Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ଉଚ୍ଛେଦ ହେଲା ୨୨୫୦ ହେକ୍ଟର ଘେରି

ବାଲୁଗାଁ: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନରେ ପାଖାପାଖି ୨୨୫୦ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି।

ଉକ୍ତ ଅଭିଯାନରେ ଚିଲିକା ତହସିଲଦାର କାହ୍ନୁ ଚରଣ ଘଡେଇଙ୍କ ସମେତ ତହସିଲ କର୍ମଚାରୀ, ସିଡିଏ କର୍ମଚାରୀ, ପୋଲିସ କର୍ମଚାରୀ, ମତ୍ସ୍ୟବିଭାଗ କର୍ମଚାରୀ, ୩ ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର ଓ ଟିମ ସାମିଲ ଥିଲେ।

ଚିଲିକା ତଟବର୍ତ୍ତୀ ସୋରଣ, ହାଟବରଡ଼ି, ବଉଳାବନ୍ଧ, କୁମାଣ୍ଡଳପାଟଣା, ଅମରାଓଳି, ଚାର ବାଟିଆ ଅନ୍ତର୍ଗତ ଚିଲିକା ମଧ୍ୟରେ ପ୍ରାୟତଃ ୨୨୫୦ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ ୬୦୦ ବଣ୍ଡଲ (୯୫ କୁଇଣ୍ଟାଲ) ଜିରୋ ନେଟ ଜବତ କରାଯାଇଥିବା ତହସିଲଦାର ଶ୍ରୀ ଘଡେଇ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବେଆଇନ ଘେରି ସୃଷ୍ଟିକାରୀଙ୍କ ବିରୋଧରେ ରୁଜୁ ହେବ ଫୌଜଦାରୀ ମାମଲା: ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଚ୍ଚ ନ୍ୟାୟଳୟଙ୍କ ଆଦେଶକୁ ପୂରଣ କରିବା ପାଇଁ କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛି।

ପୂର୍ବରୁ ତିନି ଥର ଜିଲ୍ଲା ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ କରାଯାଇଥିବାବେଳେ ଆଜି ପୁଣି ସକାଳ ପ୍ରହରରୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟିଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ଉକ୍ତ ଉଚ୍ଛେଦ ଅଭିଯାନ ଜାରି ରହିଥିଲା।

ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ। ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ଚିଲିକା ତହସିଲଦାର ପୂନମ ମହାପାତ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ, ସିଡ଼ିଏ ଅଧିକାରୀ, ରାଜସ୍ବ କର୍ମଚାରୀ ଏବଂ ପୋଲିସ ଫୋର୍ସଙ୍କ ଉପସ୍ଥିତରେ ଚିଲିକା ମଧ୍ୟରୁ ଘେରି ଉଚ୍ଛେଦ କରାଯାଇଛି।

ତେବେ ଆଜି ସମୁଦାୟ ୫୫ ଏକର ଅଞ୍ଚଳରୁ ଘେରି ଉଚ୍ଛେଦ ହୋଇଥିବାର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରଶାସନ ଦ୍ୱାରା କରାଯାଉଥିବା ଘେରି ଉଚ୍ଛେଦର ତୁରନ୍ତ ପରେ ମାଫିଆମାନଙ୍କ ଦ୍ୱାରା ପୁଣି ସମ୍ପୃକ୍ତ ଅଞ୍ଚଳରେ ଘେରି ନିର୍ମାଣ କରାଯାଉଥିବାରୁ ପ୍ରଶାସନ ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇ କଡା ପଦକ୍ଷପ ଗ୍ରହଣ କରିବାକୁ ଯାଉଅଛି।

ଆଗକୁ ଯଦି ପୁଣି ମାଫିଆମାନେ ସମ୍ପୃକ୍ତ ଅଞ୍ଚଳରେ ଘେରି ନିର୍ମାଣ କରିବେ ତେବେ ସେମାନଙ୍କୁ ଚି଼ହ୍ନଟ କରାଯାଇ ତାଙ୍କ ବିରୋଧରେ ନିକଟସ୍ଥ ଥାନାରେ ପ୍ରଶାସନ ପକ୍ଷରୁ ଫୌଜଦାରୀ ମାମଲା ରୁଜୁ କରାଯିବା ସହ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହୁରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।