଆଣ୍ଟିଫ୍ରାଜିଲିଟିର ଧାରଣା ଅନୁଯାୟୀ, ଡକ୍ଟର ମିଶ୍ର ଭାରତୀୟ ପରିପ୍ରେକ୍ଷୀରେ ସଶକ୍ତ ରାଷ୍ଟ୍ରରେ ପରିଣତ ହେବା ପାଇଁ ପାଞ୍ଚଟି ସ୍ତମ୍ଭ ସମ୍ପର୍କରେ  ପରାମର୍ଶ ଦେଇଥିଲେ, ଯେଉଁଥିରେ ସାମୁଦାୟିକ ସ୍ତରର ପଦକ୍ଷେପ, ସହାୟକ ଭିତ୍ତିଭୂମି ସଂରଚନା, ଦୃଢ଼ ଆର୍ôଥକ ବ୍ୟବସ୍ଥା, ସାମାଜିକ ସୁରକ୍ଷା, ସ୍ଥାୟୀ ପ୍ରାକୃତିକ ସମ୍ବଳ ପରିଚାଳନା ଅନ୍ତର୍ଭୁକ୍ତ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଠାରୁ ସୋଆରେ ଆଇଏନ୍‌ଏଇ ର ତିନିଦିନଆ ବାର୍ଷିକ ସମ୍ମିଳନୀ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆଜିଠାରୁ ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍‌ଏଇ)ର ତିନିଦିନିଆ ବାର୍ଷିକ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଏଥିରେ ସାରା ଦେଶରୁ ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ।

ଦେଶର ବିଶିଷ୍ଟ ଯନ୍ତ୍ରୀ, ଯନ୍ତ୍ରୀ – ବୈଜ୍ଞାନିକ ଓ ପ୍ରବିଧିଜ୍ଞ ଯେଉଁମାନେ କି ସମଗ୍ର ଇଞ୍ଜିନିୟରି କ୍ଷେତ୍ରରେ ପରିବ୍ୟାପ୍ତ ଅଟନ୍ତି ସେମାନଙ୍କୁ ନେଇ ଆଇଏନ୍‌ଏଇ ହେଉଛି ଏକ ସ୍ୱୟଂ ଚାଳିତ ବୃତିଗତ ଅନୁଷ୍ଠାନ। ଏହା ଆଂଶିକ ଭାବେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଅନୁଦାନ ପ୍ରାପ୍ତ ବୋଲି ଶୁକ୍ରବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଏନ୍‌ଏଇ ର ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ତଥା ସୋଆ ଉପଦେଷ୍ଟା ମଣ୍ଡଳୀ ର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ।

ଏହି ସମ୍ମିଳନୀ ସୋଆର କ୍ୟାମ୍ପସ୍ -୨ରେ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ଇଞ୍ଜିନିୟରିଂ କ୍ଷେତ୍ରର ଫେଲୋ, ବିଦେଶୀ ଫେଲୋ, ୟଙ୍ଗ୍ ଆସୋସିଏଟ୍‌ସ୍ ଓ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେବେ। ସମ୍ମିଳନୀରେ ପ୍ଲେନାରୀ ଟକ୍‌, ପାନେଲ ଆଲୋଚନା ଓ ଉପସ୍ଥାପନା ଇତ୍ୟାଦି ଆୟୋଜିତ ହେବ ବୋଲି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି।

ଚଳିତ ବର୍ଷ ଏହି ସମ୍ମିଳନୀ ମିଳିତ ଭାବରେ ସୋଆ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି ଭୁବନେଶ୍ୱର, ସିଏସ୍‌ଆଇଆର୍‌- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମାଟେରୀଆଲ୍ସ ଟେକ୍‌ନୋଲୋଜି, ଭୁବନେଶ୍ୱର ଓ ଆଇଏନ୍‌ଏଇ ଭୁବନେଶ୍ୱର ଚାପ୍ଟର ଆୟୋଜନ କରିଛି ବୋଲି କହିଛନ୍ତି ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ରହିଥିବା ପ୍ରଫେସର ଆଚାର୍ଯ୍ୟ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉକେଲା ଷ୍ଟିଲ୍ ପ୍ଲାଂଟର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏନଇର ପ୍ରାକ୍ତନ ସଭାପତି ଡକ୍ଟର ସନକ ମିଶ୍ର ,ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏନ୍‌ଏଇର ମେମ୍ବର ସେକ୍ରେଟରୀ ଲେଫ୍‌ଟନାନ୍‌ଂଟ କର୍ଣ୍ଣେଲ୍ ଶୋଭିତ୍ ରାଏ, ସମ୍ମିଳନୀର ଆୟୋଜକ ସମ୍ପାଦକ ତଥା ଆଇଆଇଟି ଭୁବନେଶ୍ୱର ର ପ୍ରଫେସର ଡକ୍ଟର ଶୁଭ୍ରାଂଶୁ ସାମନ୍ତରାୟ ଉପସ୍ଥିତ ଥିଲେ।

ପ୍ରଫେସର ଆଚାର୍ଯ୍ୟ କହିଥିଲେ ଯେ ସମ୍ମିଳନୀରେ ଦୁଇଟି ଅଧିବେଶନରେ ବିଶ୍ୱବିଖ୍ୟାତ ଜ୍ୟୋର୍ତିବିତ୍ ପଠାଣି ସାମନ୍ତ ଓ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଂଚଳର ନବମ ଶତାଦ୍ଦୀର ପିତଳ ମାଛ ଉପରେ ମଧ୍ୟ ଆଲୋଚନା କରାଯିବ।

ଡକ୍ଟର ମିଶ୍ର କହିଥିଲେ ଯେ ଆଇଏନ୍‌ଏଇ ଦେଶର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାନ୍ତ୍ରିକ ଓ ପ୍ରବିଧିବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରେ। ୧୯୮୭ ମସିହାରେ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ୧୯୯୬ ରେ ଭାରତ ର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ୍ କାଲମ୍ ମଧ୍ୟ ଏହାର ସଭାପତି ଥିଲେ ବୋଲି ସେ କହିଥିଲେ। ଇଞ୍ଜିନିୟରିଂ ଏବଂ ବିଜ୍ଞାନ କ୍ଷେତ୍ରରେ ଅଧିକ ରୁ ଅଧିକ କାର୍ଯ୍ୟ କରିବା ସହ ଭବିଷ୍ୟତରେ ଉପୁଜିବାକୁ ଥିବା ସମସ୍ୟାଗୁଡିକର ସମାଧାନ ର ବାଟ ବାହାର କରି ଏହାର ରିପୋର୍ଟ ସରକାର ଙ୍କୁ ପ୍ରଦାନ କରିବା ଆମର କାର୍ଯ୍ୟ ବୋଲି ଡକ୍ଟର ମିଶ୍ର କହିଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ଦ୍ୱିତୀୟ ଥର ପାଇଁ ଆଇଏନ୍‌ଏଇର ବାର୍ଷିକ ସମ୍ମିଳନୀ ଆୟୋଜନ କରୁଛି। ୨୦୧୩ ରେ ମଧ୍ୟ ସୋଆ ପ୍ରଥମଥର ପାଇଁ ଏହି ସମ୍ମିଳନୀ ର ଆୟୋଜନ କରିଥିଲା ବୋଲି ସେ କହିଥିଲେ।

ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ର ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ଆଇଏନ୍‌ଏଇ ର ଅଧ୍ୟକ୍ଷ ତଥା ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି, ମେସ୍ରାର କୁଳପତି ପ୍ରଫେସର ଇନ୍ଦ୍ରନିଲ୍ ମାନ୍ନା ଯୋଗ ଦେବେ। ଏହି ଅବସରରେ ଆଇଏନ୍‌ଏଇ ର ପୂର୍ବତନ ସଭାପତି ତଥା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି, ତିରୁଭନନ୍ତପୁରମ୍‌ର କୁଳପତି ଡକ୍ଟର ବି.ଏନ୍‌. ସୁରେଶ ଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଡାଇଭର୍ସ ସ୍ପେସ୍ ଆପ୍ଳିକେସନ୍‌ସ୍‌’ ଉନ୍ମୋଚନ କରାଯିବ।

ସମ୍ମିଳନୀରେ ଯୋଗେଦେବାକୁ ଥିବା ବିଶିଷ୍ଟ ଯାନ୍ତ୍ରିକ ବିଜ୍ଞାନୀଙ୍କ ମଧ୍ୟରେ ଅଛନ୍ତି ଆଇଆଇଟି ବମ୍ବେର ପ୍ରଫେସର ଏମିରଟସ୍‌, ପ୍ରଫେସର ୟୁ.ବି. ଦେଶାଇ, ଯାଦବପୁର ବିଶ୍ୱବିଦ୍ୟାଳୟ, କୋଲାକତା ଇଲ୍ଟ୍ରେିକାଲ୍ ଇଞ୍ଜିନିୟରିଂ ବିଭାଗ ର ପ୍ରଫେସର ଶିବାଜୀ ଚକ୍ରବର୍ତୀ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମଲ୍କର, ସିଏସିଆଇଅର – ଆଇଏମ୍‌ଏମ୍‌ଟି , ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍‌ନୋଲୋଜି, ମୁମ୍ବାଇର କୁଳପତି ପ୍ରଫେସର ଏ.ବି. ପଣ୍ଡିତ ଓ ଆଇଆଇଟି ଖଡଗପୁର ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପି.ପି. ଚକ୍ରବର୍ତୀ।

ମାଇକ୍ରୋସଫ୍ଟର ଚେୟାରମ୍ୟାନ୍ ସତ୍ୟ ନାଡେଲାଙ୍କ ସମେତ ୪୦ ରୁ ଅଧିକ ବିଶିଷ୍ଟ ଟେକ୍ନୋକ୍ରାଟ୍‌ଙ୍କୁ ଆଇଏନଏଇର ଫେଲୋ ଭାବେ ଗ୍ରହଣ କରାଯିବ। ଏମାନଙ୍କ ମଧ୍ୟରେ ଭାରତୀ ଏଂଟରପ୍ରାଇଜେର ସଭାପତି ସୁନୀଲ ଭାରତୀ ମିତଲ, ଏଚସିଏଲର ସହ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅଜୟ ଚୌଧୁରୀ, ଏଆଇସିଟିଇ ର ଅଧ୍ୟକ୍ଷ ପ୍ରଫେସର ଟିଜି ସୀତାରାମ ଓ ଏନଆଇଆଇଟି ଗ୍ରୁପ୍ ର ଚେୟାରମ୍ୟାନ୍ ତଥା ସହ ପ୍ରତିଷ୍ଠାତା ରାଜେନ୍ଦ୍ର ସିଂ ପାୱାର ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସଚିବାଳୟ ସମୀକ୍ଷକ ସେବା ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସମୀକ୍ଷକ ସେବା ସଂଘର ବାର୍ଷିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷକମାନଙ୍କର ନିଷ୍ଠା, ଆନ୍ତରିକତା ଓ ଦାୟିତ୍ୱବୋଧ ରାଜ୍ୟର ଆର୍ଥିକ ପରିଚାଳନାକୁ ଅଧିକ ସକି୍ରୟ ଓ ସ୍ୱଚ୍ଛ କରିବାରେ ସହାୟକ ହୋଇଛି ବୋଲି ବାର୍ଷିକ ସମ୍ମିଳନୀରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କହିଥିଲେ ଯେ ରାଜ୍ୟ ବା ଦେଶର ଆର୍ଥିକ ଉନ୍ନତି ଓ ଅଭିବୃଦ୍ଧିରେ ବିତ୍ତୀୟ ଶୃଂଖଳା ଜରୁରୀ ହୋଇଥିବାବେଳେ ସମୀକ୍ଷକମାନେ ଏ ଦିଗରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ରାଜ୍ୟ ସରକାର ବହୁ ଅର୍ଥ ବ୍ୟୟବରାଦ କରୁଥିବାରୁ ହିତାଧିକାରୀମାନେ ଏହାର ସୁଫଳ ପାଇବା ଅତ୍ୟନ୍ତ ଆବଶ୍ୟକ। ସମୀକ୍ଷକମାନଙ୍କ ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ଦ୍ୱାରା ଅର୍ଥ ଖର୍ଚ୍ଚ କରୁଥିବା କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକ ଶୃଙ୍ଖଳିତ ହୋଇଥାଆନ୍ତି। ରାଜ୍ୟ ସରକାରଙ୍କର ଦୁଇ ଯୁଗାନ୍ତକାରୀ ମନ୍ତ୍ର ୫-‘ଟି’ ଓ ‘ମୋ-ସରକାର’କୁ ସରକାରୀ କାର୍ଯ୍ୟରେ ଉପଯୋଗ କରି ସମୀକ୍ଷକମାନେ କାର୍ଯ୍ୟରେ ଅଧିକ କ୍ରିୟାଶୀଳ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପରାମର୍ଶ ଦେଇଥିଲେ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ କହିଥିଲେ ଯେ ସମ୍ପ୍ରତି ଓଡ଼ିଶା ଏକ ଦ୍ରୁତ ପ୍ରଗତିଶୀଳ ରାଜ୍ୟ ଭାବରେ ସମଗ୍ର ଦେଶରେ ପରିଚିତ। ଆର୍ଥିକ ଶୃଙ୍ଖଳା ରକ୍ଷା କରିବାରେ ସମୀକ୍ଷକମାନଙ୍କ ଗୁରୁଦାୟିତ୍ୱ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥର ଉପଯୁକ୍ତ ବିନିଯୋଗ ଦିଗରେ ସମୀକ୍ଷକମାନଙ୍କର ସଠିକ୍‌ କାର୍ଯ୍ୟ ଓ ଦାୟିତ୍ୱର ଆବଶ୍ୟକତା ରହିଛି ଏବଂ ସେ ଦିଗରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।

ମୁଖ୍ୟବକ୍ତା ଭାବେ ମହାଲେଖାକାର ରାଜକୁମାର ସମୀକ୍ଷକମାନଙ୍କର ଭୂମିକା ଓ ଅର୍ଥନୈତିକ ପ୍ରଗତିରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବୋଲି କହିଥିଲେ।

ସମ୍ମାନୀୟ ଅତିଥି ଭାବେ ଅର୍ଥ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ଅତିରିକ୍ତ ସଚିବ ଅଶୋକ କୁମାର ଯୋଶୀ ସମୀକ୍ଷକମାନଙ୍କର କାର୍ଯ୍ୟଦକ୍ଷତା ଓ ଉଦ୍ୟମ ଯୋଗୁଁ ରାଜ୍ୟର ଉନ୍ନତି ତ୍ୱରାନ୍ୱିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ସାରଦା ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଘର ସାଧାରଣ ସମ୍ପାଦକ ଜୀବନ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ସଂଘର ଉପସଭାପତି ମନୋରଞ୍ଜନ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟଅତିଥିଙ୍କ ଦ୍ୱାରା ସଂଘର ମୁଖପତ୍ର ‘ସମୀକ୍ଷାୟନ’ ଉନ୍ମୋଚନ ହେବା ସହିତ ସଦସ୍ୟମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ପ୍ରଣତି ବସନ୍ତରାୟ, ବନଜା ସାହୁ, ରାଜଲକ୍ଷ୍ମୀ ମହାପାତ୍ର, ଆଶିଷ ଦଳାଇ, ପ୍ରକାଶ ସାହାଣୀ, ଉମାକାନ୍ତ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ଓ ଅନ୍ୟ ସଦସ୍ୟମାନେ ନୃତ୍ୟ ପରିବେଷଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆରମ୍ଭ ହେଲା ଭାରତୀୟ ସୂଚନା ସେବା ଅଧିକାରୀଙ୍କ ତୃତୀୟ ବାର୍ଷିକ ସମ୍ମିଳନୀ

ଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ବିଜ୍ଞାନ ଭବନରେ ଭାରତୀୟ ସୂଚନା ସେବା ଅଧିକାରୀ ମାନଙ୍କର ତୃତୀୟ ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ, ସୂଚନା ଏବଂ ପ୍ରସାରଣ ସଚିବ, ଅପୂର୍ବ ଚନ୍ଦ୍ରା ଏବଂ ପ୍ରମୁଖ ମହାନିର୍ଦ୍ଦେଶକ, ଜୟଦୀପ ଭଟ୍ଟନାଗର, ସତ୍ୟେନ୍ଦ୍ର ପ୍ରକାଶ, ବେଣୁଧର ରେଡ୍ଡୀ ଏବଂ ମାୟଙ୍କ କୁମାର ଅଗ୍ରୱାଲ୍ ଉପସ୍ଥିତ ଥିଲେ। ଏହି ଦୁଇ ଦିବସୀୟ  ସମ୍ମିଳନୀରେ ସାରା ଦେଶର ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଭାଗ ନେଇଛନ୍ତି।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ, ଶ୍ରୀ ଅନୁରାଗ ଠାକୁର ନିଜର ଅଭିଭାଷଣରେ 5ସି ବା ପାଂଚଟି ପ୍ରମୁଖ ବିଷୟକୁ ରେଖାଙ୍କିତ କରିଛନ୍ତି, ଯେଉଁ ଗୁଡିକୁ ସରକାରୀ ଯୋଗାଯୋଗ କ୍ଷେତ୍ରରେ ପ୍ରୟୋଗ କରିବାର ଆବଶ୍ୟକତା ରହିଛି । ଏଥିରେ – ନାଗରିକ – କେନ୍ଦ୍ରିତ ଏବଂ ଅନୁକମ୍ପାମୂଳକ ଯୋଗାଯୋଗ ବ୍ୟବସ୍ଥା, ଲକ୍ଷ୍ୟଭୁକ୍ତ ଶ୍ରୋତାଙ୍କ ପାଇଁ ବାର୍ତ୍ତା, ସହଭାଗୀତା ଏବଂ ନିରନ୍ତର ମାନସ ମନ୍ଥନ  ତଥା କ୍ଷମତା ବୃଦ୍ଧି ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଅଟେ । ଏହା ଉପରେ ସେ ବିସ୍ତୃତ ଭାବେ କହିଥିଲେ ଯେ, ନାଗରିକ ମାନଙ୍କୁ ଧ୍ୟାନରେ ରଖି ସମସ୍ତ ଯୋଗାଯୋଗ ପ୍ରାସଙ୍ଗିକ ହେବା ଉଚିତ୍ । ଏହା ସହିତ ସରକାରୀ ସଂସ୍ଥା, ଅନ୍ୟାନ୍ୟ ଅନୁଷ୍ଠାନ ଏବଂ ଘରୋଇ କ୍ଷେତ୍ର ସମେତ ସମସ୍ତ ହିତଧାରକ ମାନଙ୍କ ସହିତ ସହଯୋଗ ବୃଦ୍ଧି କରିବାର ମହତ୍ୱକୁ ମଧ୍ୟ ରେଖାଙ୍କିତ କରିଥିଲେ । ସେ କହିଥିଲେ ଯେ, ଯୋଗାଯୋଗ ଏକ ଦ୍ରୁତ ବେଗରେ ବଦଳୁଥିବା କ୍ଷେତ୍ର ଅଟେ, ଯେଉଁଠାରେ ନକଲି ଖବର ଭଳି ଆହ୍ୱାନ ରହିଛି । ଯୋଗାଯୋଗକାରୀ ସର୍ବଦା ବିଶ୍ଵସନୀୟ ଏବଂ ଗ୍ରହଣଯୋଗ୍ୟ ହେବା ମହତ୍ୱପୂର୍ଣ୍ଣ ଅଟେ, ଯେମିତି କୋଭିଡ୍ ମହାମାରୀ ସମୟରେ ଦେଖା ଯାଇଥିଲା ।

ଶ୍ରୀ ଅନୁରାଗ ସିଂହ ଠାକୁର ନକଲି ଖବରକୁ ମୁକାବିଲା କରିବା ନିମନ୍ତେ ଫ୍ୟାକ୍ଟ ଚେକ୍ ୟୁନିଟ୍‌ ଗୁଡିକର ବିସ୍ତାର ଏବଂ ଦିବ୍ୟାଙ୍ଗ ଲୋକ ମାନଙ୍କ ନିମନ୍ତେ ସୁଲଭରେ ଉପଲବ୍ଧ ହେବା ଭଳି ପରିବର୍ତନକାରୀ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଆଇଆଇଏସ୍ ଅଧିକାରୀ ମାନଙ୍କର ଭୂମିକାର ଭୁରି ଭୁରି ପ୍ରଶଂସା କରିଥିଲେ । ସେ ନୂତନ ଗଣମାଧ୍ୟମ ପ୍ରଯୁକ୍ତି ସମୂହ, ସଂସ୍ଥା ନିର୍ମାଣ ଏବଂ ରାଜ୍ୟ ସରକାର ମାନଙ୍କ ସହିତ ସମନ୍ୱୟର ମହତ୍ୱ ଉପରେ ଆଲୋକପାତ କରିବା ସହିତ ଅନ୍ତିମ ବ୍ୟକ୍ତି ନିକଟରେ ଲାଭ ପହଂଚାଇବା ପାଇଁ ସରକାରୀ ଯୋଗାଯୋଗର ପ୍ରଭାବ କ୍ଷେତ୍ରରେ ଅଧିକ ପରିବର୍ତ୍ତନ ଆଣିବା ନିମନ୍ତେ ବିଚାର ଏବଂ ପଦକ୍ଷେପ ଗୁଡିକୁ ମଧ୍ୟ ସାମନାରେ ରଖିଥିଲେ ।

ସେ ସମସ୍ତ ଅଧିକାରୀମାନଙ୍କୁ ୧୩୦ କୋଟି ଲୋକ ମାନଙ୍କୁ ଯୋଗାଯୋଗ ରୂପରେ ନିଜର ଭୂମିକାର ମହତ୍ୱକୁ ଚିହ୍ନାଇବା ନିମନ୍ତେ ଆହ୍ୱାନ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଲୋକ ମାନଙ୍କ ନିକଟରେ ନିଜର ପହଂଚ ବଢ଼ାଇବା ନିମନ୍ତେ ସମକାଳିନ ଯୋଗାଯୋଗ ଏବଂ ଗପ କହିବାର କଳାର ମହତ୍ୱକୁ ରେଖାଙ୍କିତ କରିଥିଲେ । ସେ କହିଥିଲେ ଯେ, ସଂସ୍ଥା ନିର୍ମାଣ, ଗୋଷ୍ଠୀ ଗଠନ ଏବଂ ଅଧିକାରୀ ମାନଙ୍କର ପ୍ରେରଣା ମଧ୍ୟ ସମାନ ରୂପରେ ମହତ୍ୱପୂର୍ଣ୍ଣ ଅଟେ ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ, ଶ୍ରୀ ଅପୂର୍ବ ଚନ୍ଦ୍ରା କହିଥିଲେ କୋଭିଡ୍ – ୧୯ ମହାମାରୀ ସମୟରେ ସରକାରୀ ଯୋଗାଯୋଗ ବ୍ୟବସ୍ଥା ଲୋକ ମାନଙ୍କୁ ଆଶ୍ୱସ୍ତ କରିଥିଲା ଏବଂ ସେମାନଙ୍କ ମନରୁ ଭୟକୁ ଦୂର କରିବାରେ ସଫଳ ରହିଥିଲା । ଏହା ଟୀକାକରଣ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି କଲ୍ୟାଣକାରୀ ପଦକ୍ଷେପ ଗୁଡିକ ସମ୍ପର୍କରେ ଲୋକ ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲା ।  ସେ କହିଥିଲେ ଯେ, ଅନେକ ଦେଶ ତୁଳନାରେ, ଭାରତରେ ଟୀକାକୁ ନେଇ ଦ୍ୱିଧା ନାହିଁ, ଯାହା ଫଳରେ ଏହି ୨୦୦ କୋଟି ଟୀକା ଡୋଜ୍‌ର ମାଇଲ୍ ଖୁଂଟ ହାସଲ୍ କରା ଯାଇପାରିଥିଲା ।

ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଜୟଦୀପ ଭଟ୍ଟନାଗର ନିଜର ମନ୍ତବ୍ୟରେ କହିଥିଲେ ଯେ, ସୂଚନା ସେବାର ମୁଖ୍ୟ ଉପାଦାନ ହେଉଛି ସଶକ୍ତିକରଣ ଏବଂ ବ୍ୟାପକତା, ନାଗରିକ କେନ୍ଦ୍ରିତ ୨୪ x ୭ ଯୋଗାଯୋଗ ବ୍ୟବସ୍ଥା, ବ୍ୟବହାର ପରିବର୍ତନକାରୀ ଯୋଗାଯୋଗ ଏବଂ ନକଲି ଓ ଭୁଲ୍ ଖବର ଗୁଡିକର ମୁକାବିଲା କରିବା ଦିଗରେ କାର୍ଯ୍ୟ କରିବା ଅଟେ ।

ଯୋଗାଯୋଗ କ୍ଷେତ୍ର ସ୍ୱାଭାବିକ ରୂପରେ ଗତିଶୀଳ ଅଟେ ବୋଲି ସ୍ୱୀକାର କରି ଏହି  ଦୁଇ ଦିବସୀୟ ସମ୍ମିଳନୀରେ ଭବିଷ୍ୟତର ଆହ୍ୱାନ ସମୂହ ଏବଂ ଅତ୍ୟାଧୁନିକ ଯୋଗାଯୋଗ ରୋଡମ୍ୟାପ୍ ଉପରେ ବିଚାର ବିମର୍ଶ କରାଯିବ । ଦୁଇ ଦିନର ଏହି ଅଧିବେଶନରେ ‘କମ୍ୟୁନିକେସନ୍ ଫର୍ ଇଣ୍ଡିଆ @୨୦୪୭’, ପ୍ରୋଜେକ୍ଟିଂ ଇଣ୍ଡିଆ ଆବ୍ରୋଡ୍ ୱିଥ୍ ଫୋକସ୍ ଅନ୍ ଜି୨୦’, ‘ଇଭଲଭିଂ ରୋଲ୍ ଅଫ୍ ଗଭର୍ଣ୍ଣମେଂଟ କମ୍ୟୁନିକେସନ’ ଭଳି ପ୍ରସଙ୍ଗ ଉପରେ ପ୍ରମୁଖ ବକ୍ତା, ଅଭିଷେକ ସିଂହ, ମାଇଁ ଗଭ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରିନ୍ଦମ୍ ବାଗ୍‌ଚୀ, ଯୁଗ୍ମ ସଚିବ (ଏକ୍ସପି)ଏମ୍‌ଇଏ ଏବଂ ଅମିତାଭ କାନ୍ତ ସେମାନଙ୍କର ବକ୍ତବ୍ୟ ରଖିବେ।

ସମ୍ମିଳନୀର ଦ୍ୱିତୀୟ ଦିବସରେ ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅଭିଭାଷଣ ପ୍ରଦାନ କରିବେ। ଶେଷ ଅଧିବେଶନକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡଃ ଏଲ୍ ମୁରୁଗନ୍ ସମ୍ବୋଧିତ କରିବେ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରିଲିଫ ଆୟୁକ୍ତ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କ ବାର୍ଷିକ ସମ୍ମିଳନୀ ଆରମ୍ଭ

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରିଲିଫ ଆୟୁକ୍ତ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବମାନଙ୍କ ବାର୍ଷିକ ସମ୍ମିଳନୀ ଗତକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ସଚିବଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି। ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀ ଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରସ୍ତୁତି ସମୀକ୍ଷା ପାଇଁ ଏହି ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି। କୋଭିଡ-୧୯ମହାମାରୀ ଯୋଗୁଁ ଦୁଇବର୍ଷ ବ୍ୟବଧାନ ପରେ ଏହି ସମ୍ମିଳନୀ ପ୍ରତ୍ୟକ୍ଷ ଉପସ୍ଥିତି ସହ ଅନୁଷ୍ଠିତ ହେଉଛି।

ଉଦ୍‌ଘାଟନୀ ଅଭିଭାଷଣରେ କେନ୍ଦ୍ର ଗୃହ ସଚିବ ରାଜ୍ୟ ଓ କେନ୍ଦ୍ର ସରକାରୀ ଅଧିକାରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମ୍ଭାବ୍ୟ ବାତ୍ୟା, ଝଡ ଓ ଭୂସ୍ଖଳନ ଯୋଗୁଁ ଯେପରି କମ୍ ଧନଜୀବନ ହାନୀ ହୁଏ ସେଥିପ୍ରତି ଭଲଭାବେ ପ୍ରସ୍ତୁତ ରହିବାକୁ କହିଥିଲେ। ସେ ବର୍ଷ ତମାମ ଅହୋରାତ୍ର ପ୍ରସ୍ତୁତି ବଳବତ୍ତର ରଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଦୀର୍ଘକାଳୀନ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଗୁରୁତ୍ୱଆରୋପ କରିଥିଲେ। ଏହା ଆମକୁ ବିପର୍ଯ୍ୟୟରୁ ରକ୍ଷା କରିବା ସହ ଭାବିପିଢୀକୁ ମଧ୍ୟ ସୁରକ୍ଷିତ ରଖିବ। କେନ୍ଦ୍ର ଗୃହ ସଚିବ କହିଥିଲେ ଯେ ଗତ କେତେବର୍ଷ ମଧ୍ୟରେ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ବିପର୍ଯ୍ୟୟ ପରିଚାଳନାରେ ଉନ୍ନତି ଦେଖାଯିବା ସହ ମାନବଜୀବନ ଉପରେ ଏହାର ପ୍ରଭାବ ମଧ୍ୟ ହ୍ରାସ ପାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୧୪ ମସିହାରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ  ବିପର୍ଯ୍ୟୟ ପରିଚାଳନାରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ଗୃହ ସଚିବ ସମର୍ଥନ କରିଥିଲେ। ଆଗରୁ ବିପର୍ଯ୍ୟୟ ପରିଚାଳନା କେବଳ ରିଲିଫ କେନ୍ଦ୍ରିକ ଥିବାବେଳେ, ଏବେ  ମାନବଜୀବନ ରକ୍ଷା ଏକ ଅତିରିକ୍ତ କର୍ତ୍ତବ୍ୟ ବୋଲି ବିବେଚନା କରାଯାଉଛି ବୋଲି କହିଥିଲେ। ଗ୍ରୀଷ୍ମ ପ୍ରବାହ ଓ ବଜ୍ରପାତ ଯୋଗୁଁ ଯଥାସମ୍ଭବ ଧନଜୀବନ ହାନୀ ରୋକିବା ଉପରେ ଶ୍ରୀ ଶାହ ଗୁରୁତ୍ୱ ଆରୋପ କରିଥିଲେ। ବିପଦ ଆପଦ ହ୍ରାସ ନିମନ୍ତେ ଠିକ୍ ସମୟରେ ପଦକ୍ଷେପ ନେବା ତଥା  ଏ ବାବଦ ସମ୍ବଳ ବିନିଯୋଗ କରିବା ଉପରେ ସଚିବ ଗୁରୁତ୍ୱ ଆରୋପ କରିଥିଲେ। ଜୀବନହାନୀ ଶୂନ୍ୟକୁ ହ୍ରାସ କରିଥିବା ଲକ୍ଷ୍ୟ ନେଇ ଆପତକାଳୀନ ଅବସ୍ଥା ହ୍ରାସ ଲାଗି ବ୍ୟବସ୍ଥା ହେବା ଦରକାର ବୋଲି ସେ କହିଥିଲେ।

ଯେକୌଣସି ବିପର୍ଯ୍ୟୟ କାଳରେ ପ୍ରଥମେ ସହାୟତାରେ ହାତ ବଢାଉଥିବା ସ୍ଥାନୀୟ ସହରାଂଚଳ ସଂସ୍ଥା, ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବଳ, ଅଗ୍ନିଶମ ସେବା ଓ ବେସାମରିକ ପ୍ରତିରକ୍ଷା ବିଭାଗ ସହ ସମ୍ପର୍କରେ ରହିବା ଉପରେ ସେ ଜୋର ଦେଇଥିଲେ । ସେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ସହର ଓ ଜିଲ୍ଲାସ୍ତରରେ ନିଜର ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ।

କେନ୍ଦ୍ର ଗୃହ ସଚିବ ଆହୁରି କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ସାମୁଦ୍ରିକ ଝଡ, ବନାଗ୍ନି, ଅଂଶୁଘାତ ଓ ବଜ୍ରପାତ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ସ୍ତରରେ ସହଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସ୍ଥାନୀୟ, ଜିଲ୍ଲା ଓ  ରାଜ୍ୟସ୍ତରରେ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରି ଏହି ସମନ୍ୱୟ ଅଭାବକୁ ପୂରଣ କରି ହେବ। ସମ୍ମିଳନୀ କାଳରେ ବିଭିନ୍ନ ରାଜ୍ୟ ବିଗତବର୍ଷ ଗୁଡିକରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କିପରି ପ୍ରସ୍ତୁତିର ସହ ମୁକାବିଲା କରିଛନ୍ତି ସେଥିରେ ସେମାନଙ୍କ ଅଭିଜ୍ଞତା ନେଇ ବୁଝାଇବେ। ୨୭ଟି ରାଜ୍ୟ ଓ ସାତୋଟି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିନିଧି, ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା (ଏନଡିଏମଏ) ପ୍ରତିନିଧି, ଜାତୀୟ ବିପର୍ଯ୍ୟୟ ତ୍ୱରିତବଳ(ଏନଡିଆରଏଫ), କେନ୍ଦ୍ରୀୟ ମନ୍ତ୍ରଣାଳୟ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(ସିଏପିଏଫ), ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି), କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲସି), ଭାରତୀୟ  ମହାକାଶ ଗବେଷଣା ସଂଗଠନ(ଇସ୍ରୋ), ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ), ଭାରତୀୟ ଭୂତାତ୍ୱିକ ସର୍ଭେ (ଜିଏସଆଇ) ଓ ଅନ୍ୟାନ୍ୟ ବୈଜ୍ଞାନିକ ସଂଗଠନ ଓ ସଶସ୍ତ୍ର ସେନା ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏସ୍‌ସିସିଏମ୍‌ର ୨୮ ତମ ବାର୍ଷିକ ସମ୍ମିଳନୀରେ ଡାକ୍ତର ବାନାମ୍ବର ରାୟ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌)ର ୨୮ତମ ବାର୍ଷିକ ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଛି। ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ଏହି ଅନୁଷ୍ଠାନ ସହିତ ଜଡ଼ିତ ଥିବା ଦୃଷ୍ଟିରୁ ନିକଟରେ ଅହମ୍ମଦାବାଦ ଠାରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ତାଙ୍କୁ ସମ୍ମାନିତ କରାଯାଇଛି। ଡାକ୍ତର ରାୟ ଏକାଧାରରେ ଆଇଏସ୍‌ସିସିଏମ୍‌ର ପ୍ରତିଷ୍ଠାତା ସଦସ୍ୟ ଓ ଆଜୀବନ ସଦସ୍ୟ ଅଛନ୍ତି।

ସେ ମଧ୍ୟ ସମ୍ ଅଲ୍ଟିମେଟ୍ ମେଡିକେୟାରର ଏକ ମଜଭୁତ ସ୍ତମ୍ଭ ଭାବେ ପରିଗଣିତ। ସେହିପରି କ୍ରିଟିକାଲ୍ କେୟାର ମେଡିସିନ୍‌ର ନନ୍ ମେଟ୍ରୋ କ୍ୟାଟାଗୋରୀରେ ଆଇଏସ୍‌ସିସିଏମ୍‌ର ଭୁବନେଶ୍ୱର ଶାଖାକୁ ଶ୍ରେଷ୍ଠ ଭାବେ ସମ୍ମାନିତ କରାଯାଇଛି।

ଏହି ଶାଖାର ସାଧାରଣ ସମ୍ପାଦକ ତଥା ସମ୍‌ ଅଲ୍ଟିମେଟ୍ ମେଡିକେୟାର୍‌ର କ୍ରିଟିକାଲ୍ କେୟାର ବିଭାଗର କନ୍‌ସଲ୍‌ଟାଂଟ ତଥା ଡେପୁଟି ମେଡିକାଲ୍‌ ସୁପରିଟେଣ୍ଡେନ୍‌ଟ ଡାକ୍ତର ଆନନ୍ଦ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ। ଉଭୟ ଡାକ୍ତର ରାୟ ଓ ଡାକ୍ତର ମିଶ୍ର ତିନି ବର୍ଷ ହେବ ସମ୍ମମ୍ ସହିତ ଜଡିତ ଅଛନ୍ତି।