ଚିଲିକାରେ ବେଆଇନ ଘେରି ସୃଷ୍ଟିକାରୀଙ୍କ ବିରୋଧରେ ରୁଜୁ ହେବ ଫୌଜଦାରୀ ମାମଲା: ଖୋର୍ଦ୍ଧା ଉପଜିଲ୍ଲାପାଳ

Published: Jun 5, 2021, 6:10 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଚ୍ଚ ନ୍ୟାୟଳୟଙ୍କ ଆଦେଶକୁ ପୂରଣ କରିବା ପାଇଁ କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛି।

ପୂର୍ବରୁ ତିନି ଥର ଜିଲ୍ଲା ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ କରାଯାଇଥିବାବେଳେ ଆଜି ପୁଣି ସକାଳ ପ୍ରହରରୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟିଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ଉକ୍ତ ଉଚ୍ଛେଦ ଅଭିଯାନ ଜାରି ରହିଥିଲା।

ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ। ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ଚିଲିକା ତହସିଲଦାର ପୂନମ ମହାପାତ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ, ସିଡ଼ିଏ ଅଧିକାରୀ, ରାଜସ୍ବ କର୍ମଚାରୀ ଏବଂ ପୋଲିସ ଫୋର୍ସଙ୍କ ଉପସ୍ଥିତରେ ଚିଲିକା ମଧ୍ୟରୁ ଘେରି ଉଚ୍ଛେଦ କରାଯାଇଛି।

ତେବେ ଆଜି ସମୁଦାୟ ୫୫ ଏକର ଅଞ୍ଚଳରୁ ଘେରି ଉଚ୍ଛେଦ ହୋଇଥିବାର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରଶାସନ ଦ୍ୱାରା କରାଯାଉଥିବା ଘେରି ଉଚ୍ଛେଦର ତୁରନ୍ତ ପରେ ମାଫିଆମାନଙ୍କ ଦ୍ୱାରା ପୁଣି ସମ୍ପୃକ୍ତ ଅଞ୍ଚଳରେ ଘେରି ନିର୍ମାଣ କରାଯାଉଥିବାରୁ ପ୍ରଶାସନ ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇ କଡା ପଦକ୍ଷପ ଗ୍ରହଣ କରିବାକୁ ଯାଉଅଛି।

ଆଗକୁ ଯଦି ପୁଣି ମାଫିଆମାନେ ସମ୍ପୃକ୍ତ ଅଞ୍ଚଳରେ ଘେରି ନିର୍ମାଣ କରିବେ ତେବେ ସେମାନଙ୍କୁ ଚି଼ହ୍ନଟ କରାଯାଇ ତାଙ୍କ ବିରୋଧରେ ନିକଟସ୍ଥ ଥାନାରେ ପ୍ରଶାସନ ପକ୍ଷରୁ ଫୌଜଦାରୀ ମାମଲା ରୁଜୁ କରାଯିବା ସହ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହୁରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Related posts