Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୧ ତାରିଖରୁ ବିଧାନସଭା, ଏହା କଣ ଶେଷ ଅଧିବେସନ ହେବ କି ?

ଭୁବନେଶ୍ବର: ଚଳିତ ନଭେମ୍ବର ୨୧ ତାରିଖରୁ ବସିବ ବିଧାନସଭାର ଶୀତ ଅଧିବେସନ। ଏ ନେଇ ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ରାଜ୍ୟପାଳ ରଘୁବର ଦାସ ସମନ ଜାରୀ କରିବା ପରେ ବିଧାନସଭା ତରଫରୁ ବିଜ୍ଞପ୍ତି ବାହାରିଛି।

ଏହି ଅଧିବେସନ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରୁ ୨୪ଟି ସରକାରୀ କାର‌୍ୟ୍ୟ ଦିବସ ଥିବା ବେଳେ ୬ ଟି ବେସରକାରୀ ଦିବସ ରହିଛି।

ତେବେ ଆଗକୁ ନିର୍ବାଚନ ଥିବାରୁ ଏହି ଅଧିବେସନ ଶେଷ ଅଧିବେସନ ହେବ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋଟିଏ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେସନ

ଭୁବନେଶ୍ବର: ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେସନ। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେସନ ଆସନ୍ତାକାଲି ବା ବୁଧବାରରେ ଶେଷ ହେବାର ଥିଲା। ହେଲେ ବାଚସ୍ପତି ଗୋଟିଏ ଦିନ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି।

ଚଳିତ ମୌସୁମୀ ଅଧିବେସନେର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ସହିତ ୧୨ଟି ବିଲ୍‌ ପାରିତ ହୋଇଛି। ଏଥର ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବିଧାନସଭାରେ ଆଗତ କରିଥିଲେ। ଯାହା ପାରିତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନ୍ତବ୍ୟ ରଖି କହିଥିଲେ ଯେ, ଏଥର ମୌସୁମୀ ଅଧିବେସନକୁ ସଠିକ ଭାବେ ପରିଚାଳନା କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ବିଶେଷ କରି ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ଧନ୍ୟବାଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ ସେ ଗଣମାଧ୍ୟମ ଏବଂ ଅଫିସରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏଥର ଅଧିବେସନକୁ ପ୍ରଥମ ଥର ପାଇଁ ପ୍ରମିଳା ମଲ୍ଲିକ ବାଚସ୍ପତି ହୋଇ ଗୃହ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ବିଧାନସଭା ଅଚଳ, ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ଆଜି ପୁଣି ବିଧାନସଭାକୁ ଅଚଳ କରିଛନ୍ତି ବିରୋଧୀ ବିଜେପି। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ସେମାନେ ସହି ପୁରୁଣା ଦାବୀ କରିଥିଲେ। ସେମାନେ ହାଙ୍ଗାମା କରିବା ଦ୍ବାରା ପ୍ରଶ୍ନକାଳ ଠିକ୍ ରେ ଚାଲିପାରି ନ ଥିଲା। ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

ବିଜେପି ସଦସ୍ୟମାନେ ତାଙ୍କର ଦୁଇ ବିଧାୟକଙ୍କ ଉପରୁ ତୁରନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହିଥିଲେ। ତାହାକୁ ବିବରଣୀରୁ ବାଦ ଦିଆଯାଉ ବୋଲି ଦାବୀ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ବିରୋଧୀ ବିଜେପିର ହଟ୍ଟଗୋଳ, ଗୃହ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ବର: ଆଜି ପୁଣି ଥରେ ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ବିରୋଧୀ ବିଜେପି ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଏହି ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

ଆଜି ଗୃହର ପ୍ରଶ୍ନ ଉତ୍ତର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ହାଙ୍ଗାମା କରିଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଥିଲେ।

ଏଥିରେ ସେମାନେ ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବୀ କରିଥିଲେ। ଏଥିସହିତ ବିରୋଧୀ ଦଳର ନେତାଙ୍କୁ ଯେଉଁ ଅଶାଳିନ ମନ୍ତବ୍ୟ ପ୍ରଦାନ କରାଯାଇଛି ତାହାକୁ ବିବରଣୀରୁ ବାଦ ଦେବା ପାଇଁ ସେମାନେ ଦାବୀ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ପୋଡିୟମ ଉପକୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ବର: ଆଜି ବିଧାନସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ। ଯାହାକୁ ନେଇ ଦୁଇ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ସେମାନେ ହେଲେ ମୋହନ ମାଝି ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେସନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି।

ଆଜି ଶୂନ୍ୟ କାଳରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ନିଜର ବିବୃତି ରଖୁଥିଲେ। ହେଲେ ତାଙ୍କର ସମୟ ସରିଯିବା ପରେ ଅଧିକ କହିବା ପାଇଁ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାକୁ ନେଇ ଜୟନାରାୟଣ ଉତକ୍ଷିପ୍ତ ହୋଇ ଯାଇଥିଲେ। ଫଳରେ ବିଜେପି ବିଧାୟକଗଣ ଗୃହ ମଧ୍ୟକୁ ଆସି ପାଟି କରିଥିଲେ। ଏଥିସହିତ ମେଣ୍ଟାଲ ହେଲଥ ଡିସଅଡର ଶଦ୍ଦକୁ ବାଦ ଦେବା ପାଇଁ ବିଜେପି ବିଧାୟକ ଦାବୀ କରିଥିଲେ।

ଏହି ସମୟରେ ପଲିଥିନରେ ଆଣିଥିବା ଡାଲିକୁ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ବିଜେପି ସଦସ୍ୟ ଦେଖାଇଥିଲେ। ଏହାପରେ ବାଚସ୍ପତିଙ୍କ ଉପରକୁ ଏହି ଡାଲି ଫିଙ୍ଗିଥିଲେ। ଏହାକୁ ନେଇ ମୁକେଶ ମହାଲିଙ୍ଗ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ଡାଲି ଭଲ ପାଆନ୍ତି। ସେଥିପାଇଁ ତାଙ୍କୁ ଡାଲି ଉପହାର ଦେବା ପାଇଁ ଆଣିଥିଲୁ। ହେଲେ ବାଚସ୍ପତି ନିର୍ଦ୍ଦଳିୟ ନିଷ୍ପତି ନେବା କଥା ତାହା କଲେ ନାହିଁ।

ସେହିପରି ମୋହନ ମାଝି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୋତେ ବିନା ଦୋଷରେ ସସପେଣ୍ଡ କରାଯାଇଛି। ମୁଁ ଡାଲି ଆଣି ନାହିଁ କି ଫୋପାଡି ନାହିଁ। ହେଲେ ମୋତେ କାହିଁକି ସସପେଣ୍ଡ କରାଗଲା ମୁଁ ଜାଣି ପାରୁ ନାହିଁ। ସେ ଡାଲି ଭଲ ପାଉଛନ୍ତି ବୋଲି ଆମ ବିଧାୟକ ତାଙ୍କୁ ଉପହାର ଦେବାକୁ ଆଣିଥିଲେ। ହେଲେ ମୁଁ ଏହା କରି ନାହିଁ।

ଏହାକୁ ନେଇ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ମୋତେ ଗୃହରେ ମେଣ୍ଟାଲ ଡିସଅଡର ବୋଲି କହିଲେ। ତାହାକୁ ଗୃହର ବିବରଣୀରୁ ବାଦ ଦେବା ପାଇଁ ଆମେ ବାଚସ୍ପତିଙ୍କୁ କହିଲୁ। ହେଲେ ବାଚସ୍ପତି ତାହାକୁ ଗ୍ରହଣ କଲେ ନାହିଁ। ବାଚସ୍ପତି ନିରପକ୍ଷ ନୁହଁନ୍ତି। ସେ ଦଳୀୟ ନେତାଙ୍କ ପରି ବ୍ୟବହାର କରୁଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ସ୍ବାଭାବିକ ହେଲା ଗୃହ କାର୍ଯ୍ୟ, କୃଷି ବିଭାଗର ପ୍ରଶ୍ନ ଉତ୍ତର ଆରମ୍ଭ

ଭୁବନେଶ୍ବର: ତିନିଦିନ ପରେ ଆଜି ଗୃହ କାର୍ଯ୍ୟ ସ୍ବାଭିବିକ ହୋଇଛି। ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକି ଗୃହକାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହାପରେ ବିଧାନସଭା ଆରମ୍ଭ ହେବା ପରେ କୌଣସି ହଟ୍ଟଗୋଳ ପରିଲକ୍ଷିତ ହୋଇ ନ ଥିଲା।

ଫଳରେ କୃଷି ଓ ମତ୍ସ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ବିଭାଗୀୟ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ଆଜି କୃଷି କୃଷକ ଶସକ୍ତିକରଣ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଆଜି ପ୍ରଶ୍ନକାଳ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଧାନସଭାର ଚତୁର୍ଥ ଦିନ, ଗୃହ ସ୍ବାଭିବକ ହେବା ନେଇ ସନ୍ଦେହ

ଭୁବନେଶ୍ୱର: ଚାରିଦିନ ଧରି ବିଧାନସଭା ଠିକରେ ଚାଲିପାରୁ ନାହିଁ। ସେହିପରି ଆଜି ମଧ୍ୟ ଠିକରେ ଚାଲିବ କି ନାହିଁ ତାହା ସନ୍ଦେହରେ। ମୁଖ୍ୟତଃ ବିରୋଧୀ ଶାସକ ଦଳର ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଗୃହ ଠିକରେ ଚାଲିପାରୁ ନାହିଁ। ବିଜେପି ଯୋଗୁଁ ଗୃହ କାର୍ଯ୍ୟ ଠିକରେ ଚାଲିପାରୁ ନାହିଁ ବୋଲି ଉଭୟ କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି।

ଆଜି କୃଷି କୃଷକ ଶସକ୍ତିକରଣ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଆଜି ପ୍ରଶ୍ନକାଳ ରହିଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପାଣ୍ଡିଆନ କାହିଁକି ହେଲିକାପ୍ଟର ନେଇଥିଲେ? ମୁଖ୍ୟମନ୍ତ୍ରୀ ଜବାବ ପରେ ବିରୋଧୀ ଚୁପ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ 5ଟି ସଚିବ ଭି କେ ପାଣ୍ଡିଆନ ଗସ୍ତ ଉପରେ ବିସ୍ତୁତ ତଥ୍ୟ ଉପସ୍ଥାପନ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ପରେ ନବୀନ ଏହି ତଥ୍ୟ ରଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ଗସ୍ତ ଉପରେ ଯାହା ତଥ୍ୟ ଉପସ୍ଥାପନ କଲେ ତାହା ଶୁଣିବା ପରେ ବିରୋଧୀ ପୁରା ଚୁପ ହୋଇପଡିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ସରକାର ଜନସାଧାରଣଙ୍କର ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ।

ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଦାଖଲ କରୁଥିଲେ ଏବଂ ଆମର ସୁଦୃଢ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଜରିଆରେ ସେଗୁଡିକର ସମାଧାନ କରାଯାଉଥିଲା । ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଜଣାଇବା ବ୍ୟବସ୍ଥା ଲୋକମାନଙ୍କ ମନରେ ବ୍ୟବସ୍ଥା ପ୍ରତି ଆସ୍ଥା ସୃଷ୍ଟି କରୁଥିଲା।

କୋଭିଡ ସମୟରେ କଟକଣା ଯୋଗୁ ପ୍ରାୟ ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ପରିସ୍ଥିତି ସ୍ବାଭାବିକ ହେବା ପରେ ଏହା ପୁଣି ଥରେ ତାର କାର୍ଯ୍ୟ ଆରମ୍ଭ କରିଥିଲା । ସେ ଯାହା ହେଉ ନା କାହିଁକି, କୋଭିଡ ପରବର୍ତ୍ତୀ ସମୟରେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଲୋକଙ୍କ ସଂଖ୍ୟା ତଥା ଅଭିଯୋଗର ହାରାହାରି ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲା ।

୨ ବର୍ଷ ଧରି କୋଭିଡ କଟକଣା ଲାଗୁ ରହିବା ଫଳରେ ଅଭିଯୋଗ ସମାଧାନରେ ସମସ୍ୟା ଦେଖାଦେଲା ଏବଂ ଲୋକଙ୍କ ଘର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ପହଞ୍ଚାଇବା ପାଇଁ ମୁଁ ଚିନ୍ତା କଲି। ରାଜ୍ୟର ସବୁ ବ୍ଲକ ଓ ସବୁ ସହରାଞ୍ଚଳରେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିପରି ପହଞ୍ଚି ପାରିବ ସେ ଦିଗରେ ଆମେ ପଦକ୍ଷେପ ନେଲୁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଏବଂ ମୋ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକେନ୍ଦ୍ରିତ ଅଭିଯୋଗ ଶୁଣାଣି ପରିଚାଳନା କଲେ ।

୬ ମାସ ମଧ୍ୟରେ ରାଜ୍ୟର ୧୯୦ ରୁ ଅଧିକ ସ୍ଥାନରେ ଏହି ଅଭିଯୋଗ ଶୁଣାଣୀ ଆୟୋଜନ କରାଗଲା। ପ୍ରତ୍ୟେକ ଦିନ ୩ ରୁ ୫ଟି ସ୍ଥାନରେ ଅଭିଯୋଗ ଶୁଣାଣୀ ହେଲା ଏବଂ ଏହି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ଠାରୁ ୫୭୪୪୨ଟି ଦରଖାସ୍ତ ଗ୍ରହଣ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ୪୩୫୩୬ ଦରଖାସ୍ତର ଫୈସଲା କରାଯାଇଛି।

ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ସ୍ୱଚ୍ଛତାର ସହ ସମ୍ପାଦନ କରାଯାଇଛି। ଏହି ସମସ୍ତ ଦରଖାସ୍ତ ଏବଂ ତା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ତଥା ଫୈସଲାର ବିଭିନ୍ନ ପର୍ଯ୍ୟାୟର ସମ୍ପୂର୍ଣ୍ଣ ବିବରଣୀ ଜନଶୁଣାଣି ପୋର୍ଟାଲରେ ସ୍ଥାନିତ ହୋଇଛି।

ଉତ୍ତରୀଧିକାର ସତ୍ତ୍ୱ ସଂକ୍ରାନ୍ତୀୟ ବିଷୟଗୁଡିକ ବାରମ୍ବାର ଆଲୋଚନା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଦୀର୍ଘ ଦିନ ଧରି ପଡି ରହିଥିବା ଏହି ଐତିହାସିକ ସମସ୍ୟା ଗୁଡିକର ଆଗାମୀ ୨ ରୁ ୩ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ଆମେ ଆଶାବାଦୀ।

ଅଭିଯୋଗକାରୀ ମାନଙ୍କୁ ଲିଖିତ ଉତ୍ତର ଦିଆଯାଉଛି ଏବଂ ମୋ ସରକାର ଜରିଆରେ ଫୋନ କରାଯାଇ ସେମାନଙ୍କ ଠାରୁ ସେମାନଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି । ମୁଁ ଦୃଢତାର ସହ କହିପାରେ ଯେ ଦେଶର ଯେ କୌଣସି ସରକାରଙ୍କ ଦ୍ବାରା ପରିଚାଳିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ନିମନ୍ତେ ଥିବା ବ୍ୟବସ୍ଥା ମଧ୍ୟରେ ଏହା ହେଉଛି ସର୍ବୋତ୍କୃଷ୍ଟ ବ୍ୟବସ୍ଥା ।

ଆପଣମାନଙ୍କର ମନେ ଥାଇପାରେ ଯେ କୋଭିଡ ସମୟରେ କୋଭିଡ ପରାଚାଳନା ସଂପର୍କରେ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେହି ଟିମ୍‌କୁ ବିଭିନ୍ନ ସ୍ଥାନକୁ ମୁଁ ପଠାଇଥିଲି।

ଯେତେବେଳେ ସମସ୍ତେ ଘର ଭିତର ଆବଦ୍ଧ ଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଟିମ୍ ନିଜ ଜୀବନକୁ ବିପନ୍ନ କରି ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାରୁ ଜିଲ୍ଲାକୁ ବୁଲି କୋଭିଡ ପରିସ୍ଥିତିର ତଦାରଖ କରୁଥିଲେ ଏବଂ ଲୋକମାନଙ୍କର ମତାମତ ନେଉଥିଲେ।

ଏହି ବ୍ୟବସ୍ଥା ଆମକୁ ତ୍ବରିତ ନିଷ୍ପତ୍ତି ନେବାରେ ସହାୟକ ହୋଇଥିଲା ଏବଂ ଆମେ ଆମ ରାଜ୍ୟବାସୀଙ୍କର ଅମୂଲ୍ୟ ଜୀବନ ରକ୍ଷା କରିବା ସହିତ ଅନ୍ୟ ରାଜ୍ୟ ଗୁଡିକୁ ମଧ୍ୟ ସାହାଯ୍ୟ କରିଆସିଥିଲୁ।

ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ପର୍କରେ ଆପଣମାନଙ୍କର ରାଜନୈତିକ ସମାଲୋଚନା ଉପରେ ମୁଁ କିଛି କହିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ ଏବଂ ଭୁବନେଶ୍ବରରେ ମାନ୍ୟବର ମନ୍ତ୍ରୀ ମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡିନାହିଁ। ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସଂପୃକ୍ତ ବିଭାଗକୁ ପଠାଯାଇଥାଏ । ତେଣୁ ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି ?

ଅଭିଯୋଗ ଦରଖାସ୍ତର ବିଭାଗୀୟ ସ୍ତରୀୟ ସମାଧାନରେ ବିଭାଗର ମୁଖ୍ୟ ଭାବରେ ମାନ୍ୟବର ମନ୍ତ୍ରୀମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଏହା ସର୍ବୋଚ୍ଚ ସ୍ତରରେ ଟିମ୍‌ ୱାର୍କ ଅଟେ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃତ୍ତିଗତ ଭାବରେ ଏହା କରାଯାଇଥାଏ। ଲୋକଙ୍କ ଅଭିଯୋଗର ଯେଭଳି ଠିକ୍‌ ଭାବରେ ସମାଧାନ ହେବ ଏବଂ ଜନସାଧାରଣ ଯେପରି ସର୍ବୋତ୍ତମ ସନ୍ତୁଷ୍ଟି ଲାଭ କରିବେ, ତାହା ହିଁ ଆମର ଲକ୍ଷ୍ୟ।

ଯଦି ସମସ୍ତ ୫୭ ହଜାର ଅଭିଯୋଗକାରୀ (ତନ୍ମଧ୍ୟରୁ ସଂଖ୍ୟାଧିକ ହେଉଛି ଗୋଷ୍ଠୀଗତ ଅଭିଯୋଗ) ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ, ଯିବା ଆସିବା ଓ ରହଣୀରେ ସେମାନଙ୍କର କେତେ ଖର୍ଚ୍ଚ ହୋଇଥାନ୍ତା ? ସେମାନେ କେତେ ମଜୁରୀ ହରାଇ ଥାନ୍ତେ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜନସାଧାରଣଙ୍କ ଘରପାଖକୁ ଯାଇ ଅଭିଯୋଗ ସଂଗ୍ରହ କରିଥିବାରୁ, ଜନସାଧାରଣଙ୍କ ଅର୍ଥ ଓ ସମୟ ବଞ୍ଚିପାରିଛି।

ହେଲିକପ୍ଟର ବ୍ୟବହାର ସଂପର୍କରେ –

ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡକ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ ବର୍ଷ ସମୟ ଲାଗିଥାନ୍ତା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ ରୁ ୫ଟି ସଭା କରିବା ଏବଂ ତା ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ ଟାରୁ ୩ଟା ମଧ୍ୟରେ କରିବା ଯେ କୌଣସି ମଣିଷ ପାଖରେ ଅସମ୍ଭବ ଅଟେ।

ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରୀ ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ଏକ କୋଟିରୁ ଦେଢ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ୬ ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ହେଲିକପ୍ଟର ବ୍ୟବହାର କରାଯାଇଛି, ଯାହାର କି ହାରାହାରି ଖର୍ଚ୍ଚ ମାସ ପିଚ୍ଛା କୋଟିଏ ରୁ ଦେଢ କୋଟି ଟଙ୍କା ମଧ୍ୟରେ ହୋଇଛି। ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ।

ସଂପୂର୍ଣ୍ଣ ବୃତ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଭିଯୋଗ ଶୁଣାଣୀ କରିଛି। ଏହି ଶୁଣାଣୀ ସମୟରେ ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏ ସେଥିପାଇଁ ହୋଇଥିବା ଅର୍ଥ ମଂଜୁରୀ ସଂପର୍କରେ ସୂଚନା ଦିଆଯାଇଛି। ଲୋକଙ୍କ ଅଭିଯୋଗର ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ମୁଁ ସ୍ବତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଥିଲି।

ଲୋକଙ୍କ ଅଭିଯୋଗ ଶୁଣାଣୀ ନିମନ୍ତେ ବିଭିନ୍ନ ସ୍ଥାନରେ ଯେଭଳି ବୃତ୍ତିଗତ ଭାବରେ ଦକ୍ଷତାର ସହ ପଦକ୍ଷପ ଗ୍ରହଣ କରାଗଲା, ସେଥିପାଇଁ ମୁଁ ମାନ୍ୟବର ମନ୍ତ୍ରୀଗଣ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରଙ୍କ ବିଭିନ୍ନ ବିଭାଗ ତଥା ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି।

ସେମାନଙ୍କ ଅଞ୍ଚଳରେ ଅନେକ ଅଭିଯୋଗର ସମାଧାନ କରାଯାଇଥିବାରୁ, ବିରୋଧୀ ଦଳର ସଦସ୍ୟ ମାନେ ମଧ୍ୟ ଖୁସି ହେବା ଉଚିତ। ମୁଁ ବୁଝିପାରୁ ନାହିଁ, ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ କିଏ କିପରି ବିରୋଧ କରିପାରିବ ? ଏଭଳି ବିରୋଧ ଜନବିରୋଧୀ ଏବଂ ଜନସାଧାରଣ ଏଭଳି ମନୋବୃତ୍ତିକୁ ଉଚିତ ଜବାବ ଦେବେ ।

ସେ ଯାହା ହେଉ ନା କାହିଁକି, ଆମ ସମସ୍ତେ ଜନତାର ସେବକ। ଜନସାଧାରଣଙ୍କ ଅଭିଯୋଗର ଶୁଣାଣୀ ଆମର ସର୍ବୋଚ୍ଚ ପ୍ରାଥମିକତା ।

ଜନସାଧାରଣ ଖୁସି
ଲୋକ ପ୍ରତିନିଧିମାନେ ଖୁସି

ବିରୋଧୀ ଦଳର ସଦସ୍ୟମାନେ କେବଳ ରାଜନୈତିକ କାରଣ ଦୃଷ୍ଟିରୁ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ । ମୋ ସରକାର ପାଇଁ, ଜନସାଧାରଣ ହେଉଛନ୍ତି ପ୍ରଥମ। ଲୋକଙ୍କ ସମସ୍ୟା ସମାଧାନ ଆମର ସର୍ବୋcଚ୍ଚ ପ୍ରାଥମିକତା ଏବଂ ଏହାକୁ ସର୍ବୋତ୍ତମ ଭାବରେ ସଂପାଦନ କରିବା ପାଇଁ ମୁଁ କାମ କରିଚାଲିବି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କୁ କାହିଁକି ଜିଲ୍ଲା ଗସ୍ତରେ ପଠାଯାଇଥିଲା, ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି ଗୃହରେ ୫ଟି ସଚିବ ଭି କେ ପାଣ୍ଡିଆନ ବା ସିଏମଓଙ୍କ ଗସ୍ତ ସଂପର୍କରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ହଟ୍ଟଗୋଳ କରିଥିଲେ। ସେମାନେ ମନ୍ତ୍ରୀ ବଡ ନା ସଚିବ ବଡ ନାରାବାଜି ଦେଇ ଗୃହକାର୍ଯ୍ୟକୁ ଅଚଳ କରିଦେଇଥିଲେ। ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଦିନ ୧୨ ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ନିଜର ବିବୃତି ପ୍ରଦାନ କରିଥିଲେ। ସେ ବିରୋଧୀଙ୍କର ନାରା ବାଜିକୁ କଡା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ସେ ୫ଟି ସଚିବ ବା ସିଏମଓକୁ କାହିଁକି ଜିଲ୍ଲା ଗସ୍ତରେ ପଠାଇଥିଲେ ତାହାର ପ୍ରମାଣ ରଖିଥିଲେ। ଯାହାକୁ ନେଇ ବିରୋଧୀ ଚୁପ ହୋଇଯାଇ ଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରହିଛି। ସେଠାରେ ସିଏମଓ ବା ମୁଖ୍ୟମନ୍ତ୍ରୀ ଅଧିକାରୀମାନେ ପରିଚାଳନା କରନ୍ତି। ହେଲେ ଗତ କୋଭିଡ ବେଳେ ତାହା ଦୁଇ ବର୍ଷ ପାଇଁ ବନ୍ଦ ରହିଥିଲା। ଏହାପରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଥିଲା। ହେଲେ ପୂର୍ବ ଅପେକ୍ଷା ସେଠାକୁ ଲୋକେ ଆସିବା ହାର ହ୍ରାସ ପାଇଥିଲା। ଦୂରଦୂରାନ୍ତରୁ ଆଉ ଲୋକେ ଅଭିଯୋଗ କରିବା ପାଇଁ ଆସି ନ ଥିଲେ।

ଏହାକୁ ଦୃଷ୍ଟିରେ ରଖି ଏହି ଅଭିଯୋଗ ପ୍ରକୋଷ୍ଠକୁ ଲୋକଙ୍କ ପାଖକୁ ନେବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ସେହି ଅନୁସାରେ ସିଏମଓ ବା ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟ ଅଧିକାରୀ ଜିଲ୍ଲା, ବ୍ଲକ, ପଞ୍ଚାୟତ ଇତ୍ୟାଦି ବୁଲି ବୁଲି ଲୋକଙ୍କ ଅଭିଯୋଗ ସଂଗ୍ରହ କରିଥିଲେ। ଗତ ଛଅ ମାସ ମଧ୍ୟରେ ସିଏମଓ ୧୯୦ ସ୍ଥାନରେ ଅଭିଯୋଗ ଶୁଣାଣି କରିଛି। ସେଥିରେ ୫୭୪୪୨ ଗୋଟି ପିଟିସନ ସଂଗ୍ରହ କରାଯାଇ ୪୩୫୩୬ ଟି ଅଭିଯୋଗର ସମାଧାନ କରାଯାଇଛି। ଏ ସବୁ ଜନଶୁଣାଣି ପୋର୍ଟାଲରେ ଉପଲବ୍ଧ ଅଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ହେଉଛି ଦେଶର ସବୁଠାରୁ ବୃହତ ଜନଶୁଣାଣି ଏବଂ ଦେଶରେ ପ୍ରଥମ। ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେତେବେଳେ କୋଭିଡ ହୋଇଥିଲା ସେତେବେଳେ ସମସ୍ତେ ଘରେ ଥିବା ବେଳେ ଏହି ସିଏମଓ ଚାରିଆଡେ ବୁଲି ଲୋକଙ୍କ ସ୍ବାସ୍ଥ୍ୟ କଥା ଦେଖୁଥିଲା। ସେମାନେ ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ରାଜନୈତିକ ସମାଲୋଚନାକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ବରର ଯେଉଁ ଅଭିଯୋଗ ପ୍ରକୋଷ୍ଠ ରହିଛି ସେଠାରେ କେହି ମନ୍ତ୍ରୀ ଯାଆନ୍ତି ନାହିଁ। ତାହା ସେହି ସିଏମଓ ଙ୍କ ଦ୍ବାରା ଶୁଣାଣି କରାଯାଏ। ଯେଉଁ ବିଭାଗର ଅଭିଯୋଗ ଆସିଥାଏ ତାହା ସେହି ବିଭାଗକୁ ପଠାଯାଇଥାଏ। ତାହା ସେହି ମନ୍ତ୍ରୀଙ୍କ ଦ୍ବାରା ତଦରାଖ କରାଯାଇ ସମାଧାନ କରାଯାଇଥାଏ। ବର୍ତ୍ତମାନ ସେହି କାର୍ଯ୍ୟ ଜିଲ୍ଲାୱାରୀ କରାଯାଇଛି। ଯେଉଁଥିରେ ମନ୍ତ୍ରୀ କିମ୍ବା ବିଧାୟକ ରହିବାର ଆବଶ୍ୟକତା ନ ଥିଲା।

ଶେଷ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସିଏମଓ ଜିଲ୍ଲା ଗସ୍ତ ନେଇ ଜନସାଧାରଣ ଖୁସି, ନିର୍ବାଚିତ ପ୍ରତିନିଧିମାନେ ଖୁସି, ହେଲେ ରାଜନୈତିକ କାରଣ ପାଇଁ ବିରୋଧୀ ଦଳ ଖୁସି ନୁହନ୍ତି। ତେବେ ଲୋକଙ୍କ ଖୁସି ପାଇଁ ଏହିପରି ଜନଶୁଣାଣି ଆଗକୁ ମଧ୍ୟ ଜାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ବଡ ନା ସଚିବ ବଡ ନେଇ ବିଧାନସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭରୁ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ସେମାନେ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାଦ୍ବାରା ଆଜି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଠିକରେ ଚାଲିପାରି ନ ଥିଲା।

ଆଜି ବିରୋଧୀ ବିଜେପି ଏକ ମୁଲତବୀ ପ୍ରସ୍ତାବ ଆଣିଥିଲେ। ତାହା ଥିଲା ମନ୍ତ୍ରୀ ବଡ ନା ସଚିବ ବଡ। ହେଲେ ଏହାକୁ ବାଚସ୍ପତି ଗ୍ରହଣ କରି ନ ଥିଲେ। ଏହାକୁ ନେଇ ବିରୋଧୀ ବିଜେପି ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭା, ଶୋକ ପ୍ରସ୍ତାବ ପରେ ଗୃହ ମୁଲତବି

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଏଥିରେ ମୁଖ୍ୟମନ୍ତ୍ରୀ ଦିବଗଂତ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ନିବେଦିତା ପ୍ରଧାନ, କୁମର ବେହେରା ଓ ରମେଶ ସୋରେନ ଏବଂ ଦିବଙ୍ଗତ ପୁଲିସ କର୍ମୀ ଦେବାଶିଷ ବିଶ୍ବାଳ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ସୁଶାନ୍ତ କୁମାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଏହି ପ୍ରସ୍ତାବକୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ। ଏହାପରେ ଏକ ମିନିଟ ପାଇଁ ଗୃହରେ ନିରବ ପ୍ରାର୍ଥନା କରାଯାଇଥିଲା। ବାଚସ୍ପତି ଦିବଗଂତ ନେତାଙ୍କ ଉଦ୍ଦେଶ୍ୟରେ ଗୃହ କାର୍ଯ୍ୟକୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଏହା ପୂର୍ବରୁ ଆଜି ବାଚସ୍ପତି ଭାବେ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାମ ଗୃହରେ ଉପବାଚସ୍ପତି ଘୋଷଣା କରିଥିଲେ। ଏହାପରେ ସେ ବସିଥିବା ଆସନରୁ ତାଙ୍କୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତିଙ୍କୁ ସ୍ବାଗତ କରିଥିଲେ। ବାଚସ୍ପତି ହେବା ପରେ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କିଛି ସମୟ ପରେ ସେ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରମିଳା ମଲ୍ଲିକ ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି। ଆସନ୍ତାକାଲି ବିଧାନସଭାରେ ହେବ ବାଚସ୍ପତି ନିର୍ବାଚନ। ଏଥିରେ ବିଜେଡି ପ୍ରାର୍ଥୀ ଭାବେ ପ୍ରମିଳା ନାମାଙ୍କନ ଦାଖଲ କରିବେ। ସଂଖ୍ୟା ଦୃଷ୍ଟିରୁ ପ୍ରମିଳା ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ। ଏହା ଫଳରେ ସେ ଓଡିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି ହେବେ।

ଯାଜପୁର ଜିଲ୍ଲା ବିଂଝାରପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ପ୍ରମିଳା ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ସେ ପ୍ରଥମେ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ପୂର୍ବରୁ ସେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଏବଂ ସରକାରୀ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ ମଧ୍ୟ କରିଆସିଛନ୍ତି।

ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି। ବର୍ତ୍ତମାନ ଉପବାଚସ୍ପତି ରଜନୀକାନ୍ତ ସିଂ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି।

Categories
ବିଶେଷ ଖବର

ଉପରାଷ୍ଟ୍ରପତିଙ୍କ ମନ୍ତବ୍ୟ ପରେ ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟ ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ବିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର କହିଛନ୍ତି ଯେ ଦେଶର ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଦିନ ଦୂର ନୁହେଁ।

୨୦୧୦ମସିହାରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲେ ହେଁ ଲୋକସଭାରେ ଏହାକୁ ଅନୁମୋଦନ ନ ମିଳିବାରୁ ଏହା ଅଚଳ ହୋଇଯାଇଥିଲା।

ଉପରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରେ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଗତ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି, ଯାହାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

ମଙ୍ଗଳବାର ଦିନ ତେଲେଙ୍ଗାନାର ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ମଧ୍ୟ ସଂସଦରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ୪୭ଟି ରାଜନୈତିକ ଦଳର ସଭାପତିଙ୍କୁ ଏକ ଚିଠି ଲେଖି ରାଜନୈତିକ ମତଭେଦକୁ ଦୂର କରି ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ ପାରିତ କରିବାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି।
୧୯୯୬ମସିହାରେ ଦେବେଗୌଡ଼ା ସରକାର ପ୍ରଥମେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ପାଇଁ ଏକ ବିଲ ଆଗତ କରିଥିଲେ। ଏହାପରେ ୟୁପିଏ ସରକାର ୨୦୦୮ ମସିହାରେ ସମ୍ବିଧାନ (ଅଷ୍ଟମ ସଂଶୋଧନ) ବିଲ ନାମରେ ପରିଚିତ ଏହି ବିଲକୁ ପୁନଃ ଆଗତ କରିଥିଲେ।

୨୦୧୦ମସିହାରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା, କିନ୍ତୁ ପଞ୍ଚଦଶ ଲୋକସଭାରେ ଏହି ବିଲ ପାରିତ ହୋଇପାରିନଥିଲା ଏବଂ ଏହା ଭଙ୍ଗ ହେବା ପରେ ଏହା ଅଚଳ ହୋଇଯାଇଥିଲା। ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଭଳି ଦଳ ଏହି ବିଲକୁ ବର୍ତ୍ତମାନର ରୂପରେ ବିରୋଧ କରି ‘କୋଟା ଭିତରେ ସଂରକ୍ଷଣ’ ଦାବି କରିଛନ୍ତି। ଦଳିତ, ପଛୁଆ, ଅତ୍ୟନ୍ତ ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ଉଚିତ ବୋଲି ଦଳଗୁଡ଼ିକ ଯୁକ୍ତି ବାଢ଼ିଛନ୍ତି। ଆରଜେଡି କହିଛି ଯେ ଯଦି ଏହି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ମହିଳାଙ୍କ ପାଇଁ ସଂରକ୍ଷଣ ୫୦%କୁ ବୃଦ୍ଧି କରିବାକୁ ପଡ଼ିବ ତେବେ ଏହାର କୌଣସି ଅସୁବିଧା ନାହିଁ, କିନ୍ତୁ ସଂରକ୍ଷଣରେ ସଂରକ୍ଷଣ ବିନା ଏହା “ଅର୍ଥହୀନ” ଅଟେ।

ସମ୍ବିଧାନ ସଂଶୋଧନ ହୋଇଥିବାରୁ ଲୋକସଭାରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ। ୨୦୧୪ରେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରର ଏକ ଅଂଶ ଥିଲା ଏବଂ ଏହା ଗୃହୀତ ହେବାଦ୍ୱାରା ଦଳ ମହିଳାଙ୍କ ଭୋଟକୁ ସୁଦୃଢ଼ କରିବାରେ ସହାୟକ ହେବ।

ସୋମବାର ଜୟପୁରର ଏକ କଲେଜରେ ‘ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭାଗିଦାରୀ’ ଶୀର୍ଷକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଧନଖଡ଼ କହିଥିଲେ ଯେ ସେହିଦିନ ଦୂର ନୁହେଁ ଯେତେବେଳେ ସମ୍ବିଧାନରେ ସଂଶୋଧନ ମାଧ୍ୟମରେ ମହିଳାମାନେ ସଂସଦ ଏବଂ ବିଧାନସଭାରେ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ପାଇବେ। ଖୁବଶୀଘ୍ର ଏହି ସଂରକ୍ଷଣ ଦିଆଗଲେ ୨୦୪୭ ପୂର୍ବରୁ ଭାରତ ବିଶ୍ୱ ଶକ୍ତିରେ ପରିଣତ ହେବ ବୋଲି ସେ କହିଛନ୍ତି।

ପ୍ରଶାସନ, କର୍ପୋରେଟ ଜଗତ ଓ ସେନା ସମେତ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ନୂଆ ନୂଆ ମଡେଲ ତିଆରି କରୁଥିବାରୁ ମହିଳାଙ୍କ ପାଇଁ ଆକାଶ ହେଉଛି ସୀମା ବୋଲି ଶ୍ରୀ ଧନଖଡ଼ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମଙ୍ଗଳବାର ଭାରତ ରାଷ୍ଟ୍ର ସମିତି ନେତ୍ରୀ ତଥା ପୂର୍ବତନ ଲୋକସଭା ସାଂସଦ କେ କବିତା ତାଙ୍କ ଚିଠିରେ କହିଛନ୍ତି ଯେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଏକ ସ୍ୱତନ୍ତ୍ରତାର ବିଷୟ ନୁହେଁ ବରଂ ଏକ ଅଧିକ ସମାନ ଏବଂ ସନ୍ତୁଳିତ ରାଜନୈତିକ ଦୃଶ୍ୟପଟ୍ଟ ସୃଷ୍ଟି କରିବାର ଏକ ମାଧ୍ୟମ। ଏହି ମାମଲାର ଜରୁରୀକୁ ସ୍ୱୀକାର କରି ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବାକୁ ସେ ସମସ୍ତ ଦଳକୁ ଅନୁରୋଧ କରିଛନ୍ତି।

ଗତ ଜୁଲାଇ ମାସରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସରକାର ରାଜ୍ୟସଭାରେ କହିଥିଲେ ଯେ ମହିଳା ସଂରକ୍ଷଣ ବିଲ ସଂସଦକୁ ଅଣାଯିବା ପୂର୍ବରୁ ସମସ୍ତ ରାଜନୈତିକ ଦଳର ସହମତି ଆଧାରରେ ସତର୍କତାର ସହ ବିଚାର କରାଯିବାର ଆବଶ୍ୟକତା ରହିଛି। ଏହାର ଉତ୍ତରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ଯେ ଲିଙ୍ଗଗତ ନ୍ୟାୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି।

Categories
ବିଶେଷ ଖବର ରାଜ୍ୟ ଖବର

ହାଇଟେକ ହେବ ଓଡିଶା ବିଧାନସଭା, ବିଧାୟକଙ୍କୁ ଦିଆଗଲା ନେଭା ଆପ୍ଲିକେସନ୍‌ ପ୍ରଶିକ୍ଷଣ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାକୁ ସଂପୂର୍ଣ୍ଣ ଭାବେ ପେପରଲେସ୍‌ ବିଧାନସଭାରେ ପରିଣତ କରିବା ସହ ସମସ୍ତ କାର୍ଯ୍ୟ ଡିଜିଟାଲ୍‌ ମାଧ୍ୟମରେ ସଂପାଦନ କରିବା ଉଦ୍ଦେଶ୍ୟରେ ବିଧାନସଭାର ସମସ୍ତ ସଦସ୍ୟ, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଭା ଆପ୍ଲିକେସନ୍‌ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ବିଧାନସଭାରେ ବିଧାୟକମାନଙ୍କ ପାଇଁ ବିଧାନସଭା ପରିସର ସ୍ଥିତ ନେଭା ସେବା କେନ୍ଦ୍ରଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି।

କାର୍ଯ୍ୟକାରୀ ବାଚସ୍ପତି ଶ୍ରୀରଜନୀକାନ୍ତ ସିଂହ ଏହି କାର୍ଯ୍ୟ କ୍ରମକୁ ଉଦ୍‌ଘାଟନ କରି ଉପସ୍ଥିତ ବିଧାୟକମାନଙ୍କୁ କହିଲେ ଯେ ଉଭୟ ସଂସଦ ଏବଂ ବିଭିନ୍ନ ରାଜ୍ୟର ବିଧାନସଭାଗୁଡ଼ିକୁ ପେପରଲେସ କରି ଡିଜିଟାଲ୍‌ ଉପାୟରେ ପରିଚାଳିତ କରିବା ପାଇଁ ନ୍ୟାସନାଲ ଇ-ବିଧାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ। ଆଗାମୀ ଦିନରେ ଦେଶବ୍ୟାପୀ ଏହା କାର୍ଯ୍ୟକାରୀ ହେବ। ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଲ୍‌ ପଦ୍ଧତିରେ ଏହି ନେଭା ଆପ୍ଲିକେସନ୍‌ ଜରିଆରେ ସଂପାଦିତ ହେବ।

ଏଣୁ ଏହି ବ୍ୟବସ୍ଥା ସହ ବିଧାନସଭା ସଂପୃକ୍ତ ସମସ୍ତଙ୍କୁ ଅଭ୍ୟସ୍ତ ହେବାକୁ ପଡ଼ିବ। ଏହି ଅପ୍ଲିକେସନ୍‌ ଜରିଆରେ ସାଧାରଣ ନାଗରିକମାନେ ମଧ୍ୟ ବିଧାନସଭାର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇପାରିବେ। ଆଗାମୀ ଦିନରେ ଏହି ଆପ୍ଲିକେସନ୍‌ ଜରିଆରେ ବିଧାନସଭାର ପ୍ରଶାସନିକ କାର୍ଯ୍ୟ ମଧ୍ୟ ସରଳ ହୋଇପାରିବ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ବିଧାନସଭା ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଶ୍ରୀଅନନ୍ତ ଦାସ, ବରିଷ୍ଠ ବିଧାୟକ ତଥା ଲାଇବ୍ରେରୀ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ବିଧାୟକମାନଙ୍କୁ ଏହି ଆପ୍ଲିକେସନ୍‌ ଜରିଆରେ କିଭଳି ସୁଚାରୁ ରୂପେ କାର୍ଯ୍ୟ ସଂପାଦନ ହୋଇପାରିବ ସେ ସମ୍ବନ୍ଧରେ କହିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ପେପରଲେସ୍‌ ଓଡ଼ିଶା ବିଧାନସଭା ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟତମ ଅତିଥି ଭାବେ ଏନ୍‌ଆଇସି, ଭୁବନେଶ୍ୱରର ରାଜ୍ୟ ସୂଚନା ଅଧିକାରୀ ଶ୍ରୀ ଅଶୋକ କୁମାର ହୋତା କହିଥିଲେ ଯେ ଓଡ଼ିଶା ବିଧାନସଭାରେ ନେଭାର ପ୍ରୟୋଗକୁ ଜାତୀୟ ସ୍ତରୀୟ ନେଭା କାର୍ଯ୍ୟକ୍ରମରେ ପ୍ରଶଂସା ମିଳିଛି। ଏନ୍‌ଆଇସି ପକ୍ଷରୁ ଭବିଷ୍ୟତରେ ବିଧାନସଭା ଅଧିବେଶନର ସମସ୍ତ ବିଷୟ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ ଜାରି ରହିଛି।

ବିଧାୟକମାନେ ରାଜ୍ୟର ପ୍ରଗତି ପାଇଁ କିଭଳି ଭାବେ ଉଦ୍ୟମ କରିଥିଲେ ତାହା ଆଗାମୀ ପିଢ଼ିଙ୍କ ନିକଟରେ ଉପସ୍ଥାପନ କରିବାରେ ଏହି ଆପ୍ଲିକେସନ୍‌ ସହାୟକ ହେବ ବୋଲି ସେ କହିଥିଲେ। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏନ୍‌ଆଇସି ପକ୍ଷରୁ ଇ-ବିଧାନ ଆପ୍ଲିକେସନ୍‌ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଲାଇବ୍ରେରୀ କମିଟିର ସଦସ୍ୟମାନେ ଆଜି ପ୍ରଶିକ୍ଷଣ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍‌ଆଇସିର ଅଧିକାରୀଙ୍କ ସମେତ ବିଧାନସଭାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପକ୍ଷରୁ ନ୍ୟାୟିକ ସେବାର ଶିକ୍ଷାନବିସମାନଙ୍କ ପାଇଁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପକ୍ଷରୁ ଆଜି ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ନ୍ୟାୟିକ ସେବାର ଶିକ୍ଷାନବିସମାନଙ୍କ ପାଇଁ ଏକ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ନ୍ୟାୟିକ ସେବାର ୫୧ ଜଣ ଶିକ୍ଷାନବିସ ଯୋଗ ଦେଇଛନ୍ତି।

ପୂର୍ବାହ୍ନରେ ବିଧାନସଭା ସମ୍ମିଳନୀ କକ୍ଷରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଉଦ୍‌ଘାଟନ କରିବା ସହ ଶିକ୍ଷାନବିସମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିକ୍ଷାନବିସମାନଙ୍କୁ ଓଡ଼ିଶା ବିଧାନସଭାର ଇତିହାସ ଓ ବିଭିନ୍ନ କାର୍ଯ୍ୟାବଳୀ ସମ୍ବନ୍ଧରେ ସେ ବିଶଦ ସୂଚନା ଦେଇଥିଲେ।

ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଜ୍ଞାନ ଆହରଣ ଏକ ନିରନ୍ତର ପ୍ରକ୍ରିୟା। ନିଜର ଜ୍ଞାନରେ ସନ୍ତୁଷ୍ଟ ନହୋଇ ଅଧିକ ଜାଣିବାର ଆଗ୍ରହ ସବୁବେଳେ ବଳବତ୍ତର ରହିବା ଆବଶ୍ୟକ। ଗଣତନ୍ତ୍ରର ତିନୋଟି ସ୍ତମ୍ଭ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଏବଂ ନ୍ୟାୟପାଳିକାର ବିଭିନ୍ନ ବିଶେଷତ୍ୱ ସମ୍ବନ୍ଧରେ ବର୍ଣ୍ଣନା କରିବା ସହ ସେ ବିଧାୟକମାନଙ୍କ ଭୂମିକା ଏବଂ ଆହ୍ୱାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଧନେଶ୍ୱର ମଲ୍ଲିକ କହିଲେ ଯେ ବିଧାନସଭାର ବିଭିନ୍ନ କାର୍ଯ୍ୟକ୍ରମ କିପରି ସମାପନ ହୁଏ ସେ ସମ୍ବନ୍ଧରେ ଜାଣିବା ପାଇଁ ଆପଣମାନଙ୍କୁ ଏକ ସୁଯୋଗ ମିଳିଛି ଏବଂ ଏଥିରୁ ଆପଣମାନେ ବହୁତ କିଛି ଶିଖି ପାରିବେ। ସେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଏବଂ ନ୍ୟାୟପାଳିକାର ବିଭିନ୍ନ ଦିଗ ଏବଂ ଏହାର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସୂଚନା ଦେଇଥିଲେ।

ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସାଧନ ବକ୍ତା ଭାବେ ବିଧାନସଭାରେ ବିଭିନ୍ନ ବିଲ୍‌ କିପରି ପ୍ରସ୍ତୁତ ଓ ପାରିତ ହୋଇଥାଏ ସେ ସଂପର୍କରେ ଶିକ୍ଷାନବିସମାନଙ୍କୁ ସୂଚନା ଦେଇଥିଲେ । ଅନ୍ୟତମ ସାଧନ ବକ୍ତା ଭାବରେ ଯୋଗଦେଇ ବିଧାନସଭାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀ ବିଜୟ କୁମାର ସାହୁ ବିଧାନସଭାର ଗଠନ ଏବଂ ବିଧାନସଭା ଗୃହ ମଧ୍ୟସ୍ଥ ଅନ୍ୟାନ୍ୟ କାର୍ଯ୍ୟର ପରିଚାଳନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ବାଚସ୍ପତି ବିଧାନସଭା ସଂପର୍କିତ ଶିକ୍ଷାନବିସମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଆଇନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ ଗବେଷଣା ଅଧିକାରୀ ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ୧୭୫ତମ ଜୟନ୍ତୀ ପାଳିତ ହୋଇଯାଇଛି।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ପୂର୍ବାହ୍ନରେ ବିଧାନସଭା ପରିସରସ୍ଥିତ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଉପବାଚସ୍ପତି ରଜନୀକାନ୍ତ ସିଂହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥୀ, ଅନନ୍ତ ନାରାୟଣ ଜେନା, ବିଧାନସଭା ସଚିବ ଦାଶରଥି ଶତପଥୀ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ରର ଶିଳ୍ପୀବୃନ୍ଦ ଉତ୍କଳଗୌରବ ମଧୁସୂଦନଙ୍କ ଜୀବନୀ ଆଧାରିତ ସଂଗୀତ ପରିବେଷଣ କରିଥିଲେ।

Categories
ବିଶେଷ ଖବର

ବିଧାନସଭାରେ ବାଚଳାମୀ ଓ ପାଗଳାମୀରୁ କ୍ଷାନ୍ତ ରହନ୍ତୁ ବିରୋଧୀଦଳ ନେତା: ଅରୁଣ ସାହୁ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇ ସାରିଥିଲେ ମଧ୍ୟ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରି ବିଧାନସଭାକୁ ବନ୍ଦ କରୁଛନ୍ତି। ଫଳରେ ବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସମ୍ବଳିତ ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁ ନାହିଁ। ତେଣୁ ଏଭଳି ବାଚଳାମୀ ଓ ପାଗଳାମୀରୁ ବିରୋଧୀଦଳ ନେତା କ୍ଷାନ୍ତ ରହିବା ଉଚିତ। ଆଜି ବିଧାନସଭା ବାହାରେ ଗଣମାଧ୍ୟମକୁ ବିବୃତି ଦେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଏମିତି ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ବିଧାୟକ ଅରୁଣ ସାହୁ।

ଶ୍ରୀ ସାହୁ କହିଛନ୍ତି ଯେ, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଶ୍ରୀ ମିଶ୍ର ଓ ଅନ୍ୟ ବିଜେପି ବିଧାୟକମାନେ ବହୁବାର ପ୍ରଶ୍ନ କରିଛନ୍ତି, ମୁଲତବୀ ପ୍ରସ୍ତାବ ଆଣିଛନ୍ତି, ଗୃହ ବିଭାଗର ଆଲୋଚନା ବେଳେ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି, ଯେ କୌଣସି ବିଭାଗର ଆଲୋଚନାବେଳେ ମଧ୍ୟ ସେମାନେ ଟାଣିଓଟାରି ଏକଥା ପକାଇଛନ୍ତି। ଚଳିତ ଅଧିବେଶନର ସବୁତକ ଦିନ ସେହି ଗୋଟିଏ କଥାକୁ ଉଠାଉଛନ୍ତି। ଯେଉଁମାନଙ୍କର ଟିକେ ପାଗଳାମୀ ଥାଏ, ସେମାନେ ଗୋଟିଏ କଥାକୁ ବାରମ୍ବାର କହି ଚାଲିଥାନ୍ତି। ଠିକ୍ ସେମିତି ବିରୋଧୀଦଳ ନେତା ଅଭ୍ୟାସଗତ କାହାଣୀକାର ଭଳି ଏହି ଗୋଟିଏ ପ୍ରସଙ୍ଗରେ ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ସେ ମାନସିକ ସ୍ତରରେ ଅସୁସ୍ଥ ଓ ଦେବାଳିଆ ହୋଇ ଯାଇଛନ୍ତି। କେତେବେଳେ କ’ଣ କହୁଛନ୍ତି ତାହା ନିଜେ ଜାଣି ପାରୁନାହାନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ମୁଖ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇ କେତେଥର ଏଫବିଆଇର ସହାୟତା ଲୋଡ଼ିଛି, ବିରୋଧୀଦଳ ନେତା ତାହା ଯଦି ଜାଣନ୍ତି ନାହିଁ, ତେବେ ନିଜ ଦଳର କେନ୍ଦ୍ରୀୟ ନେତାମାନଙ୍କୁ ପଚାରନ୍ତୁ। ଏ ବିଷୟରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ସେ ଆଗ ସେମାନଙ୍କଠାରୁ ବୁଝନ୍ତୁ। ଯଦି ସେ ଭାବୁଥାନ୍ତି ଯେ ବିଧାନସଭା କେବଳ ଗୋଟିଏ ଘଟଣାକୁ ନେଇ ଚାଲିବ, ଓଡ଼ିଶାବାସୀଙ୍କର ଆଉ ଅନ୍ୟାନ୍ୟ ପ୍ରସଙ୍ଗ ତାଙ୍କ ପାଇଁ ମୂଲ୍ୟହୀନ ବୋଲି ମନେ କରି ସେ ବିଧାନସଭାରେ ଆଲୋଚନା କରାଇଦେବାକୁ ଚାହୁଁ ନ ଥାନ୍ତି, ତାହେଲେ ଏହା ଅତ୍ୟନ୍ତ ରୁଗ୍ଣ ମାନସିକତାର ପରିଚୟ ବୋଲି ଶ୍ରୀ ସାହୁ କହିଛନ୍ତି।

ବିରୋଧୀଦଳ ନେତାଙ୍କୁ ତୀବ୍ର ସମାଲୋଚନା କରି ଶ୍ରୀ ସାହୁ ଆହୁରି କହିଛନ୍ତି ଯେ, ଓଡ଼ିଶା ସରକାର ଯେଉଁ ବଜେଟ୍ ତିଆରି କରିଛନ୍ତି, ତାହା ଓଡ଼ିଶାବାସୀଙ୍କ ପାଇଁ ପ୍ରେରିତ। ମାତ୍ର ବିରୋଧୀଦଳ ନେତାଙ୍କ ପାଇଁ ଏସବୁ କିଛି ମାନେ ରଖେ ନାହିଁ। ବିଧାନସଭାରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାକୁ ଥିବାବେଳେ ସେ ନବଦାସ ହତ୍ୟା ମାମଲା ସଂପର୍କରେ ମନଗଢ଼ା କାହାଣୀ ଗପୁଛନ୍ତି। ବିଧାନସଭାର ସମୟ ନଷ୍ଟ କରିବା ଏବଂ କୌଣସି କାରଣ ନ ଥାଇ ବିଧାନସଭାକୁ ବନ୍ଦ କରିଦେବା ତାଙ୍କ ମାନସିକ ଦେବାଳିଆପଣକୁ ସୂଚାଉଛି।

ଅସଲ କଥା ହେଲା, ନବ ଦାସଙ୍କ ହତ୍ୟା ମାମଲାରୁ ରାଜନୈତିକ ଫାଇଦା ନେବା ଲାଗି ଜୟନାରାୟଣ ବାବୁ ଆପ୍ରାଣ ଚେଷ୍ଟା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖି ସବୁ କଥା ସ୍ପଷ୍ଟ କଲା ପରେ ମଧ୍ୟ ସେ ହୀନ ରାଜନୀତି କରୁଛନ୍ତି। ଗୋପାଳକୁ ପାଗଳ କହି କହି ନିଜେ ପାଗଳ ବୋଲି ସମସ୍ତଙ୍କ ଆଗରେ ପରିଚୟ ଦେଉଛନ୍ତି। ତେଣୁ ବିରୋଧୀଦଳ ନେତା ବିଧାନସଭାରେ ପାଗଳାମୀ ଓ ବାଚଳାମୀ ବନ୍ଦ କରି ଓଡ଼ିଶା ଲୋକଙ୍କ ସ୍ୱାର୍ଥ ଲାଗି ଲଢ଼େଇ କରନ୍ତୁ ବୋଲି ଶ୍ରୀ ସାହୁ ତାଙ୍କୁ ଆହ୍ୱାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମହାନଦୀ ଜଳ ବିବାଦ ନେଇ ହାଙ୍ଗାମା, ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭାରେ ମହାନଦୀ ଜଳ ବିବାଦ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ, ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ସଦସ୍ୟ ଶୁଣି ନ ଥିଲେ। ଫଳରେ ବାଚସ୍ପତି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି।

ଆଜି କଂଗ୍ରେସ ତରଫରୁ ମହାନଦୀ ଜଳ ବିବାଦ ନେଇ ଏକ ମୁଲତବି ପ୍ରସ୍ତାବ ଆଣିଥିଲେ। ହେଲେ ବାଚସ୍ପତି ତାହାକୁ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ଗୃହରେ କଂଗ୍ରେସ ହଟ୍ଟଗୋଳ ଆରମ୍ଭ କରିଥିଲା। ହେଲେ ଶାସକ ଦଳ କହିଥିଲା ଯେ, ବର୍ତ୍ତମାନ ବଜେଟ ଉପରେ ଆଲୋଚନା ଚାଲିଛି। ଏହାକୁ ଶୂନ୍ୟ କାଳରେ ସଦସ୍ୟମାନେ ଉଠାଇ ପାରିବେ ବୋଲି କହିଥିଲେ। ଏହାକୁ ନେଇ ବିରୋଧୀ ଶାସକ ମଧ୍ୟରେ କଥା କଟାକଟି ପରେ ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପ୍ରଶ୍ନପତ୍ର ଲିକ ନେଇ ହଟ୍ଟଗୋଳ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ଆଜି ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବା ପରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ମାଟ୍ରିକ ପ୍ରଶ୍ନପତ୍ର ଲିକ ଅଭିଯୋଗରେ ଏହି ହଟ୍ଟଗୋଳ କରିଥିଲେ। ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ।

ବାଚସ୍ପତିଙ୍କ ପୋଡିୟମ ତଳେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ପରିସ୍ଥିତିରେ କୌଣସି ସୁଧାନ ନ ଆସିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ତେବେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ବିଭିନ୍ନ ଦଳର ନେତାମାନେ ଶୋକ ବାର୍ତ୍ତା ଦେବା ପରେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗୌତମ ଆଦାନୀଙ୍କ ଓଡିଶା ବ୍ୟବସାୟକୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ

ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନ ଉତ୍ତର କାଳରେ ବିବାଦୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ଓଡିଶା ବ୍ୟବସାୟ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରଶ୍ନ ଉତ୍ତର ବେଳେ ଏହା ଉପରେ ନଜରକୁ ଆଣିଥିଲେ କଂଗ୍ରେସ ବିଧାୟକ। ଜଟଣୀର ବିଧାୟକ ସୁରେଶ ରାଉତରାୟ ଆଦାନୀ ଉପରେ ପ୍ରଶ୍ନ ପଚାରିଥିଲେ।

ବିଧାନସଭାରେ ସୁର ରାଉତରାୟ କହିଥିଲେ ଯେ, ଓଡିଶାରେ ଧାମରା ପୋର୍ଟ ଆଦାନୀଙ୍କୁ ଦିଆଯାଇଛି। ଏହି ପୋର୍ଟ ଦେବା ପାଇଁ ରାଜ୍ୟ ସରକାର ଟେଣ୍ଡର ଡାକିଥିଲେ କି ? ଯାହା ଖବର ଅଛି ସରକାର କୌଣସି ଟେଣ୍ଡର ନ କରି ଆଦାନୀଙ୍କୁ ଏହି ପୋର୍ଟ ଦେବା ସତ କି? ଏହାର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ, ଆଦାନୀଙ୍କୁ ଧାମର ପୋର୍ଟ ଦେବା ବେଳେ ସମସ୍ତ ନିୟମ ପାଳନ କରି ପିପିପି ମୋଡରେ କରିବା ପାଇଁ ଚୁକ୍ତି କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବଜେଟ ଉପସ୍ଥାପନା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାୟନ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି। ତେବେ ତା ପୂର୍ବରୁ ସେ ଏବଂ ଅର୍ଥ ସଚିବ ବିଶାଳ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ବିଧାନସଭାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଉଭୟ ବଜେଟ କପି ପ୍ରଦାନ କରିଛନ୍ତି।

ଏହାପରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ ୨୦୨୩-୨୪ ଉପସ୍ଥାପନା କରିଛନ୍ତି। ଏଥର ମୋଟ ୨୪,୮୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିଭଳି କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି ଟଙ୍କା, ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ଆବର୍ତ୍ତି ପାଣ୍ଠି ବ୍ୟବସ୍ଥା କରାଯାଇଛି।

ଏହାସହିତ ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଛତୁ ମିସନ ଓ ଫୁଲ ଚାଷ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।