Categories
ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭା, ଶୋକ ପ୍ରସ୍ତାବ ପରେ ଗୃହ ମୁଲତବି

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଏଥିରେ ମୁଖ୍ୟମନ୍ତ୍ରୀ ଦିବଗଂତ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ନିବେଦିତା ପ୍ରଧାନ, କୁମର ବେହେରା ଓ ରମେଶ ସୋରେନ ଏବଂ ଦିବଙ୍ଗତ ପୁଲିସ କର୍ମୀ ଦେବାଶିଷ ବିଶ୍ବାଳ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ସୁଶାନ୍ତ କୁମାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଏହି ପ୍ରସ୍ତାବକୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ। ଏହାପରେ ଏକ ମିନିଟ ପାଇଁ ଗୃହରେ ନିରବ ପ୍ରାର୍ଥନା କରାଯାଇଥିଲା। ବାଚସ୍ପତି ଦିବଗଂତ ନେତାଙ୍କ ଉଦ୍ଦେଶ୍ୟରେ ଗୃହ କାର୍ଯ୍ୟକୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଏହା ପୂର୍ବରୁ ଆଜି ବାଚସ୍ପତି ଭାବେ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାମ ଗୃହରେ ଉପବାଚସ୍ପତି ଘୋଷଣା କରିଥିଲେ। ଏହାପରେ ସେ ବସିଥିବା ଆସନରୁ ତାଙ୍କୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତିଙ୍କୁ ସ୍ବାଗତ କରିଥିଲେ। ବାଚସ୍ପତି ହେବା ପରେ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କିଛି ସମୟ ପରେ ସେ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରମିଳା ମଲ୍ଲିକ ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି। ଆସନ୍ତାକାଲି ବିଧାନସଭାରେ ହେବ ବାଚସ୍ପତି ନିର୍ବାଚନ। ଏଥିରେ ବିଜେଡି ପ୍ରାର୍ଥୀ ଭାବେ ପ୍ରମିଳା ନାମାଙ୍କନ ଦାଖଲ କରିବେ। ସଂଖ୍ୟା ଦୃଷ୍ଟିରୁ ପ୍ରମିଳା ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ। ଏହା ଫଳରେ ସେ ଓଡିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି ହେବେ।

ଯାଜପୁର ଜିଲ୍ଲା ବିଂଝାରପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ପ୍ରମିଳା ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ସେ ପ୍ରଥମେ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ପୂର୍ବରୁ ସେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଏବଂ ସରକାରୀ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ ମଧ୍ୟ କରିଆସିଛନ୍ତି।

ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି। ବର୍ତ୍ତମାନ ଉପବାଚସ୍ପତି ରଜନୀକାନ୍ତ ସିଂ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି।

Categories
ବିଶେଷ ଖବର

ଉପରାଷ୍ଟ୍ରପତିଙ୍କ ମନ୍ତବ୍ୟ ପରେ ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟ ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ବିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର କହିଛନ୍ତି ଯେ ଦେଶର ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଦିନ ଦୂର ନୁହେଁ।

୨୦୧୦ମସିହାରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲେ ହେଁ ଲୋକସଭାରେ ଏହାକୁ ଅନୁମୋଦନ ନ ମିଳିବାରୁ ଏହା ଅଚଳ ହୋଇଯାଇଥିଲା।

ଉପରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରେ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଗତ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି, ଯାହାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

ମଙ୍ଗଳବାର ଦିନ ତେଲେଙ୍ଗାନାର ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ମଧ୍ୟ ସଂସଦରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ୪୭ଟି ରାଜନୈତିକ ଦଳର ସଭାପତିଙ୍କୁ ଏକ ଚିଠି ଲେଖି ରାଜନୈତିକ ମତଭେଦକୁ ଦୂର କରି ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ ପାରିତ କରିବାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି।
୧୯୯୬ମସିହାରେ ଦେବେଗୌଡ଼ା ସରକାର ପ୍ରଥମେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ପାଇଁ ଏକ ବିଲ ଆଗତ କରିଥିଲେ। ଏହାପରେ ୟୁପିଏ ସରକାର ୨୦୦୮ ମସିହାରେ ସମ୍ବିଧାନ (ଅଷ୍ଟମ ସଂଶୋଧନ) ବିଲ ନାମରେ ପରିଚିତ ଏହି ବିଲକୁ ପୁନଃ ଆଗତ କରିଥିଲେ।

୨୦୧୦ମସିହାରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା, କିନ୍ତୁ ପଞ୍ଚଦଶ ଲୋକସଭାରେ ଏହି ବିଲ ପାରିତ ହୋଇପାରିନଥିଲା ଏବଂ ଏହା ଭଙ୍ଗ ହେବା ପରେ ଏହା ଅଚଳ ହୋଇଯାଇଥିଲା। ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଭଳି ଦଳ ଏହି ବିଲକୁ ବର୍ତ୍ତମାନର ରୂପରେ ବିରୋଧ କରି ‘କୋଟା ଭିତରେ ସଂରକ୍ଷଣ’ ଦାବି କରିଛନ୍ତି। ଦଳିତ, ପଛୁଆ, ଅତ୍ୟନ୍ତ ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ଉଚିତ ବୋଲି ଦଳଗୁଡ଼ିକ ଯୁକ୍ତି ବାଢ଼ିଛନ୍ତି। ଆରଜେଡି କହିଛି ଯେ ଯଦି ଏହି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ମହିଳାଙ୍କ ପାଇଁ ସଂରକ୍ଷଣ ୫୦%କୁ ବୃଦ୍ଧି କରିବାକୁ ପଡ଼ିବ ତେବେ ଏହାର କୌଣସି ଅସୁବିଧା ନାହିଁ, କିନ୍ତୁ ସଂରକ୍ଷଣରେ ସଂରକ୍ଷଣ ବିନା ଏହା “ଅର୍ଥହୀନ” ଅଟେ।

ସମ୍ବିଧାନ ସଂଶୋଧନ ହୋଇଥିବାରୁ ଲୋକସଭାରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ। ୨୦୧୪ରେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରର ଏକ ଅଂଶ ଥିଲା ଏବଂ ଏହା ଗୃହୀତ ହେବାଦ୍ୱାରା ଦଳ ମହିଳାଙ୍କ ଭୋଟକୁ ସୁଦୃଢ଼ କରିବାରେ ସହାୟକ ହେବ।

ସୋମବାର ଜୟପୁରର ଏକ କଲେଜରେ ‘ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭାଗିଦାରୀ’ ଶୀର୍ଷକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଧନଖଡ଼ କହିଥିଲେ ଯେ ସେହିଦିନ ଦୂର ନୁହେଁ ଯେତେବେଳେ ସମ୍ବିଧାନରେ ସଂଶୋଧନ ମାଧ୍ୟମରେ ମହିଳାମାନେ ସଂସଦ ଏବଂ ବିଧାନସଭାରେ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ପାଇବେ। ଖୁବଶୀଘ୍ର ଏହି ସଂରକ୍ଷଣ ଦିଆଗଲେ ୨୦୪୭ ପୂର୍ବରୁ ଭାରତ ବିଶ୍ୱ ଶକ୍ତିରେ ପରିଣତ ହେବ ବୋଲି ସେ କହିଛନ୍ତି।

ପ୍ରଶାସନ, କର୍ପୋରେଟ ଜଗତ ଓ ସେନା ସମେତ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ନୂଆ ନୂଆ ମଡେଲ ତିଆରି କରୁଥିବାରୁ ମହିଳାଙ୍କ ପାଇଁ ଆକାଶ ହେଉଛି ସୀମା ବୋଲି ଶ୍ରୀ ଧନଖଡ଼ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମଙ୍ଗଳବାର ଭାରତ ରାଷ୍ଟ୍ର ସମିତି ନେତ୍ରୀ ତଥା ପୂର୍ବତନ ଲୋକସଭା ସାଂସଦ କେ କବିତା ତାଙ୍କ ଚିଠିରେ କହିଛନ୍ତି ଯେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଏକ ସ୍ୱତନ୍ତ୍ରତାର ବିଷୟ ନୁହେଁ ବରଂ ଏକ ଅଧିକ ସମାନ ଏବଂ ସନ୍ତୁଳିତ ରାଜନୈତିକ ଦୃଶ୍ୟପଟ୍ଟ ସୃଷ୍ଟି କରିବାର ଏକ ମାଧ୍ୟମ। ଏହି ମାମଲାର ଜରୁରୀକୁ ସ୍ୱୀକାର କରି ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବାକୁ ସେ ସମସ୍ତ ଦଳକୁ ଅନୁରୋଧ କରିଛନ୍ତି।

ଗତ ଜୁଲାଇ ମାସରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସରକାର ରାଜ୍ୟସଭାରେ କହିଥିଲେ ଯେ ମହିଳା ସଂରକ୍ଷଣ ବିଲ ସଂସଦକୁ ଅଣାଯିବା ପୂର୍ବରୁ ସମସ୍ତ ରାଜନୈତିକ ଦଳର ସହମତି ଆଧାରରେ ସତର୍କତାର ସହ ବିଚାର କରାଯିବାର ଆବଶ୍ୟକତା ରହିଛି। ଏହାର ଉତ୍ତରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ଯେ ଲିଙ୍ଗଗତ ନ୍ୟାୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି।

Categories
ବିଶେଷ ଖବର ରାଜ୍ୟ ଖବର

ହାଇଟେକ ହେବ ଓଡିଶା ବିଧାନସଭା, ବିଧାୟକଙ୍କୁ ଦିଆଗଲା ନେଭା ଆପ୍ଲିକେସନ୍‌ ପ୍ରଶିକ୍ଷଣ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାକୁ ସଂପୂର୍ଣ୍ଣ ଭାବେ ପେପରଲେସ୍‌ ବିଧାନସଭାରେ ପରିଣତ କରିବା ସହ ସମସ୍ତ କାର୍ଯ୍ୟ ଡିଜିଟାଲ୍‌ ମାଧ୍ୟମରେ ସଂପାଦନ କରିବା ଉଦ୍ଦେଶ୍ୟରେ ବିଧାନସଭାର ସମସ୍ତ ସଦସ୍ୟ, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଭା ଆପ୍ଲିକେସନ୍‌ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ବିଧାନସଭାରେ ବିଧାୟକମାନଙ୍କ ପାଇଁ ବିଧାନସଭା ପରିସର ସ୍ଥିତ ନେଭା ସେବା କେନ୍ଦ୍ରଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି।

କାର୍ଯ୍ୟକାରୀ ବାଚସ୍ପତି ଶ୍ରୀରଜନୀକାନ୍ତ ସିଂହ ଏହି କାର୍ଯ୍ୟ କ୍ରମକୁ ଉଦ୍‌ଘାଟନ କରି ଉପସ୍ଥିତ ବିଧାୟକମାନଙ୍କୁ କହିଲେ ଯେ ଉଭୟ ସଂସଦ ଏବଂ ବିଭିନ୍ନ ରାଜ୍ୟର ବିଧାନସଭାଗୁଡ଼ିକୁ ପେପରଲେସ କରି ଡିଜିଟାଲ୍‌ ଉପାୟରେ ପରିଚାଳିତ କରିବା ପାଇଁ ନ୍ୟାସନାଲ ଇ-ବିଧାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ। ଆଗାମୀ ଦିନରେ ଦେଶବ୍ୟାପୀ ଏହା କାର୍ଯ୍ୟକାରୀ ହେବ। ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଲ୍‌ ପଦ୍ଧତିରେ ଏହି ନେଭା ଆପ୍ଲିକେସନ୍‌ ଜରିଆରେ ସଂପାଦିତ ହେବ।

ଏଣୁ ଏହି ବ୍ୟବସ୍ଥା ସହ ବିଧାନସଭା ସଂପୃକ୍ତ ସମସ୍ତଙ୍କୁ ଅଭ୍ୟସ୍ତ ହେବାକୁ ପଡ଼ିବ। ଏହି ଅପ୍ଲିକେସନ୍‌ ଜରିଆରେ ସାଧାରଣ ନାଗରିକମାନେ ମଧ୍ୟ ବିଧାନସଭାର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇପାରିବେ। ଆଗାମୀ ଦିନରେ ଏହି ଆପ୍ଲିକେସନ୍‌ ଜରିଆରେ ବିଧାନସଭାର ପ୍ରଶାସନିକ କାର୍ଯ୍ୟ ମଧ୍ୟ ସରଳ ହୋଇପାରିବ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ବିଧାନସଭା ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଶ୍ରୀଅନନ୍ତ ଦାସ, ବରିଷ୍ଠ ବିଧାୟକ ତଥା ଲାଇବ୍ରେରୀ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ବିଧାୟକମାନଙ୍କୁ ଏହି ଆପ୍ଲିକେସନ୍‌ ଜରିଆରେ କିଭଳି ସୁଚାରୁ ରୂପେ କାର୍ଯ୍ୟ ସଂପାଦନ ହୋଇପାରିବ ସେ ସମ୍ବନ୍ଧରେ କହିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ପେପରଲେସ୍‌ ଓଡ଼ିଶା ବିଧାନସଭା ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟତମ ଅତିଥି ଭାବେ ଏନ୍‌ଆଇସି, ଭୁବନେଶ୍ୱରର ରାଜ୍ୟ ସୂଚନା ଅଧିକାରୀ ଶ୍ରୀ ଅଶୋକ କୁମାର ହୋତା କହିଥିଲେ ଯେ ଓଡ଼ିଶା ବିଧାନସଭାରେ ନେଭାର ପ୍ରୟୋଗକୁ ଜାତୀୟ ସ୍ତରୀୟ ନେଭା କାର୍ଯ୍ୟକ୍ରମରେ ପ୍ରଶଂସା ମିଳିଛି। ଏନ୍‌ଆଇସି ପକ୍ଷରୁ ଭବିଷ୍ୟତରେ ବିଧାନସଭା ଅଧିବେଶନର ସମସ୍ତ ବିଷୟ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ ଜାରି ରହିଛି।

ବିଧାୟକମାନେ ରାଜ୍ୟର ପ୍ରଗତି ପାଇଁ କିଭଳି ଭାବେ ଉଦ୍ୟମ କରିଥିଲେ ତାହା ଆଗାମୀ ପିଢ଼ିଙ୍କ ନିକଟରେ ଉପସ୍ଥାପନ କରିବାରେ ଏହି ଆପ୍ଲିକେସନ୍‌ ସହାୟକ ହେବ ବୋଲି ସେ କହିଥିଲେ। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏନ୍‌ଆଇସି ପକ୍ଷରୁ ଇ-ବିଧାନ ଆପ୍ଲିକେସନ୍‌ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଲାଇବ୍ରେରୀ କମିଟିର ସଦସ୍ୟମାନେ ଆଜି ପ୍ରଶିକ୍ଷଣ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍‌ଆଇସିର ଅଧିକାରୀଙ୍କ ସମେତ ବିଧାନସଭାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପକ୍ଷରୁ ନ୍ୟାୟିକ ସେବାର ଶିକ୍ଷାନବିସମାନଙ୍କ ପାଇଁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପକ୍ଷରୁ ଆଜି ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ନ୍ୟାୟିକ ସେବାର ଶିକ୍ଷାନବିସମାନଙ୍କ ପାଇଁ ଏକ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ନ୍ୟାୟିକ ସେବାର ୫୧ ଜଣ ଶିକ୍ଷାନବିସ ଯୋଗ ଦେଇଛନ୍ତି।

ପୂର୍ବାହ୍ନରେ ବିଧାନସଭା ସମ୍ମିଳନୀ କକ୍ଷରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଉଦ୍‌ଘାଟନ କରିବା ସହ ଶିକ୍ଷାନବିସମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିକ୍ଷାନବିସମାନଙ୍କୁ ଓଡ଼ିଶା ବିଧାନସଭାର ଇତିହାସ ଓ ବିଭିନ୍ନ କାର୍ଯ୍ୟାବଳୀ ସମ୍ବନ୍ଧରେ ସେ ବିଶଦ ସୂଚନା ଦେଇଥିଲେ।

ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଜ୍ଞାନ ଆହରଣ ଏକ ନିରନ୍ତର ପ୍ରକ୍ରିୟା। ନିଜର ଜ୍ଞାନରେ ସନ୍ତୁଷ୍ଟ ନହୋଇ ଅଧିକ ଜାଣିବାର ଆଗ୍ରହ ସବୁବେଳେ ବଳବତ୍ତର ରହିବା ଆବଶ୍ୟକ। ଗଣତନ୍ତ୍ରର ତିନୋଟି ସ୍ତମ୍ଭ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଏବଂ ନ୍ୟାୟପାଳିକାର ବିଭିନ୍ନ ବିଶେଷତ୍ୱ ସମ୍ବନ୍ଧରେ ବର୍ଣ୍ଣନା କରିବା ସହ ସେ ବିଧାୟକମାନଙ୍କ ଭୂମିକା ଏବଂ ଆହ୍ୱାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଧନେଶ୍ୱର ମଲ୍ଲିକ କହିଲେ ଯେ ବିଧାନସଭାର ବିଭିନ୍ନ କାର୍ଯ୍ୟକ୍ରମ କିପରି ସମାପନ ହୁଏ ସେ ସମ୍ବନ୍ଧରେ ଜାଣିବା ପାଇଁ ଆପଣମାନଙ୍କୁ ଏକ ସୁଯୋଗ ମିଳିଛି ଏବଂ ଏଥିରୁ ଆପଣମାନେ ବହୁତ କିଛି ଶିଖି ପାରିବେ। ସେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଏବଂ ନ୍ୟାୟପାଳିକାର ବିଭିନ୍ନ ଦିଗ ଏବଂ ଏହାର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସୂଚନା ଦେଇଥିଲେ।

ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସାଧନ ବକ୍ତା ଭାବେ ବିଧାନସଭାରେ ବିଭିନ୍ନ ବିଲ୍‌ କିପରି ପ୍ରସ୍ତୁତ ଓ ପାରିତ ହୋଇଥାଏ ସେ ସଂପର୍କରେ ଶିକ୍ଷାନବିସମାନଙ୍କୁ ସୂଚନା ଦେଇଥିଲେ । ଅନ୍ୟତମ ସାଧନ ବକ୍ତା ଭାବରେ ଯୋଗଦେଇ ବିଧାନସଭାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀ ବିଜୟ କୁମାର ସାହୁ ବିଧାନସଭାର ଗଠନ ଏବଂ ବିଧାନସଭା ଗୃହ ମଧ୍ୟସ୍ଥ ଅନ୍ୟାନ୍ୟ କାର୍ଯ୍ୟର ପରିଚାଳନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ବାଚସ୍ପତି ବିଧାନସଭା ସଂପର୍କିତ ଶିକ୍ଷାନବିସମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଆଇନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ ଗବେଷଣା ଅଧିକାରୀ ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ୧୭୫ତମ ଜୟନ୍ତୀ ପାଳିତ ହୋଇଯାଇଛି।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ପୂର୍ବାହ୍ନରେ ବିଧାନସଭା ପରିସରସ୍ଥିତ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଉପବାଚସ୍ପତି ରଜନୀକାନ୍ତ ସିଂହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥୀ, ଅନନ୍ତ ନାରାୟଣ ଜେନା, ବିଧାନସଭା ସଚିବ ଦାଶରଥି ଶତପଥୀ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ରର ଶିଳ୍ପୀବୃନ୍ଦ ଉତ୍କଳଗୌରବ ମଧୁସୂଦନଙ୍କ ଜୀବନୀ ଆଧାରିତ ସଂଗୀତ ପରିବେଷଣ କରିଥିଲେ।

Categories
ବିଶେଷ ଖବର

ବିଧାନସଭାରେ ବାଚଳାମୀ ଓ ପାଗଳାମୀରୁ କ୍ଷାନ୍ତ ରହନ୍ତୁ ବିରୋଧୀଦଳ ନେତା: ଅରୁଣ ସାହୁ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇ ସାରିଥିଲେ ମଧ୍ୟ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରି ବିଧାନସଭାକୁ ବନ୍ଦ କରୁଛନ୍ତି। ଫଳରେ ବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସମ୍ବଳିତ ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁ ନାହିଁ। ତେଣୁ ଏଭଳି ବାଚଳାମୀ ଓ ପାଗଳାମୀରୁ ବିରୋଧୀଦଳ ନେତା କ୍ଷାନ୍ତ ରହିବା ଉଚିତ। ଆଜି ବିଧାନସଭା ବାହାରେ ଗଣମାଧ୍ୟମକୁ ବିବୃତି ଦେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଏମିତି ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ବିଧାୟକ ଅରୁଣ ସାହୁ।

ଶ୍ରୀ ସାହୁ କହିଛନ୍ତି ଯେ, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଶ୍ରୀ ମିଶ୍ର ଓ ଅନ୍ୟ ବିଜେପି ବିଧାୟକମାନେ ବହୁବାର ପ୍ରଶ୍ନ କରିଛନ୍ତି, ମୁଲତବୀ ପ୍ରସ୍ତାବ ଆଣିଛନ୍ତି, ଗୃହ ବିଭାଗର ଆଲୋଚନା ବେଳେ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି, ଯେ କୌଣସି ବିଭାଗର ଆଲୋଚନାବେଳେ ମଧ୍ୟ ସେମାନେ ଟାଣିଓଟାରି ଏକଥା ପକାଇଛନ୍ତି। ଚଳିତ ଅଧିବେଶନର ସବୁତକ ଦିନ ସେହି ଗୋଟିଏ କଥାକୁ ଉଠାଉଛନ୍ତି। ଯେଉଁମାନଙ୍କର ଟିକେ ପାଗଳାମୀ ଥାଏ, ସେମାନେ ଗୋଟିଏ କଥାକୁ ବାରମ୍ବାର କହି ଚାଲିଥାନ୍ତି। ଠିକ୍ ସେମିତି ବିରୋଧୀଦଳ ନେତା ଅଭ୍ୟାସଗତ କାହାଣୀକାର ଭଳି ଏହି ଗୋଟିଏ ପ୍ରସଙ୍ଗରେ ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ସେ ମାନସିକ ସ୍ତରରେ ଅସୁସ୍ଥ ଓ ଦେବାଳିଆ ହୋଇ ଯାଇଛନ୍ତି। କେତେବେଳେ କ’ଣ କହୁଛନ୍ତି ତାହା ନିଜେ ଜାଣି ପାରୁନାହାନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ମୁଖ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇ କେତେଥର ଏଫବିଆଇର ସହାୟତା ଲୋଡ଼ିଛି, ବିରୋଧୀଦଳ ନେତା ତାହା ଯଦି ଜାଣନ୍ତି ନାହିଁ, ତେବେ ନିଜ ଦଳର କେନ୍ଦ୍ରୀୟ ନେତାମାନଙ୍କୁ ପଚାରନ୍ତୁ। ଏ ବିଷୟରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ସେ ଆଗ ସେମାନଙ୍କଠାରୁ ବୁଝନ୍ତୁ। ଯଦି ସେ ଭାବୁଥାନ୍ତି ଯେ ବିଧାନସଭା କେବଳ ଗୋଟିଏ ଘଟଣାକୁ ନେଇ ଚାଲିବ, ଓଡ଼ିଶାବାସୀଙ୍କର ଆଉ ଅନ୍ୟାନ୍ୟ ପ୍ରସଙ୍ଗ ତାଙ୍କ ପାଇଁ ମୂଲ୍ୟହୀନ ବୋଲି ମନେ କରି ସେ ବିଧାନସଭାରେ ଆଲୋଚନା କରାଇଦେବାକୁ ଚାହୁଁ ନ ଥାନ୍ତି, ତାହେଲେ ଏହା ଅତ୍ୟନ୍ତ ରୁଗ୍ଣ ମାନସିକତାର ପରିଚୟ ବୋଲି ଶ୍ରୀ ସାହୁ କହିଛନ୍ତି।

ବିରୋଧୀଦଳ ନେତାଙ୍କୁ ତୀବ୍ର ସମାଲୋଚନା କରି ଶ୍ରୀ ସାହୁ ଆହୁରି କହିଛନ୍ତି ଯେ, ଓଡ଼ିଶା ସରକାର ଯେଉଁ ବଜେଟ୍ ତିଆରି କରିଛନ୍ତି, ତାହା ଓଡ଼ିଶାବାସୀଙ୍କ ପାଇଁ ପ୍ରେରିତ। ମାତ୍ର ବିରୋଧୀଦଳ ନେତାଙ୍କ ପାଇଁ ଏସବୁ କିଛି ମାନେ ରଖେ ନାହିଁ। ବିଧାନସଭାରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାକୁ ଥିବାବେଳେ ସେ ନବଦାସ ହତ୍ୟା ମାମଲା ସଂପର୍କରେ ମନଗଢ଼ା କାହାଣୀ ଗପୁଛନ୍ତି। ବିଧାନସଭାର ସମୟ ନଷ୍ଟ କରିବା ଏବଂ କୌଣସି କାରଣ ନ ଥାଇ ବିଧାନସଭାକୁ ବନ୍ଦ କରିଦେବା ତାଙ୍କ ମାନସିକ ଦେବାଳିଆପଣକୁ ସୂଚାଉଛି।

ଅସଲ କଥା ହେଲା, ନବ ଦାସଙ୍କ ହତ୍ୟା ମାମଲାରୁ ରାଜନୈତିକ ଫାଇଦା ନେବା ଲାଗି ଜୟନାରାୟଣ ବାବୁ ଆପ୍ରାଣ ଚେଷ୍ଟା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖି ସବୁ କଥା ସ୍ପଷ୍ଟ କଲା ପରେ ମଧ୍ୟ ସେ ହୀନ ରାଜନୀତି କରୁଛନ୍ତି। ଗୋପାଳକୁ ପାଗଳ କହି କହି ନିଜେ ପାଗଳ ବୋଲି ସମସ୍ତଙ୍କ ଆଗରେ ପରିଚୟ ଦେଉଛନ୍ତି। ତେଣୁ ବିରୋଧୀଦଳ ନେତା ବିଧାନସଭାରେ ପାଗଳାମୀ ଓ ବାଚଳାମୀ ବନ୍ଦ କରି ଓଡ଼ିଶା ଲୋକଙ୍କ ସ୍ୱାର୍ଥ ଲାଗି ଲଢ଼େଇ କରନ୍ତୁ ବୋଲି ଶ୍ରୀ ସାହୁ ତାଙ୍କୁ ଆହ୍ୱାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମହାନଦୀ ଜଳ ବିବାଦ ନେଇ ହାଙ୍ଗାମା, ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭାରେ ମହାନଦୀ ଜଳ ବିବାଦ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ, ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ସଦସ୍ୟ ଶୁଣି ନ ଥିଲେ। ଫଳରେ ବାଚସ୍ପତି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି।

ଆଜି କଂଗ୍ରେସ ତରଫରୁ ମହାନଦୀ ଜଳ ବିବାଦ ନେଇ ଏକ ମୁଲତବି ପ୍ରସ୍ତାବ ଆଣିଥିଲେ। ହେଲେ ବାଚସ୍ପତି ତାହାକୁ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ଗୃହରେ କଂଗ୍ରେସ ହଟ୍ଟଗୋଳ ଆରମ୍ଭ କରିଥିଲା। ହେଲେ ଶାସକ ଦଳ କହିଥିଲା ଯେ, ବର୍ତ୍ତମାନ ବଜେଟ ଉପରେ ଆଲୋଚନା ଚାଲିଛି। ଏହାକୁ ଶୂନ୍ୟ କାଳରେ ସଦସ୍ୟମାନେ ଉଠାଇ ପାରିବେ ବୋଲି କହିଥିଲେ। ଏହାକୁ ନେଇ ବିରୋଧୀ ଶାସକ ମଧ୍ୟରେ କଥା କଟାକଟି ପରେ ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପ୍ରଶ୍ନପତ୍ର ଲିକ ନେଇ ହଟ୍ଟଗୋଳ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ଆଜି ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବା ପରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ମାଟ୍ରିକ ପ୍ରଶ୍ନପତ୍ର ଲିକ ଅଭିଯୋଗରେ ଏହି ହଟ୍ଟଗୋଳ କରିଥିଲେ। ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ।

ବାଚସ୍ପତିଙ୍କ ପୋଡିୟମ ତଳେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ପରିସ୍ଥିତିରେ କୌଣସି ସୁଧାନ ନ ଆସିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ତେବେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ବିଭିନ୍ନ ଦଳର ନେତାମାନେ ଶୋକ ବାର୍ତ୍ତା ଦେବା ପରେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗୌତମ ଆଦାନୀଙ୍କ ଓଡିଶା ବ୍ୟବସାୟକୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ

ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନ ଉତ୍ତର କାଳରେ ବିବାଦୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ଓଡିଶା ବ୍ୟବସାୟ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରଶ୍ନ ଉତ୍ତର ବେଳେ ଏହା ଉପରେ ନଜରକୁ ଆଣିଥିଲେ କଂଗ୍ରେସ ବିଧାୟକ। ଜଟଣୀର ବିଧାୟକ ସୁରେଶ ରାଉତରାୟ ଆଦାନୀ ଉପରେ ପ୍ରଶ୍ନ ପଚାରିଥିଲେ।

ବିଧାନସଭାରେ ସୁର ରାଉତରାୟ କହିଥିଲେ ଯେ, ଓଡିଶାରେ ଧାମରା ପୋର୍ଟ ଆଦାନୀଙ୍କୁ ଦିଆଯାଇଛି। ଏହି ପୋର୍ଟ ଦେବା ପାଇଁ ରାଜ୍ୟ ସରକାର ଟେଣ୍ଡର ଡାକିଥିଲେ କି ? ଯାହା ଖବର ଅଛି ସରକାର କୌଣସି ଟେଣ୍ଡର ନ କରି ଆଦାନୀଙ୍କୁ ଏହି ପୋର୍ଟ ଦେବା ସତ କି? ଏହାର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ, ଆଦାନୀଙ୍କୁ ଧାମର ପୋର୍ଟ ଦେବା ବେଳେ ସମସ୍ତ ନିୟମ ପାଳନ କରି ପିପିପି ମୋଡରେ କରିବା ପାଇଁ ଚୁକ୍ତି କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବଜେଟ ଉପସ୍ଥାପନା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାୟନ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି। ତେବେ ତା ପୂର୍ବରୁ ସେ ଏବଂ ଅର୍ଥ ସଚିବ ବିଶାଳ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ବିଧାନସଭାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଉଭୟ ବଜେଟ କପି ପ୍ରଦାନ କରିଛନ୍ତି।

ଏହାପରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ ୨୦୨୩-୨୪ ଉପସ୍ଥାପନା କରିଛନ୍ତି। ଏଥର ମୋଟ ୨୪,୮୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିଭଳି କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି ଟଙ୍କା, ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ଆବର୍ତ୍ତି ପାଣ୍ଠି ବ୍ୟବସ୍ଥା କରାଯାଇଛି।

ଏହାସହିତ ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଛତୁ ମିସନ ଓ ଫୁଲ ଚାଷ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚାଷୀ ପ୍ରସଂଗ ନେଇ ବିରୋଧୀଙ୍କ ହାଙ୍ଗାମା, ଅପରାହ୍ନରେ ବଜେଟ

ଭୁବନେଶ୍ବର: ଆଜି ମଧ୍ୟ ସୁରୁଖୁରୁରେ ଚାଲିପାରିଲା ନାହିଁ ବିଧାନସଭା। ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ ବାଚସ୍ପତି ମୁଲତବି ରଖିଥିଲେ। ଆଜି ପ୍ରଶ୍ନ କାଳରେ ବିରୋଧୀ କଂଗ୍ରେସ ସଦସ୍ୟ ଚାଷୀ ଆତ୍ମହତ୍ୟା ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ। ସେହିପରି ବିଜେପି ସଦସ୍ୟମାନେ ମଧ୍ୟ ଗୃହ ଭିତରକୁ ଆସି ନାରାବାଜି କରିଥିଲେ।

ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବଜେଟ 2023-2024 ଆଗତ କରିବେ। ଏହା ହେଉଛି ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ। ଆସନ୍ତା ବର୍ଷ ନିର୍ବାଚନ ଥିବାରୁ କାମଚଳା ବଜେଟ ପାରିତ ହେବ। ଏଥର ବଜେଟ ଆକାର ପ୍ରାୟ 2 ଲକ୍ଷ 30 ହଜାର କୋଟି ହେବ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସେହି କଥା ହେଲା, ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଆଜି ଗୃହ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଗଲା ହଟ୍ଟଗୋଳ। ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହ ଭିତରକୁ ଆସି ହଟ୍ଟଗୋଳ କରିଥିଲେ। ନବ ଦାସ ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଦାବୀ କରି ଏହି ହଟ୍ଟଗୋଳ କରାଯାଇଥିଲା।

ବିରୋଧ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରି ହାଙ୍ଗାମା କରିଥିଲେ। ଫଳରେ ପ୍ରଶ୍ନଉତ୍ତର କାଳ ଭଲରେ ଚାଲି ପାରି ନ ଥିଲା। ବାଚସ୍ପତି ବାରମ୍ବାର ଆସନକୁ ଫେରିଯିବା ପାଇଁ କହୁଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଫଳରେ ବାଚସ୍ପତ ଗୃହକୁ ସାଢେ ଏଗାରଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଧାନସଭାର ଦ୍ବିତୀୟ ଦିନ, ଗୃହ ଖାଲି ପଡିବ ଉଠିବ

ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ଦିନ। ଗତକାଲି ଏହି ବଜେଟ ଅଧିବେସନ ଆରମ୍ଭ ହୋଇଥିଲା। ଏହି ଅଧିବେସନ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା। ଗତକାଲି ରାଜ୍ୟପାଳ ଗୃହକୁ ସମ୍ବୋଧୀତ କରିଥିଲେ। ହେଲେ ତାହା ଯେତିକି ଚର୍ଚ୍ଚା ନ ଥିଲା ତାହାଠାରୁ ଅଧିକ ଆଲୋଚନା ହୋଇଥିଲା ନବଦାସଙ୍କ ହତ୍ୟାକାଣ୍ଡ।

ଗତକାଲି ଗୃହ ବାହାରେ ନବଦାସଙ୍କ ହତ୍ୟାକୁ ନେଇ ଉଭୟ ବିଜେଡି ବିଜେପି କାଦୁଅ ଫିଙ୍ଗାଫିଙ୍ଗି ହୋଇଥିଲେ। ବିଜେପିର ଜୟ ନାରାୟଣ ମିଶ୍ର ବିଜେଡିର ନେତା ଓ ସରକାରୀ ଅଧିକାରୀ ସଂପୃକ୍ତ ଅଛନ୍ତି ବୋଲି କହୁଥିବା ବେଳେ ବିଜେଡି ବିଜେପି ନେତାଙ୍କ ନାମ ନେଇଛନ୍ତି। ଆଜି ଏହାକୁ ନେଇ ଗୃହ ପଡିବ ଉଠିବ ବୋଲି ସ୍ପଷ୍ଟ ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଜୟନାରାୟଣଙ୍କ ପାଖରେ ଯଦି ଏତେ ତଥ୍ୟ ଅଛି ତେବେ ସେ କୋର୍ଟ ଯିବାକୁ ଡରୁଛନ୍ତି କାହିଁକି ?

ଭୁବନେଶ୍ବର: ରାଜ୍ୟର ଏକ ଚାଞ୍ଚଲ୍ୟ ଖେଳାଇଥିବା ହତ୍ୟାକାଣ୍ଡ ମଧ୍ୟ ରାଜନୈତିକ ପଶାପାଲିରୁ ବର୍ତ୍ତି ପାରୁ ନାହିଁ। ରାଜ୍ୟର ଜଣେ ଟାଣୁଆ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବେଶ କିଛି ଦିନ ଧରି ରାଜ୍ୟ ବିଜେପି ରାଜନୀତି କରିବାରେ ଲାଗିଛି। ଏହି ହତ୍ୟାକାଣ୍ଡ ନେଇ କେତେ ବେଳେ କିଏ କଣ କହୁଛି ତାହାର ହିସାବ ନାହିଁ।

ବିଧାନସଭା ଆରମ୍ଭରେ ଆଜି ଏହିପରି ଏକ ରୋମାଞ୍ଚକର ତଥ୍ୟ ପ୍ରଦାନ କରିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ ନବ ଦାସ ହତ୍ୟାର ଚାରିଦିନ ପୂର୍ବରୁ 5ଟି ସଚିବ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଫୋନ କଲ ରେକର୍ଡ କରାଯାଉ। ତାର ଅର୍ଥ ଏହି ଦୁଇଜଣ ନବ ଦାସଙ୍କୁ କଣ କହିଥିଲେ ତାହା ଯାଞ୍ଚ କରାଯାଉ। ତେବେ ଆଶ୍ଚର୍ଯ୍ୟର କଥା ଏହା ସେ ଗୃହ ଭିତରେ କହି ନ ଥିଲେ। ଗୃହ ବାହାରେ ସାମ୍ବାଦିକଙ୍କୁ କହିଥିଲେ।

ତେବେ ପ୍ରଶ୍ନ ଉଠିଛି ଯେ, ଜୟନାରାୟଣଙ୍କ ପାଖରେ ଏହାର କିଛି ତଥ୍ୟ ଯଦି ଅଛି ତେବେ ସେ ଗୃହ ଭିତରେ କହିବାକୁ ଡରିଲେ କାହିଁକି। ଏହା ହୋଇପାରେ କି, ଏହି ମନ୍ତବ୍ୟର କୌଣସି ଭିତ୍ତି ନ ଥିବାରୁ ସେ ଗୃହରେ କହି ବିବରଣୀ ସ୍ଥାନିତ ନ ହେବାକୁ ଚାହିଁ ଥାଇପାରନ୍ତି। ଅନ୍ୟପକ୍ଷରେ ଏତେବଡ ପ୍ରମାଣ ଯଦି ଜୟନାରାୟଣଙ୍କ ପାଖରେ ଅଛି ତେବେ ସେ କୋର୍ଟରେ ସତ୍ୟପାଠ ମାଧ୍ୟମରେ ଅବଗତ ନ କରାଇ ମିଡିଆ ଆଗରେ କାହିଁକି ବଖାଣି ହେଲେ।

କାରଣ ଜୟନାରାୟଣ ଭଲ ଭାବରେ ଜାଣନ୍ତି ଯେ କୌଣସି ଭିତ୍ତି ନ ଥିବା କଥା କେବଳ ମିଡିଆରେ କହିଦେଲେ ତାହା ସାରା ରାଜ୍ୟରେ ତୁମ୍ବି ତୋଫାନ ସୃଷ୍ଟି କରିବ। ସେ ଏହା ମଧ୍ୟ ଜାଣନ୍ତି ଯେ, ମିଡିଆ ବ୍ୟକ୍ତବ୍ୟକୁ କୌଣସି କୋର୍ଟ ପ୍ରମାଣ ସ୍ବରୂପ ଗ୍ରହଣ କରିବ ନାହିଁ। ତେଣୁ ସେ ଉପଯୁକ୍ତ ଫୋରମରେ ନ କହି କେବଳ ହୋହାଲ୍ଲା କରିବା ପାଇଁ ଜୟ ନାରାୟଣ ଏପରି କହିଛନ୍ତି। ଯାହା ଗଣତନ୍ତ୍ର ପାଇଁ କେବେ ବି ଶୁଭକର ନୁହେଁ।

Categories
ବିଶେଷ ଖବର ରାଜ୍ୟ ଖବର

ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ପାଗଳର ପ୍ରଳାପ; ବିଜେଡି

ଭୁବନେଶ୍ୱର: ବିଧାନସଭାର ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ। ଏବେ କିଛିଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି। ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ କଥାକୁ ବିଜୁ ଜନତା ଦଳ ଗୁରୁତ୍ୱ ଦେବାକୁ ଚାହୁଁନି। ବରଂ ବିଜେପି ନେତୃବୃନ୍ଦ ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଇବା ଜରୁରୀ ବୋଲି କହିଛନ୍ତି ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।

ଆଜି ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ମୁଦୁଲି କହିଛନ୍ତି ଯେ ଜୟନାରାୟଣ ମିଶ୍ରଙ୍କ ନାଁରେ ହତ୍ୟା ଭଳି ୧୬ଟି ସଂଗିନ ଅପରାଧିକ ମାମଲା ରୁଜୁ ହୋଇଛି। ଏକ ହତ୍ୟା ମାମଲାରେ ଗିରଫ ହୋଇ ସେ ଦୀର୍ଘଦିନ ଧରି ଜେଲ୍ରେ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି। ପୂର୍ବରୁ ସେ ତାଙ୍କରି ବିଜେପି ଦଳର ରାଜ୍ୟ ସଭାପତିଙ୍କୁ ମଧ୍ୟ ଚପଲରେ ବାଡେଇ ଲହୁଲୁହାଣ କରି ଦେଇଥିଲେ।

ଆଉ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ସର୍ବସମକ୍ଷରେ ଗାଳିଗୁଲଜ ଓ ଧମକଚମକ ଦେବା ସହ ଆକ୍ରମଣ କରିଥିଲେ। ଖାଲି ସେତିକି ନୁହେଁ, ବିଧାନସଭାରେ ତାଙ୍କରି ଦଳର ନେତା ଟଙ୍କା ଖାଇ ମ୍ୟାନେଜ ହେଉଛନ୍ତି ବୋଲି ପାଗଳଙ୍କ ଭଳି ବୟାନ ଦେଇଥିଲେ ଜୟନାରାୟଣ। ତାଙ୍କର ଏଭଳି ଆଚରଣ ଓ ଉଚ୍ଚାରଣକୁ ଦେଖି ସେ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଖୋଦ୍ ବିଜେପି ଦଳର ଅନେକ ନେତା କହୁଛନ୍ତି।

ତେଣୁ ବିଜେପିର ବିଧାୟକ ଓ ନେତୃବୃନ୍ଦଙ୍କୁ ଶ୍ରୀ ମୁଦୁଲି ଅନୁରୋଧ କରିଛନ୍ତି ଯେ ଜୟନାରାୟଣ ମିଶ୍ରଙ୍କଠାରୁ ଆପଣମାନେ ଦୂରେଇ ରୁହନ୍ତୁ। ନହେଲେ କେତେବେଳେ ସେ ଆପଣମାନଙ୍କୁ ମଧ୍ୟ ମାଡ଼ ମାରି ରକ୍ତାକ୍ତ କରି ଦେଇପାରନ୍ତି।

କେବଳ ସେତିକି ନୁହେଁ, ଯେ କୌଣସି ମୁହୂର୍ତ୍ତରେ ତାଙ୍କଆଡ଼ୁ ଆକ୍ରମଣର ଆଶଙ୍କା ଥିବାରୁ ସାମ୍ବାଦିକମାନେ ମଧ୍ୟ ବାଇଟ୍ ନେଲା ବେଳେ ଜୟନାରାୟଣ ମିଶ୍ରଙ୍କଠାରୁ ସୁରକ୍ଷିତ ଦୂରତା ରକ୍ଷା କରିବାକୁ ଶ୍ରୀ ମୁଦୁଲି ପରାମର୍ଶ ଦେଇଛନ୍ତି। କାରଣ ଆଜି ବିଧାନସଭା ପରିସରରେ ଏକ ନିର୍ଦ୍ଦିଷ୍ଟ ନ୍ୟୁଜ୍ ଚାନେଲର ସାମ୍ବାଦିକଙ୍କୁ ଶ୍ରୀ ମିଶ୍ର ଠେଲାପେଲା କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି।

ଏସବୁରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ତାଙ୍କ ମାନସିକ ସ୍ୱାସ୍ଥ୍ୟର ସ୍ଥିତି ଅତ୍ୟନ୍ତ ଖରାପ ଅଛି। ତେଣୁ ବିଜେପି ନେତୃବୃନ୍ଦ ତାଙ୍କୁ ଜୋରଜବରଦସ୍ତ ଡାକ୍ତରଙ୍କ ପାଖକୁ ନେଇ ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଇବାକୁ ଶ୍ରୀ ମୁଦୁଲି ପରାମର୍ଶ ଦେଇଛନ୍ତି। ଶ୍ରୀ ମୁଦୁଲି ଆହୁରି କହିଛନ୍ତି ଯେ ଜୟନାରାୟଣ ମିଶ୍ରଙ୍କ ଭଳି ଜଣେ ପାଗଳ ବ୍ୟକ୍ତିଙ୍କୁ ଆମେ କୌଣସି ଗୁରୁତ୍ୱ ଦେଉନୁ କି ତାଙ୍କର କୌଣସି ବୟାନର ପ୍ରତିକ୍ରିୟା ଦେବାକୁ ଚାହୁଁନୁ।

Categories
ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭା, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ

ଭୁବନେଶ୍ବର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେସନ। ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହାପରେ ବାଚସ୍ପତି ରାଜ୍ୟପାଳଙ୍କୁ ଗୃହ ଭିତରକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ଗୃହ ଭିତରେ ପହଞ୍ଚିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହାପରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।

ରାଜ୍ୟପାଳ ପ୍ରଥମେ ଦିବଂଗନ୍ତ ନେତାଙ୍କ ସ୍ମୃତି ଚାରଣ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ହେଲେ ପୂର୍ବରୁ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ପ୍ରଥମେ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିବା ଆରମ୍ଭ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣରେ ସେମାନେ ବାଧା ସୃଷ୍ଟି କରିବାକୁ ଚେଷ୍ଠା କରିଥିଲେ।

ଏହାପରେ ବିରୋଧୀ ବିଜେପି ମଧ୍ୟ ହଟ୍ଟଗୋଳ ଆରମ୍ଭ କରିଥିଲା। ବିଜେପି ସଦସ୍ୟମାନେ ରାଜ୍ୟପାଳ ଅଭିଭାଷଣଙ୍କୁ ବିରୋଧ କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି ସେମାନେ ହଟ୍ଟଗୋଳ କରିଥିଲେ। ଉଭୟ କଂଗ୍ରେସ ଏବଂ ବିଜେପି ସଦସ୍ୟମାନେ ବହୁ ସମୟ ଧରି ହଟ୍ଟଗୋଳ କରିଥିଲେ। ଏହାର କିଛି ସମୟ ପରେ କଂଗ୍ରେସ ଓ ବିଜେପି କକ୍ଷ ତ୍ୟାଗ କରିଥିଲେ।

ମୁଖ୍ୟତଃ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଏହି ଆନ୍ଦୋଳନ କରିଛି। ସମସ୍ତ ବିଜେପି ବିଧାୟକ କକ୍ଷତ୍ୟାଗ କରିବା ପରେ ବିଧାନସଭା ମୁଖ୍ୟ ଫାଟକ ନିକଟରେ ସେମାନେ ଧାରଣାରେ ବସି ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବିଧାନସଭାର ବଜେଟ ଅଧିବେସନ, ରାଜ୍ୟପାଳ ଦେବେ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେସନ। ପରଂପରା ଅନୁସାରେ ଏହି ଅଧିବେସନର ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ରଖିବେ। ସେଥିପାଇଁ ଆଜି ଗୃହର ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କ ଅଭିଭାଷଣ ରହିବ। ଏହାପରେ ଧନ୍ୟବାଦ ପ୍ରସ୍ତାବ ଆସିବ।

ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ନୂତନ ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବାଚସ୍ପତି ଶ୍ରୀ ଆରୁଖ ଚଳିତ ବଜେଟ ଅଧିବେଶନରେ ଗୃହର ସୁପରିଚାଳନା ନେଇ ସମସ୍ତ ନେତୃବୃନ୍ଦଙ୍କର ସହଯୋଗ କାମନା କରିଥିଲେ। ଏହି ବୈଠକରେ ବିରୋଧି ଦଳନେତା ଶ୍ରୀ ଜୟନାରାୟଣ ମିଶ୍ର, ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ।

ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ,  ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ନେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ଏହି ଅଧିବେଶନରେ ରାଜ୍ୟର ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି। ଚଳିତ ଅଧିବେଶନରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରେସ୍‌ ଗ୍ୟାଲେରୀରେ ଉପସ୍ଥିତ ରହି ପାରିବେ ଏବଂ ସାଧାରଣ ଦର୍ଶକମାନେ ମଧ୍ୟ ଦର୍ଶକ ଗ୍ୟାଲେରୀକୁ ଆସିପାରିବେ।

ଦର୍ଶକମାନଙ୍କୁ ବିଧାୟକମାନଙ୍କ ଜରିଆରେ ଦର୍ଶକ ଗ୍ୟାଲେରୀ ପାଇଁ ପ୍ରବେଶ ପତ୍ର ପ୍ରଦାନ କରାଯିବ। ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ଅଧିବେଶନରେ ସ୍ୱାସ୍ଥ୍ୟଗତ କାରଣରୁ ଗୃହରେ ଉପସ୍ଥିତ ହୋଇପାରୁନଥିବା ସଦସ୍ୟମାନେ ମଧ୍ୟ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ବଜେଟ ଅଧିବେସନ: ଆଜି ହେଲେ ଛକାଛକି, କାଲି ହେବେ ମୁହାଁମୁହିଁ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବସୁଛି ଓଡିଶା ବିଧାନସଭାର ବଜେଟ ଅଧିବେସନ। ତେବେ ଏହି ଅଧିବେସନରୁ ବଜେଟ ସଂପର୍କରେ ଜାଣିବା ପାଇଁ ଲୋକେ ଆଗ୍ରହୀ ନୁହଁନ୍ତି। ବରଂ ଶାସକ ବିରୋଧୀ କିପରି ହେବେ ମୁହାଁମୁହିଁ ସେ ନେଇ ସମସ୍ତେ ଅନେଇ ରହିଛନ୍ତି। କାରଣ ହେଲା ଏଥର ବଜେଟ ଅଧିବେସନ ପୂର୍ବରୁ ବିରୋଧୀ ଓ ଶାସକ ଦଳ ପାଖରେ ରହିଛି ସ୍ପର୍ଶକାତର ପ୍ରସଂଗ।

ଏଥର ବିଧାନସଭାରେ ପ୍ରମୁଖ ପ୍ରସଂଗ ମଧ୍ୟରେ ରହିଛି ନବ ଦାସ ହତ୍ୟାକାଣ୍ଡ। କାରଣ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ତେବେ ଏହି ହତ୍ୟାକାଣ୍ଡରେ ଖୋଦ ପୋଲିସ ସଂପୃକ୍ତ। ଫଳରେ ବିରୋଧୀଙ୍କ ପାଇଁ ହାଙ୍ଗାମା କରିବା ପାଇଁ ଏହା ପ୍ରମୁଖ ପ୍ରସଂଗ ହୋଇ ରହିଛି। ଉଭୟ ବିଜେପି ଓ କଂଗ୍ରେସ ଏହାକୁ ନେଇ ଗୃହରେ ତୁମ୍ବିତୋଫାନ କରିବେ।

ସେହିପରି ଶାସକ ବିଜେଡି ମଧ୍ୟ ପଛରେ ପଡିଯିବ ନାହିଁ। କାରଣ ବିଜେଡି ପାଖରେ ମଧ୍ୟ ବିରୋଧୀ ବିଜେପିକୁ ଘେରିବା ପାଇଁ ରହିଛି ମାଳମାଳ ପ୍ରସଂଗ। ଚାଉଳ କାଟିବା ହେଉ କିମ୍ବା କେନ୍ଦ୍ରମନ୍ତ୍ରୀମାନଙ୍କର ପ୍ରତିଶୃତି ପୁରଣ ନ ହେବା ପ୍ରଭୃତି ପ୍ରଂସଗ ରହିଛି। ସେହିପରି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ନେଇ ମଧ୍ୟ ବିଜେଡି ହୋହାଲ୍ଲା କରିବାର ସମ୍ଭାବନା ରହିଛି।

ତେବେ ବିଜେଡି ପାଖରେ ଯେଉଁ ବଡ ହତିୟାର ରହିଛି ତାହା ହେଲା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ମହିଳା ପୋଲିସଙ୍କୁ ଆକ୍ରମଣ। ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ହୋଇଥିବା ବେଳେ ବିଜେଡି ଏହାକୁ ପ୍ରମୁଖ ପ୍ରସଂଗ କରିବ। ଜଣେ ସାମ୍ବିଧାନିକ ପଦପଦବୀରେ ଥିବା ନେତା ପୋଲିସକୁ ଧକ୍କା ମାରିବା ଘଟଣାକୁ କେହି ବି ସହଜରେ ଗ୍ରହଣ କରି ନାହାଁନ୍ତି। ଫଳରେ ବିଜେଡି ଏହାକୁ ନେଇ ବିଜେପିକୁ ଆକ୍ରମଣ କରିବ।

ଏଥର ବିଧାନସଭାରେ ନବ ଦାସ ଏବଂ ଜୟନାରାୟଣ ମିଶ୍ର ଦୁଇଟି ବଡ ପ୍ରସଂଗ ବ୍ୟତିତ ଅନ୍ୟ କେତେକ ପ୍ରଂସଗ ରହିଛି। ସେଗୁଡିକ ମଧ୍ୟରେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ଏବଂ ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ଘେରିବ। ସେହିପରି ବିଜେଡି ମଧ୍ୟ କେନ୍ଦ୍ର ସରକାର ଚାଉଳ କାଟିବା, କେନ୍ଦ୍ରମନ୍ତ୍ରୀମାନେ ପଦମପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶୃତି ପୁରଣ ନ କରିବା ପ୍ରଭୃତି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଓଡ଼ିଆ ଜାତିର ସ୍ୱାଭିମାନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୮୯ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ବିଧାନସଭା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଥିଲେ।

ସେହିପରି ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ, ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଶ୍ରୀ ସୀତାକାନ୍ତ ମହାପାତ୍ରଙ୍କ ସମେତ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ ଏବଂ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀଙ୍କ ଦ୍ୱାରା ମଧୁବାବୁଙ୍କ କାଳଜୟୀ ରଚନା ‘ତୁ ପରା ବୋଲାଉ ଉତ୍କଳ ସନ୍ତାନ’ ପରିବେଷଣ କରାଯାଇଥିଲା।