Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ହସ୍ପିଟାଲରେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ: ନିଜ ଛୁଆକୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ ପାଖରେ ପହଞ୍ଚିଲା ବିଲେଇ

ତୁର୍କୀ: ଦୁନିଆର ସବୁଠୁ ବଡ ଯୋଦ୍ଧା ହେଉଛି ମା’। ନିଜ ସନ୍ତାନ ପାଇଁ ସବୁ ବିପଦକୁ ଆଡେଇ ଦେଇପାରେ। ସେ ମଣିଷ ହେଉ ବା ଜନ୍ତୁ। ସବୁମା’ଙ୍କ ହୃଦୟ ଏକପ୍ରକାରର। ଏମିତି ଏକ ବିଲେଇର ମାତୃତ୍ବ ଦେଖିବାକୁ ମିଳିଛି।

ତୁର୍କୀର ଇସ୍ତାନବୁଲ୍‌ର ଏକ ବିଲେଇ ନିଜ ଛୁଆକୁ ରକ୍ଷା କରିବା ପାଇଁ ପାଟିରେ ଧରି ଡାକ୍ତରଙ୍କ ପାଖରେ ଆସି ପହଞ୍ଚିଥିଲା। ବିଲେଇକୁ ଏମିତି ହସ୍ପିଟାଲରେ ଦେଖି ତାହାର ଫଟୋ ଉଠାଇ ଟୁଇଟ୍‌ର ସେୟାର କରିଛନ୍ତି ଜଣେ ଟୁଇଟର ୟୁଜର୍‌। ବିଲେଇ ହସ୍ପିଟାଲରେ ପହଞ୍ଚିଲା ପରେ ହସ୍ପିଟାଲରେ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଲେଇକୁ ଦେଖି ହସ୍ପିଟାଲର କର୍ମଚାରୀମାନେ ଖାଦ୍ୟ ଓ ପିଇବା ପାଇଁ କ୍ଷୀର ଦେବା ସହିତ ଛୁଆ ବିଲେଇର ଚିକିତ୍ସା କରିଛନ୍ତି। ତେବେ ବିଲେଇର ଏହି ବିରଳ ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ସାରା ଦେଶରେ କରୋନା ପାଇଁ ଆଶା ଆଶଙ୍କା ଲାଗି ରହିଥିବାବେଳେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋଟି ଗୋଟେ ଅଲଗା ପ୍ରକାରର ଆତ୍ମସନ୍ତୋଷ ଆଣିଦେଇଛି। ଜଣେ ମା’ର ତା’ ଛୁଆ ପ୍ରତି ଥିବା ସ୍ନେହ ଓ ମମତା ଯେ ଅତୁଳନୀୟ, ତାହା ଏହି ଫଟୋଟି ସ୍ପଷ୍ଟ ରୂପେ ପ୍ରମାଣିତ କରୁଛି। (ଏଜେନ୍ସି)