Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରକେଟ୍ ପରି ଉଠିବ ଓଡିଶା ବିଧାୟକମାନଙ୍କ ଦରମା, ବାଚସ୍ପତିଙ୍କୁ ଦିଆଗଲା ପ୍ରସ୍ତାବ

ଭୁବନେଶ୍ବର: ଓଡିଶାର ବିଧାୟକଙ୍କ ଦରମା ବୃଦ୍ଧି ପାଇବ। ତେବ ଏକ ଗୁଣା ନୁହେଁ କି ଦୁଇ ଗୁଣା, ଏକା ଥରେ ତିନିଗୁଣା ବୃଦ୍ଧି ପାଇବ। ଅର୍ଥାତ ରକେଟ ପରି ଉଠିବ ସେମାନଙ୍କର ମାସିକିଆ ଦରମା। ସେତିକି ନୁହେଁ ଯେଉଁମାନେ ପୂର୍ବତନ ବିଧାୟକ ଅଛନ୍ତି ସେମାନଙ୍କର ପେନସନ ମଧ୍ୟ ଉପରକୁ ଉଠିବ। ଏ ନେଇ ବାଚସ୍ପତିଙ୍କୁ ବିଧାୟକ ଦରମା ପରାମର୍ଶଦାତା କମିଟ ଏକ ରିପୋର୍ଟ ଦେଇଛି।

ଏହି କମିଟର ଅଧ୍ୟକ୍ଷ ଥିବା ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି କମିଟରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ତାରା ବାହୀନିପତି, ମକରନ୍ଦ ମୁଦୁଲି, ନୃସିଂହ ସାହୁ ପ୍ରମୁଖ ଏଗାର ଜଣ ସଦସ୍ୟ ରହିଛନ୍ତି। ସେମାନେ ଏକ ନିଷ୍ପତି କରି ଏହି ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି।

ତେବେ ବିଧାୟକ ଦରମା କେତେ ବୃଦ୍ଧି ଘଟିବ ସେ ନେଇ କମିଟ ସଦସ୍ୟ କେହି କିଛି କହି ନାହାଁନ୍ତି। ହେଲେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, କମିଟ ବିଧାୟକଙ୍କ ଦରମା ମାସିକ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଛନ୍ତି। ସେହିପରି ପୂର୍ବତନ ବିଧାୟକଙ୍କ ଦରମା ୯୦ ହଜାରକୁ ବୃଦ୍ଧି କରିବାକୁ ସୁପାରିଶ କରିଛନ୍ତି। ତେବେ ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଏହି ସୁପାରିଶ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମାକୁ ଦୃଷ୍ଟି ରଖି କରାଯାଇଛି।

ବର୍ତ୍ତମାନ ଓଡିଶାର ବିଧାୟକମାନେ ମାସିକ ୯୯ ହଜାର ଟଙ୍କା ଦରମା ପାଉଛନ୍ତି। ଏଥିରେ ମୂଳ ଦରମା ବାବଦକୁ ୩୫ ହଜାର ଟଙ୍କା, ଯାତାୟତ ପାଇଁ ୧୫ ହଜାର, ମେଡିକାଲ ଖର୍ଚ୍ଚ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର, ସେକ୍ରେଟେରିଆଲ ଖର୍ଚ୍ଚ ୨୦ ହଜାର, ବିଦ୍ୟୁତ ବିଲ ୫ ହଜାର ଓ ଅନ୍ୟାନ୍ୟ ବାବଦକୁ ମୋଟ ୯୯ ହଜାର ପାଉଛନ୍ତି।

ସେହିପରି ପୂର୍ବତନ ବିଧାୟକମାନେ ବର୍ତ୍ତମାନ ମାସିକ ୩୦ ହଜାର ଟଙ୍କା ଲେଖାଏଁ ପେନସନ ପାଉଛନ୍ତି। ଏହି ପେନସନ ଗତ ୨୦୧୭ ମସିହାରେ ବର୍ଦ୍ଧିତ କରାଯାଇଥିଲା। ତେବେ ଏତିକି ଟଙ୍କାର ସେମାନେ ଚଳିପାରିବେ ନାହିଁ ବୋଲି ଅନୁଭବ କରି କମିଟ ଏହାକୁ ବୃଦ୍ଧି ପାଇଁ ମଧ୍ୟ ସୁପାରିଶ କରିଛନ୍ତି।

ତେବେ କମିଟ କେତେ ଟଙ୍କା ବୃଦ୍ଧି ପାଇଁ ସୁପାରିଶ କରିଛନ୍ତି ତାହା କେହି କହି ନାହିଁନ୍ତି। ହେଲେ ସେମାନଙ୍କର ପେନସନ ପ୍ରାୟ ୯୦ ହଜାର ଟଙ୍କା ବୃଦ୍ଧି କରିବା ପାଇଁ କୁହାଯାଇଛି ବୋଲି ଜଣାପଡିଛି। ଏଥିରେ କମିଟ ସେମାନଙ୍କର ମେଡିକାଲ, ଯାତାୟତ ପରି ବିଭିନ୍ନ ଭତ୍ତା ବୃଦ୍ଧି କରିବା ପାଇଁ ପରାମର୍ଶଦାତା କମିଟ ସୁପାରିଶ କରିଛି।

ଗତ ବଜେଟ ଅଧିବେସନର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦାବୀ ହୋଇଥିଲା। ଏହି ଦାବୀକୁ ଦୃଷ୍ଟିରେ ରଖି ବାଚସ୍ପତି ଏକ କମିଟ ଗଠନ କରିଛନ୍ତି। ସେହି କମିଟ ତାହାର ସୁପାରିଶ ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ବାଚସ୍ପତି ଅନୁଧ୍ୟାନ କରିବା ପରେ ତାହାକୁ ଅର୍ଥ ବିଭାଗକୁ ପଠାଇବେ। ଅର୍ଥ ବିଭାଗର ଅନୁମୋଦନ ଆସିବା ପରେ ତାହା ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇବ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ପ୍ରସଂଗ ନେଇ ଗୃହରେ ହଟ୍ଟଗୋଳ, ଦିନ ଏଗାରଟା ତିରିଶି ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଶିକ୍ଷକମାନେ ରାଜରାସ୍ତାରେ ଧାରଣାକୁ ବିରୋଧ କରି ଏହି ହଟ୍ଟଗୋଳ କରାଯାଇଛି। କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ପ୍ରଶ୍ନ ଉତ୍ତର ସମୟରେ ସେମାନେ କୌଣସି କାର୍ଯ୍ୟ କରିବାକୁ ଦେଇ ନ ଥିଲେ।

କଂଗ୍ରେସ ବିଧାୟକ ତାରା ବାହିନୀପତି ଏକ ଚ୍ୟାୟର ଉପରେ ଛିଡା ହୋଇ ବାଚସ୍ପତିଙ୍କ କାର୍ଯ୍ୟକୁ ରୋକିବାକୁ ଚେଷ୍ଠା କରିଥିଲେ। ବାଚସ୍ପତି ବାରମ୍ବାର ନିଜ ଆସନକୁ ଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ବିଧାୟକମାନେ ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ଏଗାରଟା ତିରିଶ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭାକୁ ସରଗରମ କଲା ଅର୍ଚ୍ଚନା ନାଗ ପ୍ରସଂଗ, ବିରୋଧୀଙ୍କ ହାଙ୍ଗାମା

ଭୁବନେଶ୍ବର: ବିଧାନସଭାରେ ଉଠିଲା ନାଗ ଦମ୍ପତ୍ତି ପ୍ରସଙ୍ଗ। ଏନେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ ରହୁଛନ୍ତି ସେଇ ପ୍ରଶ୍ନ ଉଠାଇଛନ୍ତି  ବିରୋଧୀ କଂଗ୍ରେସ ଓ ବିଜେପି। ସେଥିପାଇଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉଭୟ ଦଳ ଦାବି କରିଛନ୍ତି। ଏହାକୁ ନେଇ ଗୃହର ସ୍ଥିତି ସରଗରମ ଥିଲା।

ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନର ଅପରାହ୍ନ ଅଧିବେଶନ କାଳରେ ପ୍ରଥମେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିବା ଦୁଃଖର ବିଷୟ। ତେଣୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ।

ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେ କହିଥିଲେ, ନାଗ ଦାମ୍ପତ୍ତିଙ୍କ ପାଇଁ ରାଜ୍ୟର ଭାବମୂର୍ତ୍ତି ନଷ୍ଟ ହୋଇଛି I ଏଥିରେ ଶାସକ ଦଳର ନେତା, ପ୍ରଶାସକ ସିଧାସଳଖ ସମ୍ପୃକ୍ତ। ତେଣୁ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବାର ଅଧିକାର ନାହିଁ। ସେ ତୁରନ୍ତ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। ଏଥିପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଶ୍ରୀ ମାଝୀ ଦାବି କରିଥିଲେ।

ଶେଷରେ କଂଗ୍ରେସ, ବିଜେପି ସଭ୍ୟ ଗୃହ ଭିତରେ ହାଟଗୋଳ ସହ ନାରାବାଜି ଦେଇଥିଲେ।  ଏହି ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ତାରାଫୁର ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ପରେ ବାଚସ୍ପତି ଗୃହକୁ 5.10ରେ ଶୁକ୍ରବାର ସାଢ଼େ 10 ଯାଏ ମୁଲତବୀ ଘୋଷଣା କରିଥିଲ ।

Categories
ବିଶେଷ ଖବର ବ୍ୟବସାୟ

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ

ଭୁବନେଶ୍ବର: ଆଜି ଠାରୁ ଓଡିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନରେ ବିରୋଧୀଙ୍କ ଦ୍ଵାରା ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବହୁଚର୍ଚ୍ଚିତ ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଙ୍ଗମା ହୋଇଛି। ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରକୁ ଆକ୍ରମଣ କରିଛନ୍ତି। ଏନେଇ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି।

ସେହିଭଳି ବିଜେପି ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ମାଗିଛି। ଗୃହର ମଧ୍ୟଭାଗରେ ଉଭୟ ବିରୋଧୀଙ୍କ ହୋହଲ୍ଲା ପରେ ଗୃହ ମୁଲତବୀ କରାଯାଇଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି।

ତେବେ ଏସବୁ ସତ୍ତ୍ୱେ ଆଜି ଗୃହରେ ୨୦୨୨-୨୩ ର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି। ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ଏହି ବଜେଟ ଆଗତ କରିଛନ୍ତି। ଅର୍ଥମନ୍ତ୍ରୀ ପଦ୍ମପୁର ଉପ-ନିର୍ବାଚନର ପ୍ରଚାରରେ ଥିବାରୁ ତାଙ୍କ ସ୍ଥାନରେ ପଞ୍ଚାୟତରାଜ ମନ୍ତ୍ରୀ ଉକ୍ତ ବଜେଟ ଆଗତ କରିଛନ୍ତି। ତେବେ ମୋଟ ୧୬ ହଜାର ୮ ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି।

୧- କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କା

୨- ପ୍ରଶାସନିକ ବ୍ୟୟ ୪ ହଜାର ୯୩୪ କୋଟି ଟଙ୍କା

୩- କାର୍ଯ୍ୟକ୍ରମ ବ୍ୟୟ ୯ ହଜାର ୨୦୦ କୋଟି ଟଙ୍କା

୪- ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର ୬୦୦ କୋଟି

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭା, ପ୍ରଥମ ଦିନରେ ପରଲୋକଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ। ପ୍ରଥମେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇଏମ ନେତା ଲକ୍ଷଣ ମୁଣ୍ଡା ସମର୍ଥନ କରିଥିଲେ।

ଯେଉଁ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ସେମାନେ ହେଲେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ ଏବଂ ଅନ୍ୟ ତିନି ସଦସ୍ୟଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ସେହିପରି ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀ, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି।

ଏହି ପରଲୋକଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୋଟାଏ ମିନିଟର ନିରବ ପ୍ରାର୍ଥନା କରାଯାଇଛି । ଗୃହ ପକ୍ଷରୁ ପରଲୋକଗତ ସଦସ୍ୟଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ଦିଆଯାଇଛି। ଏହାପରେ ଗୃହ କାର୍ଯ୍ୟକୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ଶୀତ ଅଧିବେଶନ ନେଇ ବସିଲା ସର୍ବଦଳୀୟ ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବିରୋଧି ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମାନ୍ୟବର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ସଦସ୍ୟ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ମାନ୍ୟବର ସଦସ୍ୟ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ଅଧିବେଶନରେ ରାଜ୍ୟର ୨୦୨୨-୨୩ ମସିହାର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି।

କୋଭିଡ୍‌ କଟକଣା ପ୍ରତ୍ୟାହାର କରାଯାଇଥିବା ଦୃଷ୍ଟିରୁ ଗୃହରେ ସଦସ୍ୟମାନେ ସ୍ୱାଭାବିକ ଭାବେ ନିଜ ନିଜ ସ୍ଥାନରେ ବସିବେ ଏବଂ ପ୍ରେସ୍‌ ଗ୍ୟାଲେରୀକୁ କୋଭିଡ୍‌ ପୂର୍ବବର୍ଷ ଭଳି ଗଣମାଧ୍ୟମ ପ୍ରତିନିଧିମାନେ ଆସିପାରିବେ।

ଏଥି ସହିତ ଅସୁସ୍ଥତା କାରଣରୁ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗଦେବାକୁ ଚାହୁଁଥିବା ସଦସ୍ୟମାନେ ଦରଖାସ୍ତ ଜରିଆରେ ଜଣାଇଲେ ତାଙ୍କୁ ସେହି ସୁବିଧା ଯୋଗାଇଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାନସଭାରୁ ହଟିଲା କୋଭିଡ କଟକଣା, ଏଣିକି ସ୍ବାଭାବିକ ଭାବେ ଚାଲିବ ଗୃହ

ଭୁବନେଶ୍ୱର : ଶେଷରେ ବିଧାନସଭାରୁ କୋଭିଡ଼ କଟକଣାକୁ ହଟାଇ ଦିଆଯାଇଛି। ଫଳରେ ବିଧାୟକ, ମନ୍ତ୍ରୀ, ଷ୍ଟାପମାନେ ଏଣିକି ବିନା ଟେଷ୍ଟରେ ବିଧାନସଭା କାମ କରିପାରିବେ। ସେହିପରି ସ୍ବାଦିକମାନଙ୍କୁ ଏଣିକ ପ୍ରେସ୍‌ ଗ୍ୟାଲେରୀକୁ ଯାଇପାରିବେ। ସେହିପରି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ଚଳିତ ବିଧାନସଭା । ଏ ନେଇ ଆଜି ସର୍ବଦଳୀୟ ବୈଠକରେ ସୂଚନା ଦିଆଯାଇଛି।

ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ।

ସେହିପରି ବ୍ୟୟମଞ୍ଜୁରୀ ବିଲ୍ ଡିସେମ୍ବର ୨ତାରିଖରେ ଉପସ୍ଥାପିିତ ହେବ । ଏହି ୩୩ଦିନିଆ କାର୍ଯ୍ୟଦିବସରେ ନଭେମ୍ବର ୨୫, ଡିସେମ୍ବର ୯, ୧୬, ୨୩ ,୨୮ ଓ ୩୦ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ରହିଛି। ବିଧାନସଭାକୁ ସୁରୁଖୁରରେ ପରିଚାଳନା ପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା।

ଗତ ୧୯ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାଜ୍ୟରେ ଲାଗୁ ହୋଇଥିବା କୋଭିଡ ଅଧିନୟମକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି। ତାହାକୁ ଦୃଷ୍ଟିରେ ରଖି ବିଧାନସଭା ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୪୫ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବିଧାନସଭା ପରିସରସ୍ଥ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପୁଷ୍ପାର୍ଘ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ଯେ ମାନବସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ପଣ୍ଡିତ ଗୋପବନ୍ଧୁ ଥିଲେ ଦୀନ, ଦରିଦ୍ର ଓ ଦୁଃଖୀଙ୍କର ବନ୍ଧୁ। ନିରାଶ୍ରୟ ଓ ନିଃସହାୟଙ୍କ ସେବା କରିବାଠାରୁ ଆରମ୍ଭ କରି ଯୁବସମାଜକୁ ଆଦର୍ଶ ନାଗରିକ ଭାବେ ଗଢ଼ିତୋଳିବା ପାଇଁ ସେ ସଦା ତତ୍ପର ଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଣ୍ଡିତ ଗୋପବନ୍ଧୁ ନିରାଶ୍ରୟଙ୍କ ସେବା କରିବା ପାଇଁ ଆଗେଇ ଆସୁଥିଲେ।

ଓଡ଼ିଶାର ଶିକ୍ଷାର ପ୍ରସାର ସହିତ ସାହିତ୍ୟ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଥିଲା। ତାଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ଓ ଦୈନିକ ଖବରକାଗଜ ‘ସମାଜ’ ତାହାର ଅନନ୍ୟ ଉଦାହରଣ । ଉତ୍ସର୍ଗୀକୃତ ସେବା ମନୋବୃତ୍ତି ପାଇଁ ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ରହିବେ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ନିମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତି ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ଆଧାରିତ ସଂଗୀତ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଷ୍ଣୁ ସେଠୀଙ୍କ ପରଲୋକରେ ଧାମନଗର ବିଧାନସଭା ଆସନ ଖାଲି, ଜାରୀ ହେଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଭଦ୍ରକ ଜିଲ୍ଲାର ୪୬-ଧାମନଗର (ଏସ୍‌ସି) ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରୁ ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ଆସୀନ ସଦସ୍ୟ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ମର୍ମରେ ତାଙ୍କ ବିୟୋଗରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ତଥା ସଚିବ ଶ୍ରୀ ଦାଶରଥି ଶତପଥୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଏହା ଓଡ଼ିଶା ଗେଜେଟ୍‌ର ଅସାଧାରଣ ପ୍ରସଙ୍ଗରେ ସ୍ଥାନିତ କରିବା ପାଇଁ ପତ୍ର ପଠାଯିବା ସହ ଏହାର ନକଲ ମୁଖ୍ୟ ନିର୍ବାଚନ ଆୟୁକ୍ତ, ନୂଆଦିଲ୍ଲୀ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା, ସମସ୍ତ ମାନ୍ୟବର ବିଧାୟକ/ସାଂସଦ, ଲୋକସଭା ଏବଂ ରାଜ୍ୟସଭାର ମହାସଚିବ, ମାନ୍ୟବର ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଏବଂ ଏଥି ସଂପୃକ୍ତ ସମସ୍ତଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି ।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଓଡ଼ିଶା ବିଧାନସଭାରେ ସଦ୍‌ଭାବନା ଦିବସ ପାଳିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ସଦ୍‌ଭାବନା ଦିବସ ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ସମସ୍ତ ଅଧିକାରୀ ଓ କର୍ମଚାରୀ ଦେଶର ଶାନ୍ତି, ଜାତୀୟ ସଂହତି ଓ ସାଂପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ନିମନ୍ତେ ଶପଥ ନେଇଥିଲେ। ସଚିବ ଶ୍ରୀ ଦାଶରଥୀ ଶତପଥୀ ଏହି ଶପଥପାଠ କରାଇଥିଲେ।

ପ୍ରକାଶଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ଦେଶରେ ଶାନ୍ତି, ଜାତୀୟ ସଂହତି ଓ ସାଂପ୍ରଦାୟିକ ସଦ୍‌ଭାବ ଅକ୍ଷୁଣ୍ଣ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ତାଙ୍କ ଜନ୍ମତିଥି ଅଗଷ୍ଟ ୨୦ ତାରିଖରେ ସଦ୍‌ଭାବନା ଦିବସ ପାଳନ କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେବ ଓଡିଶାର ଶ୍ରେଷ୍ଠ ବିଧାୟକ, ବସିଲା ଚୟନ କମିଟର ପ୍ରଥମ ବୈଠକ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଚୟନ କମିଟିର ସଦସ୍ୟ ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ପୂର୍ବତନ ବିଧାୟକ ଶ୍ରୀ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଶ୍ରୀରାମ ଦାଶ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ କୋଭିଡ୍‌ ସଂକ୍ରମଣ ପାଇଁ ଗତ ତିନିବର୍ଷ ଧରି ଏ ବାବଦରେ କୌଣସି ବୈଠକ ଅନୁଷ୍ଠିତ ହୋଇନଥିଲା। ଚଳିତ ବର୍ଷ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ୫ ବର୍ଷର ଶ୍ରେଷ୍ଠ ବିଧାୟକଙ୍କୁ ଚୟନ କରାଯିବ। ପ୍ରତିବର୍ଷ ଓଡ଼ିଶା ବିଧାନସଭା ପକ୍ଷରୁ ୩ଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

ପଣ୍ଡିତ ନୀଳକଣ୍ଠ ସମ୍ମାନରେ ବର୍ତ୍ତମାନର ବିଧାୟକ, ଉତ୍କଳଗୌରବ ମଧୁସୂଦନ ସମ୍ମାନରେ ପୂର୍ବତନ ବିଧାୟକ ଏବଂ ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ମାନିତ କରାଯାଇଥାଏ। ରାଜ୍ୟ ପ୍ରତି ଥିବା ଦାୟିତ୍ୱବୋଧ ଓ ନିଷ୍ଠା ସହ ବିଧାନସଭା ଗୃହକାର୍ଯ୍ୟରେ ବିଧାୟକଙ୍କର ଉଲ୍ଲେଖନୀୟ ପ୍ରଦର୍ଶନଆଧାରରେ ଚୟନ କମିଟି ଶ୍ରେଷ୍ଠ ବିଧାୟକଙ୍କୁ ମନୋନୀତ କରିଥାନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଗତ ୨୦ ବର୍ଷରେ ରାଜ୍ୟ ସରକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଋଣ କରିଛନ୍ତି, ଅର୍ଥମନ୍ତ୍ରୀ ପୂଜାରୀ

ଭୁବନେଶ୍ବର: କୋଡିଏ ବର୍ଷ ଭିତରେ ଓଡ଼ିଶା ସରକାର ୧,୫୦,୧୩୬ କୋଟି ଟଙ୍କାର ଋଣ କରିଛନ୍ତି। ଅର୍ଥାତ ଗତ ଆର୍ଥିକ ବର୍ଷ ୨୦୦୧-୦୨ ରୁ  ଚଳିତ ୨୦୨୨-୨୩ ବର୍ଷ ଅବଧି ମଧ୍ୟରେ ଏହି ଋଣ ହୋଇଛି। ସୁଧ ବାବଦକୁ ପଇଠ ହୋଇଛି ୭୯,୨୬୧ କୋଟି ଟଙ୍କା। ଗୃହରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ସେ କହିଛନ୍ତି ଯେ, ଏହି ଋଣ ଆଣିବାର ମୁଖ୍ୟ କାରଣ ହେଲା ରାଜ୍ୟର ଭିତ୍ତିଭୂମି ବିକାଶ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟ।  ସେଥିପାଇଁ ସରକାର ଖୋଲା ବଜାରରୁ ଋଣ କରିଥାନ୍ତି। ସେ କହିଛନ୍ତି ଯେ, ଗତ ବର୍ଷ ଠାରୁ ଏ ପର୍ଯ୍ୟନ୍ତ ସରକାର ଖୋଲା ବଜାରରୁ କୌଣସି ଋଣ କରି ନାହାନ୍ତି।

ହେଲେ ଖୁସିର କଥା ବର୍ଷ ଶେଷରେ ଖୋଲା ବଜାରରୁ ଋଣ ସଂଗ୍ରହ ପରିମାଣ ଆକଳନ ଠାରୁ କମ ରହିଛି । ଖଣିରୁ ଯଥେଷ୍ଟ ପରିମାଣରେ ରାଜସ୍ୱ ମିଳିଥିବାରୁ ଏପରି ସମ୍ଭବ ହୋଇଛି। ସେଥିପାଇଁ ଖୋଲା ବଜାରରୁ ୨୦୨୨-୨୩ ବର୍ଷରେ ୨,୨୫୯ କୋଟି ଟଙ୍କା ଋଣ କରାଯିବ। ଗୃହକୁ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ଟଙ୍କା ରହିଛି । ୨୦୦୧-୦୨ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ସଂଗ୍ରହ କରାଯାଇଥିବା ଋଣ ଏବଂ ସୁଧ ଦେୟର ଆନୁପାତିକ ହାର ପରିମାଣ ପ୍ରାୟ ୫୩ ପ୍ରତିଶତ ରହିଛି।

କୋଡ଼ିଏ ବର୍ଷ ଭିତରେ ସରକାର ସୁଧ ବାବଦକୁ ୭୯,୨୬୧ କୋଟି ବ୍ୟୟ କରିଛନ୍ତି । ପ୍ରତି ପାଞ୍ଚ ବର୍ଷରେ ଅର୍ଥାତ ୨୦୦୧-୦୨ ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଖାଯାଇଛି ଯେ, ରାଜ୍ୟ ସରକାରଙ୍କ ଋଣ ସଂଗ୍ରହ ପରିମାଣ ଯେଉଁ ପରିମାଣରେ ବଢ଼ିଛି, ସୁଧ ପରିଶୋଧ ପରିମାଣ ବି ସମପରିମାଣରେ ବଢ଼ିଛି । ହିସାବରୁ ଜଣାପଡିଛି ଯେ,

୨୦୦୧-୦୨ ଆର୍ଥିକ ବର୍ଷରେ ମୋଟ ୩୯୫୨.୫୬ କୋଟି ଋଣ ସଂଗ୍ରହ କରାଯାଇଥିବା ବେଳେ ସୁଧ ଦେୟ ପରିମାଣ ୨୮୩୪.୯୫ କୋଟି।

୨୦୦୫-୦୬ରେ ଋଣ ସଂଗ୍ରହ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୬୯୭.୦୯ କୋଟି ରହିଛି ।

୨୦୧୦-୧୧ରେ ଋଣ ସଂଗ୍ରହ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୦୬୧.୪୫ କୋଟି।

୨୦୧୫-୧୬ରେ ଋଣ ସଂଗ୍ରହ ୧୧,୬୨୫.୩୨ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୩୩୪୩.୨୯ କୋଟି।

୨୦୨୦-୨୧ରେ ୨୦୯୨୯.୧୭ ଋଣ ସଂଗ୍ରହ ଥିବାବେଳେ ସୁଧ ଦେୟ ପରିମାଣ ୬୬୪୨.୭୯ କୋଟି।

୨୦୨୧-୨୨ରେ ଋଣ ସଂଗ୍ରହ ୧୨,୫୫୫୧.୦୩ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୬୩୪୨.୪୫ କୋଟି ରହିଛି

ଗତକାଲି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ନୂଆଦିଲ୍ଲୀ ଯିବେ ଓଡିଶାର ୨୬ ଜଣ ବିଧାୟକ, ଜାଣନ୍ତୁ କଣ ରହିଛି କାରଣ

ଭୁବନେଶ୍ବର: ଆସନ୍ତାକାଲି ଓଡିଶାର ୨୬ ଜଣ ବିଧାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏଗି ଗସ୍ତର କାରଣ ହେଲା ଏମାନେ ଓଡିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କୁ ଅଭିନ୍ନଦନ ଜଣାଇବେ। ଏହି ବିଧାୟକମାନେ ୨ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ। ଏହାପରେ ୪ ତାରିଖରେ ଏମାନେ ଫେରି ଆସିବେ।

ବାଚସ୍ପତି ବିକ୍ରମ ଆରୁଖଙ୍କ ନେତୃତ୍ବରେ ଏହି ଦଳ ଗସ୍ତ କରିବ। ଏହି ଦଳରେ ବାଚସ୍ପତିଙ୍କ ସହିତ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଂଜନ ପୂଜାରୀ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲୀ, ନରସିଂହ ମିଶ୍ର, ମୋହନ ମାଝି, ଦେବୀ ମିଶ୍ର, ଜୟନାରାୟଣ ମିଶ୍ର, ତାରାପ୍ରସାଦ ବାହିନୀପତି, ପଦ୍ମନୀ ଦିଆନ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସୁଧୀର କୁମାର ସାମଲ, ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହେବେ। ଏହି ଗସ୍ତର ସମସ୍ତ ଖର୍ଚ୍ଚ ବିଧାନସଭା ତରଫରୁ ପ୍ରଦାନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ ଝଡ, ସଂସଦ ଓ ବିଧାନସଭା ମୁଲତବି

ଭୁବନେଶ୍ବର: ଆଜି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧନକୁ ନେଇ ହଟ୍ଟଗୌଳ ହୋଇଛି। ଏହାକୁ ନେଇ ସଂସଦରେ ବିଜେପି ମହିଳା ସାଂସଦମାନେ ପ୍ରବଳ ବିରୋଧ କରିଛନ୍ତି।

ଆଜି ସଂସଦ କାର୍ଯ୍ୟ ସମୟରେ ଅଧୀର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ। ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସ୍ମତିଇରାନୀ ପ୍ରମୁଖ ମହିଳା ସାଂସଦମାନେ ହଟ୍ଟଗୋଳ କରିଥିଲେ। ପରେ ସବୁ ମହିଳା ସାଂସଦ ଏକାଠି ହୋଇ ଏହାର ତୀବ୍ର ବିରୋଧ କରିଥିଲେ। ତୁରନ୍ତ ଅଧୀର ରଂଜନ ସଂସଦରେ କ୍ଷମା ମାଗନ୍ତୁ ବୋଲି ଦାବୀ କରିଥିଲେ।

ପରବର୍ତ୍ତି ସମୟରେ ରାଜ୍ୟସଭାରେ ମଧ୍ୟ ଏହାକୁ ନେଇ ପ୍ରବଳ ବିରୋଧ କରାଯାଇଥିଲା। ଅଧୀର ରଂଜନ ରାଷ୍ଟ୍ରକୁ ଅପମାନିତ କରିଛନ୍ତି ବୋଲି କହିଥିଲେ। ସାଂସଦ ତୁରନ୍ତ ତାଙ୍କର ବକ୍ତବ୍ୟ ଫେରାଇ ନେବା ସହିତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିଥିଲେ। ସଂସଦରେ ଏପରି ହାଙ୍ଗାମା ଦ୍ବାରା ଉଭୟ ଗୃହକୁ ମୁଲତବୀ ରଖାଯାଇଛି।

ଏପଟେ ବିଧାନସଭାରେ ମଧ୍ୟ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ ଝଡ ସୃଷ୍ଟି ହୋଇଛି। ବିରୋଧୀ ବିଜେପି ସଦସ୍ୟ କଂଗ୍ରେସ ହାଏ ହାଏ କରି ଗୃହ ଭିତରେ ହାଙ୍ଗାମା କରିଥିଲେ। ବିଜେପି ବିଧାୟକମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ।

ଗୃହ କାର୍ଯ୍ୟ ସ୍ବାଭାବିକ କରିବା ଲାଗି ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ। ନିଜ ସ୍ଥାନକୁ ଫେରି ଯାଇ ପ୍ରଶ୍ନକାଳରେ ସାମିଲ ହେବା ଲାଗି ବାଚସ୍ପତି ବିରୋଧୀ ଦଳ ବିଧାୟକଙ୍କୁ ଅନୁରୋଧ କରିଥିଲେ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ଜାରି ରହିଥିଲା।  ଫଳରେ ବାଚସ୍ପତି ଗୃହକୁ ଆଜି ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନେଇ ବିଧାନସଭା ସମ୍ମୁଖରେ ପ୍ରତିବାଦ କଲା ବିଜେପି ଓବିସି ମୋର୍ଚ୍ଚା

ଭୁବନେଶ୍ୱର : ଓଡିଶା ଜନସଂଖ୍ୟାର ୫୨ ପ୍ରତିଶତ ହେଉଛନ୍ତି ଓବିସି ବର୍ଗ ।ବୈମାତୃକ ମନୋଭାବ ରଖିଥିବା ରାଜ୍ୟ ସରକାର ଓବିସି ବର୍ଗକୁ କେବଳ ଅଣଦେଖା କରୁନାହାନ୍ତି ବରଂ ତାଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରୀରୁ ଆଦି କ୍ଷେତ୍ରରେ ବଂଚିତ ରଖୁଛନ୍ତି। ଶିକ୍ଷାରେ ସଂରକ୍ଷଣ ଦାବୀ କରି ବିଜେପି ଓବିସି ମୋର୍ଚ୍ଚାର ବିଧାନସଭା ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଲୋୟର ପିଏମଜିଠାରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ବହୁ ବିଧାୟକ ପ୍ରମୁଖ ପ୍ରତିବାଦ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଓବିସି ବର୍ଗ ପ୍ରତି ଥିବା ବୈମାତୃକ ମନୋଭାବକୁ କଡା ଭାଷାରେ ନିନ୍ଦା କରିବା ସହିତ ସଂରକ୍ଷଣ ପ୍ରସଙ୍ଗରେ ତୁରନ୍ତ ନିଷ୍ପତି ନେବା ପାଇଁ ଦାବୀ କରିଛନ୍ତି ।

ଏହି ଅବସରରେ ଓବିସି ମୋର୍ଚ୍ଚା କେନ୍ଦ୍ରୀୟ ସହପ୍ରଭାରୀ ଲକ୍ଷ୍ମଣ ଟି ତପଶି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ ଦାସ, ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ, ପ୍ରଶାନ୍ତ ନାୟକ, ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ପ୍ରତାପ ପ୍ରଧାନ, ରାଜ୍ୟ ସଂପାଦକ ଦୁର୍ଗାପ୍ରସନ୍ନ ନାୟକ, ସିଦ୍ଧାର୍ଥ ଶଂକର ପତି, ସଂଗ୍ରାମ ନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ଉପେନ୍ଦ୍ର ଭଂଜ ପ୍ରମୁଖଙ୍କ ସମେତ ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ସୁଶାନ୍ତ ଜେନା, ପ୍ରଶାନ୍ତ ନାୟକ, ସାବିତ୍ରୀ ବିଶ୍ୱାଳ, ସୁଜାତା ବାରିକ ପ୍ରମୁଖ ଏବଂ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ସରିଲା ରାଷ୍ଟ୍ରପତି ପଦ ପାଇଁ ଭୋଟ, ଜଣଙ୍କ ବ୍ୟତିତ ସବୁ ବିଧାୟକ କଲେ ମତଦାନ

ଭୁବନେଶ୍ବର: ଓଡିଶାରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ। ଏହି ମତଦାନ ପକ୍ରିୟା ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ କରାଇଥିଲା। ଆଜି ଦିନ ଦଶଟାରୁ ଆରମ୍ଭ ହୋଇଥିଲା ମତଦାନ। ଏଥିରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ବିଭିନ୍ନ ସମୟରେ ଆସି ନିଜର ଭୋଟ ପ୍ରଦାନ କରିଥିଲେ।

ଏହି ଭୋଟ ଗ୍ରହଣ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ବିଧାୟକମାନଙ୍କୁ ସ୍ବତନ୍ତ୍ର ବାଲଟ ପେପର ଯୋଗାଇ ଦିଆଯାଇଥିଲା। ଏଥିରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଦୁଇ ଜଣ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଯଶବନ୍ତ ସିହ୍ନାଙ୍କ ନାମ ରହିଥିଲା। ଯେଉଁମାନେ ଯାହାକୁ ଭୋଟ ଦେଇଛନ୍ତି ସେମାନେ ଏହି ପ୍ରାର୍ଥୀଙ୍କ ନାମ ପାଖରେ ଏକ ନମ୍ବର ବୋଲି ଲେଖିଛନ୍ତି। ସେଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ସ୍ବତନ୍ତ୍ର ପେନ ଯୋଗାଇ ଦିଆଯାଇଥିଲା।

ଅପରାହ୍ନ ଗୋଟାଏ ବେଳେ ଓଡିଶାର ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୪୧ ଜଣ ଭୋଟ ଦେଇଥିଲେ। ଏହାପରେ ଅପରାହ୍ନ ପାଞ୍ଚଟା ସୁଦ୍ଧା ୧୪୫ ଜଣ ଭୋଟ ଦେଇଛନ୍ତି। ଆଉ ଦୁଇଜଣଙ୍କ ମଧ୍ୟରୁ ଜଣେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ସଂସଦରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିବାରୁ ସେଠାରେ ଭୋଟ ଦେବା ପାଇଁ ଆବେଦନ କରି ଭୋଟ ଦେଇଥିଲେ।

ତେବେ ଭୋଟ ଦାନରୁ ବିରତ ରହିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ ବର୍ତ୍ତମାନ ଜେଲରେ ଥିବାରୁ ଏହି ଭୋଟରେ ଅଂଶ ଗ୍ରହଣ କରିପାରି ନାହାଁନ୍ତି। ସେ ବିଜେଡି ଦଳରୁ ବହିସ୍କୃତ ହୋଇଥିବାରୁ ଭୋଟ ଦେବା ପାଇଁ ଦଳ ତରଫରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ନିଜେ ବିଧାୟକ ଚାହିଁଥିଲେ କୋର୍ଟରେ ଆବେଦନ କରି ଦିନିକିଆ ଜାମିନୀରେ ଆସିପାରି ଥାଆନ୍ତେ। ହେଲେ ନା ପ୍ରଶାନ୍ତ ଜଗଦେବ ନା ବିଜେଡି, କେହି ଆଗ୍ରହ ପ୍ରକାଶ କଲେ ନାହିଁ। ଫଳରେ ସେ ଏକମାତ୍ର ବିଧାୟକ ଭାବେ ଏହି ସର୍ବୋଚ୍ଚ ଗଣତନ୍ତ୍ର ପକ୍ରିୟାରୁ ବାଦ ପଡିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାଖେଇଲା ରାଷ୍ଟ୍ରପତି ନିର୍ବାଚନ, ଓଡିଶା ଆସିଲା ବାଲଟ ବକ୍ସ

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ବିମାନ ଯୋଗେ ଆସିଛି ବାଲଟ ବକ୍ସ। ଭାରତ ନିର୍ବାଚନ କମିଶନର ପଠାଇଥିବା ଏହି ବକ୍ସକୁ ଓଡିଶା ବିଧାନସଭା କର୍ମଚାରୀ ଗ୍ରହଣ କରିଛନ୍ତି। ଏଥିରେ ବାଲଟ ବକ୍ସ ସହିତ ଅନ୍ୟସବୁ ନିର୍ବାଚନ ସାମଗ୍ରୀ ମଧ୍ୟ ଆସିଛି। ଚଳିତ ମାସ ୧୮ ତାରିଖରେ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ।

ଏକ ଚିଠି ମାଧ୍ୟମରେ ଭାରତ ନିର୍ବାଚନ କମିଶନର ଓଡିଶା ବିଧାନସଭା ରିଟର୍ଣ୍ଣିଂ ଅଫିସରକୁ ଏ ନେଇ ଅବଗତ କରାଇଛନ୍ତି। ଏଥିରେ କୁହାଯାଇଛି ଯେ, ଓଡିଶା ବିଧାନସଭାର ପ୍ରଥମ ମହଲାର ୫୪ ନମ୍ବର ରୁମରେ ଏହି ନିର୍ବାଚନ କରାଯିବ। ଏଥିରେ ବିଧାନସଭାର ସମସ୍ତ ସଦସ୍ୟ ଭୋଟଦେବେ। ଏଥିସହିତ ଯଦି କୌଣସି ସାଂସଦମାନେ ସେଠାରେ ଭୋଟ ଦେବା ପାଇଁ ଚାହିଁବେ ତେବେ ସେମାନଙ୍କୁ ଅନୁମତି ଦିଆଯିବ ବୋଲି କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବିଧାନସଭା, ଆସିଲା ଶୋକ ପ୍ରସ୍ତାବ

ଭୁବନେଶ୍ବର: ନୂଆ ବାଚସ୍ପତି ଭାବେ ନିର୍ବାଚତ ହେବ ପରେ ଆଜି ପ୍ରଥମ ଥର ପାଇଁ ଗୃହ ପରିଚାଳନା କରିଛନ୍ତି ବିକ୍ରମ ଆରୁଖ। ଆଜି ପୂର୍ବ ନିର୍ଦ୍ଧାରିତ ସମୟରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫ୍ରେସିଂ ଜରିଆରେ ସାମିଲ ହୋଇ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ସେ ଗୃହର ସଦସ୍ୟ ଥିବା ସୁରେନ୍ଦ୍ର କଅଁରଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ, ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଆଜି ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ୪ମାସିଆ କାମଚଳା ବଜେଟକୁ ଗତ ମାର୍ଚ୍ଚ ମାସରେ ଗୃହରେ ଅନୁମୋଦନ କରାଯାଇଥିଲା।

ଆଜି ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଚଳିତବର୍ଷର ବଜେଟ ପରିମାଣ ପ୍ରଥମ ଥର ପାଇଁ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଆଉ ଦୁଇଦିନ ପରେ ବିଧାନସଭା, ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆଉ ଦୁଇଦିନ ପରେ ବସିବ ବିଧାନସଭା। ଏଥର ଅଧିବେସନରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥିପିତ ହେବ। ଏଥର ବିଧାନସଭାକୁ ପରିଚାଳନା କରିବେ ନୂଆ ବାଚସ୍ପତି ବିକ୍ରମ ଆରୁଖ। ଗୃହରେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ଚଳିତ ଅଧିବେସନ ସଂପର୍କରେ ଆଲୋଚନା କରାଯିବ।

ଏଥର ଅଧିବେସନ ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ୟ୍ୟନ୍ତ ଚାଲିବ ଏଥିରେ ୨୪ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ୍। ସେହିପରି ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ ।

ସେହିପରି ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ। ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯିବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ।

Categories
ବିଶେଷ ଖବର

ସାତୋଟି ବିଧାନସଭା ଏବଂ ତିନୋଟି ଲୋକସଭା ଆସନରେ ଉପ-ନିର୍ବାଚନର ଫଳାଫଳ, ଜାଣନ୍ତୁ କିଏ କେଉଁଠୁ ଜିତିଲା

ନୂଆଦିଲ୍ଲୀ: ସାତଟି ବିଧାନସଭା ଆସନ ଏବଂ ତିନିଟି ଲୋକସଭା ଆସନର ଉପ-ନିର୍ବାଚନର ଫଳାଫଳ ଘୋଷଣା କରିଛି ନିର୍ବାଚନ ଆୟୋଗ। ତିନିଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨ ଟିରେ ଜିତିଥିବା ବେଳେ ଶିରୋମଣି ଅକାଳୀ ଦଳ (ଅମୃତସର) ଗୋଟିଏ ଆସନ ପାଇଛି। ଏହା ବ୍ୟତୀତ ସାତୋଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ତିନୋଟି, କଂଗ୍ରେସ ଦୁଇଟି, ଆପ ଗୋଟିଏ ସିଟ୍ ଏବଂ ୱାଇଏସଆର କଂଗ୍ରେସ ୧ ଟି ଆସନରେ ବିଜୟ ଲାଭ କରିଛି।

ଆପଣଙ୍କୁ କହିରଖୁଛୁ ଯେ ଚାରିଟି ରାଜ୍ୟର ସାତୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିପୁରାର ଚାରୋଟି ବିଧାନସଭା, ଆନ୍ଧ୍ରପ୍ରଦେଶ, ଝାଡଡଖଣ୍ଡ ଏବଂ ଦିଲ୍ଲୀରେ ଗୋଟିଏରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଆସିଛି। ଏହି ଆସନଗୁଡ଼ିକ ଉପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆନ୍ଧ୍ରପ୍ରଦେଶର ଆତ୍ମାକୁର, ଝାଡଖଣ୍ଡର ମାଣ୍ଡର, ଦିଲ୍ଲୀର ରାଜେନ୍ଦ୍ର ନଗର, ତ୍ରିପୁରାର ଅଗରତାଲା, ଜୁବାଡ଼ାଜଗର, ସୁରମା ଏବଂ ବାରଦୋଲି ଟାଉନ୍ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ଦୁଇଟି ରାଜ୍ୟରେ ତିନିଟି ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିମଧ୍ୟରେ ୟୁପିରେ ଆଜମଗଡ ଏବଂ ରାମପୁର ଏବଂ ପଞ୍ଜାବର ସାଙ୍ଗରୁର ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଆନ୍ଧ୍ରପ୍ରଦେଶରେ ଶାସକ ଦଳର ବିଜୟ:

ନିର୍ବାଚନ ଫଳାଫଳ ବିଷୟରେ କହିବାକୁ ଗଲେ ଶାସକ YSRCP ଆନ୍ଧ୍ରପ୍ରଦେଶର ଆତ୍ମାକୁର ବିଧାନସଭା ଆସନରେ ବିଜୟୀ ହୋଇଛି। YSRCP ପ୍ରାର୍ଥୀ ମେକାପତି ବିକ୍ରମ ରେଡ୍ଡୀ ୮୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି। ରେଡ୍ଡୀ ବିଜେପିର ଜି ଭାରତ କୁମାରଙ୍କୁ ପରାସ୍ତ କରିଛନ୍ତି। ଫେବୃଆରୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଏମ ଗୌତମ ରେଡ୍ଡୀଙ୍କ ମୃତ୍ୟୁ ହେତୁ ଏହି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ତ୍ରିପୁରାର ତିନୋଟି ଆସନରେ ପଦ୍ମ ଫୁଲ ଫୁଟିଲା:

ତ୍ରିପୁରାରେ ଚାରିଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନରେ ​​ବିଜେପି ତିନୋଟି ଏବଂ କଂଗ୍ରେସ ଗୋଟିଏ ଆସନ ଜିତିଛି। ଟାଉନ ବାରାଦୋଲି ଆସନରୁ ବିଧାନସଭା ଉପ-ନିର୍ବାଚନରେ ​​ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଜିତିଛନ୍ତି। ବିପ୍ଲାବ ଦେ ଦେଢ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। କଂଗ୍ରେସ ପ୍ରାର୍ଥୀ ସୁଦୀପ ରୟ ବର୍ମନ ଅଗରତାଲା ଆସନରୁ ବିଜୟୀ ହୋଇଛନ୍ତି। ସେ ବିଜେପିର ଅଶୋକ ସିହ୍ନାଙ୍କୁ ପରାସ୍ତ କରିଛନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ ​​ଦଳର ସମ୍ପୂର୍ଣ୍ଣ ପରାଜୟ ପରେ ରୟ ବର୍ମନ ବିଧାନସଭାରେ ଏକାକୀ କଂଗ୍ରେସ ବିଧାୟକ ହୋଇଛନ୍ତି।

ବିଜେପି ପ୍ରାର୍ଥୀ ମଲିନା ଦେବନାଥ ତ୍ରିପୁରାର ଜୁବରାଜନଗର ଆସନ ଜିତିଛନ୍ତି। ସେ ସିପିଆଇ (ଏମ୍) ର ଶୈଳେନ୍ଦ୍ର ଚନ୍ଦ୍ର ନାଥଙ୍କୁ ପରାସ୍ତ କରିଛନ୍ତି। ଏହି ଆସନକୁ ଏକ CPI (M) ଦୁର୍ଗ ଭାବରେ ବିବେଚନା କରାଯାଉଛି। ବିଜେପିର ସ୍ଵପ୍ନ ଦାସ ସୁରମା ସିଟରେ ଟିପିଆର ମୋଥାର ବାବୁରାମ ସତ୍ୟନାମୀଙ୍କୁ ପରାସ୍ତ କରିଛନ୍ତି। ଯୁବରାଜନଗରରେ ସିପିଆଇ (ଏମ୍) ବିଧାୟକ ରମେନ୍ଦ୍ର ଚନ୍ଦ୍ର ଦେବନାଥଙ୍କ ମୃତ୍ୟୁ ପରେ ବାଇପୋଲ୍ ଅନୁଷ୍ଠିତ ହୋଇଥିଲା ଏବଂ ସୋରମାଠାରେ ବିଜେପି ବିଧାୟକ ଆଶିଷ ଦାସ ତାଙ୍କ ଦଳ ବିରୁଦ୍ଧରେ ବିଦ୍ରୋହ କରିଥିଲେ, ଯାହା ପରେ ସେ ଅଯୋଗ୍ୟ ହୋଇଥିଲେ।

ଦିଲ୍ଲୀର ରାଜେନ୍ଦ୍ର ନଗର ବିଧାନସଭା ଆସନରେ ଶାସକ ଆମ୍ ଆଦମୀ ପାର୍ଟିର ଦୁର୍ଗେଶ ପାଠକ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ଦୁର୍ଗେଶ ପାଠକ ବିଜେପି ପ୍ରାର୍ଥୀ ରାଜେଶ ଭାଟିଆଙ୍କୁ ପରାସ୍ତ କରିଛନ୍ତି। ଆମ୍ ଆଦମୀ ପାର୍ଟି ତୃତୀୟ ଥର ପାଇଁ ଏହି ସିଟ୍ ଦଖଲ କରିଛି। ପୂର୍ବତନ ବିଧାୟକ ରାଘବ ଚଡ୍ଡା ପଞ୍ଜାବରୁ ରାଜ୍ୟସଭା ସାଂସଦ ହେବା ପରେ ଏହି ଆସନ ଖାଲି ପଡିଥିଲା, ପରେ ଏହି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

କଂଗ୍ରେସର ଶିଳ୍ପୀ ନେହା ତିର୍କି ଝାଡଖଣ୍ଡରେ ମାଣ୍ଡାର ବିଧାନସଭା ଆସନ ଜିତିଛନ୍ତି। ସେ ବିଜେପିର ଗଙ୍ଗୋତ୍ରି କୁଜୁରଙ୍କୁ ପରାସ୍ତ କରିଛନ୍ତି। ମାର୍ଚ୍ଚ ମାସରେ ଆଯ ବହିର୍ଭୂତ ସମ୍ପତ୍ତି ମାମଲାରେ ଶିଳ୍ପୀଙ୍କ ପିତା ତଥା ବିଧାୟକ ବନ୍ଧୁ ତିର୍କିଙ୍କୁ ତିନି ବର୍ଷ ଦଣ୍ଡିତ କରାଯାଇଥିଲା ଏବଂ ତାଙ୍କର ବିଧାନସଭା ସଦସ୍ୟତା ସମାପ୍ତ ହୋଇଥିଲା। ଯାହା ପରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ତାଙ୍କ ଝିଅ ପିତାଙ୍କ ଉତ୍ତରାଧିକାରୀକୁ ଆଗେଇ ନେଇ ବିଜୟ ଲାଭ କରିଥିଲେ।

ପଞ୍ଜାବର ସାଙ୍ଗୁରର ଲୋକସଭା ଆସନରେ ଉପ-ନିର୍ବାଚନର ଫଳାଫଳ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଦେଇଛି। ଉପ-ନିର୍ବାଚନରେ ​​ଶିରୋମଣି ଅକାଳୀ ଦଳ (ଅମୃତସର) ପ୍ରାର୍ଥୀ ସିମରଞ୍ଜିତ ସିଂ ମନ ଜିତିଛନ୍ତି। ତିନି ମାସ ପୂର୍ବେ ରାଜ୍ୟରେ ସରକାର ଗଠନ କରିବା ପରେ ମଧ୍ୟ ଭଗବାନ୍ ମନ୍ ନିଜର ଗଡ଼କୁ ବଞ୍ଚାଇବାରେ ବିଫଳ ହୋଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ​​ଭଗବନ୍ତ ମନ ଏହି ଆସନ ଜିତିଥିଲେ। ବିଧାନସଭା ନିର୍ବାଚନରେ ​​ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଭଗବନ୍ତ ମନ ଏହି ଆସନରୁ ଇସ୍ତଫା ଦେଇଥିଲେ, ପରେ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ବିଜେପିର ଭୋଜପୁରୀ ସୁପରଷ୍ଟାର ଦୀନେଶ ଲାଲ ଯାଦବ (ନିରୁହୁଆ) ଉତ୍ତରପ୍ରଦେଶର ଆଜାମଗଡ ଲୋକସଭା ଆସନରେ ବିପୁଳ ବ୍ୟବଧାନରେ ଜିତିଛନ୍ତି। ନିରୁହୁ ଏସପି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବଙ୍କୁ ପରାସ୍ତ କରିଛନ୍ତି। ଏଥି ସହିତ ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ମଧ୍ୟ ଜିତିଛନ୍ତି। ଏଠାରେ ବିଜେପିର ଘନଶ୍ୟାମ ଲୋଧି ସମାଜବାଦୀ ପାର୍ଟିର ଅସୀମ ରାଜାଙ୍କୁ ପରାସ୍ତ କରିଛନ୍ତି। ଘନଶ୍ୟାମ ଲୋଧି ଏହା ପୂର୍ବରୁ ଦୁଇଥର MLC ରହିଆସିଛନ୍ତି।