ପିଣ୍ଟୁ ବିଷୋୟୀ
ବେଗୁନିଆପଡା: କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶୁକ୍ରବାର ଦିନିକିଆ ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
ବିଧାୟିକା ପ୍ରଥମେ କେ ବରିଡ଼ା ପଞ୍ଚାୟତର ବିରିବାଟିଆ ଠାରେ ବିଧାୟିକା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପର ଲୋକାର୍ପଣ କରିଥିଲେ। ତାପରେ ୬ ଲକ୍ଷ ୫୦ହଜାର ଟଙ୍କାରେ ନିର୍ମିତ କେ ବରିଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହ ଓ ୨ ଲକ୍ଷ ଟଙ୍କାରେ ନିର୍ମିତ ନୁଆଁ ସାହି ଗୋଷ୍ଠୀ ସାଧନା କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ବିଧାୟିକା।

ଏହା ପରେ ଖଣ୍ଡିଆନଈ ପଞ୍ଚାୟତର କେ ମର୍ଦ୍ଦରାଜପୁରେ କୃଷି ବିଭାଗର ଅନୁଦାନ ଦ୍ବାରା ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ନିର୍ମିତ କଂକ୍ରିଟ ଧାନ ଖଳା ଉଦଘାଟନ କରିଥିଲେ। ବେଗୁନିଆପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଠାଗାର ଓ ସୂଚନା କେନ୍ଦ୍ର ଉଦଘାଟନ କରିବା ସହ ସିଜିଏଫ, ଏସପିଏଫ, ଏମଏଲଏ ଲ୍ୟାଡ଼ ଯୋଜନାରେ ବେଗୁନିଆପଡ଼ା କାଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୧ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହା ପରେ ଏସ୍ ଛଚିନା ପଞ୍ଚାୟତର ଏସ ଛଚିନା ଠାରେ ଚତୁର୍ଥ ଅର୍ଥ କମିଶନ ଯୋଜନାରେ ୫ ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମିତ ଯାତ୍ରୀ ବିଶ୍ରାମ ଗାର, ଆମ ଗାଁ ଆମ ବିକାଶ ଯୋଜନାରେ ୫ ଲକ୍ଷ ଟଙ୍କାରେ ନିର୍ମିତ ବନଦୁର୍ଗା ସାହିରେ ଗୋଷ୍ଠୀ ସାଧନ କେନ୍ଦ୍ର, ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶ୍ରୀ ମା ଶ୍ରୀ ଅରବିନ୍ଦ ପାଠାଗାର ଏବଂ ସୂଚନା କେନ୍ଦ୍ର, ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାଧାକୃଷ୍ଣ ସାହି ଠାରେ ଗୋଷ୍ଠୀ ସାଧନ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ।

ଏହାପରେ ସୁମଣ୍ଡଳ ଠାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଠାଗାର ଓ ସୂଚନା କେନ୍ଦ୍ର, ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଶାଙ୍କୁଡ଼ା ଠାରେ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମହାପ୍ରୟାଣ ଶବ ସତ୍କାର ସ୍ଥଳ, ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଙ୍ଗାରଗାଁ ଯାତ୍ରୀ ବିଶ୍ରାମଗାର, ୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ ଫାଟକ, ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ଧାନଖଳା, ୨ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ଅଗ୍ନି ପୂଜା ମଣ୍ଡପ,୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲଭର୍ଟର ଶୁଭ ଉଦଘାଟନ କରିଥିଲେ ବିଧାୟିକା।
ବିଧାୟିକାଙ୍କ ଏହି ୧୯ ଗୋଟି ମାରାଥନ ଉଦଘାଟନ କାର୍ଯ୍ୟକ୍ରମ ସମୟରେ ବ୍ଲକ ଅଧ୍ୟକ୍ଷା କେ ରାଜଲକ୍ଷ୍ମୀ ଦୋରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ଗୀତାଞ୍ଜଳି ଭୂୟାଁ, ମନୋଜ କୁମାର ପାଣ୍ଡି, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।