Categories
ଆଜିର ଖବର ଜାତୀୟ ଖବର

ଏସପି ନେତା ସ୍ଵାମୀ ପ୍ରସାଦ ମୌର୍ଯ୍ୟଙ୍କ ଗାଡି ଉପକୁ ଆକ୍ରମଣ, ବିଜେପି ଉପରେ ଆଣିଲେ ଅଭିଯୋଗ

ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଆଜି ସେ ଏକ ଟ୍ୱିଟରେ ଦାବି କରିଛନ୍ତି ଯେ, ବିଜେପି କର୍ମୀମାନେ ତାଙ୍କୁ ଏବଂ ତାଙ୍କ ଶୋଭାଯାତ୍ରାରେ ଥିବା ଗାଡିଗୁଡ଼ିକୁ ଭଙ୍ଗାରୁଜା କରିଛନ୍ତି। ରୋଡ ସୋ ସମୟରେ ବିଜେପି ଦ୍ୱାରା ଆକ୍ରମଣ ହୋଇଥିବା ସ୍ଵାମୀ ପ୍ରସାଦ ମୌର୍ଯ୍ୟ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନିନ୍ଦା କରିବା ସହ ଠେଙ୍ଗା, ବାଡ଼ି ଏବଂ ହିଂସା ଦ୍ୱାରା ଗଣତନ୍ତ୍ର ଦୁର୍ବଳ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ମୌର୍ଯ୍ୟଙ୍କ ଅଭିଯୋଗ ଅନୁଯାୟୀ, “ସୁରକ୍ଷା ଦୃଷ୍ଟିରୁ କୁଶୀନଗରେ ପ୍ରଚାର ବେଳେ ମୁଁ ଅନ୍ୟ ଏକ କାରରେ ବସିଥିଲି। ବିଜେପି କର୍ମୀମାନେ ସେଠାରେ ବାଡ଼ି, ପଥର ଓ ଅସ୍ତ୍ରଶସ୍ତ୍ର ଧରି ବସିଥିଲେ। ସେମାନେ ମୋ କାର ଉପରେ ଆକ୍ରମଣ କରିଥିଲେ। ଏଭଳି ଘଟଣା ବିଜେପିର ସଂରକ୍ଷଣରେ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ସାରା ଓଡିଶାରେ ବିଜେଡି ବର୍ଷା, ବିରୋଧୀ ଦଳ ଧୋଇ ହୋଇ ଯିବାର ସମ୍ଭାବନା ସୃଷ୍ଟି

ଭୁବନେଶ୍ବର: ଚାଲିଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଗଣତି। ଏହି ପର୍ଯ୍ୟାୟରେ ଆଜି ମୋଟ ୨୩୧ ଟି ଜିଲ୍ଲା ପରିଷଦ ଜୋନରର ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ରିପୋର୍ଟ ଅନୁସାରେ ବିଜେଡି ସର୍ବାଗ୍ରେ ରହିଛି। ବିଜେଡି ଏପରିସ୍ଥିତିରେ ରହିଛି ଯେ, ବିରୋଧୀ ଧଳ ପୁରା ଧୋଇ ହୋଇଯିବାର ସମ୍ଭାବନା ଦେଖାଦେଇଛି।

ସୂଚନା ଅନୁସାରେ ବର୍ତ୍ତମାନ ଗଣତିରେ ବିଜେଡି ୨୧୦ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛି। ସେହିପରି ବିଜେପି ୧୫ ଟି ଏବଂ କଂଗ୍ରେସ ୬ ଟି ଜୋନରେ ଆଗରେ ରହିଛି। ଗତ ଦୁଇ ପର୍ଯ୍ୟାୟ ଗଣତିରେ ସ୍ବାଧୀନ କିମ୍ବା ଅନ୍ୟାନ୍ୟ ପ୍ରାର୍ଥୀ କେତେକ ଜୋନରେ ଆଗରେ ରହୁଥିଲେ। ହେଲେ ଏହି ପର୍ଯ୍ୟାୟ ସେମାନଙ୍କର ସ୍ଥିତି ପୁରା ଲିଭି ଯାଇଛି।

ପ୍ରଥମ ପର୍ଯ୍ୟାୟ ଗଣତିରେ ମଧ୍ୟ ବିଜେଡି ବହୁ ବହୁ ଆଗରେ ରହିଛି। ଚୁଡାନ୍ତ ତଥ୍ୟ ଅନୁସାରେ ମୋଟ ଘୋଷିତ ୩୧୪ ଟି ଜୋନ ମଧ୍ୟରୁ ବିଜେଡିକୁ ମିଳିଛି ୨୮୧, ବିଜେପିକୁ ମିଳିଛି ୧୫ଟି, କଂଗ୍ରେସକୁ ୧୪ଟି, ସ୍ବାଧୀନ ୨ଟି ଏବଂ ଅନ୍ୟାନ୍ୟ ୨ଟି ଜୋନରେ ବିଜୟ ଲାଭ କରିଛନ୍ତି।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଗଣତିରେ ମଧ୍ୟ ବିଜେଡି ବାଜିମାତ କରିଛି। ଏହି ପର୍ଯ୍ୟାୟରେ ସମୁଦାୟ ୩୦୫ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯାଇଥିଲା। ହେଲେ ୨୯୫ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ୨୬୦, ବିଜେପି ୧୬, କଂଗ୍ରେସ ୧୬, ସ୍ବାଧୀନ ୦୧ ଏବଂ ଅନ୍ୟାନ୍ୟ ୦୨ଟି ଜୋନରେ ବିଜୟ ଲାଭ କରିଛନ୍ତି।

ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସାରା ଓଡିଶାରେ ପୁଣି ଥରେ ବିଜେଡି ବର୍ଷା ହୋଇଛି। ଆଉ ଏହି ବର୍ଷାରେ ଓଡିଶାର ବିରୋଧୀ ଦଳ ପୁରା ଧୋଇ ହୋଇଯିବାର ନିଶ୍ଚିତ ସମ୍ଭାବନା ସୃଷ୍ଟି ହୋଇଛି। ଆଜି ସଂଧ୍ୟାରେ ଚୁଡାନ୍ତ ଫଳାଫଳ ଆସିଲା ପରେ ଏହି ଚିତ୍ର ସ୍ପଷ୍ଟ ହେବ।

Categories
PanchayatElection ଆଞ୍ଚଳିକ

ବାଣପୁର: ୧୪ ନଂ ଜିଲ୍ଲାପରିଷଦ ଭୋଟରେ ବାଜି ମାରିଲା ବିଜେପି

ଚିଲିକା: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ଏହି ଗଣତିରେ ବିଜେଡ଼ିର ବିପୁଳ ବିଜୟ ଦେଖିବାକୁ ମିଳିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ୧୪ ନଂ ଜିଲ୍ଲା ପରିଷଦ ଆସନରେ ବିଜେପି ବାଜିମାତ କରିଛି। ସେଠାରେ ବିଜେଡି ପ୍ରାର୍ଥୀ ଲିଲିବାଳା ଭୋଳଙ୍କୁ ବିଜେପି ପ୍ରାର୍ଥୀ ରୋଜିତା ପ୍ରଧାନ ପରାଜିତ କରିଛନ୍ତି। ରୋଜିତା ୧୬୮୪ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।

ତେବେ ବାଣପୁର ବ୍ଲକର ୧୩ ନଂ ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ ଟିକି ଶବର ବିଜୟ ଲାଭ କରିଥିବା ବେଳେ ଚିଲିକା ବ୍ଲକର ୨ ଜଣ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀରେ ଘୋଷଣା ହୋଇଥିବା ୪ ଟି ଆସନ ମଧ୍ୟରୁ ୨ଟି ଆସନରେ ବିଜେଡ଼ି ଜିତିଥିବା ବେଳେ ୨ ଟି ଆସନରେ ବିଜେପି ଜିତିପାରିଛି। ଆଜି ଆଉ ୨ ଟି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। କିଛି ସମୟ ପରେ ସମୀକ୍ଷା ନିୟୁଜ ମାଧ୍ୟମରେ ଅପଡେଟ ପ୍ରଦାନ କରାଯିବ।

ରୋଜିତା ପ୍ରଧାନ- ବିଜେପି- ୧୨୮୫୩

ଲିଲିବାଳା ଭୋଳ- ବିଜେଡ଼ି- ୧୧୧୬୯

ରଶ୍ମିତା ମହାପାତ୍ର- କଂଗ୍ରେସ- ୧୧୭୬

Categories
ଆଜିର ଖବର ରାଜ୍ୟ ଖବର

ପ୍ରାରମ୍ଭିକ ଟ୍ରେଣ୍ଡ: ବହୁତ ଆଗରେ ବିଜେଡ଼ି, ବିଜେପି ୩୦, କଂଗ୍ରେସ ୧୩

ଭୁବନେଶ୍ବର: ଆଜି ସକାଳୁ ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଏଥିରେ ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଚାଲିଛି। ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ବିଜେଡି ବର୍ତ୍ତମାନ ବେଶ୍ ଆଗରେ ରହିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନର ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା

ବିଜେଡି-୨୪୮ ଟିରେ ଆଗୁଆ

ବିଜେପି- ୩୦ ଟିରେ ଆଗୁଆ

କଂଗ୍ରେସ- ୧୩ ଟିରେ ଆଗୁଆ

ଅନ୍ୟାନ୍ୟ-୦୫ ଟିରେ ଆଗୁଆ

Categories
PanchayatElection ଆଜିର ଖବର ରାଜ୍ୟ ଖବର

ହାରିବା ଭୟରେ ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନରେ ପରାଜୟ ଜାଣିବାପରେ ଓଡ଼ିଶା ବିଜେପିର କର୍ମୀମାନେ ଗଭୀର ଅବସାଦଗ୍ରସ୍ତ ଓ ହତାଶ ହୋଇଛନ୍ତି। ମନୋବଳ ଭାଙ୍ଗି ଯାଇଥିବା ଏହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବାପାଇଁ ଓଡିଶା ବିଜେପି ସଭାପତି ଉଦ୍ୟମ ଚଳାଇଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଲତା ଦେଓ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ଦେଓ କହିଛନ୍ତି ଯେ ଓଡିଶା ବିଜେପି ସଭାପତିଙ୍କର ଆଜିର ସାମ୍ବାଦିକ ସମ୍ମିଳନୀ ହତାଶ ହୋଇ ପଡିଥିବା ବିଜେପି କର୍ମୀଙ୍କୁ କୌଣସି ପ୍ରକାରେ ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ ଥିଲା। ତେବେ ସେ ତାହା କରିବାରେ ବିଫଳ ହୋଇଛନ୍ତି।

ଓଡ଼ିଶାର ଲୋକ ଏକ ସ୍ୱରରେ ଓଡ଼ିଶା ବିଜେପିକୁ ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟାଖାନ କରିଛନ୍ତି ଏବଂ ଆଗାମୀ ପୌର ନିର୍ବାଚନରେ ମଧ୍ୟ ଓଡିଶା ବିଜେପିକୁ ପରାସ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀମତୀ ଦେଓ କହିଛନ୍ତି।

Categories
ବିଶେଷ ଖବର

ନୀତୀଶ କୁମାର ପ୍ରତିଦ୍ୱନ୍ଦ୍ୱିତା କରିବେ କି ରାଷ୍ଟ୍ରପତି ନିର୍ବାଚନ? ବିଜେପି ବିରୋଧରେ ପ୍ରଶାନ୍ତ କିଶୋରଙ୍କ ରଣନୀତି!

​ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ କି? ଅଣ-କଂଗ୍ରେସ ବିରୋଧୀ ଦଳ ଏହି ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା କୁହାଯାଉଛି ଯେ, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଅର୍ଥାତ୍ ପି.କେ ମଧ୍ୟ ଏହା ପଛରେ ଯୋଜନା କରୁଛନ୍ତି। ଏହି ମାସରେ ହାଇଦ୍ରାବାଦରେ କେସିଆର ଏବଂ ପି.କେ ସାକ୍ଷାତ ହେବା ପରେ ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି କରିବା କଥା ଆରମ୍ଭ ହୋଇଥିଲା। ତେଲେଙ୍ଗାନା ନିର୍ବାଚନରେ ​​ପି.କେ ଟିମ ଏଥର କେସିଆର ପାର୍ଟି ଟିଆରଏସ ପାଇଁ କାମ କରିବ। ଦୁଇ ଦିନ ଧରି ଚାଲିଥିବା ଏହି ବୈଠକରେ ନୀତୀଶଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଯୋଗିତା କରିବା ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହା ପରେ ନୀତୀଶ ଏବଂ ପ୍ରଶାନ୍ତ କିଶୋର ପାଟନାରେ ରାତ୍ରୀ ଭୋଜନରେ ଭେଟିଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନୀତୀଶ କୁମାର ପ୍ରସ୍ତୁତ କି?:

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସୂଚନା ମିଳିନାହିଁ। ବିହାରରେ ନୀତୀଶଙ୍କ ଦଳ ଏବଂ ବିଜେପିର ଏକ ମିଳିତ ସରକାର ଅଛି। କିନ୍ତୁ ଜାତିଗତ ଜନଗଣନାକୁ ନେଇ ଜେଡିୟୁ ଏବଂ ବିଜେପି ମଧ୍ୟରେ କଳହ ଜାରି ରହିଛି। ଏହି ପ୍ରସଙ୍ଗରେ ଆରଜେଡି ନୀତୀଶଙ୍କ ସହିତ ଅଛି। ତେଜସ୍ୱୀ ଯାଦବ ଏବଂ କେ ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ହୋଇଛି। ଏହା ବୁଝାପଡୁଛି ଯେ, ଏହି ବୈଠକରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଛି। ଗତ ସପ୍ତାହରେ ଚନ୍ଦ୍ରଶେଖର ରାଓ ମୁମ୍ବାଇ ଯାଇ ଏନସିପି ନେତା ଶରଦ ପାୱାର ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ।

ତୃତୀୟ ସାମ୍ମୁଖ୍ଯ କରିବାକୁ ଆଉ ଏକ ପ୍ରୟାସ:

ପ୍ରକାଶ ଯେ, ଏହି ବୈଠକରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଣମାଧ୍ୟମରେ ଏହା ବିଜେପି ଏବଂ କଂଗ୍ରେସ ବିରୋଧରେ ତୃତୀୟ ଫ୍ରଣ୍ଟ ଗଠନ ପାଇଁ ଆଉ ଏକ ପ୍ରୟାସ ବୋଲି କୁହାଯାଉଛି। କିନ୍ତୁ ଏହି ରଣନୀତି ରାଷ୍ଟ୍ରପତି ନିର୍ବାଚନ ବିଷୟରେ ହୋଇଥିବା କୁହାଯାଉଛି। ଆହୁରି ମଧ୍ୟ ଏହି ଖେଳରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଯୋଡିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଅଭିଯାନ ସହିତ ଆଉ କିଛି ଆଞ୍ଚଳିକ ଦଳକୁ ସଂଯୋଗ କରିବା ପାଇଁ କାର୍ଯ୍ୟ ଚାଲିଛି। ମୋଟ ଉପରେ, ରଣନୀତି ହେଉଛି ବିଜେପି ବିରୋଧରେ ଏତେ ଶକ୍ତିଶାଳୀ ପ୍ରାର୍ଥୀ ଦେବା ଯେ, କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିବାକୁ ବାଧ୍ୟ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଲୋକଙ୍କ ନଜର ହଟାଇବାକୁ ବିଜେପିର ପ୍ରାୟୋଜିତ ନିର୍ବାଚନୀ ହିଂସା: ବିଜେଡି

ଭୁବନେଶ୍ୱର: ଗଣମାଧ୍ୟମରେ ସ୍ପଷ୍ଟ ଏହା ଦେଖାଯାଉଛି ଯେ, ଦେବଗଡ଼ରେ ଏକ କାରରୁ ପୋଲିସ କିପରି ୩ ଲକ୍ଷ ଟଙ୍କା ଜବତ କରୁଛି ଏବଂ ଦେବଗଡ଼ର ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଏହି ସନ୍ଦେହଜନକ ୩ ଲକ୍ଷ ଟଙ୍କା ବିଜେପିର ନିର୍ବାଚନୀ ଅର୍ଥ ବୋଲି ଦାବି କରୁଛନ୍ତି। ଏହା ଦର୍ଶାଉଛି ଯେ, ଏହି ନିର୍ବାଚନରେ ବିଜେପି କେତେ ଟଙ୍କା ବଣ୍ଟନ କରୁଛି, କାରଣ ଏହି ନିର୍ବାଚନରେ ସେମାନେ ହାରିବା ନିଶ୍ଚିତ ଥିବା ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ହୋଇଛି ଯେ ଏହି ନିର୍ବାଚନରେ ଓଡିଶା ବିଜେପି ନିକଟରେ କୌଣସି ପ୍ରସଙ୍ଗ ନାହିଁ। ତେଣୁ ସେ ବିଜେଡି ଉପରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି ଏବଂ ପ୍ରାୟୋଜିତ ନିର୍ବାଚନୀ ହିଂସାକାଣ୍ଡ ଭିଆଇ ଓଡିଶା ଲୋକଙ୍କ ନଜର ହଟାଉଛନ୍ତି।

ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଠାରୁ ଅତି ଶୋଚନୀୟ ଭାବେ ହାରିବା ଜାଣିବା ପରେ ଓଡିଶା ବିଜେପି ଅତ୍ୟନ୍ତ ଭୟଭୀତ ହୋଇଛି ଏବଂ ଆଜିର ସାମ୍ବାଦିକ ସମ୍ମିଳନୀରେ ମହିଳା ଏସ୍‌ଏଚ୍‌ଜି, ମିଶନ ଶକ୍ତି ଏବଂ ଓଡିଶାର ସଶକ୍ତ ମହିଳାଙ୍କୁ ବଦନାମ କରିଛି ବୋଲି ଶ୍ରୀମତୀ ଦେଓ କହିଛନ୍ତି।

Categories
ଆଞ୍ଚଳିକ

ପଞ୍ଚାୟତ ନିର୍ବାଚନ: ବିଜେପିରେ ସାମିଲ ହେଲେ ବାଣପୁର ବ୍ଲକର ସାଂସଦ ପ୍ରତିନିଧି ଏବଂ ବହୁ ବିଜେଡି କର୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ଆଉ ଦିନଟିଏ ବାକି ଥିବା ବେଳେ ଆଜି ବିଜେଡି ଛାଡି ବିଜେପିରେ ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇଛନ୍ତି।

ସୂଚନା ମୁତାବକ ବାଣପୁର ବ୍ଲକର ସାଂସଦ ପ୍ରତିନିଧି ସତ୍ୟନାରୟଣ ପ୍ରଧାନ ତାଙ୍କ ଶତାଧିକ ସମର୍ଥକଙ୍କ ସହ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଗାଲୁଆ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୁରେଶ ଚନ୍ଦ୍ର ବାରିକିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ପ୍ରଧାନ ବିଜେପିରେ ଯୋଗ ଦେଇଥିବାର କହିଛନ୍ତି।

ଚଳିତ ପଞ୍ଚାୟତ ନିର୍ବାଚନରେ ଗାଲୁଆ ପଞ୍ଚାୟତରେ ବିଜେପିର ପଲା ଭାରି ଥିବା ଆକଳନ କରାଯାଉଛି। ସୁରେଶ ଚଦ୍ର ବାରିକି ପୂର୍ବରୁ ମଧ୍ୟ ଉକ୍ତ ପଞ୍ଚାୟତର ଏକାଧିକ ଥର ସରପଞ୍ଚ ରହିଆସିଥିବା ବେଳେ ଚଳିତ ନିର୍ବାଚନରେ ପୁଣି ଗାଲୁଆ ପଞ୍ଚାୟତବାସୀ ତାଙ୍କୁ ନିର୍ବାଚିତ କରିବେ ବୋଲି ସେ ଅଶା ପ୍ରକଟ କରିଛନ୍ତି।

Categories
PanchayatElection ବିଶେଷ ଖବର

ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ବିଜେଡି ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟ୍‍ର ଜବାବ ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଦୁଃଖର କଥା ହେଉଛି ଓଡିଶାର ପ୍ରମୁଖ ବିରୋଧୀ ଦଳ ବିଜେପି, ଚଳିତ ପଞ୍ଚାୟତ ନିର୍ବାଚନରେ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା ଓ କର୍ମୀମାନେ ଗଜପତି ଓ ପିପିଲିରେ ବିଜେଡି ଜ଼ିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି। କୋରାପୁଟ, ସାଲେପୁର, ବ୍ରହ୍ମଗିରି, କଣାସ, ଢେଙ୍କାନାଳ ଏବଂ ଆହୁରି ଅନେକ ଜିଲ୍ଲାମାନଙ୍କରେ ବିଜେପି ନିର୍ବାଚନୀ ହିଂସା କରିଛି।

ଏହା ପୂର୍ବରୁ ବିଜେପି ସାଂସଦ ଜୁଏଲ ଓରାମ ଜଣେ ମହିଳାଙ୍କ ସହ ଅସଦାଚରଣ କରିବା ଓ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ତାଙ୍କ ହାତ ଭାଙ୍ଗି ଦେବା ଭଳି ଘଟଣା ବିଜେପିର ହିଂସା ପ୍ରବଣତାକୁ ଦର୍ଶାଇ ଥିଲା। ବିଜେଡି ଆଶା କରୁଛି ଯେ ବିଜେପି ହିଂସାରୁ ନିବୃତ୍ତ ରହି ଏହି ଗଣତନ୍ତ୍ରର ପର୍ବକୁ ଅହିଂସା ଦ୍ୱାରା ସୁଦୃଢ କରିବ ବୋଲି ଶ୍ରୀ ଦାସ କହିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡ଼ିକୁ ଟାର୍ଗେଟ କଲା ବିଜେପି: ନିର୍ବାଚନ ପରେ କାଠଗଡ଼ାରେ ଛିଡାହେବେ ସରକାରୀ ଅଧିକାରୀ

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ଆଜି ପ୍ରଥମ ଚରଣ ପଞ୍ଚାୟତ ନିର୍ବାଚନର ମତଦାନ ଶେଷ ହୋଇଯାଇଛି। ଆସନ୍ତା ୧୮ ଏବଂ ୨୦ ତାରିଖରେ ଦ୍ଵିତୀୟ ଏବଂ ତୃତୀୟ ଚରଣ ପାଇଁ ମତ ଦାନ ହେବ। ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକରେ ଦ୍ଵିତୀୟ ଚରଣରେ ମତଦାନ ହେବାକୁ ଥିବାବେଳେ ଚିଲିକା ବ୍ଲକରେ ତୃତୀୟ ଚରଣରେ ମତଦାନ ହେବ।

ତେବେ ଆଜି ବାଣପୁରରେ ବିଜେପି ପକ୍ଷରୁ ଏଥି ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଶ୍ରୀ ହରିଚନ୍ଦନ ଉକ୍ତ ସମ୍ମିଳନୀ ଦ୍ୱାରା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ବିଜେଡି ଶାସନରେ ପଞ୍ଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱସ୍ତ ହୋଇଛି। ଓଡ଼ିଶାକୁ ବ୍ୟାପକ କେନ୍ଦ୍ରୀୟ ସହାୟତା ଆସୁଛି ଏବଂ ପ୍ରତି ପଞ୍ଚାୟତରେ ବାର୍ଷିକ ୭୦-୮୦ ଲକ୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁଦାନ ମିଳୁଥିବାବେଳେ ବିଜେଡିର ନେତା ମାନେ ଏହାକୁ ହରିଲୁଟ କରୁଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ଛଅ ମାସ ହେଲା ୮ ଲକ୍ଷ ୧୭ ହଜାର ଘର ଅନୁମୋଦନ ହେଇଥିବା ବେଳେ ତାହାକୁ ବିଜେଡି ସରକାର କାର୍ଯ୍ୟକାରୀ କରୁନି। ସେହିପରି ଭାବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଯୋଜନାକୁ ଦଳୀୟ ଆଧାରରେ ବଣ୍ଟନ କରାଯାଉଛି। ଆଗାମୀ ଦିନରେ ରାସନ କାର୍ଡ ଏବଂ ଆବାସ ଯୋଜନାରେ ହେଉଥିବା ଦୁର୍ନୀତିକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଘେରିବ ବିଜେପି।  ପଲ୍ଲୀସଭାକୁ ରାଜ୍ୟ ସରକାରୀ ବନ୍ଦ କରିଦେଇଛନ୍ତି, ଯାହାଦ୍ୱାରା ଗୋଟେ ୱାର୍ଡ ମେମ୍ବର ଦୀର୍ଘ ୫ ବର୍ଷ ମଧ୍ୟରେ ତାହାର କାମ ଜାଣିପାରୁନାହିଁ।

ବିଗତଦିନରେ ଆବାସ ଯୋଜନା ସର୍ଭେରେ ଚିଲିକା ଆସି କେନ୍ଦ୍ରୀୟ ଟିମ ଦେଖିବାକୁ ପାଇଥିଲେ ଯେ ବାଣପୁର ବ୍ଲକର ପାଞ୍ଚ ଗୋଟି ଏବଂ ଚିଲିକା ବ୍ଲକର ଚାରି ଗୋଟି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଛି। ଗୋଟେ ଘର ପାଇଁ ହଜାର ହଜାର ଟଙ୍କା ଲାଞ୍ଚ ନିଆଯାଇଛି।

ଅନୁରୂପ ଭାବେ ବିଜେଡି ଶାସିତ ପଞ୍ଚାୟତରେ ପାଇଖାନା ଦୁର୍ନୀତି ମଧ୍ୟ ବ୍ୟାପକ ଭାବେ ହୋଇଛି। ହରିଲୁଟ କରିବା ବିଜେଡିର ଅଭ୍ୟାସ। କୋଭିଡ ଯୋଗୁଁ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପକ୍ଷରୁ ଓଡ଼ିଶା ପାଇଁ ୮ ହଜାର ୮ ଶହ କୋଟି ତାଙ୍କ ନରେଗାରେ ଆସିଛି। କିନ୍ତୁ ସେଥିରୁ ୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବାଟମାରଣା ହୋଇଛି।

ବାଣପୁର ଓ ଚିଲିକା ବ୍ଲକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ବିଧାୟକ କେବଳ ଫଳକ ପାଖରେ ନଡ଼ିଆ ବାଡେ଼ଇ ଶୁଭ ଦେଉଛନ୍ତି। କିନ୍ତୁ କାମ କିଛି ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ହରିଚନ୍ଦନ। ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଛି ଯେଉଁଥିରେ ବିଜେଡିର ସାଂସଦ, ବିଧାୟକ, ବ୍ଲକ ଅଧ୍ୟକ୍ଷ ଆଦି ସିଧାସଳଖ ଭାବେ ସାମିଲ ଅଛନ୍ତି।

ଚିଲିକା ନିର୍ବାଚନମଣ୍ଡଳିରେ ସ୍ଥାନୀୟ ବିଧାୟକ ଗୁଣ୍ଡାରାଜ ଚଳାଇଥିବାର ଅଭିଯୋଗ କରିଛନ୍ତି ଶ୍ରୀ ହରିଚନ୍ଦନ। ଚିଲିକା ପରି ଏକ ଶାନ୍ତିପ୍ରିୟ ନିର୍ବାଚନମଣ୍ଡଳୀରେ ଭୟର ବାତାବାରଣ ସୃଷ୍ଟି କରୁଛନ୍ତି ବିଧାୟକ, ଯାହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ଚେତାବନୀ ଦେଇ କହିଛି ଆଗାମୀ ଦିନରେ ଗୁଣ୍ଡାରାଜର ମୁଳୋତ୍ପାଟନ ହେବ। ଭୟମୁକ୍ତ ବାତାବରଣ ସୃଷ୍ଟି କରାଯିବ। ବର୍ତ୍ତମାନ ସ୍ଥିତି ମୁତାବକ ବିଜେପି ଚିଲିକା ଏବଂ ବାଣପୁର ବ୍ଲକର ୩୪ ଟି ପଞ୍ଚାୟତରୁ ୩୦ ଗୋଟି ପଞ୍ଚାୟତ ଅକ୍ତିଆର କରିବା ସହ ଦୁଇଟି ବ୍ଲକ ଅଧ୍ୟକ୍ଷ ଏବଂ ସମସ୍ତ ୬ ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ଲାଭ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ପଞ୍ଚାୟତ ନିର୍ବାଚନପରେ ବାଣପୁର ଓ ଚିଲିକା ବ୍ଲକର କେନ୍ଦ୍ରୀୟ ଟିମ ରିପୋର୍ଟ ମୁତାବକ ଅଧିକ ଦୁର୍ନୀତି ହୋଇଥିବା ୯ ଗୋଟି ପଞ୍ଚାୟତରେ ବିଜେପି ସିଏଜିଙ୍କ ନିକଟରେ ବିଶେଷ ଅଡିଟ କରାଇବ ଏବଂ ଉକ୍ତ ଦୁର୍ନୀତିରେ ସାମିଲ ଥିବା ସରପଞ୍ଚ, ପିଇଓ, ଜେଇ ଏପରିକି ବିଡ଼ିଓଙ୍କୁ ମଧ୍ୟ କାଠଗଡା଼ରେ ଠିଆ କରାଇବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ବିଜେପି ଚିଲିକାରେ ଶାସନକୁ ଆସିବାପରେ ଉଭୟ ପଞ୍ଚାୟତ ଏବଂ ବ୍ଲକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ।

ଆଗମି ଦିନରେ ପଲ୍ଲୀସଭା ପରି ଜନସହାଭାଗିତାରେ କାର୍ଯ୍ୟ ଆରମ୍ଭ ହେବ। ଭତ୍ତା ଓ ରାସନ ସାମଗ୍ରୀ ଗ୍ରାମକୁ ଗ୍ରାମ ବୁଲି ବାଣ୍ଟିବେ ସରପଞ୍ଚ। କେହି ବି ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ହଇରାଣ ହେବେନାହିଁ। ଭ୍ରଷ୍ଟାଚାରକୁ ଖତମ କରାଯିବ। ବ୍ଲକ ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସୁସଂଗଠିତ, ଭ୍ରଷ୍ଟାଚାର ମୁକ୍ତ ଏବଂ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ତିଆରି କରିବ ବିଜେପି।  ଶାସନ ଲୋକଙ୍କ ପାଖକୁ ଯିବ। କେନ୍ଦ୍ରୀୟ ଅର୍ଥ ଯେପରି ବାଟମାରଣା ନହେବ ସେ ଦିଗରେ ବିଜେପି କାମ କରିବ। ବିଜେପି ଜିତିଲେ କେନ୍ଦ୍ରୀୟ ଯୋଜନାଗୁଡିକର ଶତ ପ୍ରତିଶତ ବିନିଯୋଗ କରାଯିବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ବିଜେପିର ହିଂସାତ୍ମକ କାର୍ଯ୍ୟ ବିରୋଧରେ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେଡି ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଓଡିଶାରେ ହିଂସା ବୃଦ୍ଧି ନେଇ ଅଭିଯୋଗ କରିଛନ୍ତି।

ଓଡିଶାର ପଞ୍ଚାୟତ ନିର୍ବାଚନରେ ବିଜେପି ଦ୍ବାରା ହତ୍ୟା ତଥା ଜଘନ୍ୟ ଶାରୀରିକ ଆକ୍ରମଣର ସମ୍ମୁଖୀନ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଧିକ ସୁରକ୍ଷା ଦାବି କରିଛନ୍ତି। ଏହି ପ୍ରତିନିଧୀ ଦଳ ଓଡିଶା ବିଜେପି ନେତା ଓ କର୍ମିଙ୍କ ଦ୍ବାରା ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଚାଲିଥିବା ହିଂସା ଘଟଣାର ନିର୍ଦ୍ଦିଷ୍ଟ ମାମଲା ମଧ୍ୟ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମୁଁ ମୋ ଭାଇ ପାଇଁ ଜୀବନ ଦେଇପାରେ: ବିଜେପିର ଅଭିଯୋଗରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଜେପି ଅଭିଯୋଗର ଜବାବରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବାଦ୍ରା ପ୍ରତିକ୍ରିୟା ରଖିଛନ୍ତି। ଆଜି ସେ କହିଛନ୍ତି ଯେ, ମୋ ଭାଇ ପାଇଁ ମୁଁ ଜୀବନ ଦେଇପାରେ ଏବଂ ସେ ମୋ ପାଇଁ ମଧ୍ୟ ଜୀବନ ଦେଇ ପାରେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ମତଭେଦ କଂଗ୍ରେସକୁ ତଳକୁ ଆଣିବ। ଏହି ବିଷୟରେ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ପଚାରିଥିଲେ, ଆମ ମଧ୍ୟରେ ବିବାଦ କେଉଁଠାରେ ଅଛି?

ସେ ହସି ହସି ଯୁକ୍ତିକୁ ଓଲଟପାଲଟ କରି କହିଛନ୍ତି ଯେ, “ଯୋଗୀ ଜିଙ୍କ ମନରେ ସଂଘର୍ଷ ଏବଂ ବିବାଦ ରହିଛି। ଏଥିରୁ ଜଣାପଡୁଛି ଯେ, ତାଙ୍କ ମୋଦୀଜୀ ଏବଂ ଅମିତ ଶାହା ଜିଙ୍କ ମଧ୍ୟରେ ବିଜେପି ମଧ୍ୟରେ ମତଭେଦ ଥିବାରୁ ସେ ଏହା କହୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମାଫିଆଙ୍କୁ ବଞ୍ଚାଇବା ପାଇଁ ନିର୍ବାଚନ ଲଢୁଛି ସମାଜବାଦୀ ପାର୍ଟି: ପୂର୍ବତନ ଇଡି ଅଧିକାରୀ

ଲକ୍ଷ୍ନୌ: ଲକ୍ଷ୍ନୌର ସରୋଜିନିନଗର ବିଧାନସଭା ଆସନରୁ ପୂର୍ବତନ ଭାରତୀୟ ପୋଲିସ ସେବା ଅଧିକାରୀ ରାଜେଶ୍ୱର ସିଂ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ସେ ଜୋରସୋରରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କର ୧୨ ବର୍ଷର ଝିଅ ରାଜଲକ୍ଷ୍ମୀ ସିଂ ମଧ୍ୟ ନିର୍ବାଚନ ପ୍ରଚାରରେ ରାଜେଶ୍ୱର ସିଂଙ୍କୁ ସମର୍ଥନ କରୁଛନ୍ତି।

ଶନିବାର ଦିନ ସେ ବୃନ୍ଦାବନ କଲୋନୀରେ ପ୍ରଚାର କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ଜନସାଧାରଣଙ୍କ ଟଙ୍କା ନଷ୍ଟ କରୁଥିବା ମାଫିଆଙ୍କୁ ଆମେ ଜେଲରୁ ବାହାରକୁ ଯିବାକୁ ଦେବୁ ନାହିଁ। ସରକାରରେ ଥିବା ବେଳେ ବିରୋଧୀ ଦଳ ଶ୍ମଶାନର ସୀମା ନିର୍ମାଣ ପାଇଁ ସର୍ବାଧିକ ଅର୍ଥ ଖର୍ଚ୍ଚ କରିଛି। ଅନ୍ୟପକ୍ଷରେ, ଲୋକଙ୍କୁ ରାସନ, ଶୌଚାଳୟ, ଘର ଏବଂ ଔଷଧ ଯୋଗାଇବାରେ ବିଜେପି ଟଙ୍କା ଖର୍ଚ୍ଚ କରିଛି।

ଏହି ପୂର୍ବତନ ଇଡି ଅଧିକାରୀ କହିଛନ୍ତି ଯେ, ଏହି ନିର୍ବାଚନ ମାଫିଆ ରାଜ ଚାଲିବ ନା ଆଇନର ଶାସନ ଚାଲିବ, ତାହା ଏହି ନିର୍ବାଚନ ସ୍ଥିର କରିବ। ଦଙ୍ଗାର ନିଆଁରେ ରାଜ୍ୟ ପୁଣି ଜଳିଯିବ ନା ବିକାଶର ରାସ୍ତା ପ୍ରଶସ୍ତ ହେବ। ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏଠାରେ ଲୋକେ ମାଫିଆକୁ ସୁରକ୍ଷା ଦେବା ପାଇଁ ଏହା ନିର୍ବାଚନ ଲଢୁଛନ୍ତି। ନିର୍ବାଚନରେ ​​ଜିତିବାର ୨୪ ଘଣ୍ଟା ପରେ ମାଫିଆଙ୍କ ପାଇଁ କାର୍ଯ୍ୟାଳୟ ଖୋଲିଦେବେ ବୋଲି ସମାଜବାଦୀକୁ ଟାର୍ଗେଟ କରି ରାଜେଶ୍ୱର ସିଂ କହିଛନ୍ତି।

ସରୋଜିନଗର ହେଉଛି ଲକ୍ଷ୍ନୌର ଏହି ଆସନ, ଯେଉଁଠାରୁ ଯୋଗୀ ସରକାରରେ ମନ୍ତ୍ରୀ ସ୍ଵାତୀ ସିଂ ଟିକେଟ ଦାବି କରୁଥିଲେ। ସେ ଏହି ଆସନରୁ ଗତ ନିର୍ବାଚନରେ ​​ଜିତିଥିଲେ। ଏଥିସହିତ ତାଙ୍କ ସ୍ୱାମୀ ଦୟାଶଙ୍କର ସିଂ ମଧ୍ୟ ଏହି ଆସନ ପାଇଁ ଦାବି କରୁଥିଲେ। କିନ୍ତୁ ବିଜେପି ସେଠାରୁ ଉଭୟଙ୍କୁ ଟିକେଟ ଦେଇନଥିଲା। ଦୟାଶଙ୍କର ସିଂଙ୍କୁ ବଲିଆର ବଇରିଆରୁ ଟିକେଟ ଦିଆଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀଙ୍କ ଆଶିଷ ମିଶ୍ରଙ୍କୁ ଜାମିନ ବିଜେପିର ଦୋମୁହାଁ ନୀତିର ପ୍ରତିଫଳନ: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏ.ଏନ୍‌.ଆଇ.କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାରର ଗୋଟିଏ ଦିନ ପରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଲକ୍ଷ୍ମୀପୁର ଖେିରି କୃଷକମାନଙ୍କ ବିକ୍ଷୋଭରେ ଅକ୍ଟୋବର ୩ ତାରିଖ ଦିନ ନିଜର ଜିପ୍ ଚଢାଇ ତିନିଜଣ କୃଷକ ଏବଂ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଥିବା କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଆଜି ଜମାନତ ମିଳିବା ବିଜେପିର ଦୋମୁହାଁ ନୀତିର ପ୍ରତିଫଳନ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି।

ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀ ବେହେରା କହିଛନ୍ତି ଯେ, ଅନ୍ୟ ରାଜନୈତିକ ଦଳମାନଙ୍କୁ ଗୁଣ୍ଡା ଓ ଅପରାଧିକ ଦଳ ବୋଲି ଅଭିହିତ କରୁଥିବା ଏବଂ ଅପରାଧର ଆଶ୍ରୟସ୍ଥଳ ବୋଲି କହୁଥିବା ବିଜେପି ଦଳର ଶୀର୍ଷ ନେତୃତ୍ୱ ଅପରାଧ ଓ ଅପରାଧିଙ୍କ ପ୍ରତି କେତେ ଦରଦୀ ଏବଂ କୃଷକମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ପ୍ରତି କେତେ ଯତ୍ନବାନ ତାହା ‘ଭାତହାଣ୍ଡି’ରୁ ଗୋଟିଏ ଚିପିଲା ଭଳି ଆଶିଷ ମିଶ୍ରଙ୍କ ଜାମିନରୁ ସ୍ପଷ୍ଟ ଜଣାପଡୁଛି।

ଗୋଟିଏ ପଟେ କୃଷକମାନଙ୍କ ଆୟ ଦୁଇଗୁଣା କରିବା ପାଇଁ ଓ ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ରର ବିଜେପି ସରକାରଙ୍କ ଉଦାସୀନତା ଯୋଗୁଁ ୭୫୦ରୁ ଉର୍ଦ୍ଧ୍ୱ କୃଷକ ଆନ୍ଦୋଳନ କରି ଖରା, ବର୍ଷା ଓ ଶୀତ କାକରରେ ସହିଦ ହେଲେ। ତାଙ୍କ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରତ କୃଷକମାନଙ୍କୁ ‘ମୁଁ ଦୁଇ ମିନିଟ୍‌ରେ ଠିକ୍ କରିଦେବି’ ବୋଲି କହି ଗାଡ଼ି ଚଢାଇ ହତ୍ୟା କରିବା ଗଣତାନ୍ତ୍ରିକ ଇତିହାସରେ ଏକ ବିରଳ ଘଟଣା। ନିଜେ କାଚଘରେ ରହି ମାନ୍ୟବର ପ୍ରଧାନମନ୍ତ୍ରୀ ଓ ତାଙ୍କ ନେତୃତ୍ୱାଧୀନ ବିଜେପି ଦଳ କେଉଁଭଳି ପାରଦର୍ଶିତାର ସହିତ ଏସ୍‌.ଆଇ.ଟିର ରିପୋର୍ଟ ଉପରେ କାମ କରୁଛି ତାହା ଆଜିର ଆଶିଷ ମିଶ୍ର ଜାମିନରୁ ସ୍ପଷ୍ଟ ଅନୁମେୟ। ତେଣୁ ନିଜେ କାଚଘରେ ରହି ଅନ୍ୟକୁ ଟେକା ଫିଙ୍ଗିବାରୁ କ୍ଷାନ୍ତ ହେବାକୁ ସମାଜବାଦୀ ପାର୍ଟି ତରଫରୁ ବିଜେପି ଦଳକୁ ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି।

ବିଜେପିର ଏହି ଦୋମୁହାଁ ନୀତି ବିରୁଦ୍ଧରେ ଚାଷୀମାନଙ୍କର ସ୍ୱାର୍ଥ ଓ ସୁରକ୍ଷା ପାଇଁ ଆଉ ଏକ ବୃହତ୍ତର ସଂଗ୍ରାମର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ସଂଯୁକ୍ତ କିଷାନମୋର୍ଚ୍ଚା ଓ ଚାଷୀମାନଙ୍କର ସହିତ ତାଙ୍କ ସଂଗ୍ରାମକୁ ସମର୍ଥନ ଦେଉଥିବା ସମସ୍ତ ରାଜନୈତିକ ଦଳ ଆଗେଇ ଆସିବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଆଶିଷ ମିଶ୍ରଙ୍କ ଭଳି ହତ୍ୟାକାରୀଙ୍କୁ ଜାମିନ୍‌ରେ ଆଣିଛି ବୋଲି ଶ୍ରୀ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଯୋଗ ଦେଲେ ପ୍ରଖ୍ୟାତ କୁସ୍ତିଯୋଦ୍ଧା ‘ଦି ଗ୍ରେଟ୍ ଖାଲି’: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ବିଶ୍ୱ ରେସଲିଂ ଏଣ୍ଟରଟେନମେଣ୍ଟ (WWE) ରୁ ପ୍ରସିଦ୍ଧ ହୋଇଥିବା ‘ଦି ଗ୍ରେଟ୍ ଖାଲି’ ଦିଲୀପ ସିଂ ରାଣା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ରାଜଧାନୀ ଦିଲ୍ଲୀର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ଖଲି କହିଛନ୍ତି ଯେ, ବିଜେପିର ରାଷ୍ଟ୍ରୀୟ ନୀତିରେ ପ୍ରଭାବିତ ହୋଇ ସେ ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଜେପିର ‘ସଂକଳ୍ପ ପତ୍ର’ ପରେ ସାମାଜବାଦୀ ପାର୍ଟି ଜାରି କଲା ‘ବଚନ ପତ୍ର’: ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଆଜି ମନିଫେଷ୍ଟୋ ଘୋଷଣା କରିଛି। ସମସ୍ତ ଫସଲ ପାଇଁ ଏମଏସପି ଯୋଗାଇ ଦିଆଯିବ ଏବଂ ୧୫ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ଦେୟ ନିଶ୍ଚିତ କରାଯିବ ବୋଲି ସମାଜବାଦୀ ପାର୍ଟି ମନିଫେଷ୍ଟୋରେ କହିଛି। ମାଗଣା ବିଦ୍ୟୁତ୍ ଏବଂ ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ସୁଧମୁକ୍ତ ଋଣ ପାଇଁ ବ୍ୟବସ୍ଥା କରାଯିବ। ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। କୃଷକ, ମହିଳା, ଛାତ୍ର ଏବଂ ସାଧାରଣ ଲୋକଙ୍କ ପାଇଁ ମନିଫୋଷ୍ଟରେ ଜନପ୍ରିୟ ପ୍ରତିଶୃତି ଦିଆଯାଇଛି।

ସୂଚନାଯୋଗ୍ୟ ଯେ ବିଜେପି ଆଜି ସକାଳେ ନିଜର ସଂକଳ୍ପ ପତ୍ର ଜାରି କରିଥିଲେ। ଯେଉଁଥିରେ ମହିଳାମାନଙ୍କୁ ପ୍ରତିବର୍ଷ ତିନୋଟି ମାଗଣା ସିଲିଣ୍ଡର, ଛାତ୍ରୀଙ୍କୁ ସ୍କୁଟି, ଚାଷୀଙ୍କୁ ମାଗଣାରେ ବିଦ୍ୟୁତ୍ ପ୍ରଦାନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ଦିଆଯାଇଛି।

ସମାଜବାଦୀ ପାର୍ଟି ମନିଫେଷ୍ଟୋର ବୈଶିଷ୍ଟ୍ୟ:

– ସମସ୍ତ ଫସଲକୁ MSP ଅଧୀନରେ ଅଣାଯିବା।
– ୨୦୨୫ ସୁଦ୍ଧା ସମସ୍ତ କୃଷକ ଋଣମୁକ୍ତ ହେବେ।
– ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍।
– କୃଷକ ଆନ୍ଦୋଳନରେ ସହିଦ ହୋଇଥିବା କୃଷକମାନଙ୍କୁ ୨୫ ଲକ୍ଷ ଟଙ୍କା ଦେବେ।
– ସମସ୍ତ ଗରିବ ଲୋକଙ୍କୁ ପ୍ରତିମାସରେ ଦୁଇଟି ସିଲିଣ୍ଡର ମାଗଣାରେ ଦିଆଯିବ।
– ସରକାରୀ ଚାକିରିରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦିଆଯିବ।
– ଝିଅମାନଙ୍କ ଶିକ୍ଷା KG ରୁ PG ପର୍ଯ୍ୟନ୍ତ ମାଗଣା ହେବ।
– ସମାଜବାଦୀ ପେନ୍ସନ୍ ପୁନଃ ଆରମ୍ଭ ହେବ।
– ମହିଳାଙ୍କ ସୁରକ୍ଷା ପାଇଁ ୧୦୯୦ କୁ ପୁଣିଥରେ ଚାଲୁ କରାଯିବ।
– ମହିଳାମାନେ ଇମେଲ ଏବଂ ହହ୍ଵାଟସ୍ ଆପରେ FIR ପଞ୍ଜିକରଣ କରିବାକୁ ସମର୍ଥ ହେବେ।
– ନଗଦବିହୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଣିବ।
– ଗରିବ ଲୋକଙ୍କୁ ବାର୍ଷିକ ୧୮ ହଜାର ଟଙ୍କା ପେନସନ୍ ଦିଆଯିବ।
– ପ୍ରତ୍ୟେକ ସମାଜରେ ‘ସମାଜବାଦୀ ଥାଳି’ ଆରମ୍ଭ ହେବ, ଏହା ଅଧୀନରେ ୧୦ ଟଙ୍କାରେ ଏକ ଥାଳି ଖାଦ୍ୟ ଦିଆଯିବ।
– ଅଟୋ ରିକ୍ସା ଡ୍ରାଇଭରମାନଙ୍କୁ ପ୍ରତିମାସରେ ଦୁଇ ଲିଟର ମାଗଣା ପେଟ୍ରୋଲ।

Categories
ଆଜିର ଖବର ଜାତୀୟ ଖବର

ୟୁପି ପାଇଁ ବିଜେପିର ଘୋଷଣା ପତ୍ର ଜାରି, ଜାଣନ୍ତୁ ଜନସାଧାରଣଙ୍କୁ କ’ଣ ମିଳିଲା ପ୍ରତିଶ୍ରୁତି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ‘ଲୋକ କଲ୍ୟାଣ ସଂକଲ୍ପ ପତ୍ର’ (ନିର୍ବାଚନ ଘୋଷଣା ପତ୍ର) ଜାରି କରିଛି। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁର ଏବଂ ଉଭୟ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଘୋଷଣା ପତ୍ର ସହିତ ‘କରକେ ଦିଖାୟା ହେ i’ ନାମକ ଏକ ନୂତନ ନିର୍ବାଚନ ଗୀତ ମଧ୍ୟ ବିଜେପି ଲଞ୍ଚ କରିଛି।

ବିଜେପିର ଘୋଷଣା ପତ୍ରରେ କ’ଣ ରହିଛି ପ୍ରତିଶୃତି?:

– ଆଗାମୀ ବର୍ଷରେ ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ ମିଳିବ।
– ୧୪ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ, ବିଳମ୍ବ ହେଲେ ସୁଧ ଦିଆଯିବ।
– ଉଜ୍ଜ୍ଵଲା ଯୋଜନା ଅନୁଯାୟୀ ହୋଲି ଏବଂ ଦିୱାଲୀରେ ୧-୧ ମାଗଣା ସିଲିଣ୍ଡର ଦିଆଯିବ।
– ୬୦ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ମାଗଣା ଯାତ୍ରା।
– ପ୍ରତ୍ୟେକ ପରିବାରକୁ ଅତି କମରେ ଜଣଙ୍କୁ ରୋଜଗାର ମିଳିବ।
– ପ୍ରତ୍ୟେକ ବିଧବା ଏବଂ ମିରାଶ୍ରିତ ମହିଳାଙ୍କୁ ମାସକୁ ୧୫୦୦ ଟଙ୍କା ପେନ୍ସନ୍ ମିଳିବ।
– ପ୍ରତ୍ୟେକ ପରିବାରକୁ ଅତି କମରେ ଗୋଟିଏ ନିଯୁକ୍ତି ପ୍ରଦାନ କରାଯିବ।
– ୬ ଟି ମେଗା ଫୁଡ୍ ପାର୍କ ସ୍ଥାପନ କରାଯିବ।
– ଆମ୍ବୁଲାନ୍ସ ଏବଂ MBBS ର ସିଟ୍ ଦୁଇଗୁଣ କରିବ।
– ଲଭ ଜିହାଦ ବନ୍ଦ କରିବା ପାଇଁ ୧୦ ବର୍ଷ ଜେଲ ଏବଂ ୧ ଲକ୍ଷ ଜୋରିମାନା।
– ମା’ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ ତିଆରି କରି ଗରିବ ଲୋକଙ୍କୁ ଶସ୍ତା ଖାଦ୍ୟ ଦେବ।
– କଲେଜ ଯାଉଥିବା ମେଧାବୀ ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଣୀ ଲକ୍ଷ୍ମୀ ବାଇ ଯୋଜନା ଅଧୀନରେ ମାଗଣା ସ୍କୁଟି ଉପଲବ୍ଧ ହେବ।
– ୫ ହଜାର କୋଟି ଟଙ୍କା ବ୍ୟୟରେ ସର୍ଦ୍ଦାର ପଟେଲ ଆଗ୍ରି-ଭିତ୍ତିଭୂମି ମିଶନ।
– ମୁଖ୍ୟମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ୨୫ ହଜାର କୋଟି ଟଙ୍କା ସହିତ ଆରମ୍ଭ ହେବ।
– ୧ ହଜାର କୋଟିର ଭାମାଶାହା ଭାଓ ସ୍ଥିରତା ପାଣ୍ଠି ସୃଷ୍ଟି କରି ଚାଷୀଙ୍କୁ ଆଳୁ, ଟମାଟୋ ଏବଂ ପିଆଜ ପରି ସମସ୍ତ ଫସଲର ସର୍ବନିମ୍ନ ମୂଲ୍ୟ ନିଶ୍ଚିତ କରାଯିବ।
– ଚିନି ମିଲର ନବୀକରଣ ଏବଂ ଆଧୁନିକୀକରଣ ଗତ୍ର ମିଲ୍ ନବୀକରଣ ମିଶନ୍ ଅଧୀନରେ ୫ ହଜାର କୋଟି ଟଙ୍କା ବ୍ୟୟରେ କରାଯିବ।
– ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ଚାଷୀଙ୍କୁ ସୌର ପମ୍ପ ଦିଆଯିବ।
– କୃଷକଙ୍କ ଆୟ ବଢାଇବା ପାଇଁ ସୌର ଶକ୍ତିରୁ ଉତ୍ପାଦିତ ଅତିରିକ୍ତ ଶକ୍ତି ବିକ୍ରୟ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବ।
– ୪ ହଜାର ନୂତନ ଫସଲ ବିଶିଷ୍ଟ FPO ସ୍ଥାପନ କରି ପ୍ରତ୍ୟେକ FPO କୁ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ।
– ମିଶନ୍ ପ୍ରାକୃତିକ ଚାଷ ଅଧୀନରେ, ଆସନ୍ତା ୫ ବର୍ଷରେ ପ୍ରତ୍ୟେକ ଗ୍ରାମରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରାଯିବ।
– ନିଶାଦରାଜ ବୋଟ ସବସିଡି ଯୋଜନା ଆରମ୍ଭ ହେବ, ଯେଉଁଥିରେ ୪୦% ସବସିଡିରେ ମତ୍ସ୍ୟଜୀବୀଙ୍କ ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ଡଙ୍ଗା ଉପଲବ୍ଧ ହେବ।
– ମାଛ ବିହନ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ୨୫% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ ଏବଂ ୬ ଟି ଅଲ୍ଟ୍ରା ମଡେଲ୍ ମାଛ ବଜାର ପ୍ରତିଷ୍ଠା କରାଯିବ।

ମନିଫେଷ୍ଟୋ ପ୍ରକାଶ କରିବା ପରେ ସିଏମ୍ ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ଆସନ୍ତା ୫ ବର୍ଷ ମଧ୍ୟରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ବିଜେପି ଏକ ସଂକଲ୍ପ ପତ୍ର ଜାରି କରୁଛି। ଏପରିକି ୫ ବର୍ଷ ପୂର୍ବେ ବିଜେପି ଏହି ସଭା ହଲରେ ସଂକଲ୍ପ ପତ୍ରକୁ ରଖିଥିଲା। ପିଏମ ମୋଦୀଙ୍କ ନେତୃତ୍ୱରେ ଯାହା କୁହାଯାଇଛି ତାହା କରାଯାଇଛି। ଯାହା କହିବୁ ତାହା କରି ଦେଖାଇବୁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ, ଆଜି ୟୁପିରେ ଆଇନର ରାଜ ଚାଲିଛି, ପ୍ରତ୍ୟେକ ଝିଅ ସୁରକ୍ଷିତ ଅଛନ୍ତି। ୨୦୧୭ ବର୍ଷ ପୂର୍ବରୁ ୭୦୦ ଦଙ୍ଗା ହୋଇଥିଲା। ପର୍ବ ଏବଂ ପର୍ବପର୍ବାଣୀ ଉଲ୍ଲାସର ସହିତ ପାଳନ କରାଯାଏ। ଆଜି ଝିଅମାନେ ବିଦ୍ୟାଳୟକୁ ଯାଉଛନ୍ତି। ୮୬ ଲକ୍ଷ ଚାଷୀଙ୍କ ୩୬ ହଜାର କୋଟି ଋଣ ଛାଡ କରାଯାଇଥିଲା। ଜଳସେଚନ କ୍ଷମତା ୨୨ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଲା। ୫ ଲକ୍ଷ ଯୁବକ ଚାକିରି ପାଇଲେ। ୧.୫୯ ଲକ୍ଷ କୋଟି ଟଙ୍କା ଆଖୁ ଚାଷୀଙ୍କୁ ଦିଆଯାଇଥିଲା। ୬୦ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯାଇଛି। ୟୁପିର ବେକାରୀ ହାର ୧୮ ରୁ ମାତ୍ର ୩ ପ୍ରତିଶତରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର

ସରୋଜିନୀ ନଗର ଆସନରେ ରାଜେଶ୍ୱର ସିଂଙ୍କ ରାସ୍ତା ହେବ ସହଜ!, ବିଜେପିରେ ଯୋଗ ଦେଲେ ଶିବଶଙ୍କର ସିଂ

ଲକ୍ଷ୍ନୌ: ୟୁପି ନିର୍ବାଚନରେ ​​ଟିକେଟ ନ ପାଇ ଅସନ୍ତୋଷ ପ୍ରକାଶ ପାଇଥିବା ସମାଜବାଦୀ ପାର୍ଟି ନେତା ଶିବଶଙ୍କର ସିଂ ସୋମବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଡ. ଦୀନେଶ ଶର୍ମା ଉପସ୍ଥିତିରେ ସେ ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପି ଏହି ଆସନରୁ ରାଜେଶ୍ୱର ସିଂଙ୍କୁ ପ୍ରାର୍ଥୀ କରିଛି। ଏଭଳି ପରିସ୍ଥିତିରେ ଶିବଶଙ୍କର ସିଂ ବିଜେପିରେ ଯୋଗଦେବା ସହିତ ରାଜେଶ୍ୱର ସିଂଙ୍କ ରାସ୍ତା ସଫା ହୋଇଛି।

ଉପମୁଖ୍ୟମନ୍ତ୍ରୀ ଡ. ଦୀନେଶ ଶର୍ମା ଟୁଇଟ୍ କରି କହିଛନ୍ତି ଯେ, ବିଜେପିର ଜନକଲ୍ୟାଣକାରୀ ନୀତିରେ ପ୍ରଭାବିତ ହୋଇ ରାମଲାଲ ଅକେଲା, ପୂର୍ବତନ ବିଧାୟକ (ଏସପି) ଶିବଶଙ୍କର ସିଂ, ପୂର୍ବତନ ପ୍ରାର୍ଥୀ (ଏସପି) ଅଶୋକ ଚୌଧୁରୀ, ବିଭିନ୍ନ ମଣ୍ଡଳ ସଂଯୋଜକ ଅଶୋକ ଚୌଧୁରୀ ସମେତ ଅନେକ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ବହୁ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିଜେପିର ସଦସ୍ୟତା ମିଳିଛି।

 

 

ଏହାପୂର୍ବରୁ ବିଜେପିରୁ ବହିଷ୍କୃତ ହୋଇଥିବା ପୂର୍ବତନ ରାଜ୍ୟ ମନ୍ତ୍ରୀ ଶିବଶଙ୍କର ସିଂ ପଟେଲ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ବାସ୍ତବରେ, ଜିଲ୍ଲା ପଞ୍ଚାୟତ ସଦସ୍ୟ ବିଜେପିରୁ ଟିକେଟ୍ ନ ପାଇବା ପରେ ଶିବଶଙ୍କର ସିଂ ପଟେଲ ତାଙ୍କ ପତ୍ନୀଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରାଇଥିଲେ, ଯାହା ପରେ ଦଳ ବିରୋଧୀ କାର୍ଯ୍ୟ କରିବା ପାଇଁ ଶିବଶଙ୍କର ସିଂ ପଟେଲଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏହା ପରେ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶିବଶଙ୍କର ସିଂ ୨୦୧୭ ମସିହାରେ ସରୋଜିନୀ ନଗରରୁ ବିଏସପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ପରେ ସେ ବିଏସପି ଛାଡି ଏସପି ସଦସ୍ୟତା ଗ୍ରହଣ କରିଥିଲେ। ୨୦୨୨ ନିର୍ବାଚନରେ ​​ସେ ସରୋଜିନୀ ନଗରରୁ ଏସପି ଟିକେଟ୍ ପାଇଁ ଦାବି କରିଥିଲେ। କିନ୍ତୁ ସରୋଜିନୀ ନଗରରୁ ଅଭିଷେକ ମିଶ୍ରଙ୍କୁ ଦଳ ଟିକେଟ୍ ଦେଇଥିଲା। ଏଥିରେ ଅସନ୍ତୋଷ ହୋଇ ଶିବଶଙ୍କର ସିଂ ବିଜେପିରେ ଯୋଗ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସରୋଜିନୀ ନଗରରୁ ରାଜେଶ୍ୱର ସିଂଙ୍କ ରାସ୍ତା ସହଜ ହୋଇଛି ବୋଲି ବିଶ୍ୱାସ କରାଯାଏ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ମୋର୍ଚ୍ଚା ପାଇଁ ରାଜ୍ୟ ପ୍ରଭାରୀଙ୍କ ନାମ ଘୋଷଣା କଲା ବିଜେପି

 ଭୁବନେଶ୍ବର: ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଓ ସଂଗଠନରେ ମୋର୍ଚ୍ଚାମାନଙ୍କର ସଙ୍ଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳାନାତ୍ମକ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ପାଇଁ ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ରାଜ୍ୟ ପ୍ରଭାରୀଙ୍କ ନାମ ଘୋଷଣା ହୋଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ରାଜ୍ୟ ପ୍ରଭାରୀଙ୍କ ନାମ ଘୋଷଣା ହୋଇଛି। ସେମାନଙ୍କର ନାମ ଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି।

ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଭାରୀ: ପୃଥ୍ବୀରାଜ ହରିଚନ୍ଦନ (ରାଜ୍ୟ ସାଧାରଣ ସମ୍ପାଦକ)।

ଯୁବ ମୋର୍ଚ୍ଚା ପ୍ରଭାରୀ: ଗୋଲକ ପ୍ରସାଦ ମହାପାତ୍ର (ରାଜ୍ୟ ସାଧାରଣ ସମ୍ପାଦକ)।

ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ: ରବି ନାରାୟଣ ନାଏକ (ରାଜ୍ୟ ସାଧାରଣ ସମ୍ପାଦକ)।

ଓବିସି ମୋର୍ଚ୍ଚା ପ୍ରଭାରୀ: ଡ. ଲେଖାଶ୍ରୀ ସାମନ୍ତସିଂହାର (ରାଜ୍ୟ ସାଧାରଣ ସମ୍ପାଦକ)।

ଅନୁସୂଚିତ ଜନଜାତି ମୋର୍ଚ୍ଚା ପ୍ରଭାରୀ: ସୁକେଶ ଓରାମୀ (ରାଜ୍ୟ ଉପସଭାନେତ୍ରୀ)।

ମହିଳା ମୋର୍ଚ୍ଚା ପ୍ରଭାରୀ: ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ (ରାଜ୍ୟ ଉପସଭାନେତ୍ରୀ)।

କୃଷକ ମୋର୍ଚ୍ଚା ପ୍ରଭାରୀ: କାଳନ୍ଦି ସାମଲ (ରାଜ୍ୟ ସମ୍ପାଦକ)।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଜେପିର ତାରକା ପ୍ରଚାରକ ବବିତା ଫୋଗାଟଙ୍କ ରାଲି ଉପରକୁ ଆକ୍ରମଣ ଅଭିଯୋଗ, ଅନେକ ଗାଡି କ୍ଷତିଗ୍ରସ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଜିଲ୍ଲାର ସିୱାଲଖାସ ବିଧାନସଭାରେ ପହଞ୍ଚି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି ବିଜେପିର ତାରକା ପ୍ରଚାରକ କୁସ୍ତିଯୋଦ୍ଧା ବବିତା ଫୋଗାଟ ପହଞ୍ଚିଥିଲେ। କିନ୍ତୁ ସେଠାରେ ସେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ। ଅଭିଯୋଗ ହୋଇଛି ଯେ, ଏହି ସମୟ ମଧ୍ୟରେ ଆରଏଲଡି ସମର୍ଥକମାନେ ବବିତା ଫୋଗାଟଙ୍କ ଗାଡିକୁ ଘେରି ରହିଥିଲେ। ବାଡ଼ି ଠେଙ୍ଗା ଧରିଥିବା ଆରଏଲଡି ସମର୍ଥକ ବବିତା ଫୋଗାଟଙ୍କ ରାଲିରେ ଜଡିତ ଗାଡିଗୁଡିକକୁ ଭଙ୍ଗାରୁଜା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି ନେତାମାନେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାକୁ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଆକ୍ରମଣର ମାମଲା ବୋଲି ବର୍ଣ୍ଣନା କରିଛି। ହେଲେ ବାବିତା ଫୋଗାଟଙ୍କ ଉପରେ ହୋଇଥିବା ଆକ୍ରମଣକୁ ପୋଲିସ ଅସ୍ୱୀକାର କରିଛି।

ସିୱାଲଖାସ୍ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ମନିନ୍ଦର ପାଲ ସିଂଙ୍କ ପତ୍ନୀ ସିମ୍ପଲ ସିଂ ଅନ୍ତର୍ଜାତୀୟ ରେସଲର ବବିତା ଫୋଗାଟଙ୍କ ସମ୍ପର୍କୀୟ। ଏହି କାରଣରୁ, ବବିତା ଫୋଗାଟ୍ ମନିନ୍ଦର ପାଲ ସିଂଙ୍କ ସମର୍ଥନରେ ଭୋଟ୍ ମାଗି ଶନିବାର ଦିନ ମେରଠରେ ପହଞ୍ଚିଥିଲେ। ବାବିତା ଫୋଗାଟଙ୍କ ଅନୁଯାୟୀ, ସେ ତାଙ୍କ ଭଉଣୀ ସିମ୍ପଲ ଏବଂ ଅନ୍ୟାନ୍ୟ ମହିଳାଙ୍କ ସହ ଦବଥୁଭା ଗାଁରେ ପହଞ୍ଚିଥିଲେ।

ସେ ଅଭିଯୋଗ କରିଛନ୍ତି ଯେ, ଏହି ସମୟ ମଧ୍ୟରେ ଠେଙ୍ଗା ବାଡ଼ିରେ ସଜ୍ଜିତ ଦୁଇ ଡଜନରୁ ଅଧିକ ଆରଏଲଡି ସମର୍ଥକ ତାଙ୍କ ଶୋଭାଯାତ୍ରାର ରାସ୍ତା ଅବରୋଧ କରିଥିଲେ। ମହିଳାମାନଙ୍କ ସହ ଅହଦ୍ରତା କରିବା ସହ ରାସ୍ତା ଅବରୋଧକାରୀମାନେ ଯାନବାହନ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। ହଠାତ୍ ଏହି ଆକ୍ରମଣ ବିଜେପି କର୍ମୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ସମୟରେ ମହିଳାଙ୍କ ସମର୍ଥନରେ ବାହାରକୁ ଆସିଥିବା ଗ୍ରାମବାସୀ ଅଭିଯୁକ୍ତଙ୍କୁ ଚ୍ୟାଲେଞ୍ଜ କରିଥିଲେ, ପରେ ସେମାନେ ପଥର ଫିଙ୍ଗି ସ୍ଥାନରୁ ପଳାଇ ଯାଇଥିଲେ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ବବିତା ଫୋଗାଟଙ୍କ ଗାଡିକୁ ସୁରକ୍ଷିତ ଅଞ୍ଚଳରୁ ବାହାର କରିଦେଇଥିଲା। ଏହି ଉତ୍ତେଜନା ସମୟରେ ବିଜେପି କିଷାନ ମୋର୍ଚ୍ଚା ମଣ୍ଡଳର ସଭାପତି ସତ୍ୟେନ୍ଦ୍ର ଚୌଧୁରୀ ଏବଂ କାର୍ଯ୍ୟକର୍ତ୍ତା ରୋନକ ଏବଂ ଭୁରାଙ୍କ ସମେତ ଅନେକ ମହିଳା ଆହତ ହୋଇଥିଲେ।

ଏହି ଆକ୍ରମଣରେ ବବିତା ଫୋଗାଟଙ୍କ ଶୋଭାଯାତ୍ରାରେ ଅନ୍ତର୍ଭୁକ୍ତ ଅନେକ ଯାନ ମଧ୍ୟ ନଷ୍ଟ ହୋଇଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବିଜେପି ବିରୋଧରେ ପ୍ରଚାର କରିବେ କୃଷକ ନେତା ଗୁରୁନାମ ସିଂ ଚଢୁନି

ନୂଆଦିଲ୍ଲୀ: ଏକ ରାଜନୈତିକ ଦଳ ଗଠନ କରିଥିବା କୃଷକ ନେତା ଗୁରୁନାମ ସିଂ ଚଢୁନି କହିଛନ୍ତି ଯେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବ ନିର୍ବାଚନରେ ​​ତାଙ୍କ ସଂଗଠନ ବିଜେପି ବିରୋଧରେ ପ୍ରଚାର କରିବ। ଭାରତୀୟ କିଷାନ ୟୁନିଅନର ହରିୟାଣା ୟୁନିଟର ମୁଖ୍ୟ ଥିବା ଚଢୁନି ଗତ ବର୍ଷ ସଂଯୁକ୍ତ ସଂଘର୍ଷ ପାର୍ଟି ନାମରେ ନିଜର ଦଳ ଗଠନ କରିଛନ୍ତି। ତାଙ୍କ ଦଳ କୃଷକ ନେତା ବଲବୀର ସିଂ ରାଜେୱାଲଙ୍କ ସଂଯୁକ୍ତ ସମାଜ ମୋର୍ଚ୍ଚା ସହଯୋଗରେ ପଞ୍ଜାବରେ ନିର୍ବାଚନ ଲଢୁଛନ୍ତି। ନରେନ୍ଦ୍ର ମୋଦୀ ସରକାରଙ୍କ କୃଷି ଆଇନ ବିରୋଧରେ ଏହି ଆନ୍ଦୋଳନରେ ଚଢୁନି ଏବଂ ରାଜେୱାଲ ଜଡିତ ଥିଲେ।

ହରିୟାଣାର କୁରୁକ୍ଷେତ୍ରରେ ସଂଗଠିତ କୃଷକମାନଙ୍କର ଏକ ରାଜ୍ୟ ସ୍ତରୀୟ ବୈଠକରେ ବିଜେପି ବିରୋଧରେ ପ୍ରଚାର କରିବାକୁ ଚଢୁନି ଦଳ ନିଷ୍ପତ୍ତି ନେଇଛନ୍ତି। ଚଢୁନି ସଭାପତିତ୍ୱ କରିଥିଲେ। ସେ କହିଛନ୍ତି ଯେ, ଏହି ସବୁ ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ନିଷ୍ପତ୍ତି ସମସ୍ତଙ୍କ ସହମତିରେ ନିଆଯାଇଛି।

ଚଢୁନି ତାଙ୍କ ସମର୍ଥକଙ୍କୁ ପଞ୍ଜାବର ନିର୍ବାଚନମଣ୍ଡଳୀକୁ ଯିବାକୁ ଅନୁରୋଧ କରିଛନ୍ତି। ଯେଉଁଠାରେ ସଂଯୁକ୍ତ ସଂଘର୍ଷ ପାର୍ଟି ୧୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ପଞ୍ଜାବକୁ ଯାଇ ଫେବୃଆରୀ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ​​ସେମାନଙ୍କ ୧୦ ଜଣ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ସେ ହରିୟାଣାର ସମର୍ଥକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ପଞ୍ଜାବ ନିର୍ବାଚନ ପରେ ସେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିବେ।

ଚଢୁନି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଏକ ବର୍ଷରୁ ଅଧିକ ସମୟ ଧରି ଆମକୁ ଅପମାନିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆମକୁ ବିରୋଧ କରିବାର ସୁଯୋଗ ମିଳିଛି। ଏକ ବର୍ଷରୁ ଅଧିକ ସମୟ ଧରି ଚାଷୀଙ୍କୁ ଅପମାନିତ କରୁଥିବା ବିଜେପି ବିରୋଧରେ ଭୋଟ୍ ଦେବାକୁ ସେ ଉତ୍ତରପ୍ରଦେଶର ଚାଷୀଙ୍କୁ ନିବେଦନ କରିଛନ୍ତି। ୟୁପିରେ ବିଜେପିର ପରାଜୟ ନିଶ୍ଚିତ କରିବାକୁ କୃଷକମାନଙ୍କୁ ଅନୁରୋଧ କରି ସେ ଲକ୍ଷ୍ମୀପୁର ଖେରୀର ଚାଷୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଥିବା ଚେତାବନୀ ଦେଇଛନ୍ତି। ଯଦି ୟୁପିରେ ବିଜେପି କ୍ଷମତାକୁ ଫେରିବ, ତେବେ ଅଧିକ ଚାଷୀଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିବ।