ପୌର ନିର୍ବାଚନ ପୁର୍ବରୁ ଚିଲିକାରେ ବିଜେପିର ଶକ୍ତି ପ୍ରଦର୍ଶନ

Published: Mar 21, 2022, 7:43 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ସମଗ୍ର ରାଜ୍ୟରେ ପୌର ନିର୍ବାଚନ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲି ପ୍ରଚାରର ଶେଷ ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନଏସି ଚଳଚଞ୍ଚଳ ହୋଇଉଠିଛି। ଉଭୟ ଏନଏସି ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମେୟ ହେଉଛି। ତେବେ ଆଜି ବିଜେପି ପକ୍ଷରୁ ଉଭୟ ସହରରେ ମେଗା ରୋଡ଼ ଶୋ’ ଅନୁଷ୍ଠିତ ହୋଇଯାଇଛି।

ପୂର୍ବାହ୍ନରେ ନଗରମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ବାଲୁଗାଁ ସହରସ୍ଥିତ ମା’ ଉତ୍ତରାୟଣୀ ମନ୍ଦିରରୁ ବାହାରି ବିଭିନ୍ନ ୱାର୍ଡ ପରିକ୍ରମା କରିଛି। ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନୀ ସ୍ୱପ୍ନା ବଡ଼ଜେନା ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ଉକ୍ତ ରାଲିରେ ନିବେଦନ କରାଯାଇଛି।

ଶୋଭାଯାତ୍ରାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ ପଥପ୍ରାନ୍ତ ସଭା ମାଧ୍ୟମରେ ଏନଏସି ଅଞ୍ଚଳର ସମସ୍ତ ଦିଗରେ ବିକାଶକୁ ନେଇ ପ୍ରତିଶୃତି ଦେଇଥିଲେ।

ଅନୁରୂପ ଭାବେ ଅପରାହ୍ନରେ ବାଣପୁର ଏନଏସିରେ ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଏକ ମେଗା ବାଇକ ରାଲି ବିଷରପାଟଣା ଠାରୁ ବାହାରି ସହରର ସମସ୍ତ ୱାର୍ଡ ପରିକ୍ରମା କରିଥିଲା। ଉକ୍ତ ରାଲିରେ ପୃଥ୍ଵୀରାଜ ହରିଚନ୍ଦନଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ ଯୋଗଦେଇଥିଲେ। ଏହି ଶୋଭାଯାତ୍ରାରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦ କିଶୋର ମିଶ୍ର ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ନିବେଦନ କରାଯାଇଥିଲା।

ତେବେ ନିକଟରେ ବାଣପୁର ଓ ଚିଲିକା ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପରେ ବିଜେପି ଉଭୟ ବାଣପୁର ଓ ବାଲୁଗାଁ ଏନଏସି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥିବାର ଦେଖିବାକୁ ମିଳିଛି।

Related posts