Categories
ଆଜିର ଖବର ରାଜ୍ୟ ଖବର

ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ବିଶ୍ୱ ରେଡ଼ିଓ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ପକ୍ଷରୁ ଗୁରୁବାର ବିଶ୍ୱ ରେଡ଼ିଓ ଦିବସ ପାଳିତ ହୋଇଯାଇଛି। ବିଶ୍ୱ ରେଡ଼ିଓ ଦିବସର ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ରେଡ଼ିଓ ଓ ଜଳବାୟୁ ପରିବର୍ତ୍ତନ’।  କମ୍ୟୁନିଟି ରେଡ଼ିଓର ସଦସ୍ୟ, ଛାତ୍ରଛାତ୍ରୀ ଏବଂ ସୋଆର ଫ୍ୟାକଲ୍ଟିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଶ୍ରୋତାମାନଙ୍କୁ ସୂଚନା ପ୍ରଦାନ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଶିକ୍ଷିତ ଓ ସଚେତନ କରାଇବାରେ ସୋଆ କମ୍ୟୁନିଟି ରେଡ଼ିଓର ଏକ ବଡ଼ ଭୂମିକା ରହିଛି। ରେଡ଼ିଓ ଦିବସରେ ଆମେ କେବଳ ରେଡ଼ିଓର ଅତୀତ ଏବଂ ବର୍ତମାନ ନୁହେଁ ମାତ୍ର ଭବିଷ୍ୟତରେ ଓ ଡିଜିଟାଲ୍ ଯୁଗରେ ଯୁବ ସମ୍ପ୍ରଦାୟ ରେଡ଼ିଓ ସହିତ କିପରି ଯୋଡ଼ି ହୋଇ ରହିପାରିବେ ସେଥିପାଇଁ ଆମର ପ୍ରୟାସ ରହିବ ବୋଲି ସୋଆ କମ୍ୟୁନିଟି ରେଡ଼ିଓର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କମ୍ୟୁନିଟି ରେଡିଓର ନିର୍ଦ୍ଦେଶିକା ରାଜ୍ୟ କମ୍ୟୁନିଟି ରେଡ଼ିଓ ସଂଘର ଉପସଭାପତି ମନୋନୀତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ନିର୍ଦ୍ଦେଶିକା ହନୀ ପଟ୍ଟନାୟକ ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି।

ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ଅନୁମୋଦନ କ୍ରମେ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ସଂଘ ଗଠନ ହୋଇଥିବା ବେଳେ ନୟାଗଡ ଜିଲ୍ଲାର ଦଶପଲ୍ଲା ସ୍ଥିତ ‘ରେଡିଓ ସୁରଭି’ ର ମୁଖ୍ୟ ଶିଶିର କୁମାର ଦାସଙ୍କୁ ରାଜ୍ୟ ସଭାପତି, ‘ରେଡିଓ ଉତ୍କଳ’ର ମୁଖ୍ୟ ଅମିୟ ଭୂଷଣ ବିଶ୍ୱାଳଙ୍କୁ ସମ୍ପାଦକ, ‘ରେଡିଓ ମୁସ୍କାନ’ ର ଧନେଶ୍ୱର ସାହୁଙ୍କୁ କୋଷାଧ୍ୟକ୍ଷ, ‘ସୋଆ କମ୍ୟୁନିଟି ରେଡିଓ’ ର ନିର୍ଦ୍ଦେଶିକା ହନି ପଟ୍ଟନାୟକଙ୍କୁ ଉପସଭାପତି ଓ ‘ରେଡିଓ ବାଘାଯତୀନ’ର ମିନତି ବିନ୍ଧାଣିଙ୍କୁ ସହ-ସମ୍ପାଦକ ଭାବେ ମନୋନୀତ କରାଯାଇଛି।

ଏ ନେଇ ନିକଟରେ ଅନୁଷ୍ଠିତ ସଂଘର ଜାତୀୟ ଉପ-ସଭାପତି ପ୍ରଦୀପ୍ତ ଦତଙ୍କ ଅଧ୍ୟକ୍ଷତାରେ ସଭାରେ ଓଡିଶାର ସମସ୍ତ କମ୍ୟୁନିଟି ରେଡିଓ ସଭ୍ୟମାନେ ଉପସ୍ଥିତ ଥିଲେ।

ଏହା ଛଡ଼ା ରାଜ୍ୟର ବିଭିନ୍ନ ଅଂଚଳର କମ୍ୟୁନିଟି ରେଡିଓ ମୁଖ୍ୟ ବିକାଶ ମହାପାତ୍ର, ସୁଜିତ ପଟ୍ଟନାୟକ, ପ୍ରଭାସ ସାମନ୍ତରାୟ, ସୌମ୍ୟ ରଂଜନ ନାୟକ, ପ୍ରତାପ ବାରିକ ଓ ଲିଙ୍ଗରାଜ ସାମନ୍ତରାୟଙ୍କୁ ସଭ୍ୟ ଭାବେ ଚୟନ କରାଯାଇଛି। ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟରେ ବର୍ତମାନ ମୋଟ ୩୭ଟି କମ୍ୟୁନିଟି ରେଡିଓ କାର୍ଯ୍ୟ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବାଦ ପରିବେଷଣକୁ ନେଇ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓର ଅଭିନବ ପ୍ରୟାସ

ଭୁବନେଶ୍ୱର: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି। ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଇଂଟରନେଟ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ। କିନ୍ତୁ ସେହି ସୂଚନା ଠିକ୍ ନା ଭୁଲ୍ ତାହା ନିର୍ଣ୍ଣୟ କରିବା ଏବେ ମୁସ୍କିଲ୍ ବ୍ୟାପାର ହୋଇପଡ଼ିଛି।

ଆଜି ବିଭିନ୍ନ ସମ୍ବାଦ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଂଚିବା ପାଇଁ ଦୂରତା ବା ସମୟ କିଛି ବି ଲାଗୁନି। ସବୁ କିଛି ହାତ ପାହାନ୍ତାରେ ମିଳୁଛି। କେବଳ ଖବରକାଗଜ, ପତ୍ରିକା, ଟିଭି ବା ରେଡିଓ ନୁହେଁ ସୋସିଆଲ୍ ମିଡିଆରେ ଆମେ ୨୪ ଘଂଟା ନ୍ୟୁଜ୍‌ ସହିତ ସଂଶ୍ଳିଷ୍ଟ। ଠିକ୍ ସୂଚନା ହିଁ ଆମ ପାଇଁ ଉପଯୋଗୀ ଓ ହିତକାରୀ। କାରଣ ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ।

ଗୋଟେ ମିଥ୍ୟା ଖବରର ପ୍ରଭାବ କେବଳ ବ୍ୟକ୍ତି ବା ବ୍ୟକ୍ତିତ୍ୱ ନୁହେଁ ବରଂ ପୁରା ସମାଜ ଉପରେ ଗଭୀର ରେଖାପାତ କରେ। ଯଦିଓ ଆଜି ଆମେ ସଭ୍ୟ ଶିକ୍ଷିତ ବା ସମୟ ସହ ଅଭିଜ୍ଞ ହୋଇଛେ ତଥାପି ଆମେ ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବରର ଜାଲରୁ ମୁକ୍ତ ହୋଇ ପାରିନାହୁଁ। ଖାସ ଏହି ସମସ୍ୟାକୁ ବିଶ୍ଲେଷଣ କରିବା ନିହାତି ଜରୁରୀ ହୋଇପଡ଼ିଥିବା ବେଳେ ଏହି ପ୍ରୟାସରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ରେ ପ୍ରସାରିତ ହେଉଛି ଫ୍ୟାକ୍ଟ ଶାଲା କାର୍ଯ୍ୟକ୍ରମ।

ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୭ଟା, ଅପରାହ୍ଣ ୧ଟା ଏବଂ ସନ୍ଧ୍ୟା ୭ଟାରେ ଏହି କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପ୍ରସାରିତ ହେଉଛି। ଏହି ପ୍ରୟାସରେ ବିଭିନ୍ନ ବର୍ଗର ଅଭିଜ୍ଞମାନେ ଆମ ସହ ଯୋଡି ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସୂଚନା (ଇନ୍‌ଫର୍ମେସନ୍‌) ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ, ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଲୋକ ସମ୍ପର୍କ ନିର୍ଦ୍ଦେଶକ ପରେଶ ଦାସ। ତାଙ୍କ ସହିତ ଆର୍‌ଜେ ସବ୍‌ନମ୍ ଏ ନେଇ ବିଶେଷ ଆଲୋଚନା କରିଛନ୍ତି।

ସେହିପରି ଏକତରଫା ସମ୍ବାଦ ପରିବେଷଣ (ବାୟେସ୍‌ଡ ନ୍ୟୁଜ୍‌) ସମ୍ପର୍କରେ ସାମ୍ବାଦିକା ତଥା ସୋଆର ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନି ମିଶ୍ର। ତାଙ୍କ ସହିତ ଆର୍‌ଜେ କେପି ଏବଂ ଆର୍‌ଜେ ସବ୍‌ନମ୍ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ସମ୍ବାଦ କ’ଣ (ହ୍ୱାଟ ଇଜ୍ ନ୍ୟୁଜ୍‌) ଏ ନେଇ ଆଲୋଚନା କରିଥିଲେ ‘ସମ୍ବାଦ’ର ଯାଜପୁର ଏଡିସନ୍‌ର ଚିଫ୍‌ କୋ-ଏଡିଟର୍ ସୁଦାମ୍‌ବନ୍ଧୁ ଭଟ୍ଟମିଶ୍ର। ତାଙ୍କ ସହିତ ଆର୍‌ଜେ ସବ୍‌ନମ୍ ଏବଂ ଆର୍‌ଜେ କେପି ଆଲୋଚନା କରିଥିଲେ।

ସେହିପରି ସମ୍ବାଦକୁ ଠିକ୍ ଭାବେ ତଦାରଖ କରି ପରିବେଷଣ କରିବା (ଷ୍ଟପ୍‌, ଚେକ୍‌, ଗୋ ଆହେଡ) ସମ୍ପର୍କରେ ଆଲୋଚନା କରିଥିଲେ ନ୍ୟୁଜ୍‌୭ ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ। ତାଙ୍କ ସହ ଆଲୋଚନା କରିଥିଲେ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ ସବ୍‌ନମ୍ ଓ ଆର୍‌ଜେ କେପି। ସମ୍ବାଦର ସୂତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଆର୍‌ଜେ ସବ୍‌ନମ୍‌, ଆର୍‌ଜେ ରମାବଲ୍ଲଭ ଓ ଆର୍‌ଜେ କେପି।

ସେହିପରି ଭୁଲ୍ ସମ୍ବାଦ (ମିସ୍‌ଇନ୍‌ଫର୍ମେସନ୍‌) କୁ ଭିତ୍ତି କରି କିଭଳି ସମ୍ବାଦ ପରିବେଷଣ କରାଯାଉଛି ସେ ନେଇ ଆଲୋଚନା କରିଥିଲେ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ ଗୌର ଏବଂ ଆର୍‌ଜେ ସବ୍‌ନମ୍।

ଏଥି ସହିତ ନ୍ୟାରୋ କାଷ୍ଟିଂ ଜରିଆରେ ସୋଆ ରେଡିଓ ଆଖପାଖ ବିଭିନ୍ନ ଅଂଚଳକୁ ଯାଇ ଏ ସମ୍ବନ୍ଧରେ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଭଏସ୍ ଅଫ୍ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ସର୍ବଦା ସଚେତନତା ସୃ୍‌ଷ୍ଟି କରିବା ଦିଗରେ ତତ୍ପର ରହିଆସିଛି। ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସତର୍କ ଓ ସଚେତନ କରିବା ନେଇ ଅଂଟା ଭିଡିଛି ସୋଆ କମ୍ୟୁନିଟି ରେଡିଓ।

କରୋନା ମହାମାରୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ତଥା ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପ୍ରବାସୀ ଶ୍ରମିକମାନଙ୍କର ସାହାଯ୍ୟ ଓ ଥଇଥାନ୍ ନିମନ୍ତେ “ନୂଆ ସକାଳର କଥା” ପ୍ରୋଜେକ୍ଟ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସୋଆ ରେଡିଓ କାର୍ଯ୍ୟରତ।

ଏହି ପରିପ୍ରେକ୍ଷୀରେ ସୋଆ ଦ୍ୱାରା ପୋଷ୍ୟ ଭାବେ ଗୃହୀତ ୪ଟି ଗ୍ରାମ ଯଥା ଶିମୁଳି ପାଟଣା, ପଥରଗାଡିଆ, ସୁନ୍ଦରପୁର ଓ ବାରମାଣ ଗ୍ରାମକୁ ଯାଇ ସୋଆ ରେଡିଓ ପକ୍ଷରୁ ଜବ୍ କାର୍ଡ ଥିବା ଗ୍ରାମବାସୀମାନେ କିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍ ସ୍କିମ୍ ଦ୍ୱାରା ୧୦୦ ଦିନର କାମ ପାଇପାରିବେ ସେଥିପାଇଁ ଲୋକଙ୍କୁ ଅବଗତ କରାଇଛି। ଅଣକୁଶଳୀ ଫର୍ମ ପୂରଣ କରିବା ସହିତ ଯେଉଁମାନଙ୍କର ଜବ୍ କାର୍ଡ ନାହିଁ ସେମାନେ ନୂଆ କାର୍ଡ ଆବେଦନ ନିମନ୍ତେ ଫର୍ମ ପୂରଣ କରିପାରିଛନ୍ତି।

ଚନ୍ଦକା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ସମାଜସେବୀ ବିରଜା ପ୍ରସାଦ ସାମନ୍ତରାୟ ତଥା ୱାର୍ଡ ମେମ୍ବରମାନେ ଏଥିରେ ସହାୟତା କରିଥିଲେ। ଏଥି ସହିତ ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକରେ ଲୋକେ କିପରି କୋଭିଡ ସମୟରେ ଅପପ୍ରଚାରର ଶିକାର ହେବାରୁ ଦୂରେଇ ରହିବେ ସେ ବିଷୟରେ କୁହାଯାଇଥିଲା। କୋଭିଡ ସଚେତନତା ନିମନ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଓ ଧୋଇବା ପଦ୍ଧତି ସହ ସାମାଜିକ ଦୂରତ୍ୱ ରକ୍ଷାର ମହତ୍ୱ ବୁଝାଇ ଦିଆଯାଇଥିଲା।

କରୋନା ସମୟରେ ଘରୋଇ ହିଂସା, ଶିଶୁ ଓ ନାରୀ ନିର୍ଯାତନା, ବୟସ୍କ, ପ୍ରସୂତି ତଥା ଶିଶୁ ଅବହେଳା ତଥା ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା କିପରି ସାମାଜିକ ଜୀବନକୁ ପ୍ରଭାବିତ କରୁଛି ସେଥିପ୍ରତି ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ସବୁ ଅନୈତିକ କାର୍ଯ୍ୟରେ କିପରି ରୋକ ଲାଗିପାରିବ ସେଥିପାଇଁ ସ୍ଥାନୀୟ ପ୍ରଶାସନ, ମହିଳା ଲିଗାଲ୍ ସେଲ୍‌ର ନିର୍ଦ୍ଦେଶକ ତଥା ଭିଜିଲାନ୍ସ କମିଟିର ସଦସ୍ୟା ଜୟଶ୍ରୀ ମହାପାତ୍ର, ଷ୍ଟେଟ୍‌ କମିଶନର ଫର୍ ପର୍ସନ୍ସ ୱିଥ୍ ଡିଜ୍‌ଆବିଲିଟିସ୍‌ର ସୁଲୋଚନା ଦାସ, ସୋଆ ଲ ଫ୍ୟାକଲ୍ଟିର ଆସୋସିଏଟ୍ ପ୍ରଫେସର ଡ. ମଧୁବ୍ରତା ମହାନ୍ତି, ଚନ୍ଦକା ଗ୍ରାମପଂଚାୟତର ସରପଂଚ ରାଜଶ୍ରୀ ସାମନ୍ତରାୟ ଏବଂ ସମାଜସେବୀ ଶ୍ରୀ ସାମନ୍ତରାୟଙ୍କୁ ନେଇ ରେଡିଓ ଇଂଟରଆକ୍ଟିଭ୍ ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା।